ପିଲାଙ୍କ ପାଇଁ ଯୋଗ


ଡାକ୍ତର ଜ୍ୟୋତିରଞ୍ଜନ ଚମ୍ପତରାୟ

କେବଳ ଭାରତୀୟ ଆଧ୍ୟାତ୍ମିକ ବିଜ୍ଞାନ ନୁହେଁ ସ୍ୱାସ୍ଥ୍ୟ ବିଜ୍ଞାନ କ୍ଷେତ୍ରକୁ ଦେଖାଗଲେ ଜଣାଯାଏ ଯେ ଏହି ଯୋଗ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପାଦେୟ ଭୂମିକା ଗ୍ରହଣ କରିଥାଏ । ତେବେ ଯୋଗାସନ କ୍ଷେତ୍ରରେ ପିଲାମାନଙ୍କର କ୍ଷେତ୍ରକୁ ଦେଖିଲେ କେତେକ କ୍ଷେତ୍ରରେ ଭିନ୍ନ ମତ ଦେଖିବାକୁ ମିଳେ । ଏହା ସୁନିଶ୍ଚିତ କଥା ଆଠ ବର୍ଷରୁ ଉଦ୍ଧ୍ୱର୍ ପିଲା ତା'ର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଯୋଗ ଶିଖାଇଲେ କିଛି ଖରାପ ନୁହେଁ । କିନ୍ତୁ ଏ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଉପାଦେୟ ପ୍ରସଙ୍ଗଟି ହେଉଛି ପିଲାଟିର ସ୍ୱାସ୍ଥ୍ୟ, ଶାରୀରିକ ଅସୁବିଧା ବା ଚିକିତ୍ସା, କୌଣସି ବଂଶାନୁକ୍ରମିକ ରୋଗ ବା ପରିପାଶ୍ୱର୍ିକ ଅବସ୍ଥିତିକୁ ଦେଖି ନିର୍ଣ୍ଣୟ ନେବାକୁ ପଡ଼ିଥାଏ ଯେ ପିଲାଟିର ଶାରୀରିକ ପୃଷ୍ଟିସାଧନ କ୍ଷେତ୍ରରେ ଯୋଗର କ୍ଷେତ୍ର କେଉଁପରି ଓ କିଭଳି ରହିବ । ଆଜିକାଲି କିଛି ପିଲାମାନଙ୍କ ବାପମାଆ ବା ଅଭିଭାବକ ଭାବପ୍ରବଣ ହୋଇ ଖୁବ୍ କମ୍ ବୟସରୁ ପିଲାମାନଙ୍କୁ ଯୋଗ, ଆସନ, ପ୍ରାଣାୟମ ଓ ବିଭିନ୍ନ ଶାରୀରିକ ବିଜ୍ଞାନ କଳା ଶିଖାଉଛନ୍ତି । ଏହାକୁ ଏକ ପ୍ରକାର ଭାବପ୍ରବଣତାର ଚିନ୍ତାଧାରା କହିଲେ ଅତ୍ୟୁକ୍ତି ହେବନାହିଁ କିନ୍ତୁ ଏହି କ୍ଷେତ୍ରରେ ଚିକିତ୍ସା ବିଜ୍ଞାନ ନିଶ୍ଚିନ୍ତ ଭାବରେ ଏକ ଚିନ୍ତାଜନକ ବିତର୍କରେ ବି ପହଞ୍ôଚ ଯାଇଥାଏ । ଶାସ୍ତ୍ର କହିଛି - "ଶରୀର ମାଦ୍ୟମଂ ଖଳୁଧର୍ମ ସାଧନମ୍ ।' ଯାହାର ଭାବାର୍ଥ ହେଉଛି ଶରୀରକୁ ଦେଖି ଧର୍ମ ସାଧନା କର । ସେହିପରି ଆଜିକାଲି କିଛି ବିଦ୍ୟାଳୟରେ ମଧ୍ୟ ପିଲାମାନଙ୍କୁ ଏହିପରି ଯୋଗାସନ ଶିକ୍ଷା ପାଇଁ ଉତ୍ସାହିତ କରାଯାଉଛି । ଆଗାମୀ କାଲିର ଭବିଷ୍ୟତ କୁହାଯାଉଥିବା କୋମଳମତି ପିଲାଙ୍କୁ ଶାରୀରିକ ତତ୍ତ୍ୱ କ୍ଷେତ୍ରରେ ଗଢ଼ି ତୋଳିବା ଏକ ସାଧନା କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ଛୋଟ ପିଲାଟି ପାଇଁ ଏପରି