ବିନାଶକାଳେ ବିରରୀତ ବୁଦ୍ଧି


 -ଗୋଲଖ ଚନ୍ଦ୍ର ଦାସ

  ‘କିଛି ବର୍ଷ ପୂର୍ବେ, ଯେତେବେଳେ ଆରଏସ୍ଏସ୍ର ସଂସ୍ଥାପକ ଜୀବିତ ଥିଲେ, ସେତେବେଳେ ସଂଘର ଶିବିରକୁ ଯାଇଥିଲି । ସେଠାରେ ସଂଘର ଅନୁଶାସନ, ଅସ୍ପୃଶ୍ୟତାର ସଂପୂର୍ଣ୍ଣ ନିରାକରଣ ଓ କଠୋର, ସରଳ ଜୀବନ ଦେଖି ଯଥେଷ୍ଟ ପ୍ରଭାବିତ ହେଲି । ସେବା ଓ ସ୍ୱାର୍ଥତ୍ୟାଗର ଉଚ୍ଚ ଆଦର୍ଶରେ ଅନୁପ୍ରାଣିତ ଯେ କୌଣସି ସଂଗଠନ ଶକ୍ତିଶାଳୀ ହେବା ବିନା ରହିପାରିବ ନାହିଁ ।’ ୧୬ ସେପ୍ଟେମ୍ବର,୧୯୪୭ ମସିହାରେ ଭଙ୍ଗୀ କଲୋନୀ,ଦିଲ୍ଲୀରେ ମହାତ୍ମା ଗାନ୍ଧୀ ଏହି ବିଷୟ ପ୍ରକାଶ କରିଥିଲେ । ଅଳ୍ପଦିନ ତଳେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ସଂଘ ମଂଚରେ ସଂଘର ସରସଂଘଚାଳକଙ୍କ ସହିତ ଛିଡା ହୋଇ ସଂଘର ପ୍ରଶଂସା କରିଥିଲେ । ଯାହାକୁ ସାରା ଦେଶ ଦୁନିଆ ଦେଖିଛି । ଏବେ ଦୁନିଆ କଣ ଦେଖୁଛି ସେହି କଂଗ୍ରେସ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହୁଛନ୍ତି ‘ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ସରକାରୀ ଭବନ ଓ ସରକାରୀ ସ୍ଥାନରେ ଆରଏସ୍ଏସ୍ର ଶାଖାକୁ ଅନୁମତି ଦେବ ନାହିଁ । ସରକାରୀ ସ୍ଥାନରେ ସଂଘର କାର୍ଯ୍ୟକ୍ରମ କରାଇ ଦେବ ନାହିଁ । ସରକାରୀ କର୍ମଚାରୀମାନଙ୍କୁ ମଧ୍ୟ ସଂଘ ଶାଖାକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ ।’ ତାହା ହେଲେ କେଉଁଟା ଠିକ୍ । ମହାତ୍ମା ଗାନ୍ଧୀ  ଓ ପ୍ରଣବ ମୁଖାର୍ଜି ଯାହାସବୁ କହିଥିଲେ ତାହା ଠିକ୍ ନା ରାହୁଲ ଯାହା କରିବାକୁ ଯାଉଛନ୍ତି ତାହା ଠିକ୍ ?  କେବଳ ସେତିକି ନୁହେଁ ଦେଶକୁ ବିଭାଜନ କରୁଥିବା ଶକ୍ତିମାନଙ୍କ ସହିତ ଛିଡାହୋଇ ଆରଏସ୍ଏସ୍ ପରି ରାଷ୍ଟ୍ରବାଦୀ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମଧ୍ୟପ୍ରଦେଶ ନିର୍ବାଚନ ସମୟରେ କଂଗ୍ରେସ ତାର ନିର୍ବାଚନ ଇସ୍ତାହାର ବଚନ ପତ୍ରରେ ଏହି ବିଷୟ ପ୍ରକାଶ କରିଛି ।  ତାହା ହେଲେ କଂଗ୍ରେସର ଅସଲ ଚେହେରା  କଣ ?
 ସଂଘ ହେଉଛି ସାଂସ୍କୃତିକ, ସାମାଜିକ ଏବଂ ବୈଚାରୀକ ସଂଗଠନ । ଆଶ୍ଚର୍ଯ୍ୟ ଲାଗୁଛି ଦେଶରେ ଥିବା ଆତଙ୍କବାଦୀ ସଂଗଠନ ବିରୋଧରେ କହିବା ପାଇଁ ଯେଉଁ କଂଗ୍ରେସର ଗଳା ଶୁଖି ଯାଉଛି,‘ଭାରତ ତେରେ ଟୁକୁଡେ ହୋଂଗେ’ ପରି କଥା ଶୁଣି ଯେଉଁ କଂଗ୍ରେସ କୌଣସି ପ୍ରତିକ୍ରିୟା ଦେଇ ପାରୁନାହିଁ, ‘ହମ୍ ଚାହିଏ ଆଜାଦି’ ନାରା ଦେଉଥିବା ସଂଗଠନକୁ କଂଗ୍ରେସ ନିଜ ମୁଣ୍ଡରେ ବସାଇଛି, ସେହି କଂଗ୍ରେସ ସଂଘ ପରି ସାମାଜିକ ସଂଗଠନକୁ କାହିଁକି ଭୟ କରୁଛି ? ସଂଘକୁ ବିରୋଧ କରିବା କଂଗ୍ରେସର ଲୁଚାଛପା ଏଜେଣ୍ଡା ନୁହେଁ । କଂଗ୍ରେସ ଏହା ପୂର୍ବରୁ ଅନେକ ଥର ସଂଘ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଅନେକ ଅପପ୍ରଚାର ମଧ୍ୟ କରିଛି । ଗାନ୍ଧିଜୀଙ୍କ ହତ୍ୟା ଘଟଣାରେ ସଂଘକୁ ଯୋଡିବାରେ ମୁଖ୍ୟ ବିନ୍ଧାଣୀ ଥିଲେ ଜବାହରଲାଲ ନେହେରୁ । ସେ ସଂଘ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସେ ସମୟରେ ସରର୍ଦ୍ଧାର ପଟେଲ ଗାନ୍ଧିଜୀଙ୍କ ହତ୍ୟାକାଣ୍ଡର କଡା ଯାଂଚ କରିଥିଲେ । ସବୁ ଦିଗରୁ ତନ ତନ କରି ତଦନ୍ତ କରିବା ପରେ ଶେଷରେ ୧୯୪୮ ମସିହା ଫେବୃଆରୀ ୨୭ ତାରିଖରେ ତାଙ୍କର ତଦନ୍ତ ରିପୋର୍ଟ ପ୍ରକାଶ କରିଥିଲେ ଏବଂ ସଂଘ ବିଷୟରେ କହିଥିଲେ ଯେ, ‘ଅଭିଯୁକ୍ତର ବୟାନରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ତାଙ୍କର ଆରଏସ୍ଏସ୍ ସହିତ କୌଣସି ସଂପର୍କ ନାହିଁ । ସେ ହିନ୍ଦୁ ମହାସଭାର ସଦସ୍ୟ । ଆରଏସ୍ଏସ୍ ଗାନ୍ଧୀ ହତ୍ୟା ଘଟଣାରେ ସଂପୃକ୍ତ ଥିବାର ଆମ ପାଖରେ କୌଣସି ପ୍ରମାଣ ନାହିଁ । ତେଣୁ ଏହି ଘଟଣା ସହିତ ସଂଘକୁ ଯୋଡିବା ଠିକ୍ ନୁହେଁ ।  ’
