ବର୍ତ୍ତମାନ କରୋନା ସମୟ ଚାଲିଥିବାରୁ ନବମ ଓ ଦଶମ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କୁ ବିଦ୍ୟାଳୟରେ ଶିକ୍ଷାଦାନ ଦିଆଯାଉଛି । ଅନ୍ୟ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଅନ୍ ଲାଇନରେ ଶିକ୍ଷାଦାନ କରାଯାଉଛି । ଅନ୍ ଲାଇନ ଶିକ୍ଷା ଦାନ କରାଯାଉଥିବାରୁ ପିଲାମାନେ କିପରି ପାଠ ପଢୁଛନ୍ତି ସେ ବିଷୟରେ ବୁଝିବା, ପରିବାର ସହିତ ସଂପର୍କ ଏବଂ ପିତାମାତାଙ୍କ ସହିତ ଶିଶୁର ବିକାଶ ବିଷୟରେ ଆଲୋଚନା କରିବା ପାଇଁ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ଗୁରୁଜୀ ଗୁରୁମାମାନେ ପରିବାର ସଂପର୍କରେ ଯାଆନ୍ତି । ମୋର ସହଧର୍ମିଣୀ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ଆଚାର୍ଯ୍ୟା । ସେ ମଧ୍ୟ ପରିବାର ସଂପର୍କରେ ଯାଆନ୍ତି । ଛାତ୍ରଛାତ୍ରୀମାନେ ଆମ ଘର ଠାରୁ ଦୂରରେ ରହୁଥିବାରୁ ମୁଁ ତାଙ୍କୁ ସାଥିରେ ନେଇ ସେମାନଙ୍କ ଘରକୁ ଯାଇଥାଏ । ଆମେ ପରିବାର ସଂପର୍କରେ ଯାଇ ଜଣେ ବିଦ୍ୟାର୍ଥୀଙ୍କ ଘରେ ପହଞ୍ôଚଲୁ । ସେମାନେ ଆମକୁ ବସିବା ପାଇଁ କହିଲେ । ଆମେ ବସିବା ପରେ ସେମାନେ ଆମକୁ ପିଇବା ପାଇଁ ସରବତ ଦେଲେ । ଆମେ ପିଇ ସାରିିବା ପରେ ପିଲାର ପାଠ ପଢା ସହିତ ପରିବାର ବିଷୟରେ ଚର୍ଚ୍ଚା ଆଲୋଚନା ହେଲା । ପରିବାର ସଂପର୍କ ସରିବା ପରେ ଆମେ ବାହାରିବା ବେଳକୁ ଅବିଭାବକ ଜଣଙ୍କ କହିଲେ କାଲିର ଖବର ଜାଣିଛନ୍ତି । ଆମେ ପଚାରିଲୁ କି ଖବର ।
ଅବିଭାବକ ଜଣକ କହିଲେ ‘ଆପଣ ଶୁଣି ନାହଁନ୍ତି କି, କାଲି ରାହୁଳ ଗାନ୍ଧି ଆମ ଶିଶୁ ମନ୍ଦିର ନାଁରେ କେମିତି ୟାଡୁ ସାଡୁ ପୁଳାଏ କହିଛନ୍ତି । ଆମେ ମୁସଲମାନ କିନ୍ତୁ ଆମ ପିଲା ସକାଳୁ ଉଠିଲେ ପ୍ରାର୍ଥନା କରୁଛି, ଖାଇବା ପୂର୍ବରୁ ଭୋଜନ ମନ୍ତ୍ର କରୁୁଛି । ଏସବୁ ଦେଖିଲେ ଆମକୁ ଆନନ୍ଦ ଲାଗୁଛି । ଆମେ ମୁସଲମାନ ହେଲେ ମଧ୍ୟ ଆପଣାନେ ଆମ ଘରକୁ ଆସୁଛନ୍ତି । ପିଲାଙ୍କର ଟିକ୍ ନିଖ୍ କଥା ବୁଝୁଛନ୍ତି । ପରିବାରର ସମସ୍ତଙ୍କ କଥା ପଚାରି ବୁଝୁଛନ୍ତି । ଆପଣମାନଙ୍କ ମନରେ କିଛି ବାଛ ବିଚାର ନାହିଁ । ସ୍ୱାମୀ ବିବେକାନନ୍ଦ, ଭାରତ ମାନଚିତ୍ର, ଭାରତମାତା ଫଟୋ, ମାତା ସରସ୍ୱତୀଙ୍କ ପୂଜା ଓ ବନ୍ଦନା ବିନା ବିଦ୍ୟାଳୟ କାର୍ଯ୍ୟ ଅଧୁରା । ଯେଉଁ ବିଦ୍ୟାଳୟରେ ରାଜନୀତି ବିଷୟରେ ଆଲୋଚନା ହୁଏ ନାହଁ । ପିଲାମାନଙ୍କୁ ସୃଜନଶୀଳ, ଭାରତୀୟ ମୂଲ୍ୟବୋଧ ଏବଂ ନୈତିକ ମୂଲ୍ୟବୋଧର ଶିକ୍ଷା ଦିଆଯାଏ । ଯେଉଁ ବିଦ୍ୟାଳୟର ପିଲାମାନେ କଳା, କ୍ରୀଡା ଏବଂ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ପଦକମାନ ଜିତନ୍ତି, ସେପରି ବିଦ୍ୟାଳୟ ସରସ୍ୱତୀ ଶିଶୁ ମନ୍ଦିରକୁ ପାକିିସ୍ଥାନର ମଦ୍ରାସା ସହିତ ତୁଳନା କରିବା ଦୁଃଖଦାୟକ ଘଟଣା ନୁହେଁତ ଆଉ କଣ? ’....
ଶିକ୍ଷାକ୍ଷେତ୍ରରେ ବିଦ୍ୟାଭାରତୀର ପ୍ରଚେଷ୍ଠା ବର୍ତମାନ ଏକ ଯୁଗାନ୍ତକାରୀ ଜନ ଆନ୍ଦୋଳନରେ ପରିଣତ ହୋଇ ସାରିଛି । ଭାରତର ପ୍ରାୟ ସମସ୍ତ ପ୍ରାନ୍ତରେ ପ୍ରତ୍ୟେକ ବର୍ଗର ଜନସାଧାରଣଙ୍କ ପ୍ରବଳ ଆଗ୍ରହ ଓ ଉତ୍ସାହ ମଧ୍ୟରେ ଅସଂଖ୍ୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗଢି ଉଠିଛି । ତାହା ହିଁ ଏହି ଆନ୍ଦୋଳନର ଜନପ୍ରିୟତାର ସୂଚକ । ଜାତୀୟ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ବହୁ ପ୍ରବୀଣ ଶିକ୍ଷାବିତ୍ ଓ ତରୁଣ କର୍ମୀ ନିଜକୁ ଏହି ଆନ୍ଦୋଳନରେ ସମ୍ମିଳିତ କରିଥିବା ବେଳେ କଂଗ୍ରେସର ଯୁବରାଜ ବୋଲାଉ ଥିବା ରାହୁଳ ଗାନ୍ଧି ଏହି ମଣିଷ ତିଆରି କାରଖାନାକୁ ପାକିସ୍ତାନର ମଦ୍ରାସା ପରି ଆତଙ୍କବାଦୀ ସୃଷ୍ଟି କରୁଥିବା ଅନୁଷ୍ଠାନ ସହିତ ତୁଳନା କରିଛନ୍ତି । ଏଠାରେ ଦିଆଯାଉଥିବା ଶିକ୍ଷାଦାନକୁ ରେଡିକାଲାଇଜେସନ ବା ମୌଳବାଦର ଶିକ୍ଷା ବୋଲି କହିଛନ୍ତି । ରାହୁଳ ଗାନ୍ଧିଙ୍କ ଏହି ଆପତ୍ତି ଜନକ କଥା ସାରା ଭାରତବାସୀଙ୍କ ମନରେ କଷ୍ଟ ଦେଇଛି । ରାହୁଳ ଗାନ୍ଧି ଯେଉଁ ଦୁଷ୍ପ୍ରଚାର ଚଳାଇଛନ୍ତି, ଦେଶବାସୀଙ୍କୁ ଉସୁକାଇବାକୁ ଚାହୁଁଛନ୍ତି, ସେହି କଥାକୁ କେହି ପସନ୍ଦ କରିନାହାଁନ୍ତି । ରାହୁଳ ଗାନ୍ଧିଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏବଂ ବିଦ୍ୟାଭାରତୀକୁ ଚିହ୍ନିବା ପାଇଁ ବହୁତ ସମୟ ଲାଗିବ । ଦେଶଭକ୍ତିର ବଡ ବିଶ୍ୱବିଦ୍ୟାଳୟ ହେଉଛି ଆରଏସ୍ଏସ୍ । ଯେଉଁଥିପାଇଁକି ସାରା ବିଶ୍ୱ ସଂଘକୁ ଆଦର କରୁଛି । ସ୍ୱାଧୀନତା ପରଠାରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କଂଗ୍ରେସର ଟାର୍ଗେଟରେ ରହି ଆସିଛି । ଅନେକ ଉଦ୍ୟମ ସତ୍ତ୍ୱେ କଂଗ୍ରେସ ସଂଘକୁ ସମାପ୍ତ କରିବାରେ ସଫଳ ହୋଇ ପାରିଲା ନାହିଁ । କଂଗ୍ରେସ ନିଜେ ନିଜର ଅସ୍ତିତ୍ୱକୁ ଶେଷ କରିବାକୁ ଯାଉଛି । ଅନେକ ପ୍ରତିବନ୍ଧକ ସାମ୍ନା କରିଥିବା ସଂଘ ଏବେ ମଧ୍ୟ କୋଟି କୋଟି ଜନତାଙ୍କ ହୃଦୟରେ ରହିଛି । ଦେଶ ଭକ୍ତିର ପାଠ ପଢାଉଥିବା ଏହି ବିଶ୍ୱବିଦ୍ୟାଳୟର ଛାତ୍ର ଦେଶର ପ୍ରଧାନମନ୍ତ୍ରୀ, ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଅଛନ୍ତି । ଏହି ବିଶ୍ୱବିଦ୍ୟାଳୟର ବିଚାର ନେଇ ବିଦ୍ୟାଦାନ କରୁଥିବା ବିଦ୍ୟାଭାରତୀ ଦ୍ୱାରା ପରିଚାଳିତ ହଜାର ହଜାର ସରସ୍ୱତୀ ଶିଶୁବିଦ୍ୟାମନ୍ଦିରକୁ ପାକିସ୍ତାନର ମଦ୍ରାସା ସହିତ ତୁଳନା କରିବା ଏକ ପରିତାପର ବିଷୟ ।
ଦେଶ ସେବାରେ ନିୟୋଜିତ ବିଦ୍ୟାଭାରତୀର ବିଦ୍ୟାଳୟ ଗୁଡିକୁ ରାହୁଳ ଗାନ୍ଧି ପାକିସ୍ତାନରେ ମଦ୍ରାସା ପରି ମୌଳବାଦୀ ସୃଷ୍ଟି କରୁଥିବା ଅନୁଷ୍ଠାନ ବୋଲି ଚିତ୍ରଣ କରୁଛନ୍ତି,ଏହା ତାଙ୍କର ଦୋଷ ନୁହେଁ । ଏହା ତାଙ୍କ ଶିକ୍ଷାଦୀକ୍ଷାର ଦୋଷ । ଯାହାଙ୍କର ଭାରତ, ଭାରତର ଶିକ୍ଷା ପ୍ରଣାଳୀ ଓ ଭାରତୀୟ ସଂସ୍କୃତି ବିଷୟରେ ଜ୍ଞାନ ନାହିଁ ତାଙ୍କ ଠାରୁ ଆଉ କଣ ଶୁଣାଯାଇ ପାରିବ । ଏହି କାରଣରୁ ସେମାନେ ଦୃଷ୍ଟି ଶକ୍ତିରେ ପୀଡିତ, ଯାହା ସେମାନଙ୍କୁ ବାସ୍ତବିକତା ଦେଖିବାକୁ ଦେଇ ନଥାଏ ।
