-ଗୋଲଖ ଚନ୍ଦ୍ର ଦାସ
ଆମ କଲୋନୀର କ୍ଲବ ଘରେ ବସିଥାଉ । ମୋ ପାଖରେ ଚାରିଜଣ ବନ୍ଧୁ ବସିଥିଲେ । ଏହି ସମୟରେ ଡାକବାଲା ଏକ ପତ୍ର ଦେଇଗଲେ । ସେହି ପତ୍ରଟି ଥିଲା ଏକ ନିମନ୍ତ୍ରଣ ପତ୍ର । ନିମନ୍ତ୍ରଣ ପତ୍ରରେ ଉଲ୍ଲେଖଥିଲା ବିଶ୍ୱର ପ୍ରଥମ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ଉପଲକ୍ଷେ ଚତୁର୍ଦ୍ଦଶ ନାରଦ ସମ୍ମାନ ଉତ୍ସବ ପାଳନ କରାଯିବ । ସାମ୍ବାଦିକ ଜଗତରେ ଜୀବନ ବ୍ୟାପୀ ସାଧନା ନିମିତ୍ତ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଏହି ଅବସରରେ ସମ୍ମାନୀତ କରିବାକୁ ସ୍ଥିରିକୃତ । ଏହି ଉତ୍ସବ ଆସନ୍ତା ତା ୨୨ ମଇ ୨୦୧୬ରିଖ ରବିବାର ଦିନ ସଧ୍ୟା ୬ ଘଟିକା ସମୟରେ ଭୁବନେଶ୍ୱରସ୍ଥ ରାଜ୍ୟ ଶିଳ୍ପ ଉନ୍ନୟନ ନିଗମ (ଇଡିକଲ) ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ । ଏହି ପତ୍ର ପଢିବା ସମୟରେ ମୋ ପାଖରେ ବସିଥିବା ବନ୍ଧୁମାନେ ସମସ୍ତେ ହସିଥିଲେ । କହିଲେ ନାରଦ ଜୟନ୍ତୀ, ସେ ପୁଣି କଣ ? ଏ କାର୍ଯ୍ୟକ୍ରମ ଯିଏ କରୁଛନ୍ତି ସେମାନେ ନିହାତି କଳିହା ଲୋକ ହୋଇଥିବେ । ମୁଁ ପଚାରିଲେ ଆପଣ କିପରି ଜାଣିଲେ ସେମାନେ କଳିହା ଲୋକବିଲି । ବନ୍ଧୁ ଜଣଙ୍କ କହିଲେ ନାରଦ କଣ କି ? ନାରଦ ହେଉଛନ୍ତି କଳହ ସୃଷ୍ଟିକାରୀ । ଆଉ ଜଣେ ବନ୍ଧୁ କହିଲେ ସେ ଠିକ୍ କହୁଛନ୍ତି ଯେ କିନ୍ତୁ ସଠିକ୍ ଭାବରେ ବୁଝାଇ ପାରୁନାହାଁନ୍ତି । ନାରଦ ବା ଦେବତା ଓ ଅସୁରଙ୍କ ମଧ୍ୟରେ କଳହର ସୂତ୍ରପାତ କରୁଥିଲେ । ଏକଥା ସତ ନା ମିଛ ? ଏହାଛଡା ନାରଦ ଜୟନ୍ତୀ କାହିଁକି ପାଳନ କରିବା ? ନାରଦଙ୍କ ଜୟନ୍ତୀ କେବଳ ଭୁବନେଶ୍ୱରରେ ହିଁ ହେଉଥିବ, ଆଉ କେଉଁଠି ଏ ଉତ୍ସବ ହେବାର ଦେଖାଯାଉ ନାହିଁ ?
