ଦୂରରୁ ନୁହେଁ ପାଖକୁ ଆସ


-ଗୋଲଖ ଚନ୍ଦ୍ର ଦାସ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏକ ଶକ୍ତି ରୂପରେ ଭାରତରେ ବିଦ୍ୟମାନ ବୋଲି ସାରା ବିଶ୍ୱର ଅନୁଭବ ହୋଇଛି । ସଂଘକୁ ନେଇ ଏବେ ଚର୍ଚ୍ଚା । ଚର୍ଚ୍ଚାହେବା ସ୍ୱାଭାବିକ କିନ୍ତୁ ଯେଉଁ ବିଷୟରେ ଚର୍ଚ୍ଚା ହେବ ସେ ବିଷୟ ଉପରେ ଚର୍ଚ୍ଚା କରୁଥିବା ବ୍ୟକ୍ତିଙ୍କର ସଂପୂର୍ଣ୍ଣ ଜ୍ଞାନ ରହିବା ଉଚିତ  । ତାଙ୍କର ନିକଟତର ହୋଇ ତାଙ୍କ ବିଷୟରେ ସବୁ ଜାଣିବା ଉଚିତ । ସଂଘଶକ୍ତି ଯେଉଁ ପରି ବଢି ବଢି ଚାଲିଛି ସେହି ପରିମାଣର ଲୋକ ସଂଘକୁ ନିଜର କରିବାରେ ଲାଗିଛନ୍ତି । କାହାକୁ କାହାକୁ ଏହି ଶକ୍ତିକୁ ଭୟ ବି ଲାଗୁଛି ତେଣୁ ସେମାନେ ଅପପ୍ରଚାର ମଧ୍ୟ କରୁଛନ୍ତି ।
କୌଣସି ସଂଗଠନର ସାମାଜିକ ଦର୍ଶନ, ରାଜନୈତିକ ଦୃଷ୍ଟିକୋଣ, ସଂଗଠନାତ୍ମକ ଦୃଷ୍ଟି କୋଣ, ସଂଗଠନାତ୍ମକ ସଂସ୍କୃତିକୁ ଜାଣିବାକୁ ହେଲେ ସେହି ସଂଗଠନର ପ୍ରତିଷ୍ଠାତାଙ୍କ ଜୀବନୀ ଓ ବୈଚାରିକ ଦିଗକୁ ଜାଣିବା ଆବଶ୍ୟକ । ତେଣୁ ସଂଘକୁ ଜାଣିବାକୁ ହେଲେ ପ୍ରଥମେ ସଂଘର ପ୍ରତିଷ୍ଠାତା ଡାକ୍ତର କେଶବ ବଳିରାମ ହେଡେଗେୱାରଙ୍କୁ ଜାଣିବାକୁ ହେବ । ଆଜି ଆମେ ଯେଉଁ ବିଶାଳ ବଟବୃକ୍ଷ ସଦୃଶ ସଂଘକୁ ଦେଖୁଛୁ ତାହା ହେଉଛି ତାଙ୍କ ମନରେ ସୃଷ୍ଟି ହୋଇଥିବା ବିଚାର,ସଂକଳ୍ପ ଓ ବିକଳ୍ପ । ନାଗପୁରର ଜନୈକ  ଦରିଦ୍ର ବ୍ରାହ୍ମଣ ପରିବାରରେ ଯୁଗାବ୍ଦ ୪୯୯୧ ଚୈତ୍ର ଶୁକ୍ଲ ପ୍ରିତପଦା  ବା ୧ ଏପ୍ରିଲ ୧୮୮୯ରେ ତାଙ୍କର ଜନ୍ମ । ଏହି ଇତିହାସ ପୁରୁଷଙ୍କର ଶୈଶବ, ପାରିବାରିକ ରଚନା, ବଂଶ ପରମ୍ପରା, ସାମାଜିକ ଏବଂ ଆର୍ଥିକ ଅବସ୍ଥା ଅତ୍ୟନ୍ତ ରୋମାଚଂକାରୀ ଓ ହୃଦୟ ବିଦାରକ । ଡ. ହେଡେଗେୱାର ଥିଲେ ଜନ୍ମ ଜାତ ଦେଶଭକ୍ତ । ଏହି ବିଚାର ଛୋଟ ବେଳୁ କେଶବଙ୍କ ମନରେ ଥିଲା । ୧୮୯୭ ମସିହା ଜୁନ ୨୨ ତାରିଖ ଦିନ ବ୍ରିଟେନ୍ର ମହାରାଣୀ ଭିକ୍ଟୋରିଆଙ୍କ ସିଂହାସନ ଆରୋହଣର ୬୦ ବର୍ଷ ପୂର୍ତ୍ତି ଉତ୍ସବ ଭାରତରେ ପାଳନ ହେବା ସହିତ ସବୁ ବିଦ୍ୟାଳୟରେ ଲଡୁ ବଣ୍ଟା ଯାଉଥିଲା । କେଶବ ସେ ଲଡୁ ନଖାଇ ଫୋପାଡି ଦେଇଥିଲେ । ଅନ୍ୟ ଏକ ଘଟଣା ହେଉଛି  ୧୯୦୧ ମସିହାରେ ଇଂଲଣ୍ଡର ରାଜା ପ୍ରଥମ ଏଡୱାର୍ଡଙ୍କ ରାଜ୍ୟାରୋହଣ ଉପଲକ୍ଷେ ନାଗପୁର ସହରରେ ପ୍ରଶାସନ ତରଫରୁ ଆକର୍ଷଣୀୟ ଆତସବାଜୀ ଅନୁଷ୍ଠିତ ହେଉଥିଲା କିନ୍ତୁ କେଶବ ତାଙ୍କର ବାଳକ ସାଥିମାନଙ୍କୁ ସେଠାକୁ ନଯିବାକୁ ପ୍ରବତ୍ତାଇଥିଲେ । ବିଦେଶୀ ରାଜାରାଣୀଙ୍କ ରାଜ୍ୟାରୋହଣ ଉତ୍ସବ ଭାରତରେ ପାଳନ କରିବା ଆମ ପାଇଁ ଲଜ୍ଜାକର କଥା ବୋଲି ଥିଲା ତାଙ୍କର ବିଚାର । କେବଳ ସେତିକି ନୁହେଁ ୧୯୦୭ ମସିହା ସେପ୍ଟେମ୍ବର ମାସରେରେ ଏହି ଉଗ୍ର ଦେଶପ୍ରେମ ପାଇଁ ତାଙ୍କୁ ନୀଳସିଟି ବିଦ୍ୟାଳୟରୁ  ବିଦା ହେବାକୁ ପଡିଥିଲା । କାରଣ ହେଉଛି ତାଙ୍କର ବିଦ୍ୟାଳୟକୁ ଇଂରେଜ ଶିକ୍ଷା ଅଧିକାରୀ ଆସିବା ସମୟରେ କେଶବଙ୍କ ନେତୃତ୍ୱରେ ପ୍ରତ୍ୟେକ ଶ୍ରେଣୀ ଗୃହରେ ତାଙ୍କୁ ବନ୍ଦେ ମାତରମ୍ ସ୍ଲୋଗାନ ମାଧ୍ୟମରେ ସ୍ୱାଗତ କରାଯାଇଥିଲା । ଏ ଘଟଣା ପାଇଁ କ୍ଷମା ମାଗିବାକୁ କୁହାଯାଇଥିଲା କିନ୍ତୁ  କେଶବ ମନା କରିବା ସହିତ କହିଲେ “ ଯଦି ମାତୃଭୂମିର ଆରଧନା କରିବା ଅପରାଧ, ତେବେ ମୁଁ ଏହି ଅପରାଧ ଥରେ ନୁହେଁ ଅଗଣିତ ଥର କରିବି । ଏଥିପାଇଁ ସମସ୍ତ ଦଣ୍ଡକୁ ହସି ହସି ସ୍ୱୀକାର କରିବି । ”  କେଶବ ପିଲାବେଳୁ ସଂଗଠନ କରିବାରେ ସିଦ୍ଧହସ୍ତ ଥିଲେ । ତେଣୁ ସେ ଯେଉଁଠାକୁ ଗଲେ ସେଠାରେ ଦେଶପ୍ରେମର ବହ୍ନି ପ୍ରଜ୍ୱଳିତ କରି ସମସ୍ତଙ୍କୁ ସଂଗଠିତ କଲେ । ରାମପାୟଲୀକୁ ଗଲେ ମଧ୍ୟ ସେଠାରେ ସେହି କାମ କଲେ । ୧୯୦୮ରେ ଏକ ପୋଲିସ ଥାନା ଉପରକୁ ବୋମା ପିଙ୍ଗିଲେ । ତାଙ୍କର ଉଗ୍ର ରାଷ୍ଟ୍ରପ୍ରେମ ଭାଷଣ ଯୋଗୁଁ ଏହି ବର୍ଷ ନଭେମ୍ବର ମାସରେ ଭାରତୀୟ ଦଣ୍ଡ ସଂହିତାର ଧାରା ୧୦୮ରେ ଗିରଫ ହୋଇଥିଲେ । ୧୯୦୯ ବେଳକୁ କେଶବ କ୍ରାନ୍ତିକାରୀମାନଙ୍କ ସହିତ ସଂପର୍କରେ ଆସି ବିଭିନ୍ନ କାର୍ଯ୍ୟରେ ସକ୍ରିୟ ହୋଇଥିଲେ । ୧୯୧୧ ମସିହାରେ ଦିଲ୍ଲୀ ଦରବାରର ବହିଷ୍କାର ଆନ୍ଦୋଳନ ଏବଂ ୧୯୧୪ ମସିହାରେ ସରକାରଙ୍କ ଦ୍ୱାରା ରାଷ୍ଟ୍ରୀୟ ମେଡିକାଲ କଲେଜ ଡିଗ୍ରୀକୁ ମାନ୍ୟତା ନଦେବା ବିରୁଦ୍ଧରେ ଯେଉଁ ସଶକ୍ତ ଜନ ଆନ୍ଦୋଳନ ହୋଇଥିଲା ସେ ତାହାର ନେତୃତ୍ୱ ନେଇଥିଲେ । ଏହାପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ମଧ୍ୟପ୍ରାନ୍ତ କଂଗ୍ରେସରେ ଲୋକମାନ୍ୟ ତିଳକଙ୍କ ଅନୁଗାମୀମାନେ ରାଷ୍ଟ୍ରୀୟ ମଣ୍ଡଳ ନାମକ ଯେଉଁ ସଂସ୍ଥା ଗଠନ କରିଥିଲେ ଡା,ହେଡଗେୱାର ସେଥିରେ କାମ କରିଥିଲେ । ଏହାପରେ ମଧ୍ୟପ୍ରାନ୍ତରେ କଂଗ୍ରେସ ତରଫରୁ ପ୍ରକାଶିତ ହିନ୍ଦି ପତ୍ରିକା ‘ସଂକଳ୍ପ’ର ପ୍ରକାଶନ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା । ୧୯୨୦ ମସିହା ଡିସେମ୍ବର ୨୦ ତାରିଖରେ କଂଗ୍ରେସର ବିଂଶତମ ଅଧିବେଶନ ନାଗପୁରରେ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ଗଠିତ ସ୍ୱାଗତ ସମିତିରେ ଡ. ହେଡେଗେୱାର ସଦସ୍ୟ ଥିଲେ । ଏହି ବୈଠକ ପରେ ସେ କଂଗ୍ରେସର ମହତ୍ୱପୂର୍ଣ୍ଣ ନେତାମାନଙ୍କ ମଧ୍ୟରେ ପରିଗଣିତ ହୋଇଥିଲେ ଏବଂ ପ୍ରେଦଶ କମିଟିକୁ ନିର୍ବାଚିତ ହୋଇଥିଲେ । ୧୯୨୦-୨୧ ମସିହାରେ ନାଗପୁରରେ ଅସହଯୋଗ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଡ. ହେଡେଗେୱାର । ତାଙ୍କ ନେତୃତ୍ୱରେ ଅନେକ ସାଧାରଣ ସଭା, ଶୋଭାଯାତ୍ରା, ବିକ୍ଷୋଭ, ଧାରଣା ଆଦି ହୋଇ ଅସହଯୋଗ କାର୍ଯ୍ୟକ୍ରମ ତୀବ୍ର ଗତିରେ ବୃଦ୍ଧି ପାଇଥିଲା । ଡ. ହେଡେଗେୱାରଙ୍କ ଏହି ସବୁ କାର୍ଯ୍ୟକ୍ରମ ଯୋଗୁଁ ବ୍ରିଟିଶ ସରକାର ଅସ୍ତବ୍ୟସ୍ତ ହୋଇ ପଡିଲେ । ଶେଷରେ ୧୯୨୧  ଅଗଷ୍ଟ ମାସ ୧୯ ତାରିଖରେ ଡ. ହେଡେଗେୱାରଙ୍କୁ ଗିରଫ କରାଯାଇ ନାଗପୁରର ଅଜନୀ ଜେଲରେ ରଖା ଯାଇଥିଲା । ଜେଲରେ ସେ ବସି ରହିନଥିଲେ ବରଂ ସେଠାରେ ଥିବା ବନ୍ଦୀ ଓ ଜେଲର ଅନ୍ତେବାସୀଙ୍କ ମଧ୍ୟରେ ଦେଶପ୍ରେମର ବହ୍ନି ଜାଗ୍ରତ କରିଥିଲେ ଏବଂ ୧୯୨୨ ଏପ୍ରିଲ ୧୩ ତାରିଖରେ ଜେଲ ଭିତରେ ଜାଲିଆନାୱାଲାବାଗ ଦିବସ ପାଳନ କରିଥିଲେ । ସେହି ବର୍ଷ ଜେଲରୁ ମୁକ୍ତ ହେବା ପରେ ପ୍ରାନ୍ତୀୟ କଂଗ୍ରେସ ସମିତିର ସହମନ୍ତ୍ରୀ ରୂପେ ନିଯୁକ୍ତି ହୋଇଥିଲେ । ୧୯୨୩ ଏପ୍ରିଲ ୧୩ରେ ସେ ନାଗପୁରରେ ‘ଝଣ୍ଡା ସତ୍ୟାଗ୍ରହ’ ଆନ୍ଦୋଳନ କରିଥିଲେ । ୧୯୨୪ରେ ସେ ସଂପୂର୍ଣ୍ଣ ସ୍ୱରାଜ୍ୟର ପ୍ରଚାର ପ୍ରସାର କରିବା ପାଇଁ ସମ୍ବାଦପତ୍ରକୁ ମାଧ୍ୟମ କରି ଜଣେ ସଂଘର୍ଷଶୀଳ ସଂପାଦକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ।
