-ଗୋ-ମାତା ପାଇଁ ଦିନଟିଏ: ଗୋ -ମା ପୂର୍ଣ୍ଣିମା



ଡକ୍ଟର ଶ୍ରୀହରି ପଣ୍ଡା ଗୌଡଗାାଁ, କପ୍ତିପଦା,ମୟୂରଭଞ୍ଜ, 
ଭାରତୀୟ ଜୀବନଧାରାରେ ଧର୍ମଭାବର ପ୍ରଭାବ ଅତ୍ୟନ୍ତ ଗଭୀର ଓ ବ୍ୟାପକ । ଯୁଗଯୁଗ ଧରି ଏ ଦେଶରେ ରାକନୈତିକ ଓ ସାମାଜିକ ଜୀବନପ୍ରବାହରେ ବହୁ ଝଡଝଞ୍ଜା ପ୍ରବାହିତ ହୋଇ ଆସୁଥିଲେ ହେଁ ଏ ଜାତି ଓ ବ୍ୟକ୍ତିର ଆଭିମୁଖ୍ୟରେ ଧର୍ମଭାବ ତା’ର ଅମଳିନ ଦୀପ୍ତି କେବେ ହରାଇ ଦେଇଥିବାର ପରିଲକ୍ଷିତ ହୁଏନାହିଁ । ଧର୍ମଭାବ ହିଁ ଭାରତୀୟ ଜୀବନବୋଧର ସାର୍ଥକ ପରିଚୟ ପ୍ରଦାନ କରିଥାଏ । ଜାତି, ସମାଜ ଅଥବା ବ୍ୟକ୍ତିର ଜୀବନଧାରାରେ ଅନୁଷ୍ଠିତ ଓ ପ୍ରତିପାଳିତ ବିଭିନ୍ନ ଯାନିଯାତ୍ରା, ଉତ୍ସବ, ପର୍ବପର୍ବାଣି ଅଥବା ବ୍ରତ ଉପବାସ ଅନୁଧ୍ୟାନ କଲେ ଗଣଜୀବନ ଉପରେ ଧର୍ମଭାବର ସୁଦୂରପ୍ରସାରୀ ପ୍ରଭାବ ଆମେ ସ୍ପଷ୍ଟ ଅନୁଭବ କରିପାରିବୁ । ଜାତିର ଏହି ପାରମ୍ପରିକ ଜୀବନ- ଧାରା- ଧର୍ମ- ବୋଧର ସୁଦୃଢ ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇ ସମଗ୍ର ଜାତି ଓ ସମାଜକୁ ଅଧିକ ବଳିଷ୍ଠ, ଅଧିକ ପ୍ରାଣବନ୍ତ ଓ ଅଧିକ ସୌନ୍ଦର୍ଯ୍ୟ ସମନ୍ୱିତ କରି ତୋଳିବାରେ ସମର୍ଥ ହୋଇଛି କହିଲେ ଚଳେ । ଓଡିଶାରେ ବାରମାସରେ ତେର ପର୍ବ ପାଳିତ ହେଉଥିବାର ବିଧି ପ୍ରଚଳିତ ଥିଲେ ମଧ୍ୟ ଅନ୍ୟାନ୍ୟ ବହୁ ଗୌଣ ପର୍ବପର୍ବାଣି ଜନଜୀବନକୁ ପ୍ରଭାବିତ କରିଆସୁଛି । ଗହ୍ମା ପର୍ବ ସେହିପରି ଗୋଟିଏ ବହୁଳ ଲୋକପ୍ରିୟ ପର୍ବ । ଏହା ଗୋ-ମା(ଗୋ-ମାତା)ର ଅପଭ୍ରଂଶ ହୋଇ ଗହ୍ମାରେ ପରିଣତ ହୋଇଥାଇପାରେ । ହିନ୍ଦୁ ଶାସ୍ତ୍ରରେ ବର୍ଣ୍ଣିତ ସପ୍ତମାତୃକା ଭା ନାମ ମଧ୍ୟରେ ଗୋ-ମାତା ଅନ୍ୟତମ । “ଅଦୌ ମାତା, ଗୁରୁ- ପତ୍ନୀ, ବ୍ରାହ୍ମଣୀ ରାଜପତ୍ନୀକା ଧେନୁର୍ଧାତ୍ରୀ ତଥା ପୃଥ୍ୱୀ ସପ୍ତୈତେ ମାତରଃ ସ୍ମୃତାଃ ।”- ଅର୍ଥାତ ଜନ୍ମଦାତ୍ରୀ ମା, ଗୁରୁପତ୍ନୀ, ବ୍ରାହ୍ମଣୀ, ରାଜପତ୍ନୀ, ଗୋ- ମାତା, ଧାତ୍ରୀ ଏବଂ ପୃଥିବୀ ଏହି ସାତଜଣ ହିନ୍ଦୁର ମାତା ରୂପେ କଳ୍ପିତା । ଗୋ-ଜାତି ଭାରତୀୟ ଜୀବନର ପ୍ରାଣକେନ୍ଦ୍ର । ସେଇଥିପାଇଁ ତ ପ୍ରାଚୀନ ବେଦ ଓ ଉପନିଷଦରେ ମଧ୍ୟ ଗୋ-ଜାତିର ମହତ୍ତ୍ୱ ଶତମୁଖରେ କୀର୍ତ୍ତିତ । ପ୍ରତ୍ୟେକ ଶୁଭକାର୍ଯ୍ୟ ଓ ସାମାଜିକ ଅନୁଷ୍ଠାନ ବିଧିରେ ଉଚ୍ଚାରିତ ହେଉଥିବା ଶାନ୍ତି ମନ୍ତ୍ରରେ ଏହି ଗୋ-ଜାତିର ମଙ୍ଗଳ ବାର୍ତ୍ତା ଘୋଷିତ । ଯଥା - ଗୋ ବ୍ରାହ୍ମଣେଭ୍ୟଃ ଶୁଭମସ୍ତୁ ନିତ୍ୟଂ । ଅର୍ଥାତ୍ ଗୋ ବ୍ରାହ୍ମଣଙ୍କର ମଙ୍ଗଳ ସହ ଜନସାଧାରଣଙ୍କର ସୁଖମୟ ଜୀବନରେ ଶାନ୍ତିର ପରିକଳ୍ପନା କରାଯାଇଛିା ସେହିପରି ଋକ୍ ବେଦରେ ଗୋ-ଦଗ୍ଧରେ କିପରି ଅପାର ଶକ୍ତି ତାର ବର୍ଣ୍ଣନା ଅଛି । ଯଥା -ମାଧ୍ୱୀଗାବୋ ଭବନ୍ତୁନଃ ଅର୍ଥାତ୍ ଗାଇମାନେ ମଧୁର ଦୁଗ୍ଧ ଦିଅନ୍ତୁ । ଗୋ-ମାତାର ବର୍ଣ୍ଣନା ଓ ଉପକାରିତା ସମ୍ପର୍କରେ ରାମାୟଣ, ମହାଭାରତରେ ବର୍ଣ୍ଣନା ଦେଖିବାକୁ ମିଳେ । ଅଭୀଷ୍ଟ ଫଳପ୍ରଦା ସମୁଦ୍ର ମନ୍ଥନରୁ ଉଦ୍ଭବ କାମଧେନୁ ସମ୍ପର୍କରେ ଅଧିକାଂଶଙ୍କୁ ଜଣା । ମହର୍ଷି ବଶିଷ୍ଠଙ୍କ ଉକ୍ତି ଅନୁସାରେ “ସମସ୍ତ ଦେବଦେବୀ ଆରାଧନା, ସମସ୍ତ ଗ୍ରହନକ୍ଷତ୍ର ପୂଜା ଓ ସମସ୍ତ ତୀର୍ଥାଦି ପର୍ଯ୍ୟଟନରେ ଯେଉଁ ଫଳ ହୁଏ ଏକମାତ୍ର ଗୋ-ସେବାରେ ତତୋଽଧିକ ଫଳ ଲାଭ ହୋଇଥାଏ ।”ଯେଉଁ ଗୃହ ଗାଭୀଶୂନ୍ୟ, ଯେଉଁଠାରେ ଗୋ-ସେବା ନାହିଁ ସେଠାରେ ସମସ୍ତ ଐଶ୍ୱର୍ଯ୍ୟ ନିଷ୍ଫଳ ଏବଂ ସମସ୍ତ ପୁଣ୍ୟ ବିଫଳ । ପୁରାଣରେ ଏହି ଅଭୀଷ୍ଟ ଫଳଦାୟିନୀ ବହୁ କାମଧେନୁଙ୍କ ନାମ ଶୁଣାଯାଏ । ଜମଦଗ୍ନିଙ୍କ କାମଧେନୁଙ୍କ ।