ଦୁଇ ମାସରେ ଦୁଇଟି ଜିହାଦ



ସୌମେନ୍ଦ୍ର ଜେନା


ଗତ କିଛିଦିନ ତଳେ ଏକ ଖବର ଓଡିଶାରେ ସମସ୍ତଙ୍କ ଦୃଷ୍ଟିକୁ ଆକର୍ଷିତ କରିଥିଲା । ତା ହେଲା ମାଳିକାର ବିଷୟକୁ ନେଇ କାର୍ଯ୍ୟକ୍ରମ କରୁଥିବା ଏକ ୟୁଟ୍ୟୁବରଙ୍କୁ ବଙ୍ଗଳାଦେଶରୁ ହତ୍ୟା ଧମକ ମିଳିବା । ଏ ପ୍ରକାର ଧମକ ଏବଂ ଏ ପ୍ରକାର ଟାର୍ଗେଟ ଦେଶରେ କିଛି ନୂଆ ନୁହେଁ ସତ, କିନ୍ତୁ ଓଡିଶାରେ ନୂଆ ସତ । କ୍ରମବର୍ଦ୍ଧିଷ୍ଣୁ ବଙ୍ଗଳାଦେଶୀ ଜନସଂଖ୍ୟା, ସନ୍ତ୍ରାସବାଦୀମାନଙ୍କ ସହ ସେମାନଙ୍କ ସଂପର୍କ, ରାଜ୍ୟରେ ସେମାନଙ୍କ କାର୍ଯ୍ୟକଳାପ ଏହାର ପ୍ରମାଣ । ଅତୀତ ଦିନମାନଙ୍କରେ ସାଲେପୁର ଅଞ୍ଚଳରୁ ସନ୍ତ୍ରାସ ଶିକ୍ଷା ଦେଉଥିବା ଜଣକୁ ଗିରଫ କରାଯିବା, ରାଉରକେଲାରେ ୪ ଆତଙ୍କବାଦୀ ଲୁଚି ରହିବା ପରେ ଗିରଫ ହେବା ଘଟଣା ସବୁ ଏହି ଧାରାର ଗୋଟିଏ ଗୋଟିଏ ସୋପାନ । ଇସଲାମିକ ଆତଙ୍କବାଦ ଦେଶରେ ଶାନ୍ତିକୁ ନଷ୍ଟ କରିବା ପାଇଁ କିପରି ଭୂତାଣୁ ପରି କାର୍ଯ୍ୟ କରିଚାଲିଛି ସେ ସଂପର୍କରେ ଦୁଇଟି ଘଟଣାକୁ ଦୃଷ୍ଟି ପକାଇଲେ ସମସ୍ତେ ଜାଣିପାରିବେ । ଦୁଇଟିଯାକ ଘଟଣା ଗତ ଦୁଇ ମାସରେ ଘଟିଛି । 

ପ୍ରଥମ ଘଟଣାଟି ଏହିପରି । ଗତ ୨୫ ଜାନୁଆରୀ ୨୦୨୨ରେ ଗୁଜରାଟର ଅହମ୍ମଦାବାଦ ଜିଲ୍ଲା ଅନ୍ତର୍ଗତ ଧାନୁକା ଗ୍ରାମର ଜଣେ ହିନ୍ଦୁ ଯୁବକ କିଷନ ଭରୱାଡଙ୍କୁ ଇସଲାମିକ ଜିହାଦି ଗୋଷ୍ଠୀର ଲୋକେ ଗୁଳିମାରି ହତ୍ୟା କଲେ । ଏହି ମାମଲାର ଅନୁସନ୍ଧାନ କରି ଗୁଜୁରାଟ ସନ୍ତ୍ରାସ ବିରୋଧୀ ପୁଲିସ ୩୦ଜାନୁଆରୀ ଦିନ ଦିଲ୍ଲୀର ମୌଲାନା କମରଗନିକୁ ଗିରଫ କଲେ । ହତ୍ୟାକାଣ୍ଡରେ ସଂପୃକ୍ତ ଅପରାଧୀଙ୍କୁ ଏହି ମୌଲାନା ହତ୍ୟାପାଇଁ ପଠାଇଥିବା ଜଣାପଡିଥିଲା । ପୂର୍ବରୁ  ଅସହିଷ୍ଣୁ ମୈାଲାନା ଜଣକ ଇସଲାମ ଓ ମୁସଲମାନଙ୍କ ସମାଲୋଚକଙ୍କୁ ହତ୍ୟା କରାଯିବା ଆବଶ୍ୟକ ବୋଲି ସମସ୍ତଙ୍କୁ କହି ଆସୁଥିଲା । ଅପରାଧ ପ୍ରବୃତ୍ତିର ମୌଲାନାମାନେ ମସଜିଦ୍ ଭିତରେ ନିଜ ଧର୍ମାବଲମ୍ବୀମାନଙ୍କୁ ହତ୍ୟାର ପାଠପଢାଇବା କିପରି ଭୟଙ୍କର ତାହା ଏଥିରୁ ଅନୁମାନ କରାଯାଇପାରେ । ଦିଲ୍ଲୀର ଏହି ମୌଲାନାକୁ ଗିରଫ କରାଯିବା ପରେ ତାର ମୋବାଇଲରୁ ଅହମ୍ମଦାବାଦର ମୌଲାନା ଅୟୁବର ସୂଚନା ମିଳିଲା , ଯିଏକି ହତ୍ୟାକାରୀମାନଙ୍କୁ ବନ୍ଧୁକ ଯୋଗାଇଥିଲା । ଏହି ମାମଲାରେ ଉତ୍ତର ପ୍ରଦେଶର ଏଟିଏସ୍‌, ତେଲେଙ୍ଗାନା ପୁଲିସ ମଧ୍ୟ ସାମିଲ ହୋଇ ଅନୁସନ୍ଧାନ ଚଳାଇ ଆଗାମୀ ଦିନରେ ହତ୍ୟା କରିବା ଲାଗି ୨୬ଜଣଙ୍କ ନାମ ତାଲିକାକୁ ଜବତ କଲେ । ସେହି ତାଲିକା ମୋବାଇଲ ଫୋନ୍ ମଧ୍ୟରେ ରଖାଯାଇଥିଲା । ତାଲିକାରେ ଯେଉଁମାନଙ୍କୁ ଟାର୍ଗେଟରେ ରଖାଯାଇଥିଲା ସେମାନେ ସମସ୍ତେ ଜଣାଶୁଣା ୟୁଟ୍ୟୁବର । ସେମାନଙ୍କର ଲକ୍ଷଲକ୍ଷ ସଂଖ୍ୟକ ନିୟମିତ ଦର୍ଶକ ରହିଛନ୍ତି, ସେମାନଙ୍କ କାର୍ଯ୍ୟକ୍ରମ  ଦେଖୁଛନ୍ତି । ହତ୍ୟା ହେବାକୁ ଥିବା ତାଲିକାରେ ଯେଉଁମାନଙ୍କ ନାମ ଥିଲା ସେମାନଙ୍କ ମଧ୍ୟରୁ ୧୦ଜଣ ହେଲେ ବିଏସ୍‌୍ ପଟେଲ, ପଙ୍କଜ ଆର୍ଯ୍ୟ, ପୁଷ୍ପେନ୍ଦ୍ର କୁଳଶ୍ରେଷ୍ଠ, ମହେନ୍ଦ୍ର  ପାଲ ଆର୍ଯ୍ୟ, ରାହୁଳ ଆର୍ଯ୍ୟ, ରାଧେଶ୍ୟାମ ଆଚାର୍ଯ୍ୟ, ଉପଦେଶ ରାଣା, ଉପାସନା ଆର୍ଯ୍ୟ,ସଜନ ଓଡେଦରା ଏବଂ ଆରଏସ୍‌ଏନ୍ ସିଂହ । କିଷନ ଭରୱାଡ ହତ୍ୟାକାଣ୍ଡରେ ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ୬ଜଣ ମୌଲାନାଙ୍କ ସମେତ ମୋଟ ୧୦ଜଣଙ୍କୁ ପୁଲିସ ଗିରଫ କରିସାରିଛି । ଏହାଛଡା ଯେଉଁ ପ୍ରସିଦ୍ଧ ଧର୍ମଗୁରୁ ଓ ବକ୍ତାଙ୍କ ନାମ ଏଥିରେ ରହିଛି ସେମାନଙ୍କ ମଧ୍ୟରେ ଗାଜିଆବାଦର ଡସନା ମନ୍ଦିରର ଯତି ନରସିଂହାନନ୍ଦ ଏବଂ ଜିତେନ୍ଦ୍ର ନାରାୟଣ ତ୍ୟାଗୀ ଯିଏକି ପୂର୍ବରୁ ୱାସିମ ରିଜ୍‌ଭି ନାମରେ ପରିଚିତ ଥିଲେ । ଏହି ମାମଲାର ଅନୁସନ୍ଧାନ କରାଯିବା ପରେ ପାକିସ୍ଥାନର ମୌଳବାଦୀ ସଂଗଠନ ଦାୱତେ -ଏ- ଇସଲାମୀର ଦୁଇହଜାରରୁ ଅଧିକ ଦାନପାତ୍ର ଅହମ୍ମଦାବାଦରୁ ମିଳିଲା । ଏହି ପାତ୍ରରୁ ସଂଗୃହୀତ ଅର୍ଥକୁ ପାକିସ୍ଥାନକୁ ନିୟମିତ ପଠାଯାଉଥିଲା । ପାକ୍ ସଂଗଠନ ଉକ୍ତ ସଂଗୃହୀତ ଅର୍ଥରୁ କିଛି ଅଂଶ ଦୁବାଇ ବାଟ ଦେଇ ଭାରତର ମୁସଲିମ ଯୁବକଙ୍କୁ ସନ୍ତ୍ରାସୀ, ମୌଳବାଦୀ ହେବାଲାଗି ପଠାଉଥିଲା । କିଷନ ଭରୱାଡ  ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତ ମୌଲାନା ଉସମାନୀ ଦାୱତେ-ଏ- ଇସଲାମୀ ସହ ସଂପର୍କ ରଖିଥିବା ଜଣାପଡିଛି । ଅହମ୍ମଦାବାଦର ଜମାଲପୁରାସ୍ଥିତ ହୋଟେଲ ରିୟାଜ ନିକଟରେ ଥିବା ମୌଲାନା ଅୟୁବର ମସଜିଦ୍‌ରୁ ହିନ୍ଦୀ ଓ ଗୁଜୁରାଟୀରେ ଲିଖିତ ପୁସ୍ତକ ଜଜବା-ଏ-ସହାଦତ୍ ଶୀର୍ଷକ ଏକ ମୌଳବାଦୀ ବିଚାରର ପୁସ୍ତକକୁ  ପୁଲିସ ଜବତ କରିଛି । ଏହି ପୁସ୍ତକ କିଷନ ଭରୱାଡର ହତ୍ୟାକାରୀଙ୍କୁ ପଢିବାକୁ ମୌଲାନା ଦେଇଥିଲା । ସେଥିରେ ଜିହାଦ ପାଇଁ ଜୀବନ ଦେବାକୁ  ଧର୍ମରେ ଉଲ୍ଲେଖଥିବା ନେଇ ହିଂସା ପ୍ରଧାନ କାର୍ଯ୍ୟ ପାଇଁ ଉତ୍ତେଜନା ସୃଷ୍ଟିକାରୀ ବର୍ଣ୍ଣନା ରହିଥିଲା । ଅୟୁବ ପାଖରୁ ଏକ ଏୟାରଗନ ଜବତ ହୋଇଥିଲା,  ଯାହାକୁ ସେ ଗୁଳିଚାଳନା ଅଭ୍ୟାସ ପାଇଁ ବ୍ୟବହାର କରୁଥିଲା । ଏଥିରେ ସେ ଯୁବକମାନଙ୍କୁ ମଧ୍ୟ ଶିକ୍ଷା ଦେଉଥିଲା । ଅଭିଯୁକ୍ତ ହତ୍ୟାକାରୀ ସବୀର ଏବଂ ଇମତିଆଜ ପଠାନକୁ ମଧ୍ୟ ମୌଲାନା ବନ୍ଧୁକ ଶିକ୍ଷା ଦେଇଥିଲା । ଏହି ହତ୍ୟାକାଣ୍ଡ ବିରୋଧରେ ଗୁଜରାଟର ଅନେକ ସହରରେ ହିନ୍ଦୁ ସଂଗଠନମାନଙ୍କ ଦ୍ୱାରା  ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା । ସୁରଟ, ଗାନ୍ଧିନଗର, ଟଙ୍କାରା ଜେତପୁର, ମୋରବୀ, ପୋରବନ୍ଦର, ରାଜୁଲା, ମହୁଆ, ଦୀସା, ସିଦ୍ଧପୁର, କିର୍ଜନ, ଦଭୋଇ ପାଦରା ଆଦି ସହରରେ ବନ୍ଦ ପାଳିତ ହୋଇଥିଲା । ଏଟିଏସ୍ ପକ୍ଷରୁ ଜମାଲପୁର ମସଜିଦକୁ ଯାଞ୍ଚ କଲା ପରେ ସେଠାରୁ ଅସ୍ତ୍ରଶସ୍ତ୍ର ମିଳିଥିଲା । ତେବେ ମୋରବୀରୁ  ଗିରଫ ହୋଇଥିବା ଅଜିମ ଏବଂ ତାର ଭାଇ ୱସିମ ସମା ବନ୍ଧୁକ ଏବଂ ଗୁଳି ନେଇ ହତ୍ୟାକାରୀକୁ ଦେଇଥିଲେ । କିଷନ ପୂର୍ବରୁ ପୋରବନ୍ଦରର ସାଜନ ଓଡେଦରାଙ୍କୁ ହତ୍ୟା  କରିବାକୁ ଷଡଯନ୍ତ୍ର ହୋଇଥିଲା । ସେହି ଉଦ୍ଦେଶ୍ୟରେ ମୌଲାନା ଅୟୁବ ଏବଂ ସବୀର ଦୁଇଦିନ ଧରି ପୋରବନ୍ଦରଠାରେ ସାଜନଙ୍କୁ ହତ୍ୟା କରିବାକୁ ଅପେକ୍ଷା କରିବା ସତ୍ତ୍ୱେ ତାଙ୍କ ସହ ସେମାନଙ୍କ ସାକ୍ଷାତ ହୋଇପାରିନଥିଲା । ମୌଲାନା ଅୟୁବର ଘର ଯାଞ୍ଚ  ପାଇଁ ପୁଲିସ ଗଲାବେଳେ ତା ସ୍ତ୍ରୀ ଏବଂ ଦୁଇ ପିଲା ଘରେ ତାଲା ପକାଇ ଫେରାର ହୋଇଯାଇଥିବା ଜଣାପଡିଲା । ୬ ଜାନୁଆରୀ ଦିନ କିଷନ ଏକ ଭିଡିଓରେ ଶ୍ରୀକୃଷ୍ଣଙ୍କୁ ମହମ୍ମଦ ଏବଂ ଯୀଶୁଙ୍କଠାରୁ  ଶ୍ରେଷ୍ଠ ବୋଲି ଉଲ୍ଲେଖକରି ପୋଷ୍ଟ କରିଥିଲେ । ଯାହାକୁ ନେଇ ମୁସଲିମ ଲୋକେ ଅଭିଯୋଗ କରିବାରୁ କିଷନକୁ ଗିରଫ କରାଯାଇ କ୍ଷମାପ୍ରାର୍ଥନା ପରେ ପୁଲିସ ଛାଡିଦେଇଥିଲା । ଏହା ଥିଲା ହତ୍ୟାର ୮ଦିନ ପୂର୍ବର ଘଟଣା । ତେବେ ପୁଲିସ ହାଜତରୁ ବାହାରିବା ପରେ ୨୫ ଜାନୁଆରୀ ସକାଳ ୫ଟା ୩୦ ମିନିଟରେ କିଷନ ନିଜ ଘରୁ ବାହାରିଲା କ୍ଷଣି ମୋଟର ସାଇକେଲରେ ଥିବା ଦୁଇଜଣ ଅଭିଯୁକ୍ତ ତାଙ୍କ ଉପରକୁ ଗୁଳି ଚଳାଇ ଖସି ଚାଲିଯାଇଥିଲେ । 

