-ଉମା ଶଙ୍କର ପ୍ରସାଦ
ସେ ଦିନର କଥା ଯେତେବେଳେ ପୁଣ୍ୟତ୍ମା ଗୋପବନ୍ଧୁ ଦାସ ପୁରୁଣା ବିହାର ଓଡ଼ିଶା କାଉନସିଲର ରୂପେ ଏବଂ ପରେ ଅସହଯୋଗ ଆନ୍ଦୋଳନର ନେତା ରୂପେ ଏବଂ କଂଗ୍ରେସ ସଂଗଠନର ଚାଳକ ରୂପେ ନେତୃତ୍ୱ ନେଇଥିଲେ ସେତେବେଳେ ଭାରତ ତଥା ଉତ୍କଳର ଶୋଚନୀୟ ଆର୍ଥିକ ଅବସ୍ଥା ବିଷୟରେ କେତେକ ଗଠନମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଥିଲେ । ଶିକ୍ଷିତ ଏବଂ ଗାଁ ଗହଳିର ନିରକ୍ଷର ଲୋକଙ୍କ ଭିତରେ ଏକତା ଏବଂ ସହଯୋଗ ପ୍ରତିଷ୍ଠା ପାଇଁ ତାଙ୍କର ପ୍ରେରଣା ଥିଲା ଅପୂର୍ବ ନିଦର୍ଶନ । ୧୯୧୯ ଉତ୍କଳ ସମ୍ମିଳନୀର ଚତୁର୍ଦ୍ଦଶ ଅଧିବେଶନରେ ସେ ସଭାପତି ଭାବେ ୩୪ ପୃଷ୍ଠା ବ୍ୟାପୀ ଏକ ଅଭିଭାଷଣରେ ବିଭିନ୍ନ ବିଷୟରେ ଯେଉଁ ଦୃଢ ମତ ପ୍ରକାଶ କରିଥିଲେ ସେଥିରେ ସେ ଦେଶରେ ଅନ୍ନକର ସମସ୍ୟା ଓ ମୂଲ୍ୟବୃଦ୍ଧି ସମସ୍ୟା ପ୍ରତି ସେତେବେଳେ ମଧ୍ୟ ବିଶେଷ ଦୃଷ୍ଟି ଆକର୍ଷଣ କରି କହିଥିଲେ । “ଭାଇମାନେ ଆମ୍ଭେମାନେ ଏହି ସମ୍ମିଳନୀ ମଣ୍ଡପରେ ନାନାବିଧ ଜାତୀୟ ସମସ୍ୟାର ଆଲୋଚନା କରୁଥିବା ସମୟରେ ଓଡିଶାର ଚାରିଆଡେ ଯେ ବର୍ତମାନ ଦାରୁଣ ଅନ୍ନକଷ୍ଟ ତାହା ସ୍ୱତଃ ପ୍ରାଣକୁ ଅଲୋଡିତ କରି ପକାଉଛି । ଏ ଅନ୍ନକଷ୍ଟ ପୃଥିବୀର ଚାରିଆଡେ ଅଳ୍ପାଧିକ ପରିମାଣରେ ବ୍ୟାପିଯାଇଛି । ଓଡ଼ିଶା ଭଳି ଦରିଦ୍ର ରାଜ୍ୟରେ ପ୍ରତିବର୍ଷ କିଛି ନା କିଛି ପ୍ରାକୃତିକ ବିପର୍ଯ୍ୟାୟ ଘଟି ଶସ୍ୟହାନୀ ଘଟାଉଛି । ପ୍ରତ୍ୟେକ ଜିଲ୍ଲାରୁ ଏବଂ ଗଡଜାତର ପ୍ରତ୍ୟେକ ରାଜ୍ୟରୁ କେହି ବା ସ୍ତ୍ରୀ, ପୁତ୍ର, କନ୍ୟା ଧରି ବା କେହି ପରିବାର, ଘରଦ୍ୱାର ଛାଡି ଆସାମ ଓ ଅନ୍ୟାନ୍ୟ ରାଜ୍ୟକୁ ପେଟ ବିକଳରେ ଚାଲି ଯାଉଛନ୍ତି । ଆଜି ୧୦୧ ବର୍ଷ ବିତିଯାଇଥିଲେ ମଧ୍ୟ ଭାରତର ବିଭିନ୍ନ ରାଜ୍ୟର ଲୋକ କର୍ମ ସଂସ୍ଥାନ ପେଟ ପାଇଁ ନିଜ ନିଜର ଭିଟା ମାଟି ଛାଡି ପଳାୟନ କରିବାର ପ୍ରକ୍ରିୟା ଆଜି ବି ଜାରି ରହିଛି । ବର୍ତମାନ ଆମ ଦେଶରେ ସେପରି ଶିଳ୍ପ ବାଣିଜ୍ୟର ବ୍ୟବସ୍ଥା ନାହିଁ । ଯେଉଁଥିରେ ସେମାନେ ନିଯୁକ୍ତ ହୋଇପାରିବେ । ଏହିପରି ଭାବରେ ସେତେବେଳେର ପରିସ୍ଥିତି ବିଷୟରେ ସେ ଉଲ୍ଲେଖ କରିଥିଲେ, ଆଜି ବି ସ୍ୱାଧୀନତାର ୭୩ ବର୍ଷ ପରେ ଭାରତର ଏବଂ ସ୍ୱତନ୍ତ୍ର ଉତ୍କଳର ଗାଁ ଗହଳିରେ ଠିକ୍ ସେ ଦଶା ଲାଗି ରହିଛି । ସେଦିନ ଜାତୀୟ ଜୀବନର ଉଦ୍ଦୀପନା ପାଇଁ ଜାତୀୟ କର୍ମୀମାନଙ୍କୁ ସେ ଉଦ୍ବୋଧନ ଦେଇ କହିଥିଲେ ଗ୍ରାମ ସଂଗଠନ ଆମ୍ଭମାନଙ୍କର ଜାତୀୟ ଉଦ୍ୟମର ଏକ ପ୍ରଧାନ କାର୍ଯ୍ୟ ହେବା ଉଚିତ୍ । ଆମ୍ଭମାନଙ୍କର ଜାତୀୟ ଚେଷ୍ଟା ପଲ୍ଲୀ ଅଭିମୁଖୀ ହେବା ଆବଶ୍ୟକ ବୋଲି ସବୁ ନେତା କୁହାଟ ଛାଡୁଛନ୍ତି । ଆଜି ଯଦି ଗ୍ରାମାଚଂଳରେ କିଛି ଦୈବି ଦୁର୍ବିପାକ ଘଟେ ତାକୁ ନୀରିକ୍ଷଣ କରିବା ପାଇଁ ଆମ ନେତାଠାରୁ ଉଚ୍ଚ ପଦସ୍ଥ କର୍ତାମାନେ ପୁଷ୍ପକ ବିମାନ (ଉଡା ଜାହାଜ)ରେ ଉପରୁ ତଳେ ଘଟିଥିବା ବିପର୍ଯ୍ୟାୟର ପରିଦର୍ଶନ କରୁଛନ୍ତି । ଆମ ଦେଶର ବଡ ବଡ ପଦାଧିକାରୀ ମହାମାନ୍ୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମସ୍ତେ ଯଦି ଉକ୍ତ ଅଂଚଳକୁ ଭ୍ରମଣ କରି ସ୍ୱ ଚକ୍ଷୁରେ ସେଠାକାର ବିଭସ୍ଥ ଦୃଶ୍ୟ ଦେଖନ୍ତେ ତେବେ ତାହାର କିଛି ସୁ ସମାଧାନ ହୋଇପାରନ୍ତା । ସହରର ସୁଖ ସୁବିଧା ଆଲିସାନ ବଙ୍ଗଳା ନୌକର ଚାକରର ରଙ୍ଗାରଙ୍ଗ ସେବା ସେମାନଙ୍କୁ ଗ୍ରାମାଭିମୁଖୀ ହେବା ପାଇଁ ପ୍ରତିରୋଧ କରୁଛି । ସହରର ସୁଖ ସୁବିଧାର ଟିକେ ବ୍ୟତିକ୍ରମ ସେମାନଙ୍କ ପକ୍ଷରେ ଅସହଣୀୟ । ମାତ୍ର ସଭା ସମିତିରେ ଗ୍ରାମର ଉନ୍ନତି ଦିଗରେ ଯେତେ କୁହାଟ ଛାଡିଲେ ବି ସୁଦ୍ଧା ଦେଶର ସେଥିରେ ତିଳେମାତ୍ର ଉନ୍ନତି ହୋଇନପାରେ । ଦେଶର ଉନ୍ନତି ସାଧିତ ପାଇ ପ୍ରଥମେ ଦେଶର ନାଡୀ ଚିପିବାକୁ ହେବ । ଦେଶ, ରାଜ୍ୟ, ତଥା ଗ୍ରାମାଚଂଳର ଧାତୁ ଓ ପ୍ରକୃତି ବୁଝିବାକୁ ହେବ । ଅଦ୍ୟାବଧି ଆଜିର ଶାସକ ମାନେ ଦେଶର, ରାଜ୍ୟର ପ୍ରାକୃତିକ ସମ୍ପଦ ସାଙ୍ଗେ ଠିକ୍ ଭାବେ ପରିଚିତ ହୋଇନାହାଁନ୍ତି । ତେଣୁ ଏଣୁ ତେଣୁ ଔଷଧ ଦେଲେ ଦେଶ ସୁଧୁରିବ କପରି? ଅସହଯୋଗ ଆନ୍ଦୋଳନ ପୂର୍ବରୁ ଶିକ୍ଷିତ ଓ ସାଧାରଣ ବୋଲି ଗୋଟିଏ ଭେଦ ଥିଲା । ଅସହଯୋଗ ସ୍ରୋତରେ ଏ ଉଭୟେ ଟିକେ ମିଶିଥିଲେ ସୁଦ୍ଧା ଅଦ୍ୟାବଧି ଭେଦ ଯାଇନାହିଁ । ଆଜିର ଶାସନକର୍ତା ସାଧାରଣ ଲୋକଙ୍କ ସୁଖ ଦୁଃଖରେ, ଭଲ ମନ୍ଦରେ ଏ ପର୍ଯ୍ୟନ୍ତ ଠିକ୍ ଭାବେ ନିଜକୁ ସାମିଲ କରିପାରି ନାହାଁନ୍ତି । ନିଜ ଗୋଡାଶିଆ କୁଜି ନ୍ତାଙ୍କ ହାତରେ ୫୦୦, ୧୦୦୦ ଟଙ୍କା ଫୋଫାଡି ଦେଇ ନିଜକୁ ଗରିବର ତ୍ରାଣକର୍ତା ବୋଲାଉଛନ୍ତି । ତେବେ ତଳେ ଥିବା ଲୋକମାନେ ଉପରକୁ ଉଠିବେ କିପରି । ତେଣୁ କଥାରେ ଅଛି - “ତଳୁ ଉପରକୁ ଉଠିଥିବା ଲୋକ ଜାଣିଥାଏ ତଳକଥା ଉଚ୍ଚାସନେ ରହି ଯତ୍ନ କରିଥାଏ ହାରିବାକୁ ତଳବ୍ୟଥା । ଆଜିକାଲି ସମାଜରେ ମାତ୍ର ଠିକ ତାର ଓଲଟା ତଳୁ ଉଠିଥିବା ଲୋକଟିର ମୁଣ୍ଡରେ, ବିଧାୟକ, ସାଂସଦ ତଥା ଉଚ୍ଚପଦସ୍ଥ ହାକୀମର ଗରିମା