ଦେବସ୍ନାନ ପୂର୍ଣ୍ଣିମା


ଶ୍ରୀଜଗନ୍ନାଥ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ବିଗ୍ରହ ନୁହନ୍ତି  । ଏହି ଚତୁର୍ଦ୍ଧା ମୂର୍ତ୍ତିରେ ସକଳ ପ୍ରକାର ଦାର୍ଶନିକ ଚିନ୍ତା ଓ ଚୈତନ୍ୟ ତଥା ବିବିଧ ଧର୍ମ ଧାରଣର କେବଳ ସମନ୍ୱୟ ହୋଇନି, ମିଳନ ମଧ୍ୟ ଘଟିଛି  । ସେହି ଦୃଷ୍ଟିରୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା, ଶ୍ରେଷ୍ଠତମ ମାନବ ଧର୍ମର ପ୍ରଚାର କରୁଛି  । ସେହି ରଥଯାତ୍ରାର ପ୍ରାରମ୍ଭରୁ ହେଉଥିବା ଦେବସ୍ନାନ ପୂର୍ଣ୍ଣିମା ଯାତ୍ରାର ତାତ୍ପର୍ଯ୍ୟ ବେଶ ଅଧିକ  । ନୀଳାଦ୍ରି ମହୋଦୟ ଜଗନ୍ନାଥ ମନ୍ଦିରରେ ନୀତି ସମ୍ବନ୍ଧୀୟ ଧର୍ମ ପୁସ୍ତକରେ ଉଲ୍ଲେଖ ଅଛି ଯେ, ଶ୍ରୀଜଗନ୍ନାଥ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଜନ୍ମ ଗ୍ରହଣ କରିଥିଲେ  । ନୈଷଧ କାବ୍ୟରେ ମଧ୍ୟ କବି ଶ୍ରୀହର୍ଷ ଏହି ସ୍ନାନୋତ୍ସବ ସମ୍ପର୍କରେ ଉଲ୍ଲେଖ କରିଛନ୍ତି  । ଜ୍ୟେଷ୍ଠମାସ ଶୁକ୍ଳ ଦଶମୀ ଠାରୁ ଭାରତ ଭୂମିର ସମସ୍ତ ତୀର୍ଥ ସମାଗତ ହୁଅନ୍ତି ଶ୍ରୀକ୍ଷେତ୍ରରେ ତାହା ପୁଣି ସୁନା କୂଅରେ ଯାହାକି ବଡ଼ ଦେଉଳର ଉତ୍ତର ଦ୍ୱାର ନିକଟସ୍ଥ ଶୀତଳା ଠାକୁରାଣୀଙ୍କ ମନ୍ଦିର ନିକଟରେ ଅବସ୍ଥିତ  । ଏହି ସ୍ନାନ ପୂର୍ଣ୍ଣିମାର ପୂର୍ବଦିନ ସୁନା ଗୋସାଇଁ ଓ ମୁଦିରଥ ୧୦୮ ଗୋଟି ନୂତନ କୁମ୍ଭରେ ଜଳ ଗରାବଡ଼ୁ ସେବକମାନଙ୍କ ଦ୍ୱାରା ଅଣାଇ ଭୋଗ ମଣ୍ଡପରେ ଅଧିବାସ କରି ରଖିଥାନ୍ତି  । ଘଟୁଆରି ଚନ୍ଦନ ଘୋରି କର୍ପୂର, କେଶର ଓ ଗୁଆ ଇତ୍ୟାଦି ଏହି ଜଳରେ ମିଶାଇ ଏହାକୁ ଅତ୍ୟନ୍ତ ସୁଗନ୍ଧିତ କରିଥାଆନ୍ତି  । ଗରାବଡ଼ୁମାନେ ୧୦୮ କୁମ୍ଭ ଉପରେ ୧୦୮ଟି ନଡ଼ିଆ ଓ ୧୦୮ ଖଣ୍ଡି କରିଆ ରଖନ୍ତି  । ତେଣୁ ଏହି ପର୍ବ ରାତିରେ ବଡ଼ ସିଂହାର ପରେ ଠାକୁରମାନଙ୍କର