ଆରଏସ୍ଏସ୍ ବିଚାରରେ ଭବିଷ୍ୟତ ଭାରତ

-ଗୋଲଖ ଚନ୍ଦ୍ର ଦାସ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ‘ଭବିଷ୍ୟତ ଭାରତ’ଏକ ତିନିଦିନିଆ ବକ୍ତୃତା ମାଳା ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଚଳିତମାସ ସେପ୍ଟମ୍ବର ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବକ୍ତୃତା ମାଳାରେ ସରସଂଘ ଚାଳକ ଡା. ମୋହନ ଭାଗବତ ସଂଘ ଦୃଷ୍ଟିରେ ଆଗାମୀ ଭାରତର ପରିକଳ୍ପନା ଉପରେ ନିଜର ବକ୍ତୃତା ପ୍ରଦାନ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦୃଷ୍ଟିରୁ ଭାରତର ସଂରଚନାକୁ ବିସ୍ତାର ରୂପେ ଡା. ଭାଗବତ ବିଶିଷ୍ଟ ବ୍ୟକ୍ତିଙ୍କ ସମାବେଶରେ ଉପସ୍ଥାପନ କରିବା ହିଁ ବକ୍ତୃତାର ଆଭିମୂଖ୍ୟ ଥିଲା । ଏହି କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସଂଘ ବିରୋଧୀମାନେ ଏହା ଠାରୁ ଦୁରେଇ ରହିଥିଲେ  । ସମସ୍ତ ଟିଭି ଚ୍ୟାନେଲ ଗୁଡିକରେ ବିଜେପି ବିରୋଧୀ ଦଳ ଗୁଡିକର ପ୍ରବକ୍ତାମାନେ ସଂଘର ରାଷ୍ଟ୍ରଗୀତ ଏବଂ ବୈାଦ୍ଧିକକୁ ହସି ହସି ଉଡାଇ ଦେଇଥିବାର ଦେଖାଯାଇଥିଲା । ଏହାଦ୍ୱାରା ସଂଘରତ କୌଣସି କ୍ଷତି ହେବ ନାହିଁ ବରଂ କ୍ଷମତା ପାଇଁ ରାଜନୀତି କରୁଥିବା ଦଳ ଗୁଡିକର ଅସଲ ଚେହେରା ପଦାରେ ପଡିଯାଇଛି । ସଂଘ ଏବଂ ହିନ୍ଦୁତ୍ୱ ରାଷ୍ଟ୍ରକୁ ପରମ ବୈଭବଶାଳୀ କରିବା ସହିତ ପୁଣି ଥରେ ବିଶ୍ୱଗୁରୁ ପଦରେ ଅଧିଷ୍ଠିତ କରିବା ଲକ୍ଷ୍ୟରେ ଆଗେଇ ଚାଲିଥିବା ବେଳେ ରାଜନୈତିକ ସ୍ୱାର୍ଥ ପାଇଁ ରାଷ୍ଟ୍ର ନିର୍ମାଣ ନୁହେଁ କ୍ଷମତା ନିର୍ମାଣରେ ଆଶା ରଖୁଥିବା ରାଜନୈତିକ ଦଳ ଗୁଡିକ ଏ ବିଷୟକୁ ଅଣଦେଖା କରିଛନ୍ତି । ଏବେ ଆଲୋଚ୍ୟ ବିଷୟ ହେଉଛି ‘ଭବିଷ୍ୟତ ଭାରତ’ ପାଇଁ ସଂଘର ସନ୍ଦେଶ କଣ ?  ସଂଘ କରୁଛି କଣ ? ସଂଘର ବିଚାର କଣ ?
ସଂଘ ଦ୍ୱାରା ଅନୁଷ୍ଠିତ  ‘ଭବିଷ୍ୟତ ଭାରତ’ କାର୍ଯ୍ୟକ୍ରମରେ ସରସଂଘଚାଳକ ମହୋଦୟ ୧୩୫ ପ୍ରଶ୍ନ ଉତ୍ତର ଦେଇଥିଲେ । ଗତ ୯୩ ବର୍ଷଧରି ସଂଘ ନାମରେ ଆସୁଥିବା ସମସ୍ତ ଅଭିଯୋଗର ତଥ୍ୟ ମୂଳକ ଉତ୍ତର ଦେଇଥିଲେ । ହିନ୍ଦୁତ୍ୱ, ରାଷ୍ଟ୍ରବାଦ,ସଂରକ୍ଷଣ, ଗୋରକ୍ଷା, ଶ୍ରୀରାମ ଜନ୍ମଭୂମି ମନ୍ଦିର, ସମାଜସେବା, ରାଷ୍ଟ୍ରରକ୍ଷା,ଧର୍ମାନ୍ତରିକରଣ, ଧାରା-୩୭୦, ଅର୍ନ୍ତଜାତୀୟ ବିବାହ ଏବଂ ସଂଖ୍ୟାଲଘୁ ପରି ବିଭିନ୍ନ ବିଷୟ ଉପରେ ଡା.ମୋହନ ଭାଗବତ ଦୃଢତା ଏବଂ ସ୍ପଷ୍ଟତାର ସହିତ ନିଜର ବିଚାର ରଖିଥିଲେ ।
ଆମ ରାଷ୍ଟ୍ର ଚିରଂଜୀବୀ ଅଟେ । ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଶୁଦ୍ଧ ଚରିତ୍ର ଏବଂ ପ୍ରତ୍ୟେକ ବ୍ୟକ୍ତିକୁ ସ୍ୱାର୍ଥଶୂନ୍ୟତା ତଥା ଏକାତ୍ମତାର ଅନୁଭବ କରାଇ ଚାଲିଲେ ମହାନ୍ ଚିରଂଜୀବୀ ସାମର୍ଥ୍ୟ ଉତ୍ପନ୍ନ ହେବ । ସମ୍ପୂର୍ଣ୍ଣ ସମାଜର ହିତ ସୁରକ୍ଷିତ ରଖିବାରେ ଏହି  ସାମର୍ଥ୍ୟ ସମର୍ଥ ହେବ । ବିଶ୍ୱଶାନ୍ତି ପ୍ରତିଷ୍ଠା କରିବା ପାଇଁ ଉପଯୁକ୍ତ ମନୁଷ୍ୟ ପାଇଁ ଅନ୍ତିମ ଏବଂ ଅନୁଭବଗମ୍ୟ ଚିତ୍ର କେବଳ ହିନ୍ଦୁତ୍ୱରେ ଅଛି । ସଂଘର କାର୍ଯ୍ୟ ପ୍ରଣାଳୀ ଦ୍ୱାରା ଉକ୍ତ ଚିତ୍ରର ଅନୁଭୂତି ପାଇବା ସମ୍ଭବ ହୋଇପାରେ ।
ସଂଘ ଏପରି ମହାନ ବିଚାର ଦେଉଥିବା ବେଳେ କିଛି ଲୋକ ମୁସଲମାନଙ୍କ ସହିତ ସଂଘର ସଂପର୍କକୁ ନେଇ ପ୍ରଶ୍ନ ଉଠାନ୍ତି କିନ୍ତୁ ସଂଘ ତାର ସ୍ପଷ୍ଟ ବିଚାର ସଂଘ ଆରମ୍ଭ ଦିନଠାରୁ ହିଁ ରଖିଛି ।  ସଂଘ ପ୍ରତ୍ୟେକ ଭାରତୀୟ ମାନଙ୍କୁ ହିନ୍ଦୁମାନେ, ଯେଉଁମାନେ ନିଜର ମାତୃଭୂମିକୁ, ଭାରତର ସଂସ୍କୃତିକୁ ଏବଂ  ଏହାର ପୂର୍ବ ପୁରୁଷମାନଙ୍କୁ ନିଜର ବୋଲି ଭାବେ ।
ହିନ୍ଦୁ ଶବ୍ଦ ଜାତିବାଚକ ନୁହେଁ । ଅନାଦି କାଳରୁ ଏହିଠାରେ  ବସବାସ କରି ରହିଥିବା ସମାଜ ଅନେକ ସମ୍ପ୍ରଦାୟ ଉତ୍ପନ କରିଛି । କିନ୍ତୁ ଗୋଟିଏ ମୂଳରୁ ହିଁ ଜୀବନରସ ଗ୍ରହଣ କରି ଆସିଛି । ଏହାଦ୍ୱାରା ଏଠାରେ ଯେଉଁ ସମାଜସ୍ୱରୂପ ନିର୍ମାଣ ହେଲା, ତାହା ହିନ୍ଦୁ ଅଟେ । ଏହି ବ୍ୟାପକ କଳ୍ପନା ସଂଘ ହିଁ ସମସ୍ତଙ୍କ ସମ୍ମୁଖରେ ରଖୁଥିଲା ।  ଏହି ବିଶାଳ ହିନ୍ଦୁ ସମାଜ ଅନାଦି କାଳରୁ ଏଠାରେ ଜୀବନ ବିତାଉଛି । ହୁଏତ ଏଠାରେ ଅଲଗା ଅଲଗା ରାଜା ଥାଇ ପାରନ୍ତି, ରାଜ୍ୟ ଥାଇପାରେ, ସଂପ୍ରଦାୟ ଥାଇପାରେ, ଉପରଦେଖାଣିଆ ଭିନ୍ନତା ଥାଇପାରେ, ପରନ୍ତୁ ସାଂସ୍କୃତିକ ଏକତା ରହିଛି, ଏକସୁତ୍ର ବ୍ୟବହାରିକ ଜୀବନ ରହିଛି । ଏଠାରେ ଏହି ରାଷ୍ଟ୍ର ଜୀବନ ହିଁ ରହିବ । ଇତିହାସ ପ୍ରତି ଏହି ଦୃଷ୍ଟିରେ ଦେଖିବାର ଯୋଗ୍ୟତା ନିର୍ମାଣ ହେଉ ଏବଂ ହିନ୍ଦୁ ଭାବରେ ଏହି ସମ୍ପୂର୍ଣ୍ଣ ସତ୍ୟର ସାକ୍ଷାତକାର ଆମେ କରୁ, ଏହା ଆମର ରାଷ୍ଟ୍ରୟ ଆବଶ୍ୟକତା ଥିଲା ଆଜିବି ଅଛି  । ଭାରତର ସଂସ୍କୃତି ଆମ ରାଷ୍ଟ୍ରର ଜୀବନ-ଧାରଣା, ବିଶ୍ୱ ଆଡକୁ ଦେଖିବାର ପାତ୍ରତା ଦେଉଥିବା ପ୍ରେରଣାଶକ୍ତି , ଗୋଟିଏ ମାଳାରେ ଗୁମ୍ପିତ କରୁଥିବା ସୂତ୍ର ଅଟେ । ଭାରତରେ ଆସେତୁ ହିମାଚଳ ଏହି ସଂସ୍କୃତି ଏକ ଯାହା ଭାରତୀୟ ରାଷ୍ଟ୍ର ଜୀବନକୁ ପ୍ରେରିତ କରିଥାଏ ।
ଭାରତୀୟ ସମାଜରେ ସାମାଜିକ ବିଷମତା ସୃଷ୍ଟି କରୁଥିବା ସମସ୍ତ ବିଷୟକୁ ସମୂଳେ ନଷ୍ଟ କରିବା ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡା.ମୋହନରାଓ ଭାଗବତ ଏହି କାର୍ଯ୍ୟକ୍ରମରେ ଆହ୍ୱାନ କରିଥିଲେ ।  ସଂରକ୍ଷଣ ବ୍ୟବସ୍ଥା ସେତେଦିନ ପର୍ଯ୍ୟନ୍ତ ଚାଲୁ ରହିବ ଯେପର୍ଯ୍ୟନ୍ତ ଏଥିରୁ ଲାଭାନ୍ୱିତ ହେଉଥିବା ବର୍ଗ ସ୍ୱୟଂ ଏହାର ଆବଶ୍ୟକତା ଠାରୁ ଦୁରେଇ ନଯାଇଛି । ଏଥିପାଇଁ ୧୦୦-୧୫୦ ବର୍ଷ ଲାଗିଲେ ମଧ୍ୟ ଏହା  ବାଂଛନୀୟ ଅଟେ । ସଂରକ୍ଷଣ ସମସ୍ୟା ନୁହେଁ, ସଂରକ୍ଷଣ ରାଜନୀତି ସମସ୍ୟା ଅଟେ ।