ମୁଁ ସେହି ଇଂଜିନିୟର ବନ୍ଧୁଙ୍କ କଥାକୁ ବ୍ରେକ ଦେଇ କହିଲି ଆପଣଙ୍କ କଥା ଅନୁଯାୟୀ ନାରଦ ହେଉଛନ୍ତି କଳିହୁଡା ନାରଦ । କାରଣ ସେ ଦାନବଙ୍କ ରହସ୍ୟ ଦେବଙ୍କୁ, ଦେବଙ୍କ ରହସ୍ୟ ଦାନବଙ୍କୁ କହି କଳି ଲଗାନ୍ତି ଓ ସେଥିରେ ଆନନ୍ଦିତ ହୁଅନ୍ତି । ଆପଣଙ୍କ କଥାବି ଠିକ୍ । ସେ ଯଉଁ କଳି ଲଗାନ୍ତି ତାହାଦ୍ୱାରା ରାକ୍ଷାସଙ୍କୁ ସତମାର୍ଗକୁ ଆଣିବାର ଉଦ୍ୟମ କରନ୍ତି । ସେମାନଙ୍କ ଅବାଞ୍ôଚତ ଯୋଜନା ସମ୍ପର୍କରେ ଦେବତାମାନଙ୍କୁ ଆଗୁଆ ସତର୍କ କରାଇ ଦିଅନ୍ତି ଏବଂ ଏହାଦ୍ୱାରା ସେ ସଂସାରକୁ ସୁରକ୍ଷିତ ରଖିବାର ସତତ ପ୍ରୟାସରତ ଥିଲେ । ସେ ଯେଉଁ ତଥ୍ୟ ଆଦାନ ପ୍ରଦାନ କରୁଥିଲେ ତାହା ଥିଲା ସମ୍ବାଦ । ତେଣୁ ସେ ଥିଲେ ସାମ୍ବାଦିକ । ଖବର ଆଦାନ ପ୍ରଦାନ ପ୍ରକ୍ରିୟାର ସ୍ରଷ୍ଟା । ତାଙ୍କର ଖବର ଥିଲା ସଂସାରର ଉପକାରର ସାଧନ ।
ଇଂଜିନିୟର ବନ୍ଧୁ ଆପଣ କାହିଁକି ବିଶ୍ୱକର୍ମାଙ୍କୁ ପୂଜା କରୁଛନ୍ତି, ବିଦ୍ୟାର୍ôଥମାନେ କାହିଁକି ମା ସରସ୍ୱତୀ ଓ ଗଣେଷଙ୍କୁ ପୂଜା କରୁଛନ୍ତି, ବୈଦ୍ୟମାନେ କାହିଁକି ଧନ୍ୱନ୍ତରୀଙ୍କୁ ପୂଜା କରୁଛନ୍ତି ଠିକ୍ ସେହିପରି ଆଜିର ସାମ୍ବାଦିକମାନେ ନାରଦଙ୍କୁ ପୂଜା କରୁଛନ୍ତି । ଏହି ଉତ୍ସବ ଏବେ ଅନେକ ରାଜ୍ୟରେ ଧୁମଧାମରେ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମରେ କେଉଁଠି ଜଣେ ସାମ୍ବାଦିକଙ୍କୁ ସମ୍ମାନୀତ କରାଯାଉଥିଲେ ମଧ୍ୟ ଅନ୍ୟ କେଉଁଠି ଏକାଧିକ ସାମ୍ବାଦିକମାନଙ୍କୁ ସମ୍ମାନୀତ କରାଯାଉଛି । କେଉଁଠି ନାରଦ ସମ୍ମାନ ନାମରେ କେଉଁଠି ଦେବର୍ଷି ସମ୍ମାନ ନାମରେ ସମ୍ମାନୀତ କରାଯାଉଛି । ଆଉ ଏହି ସଭାରେ ସମାଜର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ସମ୍ବାଦ, ସାହିତ୍ୟ, ସଂସ୍କୃତି ଉପରେ ଆଲୋଚନା କରିଥାନ୍ତି । ଗତବର୍ଷ ଭୁବନେଶ୍ୱରର ସୂଚନା ଭବନରେ ବିଶ୍ୱ ସମ୍ବାଦ କେନ୍ଦ୍ର ତରଫରୁ ନାରଦ ଜୟନ୍ତୀ ପାଳନ କରାଯାଉଥିଲା । ସେହି