ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଓ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାପୁରୁଷଙ୍କ ମଧ୍ୟରେ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ଅନ୍ୟତମ । ବ୍ରିଟିଶ ଭାରତରେ ସେ ସ୍ୱରାଜ ଦଳର ସକ୍ରିୟ ସଦସ୍ୟ ଥିଲେ । ସେ ଅବିଭକ୍ତ ଭାରତବର୍ଷର ଢ଼ାକ୍କା (ବର୍ତ୍ତମାନର ବାଙ୍ଗଲାଦେଶ) ନିକଟବର୍ତ୍ତୀ ବିକ୍ରମପୁରରେ ଏକ ସଂଭ୍ରାନ୍ତ ବୈଦ୍ୟ ପରିବାରରେ ଜନ୍ମ ହୋଇଥିଲେ । ଇଂଲଣ୍ଡରେ ଆଇନ ଶିକ୍ଷା କରି ସେ ବାରିଷ୍ଟର ହୋଇଥିଲେ । ଆଲିପୁର ବୋମା ବିସ୍ଫୋରଣ ମାମଲାରେ ସେ ଶ୍ରୀ ଅରବିନ୍ଦଙ୍କ ପକ୍ଷରୁ ମାମଲା ପରିଚାଳନ କରି, ତାଙ୍କୁ ରକ୍ଷା କରିବାରେ ସଫଳ ହୋଇଥିଲେ । ଅସହଯୋଗ ଆନ୍ଦୋଳନରେ ଦେଶବନ୍ଧୁ ସକ୍ରିୟ ଭାବେ ଅଂଶ ଗ୍ରହଣ କରି ବିଦେଶୀ ବସ୍ତ୍ରରେ ନିଆଁ ଲଗାଇଥିଲେ । ସେ ଫରୱାର୍ଡ଼ ନାମକ ଖବରକାଗଜ ପ୍ରକାଶ କରୁଥିଲେ । ପରେ ଏହାର ନାମ ବଦଳି ଲିବର୍ଟି ହୋଇଥିଲା । କଲିକତା ମହାନଗର ନିଗମର ସେ ଥିଲେ ପ୍ରଥମ ମେୟର୍ । ଭାରତୀୟ କଂଗ୍ରେସର ଗୟା ଅଧିବେଶନ ବେଳେ ଗାନ୍ଧିଜୀଙ୍କ ସହ ମତଭେଦ ଯୋଗୁଁ ସେ ସଭାପତି ପଦ ତଥା ଦଳ ତ୍ୟାଗ କରିଥିଲେ । ତାହା ପରେ ମୋତିଲାଲ ନେହେରୁ ଓ ହୁସେନ ଶାହିଦ ସୁହ୍ୱାୱର୍ଦୀଙ୍କ ସହ ମିଳିତ ଭାବେ ସ୍ୱରାଜ ଦଳ ପ୍ରତିଷ୍ଠା କରିଥିଲେ । ସେ ଅହିଂସାବାଦୀ ଥିଲେ ହେଁ କଠୋର ଆଭିମୁଖ୍ୟ ଯୋଗୁଁ ଗାନ୍ଧୀଙ୍କ ଠାରୁ ଦୂରେଇଯାଇଥିଲେ । ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କର ଆଧ୍ୟାତ୍ମିକ ଗୁରୁ ଯୁଗବନ୍ଧୁ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଦିଗ୍ଦର୍ଶନରେ ଦେଶବନ୍ଧୁଙ୍କର ଜୀବନଶୈଳୀ ସମ୍ପୂର୍ଣ୍ଣ ରୂପାନ୍ତରିତ ହୋଇଥିଲା । ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ କନିଷ୍ଠ ଭ୍ରାତା ଶ୍ରୀ ବାରୀନ୍ ଘୋଷ ଦୀପାନ୍ତର ପରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ସାହଚର୍ଯ୍ୟରେ ପାବନା ହିମାଇତପୁର (ବାଂଲାଦେଶ) ସତ୍ସଙ୍ଗ ଆଶ୍ରମରେ କିଛିଦିନ ଅବସ୍ଥାନ କରିଥିଲେ । ଶ୍ରୀ ଶ୍ରୀ ଠାକୁରଙ୍କର ଚରିତ୍ରର ମାଧୁର୍ଯ୍ୟ ଓ ଆଧ୍ୟାତ୍ମିକ ଆଳାପ ଆଲୋଚନାରେ ଶ୍ରୀ ବାରୀନ୍ ଘୋଷଅତ୍ୟନ୍ତ ମୁଗ୍ଧ ହୋଇଥିଲେ । ସତ୍ସଙ୍ଗରୁ ଫେରି ଶ୍ରୀ ବାରୀନ୍ ଘୋଷ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କୁ ଯୁଗପୁରୁଷ ଶ୍ରୀ ଶ୍ରୀ ଠାକୁରଙ୍କ କଥା କହିଥିଲେ ଓ ଦେଶବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠତ "ନାରାୟଣ' ପତ୍ରିକାରେ "ସତ୍ସଙ୍ଗର ମଧୁଚକ୍ର' ନାମକ ଏକ ପ୍ରବନ୍ଧ ପ୍ରକାଶ କଲେ । ଯୁଗବନ୍ଧୁ ଶ୍ରୀ ଶ୍ରୀ ଠାକୁରଙ୍କ ସହିତ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ପ୍ରଥମ ସାକ୍ଷାତ ହୋଇଥିଲା କଲିକତା ମହାନଗରୀର ମାଣିକତଲାରେ ୧୯୨୪ ମସିହାର ମଇ ମାସରେ । ସତ୍ୟାଗ୍ରହ ଆନ୍ଦୋଳନ, ଚରଖା ଆନ୍ଦୋଳନ, ସ୍ୱରାଜ ଆନ୍ଦୋଳନ, ବିପ୍ଳବୀ କ୍ରିୟାକଳାପ, ଭାରତ ବର୍ଷର ସ୍ୱାଧୀନତା, ଦେଶର ଅର୍ଥନୈତିକ ସ୍ୱାଧୀନତା ଓ ମାନବୀୟ ମୂଲ୍ୟବୋଧର ଜାଗରଣ ଇତ୍ୟାଦି ବହୁ ପ୍ରସଙ୍ଗରେ ଦେଶବନ୍ଧୁ ଯୁଗାବତାର ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ସହିତ ଆଲୋଚନା କରିଥିଲେ । ଯୁଗପୁରୁଷ ଶ୍ରୀ ଶ୍ରୀ ଠାକୁରଙ୍କର ସହଜ, ସରଳ, ନିରଭିମାନ ବ୍ୟକ୍ତିତ୍ୱ, ଅନ୍ତହୀନ ଜ୍ଞାନ, ଉକ୍ରୃଷ୍ଟ ଅନାବିଳ ପ୍ରେମ ଓ ସର୍ବୋପରି ଆଧ୍ୟାତ୍ମିକ ମୂଲ୍ୟବୋଧ ଓ ଭାରତମାତାର ଜାଗରଣ ନିମିତ୍ତ ଏକ ସୁପରିକଳ୍ପିତ ସମନ୍ୱିତ ଯୋଜନା ଯାହାକି ଶିକ୍ଷା, ଦୀକ୍ଷା, ସୁବିବାହ ଓ ମନୁଷ୍ୟର ଜୈବିକ ସଂସ୍ଥିତିର ଉନ୍ନୟନ ଉପରେ ପର୍ଯ୍ୟବେସିତ ଇତ୍ୟାଦି ଜ୍ଞାନର ଆଭାସ ପାଇ ଶ୍ରୀ ଶ୍ରୀ ଠାକୁରଙ୍କୁ ଦେଶବନ୍ଧୁ ଗୁରୁ ରୂପେ ବରଣ କରିଥିଲେ ଓ ଜନନୀ ମନମୋହିନୀ ଦେବୀଙ୍କ ଠାରୁ ୧୪ ମଇ୧୯୨୪ ମସିହାରେ ସତ୍ଦୀକ୍ଷାରେ ଦୀକ୍ଷିତ ହୋଇଥିଲେ । ଦୀକ୍ଷା ଗ୍ରହଣ ପରେ ଦେଶବନ୍ଧୁ ତାଙ୍କର ପୁତ୍ର ଚିରରଞ୍ଜନ ଓ ପୁତ୍ରବଧୂ ସୁଜାତା ଦେବୀଙ୍କୁ ସତ୍ମନ୍ତ୍ରରେ ଦୀକ୍ଷା ଦେଇ ଶ୍ରୀମାନ ସୁନୀଲ ଚନ୍ଦ୍ର ମୁର୍ଖାଜୀଙ୍କ ସହିତ ସତ୍ସଙ୍ଗ ଆଶ୍ରମକୁ ପଠାଇ ଦେଇଥିଲେ ଓ ସେମାନେ ସୁଦୀର୍ଘ ଦିନ ଶ୍ରୀ ଶ୍ରୀ ଠାକୁରଙ୍କ ସାହଚର୍ଯ୍ୟରେ ଆଶ୍ରମରେ ଅବସ୍ଥାନ କରିଥିଲେ । ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ଫରିଦ୍ପୁର ସମ୍ମିଳନୀ ଯିବା ପୂର୍ବରୁ ଯୁଗାବତାର ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଏକ ପତ୍ର ମାଧ୍ୟମରେ ତାଙ୍କୁ ଅନୁରୋଧ କରିଥିଲେ ଯେ ଆପଣ କିଛି ଦିନ ସତ୍ସଙ୍ଗ ଆଶ୍ରମରେ ରହି ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଶ୍ରୀ ଶ୍ରୀ ଠାକୁରଙ୍କର ଲୀଳାସହଚର ଭକ୍ତ ପ୍ରବଳ ସୁଶୀଲ ଚନ୍ଦ୍ର ବସୁ ଏହି ଚିଠିଟି ନେଇ ଦେଶବନ୍ଧୁଙ୍କୁ ଦେଲାପରେ ଦେଶବନ୍ଧୁ ଚିଠିଟିକୁ ମଥାରେ ଲଗାଇ ଖୋଲିଲେ ଏବଂ ପଢି କହିଲେ ଯେ ଫରିଦ୍ପୁର କନ୍ଫାରେନ୍ସରୁ ଫେରି ଦାର୍ଜିଲିଂ ଯିବା ପଥରେ ମୁଁ ସତ୍ସଙ୍ଗ ଆଶ୍ରମକୁ ଯିବି । ମହାତ୍ମା ଗାନ୍ଧୀ ମଧ୍ୟ ସେହି ଫରିଦ୍ପୁର କନ୍ଫାରେନ୍ସରେ ଉପସ୍ଥିତ ଥିଲେ । ୧୯୨୫ ମସିହା ୧୧ମେ ଦିନ ଦେଶବନ୍ଧୁ ସତ୍ସଙ୍ଗ ଆଶ୍ରମରେ ପଦ୍ମାତୀରରେ ଏକ ଛୋଟ ବଙ୍ଗଳାରେ ଯାଇ ରହିଲେ । ସେହିଠାରେ ଗଭୀର ରାତ୍ରି ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ସହିତ ଆଳାପ ଆଲୋଚନା ଚାଲୁଥିଲା - ଆଧ୍ୟାତ୍ମିକ ସାଧନା, ଶିକ୍ଷା, ଦର୍ଶନ, ସମାଜ, ଇତିହାସ ଓ ବିଜ୍ଞାନ ଇତ୍ୟାଦି ବିଷୟରେ ବହୁ ଆଲୋଚନା ହେଉଥିଲା । ଦାର୍ଜିଲିଂରୁ ଫେରି ସେ କେଉଁ କାର୍ଯ୍ୟରେ ମନ ଦେବେ, ସେ ସବୁ ବିଷୟରେ ଶ୍ରୀ ଶ୍ରୀ ଠାକୁର ପରାମର୍ଶ ଦେଇଥିଲେ । ଆଶ୍ରମରେ ତିନି ଚାରି ଦିନ ରହିବାପରେ ଅନେକ ସୁସ୍ଥବୋଧ କଲାପରେ ଆତ୍ମୀୟ ସ୍ୱଜନଙ୍କ ଇଛାନୁସାରେ ଦାର୍ଜିଲିଂ ଯିବା ପାଇଁ ଇଛା ପ୍ରକାଶ କଲେ । କିନ୍ତୁ ଶ୍ରୀ ଶ୍ରୀ ଠାକୁରଙ୍କ ଅନୁମତି ନ ମିଳିବାଯୋଗୁଁ ଦୁଇଥର ଦାର୍ଜିଲିଂ ଯାତ୍ରା ବନ୍ଦ ହୋଇଥିଲା । କିନ୍ତୁ ପରେ ଅନିଚ୍ଛାସତ୍ତେ୍ୱ ମଧ୍ୟ ଶ୍ରୀ ଶ୍ରୀ ଠାକୁର ଅନୁମତି ଦେବାକୁ ବାଧ୍ୟ ହୋଇଥିଲେ । ପୁତ୍ରଚରିରଞ୍ଜନ, ପୁତ୍ରବଧୁ ସୁଜାତା ଦେବୀ ଓ ତାଙ୍କର କନ୍ୟାଗଣ ଆଶ୍ରମରେ ରହିଗଲେ । କିନ୍ତୁ ଦୁର୍ଭାଗ୍ୟବଶତଃ କାଳର କରାଳକ୍ରମେ ଦାର୍ଜିଲିଂ ଠାରେ ଗୁରୁତର ଶାରୀରିକ ଅସୁସ୍ଥତା ଯୋଗୁଁ ମାତ୍ର ପଞ୍ଚାବନ ବର୍ଷ ବୟସରେ ଦେଶବନ୍ଧୁଙ୍କର ମହାପ୍ରୟାଣ ହୋଇଥିଲା । କଲିକତାରେ ଦେଶବନ୍ଧୁଙ୍କ ଅନ୍ତିମ ଶୋଭାଯାତ୍ରାରେ ଜନନୀ ମନମୋହିନୀ ଦେବୀ ଓ ଜାତିର ପିତା ମହାତ୍ମାଜୀ ଉପସ୍ଥିତ ରହି ତାଙ୍କର ଗୁଣ ବଖାଣିଥିଲେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମଧ୍ୟ ତାଙ୍କୁ ନିଜର ଗୁରୁ ହିସାବରେ ମାନନ୍ତି । ଦେଶବନ୍ଧୁଙ୍କ ପତ୍ନୀ ବାସନ୍ତୀ ଦେବୀଙ୍କୁ ମାଆ ଭାବେ ସମ୍ବୋଧିତ କରୁଥିଲେ । ଦେଶବନ୍ଧୁଙ୍କର ଶେଷ ବାକ୍ୟ ଥିଲା - ମୋ ଜୀବନର ସମସ୍ତ ଆଶା, ଆକାଂକ୍ଷା ଓ ଚିନ୍ତାଧାରା ଶ୍ରୀ ଶ୍ରୀ ଠାକୁରଙ୍କର ସାନ୍ନିଧ୍ୟ ଲାଭ କରି ପରିମାର୍ଜିତ ହୋଇଥିଲା । ୧୯୨୫ ମସିହା ଜୁନ୍ ୧୬ ତାରିଖରେ ପ୍ରବଳ ଜ୍ୱରରେ ପୀଡ଼ିତ ହେବା ଯୋଗୁଁ ଦେଶବନ୍ଧୁଙ୍କର ପ୍ରାଣହାନୀ ଘଟିଥିଲା । ।
ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର
Comments
Post a Comment