ସତରେ କଣ ଭାରତ ବିଭାଜନ ଅନିର୍ବାଯ୍ୟ ଥିଲା ?

ଅଂଶୁମାନ ମହାରଣା

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଂରେଜମାନେ ଜିତିଥିଲେ ସତ, କିନ୍ତୁ ଋଣରେ ବୁଡ଼ିଯାଇଥିଲା ବ୍ରିଟେନ । ରାଜକୋଷ ପ୍ରାୟ ଶୁନ୍ୟ, ସେନାସ୍ଥିତି ବି ପ୍ରାୟ ଖରାପ ଆଡ଼କୁ ଗତିକଲାଣି । ଅର୍ଥନୈତିକ ସ୍ତରରେ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିଲା ବ୍ରିଟେନ ଯଦିଓ ଆମେରିକା ଓ ଋଷ ପ୍ରଥମ ସ୍ଥାନରେ ଥିଲେ । ସେତେବେଳକୁ ଭାରତର ସ୍ୱାଧୀନତା ସଂଗ୍ରାମ ପ୍ରାୟ ଶେଷ ପର୍ଯ୍ୟାୟରେ । ପୂର୍ବ ସୀମାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ୍ ଫୌଜ ଆସି ପହଂଚିଯିବା ପରେ ସାରା ଭାରତରେ ସ୍ୱାଧୀନତା ସଂଗ୍ରାମ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ । ଏହି ସମୟରେ ଆଜାଦ ହିନ୍ଦ୍ ଫୌଜ ବିରୁଦ୍ଧରେ ଅଭିଯୋଗ ଚାଲିବାରୁ ଭାରତର ଜନସାଧାରଣଙ୍କ ମନରେ ଜଳୁଥାଏ ଅସନ୍ତୋଷର ନିଆଁ । ଜଳସେନା ନାବିକଙ୍କ ବିଦ୍ରୋହର ପ୍ରତିଧ୍ୱନି ସର୍ବତ୍ର ବ୍ୟାପୀ ଯାଇଥିଲା । ଏହି କାରଣରୁ ଭାରତର ଆନ୍ତରିକ ସ୍ଥିତି ବ୍ରିଟେନ ପାଇଁ ମଧ୍ୟ ସୁଖକର ନ ଥିଲା । ଏପରିକି ଭାରତଛାଡ଼ ଆନ୍ଦୋଳନ ବି ଚରମ ପର୍ଯ୍ୟାୟରେ ପହଂଚି ସାରିଥିଲା । କହିବାକୁ ଗଲେ ଶହ ଶହ ବର୍ଷର ପରାଧୀନତା ର ଶୃଙ୍ଖଳ ଭିତରେ ବନ୍ଦୀ ହୋଇ ରହିଥିବା ଭାରତବର୍ଷ ଅପେକ୍ଷା କରି ରହିଥିଲା ନିଜର ମୁକ୍ତି କୁ । ଭାରତବର୍ଷରେ ଆଉ ଅଧିକ ଦିନ ଶାସନ କରିବା ସମ୍ଭବପର ନୁହେଁ ବୋଲି ଇଂରେଜ ସରକାର ଭାରତରେ ସ୍ୱାଧୀନତା ସଂଗ୍ରାମର ଏହି ସବୁ ଗତିବିଧିରୁ ବେଶ୍ ଠଉରେଇପାରିଥିଲେ । ତେଣୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବ୍ରିଟେନ ସରକାର ବାଧ୍ୟ ହେଲେ ଦେଢଶହ ବର୍ଷର ପରାଧୀନ ଭାରତ ହାତକୁ ସ୍ୱାଧୀନତା ସମର୍ପଣ କରିବା ପାଇଁ । ହେଲେ ସେମାନେ ଭାରତ ଛାଡ଼ିବାର ଏପରି ଏକ ବାଟ ଖୋଜୁଥିଲେ, ଯାହାଦ୍ୱାରା ବ୍ରିଟେନର ଆର୍ଥିକ ତଥା ରାଜନୈତିକ ସ୍ଥିତି ଅଧିକ ସୁରକ୍ଷିତ ଓ ମଜବୁତ ହୋଇପାରିବ । ନିଜର ସାମ୍ରାଜ୍ୟବାଦୀ ପଦ୍ଧତିରେ ପୂର୍ବରୁ ଆୟରଲ୍ୟାଣ୍ଡ ଓ ସାଇପ୍ରସ କୁ ବିଭାଜନ କରିଥିବା ବ୍ରିଟିଶ ସରକାରର କୁଦୃଷ୍ଟି ପଡ଼ିଥିଲା ଭାରତବର୍ଷର ବିଶାଳ ଭୂଖଣ୍ଡ ଉପରେ । ନ୍ତ ବିଭାଜନ କର - ଶାସନ କର ନ୍ତ ନୀତିରେ ପୂର୍ବରୁ ୧୯୦୫ ରେ ଲର୍ଡ଼ କର୍ଜନଙ୍କ ପ୍ରସ୍ତାବିତ ବଙ୍ଗଭଙ୍ଗ ବିଭାଜନ ବିରୋଧରେ ସମଗ୍ର ଦେଶରେ ଆନ୍ଦୋଳନ କାରଣରୁ ବିଫଳ ହୋଇଥିଲା । ସେଥିପାଇଁ ଇଂରେଜମାନେ ନିଜ ଯୋଜନାକୁ ନିଜେ ଧୋକା ଦେଇ ଭାରତର ରାଷ୍ଟ୍ରୀୟ ନେତୃବୃନ୍ଦଙ୍କର ପ୍ରିୟପାତ୍ର ହୋଇ ବିଶ୍ୱାସଭାଜନ ହେବା ସୁତ୍ରରେ ସେମାନଙ୍କୁ କରାୟତ କରିବାକୁ ଚାହୁଁଥିଲେ । ଭାରତୀୟ ନେତୃବୃନ୍ଦଙ୍କ ସହ ବୁଝାମଣା କରିବା କରିବା ସକାଶେ ବ୍ରିଟିଶ ସରକାର ୧୯୪୬ ରେ ପଠାଇଥିବା କ୍ୟାବିନେଟ ମିଶନ ଦେଇଥିବା ପ୍ରସ୍ତାବରେ ଅସନ୍ତୁଷ୍ଟ ମହମ୍ମଦ ଅଲ୍ଲୀ ଜିନ୍ନା ଆରମ୍ଭ କରିଦେଇଥିଲା ଆନ୍ଦୋଳନ । କାରଣ ସେଥିରେ ସ୍ୱତନ୍ତ୍ର ପାକିସ୍ଥାନ ଦେଶ ପାଇଁ କୌଣସି ପ୍ରସ୍ତାବ ନ ଥିଲା । ପ୍ରକୃତରେ ଜିନ୍ନାର ଆନ୍ଦୋଳନ ଚାଲୁଥିଲା, ଦେଶ ବିଭାଜନର ଅସଲ ଖଳନାୟକ ଇଂରେଜ ପ୍ରୋତ୍ସାହନରେ । ଏହି ଭିତରେ ଇଂରେଜମାନେ ଭାରତ ଛାଡ଼ିବାର ତାରିଖ ଘୋଷଣା କରିସାରିଥିଲେ । ଯାହା ଜିନ୍ନା ଆନ୍ଦୋଳନର ମେରୁଦଣ୍ଡ ଭାଙ୍ଗିଦେଇଥିଲା । ଯେନତେନ ପ୍ରକାରେଣ ଜିନ୍ନା କୁ ଦରକାର ଥିଲା ସ୍ୱତନ୍ତ୍ର ପାକିସ୍ଥାନ ଦେଶ । କିନ୍ତୁ ସେହି