ଉତ୍ସବରେ ସେହି ସଂଗଠନର ଜଣେ ଅଖିଳ ଭାରତୀୟ ଅଧିକାରୀଙ୍କ ସହିତ ମୋର ଭେଟ ହୋଇଥିଲା । ମୁଁ ଏହି ଉତ୍ସବ ବିଷୟରେ ପଚାରିବାରୁ ସେ କହିଥିଲେ ଯେ ଗତବର୍ଷ ବିଭିନ୍ନ ରାଜ୍ୟରେ ୧୧୮ଟି ସ୍ଥାନରେ ନାରଦ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୮୦୦ ସାମ୍ବାଦିକଙ୍କୁ ସମ୍ମାନୀତ କରାଯାଇଥିଲା । ସମସ୍ତ ସ୍ଥାନରେ ମୋଟ ୬୨,୪୦୦ ବ୍ୟକ୍ତି ଭାଗ ନେଇଥିଲେ । ଯେଉଁଥିରେ ୪,୫୦୦ ସାମ୍ବାଦିକ ଥିଲେ ।
ଆମର ଏହି ଆଲୋଚନା ସମୟରେ ଆଜିର ସମାଚାର ଓ ସାମ୍ବାଦିକତାକୁ ନେଇ ପ୍ରଶ୍ନ ଉଠିଥିଲା । କିଛି ବନ୍ଧୁ କହିଲେ ଦୁନିଆରେ କଣ ଭଲ ଖବର ନାହିଁ । ଖବର କାଗଜ ଓଲଟାଇଲେ କେବଳ ଆଖିରେ ପଡୁଛି କିଏ କେଉଠି ହତ୍ୟା କଲା, କେଉଠି ଧର୍ଷଣ କଲା, କେଉଁଠି କିଏ କଣ ଖାଇଗଲା ଓ ନେଇଗଲା । ଏହିପରି ଅନେକ ନକରାତ୍ମକ ଖବର । କଣ ସକରାତ୍ମକ ଖବର ସମାଜରେ ନାହିଁ । ପ୍ରତି ଖବରକାଗଜ ଏବଂ ନ୍ୟୁଜ ଚ୍ୟାନେଲରେ ବ୍ରେକିଂ ନ୍ୟୁଜ କହିଲେ କେବଳ ଖରାପ ଖବରକୁ ହିଁ ବୁଝାଏ । ୧୨୫ କୋଟି ଲୋକ ଥିବା ଦେଶରେ କଣ କୌଣସି ଭଲ ଖବର ଘଟୁ ନାହିଁ । ତାହାହେଲେ ପ୍ରଶ୍ନ ଉଠୁଛି ଦେବର୍ଷି ନାରଦ କଣ ଏହି ପରି ସମ୍ବାଦ ପରିବେଷଣ କରୁଥିଲେ ? ଯଦି ନୁହେଁ ତେବେ ଆଜିର ସାମ୍ବାଦିକମାନେ କାହିଁକି ତାଙ୍କର ପଥ ଅନୁସରଣ କରୁନାହାଁନ୍ତି ? ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦଙ୍କ ପଥ ଅନୁସରଣ କରିବାରେ ଅସୁବିଧା ରହୁଛି କେଉଁଠି ?
ଭଲ ଖବର ଏବଂ ସତ ଖବର ସମସ୍ତଙ୍କ ପାଖରେ ପହଁଞ୍ôଚବା ଦରକାର । ଏକଥା ସତ ଯେ କୌଣସି ବିଶିଷ୍ଟ ବ୍ୟକ୍ତି ଭଲ ଢଙ୍ଗରେ ଉତ୍ତମ ଶବ୍ଦ ଚୟନ କରି ଯେଉଁ କଥା କହିଥାନ୍ତି ତାର ପ୍ରଭାବ ଅପେକ୍ଷା ଭଲ ଖବରଟିର ପ୍ରଭାବ ଅଧିକ ପଡିଥାଏ । ଉତ୍ତମ ଖବର କୌଣସି ଭଲ କାର୍ଯ୍ୟ କରିବା ପାଇଁ ସବୁଠାରୁ ଅଧିକ ପ୍ରେରଣାଦାୟକ ହୋଇଥାଏ । ଏକଥା ଠିକ୍ ଯେ ଆମେ ଯେତେ ଭଲ ଖବର ଉପରେ ଯୋର