ଆତ୍ମନିର୍ଭର ଭାରତ

-----ସୌମେନ୍ଦ୍ର ଜେନା----


କରୋନା ଭୂତାଣୁ ଯୋଗୁ ଦେଶବ୍ୟାପି ଲକ୍‌ଡାଉନ ଚାଲିଥିଲା ବେଳେ ୧୨ ମଇ ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥ ବ୍ୟବସ୍ଥାକୁ ସଜାଡିବା ପାଇଁ ଆତ୍ମନିର୍ଭର ଭାରତ ଯୋଜନା ଘୋଷଣା କଲେ । ଏହି ଯୋଜନା ଅନ୍ତର୍ଗତ ୨୦ଲକ୍ଷ କୋଟି ଟଙ୍କାର ଆର୍ôଥକ ସହାୟତା ଦେଶର ବିକାଶଧାରାକୁ ଗତିଶୀଳ କରିବାକୁ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ତଦନୁଯାୟୀ ବିବିଧ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ । ଏହାର ଅର୍ଥ ବିଦେଶୀ ପୁଞ୍ଜିନିବେଶକୁ ସଂକୁଚିତ କରିବା ନୁହେଁ ବରଂ ସଂଯୋଜିତ କରିବା,ଶୃଙ୍ଖଳିତ କରିବା, ଦେଶୀ ଉତ୍ପାଦନକୁ ଗତି ଦେବା । ପ୍ରଧାନମନ୍ତ୍ରୀଙ୍କ ଏହି ପରିକଳ୍ପନା ସଂପୂର୍ଣ୍ଣ ନୂଆ ନହେଲେ ମଧ୍ୟ ବର୍ତ୍ତମାନ ପାଇଁ ବିଶେଷ ଉପଯୋଗୀ । ସାରା ଦେଶରେ କଳାକାରଖାନା, ବାଣିଜ୍ୟ, ପରିବହନ ଆଦି ବିବିଧ କ୍ଷେତ୍ରରେ କୋରୋନା ଭୂତାଣୁ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି । ମାର୍ଚ୍ଚ ମାସରୁ କୋରୋନା ପାଇଁ କଟକଣା ଜାରି ହୋଇଥିଲେ ମଧ୍ୟ ଆଜିଯାଏ ତାହା ସଂପୂର୍ଣ୍ଣ ହଟିପାରି ନାହିଁ । ସଂକ୍ରମଣଜନିତ ସମସ୍ୟା ଦେଶରେ ବୃଦ୍ଧି ପାଉଥିଲା ବେଳେ ମହାମାରୀ ଯୋଗୁ ମୃତ୍ୟୁହାର ମଧ୍ୟ ବଢିବାରେ ଲାଗିଛି । କଳକାରଖାନାଗୁଡିକୁ ନିୟନ୍ତ୍ରିତ ଉତ୍ପାଦନ ପାଇଁ ଅନୁମତି ମିଳିଥିଲେ ମଧ୍ୟ ରାହୁଳ ବଜାଜଙ୍କ ବଜାଜ ଅଟୋ କମ୍ପାନୀରେ ପାଞ୍ଚଜଣଙ୍କ ମୃତ୍ୟୁ ହୋଇଛି ଏବଂ ପ୍ରାୟ ୪୦୦ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । କମ୍ପାନୀଗୁଡିକରେ କାର୍ଯ୍ୟକରିବାକୁ ଅନୁମତି ମିଳିବା