-ଗୋଲଖ ଚନ୍ଦ୍ର ଦାସ
ସମାଜରେ ଶାନ୍ତି ସୌହାଦ୍ଦ୍ୟ ଓ ସହାବସ୍ଥାନର ଉତମ ବାତାବରଣ ସୃଷ୍ଟି ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଗଣମାଧ୍ୟମ ହେଉଛି ଗଣଚେତନାର ଜାଗ୍ରତ ପ୍ରହରୀ । ଗଣଙ୍କ ସହିତ ବିଭିନ୍ନ ମାଧ୍ୟମରେ ଯୋଗାଯୋଗ ରକ୍ଷାକରିବା ହେଲା ଗଣମାଧ୍ୟମର ମୁଖ୍ୟ ଉଦ୍ଦେଶ୍ୟ । ଗଣମାଧ୍ୟମ ଯେଉଁମାତ୍ରରେ ଜାଗ୍ରତ ରହିଛି ତାହା ପ୍ରଶଂସନୀୟ । ଭାରତବର୍ଷରେ ଯେତେ ବଡ଼ ବଡ଼ ଦୁର୍ନୀତି ସାମ୍ନାକୁ ଆସିଛି, ତାହା ଗଣମାଧ୍ୟମ ଯୋଗୁ ସମ୍ଭବ ହୋଇଛି । ଏବେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ଲୋକଲୋଚନକୁ ଆସୁଥିବା ବେଳେ ଗଣମାଧ୍ୟମର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି । ତେବେ ସ୍ୱଚ୍ଛ ରାଜନୀତି ଓ ସାମ୍ବାଦିକତା ମଧ୍ୟରେ ଉତମ ସମନ୍ୱୟ ରହିବା ଆବଶ୍ୟକ । ଏହାଦ୍ୱାରା ଦେଶରେ ବିକାଶ ହେବା ସହିତ ଦୁର୍ନୀତି ଦୂର ହୋଇପାରିବ । ଗଣମାଧ୍ୟମ ସବୁବେଳେ ଶୋଷିତ ଶ୍ରେଣୀ ପକ୍ଷରେ ରହି ସମାଜ ଗଠନରେ ସହାୟକ ହେବା ଆବଶ୍ୟକ । ଗୋଟିଏ ଖବରକାଗଜ ଚାହିଁଲେ ସଂପୂର୍ଣ୍ଣ ନିରପେକ୍ଷ ହୋଇପାରିବ ନାହିଁ । ତେବେ ଏହା ଏକ ନିର୍ଦ୍ଦିଷ୍ଟ ଆଦର୍ଶରେ ଚାଲିବା ଉଚିତ, ଯାହାକି ସମାଜର ମଙ୍ଗଳରେ ଆସୁଥିବ । ସମ୍ବାଦ ପତ୍ର ଗଣତନ୍ତ୍ର ରାଷ୍ଟ୍ରରେ ଜାଗ୍ରତ ପ୍ରହରୀ ଭାବେ ସାଧରଣଭାବେ ଧରି ନିଆଯାଇଥିବା ବେଳେ ବର୍ତମାନ ଜଗତିକରଣ ଯୁଗରେ ତାର ଚରିତ୍ରରେ ପରିବର୍ତନ ଘଟିଛି । ଅନେକ ସମ୍ବାଦପତ୍ର ଗୁଡିକ ନିଜର ମୌଳିକ ମୂଲ୍ୟବୋଧକୁ ଭୁଲିଯାଇ ବ୍ୟବସାୟୀକରଣ କରୁଛନ୍ତି । ଯାହାକି ଗଣତନ୍ତ୍ର ପାଇଁ ଏକ ବିପଦ ମଧ୍ୟ ସୃଷ୍ଟି ହୋଇଛି । ପୁଞ୍ଜିପତିମାନେ ନିଜର ବ୍ୟବସାୟିକ ସ୍ୱାର୍ଥ ଦୃଷ୍ଟିରୁ ବଡ ବଡ ସମ୍ବାଦପତ୍ର ଗୁଡିକୁ କରାୟତ କରିଛନ୍ତି । ତାଙ୍କର ଉତ୍ପାଦିତ ପଦାର୍ଥ ପାଇଁ ଯେପରି ବଜାର ଉପଲବ୍ଧ ହେବ ସେଥିନେଇ ବିଜ୍ଞାପନ ପ୍ରକାଶ ସମ୍ବାଦ ପତ୍ର ବା ଗଣମାଧ୍ୟମରେ ପ୍ରକାଶିତ କରାଇବା ତାଙ୍କର ପ୍ରାଥମିକତା ହୋଇଛି । ନିର୍ବାଚନ ସମୟରେ ଖବରକାଗଜରେ ଯେଉଁ ସ୍ଥାନ (ସ୍ପେସ) ରାଜନୈତିକ ବ୍ୟକ୍ତିଙ୍କ ପ୍ରଚାର ପାଇଁ(ପେଡ ନ୍ୟୁଜ)ବିକ୍ରି ହେଉଛି, ତାହା ଅନୈତିକ । ସମ୍ବାଦପତ୍ରରେ ମହିଳାମାନଙ୍କର ନଗ୍ନ ଚିତ୍ର ଓ ପୁଞ୍ଜିପତିମାନଙ୍କର ବଜାରକୁ ଅକ୍ତିଆର କରିବାକୁ ବିଜ୍ଞାପନ ସମାଜ ପାଇଁ ଅହିତକର । ଏହାଦ୍ୱାରା ସମାଜରେ ଏକ ପ୍ରକାରର ବିଶୃଙ୍ଖଳା ଦେଖାଦେଇଛି । ଆଶ୍ଚର୍ଯ୍ୟର କଥା ଯେ ସମ୍ବାଦପତ୍ରରେ ଗୋଟିଏ ପଟରେ ଦୁର୍ନୀତିର ସମ୍ବାଦ ପ୍ରକାଶ ପାଉଥିଲାବେଳେ ଅନ୍ୟପଟରେ ଦୁର୍ନୀତିକୁ ଘୋଡାଇବା ପାଇଁ ସମ୍ବାଦ ପ୍ରକାଶ ପାଉଛି । ଅନେକ ସମୟରେ ଦେଖାଯାଉଛି କିଛି ଘଟଣାର ଆଧାର ନଥାଇ ହଟଚମଟ ସୃଷ୍ଟି କରାଯାଉଛି । ତାହା ସମାଜପାଇଁ ମଧ୍ୟ ହିତକର ନୁହେଁ । ସଠିକ୍ ସମ୍ବାଦ ପ୍ରକାଶ କରାନଗଲେ ସାଧାରଣ ଲୋକେ ବା ପାଠକମାନଙ୍କ ମନରେ ବିଭ୍ରାନ୍ତ ଦେଖାଦେବ ଏବଂ ସମ୍ପୃକ୍ତ ସମ୍ବାଦ ପତ୍ର ଓ ସାମ୍ବାଦିକମାନଙ୍କ ଉପରେ ବିଶ୍ୱାସ ମଧ୍ୟ ତୁଟିଯିବ ।
ସ୍ୱାଧୀନତା ପୂର୍ବରୁ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ସ୍ୱାଧୀନତା ପରେ ମଧ୍ୟ ଏହି ଜାତି ଗଠନ ପାଇଁ ଗଣମାଧ୍ୟମର ଅବଦାନ ସ୍ମରଣୀୟ ହୋଇ ରହିବ । ସ୍ୱାଧୀନୋତର ଦେଶର ଆୟୁଷ ବଢ଼ିବା ସହିତ ଦେଶରେ ମୂଲ୍ୟବୋଧର ଅବକ୍ଷୟ ହେଉଥିବାରୁ ଏହାକୁ କେବଳ ଗଣମାଧ୍ୟମହିଁ ରୋକି ପାରିବ । ଦେଶ, ଜାତି ଓ ମାନବିକତା ଗଠନରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆଗାମୀ ଦିନରେ ସମ୍ବାଦପତ୍ର ସମାଜରେ ଅଧିକ ଦାୟିତ୍ୱ ଭାବେ କାର୍ଯ୍ୟ କରିବ । ସୁସ୍ଥ ସମାଜ ଗଠନ କରିବାରେ ସମ୍ବାଦପତ୍ର ଓ ସାମ୍ବାଦିକମାନଙ୍କର ପ୍ରମୁଖ ଭୂମିକା ରହିଥିଲା ବେଳେ ସମ୍ପୃକ୍ତ ସାମ୍ବାଦିକମାନେ କାମଳ ସାମ୍ବାଦିକତାରୁ ନିବୃତ ରହି ସତ୍ୟ ସମ୍ବାଦ ପ୍ରକାଶ କରିବା ଜରୁରୀ । ପ୍ରଶାସନର ଦୋଷ ତୃଟି ଦର୍ଶାଇବା ସହ ତାର ପ୍ରତିକାର ନିମନ୍ତେ ପରାମର୍ଶ ଦେବା ଏବଂ ଶାସକର ଦୁର୍ନୀତିକୁ ଲୋକ ଲୋଚନକୁ ଆଣିବା ହେଉଛି ସମ୍ବାଦପତ୍ର ଓ ସାମ୍ବାଦିକମାନଙ୍କର ଧର୍ମ । ଏହି ଧର୍ମକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଜରୁରୀ ।
ସାମ୍ବାଦିକତାରେ ସକରାତ୍ମକ ମନୋଭାବ ଜରୁରୀ । ଜନମତର ଜାଗରଣ ପାଇଁ ସତ୍ୟଶୀଳତା, ସଂପୃକ୍ତି ଓ ସତର୍କତାକୁ ଆଧାର କରି ଗଣମାଧ୍ୟମ ପ୍ରତିଷ୍ଠିତ ହୁଏ । ମୁକ୍ତ, ଅବାଧ ଓ ପୂର୍ଣ୍ଣାଙ୍ଗ ତଥ୍ୟ ପରିବେଷଣ ସହିତ ସମୃଦ୍ଧ ସମାଜ ଗଠନ ଏବଂ ମୂଲ୍ୟବୋଧର ଉତରଣ ପାଇଁ ଗଣମାଧ୍ୟମ ଉଦ୍ୟମ କରିଥାଏ । ସାମ୍ବାଦିକମାନେ ସମାଜରେ ବିବେକ ରକ୍ଷକଭାବରେ କାର୍ଯ୍ୟ କରିବା ସହିତ ମୂଲ୍ୟବୋଧ ତଥା ନୂତନ ଉପଲବ୍ଧିର ବାହକ ଭାବରେ କାର୍ଯ୍ୟ କରିବାର ସମୟ ପହଁଚିଛି । ସମାଜରେ ସତଲୋକମାନଙ୍କୁ ଚିହ୍ନାଇଦେବାର ଦାୟିତ୍ୱ ନେବା ସହିତ ସାମ୍ବାଦିକମାନେ ତଥ୍ୟ ଓ ଜ୍ଞାନର ଯଥାର୍ଥ ବିତରଣ କରିବା ଆବଶ୍ୟକ । ଏବର ବିଶ୍ୱାୟନରେ ସାମ୍ବାଦିକମାନେ ଜନସ୍ୱାର୍ଥର ସଂରକ୍ଷଣ, ଉତମ ଶାସନ ଓ ପୂର୍ଣ୍ଣାଙ୍ଗ ବିକାଶରେ କିପରି ସହଯୋଗ କରୁଛନ୍ତି, ସେ ବାବଦରେ ଆତ୍ମସମୀକ୍ଷା କରିବା ଉଚିତ୍ । ସାମ୍ବାଦିକତାର ବୃତିରେ ସଂଘର୍ଷ ଓ ସଂପର୍କର ମିଶ୍ରିତ ଫଳ ମିଳିଥାଏ, ତେଣୁ ପ୍ରତ୍ୟେକ ସାମ୍ବାଦିକ ନିଜର ବୃତିଗତ ସଫଳତା ଓ ବିଫଳତା ନେଇ ସର୍ବଦା ଚିନ୍ତା କରିବା ଆବଶ୍ୟକ । ସତ୍ୟଶୀଳତାର ଆଶ୍ରୟନେଇ ସାମ୍ବାଦିକ ସଫଳତା ଓ ସମସ୍ୟାର କଥା ପରିପ୍ରକାଶ କରିଥାଏ । ଶହେବର୍ଷ ତଳେ ଯାହା ପ୍ରବୃତି ଥିଲା, ତାହା ବୃତିରେ ପରିଣତହୋଇ ସଫଳତା ଓ ଉକ୍ରର୍ଷ ଆଡକୁ ଅଗ୍ରସର ହେଉଛି । ଗଣତନ୍ତର ଚତୁର୍ଥ ସ୍ତମ୍ଭ ଭାବରେ ପ୍ରେସ ତାର ପରାକଷ୍ଠା ବଜାୟ ରଖିପାରିଛି ।
ଜଣେ ସାମ୍ବାଦିକର ସାମ୍ବାଦିକତାରେ ସକରାତ୍ମକ ମନୋଭାବ ରହିବା ଜରୁରୀ । ଗଣମାଧ୍ୟମର ପ୍ରତିଷ୍ଠା ଆମ ଗଣତନ୍ତ୍ରକୁ ସମୃଦ୍ଧ କରିଛି । ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ । ଗଣମାଧ୍ୟମ ବ୍ୟକ୍ତି ସ୍ୱାଧୀନତାର ସୁରକ୍ଷା କରିବା ସହ ନିର୍ଯ୍ୟାତିତ ବର୍ଗର ସ୍ୱାର୍ଥର ସୁରକ୍ଷା, ଜନମତର ପ୍ରୋତ୍ସାହନ ଏବଂ କେତେକ କ୍ଷେତ୍ରରେ ସମାଜ ସଂସ୍କାରର ବାର୍ତାବହ ଭାବେ କାର୍ଯ୍ୟକରେ । ଗଣମାଧ୍ୟମ ସର୍ବଦା ସରକାର ଓ ଜନସାଧାରଙ୍କ ମଧ୍ୟରେ ଯୋଗସୂତ୍ରକାରୀ ଭାବେ କାର୍ଯ୍ୟକରୁଥାଏ । ଗଣମାଧ୍ୟମ ମାନବ ସଭ୍ୟତାକୁ ବୃଦ୍ଧି ଓ ଶକ୍ତି ପ୍ରଦାନ କରିଥାଏ । କିନ୍ତୁ ଏହି ଶକ୍ତି ସତ୍ୟ ଏବଂ ନିର୍ଦ୍ଦିଷ୍ଟ କାରଣ ଭିତିକ ହେବା ଉଚିତ୍ । ଜନମତକୁ ବାଦ୍ଦେଇ ଗଣତନ୍ତ୍ର ·ଲିପାରିବ ନାହିଁ । ମାନବ ସଭ୍ୟତା ପ୍ରତି ଏହି ଜନମତ ଉଦ୍ରେକ କରୁଥିôବା ଗଣମାଧ୍ୟମ ଏକ ଅମୂଲ୍ୟ ଦାନ । ତଥାପି ଗଣମାଧ୍ୟମର ସ୍ୱାଧୀନତା ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକରିଆସୁଛି । ଦାୟିତ୍ୱପୂର୍ଣ୍ଣ ଗଣମାଧ୍ୟମ ହେଉଛି ସମ୍ମାନର ଅଧିକାରୀ । ତେଣୁ ଗଣମାଧ୍ୟମର ଉତରଦାୟିତ୍ୱ ରହିବା ସହ ନିଜର ଦାୟିତ୍ୱବୋଧ ଏବଂ କ୍ଷମତାର ପରିସର ଭିତରେ ରହିବା ଉଚିତ୍ । ନୂତନ ପିଢ଼ିର ସାମ୍ବାଦିକ ମାନେ ପୁରୁଖା ସାମ୍ବାଦିକ ମାନଙ୍କୁ ଆଦର୍ଶଗତ ଓ ମୂଲ୍ୟବୋଧ ଦୃଷ୍ଟିରୁ ଅନୁସରଣ କରିବା ଉଚିତ୍ । ସର୍ବୋପରି ଗଣମାଧ୍ୟମ ଏକମାତ୍ର ସତ୍ୟ ଉପରେ ପର୍ଯ୍ୟବେଷିତ ହେବା ଉଚିତ୍ । ସତ୍ୟ କହିବାର ଶକ୍ତି ହରାଇ ବସିଲେ ସାମ୍ବାଦିକଙ୍କୁ କେହି ଦେବର୍ଷି ନାରଦଙ୍କ ପରବତୀ ପୀଢି ବୋଲି କହିପାରିବେ ନାହିଁ ।
ଦେବର୍ଷି ନାରଦ ହେଉଛନ୍ତି ବିଶ୍ୱର ଆଦ୍ୟ ସାମ୍ବାଦିକ । ତାଙ୍କର ଜନ୍ମ ଦିବସ ଜ୍ୟେଷ୍ଠ କୃଷ୍ଣ ପ୍ରଦିପଦ ଯାହାକି ଇଂରାଜୀ ତା ୧୫ ମଇ ୨୦୧୪,ଗୁରୁବାର ଦିନକୁ ଆଜି ସାରା ବିଶ୍ୱର ସାମ୍ବାଦିକମାନେ ନାରଦ ଜୟନ୍ତୀ ରୂପେ ପାଳନ କରୁଛନ୍ତି । ନାରଦ ହେଉଛନ୍ତି ବିଶ୍ୱ ସାମ୍ବାଦିକତାର ପୃଷ୍ଠ ପୋଷକ । ହାତରେ କଚ୍ଛପୀ ବୀଣା ଧରି ଢିଙ୍କି ବାହନରେ ସେ ମୁହୂର୍ତକ ମଧ୍ୟରେ ବିଭିନ୍ନ ସ୍ଥାନରେ ସାକ୍ଷାତ୍ ଉପସ୍ଥିତ ରହି ବାର୍ତା ପ୍ରେରଣ କରିପାରୁଥିଲେ । ନାରଦଙ୍କ ସେହି ବୀଣା କେବଳ ବାଦ୍ୟ ବିଶେଷ ନଥିଲା । ଥିଲା ବୀଣାରେ ତନ୍ତ୍ରୀର ସଂଯୋଗ ବିନ୍ଦୁ ବାର୍ତା ପ୍ରେରଣର ଦୂର ନିୟନ୍ତ୍ରକ । ନାରଦ ପ୍ରକୃତରେ ସଂଚାର ପ୍ରାଣାଳୀର ଏକ ବ୍ୟବସ୍ଥିତ ପ୍ରତୀକ ଥିଲେ । ସେ ଥିଲେ ସତ୍ୟନିଷ୍ଠା ଓ ସାରା ବିଶ୍ୱକୁ ସମ୍ଭାଳି ରଖିବାର ଧର୍ମ ଆଧାରିତ ସାମ୍ବାଦିକତାର ପରିଚୟ । ସତ୍ୟର ଭିତିଭୂମି ଉପରେ କୁସଂସ୍କାରକୁ ଦୂର କରି ସମାଜକୁ ସୁପୃଷ୍ଠ କରିବା ପାଇଁଏକନିଷ୍ଠ ଉଦ୍ୟମ ସାମ୍ବାଦିକତାର ଧର୍ମ ହେବା ଉଚିତ୍ । ପୂର୍ବକାଳରେ ମହାନ ବ୍ୟକ୍ତିମାନେ ସାମ୍ବାଦିକତା ଜରିଆରେ ସମାଜ ଓ ଜନଗଣରେ ସଚେତନତା ସୃଷ୍ଟିପାଇଁ ଉଦ୍ୟମ କରୁଥିଲେ । ମାତ୍ର ବର୍ତମାନ ସାମ୍ବାଦିକତା ଏକ ବୃତି ପାଲଟି ଯାଇଛି । ତେବେ ଏହା ଏଭଳି ବୃତିହେବା ଦରକାର ଯାଦ୍ୱାରା ସମ୍ବାଦପତ୍ର ଗଣତନ୍ତ୍ରର ଜାଗ୍ରତ ପହରୀ ଭଳି କାମ କରିପାରିବ । ଜନଗଣର ସ୍ୱର ଏଥିରେ ପ୍ରତିଫଳିତ ହେବାର ଆବଶ୍ୟକତା ରହିଛି । ସବୁ ଯୁଗରେ ସମ୍ବାଦ ଅଛି -କେତେବେଳେ ମୌଖିକ,କେତେବେଳେ ଲିଖିତ । ପ୍ରାଚୀନ ଯୁଗରେ ସମ୍ବାଦ ଏକ ବୃତି ନଥିଲା, ନଥିଲା ମଧ୍ୟ ଏକ ଜୀବିକା । ବର୍ତମାନ ସମୟରେ ସମ୍ବାଦ ସାମ୍ବାଦିକତା ଏକ ବୃତି,ଏକ ଜୀବିକା । ସମ୍ବାଦପତ୍ର ଏହାର ଆଧାର । ସାମ୍ବାଦିକର ଧର୍ମ ସୁ୍ସ୍ଥ ସାମାଜିକ ବାତାବରଣ ପ୍ରତିଷ୍ଠା,ନୈତିକ ମୂଲ୍ୟବୋଧର ଜାଗରଣ । ତେଣୁ ସେ ବିବେକବାନ । ସତ୍ୟର ଉପାସ୍ୟ । ମିଥ୍ୟାକୁ ପ୍ରଶୟ ଦିଏ ନାହିଁ । ଅଧର୍ମକୁ ବରଦାସ୍ତ କରେ ନାହିଁ । ନାରଦ ଏହି ପରି ଜଣେ ସାମ୍ବାଦିକ । ଆଜିର ସାମ୍ବାଦିକମାନେ କଣ ନାରଦଙ୍କ ସାମ୍ବାଦିକ ଗୁଣକୁ ଉପଲବ୍ଧି କରିପାରିବେ ନାହିଁ । ବର୍ତମାନ ଯୁଗରେ ଦେବର୍ଷିଙ୍କ ଆଦର୍ଶ ବିଚାରଧାରା ସମସ୍ତ ସାମ୍ବାଦିକଙ୍କ ଅନୁକରଣୀୟ । ବ୍ୟକ୍ତିଗତ ସ୍ୱାର୍ଥ ଅପେକ୍ଷା ରାଷ୍ଟ୍ରହିତ,ସାମାଜିକ ଉପକାର ସେମାନଙ୍କର କାର୍ଯ୍ୟ ଉଦ୍ଦେଶ୍ୟ ହେବା ଆବଶ୍ୟକ ।
ଘିଗିଡିଆ,ବାରୁଅ,କେନ୍ଦ୍ରାପଡା
ମୋ-୯୮୬୧୦୨୮୫୫୩
Comments
Post a Comment