ଗାନ୍ଧିଜୀ ଓ ସାବରକର


‘ଗାନ୍ଧି ଆମର ସାବରକର ଆପଣଙ୍କର ।’ ନିକଟରେ ଲୋକସଭାରେ ନିଜ ବକ୍ତବ୍ୟ ଉପସ୍ଥାପନ କଲାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କର ଏହି ଉକ୍ତି ହଠାତ୍ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଗଲା । ରାହୁଳଙ୍କର ମନ୍ତବ୍ୟ ମଧ୍ୟ ନିଶ୍ଚିତ ଭାବରେ ଶାସକ ଭାରତୀୟ ଜନତାଦଳ ଆଡକୁ କାଦୁଅ ଫୋପାଡିବା ପାଇଁ ଉଦ୍ଦିଷ୍ଟ ଥିଲା । କାରଣ ଭାରତ ସ୍ୱାଧୀନ ହେବା ପରେ ଗାନ୍ଧିଜୀଙ୍କ ହତ୍ୟା ପ୍ରସଙ୍ଗରେ ସାବରକରଙ୍କୁ ସରକାର ଦୋଷୀ ବୋଲି ଅଭିଯୋଗ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମଧ୍ୟ ଏହି ଘଟଣାରେ ଜଡିତ ବୋଲି ତତ୍କାଳୀନ କେନ୍ଦ୍ରର କଂଗ୍ରେସ ସରକାରଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରେରଣା ଓ ନିର୍ଦ୍ଦେଶରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟ କରିଥାଏ ବୋଲି ସବୁବେଳେ କଂଗ୍ରେସ ଦଳ ପକ୍ଷରୁ ଆକ୍ଷେପ କରାଯାଇଥାଏ । ରାହୁଳ ମହାତ୍ମାଗାନ୍ଧିଙ୍କୁ କଂଗ୍ରେସ ଦଳର ଏବଂ ସାବରକରଙ୍କୁ ଭାରତୀୟ ଜନତାପାର୍ଟିର ବୋଲି ଦର୍ଶାଇ ଶାସକଦଳକୁ ପୁଣି ଥରେ ଜନତା ଅଦାଲତର କାଠଗଡାରେ ଛିଡା କରାଇବାକୁ ଚେଷ୍ଟା କରିଥିଲେ । ଗାନ୍ଧି ହତ୍ୟା ଅଭିଯୋଗରେ ମାନ୍ୟବର କୋର୍ଟ ଉଭୟ ସାବରକର ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ଦୋଷମୁକ୍ତ କରିଦେଇଥିଲେ ମଧ୍ୟ କଂଗ୍ରେସ ଏବଂ ଅନ୍ୟ କେତେକ ଦଳ ଏମାନଙ୍କୁ ଏବେ ମଧ୍ୟ ମୁକ୍ତ କରିବାକୁ ନାରାଜ । ସାବରକରଙ୍କ ସମର୍ଥକମାନେ ମଧ୍ୟ ଛାଡିବାର ଲୋକ ନୁହଁନ୍ତି । ସାବରକର ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ସାବରକରଙ୍କୁ ଦେଶଭକ୍ତ କହି ସମ୍ମାନ ପ୍ରଦାନ କରିଥିଲେ । ତାଙ୍କ ଉଦ୍ଦେଶ୍ୟରେ ଡାକ ଟିକଟ୍ ପ୍ରଚଳନ କରାଯାଇଥିଲା । କିନ୍ତୁ ଏବେ ରାହୁଳ ଗାନ୍ଧି ଏହି ଦେଶପ୍ରେମୀ ଓ ଦେଶଭକ୍ତମାନଙ୍କୁ ଅସମ୍ମାନିତ କରୁଛନ୍ତି ବୋଲି ସାବରକରଙ୍କ ସମର୍ଥକମାନେ କୁହନ୍ତି । ଏଭଳି ଚର୍ଚ୍ଚା ଅନେକ ସମୟରେ ଅଶାଳୀନ ଏବଂ ଅରୁଚି ହେବାରେ ଲାଗିଛି । ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ବାକ୍ ସ୍ୱାଧୀନତାକୁ ନେଇ ଯୁକ୍ତିତର୍କ ଚାଲୁଥିବା ବେଳେ ବିରୋଧୀ ମତକୁ ସମ୍ମାନ ପ୍ରଦର୍ଶନ କରିବାର ଅଭ୍ୟାସ ଆମର ନାହିଁ ବୋଲି ମନେହୁଏ । ରାଜନୈତିକ ଦୃଷ୍ଟିକୋଣରୁ ଗାନ୍ଧିଜୀ ଓ ସାବରକରଙ୍କର ଚିନ୍ତାଧାରା ସଂପୂର୍ଣ୍ଣ ଭିନ୍ନ ଥିଲା । ଅଥଚ ଉଭୟଙ୍କ ମଧ୍ୟରେ ସ୍ନେହର ସଂପର୍କ ଥିଲା ଏବଂ ଉଭୟେ ପରସ୍ପରଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିଲେ । ଏହାର ଏକ ଉଦାହରଣ ଅବତାରଣ କରାଯାଉଛି । ଯାହାକୁ ପାଠକରି ସାବରକର ଏବଂ ଗାନ୍ଧି ସମର୍ଥକଙ୍କ ମଧ୍ୟରେ ତିକ୍ତତା ହ୍ରାସ ପାଇବାର ଆଶା କରାଯାଏ । ୧୯୨୭ ମସିହାର କଥା । ଗାନ୍ଧିଜୀ ମହାରାଷ୍ଟ୍ର ଗସ୍ତ କରୁଥାନ୍ତି । ସେ ରତ୍ନଗିରିରେ ପହଁଚିଲେ । ରତ୍ନଗିରିରେ ସେତେବେଳେ ବୀର ସାବରକର ରହୁଥାନ୍ତି । ଅବଶ୍ୟ ଇଂରେଜ ସରକାରଙ୍କୁ ବିରୋଧ କରି ଆଣ୍ଡାମାନରେ ଜେଲଦଣ୍ଡ ଭୋଗୁଥିବା ସାବରକରଙ୍କୁ ଅସୁସ୍ଥତା କାରଣରୁ ରତ୍ନଗିରିରେ ବନ୍ଦୀ ଭାବରେ ରଖାଯାଇଥାଏ । ଗାନ୍ଧିଜୀ ସେଠାରେ ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେବାକୁ ଯାଇ କହିବାକୁ ଆରମ୍ଭ କଲେ- “ରତ୍ନଗିରି କେବଳ ମୋ ପାଇଁ ନୁହେଁ । ସମଗ୍ର ଭାରତବର୍ଷ ପାଇଁ ଏକ ତୀର୍ଥସ୍ଥଳ । କାରଣ ଏଠାରେ ଲୋକମାନ୍ୟ ବାଲ ଗଙ୍ଗାଧର ତିଳକ ଜନ୍ମଗ୍ରହଣ କରିଥିଲେ । ମୋର ପୁରୁଣା ବନ୍ଧୁ ବିନାୟକ ଦାମୋଦର ସାବରକରଙ୍କ ମଧ୍ୟ ଏହି ସ୍ଥାନ । ସାବରକରଙ୍କୁ ମୁଁ ଲଣ୍ଡନରେ ଥିବା ସମୟରୁ ହିଁ ଜାଣିଛି । ସାବରକରଙ୍କର ତ୍ୟାଗ ଏବଂ ଦେଶଭକ୍ତି ସର୍ବଜନବିଦିତ । ଯଦିଓ ଆମ ଭିତରେ ମତାନ୍ତର ଥିଲା ତାହା ଆମର ବନ୍ଧୁତାକୁ କେବେ ପ୍ରଭାବିତ କରିନଥିଲା । ମତାନ୍ତରକୁ ଶତୃତା ଭାବରେ ଦେଖିବା କଥା ନୁହେଁ । ଯଦି ସେପରି ହୁଅନ୍ତା ସ୍ୱାମୀ ସ୍ତ୍ରୀ ସଂପର୍କକୁ ମଧ୍ୟ ଶତୃତାର ଆଖ୍ୟା ଦିଆଯାଇ ପାରିବ ।” ପୃଥିବୀରେ ଏପରି କୌଣସି ଦୁଇ ଜଣ ବ୍ୟକ୍ତି ନାହାଁନ୍ତି ଯେଉଁମାନଙ୍କ ମଧ୍ୟରେ ମତପାର୍ଥକ୍ୟ ନାହିଁ । ଗାନ୍ଧିଜୀ ଚାହିଁଥିଲେ ଲୋକମାନ୍ୟ ତିଳକଙ୍କର କେବଳ ପ୍ରଶଂସା କରି ପାରିଥାନ୍ତେ । ସାବରକରଙ୍କ ଉଦ୍ଦେଶ୍ୟରେ କିଛି ନକହି ନୀରବ ରହିପାରିଥାନ୍ତେ । କିନ୍ତୁ ସାବରକରଙ୍କ ପ୍ରତି ଗାନ୍ଧିଜୀଙ୍କର ଗଭୀର ସମ୍ମାନ ଥିବା କାରଣରୁ ତିଳକଙ୍କ ସହ ସାବରକରଙ୍କ ନାମ ମଧ୍ୟ ଉଲ୍ଲେଖ କରିବାକୁ ସେ ପଛାଇ ନଥିଲେ । ସଭା ସରିଲା ବେଳକୁ ଗାନ୍ଧିଜୀ ସାବରକରଙ୍କ ଠାରୁ ଏକ ଖବର ପାଇଲେ । ସାବରକର ଗାନ୍ଧିଜୀଙ୍କୁ ଜଣାଇ ଦେଇଥିଲେ ଯେ ସେ ଦୀର୍ଘଦିନ ହେଲା ଅସୁସ୍ଥ ଅଛନ୍ତି । ତେଣୁ ତାଙ୍କୁ ଦେଖା କରି ପାରୁନାହାଁନ୍ତି । ସାବରକରଙ୍କର ଅସୁସ୍ଥତା ଖବର ପାଇ ଗାନ୍ଧିଜୀ ସାବରକରଙ୍କ ଘରକୁ ଯାଇ ତାଙ୍କୁ ଭେଟିବାକୁ ଚାହିଁଲେ । ଗାନ୍ଧିଜୀଙ୍କ ସହଯୋଗୀମାନେ ଚାହୁଁଥିଲେ ଏହି ସାକ୍ଷାତ ଅବସରରେ ଗାନ୍ଧିଜୀ ସାବରକରଙ୍କ ସହିତ ରାଜନୈତିକ ଆଲୋଚନା କରନ୍ତୁ । କିନ୍ତୁ ଗାନ୍ଧିଜୀ ଏହାର ପକ୍ଷପାତି ନଥିଲେ । ତଥାପି ସାବରକର ଏବଂ ଗାନ୍ଧିଜୀଙ୍କ ମଧ୍ୟରେ କଥାବାର୍ତ୍ତା ସମୟରେ ଜାତିପ୍ରଥା ପ୍ରସଙ୍ଗ ଆସିଲା । ସାବରକର ଗାନ୍ଧିଜୀଙ୍କୁ ତାଙ୍କର ମତାମତ ଜଣାଇବାକୁ କହିଲେ । ଗାନ୍ଧିଜୀ କିଛି ଏ ସଂପର୍କରେ ଆଲୋଚନା କରିଥିଲେ କିଛି ତଥ୍ୟ ରଖିଥିଲେ । ପରିଶେଷରେ ଉଭୟ ଏକମତ ହୋଇଥିଲେ ଯେ ଏ ସଂପର୍କରେ ଆହୁରି ଦୀର୍ଘ ଆଲୋଚନା ଆବଶ୍ୟକ । କାରଣ ସେତେବେଳେ ସମୟ ନଥିଲା । ସାବରକର ଏ ସଂପର୍କରେ ଗାନ୍ଧିଜୀଙ୍କ ସହିତ ପତ୍ରାଳାପ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏହି ସାକ୍ଷାତ ଶେଷରେ ସାବରକର ଗାନ୍ଧିଜୀଙ୍କୁ ତାଙ୍କ ଆଗମନ ପାଇଁ ଧନ୍ୟବାଦ ଜଣାଇଲେ ଏବଂ କହିଲେ “ମୁଁ ତ ଆବଦ୍ଧ, ଆପଣ ମୁକ୍ତ । ଆପଣଙ୍କୁ ମୋ'ପରି ଅବସ୍ଥାରେ ଦେଖିବାକୁ ମୁଁ ଚାହୁଁନି ।” ଗାନ୍ଧିଜୀଙ୍କର ବ୍ୟକ୍ତିଗତ ସହାୟକ ମହାଦେବ ଦେଶାଇ ଏହି ଦୁଇ ମହାନ ବ୍ୟକ୍ତିଙ୍କର ମିଳନ ଏବଂ କଥୋପକଥନକୁ ଏକ ସୁଖଦ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଥିଲେ । ଏଥିରେ ଗାନ୍ଧିଜୀ ଏବଂ ସାବରକରଙ୍କ ଅନୁଗାମୀମାନେ ଅନ୍ତତଃ ପରସ୍ପରକୁ ସମ୍ମାନ ଦେବାପାଇଁ ପ୍ରେରଣା ଲାଭ କରିବେ ବୋଲି ଆଶା କରିବା କଥା । ହରିହର ଶତପଥି, ଭିସାକିଓ, ପ୍ଲଟ୪,ବୁଦେ୍ଧଶ୍ୱରୀ କଲୋନୀ, ଭୁବନେଶ୍ୱର, ମୋ-୮୦୧୮୨୫୮

Comments