ଦ୍ୱାରା କର୍ମଚାରୀଙ୍କ ଜୀବନପ୍ରତି ମଧ୍ୟ ବିପଦ ବଢିଛି । ସେମିତି ଏହି ସମସ୍ୟା କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱକୁ କବଳିତ କରିଛି । ଉତ୍ପାଦନଜନିତ ସମସ୍ୟା ସ୍ୱାଭାବିକ ବାଣିଜ୍ୟ କାର୍ଯ୍ୟରେ ପ୍ରତିବନ୍ଧକ । ଦେଶ ବିକାଶର ଗତିକୁ ମନ୍ଥର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ମାଧ୍ୟମରେ ସହାୟତା ବିକାଶକୁ ଦ୍ରୁତତର କରିବ ବୋଲି ଆଶା କରାଯାଉଛି । ଆତ୍ମନିର୍ଭର ଭାରତର ପରିକଳ୍ପନା ମେକ୍ ଇନ୍ ଇଣ୍ଡିଆର ଆଉ ଏକ ସୋପାନ ବୋଲି କହିଲେ ଠିକ୍ ହେବ । ମେକ୍ ଇନ ଇଣ୍ଡିଆରେ ଅନ୍ୟ ଦେଶର କମ୍ପାନୀମାନଙ୍କୁ ଭାରତରେ ଉତ୍ପାଦନ କରିବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା । କିନ୍ତୁ ଆତ୍ମନିର୍ଭର ଭାରତରେ ସ୍ଥାନୀୟ ଉତ୍ପାଦନ ଉପରେ ଅଧିକ ଜୋର ଦେବାକୁ କୁହାଯାଇଛି । ଏମିତି ସ୍ଥାନୀୟ ଉତ୍ପାଦନ ଉପରେ ଅଧିକ ଗୁରୁତ୍ୱ ଦେବାପାଇଁ ପ୍ରାୟ ତିନି ଦଶନ୍ଧି ହେଲା ଦେଶରେ ସ୍ୱଦେଶୀ ଆନ୍ଦୋଳନ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇ ଆସୁଛି । ଏହାର ଆବଶ୍ୟକତା କୋରୋନା ସଙ୍କଟ କାଳରେ ଅନୁଭବ କରାଯାଇଥିଲା । ଯେତେବେଳେ ବହୁଦେଶୀୟ ପରିବହନ ବ୍ୟବସ୍ଥା ବନ୍ଦ ହୋଇଗଲା ସେତେବେଳେ ଜଣାପଡିଲା ଯେ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଭେଣ୍ଟିଲେଟର, ମାସ୍କ ଓ ପିପିଇ ,କିଟ୍ ଆଦି ଦେଶରେ ଆବଶ୍ୟକ ପରିମାଣରେ ଉତ୍ପାଦିତ ହେଉନାହିଁ । ତେଣୁ ଏସବୁର ସ୍ଥାନୀୟ ଉତ୍ପାଦନ ମାଧ୍ୟମରେ ଅଭାବକୁ ଦୂର କରିବା ପାଇଁ ସରକାର ନିଷ୍ପତ୍ତି ନେଲେ । କଥାରେ କୁହାଯାଏ ଯେ ଆବଶ୍ୟକତା ହିଁ ଉଦ୍‌ଭାବନର ଜନନୀ । ଆଉ ସେହିି ଆବଶ୍ୟକତାରୁ ସ୍ଥାନୀୟ ଉତ୍ପାଦନ ଉପରେ ଜୋର ଦେବାଲାଗି ସରକାର ଯେଉଁ ଆହ୍ୱାନ ଦେଲେ ସେଥିରେ ଶିଳ୍ପ ଜଗତ ସାମିଲ ହେଲେ । କୋରୋନା କାଳରେ ବନ୍ଦ ପଡିଥିବା ଅଟୋ ମୋବାଇଲ କମ୍ପାନୀମାନେ ଭେଣ୍ଟିଲେଟର ତିଆର କରିବାକୁ ଆଗେଇ ଆସିଲେ ଏବଂ ବୟନ ଶିଳ୍ପରେ କରିବାକୁ ଆଗେଇ ଆସିଲେ ଏବଂ ବୟନ ଶିଳ୍ପରେ ଥିବା ଲୋକେ ପିପିଇ କିଟ୍ ଏବଂ ମାସ୍କ ତିଆରି କରିବାକୁ ନିଷ୍ପତ୍ତି ନେଲେ । ଫଳରେ ୨୧ ମାର୍ଚ୍ଚ ପୂର୍ବରୁ ଦେଶରେ ଡାକ୍ତର ଓ ନର୍ସଙ୍କ ପାଇଁ ଆବଶ୍ୟକ ପିପିଇ କିଟ୍ ଚୀନରୁ ମଗାଯାଉଥିଲା ବେଳେ ଏହି ଲକଡାଉନ କାଳରେ ବୟନ ଶିଳ୍ପ ସହ ସଂପୃକ୍ତ ଉତ୍ପାଦନକାରୀମାନେ କାର୍ଯ୍ୟାରମ୍ଭ କରି ଏବେ ସୁଦ୍ଧା ଦୈନିକ ତିନିଲକ୍ଷରୁ ଅଧିକ କିଟ୍ ପ୍ରସ୍ତୁତ କରିବାକୁ ସକ୍ଷମ ହେଲେଣି । ଦେଶରେ ଦୈନିକ ୧ଲକ୍ଷ କିଟ୍ ଦରକାର ହେଉଥିବା ଯୋଗୁ ଅବଶିଷ୍ଟ କିଟ୍ ବାହାରକୁ ରପ୍ତାନୀ ହେବାରେ ଲାଗିଛି । ସେମିତି ଚିକିତ୍ସାପାଇଁ ଭେଣ୍ଟିଲେଟର ତିଆରି କରିବାକୁ ସରକାର ସୁଯୋଗ ଦେବାପରେ ଅନେକ ସଂସ୍ଥା କେବଳ ଯେ ଭେଣ୍ଟିଲେଟର ପ୍ରସ୍ତୁତ କଲେ ତା ନୁହେଁ ସେଥିରେ ଅନେକ ସୁବିଧା ଯୋଡି ଦେଲେ ଯାହା ବିଦେଶୀ ଭେଣ୍ଟିଲେଟରରେ ନଥିଲା । ସରକାରଙ୍କ ଭୋକାଲ ଫର ଲୋକାଲ ବା ସ୍ଥାନୀୟ ଉତ୍ପାଦକୁ ଗୁରୁତ୍ୱ ଦେବା ଆହ୍ୱାନକୁ ଗ୍ରହଣ କରି ଅନେକ କମ୍ପାନୀ ହ୍ୟାଣ୍ଡ ୱାସ, ସାନିଟାଇଜର, ମାସ୍କ ପ୍ରସ୍ତୁତିରେ ସାମିଲ ହେଲେ । କୋରୋନା ଆରମ୍ଭ ସମୟରେ ବଜାରରେ ଅଭାବଥିଲାବେଳେ ଆଜି ପାନ ଓ ଚାହା ଦୋକାନରେ ମଧ୍ୟ ମାସ୍କ ମିଳୁଛି । ଅନେକ ବ୍ୟକ୍ତି ଏହାକୁ ବିକ୍ରି କରିବାକୁ ନିଜର ବଣ୍ଟନ ବ୍ୟବସ୍ଥା ମଧ୍ୟ ଆରମ୍ଭ କରିଛନ୍ତି । ଆଇଆଇଟିର ଛାତ୍ର ଏବଂ ଷ୍ଟାର୍ଟଅପ ଶିଳ୍ପଗୁଡିକ ରୋଗୀଙ୍କ ଚିକିତ୍ସା ନିମନ୍ତେ ରୋବୋଟଠାରୁ ମୋବାଇଲ ସାନିଟାଇଜର ମେସିନ ପର୍ଯ୍ୟନ୍ତ ତିଆରି କରିବାକୁ ସକ୍ଷମ ହେଲେ । ଫଳରେ ଆରମ୍ଭ କାଳରେ ଏହି ସବୁ ଉତ୍ପାଦନର ଯେଉଁ ମୂଲ୍ୟ ଥିଲା ଏବେ ତାହା ଅଧାଦାମରେ ବଜାରରେ ମିଳିଲାଣି । ମାର୍ଚ୍ଚ ମାସରେ ୧୦୦ମିଲି ହ୍ୟାଣ୍ଡ ସାନିଟାଇଜର ୧୭୦ଟଙ୍କାରେ ମିଳୁଥଲା । ଜୁନ ମାସ ବେଳକୁ ସେହି ସାନିଟାଇଜର ୨୫୦ମିଲି ଡବା ଏବେ ୧୨୫ଟଙ୍କାକୁ ଖସିଆସିଲାଣି । ମାସ୍କ ଏବଂ ହ୍ୟାଣ୍ଡୱାସ ଦର ମଧ୍ୟ ସେମିତି ଖସିବାରେ ଲାଗିଛି ଓ ସବୁଠି ଉପଲ୍‌ବଧ ହେଉଛି । ଏହା ହେଉଛି ଭୋକାଲ ଫର ଲୋକାଲର ଫଳାଫଳ । ସରକାରଙ୍କ ଆହ୍ୱାନକୁ ଗ୍ରହଣ କରି ଦେଶର ଉତ୍ପାଦକମାନେ ଯେଉଁ ନୂତନ କାର୍ଯ୍ୟରେ ଲାଗିପଡିଲେ ସେଥିରେ ସଫଳ ହେଲେ ଏବଂ ବଳିପଡୁଥିବା ଉତ୍ପାଦକୁ ବିଦେଶକୁ ରପ୍ତାନୀ କରିବାକୁ ସୁଯୋଗ ସୃଷ୍ଟି କଲେ । ଏହି ଆହ୍ୱାନର ଅନ୍ୟ ଏକ ସଫଳତା ମୋବାଇଲ ଆପ କ୍ଷେତ୍ରରେ ଦେଖାଦେଇଛି । ଭାରତ ସରକାର ଚୀନର ୫୯ଟିମୋବାଇଲ ଆପର ବ୍ୟବହାରକୁ ଦେଶରେ ନିଷିଦ୍ଧକରିବା ପରେ ଅନେକ ଭାରତୀୟ ମୋବାଇଲ ଆପସେସବୁର ସ୍ଥାନ ନେଇ ବିକଳ୍ପ ହେବାକୁ ସୁଯୋଗପାଇଲେ । ଏବେ ସେମାନଙ୍କ ବ୍ୟବହାରକାରୀବଢିବା ଯୋଗୁ ସେମାନେ ଯେଉଁ ରୋଜଗାରକରିବେ ସେଥିରେ ସେମାନେ କେବଳ ଲାଭାନ୍ୱୀତହେବେ ତା’ନୁହେଁ,ନିଜକୁ ବିଶ୍ୱର ଅଗ୍ରଣୀ ଆପ୍‌ଭାବେ ପ୍ରତିଷ୍ଠା ଦେବାକୁ ସକ୍ଷମ ହେବେ । କାରଣଦେଶରେ ୫୫ କୋଟି ବ୍ୟକ୍ତି ଇଣ୍ଟରନେଟଯୁକ୍ତଆଣ୍ଡ୍ରେଏଡ୍ ମୋବାଇଲ ବ୍ୟବହାର କରୁଛନ୍ତି । ଭାରତର ମୋବାଇଲ ବଜାରରେ ଚୀନର ଭିଭୋ, ଅପୋ, ଜିଓମି, ଲିନୋଭୋ ପରି ମୋବାଇଲ କମ୍ପାନୀଗୁଡିକର ପ୍ରଭାବ ଅଧିକ ଥିଲାବେଳେ ଚୀନର ଗଲୱାନ ଘାଟୀରେ ଆକ୍ରମଣ ଏବଂ କୋରୋନା ସଂକ୍ରମଣ ଲୋକମାନଙ୍କୁ ଚୀନା ଉତ୍ପାଦ ବିରୋଧରେ ଛିଡା କରିଛି । ଏହାର ସୁଯୋଗରେ ଭାରତର ନିଜସ୍ୱମଡେଲ କ୍ରିଓ, ସେଲକନ, ଆଇବଲ, ଇନଟେକ୍ସ, କାର୍ବନ, ଲାଭା, ମାଇକ୍ରୋମାକ୍ସ ଓନିଡା, ସ୍ପାଇସ, ଭିଡିଓକନ୍‌, ଜୋଲୋ,ୟ. ଏଲ୍‌ୱାଇପି ପ୍ରମୁଖ ବ୍ରାଣ୍ଡ ମଧ୍ୟରୁ ଲାଭା କମ୍ପାନୀ ଚୀନରୁ ନିଜ ଉତ୍ପାଦନ କେନ୍ଦ୍ର ବନ୍ଦ କରି ଭାରତ ଚାଲି ଆସିବାକୁ ଘୋଷଣା କରିଛି । ସାଇକେଲ କମ୍ପାନୀ ହୀରୋ ୯୦୦ କୋଟି ଟଙ୍କା ମୂଲ୍ୟର ଚୀନା ଅର୍ଜରକୁ ରଦ୍ଦ କରିବାକୁ ଘୋଷଣା କରିଛି । ମହାରାଷ୍ଟ୍ର, ବିହାରଠାରୁ ଆରମ୍ଭକରି ଅନେକ ରାଜ୍ୟ ପ୍ରକଳ୍ପରୁ ଚୀନା କମ୍ପାନୀକୁ ବାଦ୍ ଦିଆଯାଇଛି । କେନ୍ଦ୍ର ସରକାର ୬୦୦ ଅଣଜରୁରୀ ବସ୍ତୁର ଆମଦାନୀ ଉପରେ କଟକଣା ଲଗାଇବା ପରେ ଏସବୁର ସ୍ଥାନୀୟ ବିକଳ୍ପ ବସ୍ତୁକୁ ବିକ୍ରିର ସୁବିଧା ମିଳିବ । ଟାଟା ଓ ମହିନ୍ଦ୍ରା ପରି ସ୍ଥାନୀୟ ବ୍ରାଣ୍ଡର କମ୍ପାନୀମାନେ ଭାରତ ସରକାରଙ୍କ ଆହ୍ୱାନକୁ ଗ୍ରହଣ କରି ଅଭିଯାନରେ ସାମିଲ ହୋଇଛନ୍ତି । ଟେକ୍ ମହିନ୍ଦ୍ରା ୪ଜି ସେବା ପାଇଁ ବିଏସ୍‌ଏନ୍‌ଏଲ୍ ସହ କାମ କରିବାକୁ ଘୋଷଣା କରିଛି । ସରକାର ମଧ୍ୟ ବିଏସ୍‌ଏନ୍‌ଏଲ୍‌ରେ ଚୀନ ଉତ୍ପାଦ ବ୍ୟବହାର ନ କରିବାକୁ କହିବା ପରେ କମ୍ପାନୀ ତାହା ଗ୍ରହଣ କରିଛି । ସେହିପରି ଜିଓ କମ୍ପାନୀ ହୁବେଇର ବିକଳ୍ପ ଭାବେ ୫ଜି ସେବା ଦେବାକୁ ଅଣ୍ଟା ଭିଡିଛି । ଏଥିପାଇଁ ବିଦେଶୀ ନିବେଶକଙ୍କ ଠାରୁ ଲକ୍ଷ୍ୟ ସମୟ ପୂର୍ବରୁ ଅଧିକ ଅର୍ଥ ପାଇ ଋଣମୁକ୍ତ କମ୍ପାନୀରେ ପରିଣତ ହୋଇଛି ।କେଉଁ କେଉଁ ବସ୍ତୁ ଚୀନରୁ ଆମଦାନୀ ହେବ ସେଥିପାଇଁ ବାଣିଜ୍ୟ ମନ୍ତ୍ରଣାଳୟଠାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପ୍ରସ୍ତାବ ମାଗିଛି । କଂଗ୍ରେସ ସରକାରଙ୍କ ସମୟରେ ଚୀନ ସହ ହୋଇଥିବା ମୁକ୍ତ ବାଣିଜ୍ୟ ରାଜିନାମାକୁ ସମୀକ୍ଷା କରିବାକୁ ପିଏମ୍‌ଓ ପରାମର୍ଶ ଦେଇଛି । ଦେଶର ଚୀନା କମ୍ପାନୀଙ୍କ ପୁଞ୍ଜିନିବେଶର ୫୦ ପ୍ରତିଶତ ବିଷୟରେ ସରକାର ସମୀକ୍ଷା କରୁଛନ୍ତି । ୧୦ଚୀନା କମ୍ପାନୀ ଭାରତରୁ ଫେରିଯିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି । କାରଣ ଦୁଇଦେଶ ମଧ୍ୟରେ ବାଣିଜ୍ୟିକ ଅସନ୍ତୁଳନ ରହିଛି । ଚୀନ ଭାରତକୁ ବାର୍ଷିକ ୭୦ ବିଲିଅନ ଡଲାରର ବସ୍ତୁ ରପ୍ତାନୀ କରି ମାତ୍ର ୧୦ ବିଲଅନ ଡଲାରର ବସ୍ତୁ ଆମଦାନୀ କରୁଛି । ତେଣୁ ଭାରତର ବଜାରକୁ ଅନାବଶ୍ୟକ ବସ୍ତୁ ଯୋଗାଇ ଯେପରି ସ୍ଥାନୀୟ କମ୍ପାନୀର କ୍ଷତିସାଧନ ଚୀନ କରୁଛି ସେଥିଲେ ଲଗାମ୍ ଦେବାପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ସଡକ ନିର୍ମାଣ କ୍ଷେତ୍ରରେ ଚୀନା କମ୍ପାନୀର ଅର୍ଡରକୁ ବାତିଲ କରାଯିବା ନେଇ ମନ୍ତ୍ରୀ ନିତୀନ ଗଡକରି ଘୋଷଣା କରିଥିଲେ । ଆତ୍ମନିର୍ଭର ଭାରତର ଲକ୍ଷ୍ୟ ସାଧନ ପାଇଁ ସରକାର ଆଇଆଇଟି ଅଲୁମନି କାଉନସିଲ ଦାୟିତ୍ୱରେ ୨୧୦୦୦ କୋଟିର ପାଣ୍ଠି ଦେଇଛନ୍ତି ।ନିକଟରେ ଅଣୁ ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ରରେ ସରକାରୀ ମାନ୍ୟତାରେ ସଂଶୋଧନ ହୋଇଛି । ଅଣୁ ଶିଳ୍ପରେ ନିବେଶ ପୂର୍ବରୁ ୨୫ଲକ୍ଷ ରହିଥିଲା ଯାହା ଏବେ ଏକ କୋଟିରୁ କମ୍‌କୁ ବୃଦ୍ଧି କରାଯାଇଛି । ସେମିତି ସେବା କ୍ଷେତ୍ରରେ ୧୦ଲକ୍ଷରୁ କମ୍ ପୁଞ୍ଜି ନିବେଶ ବ୍ୟବସ୍ଥା ଥିଲା । ଏବେ ତାହା ଅଣୁ ଶିଳ୍ପ ସହ ସମାନ କରାଯାଇଛି । ବାର୍ଷିକ ଆୟ ସୀମାକୁ ୫କୋଟି ଯାଏ ବଢାଯାଇଛି । କ୍ଷୁଦ୍ର ଶିଳ୍ପରେ ୫କୋଟିରୁ କମ୍ ନିବେଶ ଏବଂ ସେବା କ୍ଷେତ୍ରରେ ୨ କୋଟିରୁ କମ୍ ନିବେଶ ବ୍ୟବସ୍ଥା ରହିଥିଲା ଯାହା ଏବେ ଶିଳ୍ପ ଓ ସେବା ପାଇଁ ମିଶାଯାଇ ୧୦କୋଟିରୁ କମ୍ ୫୦କୋଟିରୁ କମ୍ ବ୍ୟବସାୟ ସୀମାକୁବଢାଯାଇଛି । ମଧ୍ୟମ ଶିଳ୍ପରେ ନିବେଶ ପୂର୍ବରୁ ୧୦କୋଟିରୁ କମ୍ ଏବଂ ସେବାପାଇଁ ୫କୋଟିରୁ କମ୍ ରହିଥିଲା । ଏବେ ଉଭୟ କ୍ଷେତ୍ରରେ ନିବେଶ ୨୦ କୋଟିରୁ କମ୍‌, ବ୍ୟବସାୟ ୧୦୦ କୋଟିରୁ କମ୍ ସୀମାକୁ ବଢାଇ ଦିଆଯାଇଛି ।୪ଜୁଲାଇରେ ଆତ୍ମନିର୍ଭର ଭାରତ ଯୋଜନା ପାଇଁ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଆପ୍‌କୁ ମଧ୍ୟ ପ୍ରଧାନମନ୍ତ୍ରୀ ଆରମ୍ଭ କରିଛନ୍ତି । ଏହା ଟେକ୍‌ନୋଲୋଜି ଏବଂ ଷ୍ଟାର୍ଟ ଅପ୍ ଗୋଷ୍ଠୀଙ୍କୁ ଅଧିକ ସହାୟକ ହେବ । ଅଣୁ, ଲଘୁ ଏବଂ ମଧ୍ୟମ ଶ୍ରେଣୀର ଶିଳ୍ପ ଦେଶରେ ପ୍ରାୟ ୧୨୦୦୦ କୋଟିର ବାଣିଜ୍ୟ କରିଥାଏ । ଏହି କ୍ଷେତ୍ରକୁ ୩ଲକ୍ଷ କୋଟିର ଋଣ ପ୍ରଦାନ କରାଯିବ । ଏହି ଯୋଜନା ୩୧ ଅକ୍ଟୋବର ୨୦୨୦ଯାଏ ଚାଲୁ ରହିବ । ଏଥିପାଇଁ କୌଣସି ଗ୍ୟାରେଣ୍ଟି ଫି ଆଦାୟ କରାଯିବ ନାହିଁ । ୪୫ଲକ୍ଷ ସଂସ୍ଥା ଏଥିରୁ ଉପକୃତ ହେବେ ବୋଲି ସରକାର ଆଶା ରଖିଛନ୍ତି । ୨୯ଫେବୃଆରୀ ୨୦୨୧ ସୁଦ୍ଧା ଶିଳ୍ପର ମୋଟ ଦେୟର ୨୦ ପ୍ରତିଶତ ଅର୍ଥ ଋଣ ଆକାରରେ ପ୍ରଦାନ କରାଯାଇପାରିବ । ଯେଉଁ ଶିଳ୍ପ ପୂର୍ଣ୍ଣରୂପେ ଋଣ ସୁଝିବାକୁ ସକ୍ଷମ ହୋଇପାରିନାହାନ୍ତି ସେମାନେ ମଧ୍ୟ ଏଥିରୁ ସୁବିଧା ପାଇପାରିବେ । ଏହା ଦ୍ୱାରା ଦେଶରେ ସ୍ଥାନୀୟ ଉତ୍ପାଦନ ବଢିବା ସହ ରୋଜଗାର ସୁଯୋଗ ସୃଷ୍ଟି ହେବ । ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୟାସକୁ ସମାଲୋଚନା କରୁଥିବା ଲୋକେ ଜାଣିବା ଦରକାର ଯେ ପୃଥିବୀର ଦୁଇଟି ଦେଶ ଚୀନ ଏବଂ ଭାରତ ୧୦୦ କୋଟିରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ । ଏଥିରୁ ଭାରତ ୧୯୪୭ରେ ଏବଂ ଚୀନ ୧୯୪୯ରେ ସ୍ୱାଧୀନତା ଲାଭ କରିଥିଲେ । ଚୀନ ସ୍ୱାଧୀନତା ପାଇବା ପରଠାରୁ ଜିଡିପିର ୯ ପ୍ରତିଶତ ଢାଞ୍ଚାଗତ ନିର୍ମାଣରେ ଖର୍ଚ୍ଚ କରି ଆବଶ୍ୟକ ଠାରୁ ଅଧିକ ସଫଳତା ଲାଭ କଲାବେଳେ ସ୍ୱାଧୀନତା ପରବର୍ତ୍ତୀ ୭୦ବର୍ଷରେ ଭାରତ ଜିଡିପିର ମାତ୍ର ୩ ପ୍ରତିଶତ ଅର୍ଥ ଏହି ନିର୍ମାଣ କ୍ଷେତ୍ରରେ ଖର୍ଚ୍ଚ କରି ପଛରେ ପଡିରହିଛି । ଜଳପଥ, ବନ୍ଦର, ସଡକ ଆଦିର ବିକାଶ ନହେବା ଯୋଗୁ ପରିବହନ କାର୍ଯ୍ୟ ବିଳମ୍ବିତ ହେଉଛି । ଦେଶରେ ମାଲ ପରିବହନ ପାଇଁ ସ୍ୱତନ୍ତ୍ର ରେଳପଥର ବ୍ୟବସ୍ଥା ନଥିବା ହେତୁ ବହୁ ବଡ ବଡ କମ୍ପାନୀ ଭାରତରେ କାର୍ଯ୍ୟ କରିବାକୁ ପଛାଉଛନ୍ତି । କାରଣ ଏସବୁର ସୁବିଧା ନଥିରେ କଞ୍ଚାମାଲ ଆମଦାନୀ ଏବଂ ବସ୍ତୁର ରପ୍ତାନୀରେ ଅଧିକ ବିଳମ୍ବ ହେବ । ବିଗତ ଦିନର ତ୍ରୁଟିକୁ ସୁଧାରିବା ପାଇଁ ବର୍ତ୍ତମାନର ସରକାର ସୀମାରୁ ଗ୍ରାମଯାଏ ସଡକ, ରେଳପଥ, ଜଳପଥ, ବନ୍ଦର ଓ ସେତୁ ନିର୍ମାଣରେ ଲାଗିଛନ୍ତି । ଉଡାନ, ଭାରତମାଳା, ପୂର୍ବ -ପଶ୍ଚିମ ମାଲବାହୀ ରେଳପଥ ଓ ସଡକ ନିର୍ମାଣର ପ୍ରସାର ଏହାର ପ୍ରମାଣ । ଦେଶରେ ଏହି ସ୍ୱାଭିମାନର ପ୍ରତିଷ୍ଠା ପାଇଁ ଅନେକ ଗଣମାଧ୍ୟମ, ୟୁ ଟ୍ୟୁବ ଚ୍ୟାନେଲ ମଧ୍ୟ ପ୍ରୟାସ ଚଳାଇଛନ୍ତି । ଦେଶୀ କମ୍ପାନୀ ମହିନ୍ଦ୍ର ଆଫ୍ରିକା ଓ ଦକ୍ଷିଣ ଆମେରିକାରେ ଚୀନା କମ୍ପାନୀକୁ ଟ୍ରାକ୍ଟର କ୍ଷେତ୍ରରେ ଏବଂ ଆଫ୍ରିକା ମହାଦେଶରେ ବଜାଜ ଓ ଟିଭିଏସ୍ ଗ୍ରୁପ୍ ଦୁଇ ତଥା ତିନିଚକିଆ ଗାଡି ଉତ୍ପାଦନରେ ପଛରେ ପକାଇ ଦେଇଛନ୍ତି । ଆ୍‌ତ୍ମନିର୍ଭର ଭାରତର ଏହି ସଫଳତା ଦେଶରୁ ବିଶ୍ୱଯାଏ ଆଗାମୀ ଦିନରେ ଦେଖାଯିବ ଏଥିରେ ସନ୍ଦେହ ନାହିଁ । ସ୍ୱଦେଶୀ, ସ୍ୱାଭିମାନ ଓ ସମୃଦ୍ଧିର ସଂକଳ୍ପ ନେଇ ଚାଲୁଥିବା ଏହି ଅଭିଯାନ ଦେଶକୁ ସଶକ୍ତ କରିବ ନିଶ୍ଚୟ ।



Comments