ଅତ୍ୟନ୍ତ ଉପାଦେୟ ପ୍ରସଙ୍ଗ କେତେକ କ୍ଷେତ୍ରରେ ବିପଜ୍ଜନକ ହେବାର ଦୃଷ୍ଟାନ୍ତ ବି ରହିଛି । ସବୁପିଲାମାନଙ୍କ ବାପମାଆ ଚାହାଁନ୍ତି ସେମାନଙ୍କ ପିଲା ସୁସ୍ଥ ସବଳ ଭାବେ କୌଣସି ରୋଗର ଶିକାର ନହୋଇ ବେଶ ଡଉଲ ଡାଉଲ ଶରୀରଟି ପାଉ । କେବଳ ଶାରୀରିକ ଭାବରେ ନୁହେଁ ମାନସିକ ସ୍ତରରେ ପିଲାଟିର ଉନ୍ନତି ବି ବାପମାଆମାନେ ଚାହାଁନ୍ତି । ତେବେ ପିଲାମାନଙ୍କୁ ନିର୍ଦ୍ଦିଷ୍ଟ ବୟସ ଅବଧି ପରେ ଏବଂ ତାହାର ଶରୀରର ସୁସ୍ଥ ସବଳତାକୁ ଦେଖି ତାହାର ଚିକିତ୍ସା କରୁଥିବା ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଯୋଗାଭ୍ୟାସ କଲେ ଏହା ପିଲାଟି ପାଇଁ ଶାରୀରିକ କ୍ଷେତ୍ରରେ ନିଶ୍ଚିନ୍ତ ଭାବରେ ଉପାଦେୟ ହୋଇପାରିବ । ପିଲାମାନଙ୍କୁ ଆମର ଭାରତୀୟ ପ୍ରାଚୀନତମ ବିଜ୍ଞାନ ଅନୁଯାୟୀ ସୂର୍ଯ୍ୟ ନମସ୍କାର ଶିଖାଇବା ଏକ ଖୁବ୍ ଭଲ ଅଭ୍ୟାସ । ତେବେ ପ୍ରଥମ କଥା ହେଉଛି ପିଲାଟିକୁ ନିର୍ଦ୍ଦିଷ୍ଟ ଖାଦ୍ୟ ଓ ବିଶ୍ରାମର ରୁଟିନ୍ ତିଆରି କରି ସକାଳୁ ଯୋଗ, ଆସନ ପାଇଁ ପ୍ରସ୍ତୁତି କରନ୍ତୁ । ଏହା ପୂର୍ବରୁ ପିଲାଟିର କୋଷ୍ଠକାଠିନ୍ୟ ଥିଲେ, ବଦ୍ହଜମ ରହୁଥିଲେ, ଶ୍ୱାସ ବା ଅନ୍ୟକୌଣସି ଆନୁବଂଶିକ ବା ସଂକ୍ରମିତ ରୋଗ ରହୁଥିଲେ, ପିଲାଟିକୁ ନିଦ ନ ହେଉଥିଲେ, ଦୁର୍ବଳ ସ୍ୱାସ୍ଥ୍ୟ ରହୁଥିଲେ, ଉଦାସୀନତା ଚିନ୍ତାଧାରା ଥିଲେ ଏହିପରି ଅନେକ କ୍ଷେତ୍ରର ପରିପାଶ୍ୱିର୍କ ସ୍ଥିତିକୁ ଗୁରୁତ୍ୱର ସହିତ ଦୃଷ୍ଟି ଦିଅନ୍ତୁ । ପିଲାଟିକୁ ପ୍ରଥମେ ଆଗେ ସୁସ୍ଥସବଳ ରଖିବା ପରେ ହିଁ ଯୋଗ ଦିଗଟିକୁ ଦୃଷ୍ଟି ଦିଅନ୍ତୁ । ଯୋଗାସନ ଶିକ୍ଷା ଦେବା ପୂର୍ବରୁ ପିଲାଟିର ସକାଳୁ ନିତ୍ୟକର୍ମ ସାରିବାର ଅଭ୍ୟାସ ରଖନ୍ତୁ । ପିଲାଟିକୁ ନିଶ୍ଚିନ୍ତ ଭାବରେ ଜଣେ ବିଧିବଦ୍ଧ ଯୋଗ ପ୍ରଶିକ୍ଷକଙ୍କ ଠାରୁ ହିଁ ଏହାକୁ ଶିକ୍ଷା ଦେବାକୁ ବ୍ୟବସ୍ଥା କରନ୍ତୁ । ପିଲାମାନଙ୍କର ପ୍ରାୟ ସକାଳୁ ବିଦ୍ୟାଳୟ ଥିବାରୁ ଘରୋଇ ପରିବେଶରେ ଶିକ୍ଷା ଦେବା କିଛି ମନ୍ଦ ନୁହେଁ । ତେବେ ଯୋଗ ଦ୍ୱାରା ପିଲାଟିକୁ ଖୁବ୍ କମ ଦିନ ଭିତରେ ବେଶ୍ ମଜଭୁତିଆ ଶରୀରର କରିଦେବା ପରି ଚିନ୍ତାଧାରା ରଖନ୍ତୁ ନାହିଁ । ପିଲାଟିର ଗତ ରାତ୍ରିର ବିଶ୍ରାମ, ସକାଳର ନିଦ୍ରା ତ୍ୟାଗ, ନିତ୍ୟକର୍ମ ସହ ବିଦ୍ୟାଳୟକୁ ଯିବା ସମୟକୁ ମଧ୍ୟ ଦୃଷ୍ଟିରେ ରଖନ୍ତୁ । କେତେକ ବାପାମାଆ ଜିମ୍ରେ ପିଲାଙ୍କୁ ଶରୀର ବିଜ୍ଞାନ ବା ଯୋଗ ଶିଖାଇବାକୁ ଇଚ୍ଛୁକ ଥାନ୍ତି । ଏହାକିନ୍ତୁ କିଛି ମନ୍ଦ ନୁହେଁ, କିନ୍ତୁ କଥାଟି ହେଉଛି "ଦିଅଁ ଗଢ଼ୁ ଗଢ଼ୁ, ମାଙ୍କଡ଼ ନହେଉ' । ପିଲାଟିକୁ ଶିକ୍ଷା ଦିଅନ୍ତୁ କିନ୍ତୁ ଶିକ୍ଷା ନାଁରେ ତା କ୍ରମବିକାଶର ବାଧକ ଯେ ଆପଣଙ୍କ ଶିକ୍ଷା ନ ହେଉଛି ତାହାକୁ ଚିନ୍ତାରେ ରଖିଥାନ୍ତୁ । କିଛି ଅଭିଭାବକ ଯୋଗାସନ କରୁଥିବା ପିଲାମାନଙ୍କ ପାଇଁ ବଜାରରେ ମିଳୁଥିବା ତଥାକଥିତ ପ୍ରୋଟିନ୍ ଖାଦ୍ୟକୁ ବେଶ୍ ଗୁରୁତ୍ୱ ଦିଅନ୍ତି । ସେମାନେ ଭାବନ୍ତି ପିଲାଟି ଯୋଗ, ବ୍ୟାୟାମ କରୁଛି ମାନେ ତା'ଶରୀରକୁ ଭଲ ରକମର ପୁଷ୍ଟିକର ଖାଦ୍ୟ ଦରକାର । ଏହା କିନ୍ତୁ ନିଶ୍ଚିନ୍ତ କଥା । ପିଲାଟିକୁ ଘରୋଇ ବ୍ୟବସ୍ଥାର ପୃଷ୍ଟିକର ଖାଦ୍ୟ ଦିଅନ୍ତୁ । ମୁଗଗଜା ହେଉ ବା ବାଦାମ, ପଞ୍ଚବର୍ଣ୍ଣି ଛତୁଆ ହେଉ ବା ଫଳ, କ୍ଷୀର ହେଉ ବା ଅଣ୍ଡା ବା ଛୋଟମାଛ ଏହା ପିଲାମାନଙ୍କ ପାଇଁ ଅତ୍ୟନ୍ତ ପୁଷ୍ଟିକର । ଯୋଗାସନ ପରେ କିଛି ସମୟ ପିଲାମାନଙ୍କ ପାଇଁ ବିଶ୍ରାମର ଆବଶ୍ୟକତା ବି ରହିଛି । ପିଲାଟି ଯୋଗ ଅଭ୍ୟାସ ବେଳେ ଢ଼ିଲା ଓ ସୂତାବସ୍ତ୍ର ପିନ୍ଧାନ୍ତୁ । ଖୋଲା ଏବଂ ମୁକ୍ତ ପବନ ଯାଉଥିବା ସ୍ଥାନରେ ଏ ଅଭ୍ୟାସ ଶରୀର ପାଇଁ ଉପାଦେୟ । କେତେକ ବିଦ୍ୟାଳୟରେ ନିୟମିତ ଶାରୀରିକ ବିଜ୍ଞାନ ଶ୍ରେଣୀ ବି ରହିଛି ଏହା ପିଲାମାନଙ୍କ ପାଇଁ ବି ଯୋଗାଭ୍ୟାସ କ୍ଷେତ୍ର ପାଇଁ ଉପାଦେୟ । ତେବେ ପିଲାକୁ ଯୋଗାସନ କରିବା ପୂର୍ବରୁ ତାର ସ୍ୱାସ୍ଥ୍ୟର ସମସ୍ତ କ୍ଷେତ୍ରକୁ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇ ହିଁ ଅଭ୍ୟାସ କରନ୍ତୁ । ନଚେତ୍ ଏହା ପିଲାମାନଙ୍କ ପାଇଁ ଘାତକ ବି ସାବ୍ୟସ୍ତ ହୋଇପାରେ । ଭାରତର ପ୍ରାଚୀନତମ ଯୋଗବିଜ୍ଞାନ ଆଜିକା ସମୟରେ ପିଲାମାନଙ୍କ ପାଇଁ ବି ନିଶ୍ଚିନ୍ତ ଭାବରେ ଉପାଦେୟ । ସହଯୋଗୀ ପ୍ରଫେସର, ଶିଶୁରୋଗ ବିଭାଗ, ଶିଶୁଭବନ, କଟକ,

Comments