ବିଶ୍ୱ ପରିବେଶ ଦିବସ ଜୁନ୍ ୫ ଉପଲକ୍ଷେ ଆମ ପରିବେଶ ଓ ଆମ ଜୀବନ



ବିପିନ ବିହାରୀ ମହାନ୍ତି



ସୂର୍ଯ୍ୟକୁ ସକଳ ଶକ୍ତିର ଆଧାର କୁହାଯାଏ । ସୂର୍ଯ୍ୟକୁ କେନ୍ଦ୍ର କରି ଘୁରୁଥିବା ଗ୍ରହମାନଙ୍କ ମଧ୍ୟରୁ ପୃଥିବୀ ଗୋଟିଏ ଗ୍ରହ ଏଠାରେ ଜଳ ତରଳ ଗ୍ୟାସମୟ ଅବସ୍ଥାରେ ଅଛି । ବିଜ୍ଞାନ କୁହେ ପ୍ରଥମେ ଜୀବଜଗତ ଏହି ଜଳରୁ ହିଁ ସୃଷ୍ଟି । ଏଇ ପୃଥିବୀ ଉପରେ କେତେ ମହାଦେଶ, ଦେଶ, ସମୁଦ୍ର, ପାହାଡ଼, ପର୍ବତ, ନଦୀନାଳ, ପ୍ରାଣୀ ଓ ଊଦ୍ଭିଦ ପରି ଜୀବଜଗତ ଅଛନ୍ତି । ଏହା ଉପରେ ଆମ ଘର । ଆମ ଘର ବାହାରେ ବିଶ୍ୱବ୍ରହ୍ମାଣ୍ଡ ଯାଏ ଯାହା ଅଛି ତାହା ଆମ ପରିବେଶ । ‘ପରିବେଶ କହିଲେ ପରିବେଷ୍ଟନ’ । ଏହା ଅର୍ଥ ଯାହା ଆମକୁ ଚାରିପଟୁ ଘେରିରହିଛି, ତାହା ହିଁ ପରିବେଶ । ପରିବେଶରୁ ପରିବାର ବା ପରିବାରରୁ ପରିବେଶ ସୃଷ୍ଟି । ଆମେ ବଂଚି ରହିବା ପାଇଁ ଯାହା ଯାହା ଦରକାର ଯଥା ଖାଦ୍ୟବସ୍ତ୍ର, ବାସଗୃହ, ଆମ ଶ୍ୱାସକ୍ରିୟା ପାଇଁ ଅମ୍ଲଜାନ, ଆମ ପିଇବା ପାଣି, ଆମକୁ ଧରି ରଖିବା ପାଇଁ ଧରିତ୍ରୀ ଆମ ସୂର୍ଯ୍ୟାଲୋକ, ସବୁ ହେଉଛି ପରିବେଶର ଅଂଶ । ପରିବେଶ ବିନା ଜୀବନ ନାହିଁ । ପରିବେଶରୁ କେବଳ ପବନକୁ ଅନୁଭବ କରୁ । ବାକି ସବୁ ଦେଖୁ । ପରିବେଶକୁ ଆମେ ଦୁଇଭାଗରେ ବିଭକ୍ତ କରୁ : ଜୈବିକ ପରିବେଶ ଓ ଅଜୈବିକ ପରିବେଶ । ଜୈବିକ ପରିବେଶ ମଧ୍ୟରେ ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜଗତ ଅନ୍ତର୍ଭୁକ୍ତ । ଯଥା ଗାଈ, ଛେଳି, ମେଣ୍ଢା, ବାଘ, ଭାଲୁ, ହାତୀ, ମଣିଷ ଇତ୍ୟାଦି ପ୍ରାଣୀ ଅଛନ୍ତି । ସେମିତି ଉଦ୍ଭିଦରେ ଘାସଠୁ ଆରମ୍ଭ କରି ବିରାଟ ଗଛ ଯାଏ ଅଛନ୍ତି । ଯେଉଁମାନଙ୍କର ଜୀବନ ନାହିଁ, ସେମାନେ ଜଡ଼ ବା ଅଜୈବ ପରିବେଶ ଅନ୍ତର୍ଗତ ଅଟନ୍ତି । ଏମାନେ ମାଟି ଗୋଡ଼ିଠୁ ଆରମ୍ଭ କରି ପାହାଡ଼, ପର୍ବତ, ଜଳ, ବାୟୁ, ସୂର୍ଯ୍ୟାଲୋକ ଏବଂ ବିଶ୍ୱବ୍ରହ୍ମାଣ୍ଡରେ ପ୍ରାଣ ନଥିବା ସମସ୍ତ ପଦାର୍ଥ ଅଟନ୍ତି । ଏହା ବାଦେ ଆଉ ଦୁଇଟି ପରିବେଶ ଅଛି : ପ୍ରାକୃତିକ ଓ କୃତ୍ରିମ ପରିବେଶ । ପ୍ରାକୃତିକ ହିଁ ଜୀବନ ଓ ଜଡ଼ ଜଗତର ସମାହାର ଅଟେ । କୃତ୍ରିମ କହିଲେ ଯାହା ମଣିଷକୃତ ଅର୍ଥାତ୍ ମଣିଷ ତା’ ଆବଶ୍ୟକତାକୁ ନେଇ ଯାହା କରେ ଯେମିତି ଗୃହକୁ ନେଇ ଗୃହ ପରିବେଶ, ସେମିତି ଶିକ୍ଷା ପାଇଁ ବିଦ୍ୟାଳୟ ପରିବେଶ । ଏମିତିରେ ମଣିଷ ତା’ ସୁବିଧା ପାଇଁ ଯାହା ଯାହା କରେ, ତାହା ହିଁ କୃତ୍ରିମ ପରିବେଶ । ଅନ୍ୟାନ୍ୟ ପରିବେଶ ମଧ୍ୟରେ ଅଛନ୍ତି ସାମାଜିକ ଓ ପ୍ରାକୃତିକ ପରିବେଶ, ସାମାଜିକ ଓ ନାଗରିକ ପରିବେଶ ଓ ସାଂସ୍କୃତିକ ପରିବେଶ ଇତ୍ୟାଦି । ପରିବେଶ କଥା ବିଚାର କଲାବେଳେ ଆମେ ଗୋଟିଏ ପଟେ ମଣିଷ ଓ ଅନ୍ୟପଟେ ତା’ ଚାରିପଟେ ଯାହା ରହିଲା ତାକୁ ନେଇ ବିଚାର କରୁ । ମଣିଷ ଓ ତା’ ପରିବାର ପରସ୍ପର ନିର୍ଭରଶୀଳ । ଗୋଟିଏ ବିନା ଆରଟି ତିଷ୍ଠିବା ସମ୍ଭବ ନୁହେଁ । ଆମେ ଏକ ଶୃଙ୍ଗ ସନ୍ତୁଳିତ ଅବସ୍ଥାରେ ବଂଚିଛେ । ପରିବେଶ ନଷ୍ଟ ହେଲେ ମଣିଷ ଜୀବନ ବିପନ୍ନ । ଏବେ କିନ୍ତୁ ପ୍ରକୃତି ବା ପରିବେଶ ପ୍ରଭାବିତ । ଆମ ଘରଠୁ ଆରମ୍ଭ କରି ବିଶ୍ୱ ବ୍ରହ୍ମାଣ୍ଡ ଯାଏଁ ପ୍ରଦୂଷଣ ବ୍ୟାପି ରହିଛି । ପ୍ରଥମରୁ ଆମ ବାସ କରୁଥିବା ଗୃହ ପରିବେଶ ଠିକ୍ ନାହିଁ । ଯାବତୀୟ ମଇଳା, ଆବର୍ଜନା, ନାଳନର୍ଦ୍ଦମାର ଅପରିଷ୍କାର ପାଣି, ପଚାସଢ଼ା ପଦାର୍ଥର ଦୁର୍ଗନ୍ଧ ଇତ୍ୟାଦି ଆମ ରୋଗର କାରଣ ହୋଇପଡିଛନ୍ତି । ଗୃହ ପରିବେଶ ପରିଷ୍କାର ବା ପରିମଳ ନାହିଁ । ଜଳର ଅନ୍ୟ ନାମ ଜୀବନ । ବେଦରେ ଲେଖା ଅଛି ‘ସଲିଳଂ ସର୍ବମ୍ ଇଦମ୍‌’ । ଏହାର ଅର୍ଥ ପୃଥିବୀରେ ଜଳ ନଥିଲେ ଜୀବଜଗତ ସୃଷ୍ଟି ହୋଇନଥାନ୍ତା । ମଣିଷ ଖାଦ୍ୟବିନା କିଛି ମାସ ବା ବର୍ଷ ବଂଚିପାରେ, ମାତ୍ର ଜଳବିନା କେଇଦିନ ବଂଚିବା ସମ୍ଭବ ନୁହେଁ । ଯେଉଁ ଜଳ ଆମର ଜୀବନ ରକ୍ଷକ ପାଲଟିଛି ଜୀବନ ଘାତକ । ଏବେ ଏହା ବିଷାକ୍ତ । ଏହାକୁ ପାନ କଲେ ଜୀବନ ନାଶ । ଜଳରେ ପେଟ୍ରୋଲିୟମ୍ ବ୍ୟବହାର କୀଟନାଶକ ବିଷର ପ୍ରୟୋଗ, ଡିଡିଟି, ସର୍ଫ, ସାବୁନ ଓ ନାଳ ନର୍ଦ୍ଦମାର ମଇଳା ପାଣି ମିଶି ଏହାକୁ ବିଷାକ୍ତ କରିପକାନ୍ତି । ଏଡାର କୁପ୍ରଭାବ ଜୀବଜଗତ ଉପରେ ପଡୁଛନ୍ତି । ଏହା ଆମର ବହୁରୋଗର କାରଣ । ପରିବେଶର ଏକ ମୂଲ୍ୟବାନ ଅଂଶ ଆମ ଜଙ୍ଗଲ । କଥାରେ ଅଛି ଜଙ୍ଗଲରେ ମଙ୍ଗଳ ଥାଏ । ଜଙ୍ଗଲ ବର୍ଷାର ଗୋଡ଼, ପଶୁପକ୍ଷୀମାନଙ୍କର ଘର, ମୃତ୍ତିକାର ସଂରକ୍ଷକ, ଅମ୍ଲଜାନ ଓ ଅଙ୍ଗାରକାମ୍ଲର ସନ୍ତୁଳନ ରକ୍ଷାକରେ । ଏହା ମଣିଷକୁ କାଠ, ବାଉଁଶ, ସବାଇ ଘାସ ଓ ଔଷଧି ଗଛ ଯୋଗାଏ । ଅଥଚ ଏବେ ପୃଥିବୀରୁ ଜଙ୍ଗଲ ନିଶ୍ଚିହ୍ନ ହେବାରେ ଲାଗିଛି । ଏଣୁ ବଢ଼ିଛି ବିଶ୍ୱତାପନ, ବରଫ ତରଳା ଇତ୍ୟାଦି । ଜଳ ପରି ବାୟୁ ବିନା ମଣିଷ ବଂଚିବ ନାହିଁ । ବାୟୁରେ ଥିବା ଅମ୍ଲଜାନ ମଣିଷର ଶ୍ୱାସକ୍ରିୟା ମାଧ୍ୟମରେ ଯାଇ ଶରୀରରେ ଯାବତୀୟ ଦହନ କାର୍ଯ୍ୟ କରେ । ଏବେ ସେ ବାୟୁରେ ଭାସମାନ ଦୂଷିତ ପଦାର୍ଥ, ରୋଗ ଜୀବାଣୁ ସୃଷ୍ଟ କଣିକା, ଗ୍ୟାସୀୟ ପଦାର୍ଥ, ଦହନଜାତ ପଦାର୍ଥ, ବିଭିନ୍ନ ତେଜସ୍କ୍ରିୟ ରଶ୍ମି ଇତ୍ୟାଦିର କୁପ୍ରଭାବ ଅଛି । ଏଥିରେ ବିଭିନ୍ନ ପ୍ରକାର ଗ୍ୟାସୀୟ ଉପାଦାନ ଭୋପାଳ ଦୁର୍ଘଟଣା ପରି