ଦେବା ଖରାପ ଖବର ସେତେ ଗୌଣ ହୋଇଯିବ ଏବଂ ତା ପାଇଁ କୌଣସି ଜାଗା ରହିବ ନାହିଁ । ପ୍ରଦୀପ ପ୍ରଜ୍ୱଳନ କଲେ ଅନ୍ଧ କାର ଦୂର ହେବ ହିଁ ହେବ । ଆପଣଙ୍କ ମନେ ଥିବ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କାଲାମ ସବୁବେଳେ କହୁଥିଲେ କି ଖବର କାଗଜରେ ପ୍ରଥମ ପୃଷ୍ଠାରେ କେବଳ ସକରାତ୍ମକ ଖବର ପ୍ରକାଶ ପାଉ । ସେ ଏହି କଥାକୁ ବାରମ୍ବାର ଦୋହରାଉଥିଲେ ।
ସମ୍ବାଦପତ୍ର ହେଉଛି ଜାତିର ଆତ୍ମା । ସଂମ୍ବାଦପତ୍ର ଗୁଡିକ ସବୁବେଳେ ନିଷ୍ଠାପର ପ୍ରହରୀ ପରି ଜଗି ରହିବା ଉଚିତ୍ । ସେଥିପାଇଁ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ହେଉଛି ଜାଗ୍ରତ ପ୍ରହରୀ । ଜାଗ୍ରତ ପ୍ରହରୀ ଅର୍ଥ ପ୍ରହରୀ ଶୋଇବ ନାହିଁ । ପ୍ରହରୀର ଚକ୍ଷୁ ଚାରିଆଡେ ଘୁରୁଥିବ । ଦେଖୁଥିବ କେଉଁଠି ଅନ୍ୟାୟ ହେଲା । କେଉଁଠି ଅଘଟଣ ଘଟିଲା । କେଉଁଠି ମଣିଷକୁ ମଣିଷ ଭଳି ବିଚାର ନକରି କିଟପକ୍ଷୀପରି ବ୍ୟବହାର କରାଗଲା । ଏ ସବୁଗୁଡିକୁ ସେ ଦେଖିବ ଏବଂ ପ୍ରତିବାଦ କରିବ,କହିବ,ସାହାର୍ଯ୍ୟର ହାତ ବଢାଇବ ଏ ହେଉଛି ସମ୍ବାଦପତ୍ର ଓ ସାମ୍ବାଦିକତାର ଲକ୍ଷଣ । ଯେଉଁ ଦେଶର ସମ୍ବାଦ ପତ୍ର ଯେତେ ଉନ୍ନତ ସେଦେଶ ସେତେ ସଭ୍ୟ ସେତେ ପ୍ରଗତିଶୀଳ । ଭାରତ ବର୍ଷରେ ସମ୍ବାଦପତ୍ର ସଂଖ୍ୟା ବହୁ ଗୁଣରେ ବଢି ଯାଇଛି କିନ୍ତୁ ବର୍ତ୍ତମାନର ସଂବାଦପତ୍ର ଗୋଟିଏ ବୃତ୍ତି ହୋଇଗଲାଣି । ତପସ୍ୟା ନାହିଁ । ଦେଶ ସେବା ଆଉ ନାହିଁ । ବୃତ୍ତି ହେଉ କିନ୍ତୁ ସେହି ବୃତ୍ତି ହେବା ଦରକାର,ଯେଉଁ ବୃତ୍ତି ଯୋଗୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କୁ ଧୀବର କହି ପାରିଥିଲା ସାହସର ସହିତ ,ଦେଖ ବାବା ତମ ଗୋଡରେ କଣ ଲାଗିଛି ମୁଁ ଜାଣେନା । ଗୋଟିଏ ପଥର ଉପରେ ପାଦ ଥୋଇଦେଲ ସେ ନାରୀ ପାଲଟି ଗଲା । ମୁଁ ତୁମକୁ ଡଙ୍ଗାରେ ବସାଇବି ନାହିଁ । ମୋର ସନ୍ଦେହ ହେଉଛି । କାରଣ ମୋ ବୃତ୍ତି ହେଉଛି ମୋର