ଚୀନର ପ୍ରଳାପ


ଗୋପାଳ ମହାପାତ୍ର 
ଭାରତ  ଓ ଚୀନ ମଧ୍ୟରେ ଲଦାଖ ଠାରେ ଥିବା ବାସ୍ତବିକ୍ ନିୟନ୍ତ୍ରଣ ରେଖା ନିକଟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଚୀନ ଲଦାଖ ସୀମାରେ ତାର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି ଓ ପରିସ୍ଥିତିକୁ ଅଧିକ ଜଟିଳ କରିବା ପାଇଁ ଉଦ୍ୟମ କରୁଛି । ଭାରତ ପକ୍ଷରୁ ଚୀନକୁ ସେଇ ଭାଷାରେ ଜବାବ ଦେବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବର୍ତ୍ତମାନର ଘଟଣା ପୂର୍ବର ଡ଼ୋକଲାମ ଘଟଣାକୁ ମନେପକାଇ ଦିଏ । ଡ଼ୋକଲାମ ଠାରେ ଭାରତ-ଚୀନ ସେନା ମଧ୍ୟ ମୁହାଁ ମୁହିଁ ହୋଇଥିଲେ । ଚୀନ ଏ ଭଳି ଘଟଣା ବହୁବାର କରିଛି । ଚୀନ ଯେ କେବଳ ଭାରତ ଉପରେ ଚାପ ପକାଇବା ପାଇଁ ଏଭଳି କରୁଛି ତାନୁହେଁ । ନେପାଳରେ ଥିବା ଚୀନ ସମର୍ଥକ ମାଓବାଦୀ ପାର୍ଟି ସରକାରକୁ ମତାଇ ନେପାଳ ଦ୍ୱାରା ଏକ ନୂଆ ସୀମା ବିବାଦ ମଧ୍ୟ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି ଚୀନ ଏଭଳି କରୁଛି କାହିଁକି? ଚୀନର ଏଇ ବ୍ୟବହାର ସମ୍ପର୍କରେ ଜାଣିବାକୁ ହେଲେ ଇତିହାସକୁ ଜାଣିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଙ୍କ ସମୟରେ ଭାରତ ସରକାର ଚୀନ ସରକାର ସହ ଏକ ପଞ୍ଚଶୀଳ ନୀତିକୁ ଆପଣେଇଥିଲେ । ଅନ୍ୟପକ୍ଷରେ କହିବାକୁ ଗଲେ ଏହାଥିଲା ପଞ୍ଚଶୀଳ ସନ୍ଧି । ଭାରତ ଏହାକୁ ନେଇ ଖୁସି ଥିଲା ଏପରିକି ଭାରତରେ ଚୀନ ସମର୍ଥକ କମ୍ୟୁନିଷ୍ଟ ଲବି ହିନ୍ଦ୍‌-ଚୀନ ଭାଇ ଭାଇ ସ୍ଲୋଗାନ ମଧ୍ୟ ଦେଉଥିଲେ । କିନ୍ତୁ ଚୀନ ଭିତରେ ଭିତରେ ଭାରତ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିଲା । କିନ୍ତୁ ଚୀନକୁ ବିଶ୍ୱାସ କରି ଭାରତର ତତ୍‌କାଳୀନ ନେତୃତ୍ୱ ଚୀନକୁ ମିତ୍ର ବୋଲି ଭାବିନେଇଥିଲା । କିନ୍ତୁ ଚୀନ ତାର ଅସଲ ରୁପ ଦେଖାଇଥିଲା ଓ ୧୯୬୨ରେ ଭାରତ ଉପରେ ଆକ୍ରମଣ କରିଥିଲା । ଚୀନ ସେନା ଭାରତ ସୀମାରେ ଭାରତ ଭିତରକୁ ପଶିଆସିଥିଲେ । ଯେଉଁ ଅଞ୍ଚଳକୁ ଚୀନ ପଶି ଆସିଥିଲା ସେସବୁ ହଜାର ହଜାର ହେକ୍ଟର ଭୂମି ଏବେ ଚୀନ କବ୍‌ଜାରେ ରହିଛି । ୧୯୬୨ ମସିହା ନଭେମ୍ବର ୧୪ ତାରିଖ ଦିନ ଭାରତର ସଂସଦ (ପାର୍ଲ୍ୟାମେଣ୍ଟ)ରେ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା ଓ ଚୀନ କବ୍‌ଜାରେ ଥିବା ଅଞ୍ଚଳକୁ ଫେରାଇ ଅଣାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଚୀନ କବ୍‌ଜାରେ ଥିବା ଅଞ୍ଚଳକୁ ଫେରାଇ ଆଣିବା ପ୍ରସ୍ତାବ ସିନା ସଂସଦରେ ଗୃହୀତ ହେଲା କିନ୍ତୁ ଭାରତ-ଚୀନ ଯୁଦ୍ଧରେ ଭାରତର ଭରାଜୟ ହୋଇଥିଲା ଓ ଭାରତ ଏଯାବତ୍ ଚୀନ କବ୍‌ଜାରୁ ସେ ଅଞ୍ଚଳକୁ ଛଡ଼ାଇ ଆଣି ପାରିନାହିଁ । ଚୀନ ଭାରତ ଯୁଦ୍ଧ ପରଠାରୁ ଅର୍ଥାତ୍ ୧୯୬୨ରୁ ଚୀନ ଭାରତ ସୀମା ପର୍ଯ୍ୟନ୍ତ ସଡ଼କ ଓ ଅନ୍ୟାନ୍ୟ ଗମନାଗମନ ବ୍ୟବସ୍ଥାର ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆରମ୍ଭ କଲା । କିନ୍ତୁ ଚୀନ ଯେପରି ଭାବରେ ସୀମାରେ ତାର ସ୍ଥିତିକୁ ଜାହିର କରିବାରେ ଉଦ୍ୟମ କରିଥିଲା ଭାରତ ସେପରି କରିପାରିନଥିଲା । ଏହାର ଅନେକ କାରଣ ମଧ୍ୟ ଥାଇପାରେ । ଏଥି ମଧ୍ୟରୁ ଗୋଟିଏ କାରଣ ହୁଏତ ୧୯୬୨ର ପରାଜୟ ଓ ଏହାର ମନୋବୈଜ୍ଞାନିକ ପ୍ରଭାବ ହୋଇପାରେ । ଦ୍ୱିତୀୟ କାରଣ ଦେଶରେ ଥିବା ଚୀନ ସମର୍ଥକ ଲବି ଭାରତ ଚୀନର ମୁକାବିଲା କରିବା ପାଇଁ କୌଣସି ପଦକ୍ଷେପ ନେଉ ବୋଲି ଚାହୁଁନଥିଲେ । କିନ୍ତୁ ଧିରେ ଧିରେ ସ୍ଥିତିରେ ପରିବର୍ତ୍ତନ ହେଲା ଓ ଭାରତ ନିଜର ଉତ୍ତର ସୀମାନ୍ତରେ ସଡ଼କ, ପୋଲ ଓ ଅନ୍ୟାନ୍ୟ ଗମନାଗମନ ବ୍ୟବସ୍ଥା ପାଇଁ ଆବଶ୍ୟକୀୟ ସଂରଚନା ର ନିର୍ମାଣ ଉପରେ ଗୁରୁତ୍ୱ ଦେଲା । ବିଶେଷ କରି ୨୦୧୪ରେ କେନ୍ଦ୍ରରେ ନୂଆ ସରକାର ଆସିବା ପରେ ଏସବୁ ଉପରେ ଅଧିକ ଗୁରୁତ୍ୱ ଦିଆଗଲା । ସୀମାନ୍ତରେ ଥିବା ରାସ୍ତାଘାଟର ପୁନଃବିନ୍ୟାଶ କରାଗଲା । ଏକ ଉଦାହରଣ ମାଧ୍ୟମରେ ଏକଥାକୁ ବୁଝାଇ ଦିଆଯାଇପାରିବ । ୧୯୯୭ରେ ଭାରତ ସରକାରଙ୍କ ଦ୍ୱାରା ଗଠିତ ଚାଇନା ଷ୍ଟଡ଼ି ଗୃପ୍ ଦ୍ୱାରା ଭାରତ-ଚୀନ ର ବାସ୍ତବିକ୍ ନିୟନ୍ତ୍ରଣରେଖା (ଏଲ୍‌ଏସି) ନିକଟରେ ୪୬୪୩ କିଲୋମିଟର ସଡ଼କ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହି ସଡ଼କ କୁ ଇଣ୍ଡିଆ ଚାଇନା ବର୍ଡ଼ର ରୋଡ଼ କୁହାଗଲା । ରଣନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଥିବା ଏହି ରାସ୍ତା ନିର୍ମାଣର ମୂଳ ଉଦ୍ଦେଶ୍ୟ ଥିଲା ବାସ୍ତବିକ୍ ନିୟନ୍ତ୍ରଣରେଖା ନିକଟକୁ ଭାରତୀୟ ସେନାଙ୍କର ଗତାଗତ ସହଜ କରିବା । ଏହାପରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧିନ ସରକାର ୧୯୯୯ ମସିହାରେ ଭାରତଚୀନ ସୀମାରେ ରଣନୀତି ଦୃଷ୍ଟିରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ୬୧ଟି ସଡ଼କ (ପାଖାପାଖି ୩୩୪୬ କି.ମି.) ନିର୍ମାଣ ପାଇଁ ନିଷ୍ପତ୍ତି ନେଲେ । ଏହି ସଡ଼କ ସବୁର ନିର୍ମାଣ ଦାୟୀତ୍ୱ ବର୍ଡ଼ର ରୋଡ଼ ଅର୍ଗାନାଇଜେସନକୁ ପ୍ରଦାନ କରାଗଲା । ବର୍ଡର ରୋଡ଼ ଅର୍ଗାନାଇଜେସନକୁ ଏହି ସଡ଼କ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ୨୦୦୩ ମସିହା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । କିନ୍ତୁ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ଶେଷ ନହେବାରୁ ଏହି ସମୟ ସୀମାକୁ ଦୁଇଟି ପର୍ଯ୍ୟାୟରେ ୨୦୦୬ ଓ ପରେ ୨୦୧୨ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା । ଏହି ସଡ଼କ ନିର୍ମାଣ କାର୍ଯ୍ୟ ମଧ୍ୟରୁ ୧୨ଟି ସଡ଼କର ନିର୍ମାଣ କାର୍ଯ୍ୟ ଅନ୍ୟ ଏକ ସଂସ୍ଥାକୁ ମଧ୍ୟ ଦିଆଯାଇଥିଲା । କିନ୍ତୁ ଏସବୁ ପରେ ମଧ୍ୟ ସୀମାନ୍ତରେ ନିର୍ମାଣାଧିନ ଏହି ଗୁରୁତ୍ୱପୂର୍ଣ୍ଣ ଗମନାଗମନ ପଥ ପରିଯୋଜନାର କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନଥିଲା । ୨୦୧୪ରେ କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ ଏହି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା । ଏପରିକି ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅନ୍ୟ କେତେକ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଗଲା । ଏହିସବୁ ଯୋଜନା ପାଇଁ ଆବଶ୍ୟକୀୟ ଧନରାଷି ମଧ୍ୟ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରାଗଲା ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଏସବୁ ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଗଲା । ପରିଣାମ ସ୍ୱରୂପ ସୀମାରେ ଚାଲିଥିବା ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେଲା । ସୀମାରେ ସେନାବାହିନୀର ଗତାଗତ ପାଇଁ ସଡ଼କ ନିର୍ମାଣ ଓ ବିମାନ ଅବତରଣ ବ୍ୟବସ୍ଥା କରାଯିବା ଏବଂ ଅଧିକ ସଂଖ୍ୟକ ସେନା ମୁତୟନ କରାଯିବା ସର୍ବୋପରି ସେନାବାହିନୀକୁ ଅଧିକ ଶକ୍ତିଶାଳୀ କରାଯିବା ଘଟଣାକୁ ଚୀନ ସହଜରେ ହଜମ କରିପାରୁ ନାହିଁ । ସେହି କାରଣରୁ ବିଭିନ୍ନ ସମୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରୁଛି । ଅନ୍ୟଏକ ଘଟଣା ଚୀନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ପାକ୍ ଅଧିକୃତ କାଶ୍ମୀର (ଗିଲଗିଟ୍‌) ଦେଇ ଚୀନ ବଲୁଚିସ୍ଥାନର ଗ୍ୱାଦର ବନ୍ଦର ପର୍ଯ୍ୟନ୍ତ ଚୀନ- ପାକିସ୍ଥାନ ଇକୋନୋମିକ୍ କରିଡ଼ରର ନିର୍ମାଣ କରୁଛି । ଏହି କରିଡ଼ର ପାଇଁ ବ୍ୟାପକ ଅର୍ଥ ବ୍ୟୟ କରୁଛି ଚୀନ । ଏପଟେ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇ ଦେଇଛନ୍ତି । ଏଣୁ ଚୀନ ବିଚଳିତ ହୋଇଉଠିଛି । ଏବେ ଭାରତ ସରକାରଙ୍କ ପାଣିପାଗ ବିଭାଗ ଗିଲଗିଟ୍ ଓ ବାଲତିସ୍ଥାନ ର ପାଣିପାଗ ବିଷୟରେ ସୂଚନା ପ୍ରସାରଣ କରୁଛି । ଚୀନ ମନରେ ଭୟ ଉପୁଜୁଛି ଯେ ଯଦି ଭାରତ ପାକ୍ ଅଧିକୃତ କାଶ୍ମୀରକୁ ଅକ୍ତିଆର କରିନେବ ତେବେ ଗିଲଗିଟ୍ ଓ ବାଲତିସ୍ଥାନ ଭାରତ ଅଧିନକୁ ଚାଲିଯିବ । ଏଭଳି ହେଲେ ଚୀନ ପାକିସ୍ଥାନ ଇକୋନୋମିକ୍ କରିଡର ନିର୍ମାଣ କାର୍ଯ୍ୟା ଆଉ ହୋଇପାରିବ ନାହିଁ ଓ ଏଥିପାଇଁ ଯେଉଁ ପୁି ନିବେଶ ହୋଇଛି ତାହା ବୃଥା ହୋଇଯିବ । ଏହି ଭୟ ଏବେ ଚୀନକୁ ଘାରିଛି । ଏବେ ବି ଚୀନ ସମର୍ଥକ ଲବି ଭାରତରେ ସକ୍ରିୟ ଅଛନ୍ତି । ଚୀନ ଏବେବି ଭାବୁଛି ଯେ ୧୯୬୨ ମସିହାର ସେଇ ଅବସ୍ଥା ରହିଛି । ତେଣୁ ବିଭିନ୍ନ ସମୟରେ ବିଭିନ୍ନ ହରକତ କରିବାରେ ଲାଗିଛି ଓ ଭାରତ ଉପରେ ଚାପ ସୃଷ୍ଟି ପାଇଁ ଉଦ୍ୟମ କରୁଛି । କିନ୍ତୁ ଚୀନ ଭାବିବା ଉଚିତ୍ ଯେ ଭାରତ ଆଉ ସେଇ ୧୯୬୨ର ଭାରତ ହୋଇରହିନାହିଁ । ୨୦୧୭ ମସିହାରେ ଡ଼ୋକଲାମ୍ ଠାରେ ୭୩ଦିନ କାଳ ଭାରତ ଚୀନ ସେନା ମୁହାଁମୁହିଁ ରହିଥିଲେ । ଚୀନ ସଡ଼କ ନିର୍ମାଣ କରିବାକୁ ଚାହୁଁଥିଲା ଓ ଭାରତ ତାକୁ ବିରୋଧ କରିଥିଲା । ଚୀନ ବାରମ୍ବାର ଭାରତ ଭିତରକୁ ଅନୁପ୍ରବେଶ କରିବାର ଉଦ୍ୟମ କରୁଛି । କୋରେନା ଭାଇରସକୁ ନେଇ ଏବେ ଆନ୍ତର୍ଜାତୀକସ୍ତରରେ ଚୀନ ବିରୋଧର ସମ୍ମୁଖୀନ ହେଉଛି ଓ ଚାପରେ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେରିକା ଜି.-୭ର ବିସ୍ତାର କରିବାକୁ ଚାହୁଁଛି ଓ ଭାରତକୁ ସେଥିରେ ସାମିଲ କରିବାକୁ ଚାହୁଁଛି ଏହା ମଧ୍ୟ ଚୀନ ଚାହୁଁନାହିଁ । ଇତିମଧ୍ୟରେ ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୁତ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସୀମାବିବାଦର ସମାଧାନ କଥା କହିଛନ୍ତି । କିନ୍ତୁ ଚୀନ ସମାଧାନ ଚାହୁଁ ନାହିଁ । ଚୀନ ରାଷ୍ଟ୍ରପତି ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାପାଇଁ କହିଛନ୍ତି । ଭାରତ ମଧ୍ୟ ଉଚିତ୍ ପଦକ୍ଷେପ ପାଇଁ ପ୍ରସ୍ତୁତ । ଭାରତର ଶକ୍ତି ବୃଦ୍ଧି ଓ କାଳେ ଚୀନ ପାକିସ୍ତାନ ଇକୋନୋମିକ୍ କରିଡର କାର୍ଯ୍ୟ ବାଧାପ୍ରାପ୍ତ ହେବ ସେହି ଆଶଙ୍କାରେ ଏବେ ଚୀନ ପ୍ରଳାପ କରିବାରେ ଲାଗିଛି ।

ରାମଚନ୍ଦ୍ରପୁର, ରଣପୁର, ମୋ-୯୪୩୮୪୮୫୦୯୪ 

Comments