ଗୁଜରାଟ ପୁଲିସର ଏଟିଏସ୍ ଅନୁସନ୍ଧାନ କରି ଏହି ଘଟଣାରେ ସଂପୃକ୍ତ ନୂଆଦିଲ୍ଲୀର ଦରିୟାଗଞ୍ଜରୁ ମୌଲାନା କମର ଗନିକୁ ଗିରଫ କଲେ । ସେ ତେହେରିକ ଫାରୋବା-ଇ- ଇସଲାମୀ ନାମରେ ଏକ ମୌଳବାଦୀ ସଂଗଠନ ଚଳାଇଥିବା ଜଣାପଡିଛି । ଏହି ସଂଗଠନ ପକ୍ଷରୁ ଅତୀତରେ ଇସଲାମକୁ ବିରୋଧ  କରୁଥିବା ଲୋକମାନଙ୍କୁ ମୁସଲିମ ଯୁବକମାନେ ହତ୍ୟା କରିବା ଦରକାର ବୋଲି ଉଲ୍ଲେଖ କରି ଭିଡିଓ ପ୍ରସାରିତ ହୋଇଥିଲା । ହତ୍ୟାକାରୀକୁ ବନ୍ଧୁର ପାଇବାରେ ସହାୟତା କରିବା,ନିଜ ପାଖରେ ଅପରାଧୀକୁ ଲୁଚାଇ ରଖିବା ଅଭିଯୋଗରେ ରଜୀମ ସେତା, ହୁସେନ ଖତ୍ରୀ ଏବଂ ମାଟିନ ମୋଡାନକୁ ପୁଲିସ ଗିରଫ କରିଥିଲା । ୧୬ ଫେବୃଆରୀ ଦିନ ପୁଲିସ ମୌଲାନା କମରକୁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ । ହତ୍ୟାକାରୀ ସବୀର ଓ ମୌଲାନା ଅୟୁବ ମଧ୍ୟରେ ଜୁନ୍‌୨୦୨୧ରୁ ଜାନୁଆରୀ ୨୦୨୨ମଧ୍ୟରେ ୩୫ଥର କଥାବାର୍ତ୍ତା ହୋଇଥିବା ଏବଂ ସବୀର ସହ ମୌଲାନା ଗନିର ଜୁନ-ସେପ୍ଟେମ୍ବର ୨୦୨୧ ମଧ୍ୟରେ ୧୦ଥର କଥାହେବା କଲ ଡିଟେଲ ରେକର୍ଡସରୁ ମିଳିଛି । 

ନିକଟରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରଠାରୁ ୨୭୦ କିମି ଦୂର ଶିବମୋଗା ଜିଲ୍ଲା ଅନ୍ତର୍ଗତ ସିଗେହଟୀଠାରେ ହର୍ଷା ନାମକ ଜଣେ ୨୬ବର୍ଷୀୟ ହିନ୍ଦୁ ଯୁବକକୁ ସମାନ ଢଙ୍ଗରେ କାମାତ ପେଟ୍ରୋଲ ପମ୍ପଠାରେ ରାତି ୯ ଟା ୩୦ମିନିଟରେ ଗୁଳିକରି ହତ୍ୟା କରାଯାଇଥିଲା । ୩୧ ଡିସେମ୍ବର ୨୦୧୫ରେ “ମାଙ୍ଗାଲୋର ମୁସଲିମ”ନାମକ ଏକ ଫେସବୁକ୍ ପେଜରେ ପୂର୍ବରୁ ହର୍ଷାକୁ ହତ୍ୟା ଧମକ ମିଳିଥିଲା । ‘କାରାବଳୀ ମୁସଲିମ’ ଫେସବୁକ୍ ପୃଷ୍ଠାରେ ସେହି ଧମକକୁ ୩୧ ଡିସେମ୍ବର ୨୦୧୫ରେ ସେୟାର କରାଯାଇଥିଲା । ୩ ଜାନୁଆରୀ ୨୦୧୬ରେ ସିମୋଗାସ ମୁସଲିମର ଫେସବୁକ୍‌ରେ ମଧ୍ୟ ସେହିପରି ଏକ ବାର୍ତ୍ତାକୁ ପ୍ରସାରିିତ କରାଯାଇଥିଲା । ଜିହାଦ ସମର୍ଥକମାନେ ହର୍ଷାଙ୍କ ହତ୍ୟା ଘଟଣାରେ ଖୁସି ହୋଇ ଧନ୍ୟବାଦ ଜଣାଇ ବାର୍ତ୍ତା ମଧ୍ୟ ଦେଇଥିଲେ ।  ହର୍ଷା ହତ୍ୟାକାଣ୍ଡ ଘଟଣାରେ ଅନୁ୍‌ସନ୍ଧାନ ଚଳାଇ ପୁଲିସ ମହମ୍ମଦ କାସିଫ, ସୟଦ ନଦୀମ, ଅସିଫୁଲ୍ଲା ଖାଁ, ରେହାନ ଖାଁ, ନେହାଲ ଏବଂ ଅବଦୁଲ ଆଫଗାନକୁ ଗିରଫ କରିିଛି । କର୍ଣ୍ଣାଟକର ଉଡୁପିଠାରେ ହିଜାବ ବିତର୍କ ସୃଷ୍ଟି ହୋଇଥିଲା ବେଳେ ଜିହାଦିଙ୍କ ଏହି ହତ୍ୟାକାଣ୍ଡରୁ ସମଗ୍ର ଦେଶରେ ସଂଗଠିତ ଭାବେ ହି୍‌ନ୍ଦୁ ହତ୍ୟାପାଇଁ ଜିହାଦି ଗୋଷ୍ଠୀ କାର୍ଯ୍ୟ କରୁଥିବା ବେଶ୍ ସ୍ପଷ୍ଟ ହୋଇଛି । ତେଣୁ ଓଡିଶାରେ ଏମାନଙ୍କ ଭୂମିକାକୁ ନେଇ ପୁଲିସ ଏବେଠାରୁ ଅନୁସନ୍ଧାନ କରିବା ଦରକାର । କାରଣ ରାଜ୍ୟର ମହାନଗରୀଠାରେ ବସ୍ତି, ସହରତଳି ଏବଂ ଷ୍ଟେସନ ନିକଟସ୍ଥ ଅଞ୍ଚଳରେ ଅଧିକରୁ  ଅଧିକ ଅପରାଧୀମାନେ ଆଡ୍ଡା ଜମାଇବାରେ ଲାଗିଛନ୍ତି । ଏମାନେ ନିଶା କାରବାର, ଦେହ ବ୍ୟବସାୟ, ଯାନବାହନ ଚୋରୀ, ବାସଗୃହ ଓ ଦୋକାନ ଚୋରୀରେ ସାମିଲ ରହୁଛନ୍ତି । ପୌର ନିର୍ବାଚନ ବେଳେ ଏମାନଙ୍କୁ  ଭିନ୍ନ ଭିନ୍ନ ଦଳୀୟ ଲୋକେ ଉପଯୋଗ କରିବାର ଆଶଙ୍କା ରହିଛି । ରାଜ୍ୟ ବାହାରର ଲୋକଙ୍କ ସହ ସାମିଲ ହୋଇ ଏମାନେ ଜିହାଦି କାର୍ଯ୍ୟରେ ସାମିଲ ହେବା କିଛି ବଡ କଥା ନୁହେଁ । 


ଭାରତୀୟ ସମ୍ବାଦ ସେବା (ଭାସ୍‌)

ଭୁବନେଶ୍ୱର-୭୫୧୦୦୩

Comments