ଏସସିଏସ୍ଟି ଆକ୍ଟକୁ ନେଇ ସଂଘର ବିଚାର ହେଉଛି ଏକ ବର୍ଗ ଉପରେ ଅତ୍ୟାଚାର ହେଉଛି, ଏହାକୁ ଅସ୍ୱୀକାର କରିହେବ ନାହିଁ ।  ଅତ୍ୟାଚାରରୁ ସଂରକ୍ଷଣ ପାଇଁ  ଆଇନ୍ ଲାଗୁ ହେବା ଆବଶ୍ୟକ । କିନ୍ତୁ ଏହି ଆଇନର ଯେପରି ଦୂରପଯୋଗ ନହେବ ତାହା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । 
ସଂଘ ଦୃଷ୍ଟିରେ ସମସ୍ତ ଭାରତୀୟ ଆମ ସମାଜର ଅଙ୍ଗ ପ୍ରତ୍ୟେଙ୍ଗ ଅଟନ୍ତି । ତାଙ୍କ ମଧ୍ୟରେ କେହି ଛୋଟ ବଡ ନାହାଁନ୍ତି, ଏପରି ହେଲେ ସେମାନେ ସମସ୍ତେ ସମାଜର ରକ୍ଷା କରିବା ପାଇଁ ଏକଜୁଟ ହୋଇ ଛିଡା ହେବେ । ସମସ୍ତଙ୍କ ପ୍ରତି ସମାନ ପ୍ରେମ, ବ୍ୟବହାର ଏବଂ ଆଚାର ଅକୃତ୍ରିମ ହେବା ଉଚିତ, କାରଣ କୃତ୍ରିମତା ଦ୍ୱାରା ସଂଘକାମ ଚାଲେ ନାହିଁ । ବ୍ୟବହାର ମିତ୍ରତାପୂର୍ଣ୍ଣ ହେବା ଉଚିତ ।
ସଂଘ ଅର୍ନ୍ତଜାତୀୟ ବିବାହକୁ ପୂର୍ଣ୍ଣ ସମର୍ଥନ କରେ । ଏହା ପରିବାର ଏବଂ ସମାଜର ଏକରସତାକୁ ବଢାଇବାର ପ୍ରକ୍ରିୟା ପ୍ରମାଣିତ ହେବା ଉଚିତ୍ । ସଂଘ ସହିତ ଯୋଡି  ହୋଇ ରହିଥିବା ପରିବାରରେ ଅନ୍ତଜାତୀୟ ବିବାହ ବଡ ଧୁମ୍ଧାମର ସହିତ ହୋଇଛି ।
ରାମ ଜନ୍ମଭୂମି ସଂପର୍କରେ ମତ ହେଉଛି , ଅଯୋଧ୍ୟାର ରାମ ଜନ୍ମଭୂମିରେ ଏକ ଭବ୍ୟ ମନ୍ଦିରର ନିର୍ମାଣ ବହୁତ ଆଗରୁ ହେବାର ଥିଲା । ଏବେ ଯଦି ହୋଇଗଲା ଏହା ହିନ୍ଦୁ ମୁସଲିମ୍ ଏକତାକୁ ବଳିଷ୍ଠ କରିବ । ଯଦି ଏହି କାମ ସୁରୁଖୁରୁରେ ହୋଇଯିବ ତେବେ ମୁସଲମାନଙ୍କ ଉପରେ ଯେଉଁମାନେ ଅଙ୍ଗୁଳି ଉଠାଉଛନ୍ତି, ତାହା ବନ୍ଦ ହୋଇଯିବ ।
ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବିଷୟରେ  ସଂଘର ବିଚାର ହେଉଛି ଯେ,ଗଣ୍ଡୋଗଳ ସୃଷ୍ଟିକାରୀଙ୍କୁ ସହଜରେ ଦବାଇ ଦିଆଯାଇ ପାରିବ । ଏହି ଲୋକଙ୍କ ସମର୍ଥନରେ ସମାଜର କେହିବି ଛିଡା ହେବା ଉଚିତ୍ ନୁହେଁ । ସମାଜ ଦୂର୍ବଳତାର ଲାଭ କେହି ଯେପରି ଉଠାଇ ପାରିବେ ନାହିଁ ସେଥିପାଇଁ ଚିନ୍ତା କରିବା ଉଚିତ୍ ।