ନମ ନନ୍ଦା, ଅଙ୍ଗିରାଙ୍କର ସୁନନ୍ଦା, ଭରଦ୍ୱାଜଙ୍କର ସୁରଭୀ, କଶ୍ୟପଙ୍କର ସୁଶୀଳା ଓ ବଶିଷ୍ଠଙ୍କର ନନ୍ଦିନୀ । ହିନ୍ଦୁ ତାର ଏହି ପରମାରାଧ୍ୟା ଗୋ-ମାତାର ପୂଜା ଦୋଳ, ଗୋଷ୍ଟାଷ୍ଟମୀ ଓ ଗହ୍ମାରେ ଉପାସନା କରିଆସୁଅଛି । ଗୋ-ମାତାର ଜୟଗାନ କରି ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ଗୋବିନ୍ଦ ନାମକୁ ଧାରଣ କରିଛନ୍ତି । ଯେଉଁ ନାମକୁ ସ୍ମରଣ କରି ଶୟନ କଲେ ଦୁଃସ୍ୱପ୍ନ ଚାଲିଯାଏ । ଯେଉଁ ପଦରୁ ମକରନ୍ଦ ସ୍ଫୁରିତ ହୁଏ ସେହି ଗୋବିନ୍ଦ (ଗୋ+ବିଦ୍ ଯେ ଗୋ ବିଷୟରେ ଅଭିଜ୍ଞ କିମ୍ବା ବିନ୍ଦତି =ଲାଭ କରିବା ଯେ ଗୋ ସମ୍ପଦ ଲାଭ କରିଥିଲେ) ନାମ ଧାରଣ ମୂଳରେ ଗୋ ପ୍ରାଧାନ୍ୟ ସୂଚିତ । ମହାଭାରତରେ ବହୁବାର ଗୋ ସମ୍ପଦ ସମ୍ପର୍କରେ ସୂଚନା ଅଛି । ବିଶେଷକରି ଓଡିଆ ସାହିତ୍ୟର ଭିତ୍ତି ସ୍ଥାପନ କରିଥିବା ସାରଳା ଦାସଙ୍କ ମହାଭାରତରେ ଗୋ-ମାତଙ୍କୁ ନେଇ ଅନେକ ବର୍ଣ୍ଣନା ଦୃଷ୍ଟିଗୋଚର ହୁଏ । ସାରଳାଙ୍କର ଗୋମାତା ସମ୍ପର୍କରେ ଦିଆ ଯାଇଥିବା ୧୦୦ ରୋଗର ବର୍ଣ୍ଣନା ଏବଂ ସବୁ ରୋଗର ବ୍ୟାଧିର୍ତତ୍ତ୍ୱଜ୍ଞ ସହଦେବଙ୍କ ବର୍ଣ୍ଣନା ଅତିବ ଚମତ୍କାର । ଯେମିତିକିଗୁଳାରୋଗ, ଖୁରାରୋଗ, ଶାବେଳୀ,ମଣ୍ଡୁକୀ ମଉନାଗଳାର, ଶୋଥ, ଧୋକଟ, ଖିରାଣ୍ଟି ଭୋରୀ, ତାଲୁକା, ଛିନାଳୀ ଗୋତାଳିକ ଖୋରା ଇତ୍ୟାଦି । ସେହିପରି ଜଗନ୍ନାଥ ଦାସଙ୍କର ଭାଗବତରେ ମଧ୍ୟ ଗୋ-ଉନ୍ନୟନର ମାହାତ୍ମ୍ୟ ସମସ୍ପର୍କରେ ବର୍ଣ୍ଣନା ଅଛି । ପରବର୍ତ୍ତୀ ଆଧୁନିକ ଯୁଗରେ ମଧ୍ୟ ଗଙ୍ଗାଧର ମେହେରଙ୍କ ଗୋ-ବିଳାପ ଓ କୃଷକ ସଙ୍ଗୀତରେ ଓ ତତ୍ପରେ ଗୋପବନ୍ଧୁଙ୍କ ଗୋ-ମାହାତ୍ମ୍ୟରେ ଗୋ-ପାଳନ ଓ ଗୋସେବାର ମହନୀୟତା ସମ୍ପର୍କରେ ବର୍ଣ୍ଣନା ହୋଇଛି । ଗହ୍ମା ପୂର୍ଣ୍ଣିମାର ଆବିର୍ଭାବ ବିଷୟରେ ବର୍ଣ୍ଣନା ଦେଖିବାକୁ ମିଳେ ଯେ ଗୋ-ଜାତିର ବାଧକ ଥିଲା ଗହ୍ମା ନାମକ ଏକ କୁଗ୍ରହ, ଭଗବାନ ବଳଦେବ ତାକୁ ସଂହାର କରି ତାହାର ପୃଥିବୀମୟ ପିଣ୍ଡ ବା ବେଦୀ ଉପରେ ସ୍ୱୟଂ ବିଜୟ ଘୋଷଣା ସୂଚକ ଆବିର୍ଭାବ ଉତ୍ସବ ପାଳନ କରିଥିଲେ । ଏଇଥିପାଇଁ ଓଡିଶାରେ ଗ୍ରାମ ଶାଶନ ମାନଙ୍କରେ ମାଟିରେ ବେଦୀ ନିର୍ମାଣ କରାଯାଇ ସେଠାରେ ବଳୀବର୍ଦ୍ଦ (ବଳଦ)ଦେବତାଙ୍କୁ ପୂଜା କରାଯାଇଥାଏ । ଏହିଦିନ ସକାଳୁ ଗୃହସ୍ୱାମୀ ଗୋରୁଗୁହାଳକୁ ପରିଷ୍କାର କରିଥାନ୍ତି । ଗୁହାଳ କାନ୍ଥରେ ଗାଇଗୋରୁଙ୍କର ସୁନ୍ଦର ଚିତ୍ର ସବୁ ଅଙ୍କା ଯିବା ସହିତ ଚାଷୋପକରଣ ଯଥା ହଳ, ଲଙ୍ଗଳ, ଶଗଡ ପ୍ରଭୃତିର ଚିତ୍ର ଅଙ୍କା ଯାଇଥାଏ । ବଳଦମାନଙ୍କୁ ସଫାସୁତୁରା କରାଯାଇ ସେମାନଙ୍କୁ ଚନ୍ଦନ ଇତ୍ୟାଦି ଦିଆଯିବା ସହିତ ଫୁଲମାଳ ପ୍ରଦାନ କରାଯାଏ । କେହିକେହି ନୂତନ ବସ୍ତ୍ର ବଳଦମାନଙ୍କ ପିଠି ଉପରେ ପକାଇଥାନ୍ତି । ସେହିଦିନ ରାତିରେ ପିଠା ତିଆରି କରି ବଳଦମାନଙ୍କୁ ପୂଜାର୍ଚ୍ଚନା ସହ ଖାଇବାକୁ ଦିଆଯାଏ । ଏହି ଉପଲକ୍ଷେ ଚାଷିକୂଳର ସମସ୍ତେ ପ୍ରାୟତଃ ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ରାତିରେ ସମସ୍ତ ପୂଜୋପକରଣ ସାଥିରେ ଧରି ଗୃହସ୍ୱାମୀ ଗୋ-ଶାଳାରେ ପାରମ୍ପରିକ ଭାବରେ ବଳଦେବଙ୍କର ପୂଜା କରିଥାଏ । ଅନେକଙ୍କ ମତରେ ଅଷ୍ଟମ ଅବତାରରେ ସ୍ୱୟଂ ବିଷ୍ଣୁ ବଳରାମ ହୋଇ ପ୍ରଥିବୀରେ ଧରାବତରଣ କରିଥିଲେ ଓ ଚାଷକାର୍ଯ୍ୟକୁ ଆର୍ଯ୍ୟମାନଙ୍କ ଭଳି ସାମାଜିକ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମକା ପ୍ରଦାନ କରାଇଥିଲେ । ସେହି କାରଣରୁ କୃଷକ ଏହି ଦିନକୁ ମହାଡମ୍ବରରେ ପାଳନ କରିଥାଏ । ଗୋ-ମାତାର ମହତ୍ତ୍ୱକୁ ଦେଖି ବାସ୍ତବରେ ଗଙ୍ଗାଧର ଲେଖିଛନ୍ତି,-”ପୃଷ୍ଠେ ବ୍ରହ୍ମା ଗଳେ ବିଷ୍ଣୁଃ ମୁଖେ ରୁଦ୍ର ସ୍ଥିତ, ଆର୍ଯ୍ୟଋଷି ମୁଖେ ଏହା ହୁଅଇ କଥିତ ।” ସେହିପରି ଗୋପବନ୍ଧୁ ଦାସ ଲେଖିଛନ୍ତି- ”ଯାହାର ଶୃଙ୍ଗୁ ପାଦଯାଏ । ଅଙ୍ଗେ ବସନ୍ତି ଦେବତାଏ ।ା ଗୋରୁର ପ୍ରତି ଲୋମ କୂପେ । ଦେବେ ବସନ୍ତି ନାନା ରୂପେ ।ା ବହୁ ତପସ୍ୟା ଫଳେ ଗାଭୀ । ଅଛନ୍ତି ଏ ପ୍ରଭାବ ଲଭି ।ା”

Comments