ସେବା ସଙ୍କଟରେ


                                                           -ଶ୍ରୀମାନ ସୀମାଞ୍ଚଳ ଖଟୁଆ
ଦିନକର କଥା । ହରିଣଟିଏ ଖାଦ୍ୟ ସଂଗ୍ରହ ପାଇଁ ଜଙ୍ଗଲ ମଧ୍ୟରୁ ବାହାରକୁ ଆସି ଥାଏ । ଭିଷଣ ଶୋଷ କାରଣରୁ ପାଣି ଖୋଜିବାରେ ବ୍ୟସ୍ତ ଥିଲା । ହଠାତ୍ ପାଖରେ ଏକ ଛୋଟ ଜଳାଶୟ ଦେଖି ଖୁସି ହୋଇଗଲା । ସେଠାରେ ପହଞ୍ôଚ ମନ ଭରି ପାଣି ପିଇବାକୁ ଲାଗିଲା । ପାଣି ପିଇବା ସମୟରେ ହରିଣଟିର ସମ୍ପୂର୍ଣ୍ଣ ଚେହେରାଟି ସ୍ଥିର ଜଳରେ ପ୍ରତିବିମ୍ବିତ ହେଉଥିଲା । ପାଣିରେ ନିଜୁ ଚେହରାଟି ଦେଖି ଯେତିକି ଖୁସି ହେଉଥିଲା ସେତିକିବି ଚିନ୍ତିତ ଥିଲା । ମୁଣ୍ଡ ଉପରେ ଥିବା ଶିଙ୍ଗ ଗୁଡିକ କେନା କେନା ହୋଇ ମୁଣ୍ଡର ଶୋଭା ବର୍ଦ୍ଧନ କରୁଥିଲା । ସେ ମନରେ ଭାବୁଥିଲା ଯେ, ରଜାଙ୍କ ମୁଣ୍ଡରେ କିରିଟି ଯେପରି ଶୋଭା ବଢାଇଥାଏ, ସେହିପରି ଶିଙ୍ଗ ଗୁଡିକ ମୋର ମୁଣ୍ଡର ଶୋଭା ବଢାଉଛନ୍ତି । କିନ୍ତୁ ସେ ସମୟରେ ମନେ ମନେ ପରମାତ୍ମାଙ୍କୁ ଗାଳି କରିବାରେ ଲାଗିଥାଏ । କାରଣ ତାର ଏ ସୁନ୍ଦର ଶରୀରକୁ ତାର ଶରୀରରେ ଥିବା ଚାରିଟି ଲମ୍ବାଳିଆ ଗୋଡ ସମ୍ପୂର୍ଣ୍ଣ ଶରୀରର ସୌନ୍ଦର୍ଯ୍ୟତାକୁ ନଷ୍ଟ କରୁଛି । ଏପରି ଭାବୁ ଭାବୁ ଶିକାରୀଙ୍କ ଧରମାର କୋଳାହଳ ଶବ୍ଦ ପଛପଟୁ ଶୁଣିବାକୁ ପାଇଲା । ପଛକୁ ଚାହିଁ ଦେଖିଲା ବେଳକୁ ଶିକାରୀ ଦଳ ଓ କୁକୁର ତାର ଅତି ନିକଟରେ  ପହଞ୍ôଚ ଗଲେଣି । ହରିଣର ଚେତା ହଜିଗଲା । ତଥାପି ପ୍ରାଣ ବଞ୍ଚାଇବା ପାଇଁ ଦୌଡି ଦୌଡି ଯାଇ ଜଙ୍ଗଲରେ ପଶିଗଲା । ଶିକାରୀ ଦଳ ହରିଣ ପିଛା କରୁଥାନ୍ତି । ହରିଣଟି