ଭାରତ ଓ ଚୀନ ସୈନିକମାନଙ୍କ ମଧ୍ୟରେ ମନୋବିଜ୍ଞାନର ପ୍ରଭେଦ

----ପ୍ରଜ୍ଞା ପଟ୍ଟନାୟକ----

ଭା ରତ ଓ ଚୀନ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ବିବାଦ ଏବେ ଚରମ ସୀମାରେ ପହଂଚିଛି । ଗଲୱାନ ଉପତ୍ୟକାରେ ଉଭୟ ସେନା ମଧ୍ୟରେ ଘଟିଥିବା ସଂଘର୍ଷରେ ୨୦ ଜଣ ଭାରତୀୟ ବୀର ଜବାନ ବଳିଦାନ ଦେଇଥିବା ବେଳେ ଚୀନରେ ଆହୁରି ଅଧିକ କ୍ଷତି ହୋଇଥିବା ଅନୁମାନ କରାଯାଉଛି, ହେଲେ ଚୀନରେ କମ୍ୟୁନିଷ୍ଟ ଶାସନ ହୋଇଥିବାରୁ ସେମାନେ ତଥ୍ୟକୁ ଲୁଚାଉଛନ୍ତି । ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉତ୍ପନ୍ନ ହୋଇଥିବା ବେଳେ ଦିନକୁ ଦିନ ଏପରି କିଛି ତଥାକଥିତ ଯୁଦ୍ଧ ରଣନୀତି ବିଶେଷଜ୍ଞ ମାନଙ୍କର ଲେଖା ସମ୍ବାଦପତ୍ରରେ ଦେଖିବାକୁ ମିଳୁଛି ଯେଉଁଥିରେ ସେମାନେ ସୈନ୍ୟବାହିନୀର ସଂଖ୍ୟା ଓ ଯୁଦ୍ଧାସ୍ତ୍ର ବିଷୟରେ ଉଲ୍ଲେଖ କରି ଚୀନ ଭାରତ ଠାରୁ ଖୁବ ଅଧିକ ଭଲ ସ୍ଥିତିରେ ଅଛି ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି । କିଛି ଟେଲିଭିଜନ ଚ୍ୟାନେଲରେ ସେମାନେ ଏହି ତଥ୍ୟକୁ କହି ଭାରତରୁ ଦୁର୍ବଳ ବୋଲି କହିବା ସହ ଭାରତୀୟ ମାନଙ୍କୁ ହତୋତ୍ସାହିତ କରିବାକୁ ଚେଷ୍ଚା କରିବାକୁ ଦେଖିବାକୁ ମିଳୁଛି । ବାସ୍ତବରେ ଦେଖିବାକୁ ଗଲେ ଚୀନ ତାର ଶତ୍ରୁ ରାଷ୍ଟ୍ରରେ ସାମ୍ବାଦିକ, ଆଙ୍କର ଓ ତଥାକଥିତ ଯୁଦ୍ଧ ରଣନୀତି ବିଶେଷଜ୍ଞ ମାନଙ୍କ ଉପରେ ପ୍ରବଳ ଧନରାଶି ଖର୍ଚ କରିଥାଏ । ଏମାନଙ୍କ ଜରିଆରେ ସେ ସଂପୃକ୍ତ ଦେଶର ସାଧାରଣ ଲୋକ ଓ ରାଜନୈତିକ ନେତୃତ୍ୱ ମନରେ ଆଶଙ୍କା, ଭୟ ଓ ଭ୍ରମ ଉତ୍ପନ୍ନ କରି ଥାଏ । ଆମେରିକା, ବ୍ରିଟେନ ପରି ଦେଶ ମାନଙ୍କରେ ଚୀନ ଏଇଥି ପାଇଁ ବିପୁଳ ରାଶି ଖର୍ଚ କରିଥିବା ପ୍ରମାଣ ମିଳି ସାରିଛି ।