ଦୁଃଖଦ ଘଟଣା ଘଟାଇଥାଆନ୍ତି । ଏକଥା ସତ୍ୟ ଯେ ମାଟିବିନା ଜୀବନ ବିପର୍ଯ୍ୟସ୍ତ । ମା’ ଓ ମାଟି ଆମକୁ ଧାରଣ ଓ ପୋଷଣର ଆଧାର । ମାଟି ହିଁ ମୃତ୍ତିକା । ପ୍ରାଣୀ ଓ ଉଦ୍ଭିଦ ସମସ୍ତେ ମୃତ୍ତିକା ଉପରେ ନିର୍ଭରଶୀଳ । ମୃତ୍ତିକାରେ ଚାଷବନ୍ଦୀ ହୁଏ । ଖାଦ୍ୟ ଫଳାଏ । ଏବେ ଏ ମୃତ୍ତିକାରେ ପ୍ରଚୁର ପରିମାଣରେ ରାସାୟନିକ ସାର ଓ କୀଟନାଶକ ବିଷ ପ୍ରୟୋଗ ହେଉଛି । ନାଳନର୍ଦ୍ଦମାର ଦୂଷିତ ଜଳ, କଳ କାରଖାନାର ଆବର୍ଜନା ମିଶ୍ରିତ ଜଳ, ଯାବତୀୟ ବର୍ଯ୍ୟବସ୍ତୁ ଯଥା - ଟିଣ, ପ୍ଲାଷ୍ଟିକ, ପଲିଥିନ୍‌, ଛିଣ୍ଡା ଟାୟାର ଓ ଟ୍ୟୁବ୍ ଗ୍ୟାରେଜମାନଙ୍କର ନିଗିଡ଼ା ତେଲ ଏସବୁ ମାଟିରେ ମିଶିଛି ଏବଂ ମାଟିକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ପ୍ରଦ୍ୟୁଷିତ କରୁଛି । ଏପଟେ ମୃତ୍ତିକା କ୍ଷୟ ଘଟୁଛି । ଉଭୟ ପ୍ରଦୂଷଣ ଓ ମୃତ୍ତିକା କ୍ଷୟ ଆମର କ୍ଷତି କରନ୍ତି । ଆମ ପରିବେଶର ଶବ୍ଦ ପ୍ରଦୂଷଣ ଅନ୍ୟ ଏକ କ୍ଷତିକାରକ । ସାଧାରଣ ବ୍ୟକ୍ତି ପାଇଁ ୮୦-୧୨୦ ଡେସିବଲ ମଧ୍ୟରେ ଧ୍ୱନି ଯଥେଷ୍ଟ । ତହିଁରୁ ଅଧିକ ବା କମ୍ କ୍ଷତିକାରକ । ଶବ୍ଦ ପ୍ରଦୂଷଣର କାରକମାନେ ହେଲେ ସ୍କୁଟର, ମଟରସାଇକେଲ, କାର୍‌, ଟେମ୍ପୁ, ଭ୍ୟାନ୍‌, ବସ୍‌, ଟ୍ରାକ୍ଟର, ଉଡ଼ାଜାହାଜ, ମହାକାଶଯାନ, ପାଣିଜାହାଜ, ପପ୍ ସଂଗୀତ, କଳକାରଖାନା ଯନ୍ତ୍ରପାତିର ଶବ୍ଦ, ବାଣମରା, ବୋମା ବିସ୍ଫୋରଣ ଇତ୍ୟାଦି । ତା’ସହିତ ପ୍ରାକୃତିକ ଘଡ଼ଘଡ଼ି ଚଡ଼ଚଡ଼ି ଅଛି ଏବଂ ଯୁଦ୍ଧକାଳୀନ ଅସ୍ତ୍ରର ବ୍ୟବହାର ଶବ୍ଦ ଅଛି । ଏମାନେ ସମସ୍ତେ ୧୨୦ ଡେସିବଲ ଠାରୁ ଅଧିକ ଶବ୍ଦ ସୃଷ୍ଟି କରନ୍ତି । ଏଣୁ କ୍ଷତିକାରକ ଅଟନ୍ତି । ସେମିତି ବାୟୁ, ଜଳ ଓ ଭୂଭାଗ ମଣିଷକୃତ କୌଣସି କାର୍ଯ୍ୟକାରଣରୁ ତାପମାତ୍ରାର ବୃଦ୍ଧି ବା ହ୍ରାସ ଦ୍ୱାରା ତାପ ପ୍ରଦୂଷଣ ଘଟେ । ତାପମାତ୍ରା ବୃଦ୍ଧିରେ ପରିବେଶ ଓ ତା’ର ଜୀବଜନ୍ତୁଙ୍କ ଉପରେ ମାରାତ୍ମକ ପ୍ରଭାବ ପକାଏ । ଏବେ ବଳାଏ ମହାକାଶ ପ୍ରଦୂଷଣ । ପୃଥିବୀ ପୃଷ୍ଠରୁ ୧୦୦୦ କି.ମି ଯାଏ ବାୟୁ ପ୍ରଦୂଷିତ ଏହା ଆମେ ଜାଣୁ । ଏହା ପରେ ମହାକାଶ । ଏହା ବାୟୁରହିତ । ଏହି ମହାଶୂନ୍ୟରେ ରକେଟ୍‌, ଉପଗ୍ରହ ଓ ମହାକାଶଯାନଙ୍କ ସ୍ଥିତି ଚଳାଚଳ ଏମାନଙ୍କ ଯନ୍ତ୍ରପାତିରେ ଇନ୍ଧନର ଦହନରୁ ଚାଳିତ । ଏମାନଙ୍କର ବିଷାକ୍ତ ଗ୍ୟାସ୍ ଓ ଭଙ୍ଗାରୁଜା ଅଂଶ ଏବେ ମହାକାଶରେ ଠୁଳ ଯେଉଁମାନେ ମହାକାଶକୁ ପ୍ରଦୂଷିତ କରନ୍ତି । ଏମିତିରେ ଆମ ଘର ପରିବେଶକୁ ବିଶ୍ୱ ବ୍ରହ୍ମାଣ୍ଡ ଯାଏଁ ପ୍ରଦୂଷିତ । ଆମେ ବଂଚିବା ତ ? ବିଜ୍ଞାନ ଅନୁସାରେ ଆମ ପୃଥିବୀ ଅତି ବେଶିରେ ୩୫୦ କୋଟି ଲୋକଙ୍କୁ ଠିକ୍ ଭାବରେ ଧାରଣ କରିପାରେ । ଏବେ ଏହା ୧୦ ଶହ କୋଟି । ପ୍ରଦୂଷଣକୁ ଜନସଂଖ୍ୟା ଚାପ ବଳାଏ । ଏସବୁ ବିଚାର କରି କୁହାଯାଇଛି ଆମ ପୃଥିବୀ ଏବେ ରୁଗ୍‌ଣ ହୋଇ ପଡ଼ିଛି ଏବଂ ସେ ତା’ର ଜରୁରୀ ନିରାକରଣ ଚାହୁଁଛି । ଆମେ ଯଦି ସଂଘବଦ୍ଧ ଭାବରେ ଏହାର ମୁକାବିଲା ପାଇଁ ହାତ ନ ମିଳାଇବା ଏ ମଣିଷ ଜାତି ଅଚିରେ ଧ୍ୱଂସ ପାଇଯିବ । ଏସବୁ ମଣିଷର ପ୍ରକୃତି ପ୍ରତି ଅତ୍ୟାଚାରର ଫଳ । ଏହାକୁ ବନ୍ଦ କରିବାକୁ ହେବ । ନୋହିଲେ ପ୍ରକୃତି ଆମକୁ ସମୁଚିତ ଶିକ୍ଷା ଦେବ । ପ୍ରଥମେ ପ୍ରକୃତି ଏବଂ ପରେ ଆମ କଥା ଆମକୁ ବିଚାର କରିବାକୁ ହେବ । ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ ବିକାଶନଗର, ଜଟଣୀ, ଖୋର୍ଦ୍ଧା, ଫୋନ୍‌୯୯୩୮୩୪୪୧୩ 

Comments