ନୋଟା ବିଷୟରେ ସଂଘର ବିଚାର ହେଉଛି ଯେ,ରାଜନୈତିକ କ୍ଷେତ୍ରରେ ଶତ ପ୍ରତିଶତ ଠିକ୍ ଲୋକ ମିଳିବା କଷ୍ଟକର  ।  ତଥାପି ଆମକୁ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଲୋକଙ୍କୁ ବାଛିବାକୁ ହେବ । ଯଦି ଏହା ନକରିବା ତେବେ ଏହାର ଲାଭ ଖରାପ ଲୋକଙ୍କୁ ମିଳିବ । ମହାଭାରତର ଉଦାହରଣ ଦେଇ ସେ କହିଲେ ଯେ, କୌରବ ଓ ପାଣ୍ଡବ ମଧ୍ୟରୁ କାହାକୁ ସହଯୋଗ କରିବେ ଏଥିନେଇ ଯାଦବମାନଙ୍କ ମଧ୍ୟରେ ମତଭେଦ ଥିଲା । ତେଣୁ ଭଗବାନ କୃଷ୍ଣ ସ୍ପଷ୍ଟ ରୂପରେ କହିଥିଲେ  ଏମାନଙ୍କ ମଧ୍ୟରୁ ଯିଏ ସର୍ବଶ୍ରେଷ୍ଠ ଉତ୍ତମ ଆମେ ତାଙ୍କୁ ହିଁ ସହଯୋଗ କରିବା ।
ସଂଘର ସରସଂଘ ଚାଳକ ଏହି  କାର୍ଯ୍ୟକ୍ରମରେ ଜନସଂଖ୍ୟା ନିୟନ୍ତ୍ରଣ  ସଂପର୍କିତ ପ୍ରଶ୍ନର ଉତ୍ତର କହିଛନ୍ତି ଯେ, ଏକ ସମୁଚିତ ଏବଂ ସୁବିଚାରିତ ଜନସଂଖ୍ୟା ଆଇନ ପ୍ରଣୟନ ହେବା ଉଚିତ । ଯାହା ଦ୍ୱାରା ଜନସଂଖ୍ୟାର ସନ୍ତୁଳନ ହୋଇପାରିବ । ଏବେ ଏହାର ଆବଶ୍ୟକତା ବେଶୀ ଅଛି । ପ୍ରଥମରୁ ଏହା ଲାଗୁ କରିବାର ଥିଲା । ଏଥିପାଇଁ ଲୋକମାନଙ୍କ ମନକୁ ତିଆରି କରିବାକୁ ହେବ । ତାଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାକୁ ହେବ ।
ଧର୍ମାନ୍ତରୀକରଣକୁ ସଂଘ ବିରୋଧ କରେ । ସଂଘ କୁହେ ଯଦି ସବୁ ଧର୍ମ ସମାନ ତେବେ ଧର୍ମାନ୍ତରିକରଣର ଆବଶ୍ୟକତା ଅଛି କି ? ବିଶ୍ୱରେ ଯେଉଁସବୁ ସ୍ଥାନରେ ଧର୍ମାନ୍ତରିକରଣ  କରାଯାଉଛି, ଏହାର ଉଦ୍ଦେଶ୍ୟ ବହୁତ ଖରାପ । ଏହାକୁ ବିରୋଧ କରାଯିବା ଉଚିତ ।