ଭୋଁସଲା ପରିବାର ଦୁର୍ଗରେ ଉଡୁଥିବା ୟୁନିୟନ ଜ୍ୟାକ ପତାକାକୁ ଦେଖି ଯେଉଁ ବାଳକର ମନରେ ପ୍ରଶ୍ନ ଉଠିଥିଲା ଆମେ ପରାଧିନ କାହିଁକି ହେବୁ ?  ସେହି ପ୍ରଶ୍ନର ଉତ୍ତର ପାଇଁ  ସେ ବନ୍ଦେ ମାତରଂ ଆନ୍ଦୋଳନ ଠାରୁ ଆରମ୍ଭ କରି କ୍ରାନ୍ତିକାରୀ ମାର୍ଗ, ଗାନ୍ଧିବାଦୀ ପଥ ଏବଂ ସମ୍ବାଦପତ୍ରର ସଂପାଦକ ହୋଇ ଡ. ହେଡେଗେୱାର ସାମ୍ରାଜ୍ୟବାଦୀ ଆନ୍ଦୋଳନର ଜଣେ ଶ୍ରେଷ୍ଠ ଯୋଦ୍ଧା ରୂପେ ପରିଗଣିତ ହୋଇଥିଲେ । ସେ ସମୟରେ ସେ ଭାରତର ଇତିହାସ, ବର୍ତ୍ତମାନ ଓ ଭବିଷ୍ୟତକୁ ଏକତ୍ର ଉପଲବ୍ଧ କରି ଭାରତର ରାଷ୍ଟ୍ରୀୟତା ସମ୍ବଦ୍ଧୀୟ ମୂଳ ପ୍ରଶ୍ନ  ଉପରେ ଗଭୀର ଚିନ୍ତାକରି ଶେଷରେ ତାର ଉତ୍ତର ପାଇଥିଲେ । ବ୍ୟକ୍ତି ରାଷ୍ଟ୍ରର ପ୍ରଥମ ଘଟକ । ତାମନରେ ରାଷ୍ଟ୍ରପ୍ରେମର ଭାବ ଜାଗ୍ରତ ହେଲେ ବିଶୁଦ୍ଧ ରାଷ୍ଟ୍ରୀୟତାର କଳ୍ପନା କରିହେବ । ତେଣୁ ରାଷ୍ଟ୍ର ପରିଷ୍କାର ହେବାକୁ ହେଲେ ବ୍ୟକ୍ତିର ମନ ପରିଷ୍କାର ହେବା ଦରକାର । ଭାରତରେ ସବୁ ଥିଲା । ଇତିହାସ ଥିଲା, ପରମ୍ପରା ଥିଲା । ଧନ,ଦୌଲତ, ବୁଦ୍ଧି, ବିଦ୍ୟା, ଶକ୍ତି ସବୁଥିରେ ପାରଙ୍ଗମ ଥାଇ ଭାରତ ପରାଧିନ ରହୁଥିଲା କାହିଁକି ? ଏସବୁକୁ ଗୋଟିଏ ସୂତ୍ରରେ ବାନ୍ଧି ଗୋଟିଏ ସ୍ୱର ପ୍ରଦାନ କରିବା ପାଇଁ ସଂଗଠନ ନଥିଲା । ଡ.ହେଡଗେୱାର ରାଷ୍ଟ୍ର ଜୀବନର ଏହି ଅଭାବକୁ ଚିହ୍ନି ପାରି ତାକୁ ସଂପୂର୍ଣ୍ଣ  କରିବା ପାଇଁ ଯେଉଁ ବ୍ରତ ଗ୍ରହଣ କରିଥିଲେ ତାହାର ପରିଣାମ ଥିଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲେ ମଧ୍ୟ ସେ ଡାକ୍ତର ହୋଇ  ଡାକ୍ତରୀ ବ୍ୟବସାୟ କରିନଥିଲେ କି  ବହୁ ଚାପ  ସତ୍ତେ୍ୱ ବିବାହ କରିନଥିଲେ । ୧୯୨୫ ମସିହାର ବିଜୟାଦଶମୀରେ  ୨୫ଜଣ ବିଶେଷ ରୂପରେ ନିମନ୍ତ୍ରିତ ଓ ପୂର୍ବରୁ ପରୀକ୍ଷିତ ହୋଇଥିବା ବ୍ୟକ୍ତିମାନଙ୍କ ସହିତ ବିଚାର-ବିମର୍ଶକରି ସେ ଏହି ନୂତନ ସଂଗଠନ ଓ ନୂତନ କାର୍ଯ୍ୟପଦ୍ଧତିର ଶୁଭାରମ୍ଭ କରିଥିଲେ । ୧୯୨୬ ଏପ୍ରିଲ ୧୭ ତାରିଖରେ ସଂଘର ନାମ କରଣ ହୋଇଥିଲା । ସଂଘ ଆରମ୍ଭ ବେଳେ ବିଚାରଧାରା ରୂପେ ଗୋଟିଏ ଶବ୍ଦ ଥିଲା ରାଷ୍ଟ୍ର ଓ ଶ୍ରେଣୀ ଥିଲା ‘ସ୍ୱୟଂସେବକ’ ଏବଂ ଆଦର୍ଶ ଥିଲେ ‘ଭଗବା ଧ୍ୱଜ’ । ସଂଗଠନ ଯେତେବେଳେ ବିସ୍ତାର ଲାଭ କଲା, ସଂଗଠନର ସଂରଚନା ନିର୍ମାଣ ହୋଇ ଚାଲିଲା । ଶାଖା ସ୍ୱୟଂସେବକମାନଙ୍କ ସମଷ୍ଟିର ସ୍ୱରୂପ । ବ୍ୟକ୍ତି ମନରେ ସାମୂହିକ ଭାବ ନିର୍ମାଣ କରିବା ପାଇଁ ଶାଖାରେ ଦେଶୀ ଖେଳ ଖେଳା ଯାଉଥିଲା ।
ସଂଘ କାର୍ଯ୍ୟ ରାଷ୍ଟ୍ରୀୟ କାର୍ଯ୍ୟ ଏବଂ ସଂଗଠନର କାର୍ଯ୍ୟ ଈଶ୍ୱରୀୟ କାର୍ଯ୍ୟ । ବିଶୁଦ୍ଧ ଓ ପବିତ୍ର ଭାବନା ଦ୍ୱାରା ନିର୍ମିତ ଏବଂ କାର୍ଯ୍ୟରତ ସଂଗଠନ ହିଁ ସାଂସ୍କୃତିକ ରାଷ୍ଟ୍ରବାଦର  ଆଧାର ହୋଇ ପାରିବ । ସଂଘ ବ୍ୟକ୍ତି ମଧ୍ୟରେ ରାଷ୍ଟ୍ରୀୟ ଚେତନା ଏବଂ ରାଷ୍ଟ୍ରରେ ସାଂସ୍କୃତିକ ଚେତନା ଉତ୍ପନ୍ନ କରିବା କାର୍ଯ୍ୟ କରୁଛି । ସଂଘ ନିଜର ପ୍ରଚାର କି କ୍ଷମତା ଚାହେଁ ନାହିଁ, ସମାଜର ବିକାଶ ଚାହେଁ । ସମାଜରେ ଭଲ କାମ ପାଇଁ  ସଂଘର ଆବଶ୍ୟକତା ପଡିଲେ ସେହି କାମରେ ସଂଘ ଲାଗିଥାଏ । ସମାଜରେ ସକରାତ୍ମକ କାର୍ଯ୍ୟ ସମାଜର ସାଧାରଣ ଲୋକମାନଙ୍କ ଦ୍ୱାରା  ପୂରଣ କରାଯାଇ ପାରିବ । ଏହା ହେଉଛି ସଂଘର ଲକ୍ଷ୍ୟ ବୋଲି  ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ଡ.ମୋହନ ଭାଗବତ ‘ଭବିଷ୍ୟତ ଭାରତ’ ଶୀର୍ଷକ ତିନିଦିନିଆ ବକ୍ତୃତା ମାଳାରେ ଏହା  ପ୍ରକାଶ କରିଛନ୍ତି ।
ଉକ୍ତ ବକ୍ତୃତା ମାଳାରେ ସରସଂଘ ଚାଳକ ଡ. ମୋହନ ଭାଗବତ ସଂଘ ଦୃଷ୍ଟିରେ ଆଗାମୀ ଭାରତର ପରିକଳ୍ପନା ଉପରେ ନିଜର ବକ୍ତୃତା ପ୍ରଦାନ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦୃଷ୍ଟିରୁ ଭାରତର ସଂରଚନାକୁ ବିସ୍ତାର ରୂପେ ଡ. ଭାଗବତ ବିଶିଷ୍ଟ ବ୍ୟକ୍ତିଙ୍କ ସମାବେଶରେ ଉପସ୍ଥାପନ କରିବା ହିଁ ବକ୍ତୃତାର ଆଭିମୂଖ୍ୟ ଥିଲା । ଦେଶର ବୁଦ୍ଧିଜୀବୀ,ରାଷ୍ଟ୍ରପ୍ରେମୀ ଓ ଚିନ୍ତାନାୟକମାନଙ୍କୁ ଉଦ୍ବୋଧନ ଦେଇ ସଂଘର ସଂସ୍ଥାପକ ଡ. କେଶବ ବଳିରାମ  ହେଡଗେୱାରଙ୍କ ସଂଘ ବିଚାରକୁ  ପ୍ରଥମ ସତ୍ରରେ ପ୍ରକାଶ କରି ଡ. ଭାଗବତ କହିଥିଲେ ଯେ,ନିଜର ସ୍ଥାପନା ସମୟରୁ  ହିଁ ସଂଘର ଲକ୍ଷ୍ୟ ବ୍ୟକ୍ତି ନିର୍ମାଣ ମାଧ୍ୟମରେ ସମାଜ ନିର୍ମାଣ କାର୍ଯ୍ୟ କରୁଅଛି । ଯେବେ ସମର୍ଥ, ସଂସ୍କାରବାନ ଏବଂ ସଂପୂର୍ଣ୍ଣ ସମାଜ ପ୍ରତି ଏକାତ୍ମ ଭାବ ରଖୁଥିବା ସମାଜ ନିର୍ମାଣ  ହୋଇ ଯିବ ତେବେ ସମାଜ ନିଜ ହିତ ପାଇଁ ସମସ୍ତ କାର୍ଯ୍ୟ ନିଜେ କରିବା ପାଇଁ ସକ୍ଷମ ହେବ ।
