ଓଡ଼ିଆର ଚିନ୍ତା ଓ ଚୈତନ୍ୟରେ ଶ୍ରୀ ଜଗନ୍ନାଥ



ଉମା ଶଙ୍କର ପ୍ରସାଦ 


ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଆମାନଙ୍କର ଚିନ୍ତାର ଚୈତନ୍ୟ, ମନର ମମତା, ଦେହର ଦେହ, ପ୍ରାଣର ପ୍ରାଣ, ଆତ୍ମାର ଆତ୍ମା ଏବଂ ହୃଦରାଜ୍ୟର ଏକାମାତ୍ର ଅଧୀଶ୍ୱର । ସେ ସୃଷ୍ଟି ଓ ସ୍ରଷ୍ଟ୍ରା, ସେ ପ୍ରେମ ଓ ପ୍ରେମିକ, ସେ ଜ୍ଞାନ ମଧ୍ୟରେ ଦିବ୍ୟଜ୍ଞାନ । ସବୁ ଚେଷ୍ଟାର ସଫଳ ରୂପାୟନ । ସବୁ ତପସ୍ୟାର ସିଦ୍ଧି । ସକଳ ପ୍ରାପ୍ତିର ପ୍ରାପ୍ତି, ମୁକ୍ତିର ମାର୍ଗ, ଭକ୍ତି ଓ ଭାବରେ ଗ୍ରହୀତା, ସକଳ ଐଶ୍ୱର୍ଯ୍ୟ ଓ ମୋକ୍ଷତାର ଦାତା । ଉତ୍କଳର ସାର୍ବଭୌମ ସମ୍ରାଟ୍ । ଉତ୍କଳର ଭାଗ୍ୟବିଧାତା । ତେଣୁ କବିଙ୍କ ଭାଷାରେ:- ଉତ୍କଳେ ନେତାର ନାହିଁ ପ୍ରୟୋଜନ ଉତ୍କଳର ନେତା ନିଜେ ନାରାୟଣ । । ସେ କମ୍ବୁ କଟକେ ରାଜା ସ୍ୱୟଂ ଜଗନ୍ନାଥ ଚଉବର୍ଣ୍ଣେ ଚଉବର୍ଗ ଦେବାକୁ ସମର୍ଥ । ସମଗ୍ର ବିଶ୍ୱକୁ ଓଡ଼ିଆ ମାନଙ୍କ ସର୍ବଶ୍ରେଷ୍ଠ ଅବଦାନ ହେଉଛି ଧର୍ମ ଏବଂ ଆଧ୍ୟାତ୍ମିକ ଚେତନା । ଜଗନ୍ନାଥ ସଂସ୍କୃତି ହେଉଛି ମାନବବାଦର ସଂସ୍କୃତି, ଜଗନ୍ନାଥ ହେଉଛନ୍ତି ସବୁ ଜାତି, ସବୁ ଧର୍ମ, ସବୁ ବର୍ଣ୍ଣ, ସବୁ ଗୋଷ୍ଠୀ, ସବୁ ସମ୍ପ୍ରଦାୟଠାରୁ ଉର୍ଦ୍ଧ୍ୱରେ । ସବୁ ଧର୍ମର ସମନ୍ୱୟ ତାଙ୍କଠାରେ ହିଁ ଠୁଳ ହୋଇଛି । ତିନି ଠାକୁରଙ୍କୁ ସମ୍ମୁଖରେ ଦେଖିଲେ ଓଡ଼ିଆ ଯୁକ୍ତାକ୍ଷର ଓଁ ସଦୃଶ ପ୍ରତୀୟମାନେ ହୁଅନ୍ତି, ଯାହାକି ହିନ୍ଦୁ ସନାତନ ଧର୍ମର ପ୍ରତୀକ । ପଛପଟୁ ଗାଣିତିକ ସଙ୍କେତ ମିଶାଣ ଚିହ୍ନ ଭଳି, ଯାହାକି ଖ୍ରୀଷ୍ଟଧର୍ମର ପ୍ରତୀକ । ଅଣ୍ଟାଠାରୁ ତଳକୁ ପିନ୍ଧିଥିବା ଘେର ମୁସଲମାନମାନଙ୍କ ଲୁଙ୍ଗି ଭଳି । ପୁଣି ବଡ଼ଦେଉଳର ନେତରେ ଥିବା ଚନ୍ଦ୍ରବିନ୍ଦୁର ଚିହ୍ନ ମୁସଲିମ୍ ସମ୍ପ୍ରଦାୟର ପ୍ରତୀକ । ବଳଦେବଙ୍କ ବର୍ଣ୍ଣ ଗୌରବର୍ଣ୍ଣ ଏବଂ ଉଚ୍ଚତାରେ ଅପେକ୍ଷାକୃତ ଦୀର୍ଘ ହୋଇଥିବାରୁ ସେ ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଆଦି ଶ୍ୱେତାଙ୍ଗମାନଙ୍କର ପ୍ରତିନିଧିତ୍ୱ କରୁଛନ୍ତି । ଜଗନ୍ନାଥ କୃଷ୍ଣବର୍ଣ୍ଣ ଏବଂ ଅପେକ୍ଷାକୃତ ଖର୍ବକାୟ ହୋଇଥିବାରୁ ସେ ଭାରତୀୟ ଓ ଆଫ୍ରିକୀୟମାନଙ୍କ ପ୍ରତିନିଧିତ୍ୱ କରୁଛନ୍ତି । ସେହିପରି ଦେବୀ ସୁଭଦ୍ରା ଲୋହିତ ଓ ପିତ ବର୍ଣ୍ଣ ଏବଂ କମ୍ ଉଚ୍ଚତା ବିଶିଷ୍ଟ ହୋଇଥିବାରୁ ଚୀନ୍‌, ତିବ୍ଦତ୍ ଲୋହିତାଙ୍ଗ ଓ ମୋଙ୍ଗଲିୟମାନଙ୍କ ପ୍ରତିନିଧିତ୍ୱ କରୁଛନ୍ତି ।ତେଣୁ ଜଗନ୍ନାଥ ହେଉଛନ୍ତି ସବୁ ଦେଶ ଓ ସବୁ ରାଷ୍ଟ୍ରର ଦେବତା । ସବୁ ମତ, ସବୁ ତତ୍ତ୍ୱ ଓ ସବୁପଥର ସାମ୍ୟ ସମନ୍ୱୟରେ ପରିପୂର୍ଣ୍ଣ ଲାଭ କରିଛି ଜଗନ୍ନାଥ ସଂସ୍କୃତି । ପୂଣ୍ୟଭୂମି, ଦେବ ଭୂମି ଭାରତବର୍ଷ । ଆର୍ଯ୍ୟଋଷିମାନଙ୍କ ପବିତ୍ର ବେଦଧ୍ୱନି ଓଁକାର ଧ୍ୱନିରେ ଏ ଦେଶର ମାଟି, ପାଣି , ପବନ, ପରମ ପବିତ୍ର, ଶୁଦ୍ଧ ପୂତ ଭାରତୀୟ ମହାନ୍ ସଂସ୍କୃତି, ମହାନ୍ ଐତିହ୍ୟ, ମହାନ୍ ପରମ୍ପରା ବିଶ୍ୱ ଦରବାରରେ ବନ୍ଦନୀୟ । ସମଗ୍ର ଆର୍ଯ୍ୟାବର୍ତ୍ତରେ ଉତ୍କଳ ପ୍ରଦେଶର ଉତ୍କର୍ଷତା ରହିଛି ଏବଂ ଉତ୍କଳ ମହିମାନ୍ୱିତ ହୋଇପାରିଛି ଉତ୍କଳର ରାଷ୍ଟ୍ରଦେବତା ଜଗତର ନାଥ ଜଗନ୍ନାଥଙ୍କ ପାଇଁ ଓ ଶ୍ରୀପୁରୁଷୋତ୍ତମ କ୍ଷେତ୍ରପାଇଁ । ସର୍ବଦେଶ ମଧ୍ୟେ ଶ୍ରେଷ୍ଠ ଏ ଉତ୍କଳ ଦେଶ । ପୃଥିବୀରେ ଚୂଡ଼ାମଣି ସଦୃଶ ପ୍ରକାଶ । ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଗର୍ବ, ଗୌରବ ଏବଂ ସ୍ୱାଭିମାନର ପ୍ରତୀକ, ହିନ୍ଦୁ ଜାତିର ମଥାମଣି, ଓଡ଼ିଆମାନଙ୍କ ଇଷ୍ଟ ଦେବତା, ଇଷ୍ଟ ବନ୍ଧୁ । ଓଡ଼ିଶାରେ ପ୍ରିସିଦ୍ଧି ଲାଭ କରିଥିବା ଚାରିଗୋଟି କ୍ଷେତ୍ର ମଧ୍ୟରେ (ଶଙ୍ଖକ୍ଷେତ୍ର, ଚକ୍ରକ୍ଷେତ୍ର, ଗଦାକ୍ଷେତ୍ର, ପଦ୍ମକ୍ଷେତ୍ର) କ୍ଷେତ୍ରରାଜ ପୁରୁଷୋତ୍ତମ ହେଉଛନ୍ତି କ୍ଷେତ୍ରାଧିପତି ପୁରୁଷୋତ୍ତମଙ୍କର ବାସସ୍ଥଳୀ । ସର୍ବେଷାଂ ଅପି କ୍ଷେତ୍ରାଣାଂ ରାଜା ଶ୍ରୀପୁରୁଷୋତ୍ତମ । ସର୍ବେଷାଂ ଅପି ବେଦାନାଂ ରାଜା ଶ୍ରୀପୁରୁଷୋତ୍ତମ । ପୁରୀ ହେଲା ସକଳ ପୀଠମାନଙ୍କ ମଧ୍ୟରେ ଶ୍ରେଷ୍ଠ ପୀଠ, ସକଳ ତୀର୍ଥ ମଧ୍ୟରେ ତୀର୍ଥରାଜ, ସକଳ କ୍ଷେତ୍ର ମଧ୍ୟରେ ଶ୍ରେଷ୍ଠ କ୍ଷେତ୍ର, ସବୁ ଧାମ ମଧ୍ୟରେ ମହାଧାମ, ସବୁ ମଣ୍ଡଳ ମଧ୍ୟରେ ମହାମଣ୍ଡଳ, ଆଧ୍ୟାତ୍ମିକ ସାଧନ ଓ ସିଦ୍ଧିର କେନ୍ଦ୍ର । ମୁକ୍ତିର ସ୍ଥଳୀ ଓ ମର୍ତ୍ତ୍ୟର ବୈକୁଣ୍ଠ । ଏହା ସେ ଉତ୍କଳ ପୁଣ୍ୟ ଦେହ ସ୍ଥଳୀ, ହୋଇଛନ୍ତି ଠୁଳ ଯହିଁ ତୀର୍ଥାବଳୀ । ତା’ ମଧ୍ୟେ ବିରାଜେ ପୁଣ୍ୟ ନୀଳାଚଳ, ଭାରତର ଧର୍ମ ହୃଦ ଶଦଦଳ । ଶ୍ରୀଜଗନ୍ନାଥ ହେଉଛନ୍ତି ବିସ୍ତୃତ ଭାରତ ଭୂଖଣ୍ଡର ବାସ୍ତୁପୁରୁଷ । ଦକ୍ଷିଣପୂର୍ବ କୋଣ ହେଲା ଅଗ୍ନିକୋଣ । ଏହି କୋଣରେ ଜଗନ୍ନାଥଙ୍କର ତଥା ପୃଥିବୀର ସର୍ବବୃହତ୍ ରୋଷେଇ ଘର ରହି ସମଗ୍ର ବିଶ୍ୱର ବାସ୍ତୁଶାସ୍ତ୍ରର ଭାରସାମ୍ୟ ରକ୍ଷା