ରାହୁଳ ଗାନ୍ଧିଙ୍କ ପ୍ରାରମ୍ଭିକ ଶିକ୍ଷା ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିରେ ହିଁ ହୋଇଥିଲା । ଏଡମଣ୍ଡ ରାଇସଙ୍କ ଦ୍ୱାରା ପ୍ରତିଷ୍ଠିତ କଲମ୍ବୋ ସ୍କୁଲ, ଦିଲ୍ଲୀରେ ସେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । ଏହାପରେ ୧୯୮୧-୧୯୮୩ ପର୍ଯ୍ୟନ୍ତ ଡେରାଡୁନର ବ୍ରିଟିଶ ମଡେଲ ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ । ଏହାପରେ ତାଙ୍କ ଶିକ୍ଷା ବଙ୍ଗଳାର ଓକିଲ ସତୀଶ ରଂଜନ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଡୁନ ସ୍କୁଲରେ ହୋଇଥିଲା । ଇନ୍ଦିରା ଗାନ୍ଧୀଙ୍କ ହତ୍ୟାପରେ ତାଙ୍କ ପିତା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ରାଜନୀତିରେ ପ୍ରବେଶ କରିଥିଲେ । ଏବଂ ସୁରକ୍ଷା କାରଣରୁ ରାହୁଳଙ୍କୁ ଘରେ ରହି ପଢିବାକୁ ପଡିଥିିଲା । ସେ ଆମେରିକାର ହାର୍ଭାର୍ଡ ୟୁନିଭରସିଟି ରୋଲିନ୍ସ କଲେଜରୁ ସ୍ନାତକ ହାସଲ କରିଥିଲେ ।
ଭାରତୀୟ ବିଚାରଧାରା ବା ଭାରତୀୟ ଶିକ୍ଷା ପ୍ରଣାଳୀରେ ଅଧ୍ୟୟନ କରି ନଥିବାରୁ ବା ଭାରତୀୟ ଶିକ୍ଷା ପ୍ରଣାଳୀ ବିଷୟରେ ଅଭିଜ୍ଞତା ନଥିବାରୁ ସେ ପାକିସ୍ତାନର ମଦ୍ରାସା ଏବଂ ବିଦ୍ୟାଭାରତୀର ବିଦ୍ୟାଳୟ ମଧ୍ୟରେ ଥିବା ପାର୍ଥକ୍ୟକୁ ଜାଣି ପାରୁନାହାଁନ୍ତି । ବିଦ୍ୟାଭାରତୀର ବିଦ୍ୟାଳୟରୁ ଶିକ୍ଷାଲାଭ କରିଥିବା ବିଦ୍ୟାର୍ଥୀମାନେ ଆମ ଓଡିଶା ପରି ଅନେକ ରାଜ୍ୟର ପ୍ରଶାସନ ତଥା ବିଭିନ୍ନ କ୍ଷେତ୍ରରେ ନିଷ୍ଠାର ସହିତ କାର୍ଯ୍ୟ କରିବା ସହିତ ନିଜର କର୍ମକୁଶଳତାର ପରିଚୟ ଦେଇଛନ୍ତି । ରାହୁଳ ଗାନ୍ଧିଙ୍କୁ ବୋଧେ ଜଣା ନାହିଁ ପଞ୍ଜାବ, ରାଜସ୍ଥାନ ପରି ରାଜ୍ୟରେ ଯେଉଁଠି ତାଙ୍କର ସରକାର ଚାଲିଛି ସେହି ସରକାରକୁ ଚଳାଉଥିବା ଶତକଡା ୨୫ ଭାଗ ଅଧିକାରୀ ବିଦ୍ୟାଭାରତୀର ବିଦ୍ୟାଳୟରୁ ଅଧ୍ୟୟନ କରିଛନ୍ତି । ଗୋଟିଏ ଅନୁଷ୍ଠାନ ସମାଜ ପାଇଁ ଏତେ ପ୍ରଶାସନିକ ଅଧିକାରୀ ସୃଷ୍ଟି କରିବା ଏତେ ସହଜ କଥା ନୁହେଁ । କେବଳ ପ୍ରଶାସନିକ ଅଧିକାରୀ କାହିଁକି ଦେଶରେ ହଜାର ହଜାର ଚିକିତ୍ସକ, ଇଂଜିନିୟର, ବୈଜ୍ଞାନିକ, ଆଇନଜିବୀ, ସାମ୍ବାଦିକ, ଶିକ୍ଷିକମାନଙ୍କୁ ତିଆରି କରିଛି ଏହି ଅନୁଷ୍ଠାନ ।
୧୯୫୨ ମସିହାରେ ଜାତୀୟ ଶିକ୍ଷାର ପ୍ରଗତି ଓ ପ୍ରସାର ଲକ୍ଷ୍ୟ ନେଇ ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧାରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତାଙ୍କ ପ୍ରଗାଢ ପ୍ରଚେଷ୍ଟାରେ ଉତ୍ତରପ୍ରଦେଶର ଗୋରଖପୁର ଠାରେ ବପନ ହୋଇଥିଲା ଜାତୀୟ ଶିକ୍ଷାର ବୀଜ । ଭାରତ ବର୍ଷରେ ସେହି ଶିକ୍ଷାର ପରିଚାଳନା ପାଇଁ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ବିଦ୍ୟା ଭାରତୀ୧୯୭୭ରେ ପ୍ରତିଷ୍ଠିତ ହୋଇଥିଲା । ଗୋରଖପୁର ଠାରେ ବପନ ହୋଇ ଥିବା ବୀଜ ଆଜି ସମଗ୍ର ବିଶ୍ୱରେ ଏକ ବିରାଟ ଦ୍ରୁମ ହୋଇ ଦଣ୍ଡାୟମାନ । ବିଦ୍ୟାଭାରତୀ ଅଧିନରେ ଆଜି ଭାରତରେ ୧୨ ହଜାର ୮୫୦ଟି ବିଦ୍ୟାଳୟ ଚାଲୁଅଛି । ୪୯ଟି ମହାବିଦ୍ୟାଳୟ, ଏକଲ ବିଦ୍ୟାଳୟ, ସଂସ୍କାର କେନ୍ଦ୍ର ସମେତ ମୋଟ ୩୦ ହଜାର ଶିକ୍ଷାନୁଷ୍ଠାନ କାର୍ଯ୍ୟରତ । ବିଦ୍ୟାଭାରତୀର ଅଖିଳ ଭାରତୀୟ ମହାମନ୍ତ୍ରୀ ଶ୍ରୀରାମ ଅରାବକର କହିଛନ୍ତି ଯେ ଆମ ବିଦ୍ୟାଳୟ ଗୁଡିକରେ ପ୍ରାୟ ୮୦,୦୦୦ ମୁସଲମାନ ଏବଂ ଖ୍ରୀଷ୍ଟିଆନ ଛାତ୍ର ଅଧ୍ୟୟନ କରୁଛନ୍ତି । କେବଳ ସେମାନେ ମେଧାବୀ ଭାବେ ଉତ୍କୃଷ୍ଟ ସ୍ଥାନ ହାସଲ କରିଛନ୍ତି ତାହା ନୁହେଁ ଅନେକ ଛାତ୍ର ସେମାନଙ୍କ ପରିବାର ଏବଂ ବିଦ୍ୟାଳୟର ନାମକୁ କ୍ରୀଡା କ୍ଷେତ୍ରରେ ମଧ୍ୟ ଗର୍ବିତ କରିଛନ୍ତି । ଏହି ସବୁ ବିଦ୍ୟାଳୟ ଗୁଡିକରେ ୧ କୋଟିରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି । ୧୯୭୭ ମସିହା ସେପ୍ଟେମ୍ବର ମାସ ୧୬ ତାରିଖ ପବିତ୍ର ଶ୍ରୀ ଗଣେଶ ପୂଜା ଶୁଭ ଅବସରରେ ଓଡିଶାର ରାଜଧାନୀ ଭୁବନେଶ୍ୱର ଖାରାବେଳନଗର ସ୍ଥିତ ଭାରତୀୟ ବିଦ୍ୟା ଭବନ ଠାରେ ୧୨ ଜଣ ଶିଶୁ ଓ ୨ ଜଣ ଆଚାର୍ଯ୍ୟଙ୍କୁ ନେଇ ଜନ୍ମ ନେଇଥିଲା ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର । ଏବେ ଶିକ୍ଷାବିକାଶ ସମିତି,ଓଡିଶା ଦ୍ୱାରା ପରିଚାଳିତ ୧୮୦୦ ଉର୍ଦ୍ଧ୍ୱ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଓଡିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାର୍ଯ୍ୟରତ ।
୨୦୨୦ ଜୁନ ମାସରେ ଲଦାଖର ଗଲଓା୍ୱନ ଘାଟିରେ ଚୀନ ସୈନିକମାନଙ୍କ ସହିତ ଲଢି ସହିଦ ହୋଇଥିବା ଭାରାତୀୟ ସେନାର ଜବାନ କର୍ଣ୍ଣେଲ ବି ସନ୍ତୋଷ ବାବୁ ସରସ୍ୱତୀ ବିଦ୍ୟା ମନ୍ଦିରରେ ପାଠ ପଢିଥିଲେ । ଫ୍ରାନ୍ସରୁ ଭାରତକୁ ରାଫେଲ ଯୁଦ୍ଧ ବିମାନ ଆଣିଥିବା ପାଇଲଟ ଦୀପକ ଚୌହାନ, ଭାରତୀୟ ଦଳରେ କ୍ରିକେଟ ଖେଳୁଥିହା ନବଦୀପ ସାଇନି, ୨୦୧୮ରେ ଏସିଆନ୍ ଆଥଲେଟିକ୍ସରେ ସିଲଭର ପଦକ ଜିତିଥିବା ସୁଧା ସିଂ ମଧ୍ୟ ବିଦ୍ୟାଭାରତୀର ବିଦ୍ୟାଳୟରୁ ଶିକ୍ଷା ଲାଭ କରିଛନ୍ତି । ସେହିପରି ଓଡିଶାରେ ହେଉଥିବା ମାଟ୍ରିକ ପରୀକ୍ଷାରେ ବେଷ୍ଟ ଟେନ୍ଥରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅଧେରୁ ଅଧିକ ସ୍ଥାନ ଦଖଲ କରୁଥିବା ଏହି ବିଦ୍ୟାର୍ଥିମାନେ କଣ ମୌଳବାଦୀ? ଏହି ବିଦ୍ୟାଳୟରୁ ବାହାରୁଥିବା ବ୍ୟକ୍ତିମାନେ ପାକିସ୍ତାନ ମଦ୍ରାସାରୁ ବାହାରୁଥିବା ମୌଳବାଦୀମାନଙ୍କ ସହିତ ସମାନ ନା ଦେଶପ୍ରେମୀ? ଯେଉଁ ବିଦ୍ୟାଳୟରେ ରାଷ୍ଟ୍ରବାଦ ଶିକ୍ଷା ଦିଆଯାଏ, ଭାରତୀୟ ସଂସ୍କାର ବିଷୟରେ ଶିକ୍ଷା ଦିଆଯାଏ, ଭାରତମାତାକୁ ଭଲ ପାଇବାକୁ କୁହାଯାଏ ସେହି ବିଦ୍ୟାଳୟ ନାମରେ ମିଥ୍ୟା ପ୍ରଚାର କରାଯାଇ କିପରି ବଦନାମ କରାଯାଇ ପାରିବ । ଭାରତରେ ଅନେକ ସ୍କୁଲ ଅଛି ଯେଉଁଠି ଅଲଗା ଅଲଗା ଧର୍ମ ବିଷୟରେ ଶିକ୍ଷା ଦିଆଯାଉଛି, ପାଶ୍ଚାତ୍ୟ ସଂସ୍କୃତି ଉପରେ ଶିକ୍ଷା ଦିଆଯାଉଛି, ଭାରତ ସରକାରଙ୍କ ନିର୍ଦ୍ଧାରିତ ଶିକ୍ଷା ପ୍ରଣାଳୀକୁ ସେମାନେ ଗୁରୁତ୍ୱ ଦିଅନ୍ତି ନାହିଁ, ନିଜ ମନ ଇଚ୍ଛାରେ ପାଠ ପଢାନ୍ତି, ଯେଉଁଠି ବିଦ୍ୟାଦାୟୀନୀ ମା ସରସ୍ୱତୀଙ୍କର ପୂଜାର୍ଚ୍ଚନା ହୁଏ ନାହିଁ କି ଭାରତର ଜାତୀୟ ସଂଗୀତ ଗାନ କରାଯାଏ ନାହିଁ ସେହି ସବୁ ବିଦ୍ୟାଳୟ ବିଷୟରେ କେହି ଚର୍ଚ୍ଚା କରନ୍ତି ନାହିଁ କି ସ୍ୱର ଉତ୍ତୋଳନ କରନ୍ତି ନାହିଁ । କିନ୍ତୁ ଯେଉଁ ବିଦ୍ୟାଳୟରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ ବା ସବିଏସ୍ଇ ପାଠ୍ୟକ୍ରମ,ଓଡିଶାପରି ରାଜ୍ୟରେ ସେହି ବିଦ୍ୟାଳୟ ଗୁଡିକରେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡିଶା ବା ବିଏସ୍ଇଓ ସିଲାବସର ବହି ପଢାଯାଏ,ସଂସ୍କୃତରେ ପ୍ରାର୍ଥନା କରାଯାଏ, ଦେଶ ଭକ୍ତିର ପାଠ ପଢାଯାଏ,ଭାରତୀୟତ୍ୱ ଉପରେ ଶିକ୍ଷାଦାନ କରାଯାଏ,ସେହି ବିଦ୍ୟାଳୟକୁ ଭାରତରେ ବିରୋଧ କରାଯାଉଛି । କଣ ପାଇଁ ଏ ବିରୋଧ ? ଏଠି ପ୍ରଶ୍ନ ଉଠୁଛି ଭାରତରେ ଭାରତୀୟତ୍ୱ ଶିକ୍ଷା ଦିଆଯିବନି, ଭାରତୀୟ ମହାପୁରୁଷମାନଙ୍କ ଜୀବନୀ ଉପରେ ଶିକ୍ଷାଦାନ କରାଯିବନି ଆଉ କଣ ପାକିସ୍ତାନରେ ଭାରତୀୟତ୍ୱ ଉପରେ ଶିକ୍ଷା ଦିଆଯିବ ।
ବିଦ୍ୟାଭାରତୀ ଏଭଳି ଏକ ରାଷ୍ଟ୍ରୀୟ ଶିକ୍ଷା ପ୍ରଣାଳୀର ବିକାଶ କରିଛି, ଯାହା ଦ୍ୱାରା ଏପରି ଯୁବଶକ୍ତି ନିର୍ମିତ ହେଉଛନ୍ତି, ଯିଏ ହିନ୍ଦୁତ୍ୱନିଷ୍ଠ ଏବଂ ରାଷ୍ଟ୍ରଭକ୍ତିରେ ଓତପ୍ରୋତ ଭାବରେ ଜଡିତ ହୋଇ ଶାରୀରିକ, ମାନସିକ, ବୌଦ୍ଧିକ, ଆତ୍ମିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ପୂର୍ଣ୍ଣ ବିକଶିତ ତଥା ଯାହାର ଜୀବନ ଗ୍ରାମ, ବନ, ଗିରିକନ୍ଦର ଓ କୁଡିଆରେ ବାସ କରୁଥିବା ଦୀନ, ଦୁଃଖୀ, ଅଭାବଗ୍ରସ୍ତ ଆପଣାର ବନ୍ଧୁମାନଙ୍କୁ ସାମାଜିକ କୁସଂସ୍କାର,ଶୋଷଣ ଏବଂ ଅନ୍ୟାୟରୁ ମୁକ୍ତ କରାଇବା ସହ ରାଷ୍ଟ୍ରଜୀବନକୁ ସରସ, ସୁସମ୍ପନ୍ନ ଏବଂ ସୁସଂସ୍କୃତ କରିବା ପାଇଁ ସମର୍ପିତ ।
ଠିକ🙏🙏❤️❤️❤️
ReplyDelete