ସମୟରେ ଦେଶର ସବୁ ମୁସଲମାନ ପାକିସ୍ଥାନ କୁ ସମର୍ଥନ କରିନଥିଲେ । କାରଣ ଆମେ ଯଦି ଦେଖିବା ୧୯୪୬ ର ନିର୍ବାଚନରେ ମୁସଲିମ୍ ଲିଗ୍ ର ସ୍ଥିତି ଏତେଟା ସୁଦୃଢ ନ ଥିଲା, ଯାହା ଦ୍ୱାରା ସେ ନିଜର ସ୍ୱପ୍ନର ପାକିସ୍ଥାନ ଅଂଚଳରେ ସରକାର ଗଢିପାରିବ । ମାତ୍ର ଦୁଇଟି ପ୍ରଦେଶରେ ସରକାର ଗଠନ କରିଥିବା ମୁସଲିମ୍ ଲିଗ୍ ପାଇଁ ଏହା ସହଜସାଧ୍ୟ ନ ଥିଲା । ପାକିସ୍ଥାନ କ୍ଷେତ୍ରର ଇସଲାମୀ ସ୍ୱର୍ଗ ତିଆରି କରିବାକୁ ଯାଇ ମୁସଲମାନ ମାନଙ୍କୁ ବ୍ୟବହାର କରାଯାଉଛି, ଏକଥା ଭାରତର ହିନ୍ଦୁ ବହୁଳ କ୍ଷେତ୍ରରେ ରହିଥିବା ମୁସଲମାନ ମାନେ ଭଲଭାବରେ ବୁଝି ପାରିଥିଲେ । କିନ୍ତୁ କଂଗ୍ରେସ ର ନୀତି ଜିନ୍ନାକୁ ବେଶ୍ ସୁହାଉଥିଲା । ଜିନ୍ନାକୁ ସନ୍ତୁଷ୍ଟ କରିବା ପାଇଁ ପୂର୍ଣ୍ଣ ସ୍ୱରାଜର କଥା ଭୁଲି ଯାଇଥିଲା କଂଗ୍ରେସ । ଭାରତର ମୁସଲମାନ ମାନଙ୍କର ଆଶଙ୍କା ଥିଲା ଯେ ଭାରତ ବିଭାଜନ ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ହିନ୍ଦୁ ମାନଙ୍କ ଆଗରେ ସନ୍ଦେହୀ ହୋଇ ବଂଚିବାକୁ ହେବ । ତା ଛଡ଼ା ସେମାନେ ଏହା ବି ଆଶଙ୍କା କରୁଥିଲେ ଯେ ପାକିସ୍ଥାନ ଦେଶ ଗଠନ ହୋଇଗଲେ, ହିନ୍ଦୁସ୍ଥାନ ଏହାର ପ୍ରତିଶୋଧ ନିଶ୍ଚୟ ନେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଜିନ୍ନାର ଲକ୍ଷ୍ୟ ଉପରେ ସାଧାରଣରେ ବିଶ୍ୱାସ ନ ଥିଲା । ସ୍ୱତନ୍ତ୍ର ପାକିସ୍ଥାନ ଦେଶ ପାଇଁ ଜିନ୍ନା ପ୍ରସ୍ତାବ ଦେବାର କିଛିଦିନ ପୂର୍ବରୁ ୯ ମାର୍ଚ୍ଚ ୧୯୪୦ରେ ଟାଇମ୍ ଏଣ୍ଡ ଟାଇଡ଼ ସମ୍ବାଦପତ୍ରରେ ପ୍ରକାଶିତ ଜିନ୍ନାର ଲିଖିତ ଏକ ସମ୍ପାଦକୀୟ ସ୍ତମ୍ଭରେ ସ୍ୱାଧୀନ ମୁସଲିମ ରାଜ୍ୟ ନିମନ୍ତେ କୌଣସି ପ୍ରସଙ୍ଗ ଉଲ୍ଲେଖ କରାଯାଇନଥିଲା । ସେଥିରେ କୁହାଯାଇଥିଲା ଯେ ନ୍ତ ଏହି କଥାକୁ ମାନ୍ୟତା ଦେବା ନିମନ୍ତେ ଏପରି ଏକ ସମ୍ବିଧାନ ତିଆରି ହେବା ଦରକାର, ଯେଉଁଥିରେ ଘୋଷଣା କରାଯିବ ଭାରତରେ ଦୁଇଟି ଦେଶ ଅଛି ଏବଂ ଉଭୟଙ୍କ ମାତୃଭୂମି ଏକ । ତେଣୁ ଉଭୟଙ୍କର ପ୍ରଶାସନ ସମାନ ରହିବା ଉଚିତ । ନ୍ତ ଜିନ୍ନା ଖୁସିରେ ସେଇଦିନ ନାଚି ଉଠିଥିଲା, ଯେଉଁଦିନ କଂଗ୍ରେସ ଅଖଣ୍ଡ ଭାରତର ପ୍ରତିଜ୍ଞାକୁ ଭୁଲି ଦେଶ ବିଭାଜନର ଔଚିତ୍ୟହୀନ ଦାବିକୁ ସ୍ୱୀକାର କରି ନେଇଥିଲା । ୧୯୩୦ ରେ ରାବୀ ନଦୀ କୂଳରେ କଂଗ୍ରେସ ନେଇଥବା ଅଖଣ୍ଡ ଭାରତର ସଂକଳ୍ପକୁ ବଳି ପକେଇ ଦେଇଥିଲା ଜିନ୍ନାର କୁତ୍ସିତ ମାନସିକତାର ଦାବି ପାଖରେ । ଜିନ୍ନା କରାଚୀରେ ପହଂଚି ତାର ସହକର୍ମୀ ମାନଙ୍କୁ କହିଥିଲା ନ୍ତ ମୁଁ କେବେ ବି ସ୍ୱପ୍ନରେ ଭାବିନଥିଲି ଯେ ସତରେ ଏପରି ହୋଇଯିବ । ମୁଁ ମୋ ଜୀବଦ୍ଦଶାରେ ସ୍ୱତନ୍ତ୍ର ପାକିସ୍ଥାନ ଦେଶ ଦେଖି ପାରିବି । ବର୍ତମାନ ବଙ୍ଗଭଙ୍ଗ ବିଭାଜନ ସମ୍ପର୍କରେ ଆଲୋଚନା କରାଯାଉ । ବଙ୍ଗଳା ବିଭାଜନ ନିମନ୍ତେ ତତକାଳୀନ ଭାରତର ଭାଇସରାୟ ଲର୍ଡ଼ କର୍ଜନଙ୍କ ପ୍ରସ୍ତାବିତ ବଙ୍ଗଭଙ୍ଗ ୧୯୦୫ ରେ ଘୋଷଣା ହେଲା ପରେ ସାରା ଦେଶରେ ଆନ୍ଦୋଳନ ଆରମ୍ଭ ହୋଇ ଯାଇଥିଲା । ଏହି ବିଭାଜନ କାରଣରୁ ଦେଶରେ ଦେଖାଯାଇଥିଲା ରାଜନୈତିକ ଅଶାନ୍ତି । ବଙ୍ଗଭଙ୍ଗ ଥିଲା ଲର୍ଡ଼ କର୍ଜନଙ୍କ ପ୍ରତିକ୍ରିୟାବାଦୀ ନୀତିର କୁପରିଣାମ । ବାସ୍ତବରେ ବଙ୍ଗ ବିଭାଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବଙ୍ଗାଳୀ ମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଏକତାକୁ ନଷ୍ଟ କରିବା । ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସରେ ବଙ୍ଗଭଙ୍ଗ ରାଷ୍ଟ୍ରୀୟ ଆନ୍ଦୋଳନ ଏକ ନୂତନ ମୋଡ଼ ନେଲା । ବନ୍ଦେ ମାତରମ ର ଧ୍ୱନି ବଙ୍ଗ ସୀମାକୁ ଲଙ୍ଘି ସମଗ୍ର ଦେଶର ଜାତୀୟ ଜାଗରଣର ଉଦଘୋଷ ଭାବରେ ଗୁରିତ ହେଲା । ସେହି ସମୟରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କର ଆବିର୍ଭାବ ହୋଇନଥିବାରୁ ଦେଶବ୍ୟାପୀ ଆନ୍ଦୋଳନର କର୍ଣ୍ଣଧାର ଲାଲ-ବାଲ-ପାଲ ଙ୍କ ତତ୍ୱାବଧାନରେ ୧୯୦୮ ସଂଘଟିତ ଆନ୍ଦୋଳନ ସଫଳ ହେବା ସହ ୧୯୧୧ ରେ ପୁନର୍ବାର ବଙ୍ଗଦେଶର ପୂର୍ବ ଓ ପଶ୍ଚିମ ଅଂଶ ଏକତ୍ରିତ ହୋଇଥିଲା । ଅଖଣ୍ଡ ଭାରତ ନାମରେ ୧୯୪୬ ର ନିର୍ବାଚନରେ ଭୋଟ ମାଗି ୮ଟି ପ୍ରଦେଶରେ ବିଜୟୀ ହୋଇ ମନ୍ତ୍ରୀମଣ୍ଡଳ ଗଠନ କରିଥିବା ଗାନ୍ଧିଜୀଙ୍କ ଦ୍ୱାରା ପରିଚାଳିତ କଂଗ୍ରେସ ପାଇଁ ଥିଲା ଏହା ଏକ ସୁବର୍ଣ୍ଣ ସୁଯୋଗ । ଦେଶବାସୀ କଂଗ୍ରେସ ଉପରେ ବିଶ୍ୱାସ କରି ଅଖଣ୍ଡ ଭାରତର ଦାବି ପ୍ରତି ପ୍ରଚଣ୍ଡ ସମର୍ଥନ ଦେଇଥିଲେ । କଂଗ୍ରେସ ଯଦି ଅଡ଼ି ବସିଥାନ୍ତା ତେବେ ଅକ୍ଳେଶରେ ବିନା ବିଭାଜନରେ ସ୍ୱାଧୀନ ହୋଇ ପାରିଥାନ୍ତା । କିନ୍ତୁ ହେଲା କଣ ? ଦେଶବାସୀଙ୍କ ଆଶା ଓ ଭରସାକୁ କଂଗ୍ରେସ ପାଦରେ ଦଳିଦେଇଥିଲା । କଂଗ୍ରେସ କହିଲା ଆମେ ଯଦି ବିଭାଜନକୁ ସ୍ୱୀକାର କରିବୁ ନାହିଁ ତେବେ ଦେଶରେ ଗୃହଯୁଦ୍ଧ ହୋଇଯିବ । ତେଣୁ ଗୃହଯୁଦ୍ଧରୁ ଦେଶକୁ ରକ୍ଷା କରିବା ପାଇଁ ଆମେ ଏ ବିଭାଜନକୁ ସ୍ୱୀକାର କଲୁ । ଜିନ୍ନାକୁ ସନ୍ତୁଷ୍ଟ କରିବା ପାଇଁ ପୂର୍ଣ୍ଣ ସ୍ୱରାଜର କଥା ଭୁଲି ଅଖଣ୍ଡ ଭାରତର ପ୍ରତିଜ୍ଞାକୁ ଭୁଲି ଦେଶ ବିଭାଜନର ଦାବିକୁ ସ୍ୱୀକାର କରି ନେଇଥିବା କଂଗ୍ରେସ ର ଏହି ବୟାନକୁ ସୁକ୍ଷ୍ମତାର ସହ ବିଶ୍ଳେଷଣ କଲେ ଆଧାରହୀନ ଯୁକ୍ତି ବୋଲି ସାବ୍ୟସ୍ତ ହୁଏ । ସବୁଠୁ ବଡ ପ୍ରଶ୍ନବାଚୀ ହେଲା, ଯଦି ୧୯୦୫ ର ବଙ୍ଗଭଙ୍ଗ ବିଭାଜନ ବିରୋଧରେ ଆନ୍ଦୋଳନ କରି ୧୯୧୧ ରେ ପୁନର୍ବାର ବଙ୍ଗଦେଶକୁ ଏକତ୍ରିତ କରାଯାଇ ପାରିଲା ତେବେ ୧୯୪୭ ରେ ଏପରି କଣ ହେଲା ଯେ କଂଗ୍ରେସ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲା ? ସତ୍ୟକୁ ଉପେକ୍ଷା କରି ରାଷ୍ଟ୍ର ନିର୍ମାଣର ଶାଶ୍ୱତ ସିଦ୍ଧାନ୍ତକୁ ଉପେକ୍ଷା କଲେ କିପରି ବିଷମ ପରିସ୍ଥିତି ସୃଷ୍ଟି ହୁଏ, ତାହା ଦେଖିବାକୁ ମିଳିଥିଲା ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଦିନ । ସତ୍ୟ ଓ ଅହିଂସା ନାମରେ ଲକ୍ଷ ଲକ୍ଷ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯାଇଥିଲା । ଲକ୍ଷ ଲକ୍ଷ ଲୋକ ବାସହରା ହେଲେ । ସ୍ଥିତି ଯେତେ ବି ବିକଟାଳ ହେଉନା କାହିଁକି,ତାକୁ ଟାଳିବା ପାଇଁ ଅସ୍ଥାୟୀ ବ୍ୟବସ୍ଥା ଉପରେ କଦାପି ଦେଶ ନିର୍ମାଣ ହୁଏ ନାହିଁ । ସେଇ ବ୍ୟକ୍ତି ହିଁ ରାଷ୍ଟ୍ରର ନେତୃତ୍ୱ ନେଇପାରନ୍ତି ଯିଏ କଠିନ ପରିସ୍ଥିତିରେ ମଧ୍ୟ ଅବାଂଛିତ ଲୋଭ ସମ୍ବରଣର ଇଚ୍ଛା ଶକ୍ତି ଓ କ୍ଷମତା ରଖନ୍ତି ତଥା ଲକ୍ଷ୍ୟପ୍ରାପ୍ତି ନିମନ୍ତେ ଅଟଳ ରହିଥାନ୍ତି । ଅଗଷ୍ଟ ୧୫ରେ ଜନ୍ମ ହୋଇଥିବା ମହର୍ଷି ଅରବିନ୍ଦ ପ୍ରଥମ ସ୍ୱାଧୀନତା ଦିବସ ଅବସରରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ କହିଥିଲେ ସେଦିନର ବିଭାଜନର ପୀଡ଼ା ସେତେଦିନ ଭୋଗିବାକୁ ପଡ଼ିବ ଯେତେଦିନ ପର୍ଯ୍ୟନ୍ତ ଏ ବିଭାଜନ ଶେଷ ନ ହୋଇଛି । ଦେଖିବାକୁ ଗଲେ ଯଦି କଂଗ୍ରେସ ସିଧା ସିଧା କହିଦେଇଥାନ୍ତା ଯେ ଯାହା ବି ପରିସ୍ଥିତି ଆସୁ ଆମେ ଦେଶକୁ ବିଭାଜନ କରିବାକୁ ଦେବୁ ନାହିଁ, ତେବେ ଜିନ୍ନା ପୁନର୍ବିଚାର କରିବାକୁ ବାଧ୍ୟ ହୋଇଥାନ୍ତା । ତତସହିତ କଂଗ୍ରେସ ଅଖଣ୍ଡ ଭାରତର ପ୍ରତିଶୃତି ମଧ୍ୟ ପୂରଣ କରିପାରିଥାନ୍ତା । 

Comments