ଜଙ୍ଗଲରେ ଦୌଡୁ ଦୌଡୁ ଜଙ୍ଗଲିଆ ଲଟାର ତାର ଶିଙ୍ଗ ଛନ୍ଦି ହୋଇଗଲା । ଖସିବାକୁ ବହୁତ ଚେଷ୍ଟାକଲା କିନ୍ତୁ ପାରିଲା ନାହିଁ । ଶିକାରୀମାନେ ଆସି ଆକ୍ରମଣ କରିଦେଲେ । ସେତେବେଳେ ତାର ବୁଦ୍ଧି ଉଦୟ ହେଲା । ଯେଉଁ ଲମ୍ବାଳିଆ ଗୋଡ ଶରୀର ନଷ୍ଠ କରୁଛି ବୋଲି କହି ଗାଳି କରୁଥିଲା, ସେ ଗୋଡ ତାର ପ୍ରାଣ ବଞ୍ଚାଇବା ପାଇଁ ଏତେ ଦୂର ନେଇ ଆସିଲା । ଯେଉଁ ଶିଙ୍ଗକୁ ସେ ଭୁରି ଭୁରି ପ୍ରଶଂସା କରୁଥିଲା ସେ ଶିଙ୍ଗ ଆଜି ତାର କାଳ ହୋଇଗଲା । ଏପରି ଭାବୁ ଭାବୁ ଶିକାରୀଙ୍କ ହାତରେ ହରିଣଟିର ପ୍ରାଣଗଲା ।
ଆମେ ସମସ୍ତେ ସାମାଜିକ ପ୍ରାଣୀ । ସମାଜରେ ଆମର ଜନ୍ମ । ସମାଜରେ ଆମ ବିକାଶ । ସମାଜର ମଧ୍ୟ ଆମର ବିଲୟ । ଜନ୍ମ ଠାରୁ ଆରମ୍ଭ କରି ବିଲୟ ପର୍ଯ୍ୟନ୍ତ ମନୁଷ୍ୟ ଏକା ଏକା ତାର  ସବୁ କିଛିର ପୂର୍ତ୍ତି କରିବା ସମ୍ଭବ ନୁହେଁ । ସମାଜରେ ଜଣେ ବଞ୍ôଚବାକୁ ହେଲେ ଅନ୍ୟର ସାହାଯ୍ୟ ସଯୋଗ ନିହାତି ଦରକାର । ସାହାଯ୍ୟ ସହଯୋଗର ମାତ୍ରା କମ୍ ବେଶୀ ହୋଇପାରେ । କିନ୍ତୁ ପ୍ରତ୍ୟେକ ସହଯୋଗର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକାକୁ କେହି ବି ଭୁଲିବା ଉଚିତ ନୁହେଁ । ସମାଜ ଅର୍ଥ (ସମାନ+ଅଜ=ସମାଜ) ସମାନ ଭାବେ ଗତି କରିବା । ଏଣୁ ସମାଜ ସମାନ ଏବଂ ସମାନ୍ତରାଳରେ ଗତିକରିବାକୁ ହେଲେ, ସବୁ କାମ ଏବଂ ସମସ୍ତଙ୍କ ପ୍ରତି ଥିବା ଆଦର ଏବଂ ସମ୍ମାନ ଭାବକୁ ଗୁରୁତ୍ତ୍ୱ ଦେବାକୁ ହେବ । କାହାର ଭୂମିକା କମ୍ ନୁହେଁ କି ବେଶୀ ନୁହେଁ । କିଏ ସାନ ନୁହେଁ କି ବଡ ନୁହେଁ  । ମୁଣ୍ଡରେ ଆଘାତ ଲାଗିଲା ବେଳେ ହାତ ତୁରନ୍ତ ସେଠାରେ ପହଞ୍ôଚ ଯାଏ । ସେତେବେଳେ ହାତ ତାହାର ଲାଭକ୍ଷତି ଭୁଲିଯାଏ । ଶରୀରର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମୁଣ୍ଡକୁ ରକ୍ଷା କରିବା ପରି ଗୁରୁତ୍ତ୍ୱପୂର୍ଣ୍ଣ କର୍ତ୍ତବ୍ୟ ବା ଧର୍ମକୁ ନିର୍ବାହ କରିଥାଏ । ସେତେବେଳେ ହାତରେ ବିରାଟ ଆଘାତ ଲାଗିପାରେ କିମ୍ବା ଆବଶ୍ୟକ ସ୍ଥଳେ ଶରୀରୁ ସେ ଅଲଗା ହୋଇଯାଇ ପାରେ । ସେଥି ପ୍ରତି ଚିନ୍ତା ନ କରି ସେ ନିଜର କର୍ତ୍ତବ୍ୟ କରିଥାଏ । ପାଦରେ କଣ୍ଟା ଲାଗିଲେ ହାତ ତୁରନ୍ତ ସେଠାରେ ପହଞ୍ôଚ ଯାଏ । ଆଖିରେ ପୋକ ମାଛି ପଡିବାର ସମ୍ଭାବନାକୁ ଏାଡଇବା ପାଇଁ ଆଖିପତା ଆପେ ଆପେ ବନ୍ଦ ହୋଇଯାଏ । ପାଦ ସମସ୍ତ ପ୍ରକାର କଷ୍ଟ ସହ୍ୟକରି ମନୁଷ୍ୟକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯାଇଥାଏ । ଡାହାଣ ହାତରେ ପୂଜା କରିବା ସହିତ ଭୋଜନ ମଧ୍ୟ କରୁଥିଲା ବେଳେ ବାମ ହାତରେ ଆମେ ଶୌଚ ହୋଇଥାଉ । ଦୁର୍ଭାଗ୍ୟର କଥା ଡାହାଣ ହାତର ଏ ସବୁ କାମକୁ ଶ୍ରେଷ୍ଠ ଭାବି ଆମେ ପ୍ରଶଂସା କରୁ । ଅପର ପକ୍ଷରେ ବାମ ହାତର ଭୂମିକା ମଧ୍ୟ କୌଣସି ଗୁଣରେ କମ୍ ନୁହେଁ । ଯେଉଁ ହାତ ଆମକୁ ଶୌଚ କରି, ସଭ୍ୟ କରିବାର ଗୁରୁତ୍ୱ ପ୍ରୁ୍ଣ୍ଣ ଭୂମିକା ଲିଭାଇଲା ତାକୁ ଆମେ ଘୃଣା କରିବା କି? ତାହାର କି ଅପରାଧ? ସେପରି କାମ କରୁଥିବା ହାତକୁ ଘୃଣା କରିବା  ଆମର ବି କି ଅଧିକାର? ଏହା କଣ ଆମର ମଣିଷ ପଣିଆ? ଧନ୍ୟ ଆମର ଜ୍ଞାନୀ ପଣିଆ? ଏପରି ହୀନ ଦୃଷ୍ଟିରେ ବିଚାର କଲେ ସମାଜରେ ବାମ ଦକ୍ଷିଣ ନାମରେ ସଂଘର୍ଷ ହେବା ସ୍ୱାଭାବିକ ।