କରୁଛି । ଉତ୍ତର ପୂର୍ବ କୋଣ ଜଳୀୟ କୋଣ, ଯେଉଁଠାରେ କି ଜଗନ୍ନାଥଙ୍କର ଜଳାଶୟ( ସୁନାକୂଅ) ରହିଛି । ଶଙ୍ଖକ୍ଷେତ୍ରର ନାଭିଦେଶରେ ଅର୍ଥାତ୍ ଠିକ୍ କେନ୍ଦ୍ରରେ ମହାପ୍ରଭୂଙ୍କର ରତ୍ନସିଂହାସନ ବିରାଜମାନ, ଯାହାକି ଜଗନ୍ନାଥଙ୍କର ଶୟନକକ୍ଷ ବା ବେଡ୍‌ରୁମ୍ । ଶ୍ରୀମନ୍ଦିରର ଗଠନ ଶୈଳୀ ବାସ୍ତୁଶାସ୍ତ୍ର ଉପରେ ଆଧାରିତ । ନୂଆ ଘରଟିଏ କଲାବେଳେ ଓଡ଼ିଆମାନେ ଏହି ବାସ୍ତୁଶାସ୍ତ୍ରକୁ ଅନୁକରଣ କରି ଘର ତିଆରି କରିଥାଆନ୍ତି । ଓଡ଼ିଆମାନଙ୍କ ପାଇଁ ଶ୍ରୀକ୍ଷେତ୍ରର ପ୍ରତିଟି ଧୂଳିକଣା ପ୍ରଭୁ ପଦରଜ ଭଳି ପରମ ପବିତ୍ର । ବର୍ଷକେ ଅନ୍ତତଃ ଥରେ ପବିତ୍ର ଗୁଣ୍ଡିଚା ଯାତ୍ରାରେ ରଥାରୂଢ଼ ବାମନ ମୂର୍ତ୍ତିଙ୍କ ଦର୍ଶନ ନ କଲେ ଅଥବା ଅନ୍ୟ କୌଣସି ଦିନ ପୁରୀ ଯାଇ ମହୋଦଧି ଜଳରେ ସ୍ନାନ କରି ଗରୁଡ଼ ଖମ୍ବକୁ କୁଣ୍ଢାଇ ଦର୍ଶନ ନ କଲେ ଓଡ଼ିଆ ଆତ୍ମସନ୍ତୋଷ ପାଇ ନ ଥାଏ । ଶ୍ରୀଜୀଉମାନଙ୍କୁ ଦର୍ଶନ କଲାବେଳେ ଗରୁଡ଼ ଖମ୍ବକୁ କୁଣ୍ଢାଇବାର ପ୍ରଥା ଯୁଗ ଯୁଗରୁ ରହିଆସିଛି । ପହଣ୍ଡି ବେଳେ ପଣ୍ଡାମାନେ ତିନି ବିଗ୍ରହଙ୍କୁ ପଛପାଖରୁ କୁଣ୍ଢେଇ ଧରିଥାଆନ୍ତି । ଓଡ଼ିଆମାନେ ଯାହାକୁ ଭଲ ପାଆନ୍ତି, ତାକୁ ଏଇମିତି କୁଣ୍ଢେଇ ପକାନ୍ତି । ଜଗନ୍ନାଥ ହେଉଛନ୍ତି ବ୍ୟତିକ୍ରମର ଦେବତା । ସବୁ ବ୍ୟତିକ୍ରମ ତାଙ୍କରି ପାଖରେ । ସବୁ ଆଶ୍ଚର୍ଯ୍ୟ ମଧ୍ୟରେ ସେ ଆଶ୍ଚର୍ଯ୍ୟ । ବଡ଼ଦାଣ୍ଡରେ ଠିଆହୋଇ ବଡ଼ଦେଉଳର ପତିତପାବନ ବାନା ଉପରେ ଥରେ ମାତ୍ର ଆଖି ନ ପଡ଼ିଲେ ଓଡ଼ିଆଙ୍କୁ ନିଦ ଆସେନି, କାରଣ ସେ ବାନା ଏମିତି ସେମିତି ବାନା