ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ


ନାଟ୍ୟସାରଥି ଅଭୟ କୁମାର ଦାସ
ସ୍ୱାଧୀନତୋତ୍ତର ଓଡ଼ିଶାରେ ଯେଉଁ ନୃତ୍ୟାଙ୍ଗନାମାନେ ଓଡ଼ିଶୀକୁ ବିଶ୍ୱ ସ୍ତରରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଦ୍ମ ଶ୍ରୀ ସଂଯୁକ୍ତା ପାଣିଗ୍ରାହୀ ମୁଖ୍ୟ । ସେ କହୁଥିଲେ, ନୃତ୍ୟ ମୋ ପାଇଁ ଗୋଟିଏ ପୂଜା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରେରଣାରୁ, ମୁଁ ମୁଦ୍ରା ତୋଳି ପାରୁଛି । ସେ ମୁଦ୍ରା ମୋର ଅର୍ଘ୍ୟ, ସେହି ମହାପ୍ରାଣ ପାଇଁ । ତାଙ୍କୁ ବିଶ୍ୱରେ ଓଡ଼ିଶୀ ନୃତ୍ୟର ଶ୍ରେଷ୍ଠ ପ୍ରବକ୍ତା କୁହାଯାଏ । ତାଙ୍କ ନାମ ହିଁ ଓଡ଼ିଶୀ ନୃତ୍ୟର ଅନ୍ୟ ନାମ । ଓଡ଼ିଶୀ ଉଚ୍ଚାରଣ କଲାମାତ୍ରେ, ତାଙ୍କ ନୃତ୍ୟ ଭଙ୍ଗୀ ଚକ୍ଷୁ ସାମନାରେ ଭାସିଉଠେ । ତାଙ୍କ ସଂପର୍କରେ ଏକଦା ୱାସିଂଟନ ପୋଷ୍ଟରେ ପ୍ରକାଶିତ ହୋଇଥିଲା ସଂଯୁକ୍ତାଙ୍କ ବ୍ୟକ୍ତିତ୍ୱର ପ୍ରତିଟି ଅଂଶ ନୃତ୍ୟ କଳାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ମଞ୍ଚରେ ତାଙ୍କର ଦ୍ରୁତ ପଦଚାଳନା ଓ ଅପରୂପ ଭ୍ରୁଲତାର ସାମାନ୍ୟ କୁଞ୍ଚନ, ଦର୍ଶକଙ୍କ ଉପରେ ଐନ୍ଦ୍ରଜାଲିକ ପ୍ରଭାବ ପକାଏ । ସେ ନୃତ୍ୟ କରୁଥିବାବେଳେ ଲାଗେ ସତେ, ଯେପରି ସେ କୌଣସି ପ୍ରାଚୀନ ମନ୍ଦିର ଗାତ୍ରର ଏକ ଅପରୂପା ସ୍ଥାପତ୍ୟ । ଏକ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିବା ସଂଯୁକ୍ତା ଆଦ୍ୟ ଶୈଶବରେ ନୃତ୍ୟ ପ୍ରତି ଆକର୍ଷିତ ହୋଇଥିଲେ । ପିତା ଅଭିରାମ ପ୍ରଥମେ ବିରୋଧ କରୁଥିଲେ । ହେଲେ ମାତା ଶକୁନ୍ତଳାଙ୍କ ସମର୍ଥନ ଦ୍ୱାରା ସମସ୍ତ ପ୍ରତିବନ୍ଧ ଦୂର ହୋଇଥିଲା । ଚାରି ବର୍ଷ ବୟସରେ ସଂଯୁକ୍ତାଙ୍କ ଓଡ଼ିଶୀ ଶିକ୍ଷା ଆରମ୍ଭ ହୋଇଥିଲା । ପ୍ରଥମ ଗୁରୁ ଥିଲେ ପଦ୍ମ ବିଭୂଷଣ କେଳୁଚରଣ ମହାପାତ୍ର । ନଅ ବର୍ଷ ବୟସରେ ସଂଯୁକ୍ତା ଚେନ୍ନାଈର କଳାକ୍ଷେତ୍ର ଅନୁଷ୍ଠାନରେ ଭର୍ତ୍ତି ହୋଇଥିଲେ । ତମିଳ ଭାଷା ଜାଣି ନଥିବାରୁ ପ୍ରଥମେ ମନାକରିଦେଇଥିଲେ, ଅନୁଷ୍ଠାନର ଅଧ୍ୟକ୍ଷା ଡ. ରୁକ୍ମିଣୀ ଦେବୀ । ହେଲେ ଛୋଟ ଝିଅଟିର ଦୃଢ଼ ମନୋଭାବ ଦେଖି ନିଷ୍ପତ୍ତି ବଦଳାଇଥିଲେ । ଆଉ ସଂଯୁକ୍ତା ତମିଳ ଭାଷା ନାଟ୍ୟସାରଥି ଅଭୟ କୁମାର ଦାସ ସହ ଭାରତନାଟ୍ୟମ ଶିକ୍ଷା କରିଥିଲେ । ତାହାପରେ କଥକଲୀ । କଳାକ୍ଷେତ୍ରରେ ପାଞ୍ଚ ବର୍ଷ ନୃତ୍ୟ ଶିକ୍ଷା ପରେ, ମୁମ୍ବାଈର ଭାରତୀୟ ବିଦ୍ୟା ଭବନ । ସେଠାରେ ଗୁରୁ ହଜାରୀଲାଲଙ୍କ ଠାରୁ ଶିଖିଥିଲେ କଥକ । ୧୯୬୦ରେ କଣ୍ଠଶିଳ୍ପୀ ରଘୁନାଥ ପାଣିଗ୍ରାହୀଙ୍କ ସହ ତାଙ୍କର ପ୍ରେମ ବିବାହ ହୋଇଥିଲା । ରଘୁନାଥଙ୍କ ଘର କୋରାପୁଟ ଅନ୍ତର୍ଗତ ବାମଣିପୁଟ । ଶ୍ୱଶୁରାଳୟରେ ପହଞ୍ôଚବା ପରେ ସଂଯୁକ୍ତାଙ୍କ ନୃତ୍ୟାଙ୍ଗନା ଜୀବନର ଅନ୍ତ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ସେ ନୃତ୍ୟ କରନ୍ତୁ ବୋଲି ଶାଶୁ ଶ୍ୱଶୁର ଚାହୁଁ ନଥିଲେ । ଘରକୋଣରେ ବନ୍ଦିନୀ ଜୀବନ କ୍ରମେ ଅସହ୍ୟ ହେଲା । ସଂଯୁକ୍ତାଙ୍କ ଅନ୍ତରାତ୍ମା ବିଦ୍ରୋହ କରିଉଠିଲା । ଅବଶ୍ୟ ପତିଙ୍କ ସହଯୋଗ ମିଳିଥିଲା । ତାହାପରେ ଲମ୍ବା ସଂଘର୍ଷ । ଉଣେଇଶ ବର୍ଷ ବେଳକୁ ଦୁଇ ଦୁଇଟି ପୁତ୍ର ସନ୍ତାନଙ୍କ ଜନନୀ ହୋଇସାରିଥିଲେ ସଂଯୁକ୍ତା । ଏଭଳି ଘଟିଲେ ସାଧାରଣତଃ ପେସାଦାର ଶିଳ୍ପୀ ଜୀବନରେ ଅଗ୍ରଗତି ଅସମ୍ଭବ ହୋଇପଡ଼େ । କିନ୍ତୁ ଅସମ୍ଭବକୁ ସମ୍ଭବ କରିଦେଖାଇଥିଲେ ସଂଯୁକ୍ତା । ଗୁରୁ କେଳୁଚରଣଙ୍କ ଆଶୀର୍ବାଦ, ଉପଦେଶ ଓ ସହାୟତା ତାଙ୍କୁ ପହଞ୍ଚାଇଥିଲା ଶୀର୍ଷରେ । ଗୁରୁଙ୍କ ଉପଦେଶ ଥିଲା ରଘୁନାଥ ଗାଆନ୍ତୁ ଓ ସଂଯୁକ୍ତା ନାଚନ୍ତୁ । ମଣିକାଞ୍ଚନର ଅପୂର୍ବ ସଂଯୋଗ ଘଟିଥିଲା । ସେମାନଙ୍କ ମାଧ୍ୟମରେ ଓଡ଼ିଶୀ ନୃତ୍ୟ ଓ ସଂଗୀତର ପ୍ରସାର ହୋଇଥିଲା । ଦୀର୍ଘ ଜୀବନ ସଂଯୁକ୍ତାଙ୍କ ଭାଗ୍ୟରେ ନଥିଲା । କର୍କଟାକ୍ରାନ୍ତ ହୋଇ ତେପନ ପୂରିବା ପୂର୍ବରୁ ୧୯୯୭ ଜୁନ୍ ଆଜିର ଦିନରେ ତାଙ୍କର ପରଲୋକ ହୋଇଥିଲା । ରଘୁନାଥ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏହି ଭାଷାରେ "ଚାଲିଗଲ ତୁମେ ମୋ ଠାରୁ ସିନା, ବହୁ ଦୂରେ ଦୂରାନ୍ତରେ : ମୁଁ ବା କେବେ ଛାଡ଼ି କି ପାରିବି, ତୁମ ବନ୍ଧା ମୋ ଅନ୍ତରେ ।' ଗୋତରା, ମାହାଙ୍ଗା, କଟକ,

Comments