କିନ୍ତୁ ଶ୍ରେଣୀ ସଂଘର୍ଷ ଦ୍ୱାରା ସମାଜର ଉତ୍ଥାନ କେବେ ହୋଇ ନାହିଁ କି ହେବ ନାହିଁ । ଜାତିଆଣ ଭାବ ବା ପୃଥକତା ତିଆରି କରିବା ଆମର ପରମ୍ପରା ନୁହେଁ । ଆମ ଜାତି ଅଲଗା ହୋଇପାରେ । ଆମ କୃତି ଅଲଗା ହୋଇପାରେ । କିନ୍ତୁ ସହଯୋଗ, ସହାଭୁତି, ପାରସ୍ପରିକତା ତଥା ବିବିଧତାରେ ଏକତା ଦର୍ଶନ କରିବା ଆମର ବଡ ବିଶେଷତା । ବାମ ହାତର କାମ ଅଲଗା ହୋଇପାରେ । ଡାହାଣ ହାତର କାମ ଅଲଗା ହୋଇପାରେ । କିନ୍ତୁ ନମସ୍କାର ବେଳେ ଦୁଇ ହାତ ଯୋଡି ନତ ମସ୍ତକ ହୋଇ ହେଉଥିବା ନମସ୍କାର କୁ ସାଦରେ ଗ୍ରହଣ କରାଯାଇ ଥାଏ । ଗୋଟିଏ ହାତରେ ହେଉଥିବା ନମସ୍କାର ଗ୍ରହଣୀୟ ନୁହେଁ । ଆମର ଜାତି, କୃତି, ବୃତ୍ତି ଅଲଗା ହେଲେ ମଧ୍ୟ ନମସ୍କାର ବେଳେ ସମସ୍ତେ ନିଜ ନିଜର ଅସ୍ତିତ୍ୱ ବା ଅହଂକାରକୁ ଭୁଲି ଏକ ନିର୍ଦ୍ଧିଷ୍ଟ ସ୍ତରକୁ ଆସି ନମସ୍କାର ହେବାକୁ ପଡିଥାଏ । ଯାହାକି ଏକ ସ୍ୱାଭାବିକ ପ୍ରକ୍ରିୟା ଏବଂ ଗ୍ରହଣୀୟ ମଧ୍ୟ ।  ଆମ ଶରୀରରେ ଥିବା ପାଦର ନଖ ଠାରୁ ଆରମ୍ଭ କରି ମୁଣ୍ଡରେ ଥିବା ଚୁଳ ପର୍ଯ୍ୟନ୍ତ ପ୍ରତ୍ୟେକ ଛୋଟବଡ ଅଙ୍ଗ ପ୍ରତ୍ୟଙ୍ଗର ଭୂମିକା ଅଲାଗା ଅଲଗା ହେଲେ ମଧ୍ୟ ସମସ୍ତଙ୍କର ସମାନ ପରିମାଣର ଗୁରୁତ୍ତ୍ୱ ଥାଏ । ଶରୀରର ବୃହତ୍ତର ସ୍ୱାର୍ପାଇଁ ପ୍ରତ୍ୟେକ ଅଙ୍ଗ ନିଜର କର୍ତ୍ତବ୍ୟରୂପି ଧର୍ମକୁ ଅହରହ ନିର୍ବିକାର ଚିତ୍ତରେ ନିର୍ବାହ କରୁଛନ୍ତି । ଏହି କର୍ତ୍ତବ୍ୟ ଭାବକୁ ଅଲଗା ଅଲଗା ଢଙ୍ଗରେ ବିବେଚନା କରିବା ଉଚିତ୍ ନୁହେଁ । ଯଦି ଶରୀରର ଗୋଟିଏ ଅଙ୍ଗ କଟିଯାଏ ତା ହେଲେ ଆମେ ସେ ଶରୀରକୁ  ପୂର୍ଣ୍ଣାଙ୍ଗ ଶରୀର କହି ପାରିବା କି?