ନୁହେଁ । ପତିତପାବନ ବାନା ହେଉଛି ସତ୍ୟ, ଶାନ୍ତି, ଅହିଂସା, ସାମ୍ୟ, ମୈତ୍ରୀ ଓ ତ୍ୟାଗର ପ୍ରତୀକ । କି ହିନ୍ଦୁ, କି ମୁସଲମାନ, କି କିରସ୍ତାନୀ, କି ଜୈନ, କି ବୁଦ୍ଧ, କି ଶିଖ୍‌, କି ଶିବ,କି ଶାକ୍ତ, କି ବୈଷ୍ଣବ, କି ଗାଣପତ୍ୟ ସେ ନେତ ତଳେ ସମସ୍ତେ ସମାନ । ଏଠି ଗୋଷ୍ଠୀଗତ ସମ୍ପ୍ରଦାୟିକତାର ଭାବନାହିଁ । ଏଠି ଛୁଆଁ ଅଛୁଆଁର ହୀନ ମାନ୍ୟତା ନାହିଁ । ରାଜା ପ୍ରଜା ଧନୀ ଦରିଦ୍ର ମାନୀ, ଜ୍ଞାନୀ, ଏହି ବାନା ତଳେ ସମସ୍ତେ ସମାନ । କବିଙ୍କ ଭାଷାରେ:- ନାହିଁ ଜାତିଭେଦ ନାହିଁ ଧର୍ମଭେଦ ସାମ୍ୟମୈତ୍ରୀ ବାଣୀ ଗାଏ ଯା’ର ବେଦ । ଉତ୍କଳୀୟ ମାନଙ୍କର ସଂସ୍କୃତି ଓ ପର୍ବପର୍ବାଣୀ ସହ ଜଗନ୍ନାଥ ସଂସ୍କୃତି ଓତପ୍ରୋତଭାବେ ଜଡ଼ିତ । ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି ପର୍ବପର୍ବାଣୀ ଓ ଜଗନ୍ନାଥଙ୍କ ଷୋଡ଼ଶ ଉପଚାର ଓଡ଼ିଆ ଘରର ପ୍ରଥାନୁସାରେ ହୋଇଥାଏ । ବର୍ଷକରେ ଥରେଟିଏ ହେଲେ ବି ବନ୍ଧୁବାନ୍ଧବ, କୁଟୁମ୍ବ ପରିଜନଙ୍କ ସହିତ ଆନନ୍ଦ ବଜାରରେ ବସି ଜଗନ୍ନାଥଙ୍କ ଅବଢ଼ା ଅନ୍ନ, ଡ଼ାଲି , ବେସର, ମହୂର, ଶାଗ, ପଙ୍ଗତ ନ କଲେ ଓଡ଼ିଆମାନଙ୍କ ପେଟ ପୁରେ ନାହିଁ । ଓଡ଼ିଆର ମହାଭାଗ୍ୟ, ସିଏ ଜଗତର ନାଥ ଜଗନ୍ନାଥଙ୍କୁ ବନ୍ଧୁରୂପେ ପାଇଛି । ବନ୍ଧୁ ନୁହେ ତ ପରମବନ୍ଧୁ । ଗୁଆ ଦିଆ ନିଆରା ବନ୍ଧୁ । ରକ୍ତ ସମ୍ପର୍କର ବନ୍ଧୁ, ଦାଶିଆର ବନ୍ଧୁ, ସାଲବେଗର ବନ୍ଧୁ, ମୋର ବନ୍ଧୁ, ତୁମର ବନ୍ଧୁ, ସଭିଙ୍କର ବନ୍ଧୁ ସେ । ଯେତେଦିନ ପର୍ଯ୍ୟନ୍ତ ଆକାଶରେ ଚନ୍ଦ୍ର, ସୂର୍ଯ୍ୟ ଆତଯାତ ହେଉଥିବେ, ଓଡ଼ିଶାରେ ଦାସିଆ ବାଉରୀ ଅଥବା ଭକ୍ତ ସାଲବେଗ ପରି ଜଣେ କେହି ଭକ୍ତ ଥିବେ, ସେ ପର୍ଯ୍ୟନ୍ତ ଓଡ଼ିଆମାନଙ୍କୁ ଛାଡ଼ି ଜଗନ୍ନାଥ କେବେ ଯାଇପାରିବେ ନାହିଁ । ଭାରତେଚୋତ୍କଳଳେ ଦେଶେ ଭୂସ୍ୱର୍ଗେ ପୁରୁଷୋତ୍ତମେ । ଦାରରୂପୀ ଜଗନ୍ନାଥୋ ଭକ୍ତାନାଂ ଅଭୟପ୍ରଦ ।ା ସେହି ପ୍ରଭୁ ଶ୍ରୀଭୂଜ ପ୍ରସାରିତ କରି ଯେତେବେଳେ ସମଗ୍ର ବିଶ୍ୱଜନତାଙ୍କୁ ରଥଯାତ୍ରାରେ ଅଭୟ ପ୍ରଦାନ କରନ୍ତି, ଆସୁ ଝଡ଼, ଆସୁ ବତାସ, ଆସୁ ମହାବାତ୍ୟା, ସେଥିରେ କାହାର ତିଳେ ହେଲେ ଖାତିର ନଥାଏ । କିନ୍ତୁ, ବେଳେ ବେଳେ ଜଗନ୍ନାଥ ସଂସ୍କୃତିକୁ ନେଇ କେତେଗୁଡ଼ିଏ କତିପେୟ ବ୍ୟକ୍ତି ନିଜ ସଂସ୍କୃତିକୁ ଭୁଲୁଣ୍ଠିତ କରିବା ସହ ସନାତନ ସଂସ୍କୃତିର ପରମ୍ପରାରେ କଳଙ୍କ ଲଗାଇବା ପାଇଁ ଟିକେ ହେଲେ ଭ୍ରୁକ୍ଷେପ କରୁନାହାନ୍ତି । ସେ ଯାହା ହେଉନା କାହିଁକି ଯିଏ ଶରଣ ଦେଇଛି, ସେ ପ୍ରତ୍ୟେକ ବିପଦରୁ ସମଗ୍ର ବିଶ୍ୱକୁ ରକ୍ଷା କରିବ । ଜଗନ୍ନାଥଙ୍କ ପାଇଁ ଓଡ଼ିଶା ଆଜି ଦେବ ଭୂମି, ପୁଣ୍ୟ ଭୂମି, ସ୍ୱର୍ଗ ଠାରୁ ଗରିୟସୀ । କବିଙ୍କ ଭାଷାରେ - ମୋ ନେତ୍ରେ ଭାରତ ଶିଳା ଶାଳଗ୍ରାମ, ପ୍ରତିସ୍ଥାନ ମୋର ପ୍ରିୟ ପୁରୀ ଧାମ । ସକଳ ସଲିଳ ପଞ୍ଚତୀର୍ଥ ଜଳ, ପ୍ରତି ଧର୍ମାଳୟ ମୋର ନୀଳାଚଳ । ଭାରତର ପ୍ରତି ବୃକ୍ଷ କଳ୍ପବଟ, ପ୍ରଭୁ ଜଗନ୍ନାଥ ସର୍ବତ୍ର ପ୍ରକଟ । ଯହିଁ ଥିଲେ ମୁହଁ ଏ ମର୍ତ୍ତ୍ୟମଣ୍ଡଳେ, ଭାବିବି ମୁଁ ନିଶ୍ଚେ ଅଛି ନୀଳାଚଳେ ।ା କିମଧିକମ୍‌, ସମ୍ପାଦକ, ମାର୍ଗଦର୍ଶୀ ଭଗତ୍ ଲେନ୍‌, ଖୋର୍ଦ୍ଧା ମୋ: ୮୮୯୫୫୪୭୪୯୦

Comments