ପହୁଡ଼ କରାନଯାଇ ଶ୍ରୀମୁଖରେ ଖଣ୍ଟୁଆ ପକାଯାଏ  । ଅର୍ଥାତ୍ ମୁହଁରେ ଲୁଗା ଘୋଡ଼ାଇ ଦିଆଯାଏ  । ପରେ କୋଠ ସୁଆଁସିଆମାନେ ଠାକୁରମାନେ ରତ୍ନସିଂହାସନରୁ ବିଜେ କରିବା ପାଇଁ କଳାହାଟ ଦୁଆର ଠାରୁ ରତ୍ନସିଂହାସନ ପର୍ଯ୍ୟନ୍ତ ଚାରମାଳ ବାନ୍ଧନ୍ତି  । ପୂର୍ବରୁ ସେମାନେ ମଧ୍ୟ ସ୍ନାନ ମଣ୍ଡପରେ ଚାନ୍ଦୁଆ ଇତ୍ୟାଦି ବାନ୍ଧି ସାଜସଜା କରିଥାଆନ୍ତି  । ପୂର୍ଣ୍ଣିମା ଦିନ ସକାଳୁ ପୂଜା ପଣ୍ଡା, ପତି ମହାପାତ୍ର ଓ ମୁଦ୍ରାହସ୍ତ ତିନି ଠାକୁରଙ୍କ ବାଡ଼ରେ ମଙ୍ଗଳାର୍ପଣ କରିବା ପରେ ଦଇତାମାନେ ଠାକୁରମାନଙ୍କ ଦେହରେ ଡୋରି ଲାଗି କରନ୍ତି  । ପରେ ପରେ ଘଣ୍ଟ କାହାଳୀ ଓ ବାଦ୍ୟ ବାଜି ଉଠେ  । ଛତିତରାସ ଇତ୍ୟାଦି ଧରାହୁଏ  । ଅପୂର୍ବ ବାଦ୍ୟ ଶବ୍ଦ ସାଙ୍ଗକୁ ଅପୂର୍ବ ଦୃଶ୍ୟ ପରିବେଶରେ ଉଦ୍ଭାସିତ ହୋଇଉଠେ  । ଭକ୍ତର ହୃଦୟ କନ୍ଦରର ଆକାଂକ୍ଷିତ ପହଣ୍ଡି ବିଜେ ଆରମ୍ଭ ହୁଏ  । ଏହି ଦିନ ଧାଡ଼ି ପହଣ୍ଡି ହୁଏ  । ଗୋଟି ପହଣ୍ଡି ନୁହେଁ  । ବିଗ୍ରହମାନେ ଜଣକ ପରେ ଜଣେ ଏକାଠି ବିଜେ ହେଲେ ଧାନି ପହଣ୍ଡି କହନ୍ତି  । ତିନିଜଣ ପୂଜା ପଣ୍ଡା ଷୋଡ଼ଶ ଉପଚାରରେ ପୂଜା ସାରିବା ପରେ ଗରାବଡ଼ୁମାନେ ରୂପା ପିଙ୍ଗଣ ଧରିଥିବା ତିନିଜଣ ମେକାପଙ୍କୁ ଜଳ ଦିଅନ୍ତି  । ଏହି ପିଙ୍ଗଣରୁ ଜଳନେଇ ପୂଜା ପଣ୍ଡାମାନେ ଠାକୁରମାନଙ୍କୁ ଲାଗି କରନ୍ତି  । ଏତେବେଳେ ମଧ୍ୟ ଉଚ୍ଚାରିତ ମନ୍ତ୍ର ଧ୍ୱନି ସହ ଘଣ୍ଟା କାହାଳୀ ବାଜୁଥାଏ  । ଜଳ ଲାଗି ସରିଗଲେ, ଲେଙ୍କା ଓ ପାଇକମାନେ ସେହିପରି ବାଦ୍ୟ ବଜାଇ ଗୋପାଳତୀର୍ଥ ମଠରୁ ବଡ଼ ଠାକୁରଙ୍କ ପାଇଁ ହାତୀବେଶ ଆଣନ୍ତି  । ଅନ୍ୟ ଦୁଇ ଠାକୁରଙ୍କ ପାଇଁ ଏହି ବେଶ୍ ଆସେ ରାଘବ ଦାସ ମଠରୁ  । ବିଗ୍ରହମାନେ ଗଜାନନ ବେଶ ପରେ ପୁଷ୍ପାଳକମାନେ ପୁଷ୍ପ ଲାଗି କରନ୍ତି  ।

Comments