ତ୍ୟାଗ ଓ ଧର୍ମ ରକ୍ଷାର ଆଦର୍ଶ ଈଶ୍ୱର ଶ୍ରୀରାମ



 ଉମାଶଙ୍କର ପ୍ରସାଦ 
“ବଦତୁ ବଦତୁ ବାଣୀ ରାମ ରାମେତି ନିତ୍ୟମ୍ ଜପତୁ ଜପତୁ ଚିତଂ ରାମ ପଦାରବିନ୍ଦମ୍ ନମତୁ ନମତୁ ଜୀବଃ ସନ୍ତତଂ ରାମଚନ୍ଦ୍ରଂ ନଭବତୁ ମମ ପାପଂ ଜନ୍ମ ଜନ୍ମାନ୍ତରେଷୁ” ।ା ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମ ସନାତନ ଧର୍ମର ନିତ୍ୟ ଶାଶ୍ୱତ ମୂଲ୍ୟବୋଧ ସହିତ ଲୋକମର୍ଯ୍ୟାଦା ଧାରଣରେ କଷ୍ଟସହି ଅନୁପମ ତ୍ୟାଗ ସ୍ୱୀକାର କରିବାରେ ରାଜରାଜେଶ୍ୱର । ଲୀଳା ପୁରୁଷୋତମ ଶ୍ରୀକୃଷ୍ଣ ଉପସ୍ଥିତ ପରିସ୍ଥିତିରେ ଆବଶ୍ୟକତାକୁ ନେଇ ଧର୍ମ ରକ୍ଷା ପୂର୍ବକ ଭୋଗର ଅଲୈାକିକ ଲୀଳା କରିବାରେ ରାଜରାଜେଶ୍ୱର । ଭାରତୀୟ ସଂସ୍କୃତିରେ ତ୍ୟାଗ ଓ ଭୋଗ ଭିତରେ ଧର୍ମ ରକ୍ଷାର ଆଦର୍ଶ ଇଶ୍ୱର ଶ୍ରୀରାମ ଓ ଶ୍ରୀକୃଷ୍ଣ ଯଥାକ୍ରମେ ଆମର ମର୍ଯ୍ୟାଦା ପୁରୁଷୋତମ ଓ ଲୀଳା ପୁରୁଷୋତମ । ଉଭୟେ ଏକ ମୁଦ୍ରାର ଦୁଇପାଶ୍ୱର୍ପରି ଅଭିନ୍ନ ହେଲେ ମଧ୍ୟ ଭକ୍ତ ଶ୍ରେଷ୍ଠ ହନୁମାନଙ୍କ ଭାଷାରେ:- “ଶ୍ରୀନାଥେ ଜାନକୀନାଥେ ଅଭେଦେ ପରମାତ୍ମନି ତଥାପି ମମ ସର୍ବସ୍ୱଂ ରାମୋ ରାଜୀବ ଲୋଚନ” ।ା ଭାରତୀୟ ମର୍ଯ୍ୟାଦା ଓ ତ୍ୟାଗକୁ ପ୍ରାଧାନ୍ୟ ଦେଇ ସମଗ୍ର ପୃଥିବୀରେ ମାନବ ଜାତିର ଆଦିକବି ବାଲ୍ମିକୀଙ୍କ ସୃଷ୍ଟି ରାମାୟଣ ଆଦି କାବ୍ୟ ଏବଂ ତାଙ୍କର କାବ୍ୟପାଇଁ ସତ୍ୟବାଦୀ, ଦୃଢବ୍ରତ, ବିଦ୍ୱାନ, ଗୁଣବାନ୍‌, ବୀର୍ଯ୍ୟବାନ, ଧର୍ମଜ୍ଞ, ଭକ୍ତିମାନ, ପ୍ରିୟଦର୍ଶନ, କର୍ତବ୍ୟ ପରାୟଣ, ସଂଯମୀ, କାନ୍ତିମାନ, ଜିତକ୍ରୋଧ ଓ ଅସୂୟାଶୂନ୍ୟ ସର୍ବଗୁଣ ସମ୍ପନ୍ନ ଆଦର୍ଶ ନାୟକ ଭାବେ କିଏ ବୋଲି ପଚାରିବାରେ ଦେବର୍ଷି ନାରଦ ମହର୍ଷି ବାଲ୍ମିକୀଙ୍କୁ ଇକ୍ଷାକୁ ବଂଶରେ ଦଶରଥ ତନୟ ରାମ ହେଉଛନ୍ତି- ନିୟତାତ୍ମା, ମହାବୀର, ଶ୍ରୃତିମାନ, ଧୃତିମାନ, ବଶୀ, ବୁଦ୍ଧିମାନ, ନୀତିବାନ, ବାଗ୍ମୀ, ଶ୍ରୀମାନ, ଶତୃହନ୍ତା ବୋଲି କହିଥିଲେ । ଏହି ପବିତ୍ର ଆର୍ଯ୍ୟଭୂମି ଭାରତବର୍ଷର ଆଦର୍ଶ ଚରିତ୍ରବାନ ମର୍ଯ୍ୟାଦା ପୁରୁଷୋତମ ରାମଚନ୍ଦ୍ର ହେଉଛନ୍ତି ରାଷ୍ଟ୍ର ଦେବତା । ଆଦର୍ଶ ପୁତ୍ର, ଆଦର୍ଶ ଭ୍ରାତା, ଆଦର୍ଶ ବନ୍ଧୁ, ଆଦର୍ଶ ସ୍ୱାମୀ, ଆଦର୍ଶ ପ୍ରଭୁ, ଆଦର୍ଶ ରାଜା ଓ ଆଦର୍ଶ ବୀର ତଥା ପ୍ରଜାନୁରଞ୍ଜନଭାବରେ ରାମଚନ୍ଦ୍ରଙ୍କର ନିର୍ମଳ, ନିଷ୍କଳଙ୍କ, ସତ୍ୟନିଷ୍ଠ ଜୀବନ ପ୍ରବାହ ଭାରତମାଟିକୁ ପବିତ୍ର କରିଛି । ଆଜି ଦୀର୍ଘଦିନର ସଂଘର୍ଷ ଓ ସଂଘାତ ପରେ କୋଟି କୋଟି ହିନ୍ଦୁଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ ଶ୍ରୀରାମ ଯେ କି “ସମୁଦ୍ର ଇକ ଗାମ୍ଭୀର୍ଯ୍ୟ ଧୈର୍ଯ୍ୟେଣ ହିମବାନିବ”, ଗାମ୍ଭୀର୍ଯ୍ୟରେ ଯେମିତି ସମୁଦ୍ରଭଳି ଅତଳସ୍ପର୍ଶୀ, ଧୈର୍ଯ୍ୟରେ ସେମିତି ହିମାଳୟ ପରି ସମୁଚ୍ଚ ଗଗନଚୁମ୍ବୀ । ତାଙ୍କର ଜନ୍ମସ୍ଥାନ ଅଯୋଧ୍ୟାରେ ତାଙ୍କର ଭବ୍ୟ ମନ୍ଦିରର ଶିଳାନ୍ୟାସ ଆସନ୍ତା ଅଗଷ୍ଟ ୫ ତାରିଖରେ ହେବାକୁ ଯାଉଛି । ଯାହା ଏକ ବଳିଷ୍ଠ ପଦକ୍ଷେପ । ମାତ୍ର ଏହି ମନ୍ଦିର ପ୍ରତିଷ୍ଠାକୁ ନେଇ ଅନେକଙ୍କ ବିରୋଧାତ୍ମକ ମନୋଭାବ ତଥା ମନ୍ତବ୍ୟ ପ୍ରକୃତରେ ଦୁଃଖଦାୟକ । ଆଜିବି ଆଦର୍ଶ ରାଷ୍ଟ୍ରର ସ୍ୱପ୍ନ ଦେଖିଲାବେଳେ ରାମ ରାଜ୍ୟ ହିଁ ପ୍ରଥମେ ଅନ୍ତଃକରଣରେ ଉଦ୍ଭାସିତ ହୋଇଥାଏ । ଯାହାର ଆଚାର ଓ ବିଚାରରେ ସକଳ ଶୁଦ୍ଧତା ଓ ନିଷ୍ଠାର ପ୍ରତୀକ ହେଉଛନ୍ତି ଶ୍ରୀରାମ । ଯାହାର ଆଚାର ବିଚାରରେ ଶୁଦ୍ଧତା ନ ଥାଏ ସେହି କେବଳ ବିରୋଧାଭାବ ପ୍ରଦର୍ଶିତ କରିଥାଏ । ପାଶ୍ଚାତ୍ୟ ନୀତିହୀନ ଶିକ୍ଷା ଓ ସଭ୍ୟତାର ସମସ୍ତ ମାଦକତା ଭିତରେ ସବୁ ହରାଇ ମଧ୍ୟ ଭାରତୀୟତା ବଂଚି ରହିଛି ଶ୍ରୀରାମଙ୍କ ଜୀବନାଦର୍ଶନକୁ ପାଥେୟ କରି । ପୃଥିବୀର ପ୍ରାଚୀନ ସାହିତ୍ୟ ରୂପେ ଆମର ବେଦ ଆଦର୍ଶ ନୀତିକ୍ଲିଷ୍ଟ ଜୀବନ ରୂପେ ରାମାୟଣର ଶ୍ରୀରାମ ଏବଂ ବିଳାସ ବିଲ୍ଲୋଳ ଅନନ୍ତ ଏ÷୍ୟଶ୍ଚର୍ଯମୟ ରାଷ୍ଟ୍ର ନିୟମକ ଭାବରେ ଭାଗବତ ଓ ମହାଭାରତର ଶ୍ରୀକୃଷ୍ଣ ହିଁ ଆମ ଭାରତୀୟଙ୍କ ସର୍ବସ୍ୱ । ଆମ ବିବେକହୀନ ହିନ୍ଦୁଙ୍କ ମଧ୍ୟରେ ଏକତା ତଥା ସ୍ୱାଭିମାନର ଅଭାବ ବଶତଃ ଏ ମାଟି ବାରମ୍ବାର ବିଦେଶୀ ଶକ୍ତିଙ୍କ ଦ୍ୱାରା ବହୁଧା ଆକ୍ରାନ୍ତ ହୋଇଛି । ଆମର ସମ୍ବିଧାନରେ ଧର୍ମ ନିରପେକ୍ଷତା ଭର୍ତିକରି ହିନ୍ଦୁସ୍ଥାନରେ ହିନ୍ଦୁ ସମାଜ ସଂଖ୍ୟାଲଘୁ ହେବାରେ ଲାଗିଛି । ଏକଥା ଆମର କ୍ଷୁଦ୍ର ସ୍ୱାର୍ଥାନ୍ୱେଷୀ କ୍ଷମତାଭିଳାଷୀ ତଥା କଥିତ ରାଜନୀତିଜ୍ଞମାନେ ଦୂରଦୃଷ୍ଟିର ଅଭାବରୁ ବୁଝିପାରୁ ନାହାଁନ୍ତି । ଆମର ବ୍ୟକ୍ତି ଜୀବନ ଓ ଜାତୀୟ ଜୀବନକୁ ନୈତିକତା, ଶୃଙ୍ଖଳିତ ଓ ସୁଗଠିତ କରିବାକୁ ହେଲେ ଆମର ଆଦର୍ଶଭାବରେ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଙ୍କୁ ନେଇ ତାଙ୍କ ଗତି ପଥର ଜୀବନଯାତ୍ରାକୁ ଅବ୍ୟାହତ ରଖିବାକୁ ହେବ । ହିନ୍ଦୀର ପ୍ରଖ୍ୟାତ କବି ମୈଥିଳି ଶରଣ ଗୁପ୍ତ ତାଙ୍କର ‘ଯଶୋଧାରା’ କାବ୍ୟର ମଙ୍ଗଳାଚରଣରେ କହିଛନ୍ତି:- “ରାମ! ତୁହ୍ମାରେ ଇସି ଧାମମେଁ ନାମ-ରୂପ-ଗୁଣ-ଲୀଳା ଲାଭ ଇସୀ ଦେଶ ମେଁ ହମେଁ ଜନ୍ମଦୋ, ଲୋ ପ୍ରଣାମ ହେ ନୀରଜନାଭ” ।ା ଅର୍ଥାତ୍‌, ହେ ରାମ! ତୁମର ଧାମ ଏହି ଦେଶରେ ଆମକୁ ଜନ୍ମ ଦିଅ କାରଣ ଏଠାରେ ତୁମର ନାମ, ରୂପ, ଗୁଣ, ଲୀଳାରେ ଆମର ବହୁତ ଲାଭ ହେବ । ସର୍ବଗୁଣୋପେତ ପୁତ୍ର ରାମଚନ୍ଦ୍ରଙ୍କୁ ରାଜ୍ୟରେ ଅଭିଷେକ କରାଇବାକୁ ପିତା ଦଶରଥ ଇଛା କରିଥିବାବେଳେ ବିମାତା