ସ୍ନାନ ପୂର୍ଣ୍ଣିମା’ - ଏକ ଅନନ୍ୟ ପରମ୍ପରା

-ପ୍ରତାପ ଚନ୍ଦ୍ର ସାହୁ
ମଣିଷ ଜୀବନରେ ଦୈନଦିନତ୍ୟ କର୍ମ ମଧ୍ୟରେ ସ୍ନାନ କର୍ମ ଥିବା ପରି ଦେବାଦେବୀଙ୍କ କ୍ଷେତ୍ରରେ ମଧ୍ୟ ଏହାର ମହତ୍ୱ ରହିଛି । ସେହିପରି ଜଗତର ନାଥ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଏବଂ ଭଉଣୀ ତଥା ସୂଦର୍ଶନଙ୍କର ମଧ୍ୟ ସ୍ନାନ ମଣ୍ଡପରେ ମହାସ୍ନାନ ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ସମୟରେ ମହାଦେବ, ଶନିଦେବ, ଭଗବାନ ବୁଦ୍ଧ ଓ ଜୈନ୍‌ଙ୍କର ମଧ୍ୟ ଶାସ୍ତ୍ରମତେ ସ୍ନାନାଦି ହୋଇଥାଏ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ଶ୍ରୀକ୍ଷେତ୍ରସ୍ଥିତ ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତୀଙ୍କୁ ପାରମ୍ପରିକ ରିତୀରେ ବେଦ ଧ୍ୱନି ସହ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ସାଧାରଣତଃ ବର୍ଷକୁ ଥରଟିଏ ପ୍ରଭୃ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ସ୍ନାନ କରିବାର ବିଧି ରହିଛି । ଏହା ରଥଯାତ୍ରା ପୂର୍ବରୁ ପାଳିତ ହେଉଥିବରୁ ଏହାକୁ ବିଧି ପୂଜା ବୋଲି କୁହାଯାଇଥାଏ । ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନ ପରି ଶ୍ରୀମନ୍ଦିରରେ କବାଟ ଫିଟା, ପାହାନ୍ତିଆ ଅବକାଶ, ଗୋପା, ବଲ୍ଲଭ, ସକାଳ ଧୁପ, ଦ୍ୱିପହର ଧୁପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପ ପାଇଁ ପହୁଡ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହୁଏ । ଏହି ଦିନ କୋଠ ସିଆଁ ସିଆଁ ମନ୍ଦିରରେ ପ୍ରବେଶ କରିନ୍ତି ଓ ପହଣ୍ଡି ପାଇଁ ଚାରମାଳ ପିନ୍ଧାଯାଏ । ପ୍ରଭୃଙ୍କର ସେନାପଟା ଏବଂ ବାହୁଟ ଲାଗିହୁଏ । ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ । ଚତୁର୍ଦ୍ଧାମୂର୍ତୀଙ୍କୁ ଦଇତାପତିମାନେ ମହଣ୍ଡି କରାଉଥିବାବେଳେ ମଦନ ମୋହନଙ୍କୁ କେବଳ ମହାଜନ ସେବକମାନେ (ବ୍ରାହ୍ମଣ) ବିଜେ କରାଇଥାନ୍ତି । ପହଣ୍ଡି ବିଜେ ସମୟରେ ସାତ ପାଚାହ ଉପରେ ଠାକୁରମାନେ ଚୁଳ, ଟାହିଆ ଲାଗି ହୁଅନ୍ତି । ଏହି ସାତ ପାହାଚ ଉପରେ ଟାହି ନାଗ ହେବା ପରେ ଦ୍ୱିତୀୟ ମଙ୍ଗଳାର୍ପଣ ହୁଏ । ତା ପରେ ବନ୍ଦାପନ ଓ ପରେ ପରେ ରାଘବ ଦାସ ମଠରୁ ଆସିଥିବା ଘଷାଲାଗି କରାଯାଏ । ତାପରେ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନ ବେଦୀକୁ ଯାଇ ନିଜର ଆସ୍ଥାନ ଉପରେ ଅବସ୍ଥାନ କରନ୍ତି । ସୁଆର ବଡୁ ଅମ୍ବୁଣିଆ ପାଣି ଛିଂଚନ୍ତି । ଗରବଡୁ ସୁବର୍ଣ୍ଣ କଳସ ଧରି ଶିତଳା ଦେବୀଙ୍କ ସମ୍ମୁଖସ୍ଥ ଓ ବର୍ଷ ତମାମ ଅବ୍ୟବହୃତ ହୋଇ ରହିଥିବା ସ୍ୱର୍ଣ୍ଣ କୂପର ଜଳଆଣନ୍ତି । ଦେବସ୍ନାନ ପୂର୍ଣ୍ଣିମାରେ ପୂର୍ବଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଥିବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ । ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହ ମଧ୍ୟରେ ଅବସ୍ଥିତ । ଏହି କୂଅଟି ସିଂହ ହିଁ ସୁରକ୍ଷିତ ରଖିଥାଏ ବର୍ଷ ସାରା । କୂଅର ବ୍ୟବହାର ବର୍ଷ ସାରା ନଥିବାରୁ ଜନ ପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ସ୍ନାନ ଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଇଥିବାବେଳେ ସ୍ନାନ ଜଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମୀଶ୍ରଣ କରାଯାଏ । ଯଜ୍ଞ ପରମ୍ପରାରେ ଏହି କୂଅକୁ ‘ପ୍ରାଣୀତାକୂପ’ ବୋଲି ମଧ୍ୟ କୁହାଯାଏ । ପ୍ରାଚୀନ କାଳରେ ମଧ୍ୟ ଓଡ଼ିଶାରେ ଛୁଆଟିଏ ଜନ୍ମ ହେଲେ ତାହାକୁ ଅଣତୁଠ ପାଣି ମିଶ୍ରଣ କରାଯାଇ ସ୍ନାନ କରିବାର ପରମ୍ପରା ରହି ଆସିଥିଲା । ଏହାଦ୍ୱାରା ଦୁଷ୍ଟ ଶକ୍ତିଙ୍କ ପ୍ରଭାବ କଅଁଳ ପିଲାଙ୍କ ଉପରେ ପଡ଼ିନଥାଏ ବିଶ୍ୱାସ କରାଯାଏ । ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ ଅଗୁରୁ, ଭଶୀର, ଗୋରଚନ, ଦେବଦାରୁ, ମୁଥା, ହରିତାଳ, ବାହାଡା, ଆମକଳୀ, ଲୋଧା, ସଂଚିଷ୍ଠା, ତାମ୍ର ପର୍ଣ୍ଣା, ସୋମପର୍ଣ୍ଣୀ ଆଦି ମିଶ୍ରିତ କରାଯାଏ । ଏହି ମହୋଷୌଧୀ ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ । ସେହି ଗନ୍ଧ ଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହ୍ମଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ମହାସ୍ନାନ କରାଯାଏ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ୩୫ ଗରା, ବଳଭ୍ରଦ ମହାପ୍ରଭୁଙ୍କୁ ୩୩ ଗରା ଜଳରେ ସ୍ନାନ କରାଯିବାର ବିଧି ରହିଥିବାବେଳେ ମା ଶୁଭଦ୍ରାଙ୍କୁ ୨୨ ଗରା ଏବଂ ପ୍ରଭୃ ସୂଦର୍ଶନଙ୍କୁ ୧୮ ଗରା ଜଳରେ ସ୍ନାନ କରାଯାଏ । ଏହାକୁ ପ୍ରତ୍ୟକ୍ଷ ଅବକାଶ କୁହାଯାଏ । ପ୍ରଭୁଙ୍କୁ ଏହି ଦିନ ସ୍ନାନ ପରେ ପରେ ଗଜାନନ ବେଶ କରାଯାଏ । ରାଘବ ଦାସ ମଠାରୁ ଦେବୀ ଶୁଭଦ୍ରାଙ୍କୁ ଫୁଲ ଚୁଳ, ଚନ୍ଦ୍ରିକା, ଓ ଛତ୍ର ଲାଗି କରାଯିବାର ବ୍ୟବସ୍ଥା ଥିଲାବେଳେ ଗୋପାଳ ତୀର୍ଥ ମଠ ତରଫରୁ ପ୍ରଭୃ ବଳଭ୍ରଦଙ୍କର ଗଜାନନ ବେଶ ଓ ସୂଦର୍ଶନଙ୍କୁ ଚକ୍ର ଲାଗି କରାଯାଏ । ଏହିଦିନ ତିନି ଧୁପ ବଦଳରେ ଏକ ଧୁପ ଦିଆଯାଏ । ତା ପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି । କିନ୍ତୁ ଫେରିନଥାନ୍ତି ରତ୍ନ ବେଦୀକୁ । ଭିତରେ କାଠ ପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବା ପରେ ତାଟି ବନ୍ଧାଯାଏ । ଏହା ପରଠାରୁ ଚତୁର୍ଦ୍ଧା ମୂର୍ତୀ ସ୍ନାନ ପୂଣ୍ଣିମା ଠାରୁ ନେତ୍ର ଉତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଯାଏଁ ଭକ୍ତଙ୍କୁ ଦର୍ଶନ ଦେଇନଥାନ୍ତି । ଏହାକୁ ଅଣସର କୁହାଯାଏ । ରଥଯାତ୍ରାରେ ଯେପରି ଗଜପତି ମହାରାଜ ରଥରେ ଛେରାପହଁରା କରିଥାନ୍ତି ସେହିଭଳି ଭାବେ କିନ୍ତୁ ଟିକେ ଭିନ୍ନ ଢଙ୍ଗରେ ସ୍ନାନ ଯାତ୍ରାରେ ବି ସ୍ନାନ ମଣ୍ଡପରେ ଛେରା ପହଁରା ହୋଇଥାଏ । ଠାକୁର ସ୍ନାନ ବେଦୀରେ ଥିବାବେଳେ ଏକ ସ୍ୱତନ୍ତ୍ର ପ୍ରକାର ଭୋଗ ବଢା ହୁଏ । ଯାହାକି ଅନ୍ୟ କେଉଁ ସମୟରେ ହୋଇନଥାଏ । ଏହି ଦିନ ସୁପକାର ସେବକ(ସୁଆର) ପିଲା ଯେଉଁମାନଙ୍କର ବ୍ରତଘର ହୋଇନଥାଏ । ସେମାନେ ଯଦି ମନ୍ଦିରରେ ସେବା କରିବାକୁ ଚାହୁଁଥାନ୍ତି ତେବେ ତାଙ୍କୁ ଏହି ସୁଯୋଗ ଏହି ଦିନ ମିଳେ । ମନ୍ଦିରର ରୋଷଶାଳାରେ ସେମାନେ ଖେଚୁଡି କିମ୍ବା ମହାପ୍ରସାଦ ପ୍ରସ୍ତୁତ କରି ଆଣି ସ୍ନାନ ବେଦୀ ଚାରିପଟେ ବାଢିଥାନ୍ତି । ସୁଆର ପିଲାଙ୍କ ଭୋଗ କଳାଠାକୁର ସ୍ନାନ ବେଦୀକରେ ଗ୍ରହଣ କରିଥାନ୍ତି । 
 ନବରଙ୍ଗପୁର ୯୪୩୭୭୮୮୮୬୦ 

Comments