ମହାତ୍ମା ଗାନ୍ଧି ୧୯୩୪ ମସିହାରେ  ୱାର୍ଦ୍ଧାରେ ଚାଲୁଥିବା ସଂଘର ଶିବିରକୁ ଆସିଥିଲେ । ଗାନ୍ଧିଜୀ କହିଥିଲେ ‘ମୁଁ ଛୁଆଁ ଅଛୁଆଁ ଭେଦ ଭାବ ଦୁର କରିବା ପାଇଁ ଅଭିଯାନ ଚଳାଉଛି କିନ୍ତୁ ସଂଘ ଏକ ପାଦ ଆଗରେ । ଆମେ ଯାହା କରିବାକୁ ଚାହୁଁଛୁ ସଂଘ ତାହାକୁ କରି ଦେଖାଇଛି । ଶିବରରେ ଏକାଠି ବସି ଭୋଜନ କରିବା ସମୟରେ ଜଣା ପଡୁନାହିଁ  ସ୍ୱୟଂସେବକମାନେ କୋଉ କୋଉ ଜାତିର ।’ ମହାତ୍ମା ଗାନ୍ଧି ସଂଘର ସାମାଜିକ କର୍ଯ୍ୟକୁ ପ୍ରଶଂସା କରିଥିଲେ । ଓା୍ୱର୍ଦ୍ଧା ଶିବିରର ପ୍ରଭାରୀ ଆପାଜୀଙ୍କୁ ଗାନ୍ଧିଜୀ ପଚାରିଥିଲେ ଯେ ଏହି ଶିବରରେ କେତେଜଣ ହରିଜନ ଅଛନ୍ତି ? ଆପାଜୀ କହିଥିଲେ ଏହା କହିବା ବଡ କଠିନ ଅଟେ । କାରଣ ଆମେ ସମସ୍ତଙ୍କୁ ହିନ୍ଦୁ ରୂପରେ ଦେଖୁ । ଶିିବିରରେ କେବଳ ନାମ ପଚରାଯାଏ  । ଜାତିନାମ କି ଉପନାମ ପଚରାଯାଏ ନାହିଁ ।
ଏବେ ଯେଉଁ ସଂଘର ଶାଖାକୁ ସରକାରୀ କର୍ମଚାରୀ ଯିବାକୁ କଂଗ୍ରେସ ପ୍ରତିବନ୍ଧକ ଲଗାଇବାକୁ କହୁଛି, ସଂଘର ସେହି ଶାଖାକୁ ଗାନ୍ଧିଜୀଙ୍କ ଠାରୁ ଆରମ୍ଭ କରି ଜବାହରଲାଲ ନେହେରୁ, ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ, ବାବା ସାହେବ ଆମ୍ବେଦକର, ଲାଲ ବାହାଦୁର ଶାସ୍ତ୍ରୀ, ପୂର୍ବତନ ରାଷ୍ଟ୍ରପତି ନିଲମ ସଂଜୀବ ରେଡି, ଡା.ଜାକିର ହୁସେନ, ବିନୋବା ଭାବେ, ଜଗଜୀବନ ରାମ, ସର୍ବୋଦୟ ନେତା ପ୍ରଭାକର ରାଓ, ଜେନେରାଲ କାରିୟପା, ଜଷ୍ଟିସ କେ ଟି ଥୋମାସ, ବୈଜ୍ଞାନିକ ଜୀ.ମାଧବନ ନାୟର, କେ. ରାଧାକୃଷ୍ଣନ, କେ କସ୍ତୁରୀ ରଂଗନ, ରତନ ଟାଟା, ଏପିଜେ ଅବଦୁଲ କାଲାମ ଆଦି ମାଣ୍ୟଗନ୍ୟ ବ୍ୟକ୍ତିମାନେ ପ୍ରଶଂସା କରିଛନ୍ତି ।
ଗାନ୍ଧିଜୀ ଦୁଇ ଥର ସଂଘ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଥରେ ଓା୍ୱର୍ଦ୍ଧାରେ ଆଉ ଥରେ ଦିଲ୍ଲୀରେ । ୧୬ ସେପ୍ଟେମ୍ବର,୧୯୪୭ ମସିହାରେ ଦିଲ୍ଲୀରେ ସ୍ୱୟଂସେବକମାନଙ୍କୁ ସମ୍ବୋଧିତ କରି ଗାନ୍ଧିଜୀ କହିଥିଲେ ଆରଏସ୍ଏସ୍ କାର୍ଯ୍ୟକର୍ତ୍ତା ଅନୁଶାସନ ଏବଂ ଦେଶପ୍ରେମର ଜ୍ୱଳନ୍ତ ଉଦାହରଣ । ୧୯୬୨  ମସିହାର ଭାରତ ଚୀନ ଯୁଦ୍ଧରେ ସଂଘର ଭୂମିକାକୁ ଦେଖି  ନେହେରୁ ୧୯୬୩ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ପ୍ୟାରେଡରେ ସାମିଲ ହେବକୁ ସଂଘକୁ ନିମନ୍ତ୍ରଣ କରିଥିଲେ ଏବଂ ସଂଘର ୩୦୦୦ ସ୍ୱୟସେବକ ପ୍ୟାରେଡରେ ଭାଗ ନେଇଥିଲେ । ୧୯୬୫ର ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଲାଲବାହାଦୂର ଶାସ୍ତ୍ରୀ ସଂଘର ସାହାଯ୍ୟ ନେଇଥିଲେ ଏବଂ ସଂଘକାର୍ଯ୍ୟର ପ୍ରସଂଶା କରିବା ସହିତ ଦ୍ୱିତୀୟ ସରସଂଘଚାଳକ ଶ୍ରୀଗୁରୁଜୀଙ୍କୁ ସର୍ବଦଳୀୟ ବୈଠକରେ ଭାଗନେବା ପାଇଁ ଆମନ୍ତ୍ରୀତ କରିଥିଲେ । ସ୍ୱୟଂ ଇନ୍ଦିରା ଗାନ୍ଧି ସଂଘର ନିମନ୍ତ୍ରଣ ପାଇଁ ବିଶ୍ୱହିନ୍ଦୁ ପରିଷଦର ଏକାତ୍ମ ଜଳଯାତ୍ରା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ୧୯୭୭ରେ ସଂଘର ବରିଷ୍ଠ ପ୍ରଚାରକ ଏକନାଥ ରାନାଡେଙ୍କ ନିମନ୍ତ୍ରଣ ଦ୍ୱାରା  ଇନ୍ଦିରା ଗାନ୍ଧି ବିବେକାନନ୍ଦ ସ୍ମାରକ ଶୀଳାକୁ ଅନାବରଣ କରିଥିଲେ । ୧୯୬୭ରେ ବିହାରରେ ଭିଷଣ ଅକାଳ ପଡିଥିବା ବେଳେ ସଂଘର ସ୍ୱୟଂସେବକମାନେ ଲୋକମାନଙ୍କୁ ଅକୁଣ୍ଠ ଚିତରେ ସାହାଯ୍ୟ ସହଯୋଗ କରିଥିଲେ । ତେଣୁ ଲୋକନାୟକ ଜୟ ପ୍ରକାଶ ନାରାୟଣ ସଂଘର ଶ୍ରମସାଧ୍ୟ  କାଯ୍ୟଶୈଳୀ ଦେଖି କହିଥିଲେ ଯେ ସଂଘର ଦେଶଭକ୍ତି କୌଣସି ପ୍ରଧାନମନ୍ତ୍ରୀଙ୍କ ଠାରୁ କମ୍ ନୁହେଁ । ଯଦି ସଂଘ ଫାସିବାଦୀ ହୁଏ ତେବେ ମୁଁ ମଧ୍ୟ ଫାସୀବାଦୀ । କିଛି ଦିନ ତଳେ କେରଳରେ ବନ୍ୟାର ତାଣ୍ଡବରେ ଯେଉଁ କ୍ଷୟକ୍ଷତି ହେଲା ତାର ପୂର୍ନ ନିର୍ମାଣ ପାଇଁ ସଂଘଦ୍ୱାରା ଯେଉଁ ସେବାକାମ ହେଲା ତାହାକୁ ସାରା ଦେଶ ପ୍ରସଂଶାକରୁଛି ।
କଂଗ୍ରେସ ମଧ୍ୟପ୍ରଦେଶରେ ସରକାରୀ କର୍ମଚାରୀମାନଙ୍କୁ ଶାଖାକୁ ଯିବା ପାଇଁ ଯେଉଁ ପ୍ରତିବନ୍ଧ ଲଗାଇବା ପାଇଁ ସ୍ୱପ୍ନ ଦେଖୁଛି ଏହା କଂଗ୍ରେସର ପ୍ରଥମ ସଂଘ ବିରୋଧି ପଦକ୍ଷେପ ନୁହେଁ । ଏହା ପୂର୍ବରୁ କଂଗ୍ରେସ ତରଫରୁ ତିନିଥର ସଂଘ ଉପରେ  ପ୍ରତିବନ୍ଧ ଲଗାଯାଇଛି । ଗାନ୍ଧିଜୀଙ୍କ ହତ୍ୟାପରେ ନେହେରୁଙ୍କ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧ ଫଳରେ ଗୁରୁଜୀଙ୍କୁ ୧୮ ମାସ ଜେଲରେ ବନ୍ଦୀ କରି ରଖାଯାଇଥିଲା । ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ୧୯୭୫ ମସିହାରେ ଜରୁରୀ ପରିସ୍ଥିତି ବେଳେ ସଂଘ ଉପରେ ପ୍ରତିବନ୍ଧ ଲଗାଯାଇଥିଲା ଯାହା ଫଳରେ ହଜାର ହଜାର ସ୍ୱୟଂସେବକଙ୍କୁ  ମିସାରେ ବନ୍ଦି କରାଯାଇ କଠୋର ନିର୍ଯ୍ୟାତନା ଦିଆ ଯାଇଥିଲା । ପୁଣି ୧୯୯୨ ମସିହାରେ ତଥାକଥିତ ବାବରୀ ଢାଂଚା ଧ୍ୱଂସ ହେବା ପରେ ସଂଘ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଯାହା ଫଳରେ ରାମଭକ୍ତ ସ୍ୱୟଂସେବକମାନଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା ଏବଂ ଆଖିବୁଜା ଗୁଳିଚାଳନା କରି ହତ୍ୟା କରାଯାଇଥିଲ । ଏହିପରି ଦମନ ଲୀଳାକୁ ସଂଘ  ସହି ଆସିଛି । ପ୍ରତିଥର ସଂଘ ସୁନାଭଳି  ଅଗ୍ନିରେ ପୋଡି ହୋଇ ଉଡ୍ୱଳ ହୋଇ ଉଠିଛି ଏବଂ ଅଧିକ ଜନପ୍ରିୟତା ଅର୍ଜନ କରିଛି ।
ସଂଘ ବିରୁଦ୍ଧରେ ଏବେ ମଧ୍ୟ ନିରନ୍ତର ପ୍ରଚାର-ପ୍ରହାର ହେଉଛି । ସଂଘ ଶାଖାର ଅଭିବୃଦ୍ଧି ସଙ୍ଗେ ସଙ୍ଗେ ରାଷ୍ଟ୍ର ଜୀବନରେ ରାଜନୀତି ସହିତ ସବୁ କ୍ଷେତ୍ରରେ ସଂଘର ପ୍ରଭାବ ବଢୁଥିବାରୁ ସଂଘ ବିଷୟରେ ନାନା ପ୍ରକାର ବିରୋଧୀ ପ୍ରଚାର ବଢିଯିବା ସ୍ୱାଭାବିକ । କିନ୍ତୁ ସଂଘ ତଥା ସଂଘ ସମ୍ବନ୍ଦିତ ହିନ୍ଦୁ ସଂଗଠନ ଉପରେ ବିବିଧ ପ୍ରକାର ଅଭିଯୋଗ ଆଣିବା ବ୍ୟକ୍ତିମାନେ କିଏ? ସେମାନଙ୍କର ମନୋବୃତି କଣ ? କାହିଁକି ଏପରି କରୁଛନ୍ତି? ସଂଘର ଶାଖା ଶକ୍ତିକୁ ବୁଝିପାରି ଶାଖାତନ୍ତ୍ର ଉପରେ କଟକଣା ଲଗାଇବାକୁ ଚାହୁଁଥିବା ବ୍ୟକ୍ତି କିଏ ? ପ୍ରାୟତଃ ଦେଖାଯାଇଛି ଏହାପଛରେ ଖ୍ରୀଷ୍ଟିଆନ ମିଶନାରୀ ଓ ଖ୍ରୀଷ୍ଟ ଧର୍ମଗୁରୁ ପାଦ୍ରୀମାନଙ୍କ ମସ୍ତିଷ୍କ କାମ କରୁଛି । ସେହି ଖ୍ରୀଷ୍ଟିଆନ ମିଶନାରୀମାନେ ଇଟାଲୀରୁ ଆସିଥିବା ସୋନିଆ ଗାନ୍ଧିଙ୍କ ଦ୍ୱାରା ଉପା ଶାସନ କାଳରେ ବିରାଟ ଷଢଯନ୍ତ୍ରକରି ଥିଲେ । ‘ସାଂପ୍ରଦାୟୀକ ହିଂସା ଲିଖିତ ଅଧିନିୟମ’ ଡିଜାଇନ କରି ଭାରତର ସଂସଦରେ ପାସ କରିବା ପାଇଁ ଚକ୍ରାନ୍ତ କରିଥିଲେ ।  