ନ୍ୟାୟାଳୟରେ ଶ୍ରୀରାମଲାଲା

ବର୍ତ୍ତମାନ ସମଗ୍ର ଦେଶରେ ଅଯୋଧ୍ୟା ରାମ ଜନ୍ମଭୂମି ମାମଲା ଚର୍ଚ୍ଚାର ବିଷୟ ପାଲଟିଛି  । ଏହାର ପ୍ରାସଙ୍ଗିକ ଗୁରୁତ୍ତ୍ୱକୁ ଦୃଷ୍ଟିରେ ରଖି ମାନ୍ୟବର ସୁପ୍ରିମ୍କୋର୍ଟ ମାମଲା ଶୁଣାଣି ସପ୍ତାହର ୩ ଦିନ କରୁଛନ୍ତି । ଏହି ମାମଲାର ଚୂଡ଼ାନ୍ତ ରାୟ ଆସନ୍ତା ନଭେମ୍ବର ୧୭ ତାରିଖ ପୂର୍ବରୁ ବା ୧୭ ତାରିଖ ସୁଦ୍ଧା ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ପ୍ରକାଶିତ ହୋଇପାରେ  । ଏନେଇ ସୂଚନା ପ୍ରକାଶ ପାଇବା ପରେ ଏବେ ଦୀର୍ଘ ୨୭ ବର୍ଷ କାଳ ପ୍ରତୀକ୍ଷା କରିଆସିଥିବା ହିନ୍ଦୁ ପକ୍ଷର ସାଧୁସନ୍ଥଙ୍କ ମନରେ ନୂତନ ଉତ୍ସାହ ଏବଂ ଖୁସୀର ଲହରୀ ଖେଳିଯାଇଛି  ।
୧୮୫୬ ପୂର୍ବରୁ ଏଠାରେ ନମାଜ ପାଠ ହେଉନଥିଲା:
ଅଗଷ୍ଟ ୩୦ ତାରିଖ ଦିନ ସୁପ୍ରିମକୋର୍ଟରେ  ଅଯୋଧ୍ୟା ମାମଲାର ୧୬ଶ ଶୁଣାଣି ହୋଇଥିଲା  ।  ଶୁଣାଣି ସମୟରେ ଏଥିରେ ପକ୍ଷଭୁକ୍ତ ଶ୍ରୀରାମଜନ୍ମଭୂମି ପୁନରୁତ୍ଥାନ ସମିତିର ଓକିଲ ପି.ଏନ.ମିଶ୍ର ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ,୧୮୫୬ ପୂର୍ବରୁ ବାବ୍ରୀ ମସଜିଦରେ କୌଣସି ନମାଜ ପାଠ ହେଉନଥିଲା ଏବଂ ୧୯୩୪ ପର୍ଯ୍ୟନ୍ତ ଏଠାରେ କେବଳ ଜୁମ୍ମା ବା ଶୁକ୍ରବାର ଦିନ ନମାଜ ପାଠ ହେଉଥିଲା  ।\nରାମଜନ୍ମଭୂମିର ରାଜସ୍ୱ ରେକର୍ଡକୁ ଉପସ୍ଥାପନ:ଓକିଲ ଶ୍ରୀ ପି.ଏନ୍.ମିଶ୍ର ମାନ୍ୟବର ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକ୍ରମେ ଅଯୋଧ୍ୟ ରାମଜନ୍ମଭୂମିର ରାଜସ୍ୱ ରେକର୍ଡକୁ ଉପସ୍ଥାପନ କରିଥିଲେ  । ଏହି ରେକର୍ଡରେ ବିବାଦୀୟ ସ୍ଥାନ ହିଁଁ ରାମଲାଲାଙ୍କ ଜନ୍ମସ୍ଥାନ ବୋଲି ଦର୍ଶାଯାଇଥିବା ସେ ଅଦାଲତଙ୍କୁ ଅବଗତ କରିଥିଲେ  । ପରେ ଏଥିରେ ଜୁମ୍ମା ମସଜିଦର ନାମ ଯୋଡ଼ା ଯାଇଥିଲା  । ତେବେ ରାଜସ୍ୱ ରେକର୍ଡର ମୂଳ ଲେଖାକୁ ଜବରଦସ୍ତି ଘଷି ଲିଭାଯାଇଥିଲା ବୋଲି ଶ୍ରୀ ମିଶ୍ର ଯୁକ୍ତି ଉପସ୍ଥାପନ କରିଥିଲେ  । ପରେ ଏହାର କାଳିକୁ ମଧ୍ୟ ବଦଳାଯାଇଥିଲା  । ମୂଳ ଲେଖା ଗାଢ଼ ରଙ୍ଗର କାଳି ଓ ଗାଢ଼ କଳ ରଙ୍ଗରେ ଲେଖାଯାଇଥିଲାବେଳେ ପରେ ଏହାକୁ ଘଷି ଲିଭାଯାଇ ହାଲୁକା ରଙ୍ଗ ଓ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଥିବା ଓକିଲ ଶ୍ରୀ ମିଶ୍ର ଯୁକ୍ତି ବାଢ଼ିଥିଲେ  ।
ସିହା କହିଲେ ଆମ ଜମି ରାମ ମନ୍ଦିରକୁ ଦେବୁ:
ଅନ୍ୟପଟେଏଥିରେ ପକ୍ଷଭୁକ୍ତ ସିହା ୱାକଫବୋର୍ଡ ପକ୍ଷରୁ ଏହାର ଓକିଲ ଏମ୍.ସି.ଧୀଙ୍ଗ୍ରା ଦର୍ଶାଇଥିଲେ ଯେ, ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ଜମିର ଏକତୃତୀୟାଂଶ ମୁସଲିମ୍ ପକ୍ଷକୁ ଦେଇଥିଲେ ତାହା ପ୍ରକୃତରେ ସିହା ୱାକଫବୋର୍ଡର  । କାରଣ ଷୋଡ଼ଶ ଶତାବ୍ଦୀରେ ବାବରଙ୍କ ନିର୍ଦ୍ଦେଶକ୍ରମେ ମୀର ବାକି ଏଠାରେ ମସଜିଦ ନିର୍ମାଣ କରିଥିଲେ  । ଏହି ଜମି ୧୯୪୪ ପର୍ଯ୍ୟନ୍ତ ସିହା ୱାକଫବୋର୍ଡ ନାମରେ ଥିଲା  । ତେବେ ଏହାକୁ ଭୁଲ୍କ୍ରମେ ସୁ୍ନ୍ନୀ ୱାକଫ ବୋର୍ଡ ନାମରେ କରାଯିବା ପରେ ୧୯୪୬ ସୁନ୍ନୀ କେନ୍ଦ୍ରୀୟ ୱାକଫବୋର୍ଡ ଏହାକୁ ନିଜର ବୋଲି ଦାବି କରୁଛି  । ଅନ୍ୟଥା ଏହି ଜମି ଉପରେ ସୁନ୍ନୀ ୱାକଫ ବୋର୍ଡର କୌଣସି ଅଧିକାର ନାହିଁ  । ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଏକ-ତୃତୀୟାଂଶ ଜମି ଆମର  । ଏହାକୁ ଆମେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଦାନ କରିବାକୁ ଇଚ୍ଛୁକ ଅଛୁ ଏବଂ ହିନ୍ଦୁ ପକ୍ଷର ଯୁକ୍ତିକୁ ସମର୍ଥନ କରୁଛୁ  ।ଭଗବାନ ଶ୍ରୀରାମଙ୍କ ୩୧୦ତମ ପୀଢ଼ି :
 ଗତ ଅଗଷ୍ଟ ୯ ତାରିଖରେ ମାମଲାର ଶୁଣାଣିବେଳେ ରାମଲାଲାଙ୍କ ପକ୍ଷରୁ ମାମଲାକୁ ପରିଚାଳନା କରୁଥିବା ଆଇନଜୀବୀଙ୍କୁ ମାନ୍ୟବର ଶୀର୍ଷକୋର୍ଟ ପଚାରିଥିଲେ ଯେ, ଭଗବାନ ଶ୍ରୀରାମଙ୍କ କୌଣସି ବଂଶଜ ଅଯୋଧ୍ୟା ବା ଏହି ଦୁନିଆରେ ଅଛନ୍ତି କି ? ଏହାର ଉତ୍ତରରେ ରାମଲାଲାଙ୍କ ଓକିଲ କହିଥିଲେ ଯେ ସେ ଏ ବିଷୟରେ କିଛି ଜାଣନ୍ତି ନାହିଁ  । ମାତ୍ର ପ୍ରକୃତରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ୩୧୦ତମ ପୀଢ଼ି ଜୟପୁରର ରାଜପରିବାର ଅଟନ୍ତି ବୋଲି ଏହାର ପୂର୍ବତନ ରାଜକୁମାରୀ ଦୀୟା କୁମାରୀ ଦାବି କରିଛନ୍ତି  । ଦୀୟା କୁମାରୀଙ୍କ କହିବାନୁଯାୟୀ, ଜୟପୁରର ମହରାଜା ସବାଇ ମାନସିଂହ ଭଗବାନ ଶ୍ରୀରାମଙ୍କ ଜ୍ୟେଷ୍ଠ ପୁତ୍ର କୁଶଙ୍କ ୨୮୯ତମ ବଂଶଜ ଅଟନ୍ତି  । ତାଙ୍କ ନିକଟରେ ଏ ସଂକ୍ରାନ୍ତୀୟ ଏକ ପଞ୍ଜିକା ରହିଛି ଯେଉଁଥିରେ ଭଗବାନ ଶ୍ରୀରାମଙ୍କ ସମସ୍ତ ବଂଶଜଙ୍କ ନାମ କ୍ରମାଗତ ଭାବେ ଲିପିବଦ୍ଧ ହୋଇରହିଛି  । ଏଥିସହିତ ତାଙ୍କ ନିକଟରେ ଏ ସଂକ୍ରାନ୍ତୀୟ ୯ଟି ଦସ୍ତାବିଜ, ୨ଟି ନକ୍ସା ମଧ୍ୟ ରହିଛି  । ଏହି ନକ୍ସାରେ ଅଯୋଧ୍ୟାର ଜୟସିଂହପୁର । ଏବଂ ପ୍ରଭୁ ରାମଙ୍କ ଜନ୍ମସ୍ଥାନ ସବାଇ ଜୟସିଂହ ଦ୍ୱିତୀୟଙ୍କ ଅଧୀନରେ ଥିବା ଦର୍ଶାଉଛି  । ୧୭୭୬ରେ ଲିଖିତ ଏକ ନିର୍ଦ୍ଦେଶନାମା ଅନୁଯାୟୀ, ଭଗବାନ ଶ୍ରୀରାମଙ୍କ ଜ୍ୟେଷ୍ଠ ପୁତ୍ର କୁଶଙ୍କ ଦ୍ୱାରା କୁଶୱାହା ବଂଶ ଗଠିତ ହୋଇଥିଲା  । ତାଙ୍କ ଅଧୀନରେ ଜୟସିଂହପୁରା ଥିଲା  । ଏହି ପ୍ରକାରରେ ଦୀୟା କୁମାରୀଙ୍କ ପୂର୍ବଜ ଭଗବାନ ଶ୍ରୀରାମଙ୍କ ବଂଶଜ ଥିଲାବେଳେ ସେ ନିଜେ ପ୍ରଭୁ ଶ୍ରୀରାମଙ୍କ ୩୧୦ତମ ପୀଢ଼ି ବୋଲି କହିଛନ୍ତି  । \nସମସ୍ତ ଖମ୍ବରେ ହିନ୍ଦୁ ଦେବତାଙ୍କ ଚିତ୍ର : ଅଗଷ୍ଟ ୧୬ ତାରିଖ ଶୁଣାଣିର ସପ୍ତମ ଦିନରେ ରାମଲାଲାଙ୍କ ପକ୍ଷରୁ ମାମଲାକୁ ପରିଚାଳନା କରୁଥିବା ବରିଷ୍ଠ ଆଇନ୍ଜୀବୀ ଏସ୍.ବୈଦ୍ୟନାଥନ  ସର୍ବୋଚ୍ଚ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ ଯେ, ବିବାଦୀୟ ସ୍ଥଳରେ ପୂର୍ବରୁ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଥିଲା  । ଖନନ ସମୟରେ ଏଠାରୁ ମିଳିଥିବା ପ୍ରସ୍ତର ଖମ୍ଭରେ ଭଗବାନ ଶ୍ରୀରାମ, ଶ୍ରୀକୃଷ୍ଣ, ଶିବ ତାଣ୍ଡବଙ୍କ ବାଳରୂପର ଚିତ୍ର ରହିଥିବା ଦେଖାଯାଇଛି  । ସେ ଏହାର ନକ୍ସା ଏବଂ ଫଟୋଗୁଡ଼ିକୁ ମଧ୍ୟ ସର୍ବୋଚ୍ଚ କୋର୍ଟରେ ଉପସ୍ଥାପନ କରିଛନ୍ତି  । ଯେଉଁଠାରେ ବାବ୍ରୀ ମସଜିଦ୍ର ୩ଟି ଗମ୍ଭୁଜ ତଳେ ରାମଲାଲାଙ୍କ ବାଳରୂପର ମୂର୍ତ୍ତି ଥିଲା ବୋଲି ଶ୍ରୀ ବୈଦ୍ୟନାଥନ ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରାଇଥିଲେ  । ତେବେ କେବଳ ନମାଜ ପାଠ କରିଦେଲେ ଏହି ବିବାଦୀୟ ଜମି ମୁସଲିମ୍ଙ୍କ ହୋଇଯାଉନି ବୋଲି ସେ ଯୁକ୍ତି ବାଢ଼ିଥିଲେ  ।
ଗତ ମାର୍ଚ୍ଚ ୮ତାରିଖରେ ଶୀର୍ଷ କୋର୍ଟ ଏହି ମାମଲାରେ ବିଚାରବିମର୍ଶ ଦ୍ୱାରା ସମାଧାନର ମାର୍ଗ ବାହାର କରିବା ପାଇଁ ଏକ ୩ଜଣିଆ ମଧ୍ୟସ୍ତି ପାନେଲ ଗଠନ କରିଥିଲେ । ଏହି ପାନେଲରେ ସୁପ୍ରିମକୋର୍ଟର ପ୍ରାକ୍ତନ ବିଚାରପତି ଜଷ୍ଟିସ ଫକୀର ମହମ୍ମଦ ଇବ୍ରାହିମ କାଲିଫୁଲା, ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଓ ମାଡ୍ରାସ ହାଇକୋର୍ଟର ବରିଷ୍ଠ ଆଡଭୋକେଟ ଶ୍ରୀରାମ ପଂଚୁ ସାମିଲ ଥିଲେ । । ଗତ ଜୁଲାଇ ୧୮ ତାରିଖରେ ଆଲୋଚନା କରି ଏହି ପ୍ୟାନେଲ ବିଫଳ ହୋଇଥିବା ଜଣାଇଦେବା ପରେ ଖଣ୍ଡପୀଠରେ ଦୈନିକ ଶୁଣାଣି ଆରମ୍ଭ ହୋଇଥିଲା 

Comments