ବନ୍ଧା ହୋଇଗଲେ ସେମାନଙ୍କର ହାଃ ଭାବର ଅଦ୍ଭୂତ ପରିବର୍ତନ ଘଟିଥାଏ । ଆଉ ସେ କଦାପି ତଳକୁ ନଯାଇ ହିିଁ ଉର୍ଦ୍ଧ୍ୱମୁଖା ହୋଇଥାଏ । ତେଣୁ ବର୍ତମାନ ସମୟରେ ନେତାଠାରୁ ଜନତା ସମସ୍ତେ ସ୍ୱଦେଶ ପ୍ରତି ଆନ୍ତରିକତା ରହିବା ସହ ନିଜ ଦେଶରେ ସ୍ୱଦେଶୀ ଦ୍ରବ୍ୟର ପ୍ରଚଳନ ପାଇଁ ଚେଷ୍ଟା ଜାରି ରହିବା ଦରକାର । ସେତେବେଳେ ପଲ୍ଲୀ ସ୍ରୋତରେ ସହରକୁ ସାମିଲ କରିବାକୁ ଯାଇ ବେଳଗଡେ । ସମ୍ବିଳନୀ ବସାଇବାର ଏହାଥିଲା ଅନ୍ୟତମ ଉଦ୍ଦେଶ୍ୟ । ଆଜି ଆମେ ଦରିଦ୍ର କାହିିଁକି । ଏ ବିଷୟରେ ସେ ଦିନ ତାଙ୍କର ଗୋଟିଏ ଲେଖାରେ ଲେଖିଥିଲେ । “ବିଲାତ ପାର୍ଲିଆମେଂଟରେ ସରକାର ପକ୍ଷରୁ ଜବାବରୁ ପ୍ରକାଶ ଯେ, ୧୯୨୫ ସାଲ ପ୍ରଥମ ଦଶମାସ ମଧ୍ୟରେ ୧୦୧ କୋଟି ଟଙ୍କା ବାଣିଜ୍ୟ ଦ୍ରବ୍ୟ ବିଲାତର ଭାରତବର୍ଷକୁ ଆମଦାନୀ ହୋଇଅଛି । ଗଲା ସାଲ ଏହି ସମୟ ମଧ୍ୟରେ ୧୧୨ କୋଟି ଟଙ୍କାର ଜିନିଷ ଆମଦାନୀ ହୋଇଥିଲା । ବିଲାତ ଛଡା, ଜାପାନ, ଜର୍ମାନୀ, ଫ୍ରାନସ ଆଦିର ଏହିପରି କେତେ ଟଙ୍କାର ଜିନିଷ ଆମ ଦେଶକୁ ଆସୁଛି । ବିଦେଶୀ ବ୍ୟବସାୟୀମାନେ କିପରି କୋଟି କୋଟି ଟଙ୍କା ଏ ଦେଶର ଶୋଷି ନେଉଛନ୍ତି । ଏଥିରୁ ବୁଝାଯିବ । ବିଦେଶୀ ଛାଡି ପୁରା ସ୍ୱଦେଶୀ ନହେବା ଯାଏ, ଏ ଦେଶରେ ଦରିଦ୍ରତା ଘୁଂଚିବ ନାହିଁ । “ବାବୁଗିରି ପଛେ ଚୁଲିକି ଯାଉ, ଦେଶର କଉଡି ଦେଶରେ ଥାଉ” ଯେତେବେଳେ ନେତାଠାରୁ ଜନତା ଏ କଥା ସବୁବେଳେ ମନେରଖି ଚଳିଲେ ଏକା ବର୍ଷକେ ଦେଶର ଅବସ୍ଥା ବଦଳିଯିବ । ବିଦେଶୀ ଜିନିଷ ଭାରତକୁ ଆସିବାରୁ ଭାରତୀୟ ଶିଳ୍ପ ଆଦିର କାରଖାନା ଉଧେଇ ପାରୁନାହିଁ । ତେଣୁ ଅନେକ ଶିଳ୍ପ କାରଖାନାର ମାଲିକ ମାନେ ବିଦେଶୀ ଆମଦାନୀ ଉପରେ କର ବସାଇବା ପାଇଁ ପ୍ରାର୍ଥନା କରୁଛନ୍ତି । ଆଜି ଯେଉଁ ଚୀନକୁ ଦିନେ ଭାରତ ଖାଦ୍ୟଠୁ ଆରମ୍ଭ କରି ସମସ୍ତ ସହଯୋଗର ହାତ ବଢାଇଥିଲା । ଆଜି ସେହି ଚୀନ ବିଶ୍ୱାସ ଘାତକତା କରି ଭାରତକୁ ନିଜର ଅଧିନକୁ ଆଣିବାକୁ ଚେଷ୍ଟା କରିବା ସହ ତା ଦେଶର ଶସ୍ତା ଦ୍ରବ୍ୟର ଜାଲ ଭାରତରେ ବିଛାଇ ଦେଇଛି । ତେଣୁ ଗୋପକଙ୍କ ଆଦର୍ଶାନୁସାରେ ଆମ ଦେଶର ରତ୍ନାଗର୍ଭା ଉତ୍କଳର କୁଶଳୀ ଯନ୍ତ୍ରୀ, କରିଗର ନିଜ ଦେଶରେ ବିଦେଶୀ ଦ୍ରବ୍ୟ ଭଳି ଦ୍ରବ୍ୟ ତିଆରି କଲେ ଆମ ଦେଶରେ ସ୍ୱଦେଶୀ ପ୍ରକ୍ରିୟା ବଳବତର ରହିବ । ତେଣୁ ଆମକୁ ନିଜ ଭାଗ୍ୟକୁ ନିଜେ ଗଢି ନପାରିଲେ ଅନ୍ୟଠାରୁ ଆଶା କରିବାକୁ ହେବ । ପଣ୍ଡିତ ଗୋପବନ୍ଧୁ ସେତେବେଳେ ଦୂରଦୃଷ୍ଟିର ସହିତ ଯେଉଁ ପରାମର୍ଶ ଦେଇଥିଲେ । ଆମ ଦେଶର ସ୍ୱାଧୀନତା ସତ୍ୱେ ଦେଶର ବର୍ତମାନ ସଙ୍କଟମୟ ପରିସ୍ଥିତିରେ ଦେଶବାସୀ ଯଦି ସେହି ପନ୍ଥା ଅବଲମ୍ବନ ନକରିନ୍ତି, ଏବଂ ସ୍ୱାଧୀନ ଭାରତର ପର ରାଜ୍ୟ ତଥ୍ୟ ଦେଶ ପାଖରେ ଭିକ୍ଷୁକ ନହୋଇ ଯଦି ସ୍ୱଦେଶୀ ସୂତ୍ରରେ ଆତ୍ମନିର୍ଭର ନହୁଏ ଏବଂ ଶ୍ରମିକ ଓ ସାଧାରଣ ସମସ୍ତଙ୍କ ଭିତରେ ସହଯୋଗ ପ୍ରତିଷ୍ଠା କରି କୃଷି ଶିଳ୍ପର ବିକାଶ କ୍ଷେତ୍ରରେ ଯଦି ସମସ୍ତେ ଉତ୍ପାଦନ କାର୍ଯ୍ୟରେ ଲାଗି ନଯାନ୍ତି ତେବେ ସ୍ୱାଧୀନତା ସତ୍ୱେ ଭାରତର ଜାତୀୟତା, ନିରାପତା ଓ ସ୍ଥିତି ଯେ ରହିପାରି ନାହିଁ ଏକଥା ସମସ୍ତ ଦେଶବାସୀ ଉପଲବଧି କରିବା ଦରକାର । ସ୍ତମକାର ତଥା ସାମ୍ବାଦିକ, ଖୋର୍ଦ୍ଧା, ମୋ - ୬୩୭୦୬୭୫୫୬୨
Comments
Post a Comment