ଯୁବତୀ ଓ ମହିଳାଙ୍କ ସୁରକ୍ଷା ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ, ସେମାନେ ନିଜକୁ ନିଜେ ସୁରକ୍ଷା ପାଇଁ  ସଜାଗ ରହିବା ଉଚିତ ଏବଂ ନିଜକୁ ସକ୍ଷମ ହେବାକୁ ପଡିବ । ଏଥିସହିତ ସମାଜରେ ମହିଳାମାନଙ୍କ ପ୍ରତି ଥିବା ଦୃଷ୍ଟିକୁ ବଦଳାଇବାକୁ ପଡିବ ।
ଅନେକଙ୍କ ମନରେ ଅଛି ଯେ ସଂଘ ଏକ ପଂଜିକୃତ ଅନୁଷ୍ଠାନ ନୁହେଁ । ପ୍ରକୃତରେ ଦେଖିବାକୁ ଗଲେ ସଂଘ ଯେତେବେଳେ ଆରମ୍ଭ ହେଲା ସେତେବେଳେ ଦେଶ ପରାଧିନ ଥଲା । ସଂଘ ଏକ ବ୍ୟବସ୍ଥିତ ସଂସ୍ଥା । ହିସାବ କିତାବ ସବୁ ଠିକ୍ ଠାକ ଥାଏ । ପ୍ରତିବର୍ଷ ସଂଘର ଆକାଉଂଟ ଅଡିଟ ହୋଇଥାଏ । ସଂଘର  ମଧ୍ୟ ନିର୍ବାଚନ ହୋଇଥାଏ । ପ୍ରତି ତିନି ବର୍ଷରେ ଥରେ ଏହା ଅନୁଷ୍ଠିତ ହୋଇଥାଏ କିନ୍ତୁ ସରସଂଘଚାଳକ ନିର୍ବାଚନ ହୁଏ ନାହିଁ । ଏହା ଏକ ଶ୍ରଦ୍ଧାର ସ୍ଥାନ  । ସଂଘର ସମସ୍ତ ଦାୟିତ୍ୱର ଅଧିକାରୀ ହେଉଛନ୍ତି ସରକାର୍ଯ୍ୟବାହ । ତାଙ୍କରି ହାତରେ ସବୁ ଅଧିକାର ଥାଏ ।
ସଂଘକୁ ନେଇ ଭ୍ରମରେ ଥିବା ପ୍ରତ୍ୟେକଙ୍କୁ ସଂଘ ଆହ୍ୱାନ କରୁଛି ଯେ ସଂଘକୁ ଯଦି ଜାଣିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ନିକଟରୁ ଦେଖିବା  ତାପରେ ନିଜର ମତ ଦେବା । ସମାଜ ପାଇଁ ଆପଣମାନେ ଯେତିକି ସମ୍ଭବ ସେତିକି କାମ କରୁନ୍ତୁା ନିଷ୍କ୍ରିୟ ରୁହନ୍ତୁୁ ନାହିଁ । ରାଷ୍ଟ୍ରକୁ ପରମ ବୈଭବଶାଳୀ କରିବା ପାଇଁ ଯଥା ସମ୍ଭବ କାମ କରିବା । ସଂକଟ ସହିତ ଜଡିତ ଦୁନିଆକୁ ଆଜି ଏକ ତୃତୀୟ ରାସ୍ତା ଦରକାର । ଏହି ମାର୍ଗ ଦେବା ପାଇଁ ଅନ୍ତର୍ନିହିତ ଶକ୍ତି କେବଳ ଭାରତ ପାଖରେ ଅଛି । ଏହାର ସଫଳତା ପାଇଁ ଲୋକ ଦରକାର  । ଏପରି ଲୋକ ସମାଜରେ ଛିଡା କରିବାକୁ ହେବ, ଯାହା ହୃଦୟରେ ସମାଜ ପ୍ରତି ଆତ୍ମୀୟତା ଥିବ, କଲ୍ୟାଣକାରୀ ଭାବନା ଥିବ । ଯେଉଁମାନେ ସମାଜର ଦୁଃଖରେ ବ୍ୟଥିତ ହେଉଥିବେ, ଯାହା ଭିତରେ ନିଜର ସ୍ୱାର୍ଥକୁ ନିୟନ୍ତ୍ରିତ କରିବାର ଶକ୍ତି ଥିବ ଏବଂ ