ରଥ ପରେ ବୀଜେ କାଳିଆ ରଜା



ଉମା ଶଙ୍କର ପ୍ରସାଦ

ଜଗନ୍ନାଥ ସଂସ୍କୃତି ଏକ ଚେତନା, ଯାହା ଅତୀତକୁ ସାକ୍ଷୀ ରଖି ଭବିଷ୍ୟତକୁ ଲକ୍ଷ୍ୟ ରଖି ବର୍ତ୍ତମାନ ସ୍ଥିତିକୁ ନିୟନ୍ତ୍ରଣ କରେ । ଓଡ଼ିଆର ସଂସ୍କୃତି ହିଁ ଶ୍ରୀ ଜଗନ୍ନାଥ ସଂସ୍କୃତି, ଆମ ପରମ୍ପରା ରୀତିନୀତି, ଧର୍ମଦର୍ଶନ, ସବୁକିଛିରେ ଭରପୁର ହୋଇରହିଛି ଜଗନ୍ନାଥ ଚେତନା । ଓଡ଼ିଆର ସୁଖ ଦୁଃଖର ସାଥୀ ଭାବରେ ଉଭା ହୋଇଛନ୍ତି ବଳିଆର ଭୂଜ ମହାବାହୁ ଚକାଡୋଳା । ଗୀତାର ସମନ୍ୱୟ ବାଦ ଓଡ଼ିଶାରେ ହିଁ ମୂର୍ତ୍ତିମନ୍ତ ହୋଇପାରିଛି । ଯଥା- “ଯସ୍ମାତ୍ କ୍ଷରମତି ତୋଽହଂ ଅକ୍ଷରାଦପଚୌରମ୍ ଅତୋଽସ୍ମ ଲୋକେ ବେଦେଚ ପ୍ରଥିତଃ ପୁରୁଷୋତ୍ତମଃ ।ା ଶ୍ରୀ ଜଗନ୍ନାଥ ଜାତି, ବ୍ୟକ୍ତି ବା ସମ୍ପ୍ରଦାୟ ମଧ୍ୟରେ ସୀମିତ ନୁହନ୍ତି । ସେ ସମସ୍ତିଙ୍କର ସମସ୍ତେ ତାଙ୍କର କାଳ କାଳ ଧରି ବିଭିନ୍ନ ସଭ୍ୟତା, ସଂସ୍କୃତି, ଧର୍ମ, ତତ୍ତ୍ୱର ପ୍ରତୀକ ଭାବେ ସେ ପୂଜାପାଇ ଆସୁଛନ୍ତି । ଜଗନ୍ନାଥ ଧର୍ମ ହିଁ ସନାତନ ଧର୍ମ ଓ ବିଶ୍ୱଧର୍ମର ପ୍ରତୀକ । ଯଦିଓ ଓଡ଼ିଆ ଜାତି ତା’ର ଅମୂଲ୍ୟ ବିଭବ ଭାବେ ଗ୍ରହଣ କରି ନେଇଛି ଶ୍ରୀ ଜଗନ୍ନାଥଙ୍କୁ ! ସେ କିନ୍ତୁ ନିଜର ନାମାନୁସାରେ ଓଡ଼ିଆର ନାଥ ବା ଭାରତରେ ନାଥ ନ ହୋଇ ପୂଜା ପାଉଛନ୍ତି ଜଗତର ନାଥ ଜଗନ୍ନାଥ ଭାବରେ । ଜଗନ୍ନାଥ ହେଉଛନ୍ତି ଆର୍ଯ୍ୟ ଓ ଅନାର୍ଯ୍ୟର ମିଳନ ସେତୁ । ତାଙ୍କର ହାତ ନାହିଁ, ମାତ୍ର ସମସ୍ତ ବସ୍ତୁ ଗ୍ରହଣ କରନ୍ତି । ପାଦନଥାଇ ମଧ୍ୟ ସେ ଗତିଶୀଳ । ସେଥିପାଇଁ ରାମାୟଣରେ ସନ୍ଥ ତୁଳସୀଦାସଲେଖିଛନ୍ତି - “ବିନୁପାଦ ଚଲହିଁ ଶୂନହିଁ ବିନୁକାନା କରବିନୁ କରମ କରଇ ବିଧି ନାନା ଆନନ ରହିତ ମଦନରସଭୋଗୀ ବିନୁ ବାଣୀ ବକତା ବଡ଼ଯୋଗୀ ।ା କର୍ଣ୍ଣନାହିଁ, ମାତ୍ର ସେ ଭକ୍ତମାନଙ୍କ ଅନ୍ତରର ବେଦନାକୁ ଶୁଣିପାରନ୍ତି । ତାଙ୍କ ଚକାନୟନରେ ସମଗ୍ର ବିଶ୍ୱ ପ୍ରତିଫଳିତ ହୁଏ । ସେ ସମସ୍ତଙ୍କୁ ଜାଣନ୍ତି, ମାତ୍ର ତାଙ୍କୁ କେହି ଜାଣିପାରନ୍ତି ନାହିଁ । ତେଣୁ ସେ ସବୁର ମୂଳାଧାର ପୁରୁଷୋତ୍ତମ । ଜନଚେତନାରେ ଓ ଉପାସନା ପଦ୍ଧତିରେ ଶ୍ରୀ ଜଗନ୍ନାଥ ଜଣେ ଜୀବନ୍ତ ଦେବତା ଭାବରେ ଅଭିଷ୍ଟିତ । ଜୀବନ ମନୁଷ୍ୟ ପରି ସେ ଶୟନ, ଭୋଜନ କରନ୍ତି ଓ ଆଲଟ ଚାମର ଲାଗି ହୁଅନ୍ତି । ନିତ୍ୟନୈମିତିକ ସ୍ନାନ କରନ୍ତି । ଭକ୍ତର ମନର ଭାବକୁ ଜାଣି ତାକୁ ଦର୍ଶନ ଦିଅନ୍ତି । କବିଙ୍କ ଭାଷାରେ - “ଭକତ ମନ ଭାବ ଚାହିଁ ସହସା ଦର୍ଶନ ଦିଅଇ ।ା େ ଯ ମୋତେ ଚିନ୍ତେ ଯେଉଁଭାବେ ଦର୍ଶନ ଦିଆଇ ସେ ଭାବେ ।ା” ପ୍ରଭୁଙ୍କର ବାର ମାସରେ ତେର ଯାତ୍ରାରେ କଳମୁଖରିତ ହୋଇ ଉଠେ ଶ୍ରୀକ୍ଷେତ୍ର । ଏହି ବାର ମାସର ତେର ଯାତ୍ରା ମଧ୍ୟରୁ ଶ୍ରୀ ଗୁଣ୍ଡିଚା ଯାତ୍ରା, ପତିତପାବନ ଯାତ୍ରା ବିଶ୍ୱ ପ୍ରସିଦ୍ଧ । ସଦାବେଳେ ଭକ୍ତ ତା’ର ଭଗବାନଙ୍କ ପାଖକୁ ବହୁ କଷ୍ଟ କରି ଆସିଥାଏ । ମାତ୍ରା ଆଜି ଗୁଣ୍ଡିଚା ତିଥିରେ ଜଗନ୍ନାଥ ଗଣଦେବତା ହୋଇ ନିଜେ ରତ୍ନବେଦୀରୁ ଶରଧା ବାଲି ଓ ବଡ଼ ଦାଣ୍ଡରେ ସର୍ବଧର୍ମର ପ୍ରତୀକ ରୂପେ ସବୁ ବର୍ଗର ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବ୍ୟାକୁଳ ହୋଇ ଉଠନ୍ତି । ପ୍ରଭୁଙ୍କର ସାରା ବର୍ଷର ପର୍ବପର୍ବାଣି ମଧ୍ୟରେ ସ୍ନାନ ଯାତ୍ରା, ଅଣସର, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜୟରେ ରହିଛି ଭିନ  କିଛି ସ୍ୱତନ୍ତ୍ରତା । ଯାହାକି, ବିଶ୍ୱର କୋଣ ଅନୁକୋଣରୁ ଆକର୍ଷିତ କରିଥାଏ ଭକ୍ତମାନଙ୍କର ଜନସମୁଦ୍ରକୁ ପୁରୁଷୋତ୍ତମ କ୍ଷେତ୍ରକୁ ଲୀଳାମୟଙ୍କ ଲୀଳା ଦେଖିବାକୁ । ସେହି ଲୀଳାମୟଙ୍କୁ ଶୀତଳାଙ୍କ ସାମ୍‌ନାରେ ଥିବା ସୁନା କୁଅର ପାଣି, ୧୦୮ ନୂତନ କୁମ୍ଭରେ ସେବକମାନେ ଆଣି ସେଥିରେ ଚନ୍ଦନ, ଅଗୁର, ଜବା, ହରିଦ୍ରା, ବେଣାଚର, ସୁବାସିତ ତୈଳ ଓ ଔଷଧୀୟ ଗୁଳ୍ମ ପ୍ରଭୃତି ମିଶାଇ ସ୍ନାନ ମଣ୍ଡପରେ ତିନି ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ଆଣିସାରିବା ପରେ ଜଳଲାଗି ପର୍ବ ବା ସ୍ନାନ ସମାପନ୍ନ ହୁଏ । ଗଜପତିଙ୍କ ଛେରା ପହଁରା ପରେ ବିବିଧ ବାଦ୍ୟର ମଧୁର ଝଙ୍କାର ମଧ୍ୟରେ ବିଗ୍ରହ ମାନଙ୍କୁ ହାତି ବେଶରେ ସୁସଜ୍ଜିତ କରାଯାଏ । କିମ୍ବଦନ୍ତୀ ଅନୁସାରେ ଗଣପତି ଭଟ୍ଟଙ୍କର ଅନ୍ତରର ବେଦନା ଓ ସନ୍ଦେହ ମୋଚନ କରିବା ପାଇଁ ପ୍ରଭୁଙ୍କର ଥିଲା ଏ ଗଜବଦନ ବେଶ । କଥିତ ଅଛି, ଗଣପତି ଭଟ୍ଟ ଦାରୁବ୍ରହ୍ମଙ୍କ ଦର୍ଶନ କଲେ ମାତ୍ର ମନରେ ଗ୍ଲାନିଭରା ହୃଦୟରେ ବ୍ରହ୍ମଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ସହ ଏ କେବେ ତାଙ୍କର ଆରାଧ୍ୟ ହୋଇନପାରନ୍ତି । ଏପରି ଆଶଙ୍କାରେ ଶ୍ରୀମନ୍ଦିରରୁ ଫେରିବା ସମୟରେ ହଠାତ୍ ମୁଦି ରଥଙ୍କର ସୁଲଳିତ କଣ୍ଠସ୍ୱର ଶୁଣାଗଲା । ଗଣପତି ଭଟ୍ଟ ଦାରୁବ୍ରହ୍ମଙ୍କୁ ଦର୍ଶନ କଲେ ସତ; ମାତ୍ର ତାଙ୍କର ଗଜବଦନ ନ ଥିବାରୁ ତାଙ୍କ ମନରେ ସନ୍ଦେହ ଆସିଲା । ଏ କେବେ ବ୍ରହ୍ମ ହୋଇ ନ ପାରନ୍ତି । ଏହି କଥା ଚିନ୍ତାକରି ବିରସ ମନରେ ଫେରୁ ଫେରୁ ତାଙ୍କୁ ଶୁଣାଗଲା ମୁଦିରଥଙ୍କର ସେହି ସୁଲଳିତ କଣ୍ଠସ୍ୱର - ଭକତ ଜନ ପ୍ରାଣବନ୍ଧୁ । ନାମ କରୁଣାମୟ ସିନ୍ଧୁ ଯେ ଯାହା ବାଞ୍ଛା କରେ ଚିତ୍ତେ । ତାହାକୁ ତାହା ଦେବା ଅର୍ଥେ । ବିଜୟ ନୀଳାଚଳ ଗିରି । ଶ୍ରୀଦାରୁବ୍ରହ୍ମ ରୂପ ଧରି । ତାହାଙ୍କୁ ଛାଡ଼ି ମୂଢ଼ପଣେ । ଲେଉଟି ଯାଉ କି କାରଣେ । ମୁଦିରଥଙ୍କର ଏପରି ଘୋଷଣାରେ ତଟସ୍ଥ ହୋଇଥିଲେ ଭଟ୍ଟ ଗଣପତି । ମନକୁ ଶାନ୍ତ କରି ଭାବିଥିଲେ ଭକ୍ତ ପାଇଁ ଭଗବାନ ତାଙ୍କ ଲିଳାର ବିଧାନକୁ ବହୁ ସମୟରେ ଓଲଟ ପାଲଟ କରି ଦେଇଥାନ୍ତି । କେତେବେଳେ ଭକ୍ତି ଜଳରେ ସିକ୍ତ ହୋଇ ଭକ୍ତ ଦାସିଆର ଶ୍ରୀଫଳ ଗ୍ରହଣ କରନ୍ତି, ବନ୍ଧୁ ମହାନ୍ତିଙ୍କ ପାଇଁ ବନ୍ଧୁର କାର୍ଯ୍ୟ ତୁଲାଇ ଦିଅନ୍ତି, ଜୟଦେବ ରୂପ ଧରି ଗୀତଗୋବିନ୍ଦ ସମ୍ପୂର୍ଣ୍ଣ କରନ୍ତି ଆଜି ଠିକ୍ ସେହିପରି ଗଣପତି ଭଟ୍ଟଙ୍କ ମନରେ ଦିବ୍ୟ ସାତ୍ତ୍ୱିକ ଭାବକୁ ଜାଗ୍ରତ କରାଇ ଦର୍ଶନ ଦେଇଥିଲେ ତାଙ୍କର ଅଭିଳଷିତ ଗଜବଦନ ରୂପରେ । ଯଥା- “ଦେଖିଲେ ପ୍ରଭୁ ଭଗବାନ । ହୋଇଅଛନ୍ତି ଗଜାନନ ।ା ଲମ୍ବି ଅଛଇ ଥୋର ହସ୍ତ । ଶୋଭା ଦିଶଇ ଏକଦନ୍ତ ।ା ଏଭଳି ରୂପ ଦର୍ଶନରେ ଘଟଙ୍କର ହୃଦୟ ତନ୍ତ୍ରିରୁ ଝଙ୍କୃତ ହୋଇଥିଲା ପ୍ରାର୍ଥନାର ଝଙ୍କାର । ନମୋ ନମସ୍ତେ ଗଜାନନ । ନମସ୍ତେ କପିଳ ମୋଦନ ।ା ତ ବ ଦର୍ଶନେ ଦାରୁବ୍ରହ୍ମ । ତୁଟିଲା ମୋର ମତିଭ୍ରମ ।ା ସେହିଦିନର ସ୍ମାରକୀ ରୂପେ ଅଦ୍ୟାବଧି ସ୍ନାନଯାତ୍ରା ଅବସରରେ ପ୍ରଭୁ ଭକ୍ତଙ୍କ ପାଇଁ ଗଜବଦନ ରୂପକୁ ଧାରଣ କରି ଲୀଳା କରନ୍ତି । ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଦାରବ୍ରହ୍ମଙ୍କର ଆବିର୍ଭାବ ଦିବସ ହେତୁ ଏହି ସ୍ନାନ ଯାତ୍ରା ଦର୍ଶନ ଅତୀବ ଗୁରୁତ୍ୱପୂର୍ଣ୍ଣ । ବ୍ରହ୍ମପୁରାଣାନୁସାରେ ଏହି ଦର୍ଶନରେ ଦ୍ୱାଦସ ଯାତ୍ରାର ଏକତ୍ର ଫଳ ଠାରୁ ଅଧିକ ଫଳ ମିଳିଥାଏ ବୋଲି କୁହାଯାଇଛି । ଯତ୍‌ଫଳଂ ସ୍ନାନ ଦାନେନ । ରାହୁ ଗ୍ରସ୍ତେ ଦିବାକରେ ।ା ତତ୍‌ଫଳଂ କୃଷ୍ଣମାଲୋକମ୍ । ମହାଜ୍ୟେଷ୍ଠା ଲଭେନ୍ନରଃ ।ା ସୂର୍ଯ୍ୟପରାଗ ପରେ ସ୍ନାନ କରି ଦାନ କଲେ ଯେଉଁ ଫଳ ମିଳେ ଏହି ମହାଜ୍ୟେଷ୍ଠ ଯାତ୍ରା ଦର୍ଶନରେ ସେହି ଫଳ ପ୍ରାପ୍ତି ହୋଇଥାଏ । ଆଷାଢ଼ ଶୁକ୍ଳ ପ୍ରତିପଦା ଦିନ ଠାକୁରମାନଙ୍କର ନବଯୌବନ ବା ନେତ୍ରୋତ୍ସବ ପାଳନ କରାଯାଏ । ଏବଂ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଠାକୁରମାନେ ପହଣ୍ଡି ବିଜେ ହୋଇ ସୁସଜ୍ଜିତ ରଥମାନଙ୍କରେ ଆରୋହଣ କରି ମାଉସୀର ଅଭିଳାଷକୁ ପୂରଣ କରି ନବ ଦିନ ଯାତ୍ରା ନାମିତ କରିବା ସହ ପତିତମାନଙ୍କୁ ପାବନ କରିବା ପାଇଁ ଲୀଳା ପୁରୁଷୋତ୍ତମ ନିଜ ଲୀଳା ଖେଳ କରିଥାନ୍ତି । ଶ୍ରୀ ଜଗନ୍ନାଥ ପ୍ରେମୀ ବିଶ୍ୱର କୋଟି କୋଟି ଜନତା ଉତ୍ସୁକତାର ସହ ଚାହିଁ ରହିଥାନ୍ତି, ସେହି ଦିନଟିକୁ କେଉଁ ଦିନ ତାଙ୍କ କଳାନିଧି, ବିଶ୍ୱବନ୍ଧୁ ତାଙ୍କୁ ବାମନ ବେଶରେ ଦର୍ଶନ ଦେଇ ତାଙ୍କର ସହସ୍ର ଜନ୍ମାର୍ଜିତ ପାପକୁ କ୍ଷୟ କରିବେ । ଜଗନ୍ନାଥ ପୂରାଣରେ ପ୍ରଭୁ ନିଜେ ବ୍ୟକ୍ତ କରିଛନ୍ତି, “ଗୁଣ୍ଡିଚା ନାମେ ମୋ ଯାତ୍ରା ପରମ ପାବନୀ । ରଥଯାତ୍ରା ନାମେ ଖ୍ୟାତ ହେବଯେ ଅବନୀ ।ା” ବିଶ୍ୱ ମାନସରେ ପୁରୁଷୋତ୍ତମ ତତ୍ତ୍ୱକୁ ପ୍ରତୀକ କରି ଉଡ୍ର ଭୁଖଣ୍ଡ ଯେପରି ସର୍ବଧର୍ମ ସମନ୍ୱୟ ଭୂମିର ଐତିହାସିକ ମାନ୍ୟତା ଲାଭ କରିଛି ସେହିପରି ରଥଯାତ୍ରା ପୃଷ୍ଠଭୂମିରେ ବଡ଼ଦାଣ୍ଡ, ଶରଧାବାଲି, ବଳଗଣ୍ଡି, ଗୁଣ୍ଡିଚାମଣ୍ଡପ, ବାଇଶିପାହାଚ, ପହଣ୍ଡିବିଜେ, ଛେରାପହଁରା ଇତ୍ୟାଦି କିମ୍ବଦନ୍ତୀ ଓ ମହାଭାବ ଉଦ୍ରେକ କରିଆସିଛି । ବିଜ୍ଞାନର ବହୁଧା ବିଭକ୍ତ ପ୍ରଶତି ଓ ବିବର୍ତ୍ତନମୁଖୀ ମାନବିକ ମୂଲ୍ୟବୋଧର ଘଟାନ୍ତର ସତ୍ତ୍ୱେ ଏବେବି ବଡ଼ ଦାଣ୍ଡରେ ରଥ ଉପରେ ଜଗନ୍ନାଥ ବଳିୟାର ଭୂଜ, ମହାବାହୁ, ପତିତପାବନ ଓ ଆର୍ତ୍ତତ୍ରାଣ ବାମନ ରୂପେ ପୁର୍ନଜନ୍ମ ହରଣକାରୀ ପରଂବ୍ରହ୍ମ ଭାବରେ ଲୋକବିଶ୍ୱାସ ଭାଜନ ହୋଇରହିଛନ୍ତି । ସମସ୍ତ ଭେଦଭାବ ବୋଲି ମୈତ୍ରୀ ପ୍ରୀତି ସୂତ୍ରରେ ଆବଦ୍ଧ ହୋଇ ମାନବ ସମାଜରେ କଲ୍ୟାଣ ନିମନ୍ତେ ଏ ଯାତ୍ରା ଦେଇଥାଏ ପ୍ରେରଣା । ଏ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାରେ ଲୀଳା ପୁରୁଷୋତ୍ତମଙ୍କ ଲୀଳାରେ ପୁଣ୍ୟମୟ ଦେବପ୍ରିୟ ହୋଇଥାଏ ରଥ ଓ ପଥ । କବି ଦୀନକୃଷ୍ଣଙ୍କ ଭାଷାରେ - “ଧନ୍ୟ ସେ ରଥ, ଧନ୍ୟ ସେ ପଥ ଯହିଁ ବିଜୟ ଶ୍ରୀଜଗନ୍ନାଥ, ଧନ୍ୟଜନଙ୍କ ନୟନ, ଧନ୍ୟ ଗୁଣ୍ଡିଚା ଟେକ ହେ” ‘ରଥଯାତ୍ରା’ ଶ୍ରୀ ଜଗନ୍ନାଥ ସଂସ୍କୃତିର ଐକ୍ୟ, ମିଳନ ଓ ମୈତ୍ରୀର ପ୍ରତ୍ୟୟ ଧର୍ମୀ ମହୋତ୍ସବ ଭାବରେ ଯୁଗମାନସ, ଶାସନ, ସଂସ୍କୃତି କଳା ତଥା ସାହିତ୍ୟକୁ ପ୍ରଭାବିତ କରିଆସିଛି । ରଥ ଉପରେ ମହାରଥୀ ଜ୍ୟୋତିବ୍ରହ୍ମ ଦର୍ଶନ ନିମନ୍ତେ ଭକ୍ତ ପ୍ରାର୍ଥନା କରିଛି - “ମୋହ ଯିବା ଯାଏଁ ଥିବ ବଡ଼ଦାଣ୍ଡେ ରହି” ଲୀଳାମୟ ଅଟକି ରହିଛନ୍ତି । “ରଥ ପରେ ଦେଖା ଦେବ ଏତିକି ପ୍ରାର୍ଥନା ଅନ୍ତିମେ ନ ମିଳେ ଭୀମ ଯମର ଯାତନା ।” ଏହି ଯାତ୍ରା ହେଉଛି ମହାମିଳନର ଯାତ୍ରା । ରଥଯାତ୍ରା ଓ ମହାମିଳନର ପୀଠ ଶ୍ରୀକ୍ଷେତ୍ର । ଯେଉଁଠି ସୃଷ୍ଟି ଓ ସ୍ରଷ୍ଟାର ମିଳନ । ଏ ଲୀଳାମୟ କ୍ଷେତ୍ରର ମହନୀୟତାକୁ ବର୍ଣ୍ଣନା କରି ଗୋପବନ୍ଧୁ ଲେଖିଛନ୍ତି - “ଜଗତ ସଲିଳେ ଭରତ କମଳ ତା’ମଧ୍ୟେ କେଶର ପୂଣ୍ୟନୀଳାଚଳ ନାହିଁ ଜାତି ଭେଦ, ନାହିଁ ଧର୍ମ ଭେଦ ସାମ୍ୟମୈତ୍ରୀ ବାଣୀ ଗାଏ ଯା’ର ବେଦ” କେତେ ପତିତଙ୍କୁ ଲୀଳାମୟ ହରି ନିଜ ଲୀଳାରେ ବାନ୍ଧି ସାର୍ଥକ କରିଛନ୍ତି, ତାଙ୍କର ପତିତପାବନ ଯାତ୍ରା ବା ଘୋଷଯାତ୍ରା । ସମ୍ପାଦକ ମାର୍ଗଦର୍ଶୀ, ଭଗତଲେନ୍ ମେନ୍ ରୋଡ଼, ଖୋରଧା, 

Comments