ସଂଘର କାର୍ଯ୍ୟ ଶୈଳୀ ବିଶ୍ୱରେ ଅଦ୍ୱିତୀୟ । ଏହାକୁ କାହା ସହିତ ତୁଳନା କରାଯାଇ ପାରିବ ନାହିଁ । କାରଣ ସଂଘ କୌଣସି ପ୍ରଚାର ପ୍ରସାର ପଛରେ ଧାଏଁ ନାହିଁ । ସମସ୍ତ ବିଚାରଧାରାର ବ୍ୟକ୍ତିମାନଙ୍କ ସହିତ ସଂଘ ବନ୍ଧୁତ୍ୱ ଭାବ ସୃଷ୍ଟି କରିଥାଏ । ଡ.ହେଡେଗେୱାରଙ୍କ ମିତ୍ରମାନଙ୍କ ମଧ୍ୟରେ ସାବରକରଙ୍କ ଠାରୁ ଆରମ୍ଭ କରି ଏମ୍ଏନ୍ ରାୟଙ୍କ ପରି ବ୍ୟକ୍ତି ସାମିଲ ଥିଲେ । ସେ କାହାକୁ ପର ବୋଲି ଭାବୁନଥିଲେ କି ସଂଘ କାହାକୁ  ପର ଭାବୁନଥିଲା  । ସମାଜକୁ ଗୁଣବତ୍ତାପୂର୍ଣ୍ଣ କରିବା ପ୍ରୟାସରେ ଦେଶକୁ ବୈଭବପୂର୍ଣ୍ଣ କରିହେବ ବୋଲି ସଂଘ ମାନୁଥିଲା । ବ୍ୟବସ୍ଥାରେ ସ୍ୱଚ୍ଛତା । ସେଥିପାଇଁ ସମାଜର ସ୍ୱଚ୍ଛତା ଆବଶ୍ୟକ  ଏବଂ ସମାଜକୁ ପରିଷ୍କାର କରିବା ପାଇଁ ବ୍ୟକ୍ତି ନିର୍ମାଣ ହିଁ ଏକ ଉପାୟ । ପ୍ରତ୍ୟେକ ଗାଁ, ପ୍ରତ୍ୟେକ ଗଳିରେ  ଏହିପରି ନାୟକମାନଙ୍କର  ଶୃଙ୍ଖଳ ଠିଆ କରିବା ସଂଘର ଉଦ୍ଦେଶ୍ୟ । ଯେଉଁମାନେ କି ସମାଜ ଦ୍ୱାରା ପ୍ରେରିତ ହୋଇ ରାଷ୍ଟ୍ରକାର୍ଯ୍ୟରେ ନିଜକୁ ସାମିଲ କରିବେ ।
ଭଦ୍ରରହିତ ଏବଂ ସମତାମୁକ୍ତ ସମାଜ ନିର୍ମାଣ ସଂଘର ଦ୍ୱିତୀୟ ଲକ୍ଷ୍ୟ ।  ଆମର ବିବିଧତାର ମର୍ମ ହେଉଛି ଆମର ଏକାତ୍ମତା । ବିବିଧତା ପ୍ରତି ସମ୍ମାନ ହିଁ ଭାରତର ଶକ୍ତି । ପୂର୍ବତନ ରାଷ୍ଟ୍ରପତି ଡା.ଏପିଜେ ଅବଦୁଲ କାଲାମ, ଏମ୍ ଏନ୍ ରାୟ, ଡା. ରବୀନ୍ଦ୍ରନାଥ ଠାକୁର ଆଦି ଅନେକ ମହାପୁରୁଷଙ୍କ ଉଦାହରଣ ଦେଇ ଡା. ଭାଗବତ କହିଲେ ଯେ, ଏହି ଦେଶର ସମାଜକୁ ନିଜର ଐତିହ୍ୟ ପ୍ରତି ବିଶ୍ୱାସ କରିବାର ଆବଶ୍ୟକତା ରହିଛି । ଏହି ବିଶ୍ୱାସ ଭାରତର ପ୍ରାଚୀନ ସଂସ୍କୃତି ଓ ପରମ୍ପରାରୁ ସୃଷ୍ଟି ହୋଇଛି । ଭାରତର ମୂଳତତ୍ୱକୁ ଅଣଦେଖା କରିବାର ପ୍ରୟାସ କରାଯାଉଥିଲେ ମଧ୍ୟ ଏହା ବିଫଳ ହୋଇଛି ।
ସଂଘ ଏବଂ ଏହାର କାର୍ଯ୍ୟକ୍ରମର ବିକାଶ ନିଜ କାର୍ଯ୍ୟକର୍ତ୍ତାଙ୍କର ଶକ୍ତି ଓ ପ୍ରେରଣାରେ ହୋଇଥାଏ ।  ବିପଦ ଏବଂ ସଂକଟ ସମୟରେ ସଂଘର ସ୍ୱୟଂସେବକ ଦେଶର ପ୍ରତ୍ୟେକ ନାଗରୀକଙ୍କ ସହିତ ଛିଡା ହୋଇଥାଏ । ଏହା ସଂଘର ସ୍ୱଭାବ ।  ଭାରତର ଅନେକ ସନ୍ଥ, ମହାପୁରଷମାନେ ଦେଶକୁ ସ୍ୱାଧିନ କରିବା ପାଇଁ ପ୍ରୟାସ କରିଛନ୍ତି । ସଂଘର ନିର୍ମାତା ଡକ୍ଟର ହେଡଗେଓା୍ୱର ସେହି ମହାପୁରୁଷମାନଙ୍କ ମଧ୍ୟରୁ ଜଣେ ।  ମହାପୁରୁଷମାନେ ଯେଉଁ କାମ କରିଛନ୍ତି ସେ ସେହି ସବୁ କାମ କରି ଦେଖାଇଛନ୍ତି । ସୁବାଷ ବୋଷ, ଗାନ୍ଧି, ତିଳକ,ସାବରକର, ମଦନମୋହନ ମାଲବୀୟ,ଚନ୍ଦ୍ର ଶେଖର, ରାଜଗୁରୁ  ସମସ୍ତଙ୍କ ସହିତ ଚର୍ଚ୍ଚା ଓ କଥା ଆଦାନ ପ୍ରଦାନ କରିଛନ୍ତି । ସମସ୍ତଙ୍କ ମନରେ ଗୋଟିଏ କଥା ଥିଲା ବିବିଧତା ଭରା ସମାଜକୁ ଏକସୂତ୍ରରେ ବାନ୍ଧି ଗୁଣ ସଂପନ୍ନ ବନାଇଲେ ଏ ଦେଶର ଭାଗ୍ୟ ବଦଳିବ । ଇତିହାସ ସୂଚାଇ ଦେଉଛି ଆମ ମଧ୍ୟରେ ଏକତା ନଥିବାରୁ ଆମେ ବାରମ୍ବାର ପରାଧୀନ ହେଇଛୁ । ତେଣୁ ସମାଜକୁ ଏକଠି କରିବାକୁ ହେବ, ଗୁଣ ସଂପନ୍ନ କରିବାକୁ ହେବ, ଶକ୍ତି ସଂପନ୍ନ କରିବାକୁ ହେବ ସମ୍ବିଧାନ ସଭାର ଭାଷଣରେ ଡ. ଆମ୍ବେଦକର ଏହି ସୂଚନା ଦେଇଥିଲେ ।  ନିଜ ମଧ୍ୟରେ ଥିବା ମତଭେଦକୁ ଭୁଲି କ୍ଷମତା ଉତ୍ପନ ନକଲେ କେବଳ ସମ୍ଭିଧାନ ଦେଶକୁ ରକ୍ଷା କରି ପାରିବ ନାହିଁ । ଏଥିପାଇଁ ଡକ୍ଟର ହେଡଗେଓା୍ୱର ଚିନ୍ତା କରି ମୂଳକାମ ଆରମ୍ଭ କରିଥିଲେ । ନିତ୍ୟକାର୍ଯ୍ୟକ୍ରମର ସଂସ୍କାର ଦ୍ୱାରା ମନୁଷ୍ୟକୁ ଗୁଣସଂପନ୍ନ ସମାଜର ଅଙ୍ଗରୂପରେ ଛିଡା କରିବା , ସଂପୂର୍ଣ୍ଣ ସମାଜକୁ ଯୋଡି ରଖିବା ଭଳି ପଦ୍ଧତି ଠିଆ କରିଛନ୍ତି । ତାହାକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କୁହାଯାଏ । ସଂଘକୁ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରକାର ଭାବରେ ଦେଖୁଛନ୍ତି । ସଂଘକୁ ଜାଣିବାକୁ ହେଲେ ସମସ୍ତେ ସଂଘଶାଖାକୁ ଆସିବା ଦରକାର । ଆସିବା ପାଇଁ କୌଣସି ସର୍ତ ନାହିଁ । ସଂଘକାମ ଖୋଲା ପଡିଆରେ ଚାଲୁଅଛି ।  ବର୍ଷେ ଦୁଇ ବର୍ଷ ଭିତରେ ରହି ସଂଘ କଣ ଦେଖିବାର ଅଛି ।  