ସ୍ୱାଭବିକ ଭାବେ ଚୀନ ତାର ଏହି ରଣନୀତି ଭାରତରେ ମଧ୍ୟ ଲାଗୁ କରିଛି । ତେଣୁ ଏହି ତଥାକଥିତ ଯୁଦ୍ଧ ରଣନୀତି ବିଶେଷଜ୍ଞ ମାନେ ଭାରତୀୟ ମାନଙ୍କୁ ମନୋବୈଜ୍ଞାନିକ ଭାବେ ଦୁର୍ବଳ କରିବା ଚେଷ୍ଟାରେ ଲାଗିଛନ୍ତି । ଗଣତନ୍ତ୍ରର କଣ୍ଠରୋଧ କରିଥିବା କମ୍ୟୁନିଷ୍ଟ ଦେଶ ଚୀନର ମୁଖପତ୍ର ଗ୍ଲୋବାଲ ଟାଇମସ ସର୍ବଦା ନିଜ ଦେଶ ଚୀନ ର ସେନାକୁ ସବୁଠାରୁ ଶକ୍ତିଶାଳୀ ବୋଲି ଦର୍ଶାଇ ଥାଏ । ତେବେ କାଗଜ କଲମ ରେ ସଂଖ୍ୟା ଅଧିକ ହେଲେ ମଧ୍ୟ ପ୍ରକୃତରେ ଚୀନର ସେନା କେତେ ସମର୍ଥ ତାହା ସଭିଙ୍କୁ ଜଣା । ଗ୍ଲୋବାଲ ଫାୟାର ଆର୍ମସର ତଥ୍ୟ ଅନୁଯାୟୀ ଭାରତ ପାଖରେ ସକ୍ରିୟ ଜବାନଙ୍କ ସଂଖ୍ୟା ୧୪ ଲକ୍ଷ ହୋଇଥିବା ବେଳେ ଚୀନ ର ଏହି ସଂଖ୍ୟା ୨୨ ଲକ୍ଷ । ତେବେ ଭାରତ ପାଖରେ ଅଛନ୍ତି ୨୧ ଲକ୍ଷ ରିଜର୍ଭ ଜବାନ ଏବଂ ଚୀନ ପାଖରେ ୫ ଲକ୍ଷ । ତେବେ ସମୁଦାୟ ସୈନିକ ସଂଖ୍ୟା ଦେଖିଲେ ଭାରତ ପାଖରେ ୩୪ ଲକ୍ଷ ସୈନିକ ଥିବା ବେଳେ ଚୀନ ପାଖରେ ୨୭ ଲକ୍ଷ ସୈନିକ ଅଛନ୍ତି । ତେଣୁ ଏକପ୍ରକାର କହିବାକୁ ଗଲେ ଭାରତ ପଦାତିକ ସେନାରେ ସବୁଠାରୁ ଶକ୍ତିଶାଳୀ । ଭାରତ ପାଖରେ ୪୨୯୨ଟି ଯୁଦ୍ଧ ଟ୍ୟାଙ୍କ ଥିବା ବେଳେ ଚୀନ ପାଖରେ ରହିଛି ୩୪୦୦ ଟି ଟ୍ୟାଙ୍କ । ସେହିପରି ଆର୍ମଡ ଫାଇଟିଂ ଭେହିକଲ ସଂଖ୍ୟା ଭାରତରେ ୮୬୮୬ ହୋଇଥିବା ବେଳେ ଚୀନ ପାଖରେ ଅଛି ୩୩,୦୦୦ । ତେବେ ଲଦାଖ ଅଂଚଳ ପାହାଡିଆ ହୋଇଥିବାରୁ ସେଠାକୁ ଟ୍ୟାଙ୍କ ନେବା ସହଜ ନୁହେଁ । ଏବଂ ସାଧାରଣତଃ ଏହି ଅଂଚଳରେ ସେନାକୁ ହିଁ ଲଢ଼ିବାକୁ ହେବ । ତେବେ ରକେଟ ଲଂଚର ଙ୍କ ସଂଖ୍ୟାକୁ ନେଇ ଭାରତ ଅସୁବିଧାରେ ପଡିପାରେ ବୋଲି ତର୍କ ଦିଆ ଯାଉଛିା କାରଣ ଭାରତ ପାଖରେ ୨୬୬ ଟି ରକେଟ ଲଂଚର ଥିବା ବେଳେ ଚୀନ ପାଖରେ ଅଛି ୨୬୫୦ଟି । ପାହାଡିଆ ଅଂଚଳରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ବାୟୁସେନାର ହୋଇଥାଏ । ଏବଂ ଉଭୟ ଭାରତ ଓ ଚୀନର ସାମର୍ଥ୍ୟ ଏହି କ୍ଷେତ୍ରରେ ପାଖାପାଖି ସମାନ । ଭାରତ ପାଖରେ ସମୁଦାୟ ୨୧୪୧ଟି ଏୟାର କ୍ରାଫ୍ଟ ଥିବା ବେଳେ ଚୀନ ପାଖରେ ଅଛି ୩୪୪୪ଟି । ଭାରତ ପାଖରେ ଥିବା ଆପାଚ ହେଲିକପ୍ଟର ପୂର୍ବରୁ ଯୁଦ୍ଧ କୁ ସାମ୍ନା କରିଥିବା ବେଳେ ଚୀନ ର ହେଲିକପ୍ଟର କୌଣସି ଯୁଦ୍ଧ ସାମ୍ନା କରି ନାହିଁ । ଭାରତ ପାଖରେ ଅଛି ସବୁଠାରୁ ବଡ଼ ଟ୍ରାନପୋର୍ଟ ଏୟାରକ୍ରାଫ୍ଟ ଗ୍ଲୋବ ମାଷ୍ଟର । ଭାରତର ମିରାଜ ୨୦୦ ଏବଂ ସୁଖଇ ୩୦ ସବୁ ପରିସ୍ଥିତିରେ ଲଢ଼ିବାର କ୍ଷମତା ରଖିଥିବା ବେଳେ ଚୀନ ର ଜେଡ-୧୦ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିପାରିବ ନାହିଁ । ତେବେ ଚୀନ ର ନୌସେନାରେ କିନ୍ତୁ ଭାରତ ତୁଳନାରେ ଅଧିକ ଅସ୍ତ୍ରଶସ୍ତ୍ର ଅଛି । କିନ୍ତୁ ଚୀନ ର ୫୦ ପ୍ରତିଶତ ନୌସେନା ସାଉଥ ଚାଇନା ସି ରେ ରହିଥିବା ବେଳେ ସାଉଥ ଚାଇନା ସିରେ ଆମେରିକାର ଉପସ୍ଥିତି ହେତୁ କୌଣସି ପରିସ୍ଥିତିରେ ଏହାକୁ ଛାଡି ଆସିପାରିବେ ନାହିଁ ଚୀନ । ଚୀନ ନିଜର ବୋଲି କହୁଥିବା ସାଉଥ ଚାଇନା ସି ରେ ଭାରତୀୟମାନେ ୧,୫୦୦ ବର୍ଷରୁ ଅଧିକ ସମୟ ଧରି ଏହି ଜଳପଥକୁ କୁ ଯାତ୍ରା ଓ ମାଲେସିଆର କେଦା ଠାରୁ ଚାଇନାର କ୍ୱାନଜୋ ପର୍ଯ୍ୟନ୍ତ ବାଣିଜ୍ୟ ବ୍ୟବସାୟ ନିମନ୍ତେ କ୍ରମାଗତ ବ୍ୟବହାର କରୁଥିବାର ଐତିହାସିକ ଏବଂ ପ୍ରତ୍ନତାତ୍ୱିକ ପ୍ରମାଣ ଅଛି । ଚୀନ ସର୍ବଦା ନିଜ ମୁଁହରେ ନିଜ ପ୍ରଶଂସା କରିଛି, ନିଜକୁ ଶକ୍ତିଶାଳୀ ଦର୍ଶାଇ ବିପକ୍ଷକୁ ମାନସିକ ସ୍ତରରେ ହାନି ପହଂଚାଇବାର ଅପଚେଷ୍ଟା କରିଛି । ତେବେ ଭାରତୀୟ ଅଫିସର ଚୀନ ତୁଳନାରେ ଅଧିକ ଭଲଭାବେ ଲଦାଖର ପାଣିପାଗ ଓ ପାହାଡିଆ ଅଂଚଳକୁ ବୁଝୁ ଥିବା ବେଳେ ଚୀନ ଅଫିସରଙ୍କ ପାଖରେ ଏହି ଅଭିଜ୍ଞତାର ଅଭାବ ରହିଛି । ଏ ସବୁ ତ ହେଉଛି ଭାରତ ଓ ଚୀନର ସେନା, ଯୁଦ୍ଧାସ୍ତ୍ରର ତଥ୍ୟ ଓ ସଂଖ୍ୟା । ହେଲେ ଯୁଦ୍ଧ କେବଳ ସେନାର ସଂଖ୍ୟା ଓ ଯୁଦ୍ଧାସ୍ତ୍ର ଓ ଯୁଦ୍ଧର ଉପକରଣର ସଂଖ୍ୟାରେ ଲଢା ହୁଏ ନାହିଁ । ବିଜୟ ଲାଭ କରିବା ପାଇଁ ଯୁଦ୍ଧରେ ଲଢୁଥିବା ସୈନିକ ମାନଙ୍କର ମନୋବଳ, ସେମାନଙ୍କର ମନୋସ୍ଥିତି ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ । ଏଠାରେ ଗୁରୁ ନାନକ ଦେବଙ୍କର ଉକ୍ତିଟି ମନେ ପଡେ ,\" ମନ କା ହାରା ହାରେ ହେ, ମନ କେ ଜୀତେ ଜିତ । ଅର୍ଥାତ କୌଣସି ଯୁଦ୍ଧର ଯୁଦ୍ଧ ଭୂମିରେ ପରେ ବିଜୟ ହାସଲ କରାଯାଏ ,ପ୍ରଥମେ ନିଜ ମନରେ ବିଜୟ ହାସଲ କରିବା ଜରୁରୀ । ଯେଉଁ ସୈନିକ ମାନେ ମନରୁ ପରାଜିତ ସେମାନେ କେବେ ହେଲେ ଯୁଦ୍ଧ ଭୂମିରେ ବିଜୟ ହାସଲ କରି ପାରିବେ ନାହିଁ । ଚୀନ ଏହାର ଶେଷ ଯୁଦ୍ଧ ୧୯୭୯ରେ ଭିଏତ ନାମ ସହ ଲଢ଼ିଥିଲା ଏବଂ ଏଥିରେ ଚୀନ କୁ ଅଧିକ କ୍ଷତି ହୋଇଥିଲା । ଅପରପକ୍ଷରେ ଭାରତ ୧୯୯୯ରେ ଲଢ଼ିଛି ସବୁଠାରୁ କଷ୍ଟସାଧ୍ୟ କାରଗିଲ ଯୁଦ୍ଧ । ଏହା ସତ୍ୟ ଯେ ଭାରତୀୟ ସେନାରେ ଅନେକ ଅଫିସର ପଦବୀ ଖାଲି ଅଛି କିନ୍ତୁ କେବଳ ପଦବୀ ଭରିବା ପାଇଁ ଶାଗ ମାଛ ଭଳି ଅଫିସର ଚୟନ କରେ ନାହିଁ \" ଇଣ୍ଡିଆନ ଆର୍ମି \" ଯାହାକି ସ୍ପଷ୍ଟ କରୁଛି ଯେ ଇଣ୍ଡିଆନ ଆର୍ମି ସାଂଖିକ ପରିମାଣ ନୁହେଁ ବରଂ ସର୍ବଦା ଗୁଣବତାକୁ ଗୁରୁତ୍ୱ ଦେଇଛି । ତଥାପି କିଛି ଭାରତ ବିରୋଧୀ ବୁଦ୍ଧିଜୀବୀ ଅଛନ୍ତି ଯେଉଁମାନେ ସେନାର ପାରିବା ପଣିଆ ଉପରେ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି । ସେନାର କ୍ଷମତା ଓ ସାହସ ଉପରେ ପ୍ରଶ୍ନ ଉଠାଇବା ପୂର୍ବରୁ ଥରେ ଇତିହାସର ପୃଷ୍ଠା ଓଲଟାଇ ଦେଖନ୍ତୁ । ଭାରତୀୟ ବୀରଙ୍କ ବୀରତ୍ୱର ଅମର ଗାଥା ସ୍ୱର୍ଣାକ୍ଷରରେ ଲିପିବଦ୍ଧ ହୋଇଛି । ପାହାଡର ଶିଖରେ ଉପରେ ବସିଥିବା ଶତ୍ରୁର ପ୍ରରୋଚନାକୁ ଧୂଳିସାତ କରିବାକୁ ସକ୍ଷମ ହୋଇଥିଲା ସେନା । ଯଦି କେବେ ଭାରତର କ୍ଷମତା ଉପରେ ସନ୍ଦେହ ହୁଏ ତେବେ ଥରେ କ୍ୟାପଟେନ ବିକ୍ରମ ବାତ୍ରା , ମେଜର ସୌରଭ କାଳିଆ, ସୁବେଦାର ମେଜର ଯୋଗେନ୍ଦ୍ର ସିଂ ଯାଦବ ଙ୍କ ପରି ଅନେକ କାର୍ଗିଲ ଯୋଦ୍ଧାଙ୍କ ବୀରତ୍ୱକୁ ମନେ ପକାଇବେ । କେବଳ କାର୍ଗିଲ ଯୁଦ୍ଧ ନୁହେଁ ପୂର୍ବରୁ ଅନେକ ପ୍ରମାଣ ରହିଛି ଭାରତୀୟ ଇତିହାସରେ । ସଂଖ୍ୟାରେ କମ ହୋଇ ସୁଦ୍ଧା ଶତ୍ରୁକୁ ନିଜ ମନୋବଳ ଦ୍ୱାରା ଧୂଳି ଚଟାଇଛନ୍ତି ଭାରତୀୟ । ସେଥି ପାଇଁ ବୋଧ ହୁଏ ଗୁରୁ ଗୋବିନ୍ଦ ସିଂ କହିଥିଲେ “ଚିଡିୟୋଁ ସେ ମେଁ ବାଜ ଲଡାଉଁ, ଗିଦଡୋଁ କେ ମେଁ ଶେର ବନାଉଁ, ସବା ଲାଖ ସେ ଏକ ଲଡାଉଁ, ତଭି ଗୋବିନ୍ଦ ସିଂହ କହାଉଁ ” । ଅର୍ଥାତ ଗୋଟିଏ ସାଧାରଣ ପକ୍ଷୀରେ ମୁଁ ଆତ୍ମବିଶ୍ୱାସରେ ଭରି ଦେଇ ତାକୁ ବାଜ ପକ୍ଷୀ ସହ ଲଢାଇ ପାରିବି, ତେବେ ଯାଇ ମୁଁ ଗୋବିନ୍ଦ ସିଂହ ବୋଲି ନିଜକୁ ବୋଲାଇବି । ଭାରତୀୟ ସେନାର ଜବାନ ମାନେ ଗୁରୁ ଗୋବିନ୍ଦ ସିଂହଙ୍କ ପରମ୍ପରାରୁ ଆତ୍ମବିଶ୍ୱାସ ପ୍ରାପ୍ତ କରନ୍ତି । ତାଙ୍କର ମନୋବଳ ଅନ୍ୟ ଦେଶର ସୈନିକ ମାନଙ୍କର ମନୋବଳ ଠାରୁ ଢେର ଅଧିକ । ୧୯୬୭ ମସିହାରେ ନାଥୁଲା ଠାରେ ଚୀନ ଦ୍ୱାରା କରାଯାଇଥିବା ଆକ୍ରମଣ ବେଳେ ଭାରତୀୟ ଜବାନ ମାନେ ଏହାର ଉଦାହରଣ ପ୍ରସ୍ତୁତ କରି ସାରିଛନ୍ତି, ଚୀନର ସେନା ଏହାକୁ ଭଲ ଭାବେ ଜାଣେ । ଅପର ପକ୍ଷରେ ଚୀନର ସୈନିକ ମାନେ ମନୋବୈଜ୍ଞାନିକ ଦୃଷ୍ଟିରୁ ଭାରତୀୟ ଜବାନମାନଙ୍କ ଠାରୁ ଦୁର୍ବଳ ଅଛନ୍ତି । ସେମାନଙ୍କର ନିକଟରେ ମନୋବଳର ଅଭାବ ରହିଛି ଏହା ସୁସ୍ପଷ୍ଟ । ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ କିନ୍ତୁ ମନ୍ଦଚିନ୍ତା ନେଇ ଶତ୍ରୁ ଆସି ଘର କବାଟ ଠକ ଠକ କଲେ ତାକୁ ଆଲିଂଗନ କରି ଘରକୁ ମଧ୍ୟ ସ୍ୱାଗତ କରାଯାଏ ନାହିଁ । ଯୁଦ୍ଧ ନ ହେଉ ଏହା ସମସ୍ତେ ଚାହାନ୍ତି ଏବଂ ଶାନ୍ତି ପାଇଁ ସମସ୍ତ ପ୍ରୟାସ କରୁଛି ଭାରତ । ଗୁରୁ ଗୋବିନ୍ଦ ସିଂହଙ୍କ ଆଦର୍ଶରେ ଅନୁପ୍ରାଣିତ ଭାରତୀୟ ସୈନିକ ମାନେ ମନୋବୈଜ୍ଞାନିକ ଦୃଷ୍ଟିରୁ ଚୀନର ସୈନିକ ମାନଙ୍କ ଠାରୁ ଢେର ଆଗରେ, ଏହା ଚୀନ ମଧ୍ୟ ଭଲ ଭାବେ ଜାଣେ ।

Comments