ପ୍ରସାଦ ଭାବେ ଏହି ସବୁ ଗଛଲତାର ଚାରା ଉପହାର

ପ୍ରସାଦ ଭାବେ ମିଳେ ଔଷଧୀୟ ଚାରା
ତୀ ର୍ଥ ନଗରୀ ହରିଦ୍ୱାର ଆସିଲେ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୋଇଥାଏ । ଦୂରଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ତୀର୍ଥ ଭ୍ରମଣରେ ଆସିଥାନ୍ତି । ବିଭିନ୍ନ ଦେବାଦେବୀଙ୍କ ଦର୍ଶନ କରି ପୂର୍ଣ୍ଣଲାଭ ଥାଏ ସେମାନଙ୍କର ମୂଳ ଲକ୍ଷ୍ୟ । ହେଲେ ଏଠାରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ପ୍ରସାଦ ରୂପେ ଭକ୍ତମାନଙ୍କୁ ଏକ ଚାରା ପ୍ରଦାନ କରାଯାଇଥାଏ । ଏହାକୁ ତରୁ ପ୍ରସାଦ ବୋଲି କୁହାଯାଏ । କଥାଟା ବିଶ୍ୱାସ ନ ହେଲେ ମଧ୍ୟ ସତ ।ପ୍ରକୃତି ମା'କୁ ସବୁଜ ସୁନ୍ଦର ରଖିବା ପାଇଁ ଏହି ମନ୍ଦିର ପକ୍ଷରୁ ନିଆଯାଇଛି ଏଭଳି ଏକ ପଦକ୍ଷେପ । ହରିଦ୍ୱାରର ଏହି ମନ୍ଦିରଟି ହେଉଛି, "ହରିତିମା ମନ୍ଦିର' । ଏହି ମନ୍ଦିରରେ ଦେବାଦେବୀଙ୍କ ବ୍ୟତୀତ ବିଭିନ୍ନ ପ୍ରକାରର ଗଛଲତା ପୂଜା କରାଯାଏ । ଆଉ ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ଭାବେ ଏହି ସବୁ ଗଛଲତାର ଚାରା ଉପହାର ଦିଆଯାଇଥାଏ । ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣର ମାତ୍ରାକୁ କମ୍ କରିବା ପାଇଁ ଏହି ମନ୍ଦିର ତରଫରୁ ପ୍ରୟାସ ଜାରି ରହିଥିବା ଦେଖି ଅନେକ ଲୋକ ଏଥିପ୍ରତି ଆକର୍ଷିତ ମଧ୍ୟ ହୋଇଥାନ୍ତି । ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର କେନ୍ଦ୍ର ଶାନ୍ତିକୁଞ୍ଜ ସ୍ଥିତ ହରିତିମା ମନ୍ଦିର ଏବେ ପ୍ରକୃତିପ୍ରେମୀଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛି । ଏ ପର୍ଯ୍ୟନ୍ତ ଲକ୍ଷାଧିକ ଚାରା ବଣ୍ଟନ କରାଯାଇଥିବାବେଳେ ମନ୍ଦିର ପରିସରରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଲଗାଯାଇଛି । ମନ୍ଦିର ଉଦ୍ୟାନରେ ୫ ଶହରୁ ଅଧିକ ପ୍ରକାରର ବୃକ୍ଷ ଥିବାବେଳେ ପ୍ରାୟ ସମସ୍ତ ଔଷଧୀୟ ବୃକ୍ଷର ନାମ ସହ ଏହା ଉପରେ ଥିବା ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି । ଯାହା ଫଳରେ ଏଠାକୁ ଆସୁଥିବା ଲୋକେ ଗଛର ଔଷଧୀୟ ଗୁଣ ବିଷୟରେ ଅବଗତ ହୋଇପାରିବେ । ଏଠାରେ ଥିବା କିଛି ଗଛକୁ ଶିବଲିଙ୍ଗର ଆକୃତି ଦିଆଯାଇଥିବା ଦେଖିବାକୁ ମିଳେ । ଗାୟତ୍ରୀ ପରିବାରର ଜନକ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ୧୯୭୦ ମସିହାରେ ଏହି ମନ୍ଦିର ପ୍ରତିଷ୍ଠା କରିଥିବା ଶୁଣିବାକୁ ମିଳେ । ଏହି ମନ୍ଦିର ହରିଦ୍ୱାର ଆସୁଥିବା ଲୋକମାନଙ୍କ ମଧ୍ୟରେ ପରିବେଶ ବା ପ୍ରକୃତି ସଂରକ୍ଷଣର ବାର୍ତ୍ତା ଦେଇଥାଏ । ସାରା ଦେଶରୁ ଅନେକ ଲୋକ ଏଠାକୁ ଆସି ଔଷଧୀୟ ବୃକ୍ଷ ନେଇ ଲଗାଇବା ସହ ପରିବେଶ ସୁରକ୍ଷା ଦିଗରେ ସହଯୋଗ କରୁଥିବା ବିଶ୍ୱାସ ରହିଛି । ଏହାଛଡ଼ା ଏହି ମନ୍ଦିରର ଆଉ ଏକ ବିଶେଷତ୍ୱ ହେଉଛି ଗଛଗୁଡ଼ିକୁ କିପରି ଲଗାଇବା ଦରକାର, ଏହାର ଯତ୍ନ କିପରି ନେବା ଆବଶ୍ୟକ ଏ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥାଏ ।

Comments