ଅନୁଭବ ନେବାର ଅଛି । ଏଠାରେ କାହାରିକୁ କିଛି ମିଳିବ ନାହିଁ । ଧର୍ମ, ସଂସ୍କୃତି, ସମାଜ, ରାଷ୍ଟ୍ର,ଦେଶର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ସମାଜକୁ ଯୋଗ୍ୟ କରିବା ପାଇଁ କାର୍ଯ୍ୟକର୍ତାଙ୍କ ସମୂହ ତିଆରି କରିବା ର ଏହା କାମ । ଏଠାରେ କିଛି ମିଳିବ ନାହିଁ । ଦେବାକୁ ହେବ ।  ଏଠି ତନ ସମର୍ପିତ, ଧନ ସମର୍ପିତି ଏବଂ ଜୀବନ ସମର୍ପିର୍ତ । ଜାତି, ମତ, ପନ୍ଥର ଉଦ୍ଧ୍ୱର୍କୁ ଉଠି ସବୁ ଲୋକଙ୍କୁ ଆତ୍ମୀୟତାର ସହିତ ଦେଖିବା, ଭାରତମାତାର ପୁତ୍ର, ହିନ୍ଦୁ ପୂର୍ବଜଙ୍କ ବଂଶଧର ହୋଇଥବାରୁ ସମସ୍ତେ ଆମର ଭାଇ ଅଟନ୍ତି । ଏହି ଆତ୍ମୀୟତାର ବ୍ୟବହାରର ପ୍ରଶିକ୍ଷଣ ଏଠାରେ ଦିଆଯାଏ ।  ଭାରତକୁ ବୈଭବଶାଳୀ କରିବା ପାଇଁ ଆମେ ଯୋଗ୍ୟ ହେବାର ଲକ୍ଷ୍ୟ ଏଠାରେ ମିଳେ  । ଆମର ସମସ୍ତ ଯୋଗ୍ୟତା ନିଜର ସ୍ୱାର୍ଥ ପାଇଁ ନୁହେଁ , ସଂଘର କାମ ବଢାଇବା ପାଇଁ ନୁହେଁ ଦେଶର ନାମକୁ ସାରା ଦୁନିଆରେ ବଢାଇବା ପାଇଁ । ପ୍ରାର୍ଥନାରେ ସ୍ୱୟଂସେବକମାନେ ସବୁଦିନ ଏହି ବିଷୟ କହୁଛନ୍ତି ।  ଭାରତ ବର୍ଷକୁ ପରମବୈଭବ ସଂପନ୍ନ କରିବା ପାଇଁ , ସମାଜରେ ଥିବା ସମସ୍ତ ଭେଦଭାବକୁ ହଟାଇ ସମତା ପ୍ରତିଷ୍ଠା କରିବା, ପରୁଷାର୍ଥ ବନାଇବା , ଭାରତକୁ ବିଶ୍ୱଗୁରୁ ବନାଇବା , ସୁଖ,ଶାନ୍ତିର ନୂଆ ରାସ୍ତା ପ୍ରସ୍ତାବିତ କରିବାର ଉପାୟ ଏକ । ତାହା ହେଉଛି ଭାରତକୁ ବଡ ହେବାକୁ ହେବ । ଆମେ ସମସ୍ତେ ମିଳିମିଶି  ଏକ ସମାଜ ପାଇଁ ବଡ ହେବାକୁ ହେବ । ସମାଜ ପାଇଁ ବଡ ହେବାର ଅର୍ଥ ହେଉଛି ନିଜର ବୁଦ୍ଧି, ଆଦତ ଏବଂ ପ୍ରତ୍ୟେକ ଦିନ ଶାଖା ସାଧନା ଦ୍ୱାରା ନିଜକୁ ଗୁଣସଂପନ୍ନ କରିବା ଏବଂ ସଂଘଠନ ଶ୍ରେଣୀ କାର୍ଯ୍ୟକର୍ତା ରୂପେ ତିଆରି କରି  ସମସ୍ତ ସମାଜକୁ ଯୋଡି  ଏକ ରାସ୍ତାରେ ଚଳାଇବାକୁ ହେବ । ଏହା ଛଡା ଅନ୍ୟ ଉପାୟ ନାହିଁ ।  ସଂଘର ହିତୈଷୀ ନହୋଇ ପ୍ରତ୍ୟେକ୍ଷ ସଂଘ ଶାଖାକୁ ଆସି ସ୍ୱୟଂସେବକ ହେବାକୁ ହେବ । ମହିଳାମାନଙ୍କୁ ରାଷ୍ଟ୍ରସେବିକା ସମିତିର ଶାଖାକୁ ଯିବାକୁ ହେବ । ନିଜର ତନ, ମନ, ଧନ ଖର୍ଚ୍ଚକରି ସମାଜ ସେବାରେ ଓ ମାତୃଭୂମି ସେବାରେ ନିଜକୁ ନିୟୋଜିତ କଲେ ଭାରତ ପୁଣି ଥରେ ବିଶ୍ୱଗରୁ ହୋଇ ପାରିବ ।

Comments