ଜୀବନ । ଏ ଡଙ୍ଗା ହେଉଛି ମୋର ବୃତ୍ତି । ଏହି ଡଙ୍ଗା ଚଲାଇକି ମୋର କୁଟୁମ୍ଭ ପୋଷେ । ତେଣୁ ମୋ ବୃତ୍ତିରେ କିଛି ଅନିଷ୍ଠ ହେବ,କିଛି ଆଞ୍ଚ ଆସିବ ତାହା ମୁଁ ଚାହେଁନା । ତେଣୁ ତୁମର ଗୋଡକୁ ମୁଁ ଧୋଇବି ,ଗୋଡରେ କଣ ଲାଗିଛି ତାକୁ କାଢିବି ତାପରେ ନିସନ୍ଦେହ ହୋଇ ତୁମକୁ ଡଙ୍ଗାରେ ବସାଇବି । ଯେପରି ଧୀବର ନିଜର ବୃତ୍ତି ପାଇଁ ନିର୍ଭୟରେ ସତ୍ୟ କହିଲା ଠିକ୍ ସତ୍ୟ କହିବାର ଶକ୍ତି କେବଳ ଗଣ ମାଧ୍ୟମର ଅଛି । ଯଦି ସେ ଶକ୍ତିକୁ ଗଣମାଧ୍ୟମ ହରାଇ ଦିଏ ତେବେ ସେ ଗଣମାଧ୍ୟମ ନାରଦଙ୍କ ସଂସ୍କୃତିରେ ବିଶ୍ୱାସ କରୁଛି ବୋଲି କେହି କହିହେବନି କି ସଂଜୟଙ୍କର ଉତ୍ତରାଧିକାରୀ ବୋଲି କହିହେବନି । କହିପାରିବେନି ଡକ୍ଟର କେଶବ ବଳିରାମ ହେଡେଗେୱାର, ମହାତ୍ମାଗାନ୍ଧୀ,ଲାଲବାହାଦୂର ଶାସ୍ତ୍ରୀ,ଲାଲା ଲାଜପତ ରାୟ,ଉକ୍ରଳମଣୀ ଗୋପବନ୍ଧୁ,ଉକ୍ରଳ ଗୌରବ ମଧୁସୁଦନ ଏବଂ ଋଷି ଅରବିନ୍ଦଙ୍କ ଦାୟାଦ । ପରମ୍ପରାକୁ ସମ୍ମାନ କରି ସାମ୍ବାଦିକମାନେ ଯଦି ସତ୍ୟ,ନିର୍ଭିକତା,ନିରପେକ୍ଷ ସାମ୍ବାଦିକତାର ମନ୍ତ୍ରକୁ ଗ୍ରହଣ କରିବେ ଇତିହାସରୁ ସାର ସଂଗ୍ରହ କରିବେ,ପୁରାଣରୁ ଆଦର୍ଶନେବେ,ନୈତିକତାକୁ ଶ୍ରେଷ୍ଠ ସମ୍ବଳ ବୋଲି ଧରି ରଖିବେ ତେବେ ନିଶ୍ଚିତ ଭାବରେ ଏ ଦେଶ ଭାରତ ବର୍ଷ ସମଗ୍ର ପୃଥିବୀରେ ଶ୍ରେଷ୍ଠ ବୋଲି ରୂପାୟୀତ ହେବ ଏବଂ ଋଷିମୂନିମାନଙ୍କର ବାଣୀ ସଫଳ ହେବ । ଗଣମାଧ୍ୟମ ଗଣର ସ୍ୱର ହେବ,ତାଙ୍କ ତୁଣ୍ଡର କଥା କହିବ,ମଣିଷ ମୁଖା ପିନ୍ଧିଥିବା ଅମଣିଷମାନଙ୍କର ମୁଖା ଖୋଲିବାର କାର୍ଯ୍ୟ କରିବ । ସେଥିପାଇଁ ଜୀବନକୁ ବଳି ଦେବାକୁ ପଡିବ । ସେଥିପାଇଁ ବହୁତ କଷ୍ଟ ସହିବାକୁ ପଡିବ । ଯେମିତି କଷ୍ଟସହି ଖୁଦିରାମ ଫାସିଖୁଣ୍ଟରେ ଚଢିଥିଲେ ଠିକ୍ ସେହିଭଳି ଭାବରେ । ଦୁର୍ନୀତିର ବିଷଚକ୍ରକୁ ଭାଙ୍ଗିବାକୁ ପଡିବ ।
୩୫,ଏନ୍ଏସି ପ୍ଲାଟ, ୟୁନିଟ-୩, ଖାରାବେଳ ନଗର, ଭୁବନେଶ୍ୱର
ମୋ-୯୮୬୧୦୬୯୫୫୩
Comments
Post a Comment