ବ୍ୟକ୍ତିକୁ ଇଷ୍ଟ ଓ ପରିବେଶର ସେବା ମାଧ୍ୟମରେ ବଡ଼ରୁ ଆହୁରି ବଡ଼କୁ ନେଇଯାଆନ୍ତି

ଆଦର୍ଶମାନେ ସହଜ କଥାରେ ଏଭଳି ଜଣେ ଜୀବନ୍ତ ମନୁଷ୍ୟ ଯିଏ ତାଙ୍କର ପ୍ରିୟପରମଙ୍କର ଅକାଟ୍ୟ ପ୍ରୀତି ଓ ଖାତିରରେ ପାରିପାଶ୍ୱିର୍କର ସେବା ସାହଚର୍ଯ୍ୟ, ସମବେଦନା ସହକାରେ ବଞ୍ଚିବା ଓ ବଢ଼ି ଉଠିବାକୁ ଉଦ୍ଦୀପ୍ତ କରନ୍ତି, ଏକ ସହଜ ଉନ୍ମାଦନା ଓ ଦୁଃଖ କଷ୍ଟକୁ ଭ୍ରୂକ୍ଷେପ ନକରି ତାଙ୍କର ପ୍ରିୟଙ୍କୁ ପ୍ରତିଷ୍ଠା କରନ୍ତି । ଆଉ ତାଙ୍କ ଭିତର ଦେଇ ମନୁଷ୍ୟ ତାର ଜୀବନ ଓ ବୃଦ୍ଧିର ପଥ ପାଏ । ସେ ପଥକୁ ସହଜ ଓ ଅତୁଟ ଭାବରେ ଆଲିଙ୍ଗନ କରେ । ଆଦର୍ଶମାନେ କୌଣସି ଅମୃତ ଭାବ ନୁହେଁ । ଆଉ ଯିଏ ଆଦର୍ଶ ବା ଗୁରୁ ହେବେ ତାଙ୍କର ମଧ୍ୟ ଗୁରୁ ଥିବା ଆବଶ୍ୟକ । ନିଷ୍ଠାର ସହିତ ଗୁରୁଙ୍କୁ ଅନୁସରଣ କରିବାର ଭିତର ଦେଇ ମନୁଷ୍ୟର ବୃତି ପ୍ରବୃତିଗୁଡ଼ିକ ସୁନିୟନ୍ତ୍ରିତ ହୁଏ ଓ ତା’ ଭିତରେ ଅଖଣ୍ଡ ବ୍ୟକ୍ତିତ୍ୱର ପ୍ରତିଷ୍ଠା ହୁଏ । ଆଉ ଏହା ଯାହାର ହୋଇନାହିଁ ସେ କେବେ ଆଦର୍ଶ ବା ଗୁରୁପଦବାଚ୍ୟ ହେବେ ନାହିଁ । ବିକେନ୍ଦ୍ରିକ ଯିଏ, ସେ ଯେତେ ଗୁଣ ସମ୍ପନ୍ନ ହୁଅନ୍ତୁ ନା କାହିଁକି ସେ କୌଣସି ସମୟରେ ଅନୁସରଣୀୟ ନୁହଁନ୍ତି । ଆଦର୍ଶ ହୁଅନ୍ତି ବୈଶିଷ୍ଟ୍ୟପାଳୀ ଓ ଆପୂରୟମାଣ । ପ୍ରତ୍ୟେକଙ୍କର ସହଜାତ ବୈଶିଷ୍ଟ୍ୟକୁ ସେ ପାଳନ ପୋଷଣ କରନ୍ତି । ପ୍ରତ୍ୟେକଙ୍କର ସ୍ୱଭାବଗତ ସ୍ୱାତନ୍ତ୍ର‌୍ୟକୁ ସେ ସଂରକ୍ଷଣ କରି ଚଳନ୍ତି । କୌଣସି ବ୍ୟକ୍ତିଙ୍କ ଭାବରେ ସେ ବ୍ୟାଘାତ କରନ୍ତିନାହିଁ । ପୂର୍ବତନ ଋଷି, ମହାପୁରୁଷ, ପ୍ରେରିତ ବା ଅବତାର ପୁରୁଷଙ୍କ ସହିତ ତାଙ୍କର କୌଣସି ବିରୋଧ ନାହିଁ । ବରଂ ସେ ସମସ୍ତଙ୍କୁ ପରିପୂରଣ କରନ୍ତି । ସେ କେବେ ଏକାଦେଶଦର୍ଶୀ ହୁଅନ୍ତି ନାହିଁ । ବ୍ୟଷ୍ଟିଗତ ଓ ସମଷ୍ଟିଗତ ଜୀବନର ସର୍ବାଙ୍ଗୀନ ଓ ସାମଗ୍ରିକ ପରିପୂରଣ ଓ ଉନ୍ନୟନ ହିଁ ତାଙ୍କର ଲକ୍ଷ୍ୟ । ସେ କେବେ ଗଣ୍ଡୀସ୍ୱାର୍ଥୀ ହୁଅନ୍ତି ନାହିଁ । ସେ ସମସ୍ତଙ୍କର ସ୍ୱାର୍ଥରେ ସ୍ୱାର୍ଥାନ୍ୱିତ, ତେଣୁ ସମସ୍ତଙ୍କର ମିଳନ ତୀର୍ଥ । ପ୍ରତ୍ୟେକଙ୍କର କଲ୍ୟାଣ ହିଁ ତାଙ୍କର ଆତ୍ମକଲ୍ୟାଣ । କୌଣସି ପ୍ରକାର ସାମ୍ପ୍ରଦାୟିକ ଭେଦବୁଦ୍ଧି ତାଙ୍କ ପାଖରେ ସ୍ଥାନ ପାଏ ନାହିଁ, ବରଂ ବିଭିନ୍ନ ସମ୍ପ୍ରଦାୟ ଓ ଦଳର ଲୋକ ଗୁରୁଙ୍କର ପ୍ରଭାବରେ ଐକ୍ୟବଦ୍ଧ ହେବାର ପ୍ରେରଣା ପାଆନ୍ତି । ତାଙ୍କ ପାଖକୁ ଗଲେ ପୂର୍ବତନ ଋଷି ମହାପୁରୁଷଙ୍କ ପ୍ରତି ମନୁଷ୍ୟର ଶ୍ରଦ୍ଧା ସଞ୍ଜୀବିତ ହୁଏ । ପ୍ରତ୍ୟେକଙ୍କର ଧର୍ମନିଷ୍ଠା ଆବେଗପ୍ରବୃଦ୍ଧ ହୁଏ  । ଧର୍ମାନ୍ତକରଣକୁ ସେ ସ୍ଥାନ ଦିଅନ୍ତି ନାହିଁ । ବରଂ ବୈଶିଷ୍ଟ୍ୟସ୍ଫୁରଣୀ, ଆତ୍ମଶକ୍ତି ଉଦ୍ବୋଧନୀ, ଦକ୍ଷତାଦୀପନୀ ଓ ବିଜ୍ଞାନସମ୍ମତ ଦୀକ୍ଷା ପ୍ରଥା ସେ ପ୍ରବର୍ତ୍ତନ କରନ୍ତି । ତାଙ୍କର କହିବା, ଭାବିବା ଓ କରିବାର ମଧ୍ୟରେ କୌଣସି ଅମେଳ ନଥାଏ । ତାଙ୍କର ବାଣୀ, ନୀତି ଓ ଉପଦେଶ ତାଙ୍କର ଜୀବନ ଓ ଆଚରଣରେ ପ୍ରତିଫଳିତ ହୁଏ  । ଏକ କଥାରେ ସେ ହେଉଛନ୍ତି ଆଚରଣ ସିଦ୍ଧ ଆଚାର୍ଯ୍ୟ । ସ୍ଥୁଳ, ସୂକ୍ଷ୍ମ ଓ କାରଣ-ସତ୍ୟର ଏହି ତିନି ଭୂମି ସମ୍ବନ୍ଧରେ ତାଙ୍କର ସାମଗ୍ରିକ ପ୍ରତ୍ୟକ୍ଷ ଅନୁଭୂତି, ଅଭିଜ୍ଞତା ଓ ଅଧିଗତି ରହିଛି । ସେ ସତ୍ୟ, ରଜ ଓ ତମଃ-ଏହି ତିନି ଗୁଣର ସାତ୍ୱତ ବିନିଯୋଗ ଓ ବିନ୍ୟାସ କରନ୍ତି । ସେ ତଥାକଥିତ ଅଲୌକିକତାର ଆଶ୍ରୟ ଗ୍ରହଣ ନକରି ଭକ୍ତି, ଜ୍ଞାନ ଓ କର୍ମଶକ୍ତିର ଉଦ୍ବୋଧନରେ ମନୁଷ୍ୟକୁ ଯୋଗ୍ୟତର ଓ ଉନ୍ନତତର କରି ତୋଳନ୍ତି । ତାଙ୍କର ସମଗ୍ର ଭାବଧାରା ଓ କର୍ମଧାରା ଏକ ସୂତ୍ରସମ୍ମତ ଓ ସତ୍ତାପୋଷଣୀ । ତାଙ୍କ ଜୀବନର ପ୍ରତିଟି ପଦକ୍ଷେପ ଧାରଣ- ପାଳନ-ପୋଷଣ ସମ୍ବେଗ ପ୍ରବୁଦ୍ଧ । ସେ ଅଚ୍ୟୁତ ଯୋଗଯୁକ୍ତ, ତ୍ରିକାଳଜ୍ଞ,ତତ୍ୱଦର୍ଶୀ ଓ ଅଭ୍ରାନ୍ତ । ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖି ସାତ୍ୱତ ବିବର୍ତନକୁ ପ୍ରଗତିଶୀଳ କରି ତୋଳିବାର ପ୍ରୟାସ ସେ କରନ୍ତି । ସାତ୍ୱତ କୃଷ୍ଟି, ଐତିହ୍ୟ, ସଂସ୍କାର ଓ ପ୍ରଥାକୁ ସେ କେବେ ଅବଜ୍ଞା କରନ୍ତି ନାହିଁ ବରଂ ସେଗୁଡ଼ିକୁ ଆହୁରି ସନ୍ଦୀପ୍ତ କରି ଉଠାନ୍ତି । ସେ ସହାନୁଭୂତିଶୀଳ, ସେବାନିରତ, ସହଜ ପ୍ରେମିକ ମଣିଷ । ଭକ୍ତି, ଜ୍ଞାନ ଓ କର୍ମର ସଲୀଳ ସଙ୍ଗତି ଓ ସମ୍ମନ୍ୱୟ ତାଙ୍କ ଭିତରେ ପରିଲକ୍ଷିତ ହୁଏ । ଜୀବନକୁ ସେ କେବେ ଅସ୍ୱୀକାର କରନ୍ତି ନାହିଁ, ବରଂ ଜୀବନକୁ ଉତ୍ସମୁଖୀ କରି ଷୋଡ଼କଳାରେ ବର୍ଦ୍ଧନମୁଖୀ କରି ଉଠାଇବା ହିଁ ତାଙ୍କର ଅଦମ୍ୟ ତପସ୍ୟା । ତାଙ୍କର ଅସତ୍ନିରୋଧୀ ପ୍ରବୃତି ତାଙ୍କୁ କ୍ଷୟ ଓ ମୃତ୍ୟୁର ବିରୁଦ୍ଧରେ ଅଭିଯାନ ମୁଖର କରି ଉଠାଏ । ସେ ସମସ୍ତଙ୍କୁ ଏକାକାର କରନ୍ତି ନାହିଁ, ବା ବଡ଼କୁ ଛୋଟ କରିବାକୁ ଚାହାଁନ୍ତି ନାହିଁ ବରଂ ଛୋଟକୁ ବଡ଼ ଓ ବଡ଼କୁ ଆହୁରି ବଡ଼ କରି ଉଠାନ୍ତି ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାର ବୈଶିଷ୍ଟ୍ୟାନୁଯାୟୀ ବ୍ରାହ୍ମୀ ବିବର୍ତନ ପଥରେ ପରିଚାଳିତ କରନ୍ତି । ପରମପୁରୁଷ ବ୍ୟକ୍ତି ସ୍ୱାର୍ଥକୁ ବାଦ ଦିଅନ୍ତି ନାହିଁ, କିନ୍ତୁ ବ୍ୟକ୍ତିକୁ ଇଷ୍ଟ ଓ ପରିବେଶର ସେବା ମାଧ୍ୟମରେ ବଡ଼ରୁ ଆହୁରି ବଡ଼କୁ ନେଇଯାଆନ୍ତି ।
 

Comments