ଏକଦା  ଆମ ଋଷି ମୁନିମାନେ କହିଥିବା “ଯତ୍ପିଣ୍ଡେ ତତ୍ ବ୍ରହ୍ମାଣ୍ଡେ” ଅର୍ଥାତ୍ ଯାହା ଶରୀରରେ ତାହା ବ୍ରହ୍ମାଣ୍ଡ ବା ସମାଜରେ କଥାକୁ ବିଚାର କରାଯାଉ । ଶରୀରରେ ମୁଣ୍ଡ ବ୍ରାହ୍ମଣ ବା ବୁଦ୍ଧିଜୀବିଙ୍କ ଭୁମିକା ନିଭାଇ ସମାଜକୁ ମାର୍ଗ ଦର୍ଶନ କରୁଥିବା ବେଳେ ପାଦ ସୁଦ୍ର ବା ସେବକର ଭୁମିକା ନିଭାଇ ଥାଏ । ଠିକ୍ ସେହିପରି ଉଦର ବା ପେଟ ବୈଶ୍ୟ ବା ବ୍ୟବସାୟୀର ଭୁମିକା ନେଇ ଶରୀର ପାଇଁ ଆବଶ୍ୟକୀୟ ଶକ୍ତି ପୂର୍ତ୍ତି କରୁଥିଲା ବେଳେ ବାହୁ ଶରୀରକୁ ରକ୍ଷା କରିବା ପରି କ୍ଷତ୍ରୀୟର ଭୂମିକା ନିଭାଇ ଥାଏ । ଶରୀରର ଚାରି ପ୍ରାକାର ଅଙ୍ଗ ଚାରି ପ୍ରକାର ବିଶେଷ ଭୁମିକା ନିଭାଇ ଥାନ୍ତି । ସେମାନଙ୍କ ମଧ୍ୟରେ କେବେ ସଂଘର୍ଷ ହୋଇଛି କି? ସେମାନେ କେବେ ଶରୀରର ଏକ ଅଲଗା ବିଶେଷ ଅଙ୍ଗ ଭାବେ ନିଜକୁ ଉପସ୍ଥାପନ କରିଛନ୍ତି କି? କେବେ ନିଜ ନିଜ ଭୂମିକାର ଅହଂକାର ପ୍ରଦର୍ଶନ କରିଛନ୍ତି କି? କେବେ କିଏ କାହାକୁ ଘୃଣା କରିଛନ୍ତି କି? କେବେ କିଏ ସାନ ବଡ ଦୃଷ୍ଟିରେ ଦେଖିଛନ୍ତି କି? ନିଜ ନିଜର ସ୍ୱାର୍ଥ ତ୍ୟାଗ କରି ସମସ୍ତେ ପରମାର୍ଥରୂପି ଶରୀର କାର୍ଯ୍ୟରେ ରତ ଥିବା ଶରୀରକୁ ନେଇ ଆମେ ସମସ୍ତେ ମାନବ ଜୀବନ ପରି ଏକ ଦୁର୍ଲଭ ଜୀବନ ପାଇଛନ୍ତି । ଯଦି ଶରୀରରେ ଏପରି ବିକାର ନାହିଁ ତେବେ ଏହି ମହାନ ବିଚାରର ଶରୀରକୁ ଧାରଣ କରିଥିବା ମଣିଷ ଯେଉଁ ସମାଜରେ ରହେ ସେ ସମାଜରେ ଏପରି ଭେଦଭାବ କାହିଁକି? ଏହି ଭେଦ ପାଇଁ କଣ ଆମେ ଦାୟି ନୁହଁନ୍ତି କିି? ଭେଦ ଦୂର କରିବା ପାଇଁ ସରକାର ଯେତିକି ଦାୟି ଆମେ ମଧ୍ୟ ସେତିକି ଦାୟି ।
ଆସନ୍ତୁ ଏହି ଅବସରରେ ସମସ୍ତ ଭେଦ ଭାବକୁ ସମାପ୍ତ କରିବା । ସାନ ବଡ ଭେଦରୁ ଉଦ୍ଧ୍ୱର୍ରେ ରହିବା । ଜାତି, ପ୍ରାନ୍ତ, ଭାଷା, ବୃତ୍ତି, ରଙ୍ଗ ଧନୀ ଗରିବ, ଶିକ୍ଷିତ ଅଶିକ୍ଷିତ, ଉଚ୍ଚ ନୀଚ୍ଚ, ସବର୍ଣ୍ଣ ଅସବର୍ଣ୍ଣ ପରି ସମସ୍ତ ଭେଦ ଭାବକୁ ଜଳାଞ୍ଚଳି ଦେବା । ସମସ୍ତେ ନିଜର ଅହଂକାରକୁ ଭୁଲିବା । ନିଜ ନିଜ କର୍ତ୍ତବ୍ୟ ପଥରେ ଆଗଭର ହେବା । ସମାଜରେ ଶାନ୍ତି ସଦ୍ଭାବ ପ୍ରତିଷ୍ଠା ପାଇଁ ସଂକଳ୍ପ ନେବା । ମୁଁ ନୁହଁ ଆମେର ଭାବ ସମସ୍ତଙ୍କ ହୃଦ କନ୍ଦରରେ ଝଙ୍କୃତ ହେଉ । ସମାସ୍ୟାର ସମାଧାନ ପାଇଁ ସରକାରଙ୍କ ଯେତିକି କର୍ତ୍ତବ୍ୟ ଅଛି ଆମର ବି ସେତିକି ଅଛି । ସବୁ ଦୋଶତକ ଅନ୍ୟ ମୁଣ୍ଡରେ ଲୋଦି ଦେଲେ ହେବ ନାହିଁ । ସମାଜରେ ଦେଖା ଦେଇଥିବା ବିସୃଙ୍ଖଳା ପାଇଁ ଆମେ ବି ଦାୟି । ଆମେ ନିଜେ ସୁଧୁରି ଅନ୍ୟକୁ ସୁଧାରିବା ପାଇଁ ଚେଷ୍ଟା କରିବା । ସମାଜରେ ସଂକ୍ରାନ୍ତି ବା ସମ୍ୟକ ଭାବରେ କ୍ରାନ୍ତି ବା ପରିବର୍ତ୍ତନ ଆଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା । ସଂଘର୍ଷ ଦ୍ୱାରା ନୁହଁ ସଦାଚାରରେ ପରିବର୍ତ୍ତନ ଆଣିବା ପାଇଁ ସମସ୍ତେ ନିଜ ନିଜର ହାତ ବଢାଇବା ଦରକାର । ଗୋଟିଏ ହାତରେ ତାଳି ବାଜେ ନାହିଁ । ଏଣୁ ଦୁଇ ହାତ ସମାନ ଗତିରେ ମିଶିଲେ ତାଳି ଶୃତି ମଧୁର ହେବା ସହିତ ଚିତ୍ତକର୍ଷକ ହୋଇଥାଏ । ସମସ୍ୱର, ସମଗତିରେ ଗତି କରି ସମାଜର ପରିବର୍ତ୍ତନ ପାଇଁ ରତ ହେଲେ ମନୁଷ୍ୟ ଜୀବନ ପରି ଦୁର୍ଲଭ ଜୀବନ ସାର୍ଥକ ହେବ । ନ ହେଲେ ଗୋଡ କରୁଥିବା ସେବା କାମର ମହତ୍ୱକୁ ନ ବୁଝି ହରିଣ ଘୃଣା କରିବାରୁ ତାହାକୁ  ଯେଉଁ ଦଶା ଭୋଗିବାକୁ ପଡିଲା, ଆମର ଅବସ୍ଥା ମଧ୍ୟ ସେପରି ହେବ । ପଢିବା ଓ ଲେଖିବା ଗୋଟିଏ ପକ୍ଷ । ଉଚିତ ଅନୁଚିତକୁ ବିବେଚନା କରି ପରାମର୍ଷ ଦେବା ଭଲକାମ । କିନ୍ତୁ ସମାଜ ପରିବର୍ତ୍ତନ ପାଇଁ ସବୁ ପ୍ରକାରର ଭେଦ ଭାବ ଭୁଲି ଛୋଟମୋଟ କାମରେ ହାତ ଲଗାଇବା ପ୍ରକ୍ରିୟା ନିଜଠାରୁ ଅରମ୍ଭ ହେବା ଆମର ଧ୍ୟେୟ ହେଉ ।
ମୋ.-୯୪୩୭୦୧୫୫୭୦,ଭିସାକିଓ, ୪ ବୁଦେ୍ଧଶ୍ୱରୀ, ଭୁବନେଶ୍ୱର

Comments