ସଂଘ ଏହି ବିପଦପୂର୍ଣ୍ଣ ଅଧିନିୟମକୁ ଜାଣି ପାରିଥିଲା । ଏହାକୁ ଅଟକାଇବା ପାଇ ରାସ୍ତାକୁ ଓହ୍ଲାଇ ଥିଲା । ଗାଁ ଗଣ୍ଡା ଠାରୁ ଆରମ୍ଭ କରି ସହରବସ୍ତି ସାରା ଦେଶରେ ଏହାର ବିରୋଧ ହେଲା, ସବୁଠି ଆନ୍ଦୋଳନ ହେଲା ।  ଯାହା ଫଳରେ ସୋନିଆଙ୍କ ନେତୃତ୍ୱ ଖ୍ରୀଷ୍ଟିଆନ ଧର୍ମାନ୍ତରଣ ସଂଗଠନ ଉପରେ ଏକ ବଡ ତୁଷାରପାତ ହେଲା । ସୋନିଆ ଗାନ୍ଧି ଏବଂ ଭାରତ ଠାରୁ ରୋମ ପର୍ଯ୍ୟନ୍ତ ଚତୁର ଏବଂ ଶକ୍ତିଶାଳୀ ମିଶନାରୀ ଖ୍ରୀଷ୍ଟିଆନ ସଂଗଠନ  ଏହି ଆଘାତକୁ ଭୁଲି ପାରି ନାହିଁ । ତେଣୁ  ସଂଘର ଶାଖା ଶକ୍ତି ଉପରେ ପ୍ରହାର କରିବା ପାଇଁ କଂଗ୍ରେସ ମାଧ୍ୟମରେ ସୋନିଆଙ୍କ ସହଯୋଗରେ ଏହା ହେଉଛି ଭାଟିକାନ୍ର ଚିନ୍ତା ।
ଭାଟିକାନ୍ ଓ ଖ୍ରୀଷ୍ଟିଆନ ମିଶନାରୀ ସଂଘଶକ୍ତିକୁ ବୁଝି ପାରିଛନ୍ତି । ସଂଘ-ଶାଖାର ଅଭିବୃଦ୍ଧିକୁ  ଯଦି ନ ଅଟକା ଯାଏ ତେବେ ସେମାନଙ୍କର ସ୍ୱପ୍ନ ସାକାର ହୋଇ ପାରିବ ନାହିଁ । ଦେଶରେ ମୋଟ ୯୫ ପ୍ରତିଶତ ଜିଲ୍ଲାରେ ସଂଘ କାର୍ଯ୍ୟ ଚାଲୁଅଛି  । ଦେଶରେ ୩୭୧୯୦ ସ୍ଥାନରେ ୫୮୯୬୭ ଶାଖା ପ୍ରତି ଦିନ ଲାଗୁଅଛି । ସାପ୍ତାହିକ ମିଳନ ୧୬୪୦୫, ମାସିକ ମଣ୍ଡଳି  ୭୯୭୬ । ଏହି ପରି ମୋଟ ୮୩୩୪୮ ସ୍ଥାନରେ ସଂଘର ଗତିବିଧି ଚାଲୁଅଛି । ସ୍ୱୟଂସେବକମାନଙ୍କର କ୍ଷମତା ବୃଦ୍ଧି, ସମାଜଭିମୁଖି ବ୍ୟବହାର କରିବା ଏବଂ ବ୍ୟକ୍ତିର ବିକାଶ ପାଇଁ ଶାଖାରେ ଯେଉଁ ପ୍ରଶିକ୍ଷଣ ଦିଆଯାଉଛି ସେହି ଶାଖା ଉପରେ ପ୍ରତିବନ୍ଧ ଲଗାଇବା ପାଇଁ କଂଗ୍ରେସ ଯେଉଁ ପ୍ରୟାସ କରୁଛି ତାହା କେତେଦୂର ସଫଳ ହେଉଛି !
ଭିସାକିଓ, ୩୫,ଏନ୍ଏସି ଫ୍ଲାଟ, ୟୁନିଟ-୩, ଭୁବନେଶ୍ୱର
ମୋ-୯୮୬୧୦୨୮୫୫୩

Comments