କୈକେୟୀ ଦାସୀ ମନ୍ଥରାର ମନ୍ତ୍ରଣାରେ ପଡି ରାମଚନ୍ଦ୍ରଙ୍କୁ ୧୪ ବର୍ଷର ବନବାସ ଓ ଭରତଙ୍କୁ ରାଜା କରିବା ପାଇଁ ଯେତେବେଳେ କାମ ବଳ ସଂଯୁକ୍ତ ରତ୍ୟର୍ଥୀ ରାଜା ଦଶରଥଙ୍କୁ ନିଜର ଦେଇଥିବା ଦୁଇଟି ବରଦାନରେ ଯାହାକି ପ୍ରଥମରେ ରାମ ବକ୍କଳ ପିନ୍ଧି ଓ ମୃଗଚର୍ମ ଧରି ତପସ୍ୱୀ ବେଶରେ ୧୪ବର୍ଷ ବନବାସ ଓ ଦ୍ୱିତୀୟ ବରରେ ଭାତର ନିଷ୍କଟଂକ ଯୁବରାଜ ମାଗିଛନ୍ତି । ମାତ୍ର କୈକେୟୀଙ୍କର ଏପରି ବାକ୍ୟରେ ମର୍ମାହତ ଦଶରଥ କେଉଁ ଅପରାଧରେ ମୋର ପ୍ରୀୟ ପୁତ୍ରକୁ ମୁଁ ତ୍ୟାଗ କରିବି? “ସୂର୍ଯ୍ୟଙ୍କ ବିନା ଚଉଦ ଭୂବନ ରହିପାରେ, ଜଳବିନା ଶସ୍ୟରାଶି ବଂଚିପାରେ, ମାତ୍ର ରାମବିନା ଦଶରଥ ଜୀବନ ରହିନପାରେ, ମାତ୍ର କୈକେୟୀ ନିଜର ମନ୍ଦାଭିଳାଷ ପାଇଁ ରାମଙ୍କୁ କହିଛନ୍ତି-ସତ୍ୟଫାଶରେ ବନ୍ଧା ପିତାଙ୍କୁ ମୁକ୍ତି କରିବା ପୁତ୍ରର କର୍ତବ୍ୟ, କାରଣ ପୁତ୍ର ଶବ୍ଦର ଅର୍ଥ ହେଉଛି ଯେ “ପୁତ୍ ନାମକ” ନର୍କରୁ ପିତାକୁ ତ୍ରାଣ କରେ” ଉତରରେ ବ୍ୟଥିତ ରାମ କୈକେୟୀଙ୍କୁ କହିଛନ୍ତି:- “ବ୍ୟଥିତଃ କୈକେୟୀ ପ୍ରାହ - କିଂ ମାମେବଂ ପ୍ରଭାଷସେ ? ପିତ୍ରର୍ଥ୍ୟେ ଜୀବିତଂ ଦାସ୍ୟ ପିବେୟ ବିଷମୁଲ୍ୱଣମ୍‌” ।ା ମା’ ମୋତେ ଏପରି କାହିଁକି କହୁଛ? ପିତାଙ୍କ ପାଇଁ ଜୀବନ ଦେଇଦେବି । ଉତ୍କଟ ବିଷ ମଧ୍ୟ ପିଇପାରେ । ଏହା ସତ୍ୟ ଅଟେ, ରାମ ଦି’ ପ୍ରକାର କଥା କହେ ନାହିଁ । “ରାମ ଦ୍ୱର୍ନାଦି ଭାଷତେ” । ପିତାର କଥା ଶୁଣି ତଦନୁସାରେ କରିବା ଠାରୁ ଅଧିକ ମହତ୍ୱପୂର୍ଣ୍ଣ ପୁତ୍ର ପକ୍ଷରେ ଆଉ କିଛି ନାହିଁ । ବିମାତା କୈକେୟୀଙ୍କ ଷଡଯନ୍ତ୍ରରେ ରାମ ବନବାସୀ ହେଲେ ମଧ୍ୟ କୈକେୟୀଙ୍କୁ ମାତାଭାବରେ ସମ୍ମାନ ଦେବାରେ ସାମାନ୍ୟ ତ୍ରୃଟି କରିନାହାଁନ୍ତି । ଆଜିର ସମାଜରେ ରାମଭଳି ପୁଅ ମିଳିବା କଷ୍ଟକର । ସବୁ ଦେଶରେ କଳତ୍ରମାନେ ଅଛନ୍ତି ଓ ପ୍ରତିଦେଶରେ ମାତୃପକ୍ଷୀୟ ବାନ୍ଧବଗଣ ଅଛନ୍ତି । କିନ୍ତୁ ଆର୍ଯ୍ୟାବର୍ତ ଭାରତଛଡା ଆଉ ଗୋଟିଏ ଦେଶ ଏପରି ନାହିଁ ଯେଉଁଠି ଭ୍ରାତା ସହୋଦର ଅଟେ । “ଅତୋ ନ ମାନୁଷ ରାମଃ ସାକ୍ଷାନ୍ନା ନାରୟଣୋ ବ୍ୟୟଃ” । ସେ ସାଧାରଣ ମନୁଷ୍ୟ ନୁହନ୍ତି, ସେ ସାକ୍ଷାତ ନାରାୟଣ ଅଟନ୍ତି । ଲେଖି ବସିଲେ ରାମଙ୍କର ଗୁଣ ଓ ଆଦର୍ଶକୁ ନେଇ ଏକ ପୋଥି ହୋଇପାରିବ । ମାତ୍ର ତାହା ସମ୍ଭବପର ନୁହେଁ, ତେଣୁ ଶେଷରେ ଏତିକି କହିବି:- “ରାମ ବିଗ୍ରହବାନ୍ ଧର୍ମଃ” (ରାମ ଧର୍ମର ମୃତିମାନ ବିଗ୍ରହ) ନହି ତଦ୍ ଭବିତାଂ ରାଷ୍ଟ୍ରଂ ଯତ୍ର ରାମୋ ନଭୂପତିଃ ତଦ୍ ବନଂ ଭବିତା ରାଷ୍ଟ୍ରଂ ଯତ୍ର ରାମୋ ନିବସ୍ୟତି” ।ା ଅର୍ଥାତ୍ ଯେଉଁଠି ରାମ ରାଜା ନୁହଁନ୍ତି । ତାହା ରାଷ୍ଟ୍ର ହେବ ନାହିଁ । କିନ୍ତୁ ସେହି ବଣ ମଧ୍ୟ ରାଷ୍ଟ୍ର ହୋଇଯିବ, ଯେଉଁଠି ରାମ ବାସ କରିବେ । କାରଣ “ନହିଁ ରାମାତ୍ ପରୋ ଲୋକେ ବିଦ୍ୟତେ ସପ୍ତତେ ସ୍ଥିତଃ” ରାମଙ୍କଠୁ ସତ୍‌ପଥରେ ଥିବା ଆଉ କେହି ଜଣେ ଏହି ସଂସାରରେ ନାହିଁ । “ରମତେ ସର୍ବଭୂତେଷୁ ସ୍ଥାବରେଶୁ ଚରେଷୁଚ । ଅନ୍ତରାତ୍ମ ସ୍ୱରୂପେଣ ଯଚ୍ଚ ରାମେତି କଥ୍ୟତେ ।” ତେଣୁ ସ୍କନ୍ଦ ପୁରାଣରେ କୁହାଯାଇଛି ସ୍ଥାବର ଜଙ୍ଗମ ସର୍ବଭୂତରେ ଅନ୍ତରାତ୍ମା ଭାବରେ ସେ ରମଣ କରିବାରୁ ତାଙ୍କର ନାଁ ରାମ । ତେଣୁ ଏ ନଗଣ୍ୟର, ଏତିକି ଆଜିର ନେତୃବର୍ଗୀୟଙ୍କୁ ନିବେଦନ କେବଳ ଉଚ୍ଚା ମନ୍ଦିର ପ୍ରତିଷ୍ଠା କରିଦେଲେ ହେବନି ରାମଙ୍କର କିଛି ମହତ ଗୁଣ ଯାହା ପ୍ରଜାନୁରଂଜନ, ସତ୍ୟବ୍ରତୀ, ଆଦର୍ଶ ଲୋକଚରିତ୍ରକୁ ନିଜ ଜୀବନରେ ଲିଭାଇପାରିଲେ ଏଇ କଳିଯୁଗରେ ମଧ୍ୟ ରାମରାଜ୍ୟ ସମ୍ଭବ ହୋଇପାରିବ । - କିମଧିକମ୍ 

Comments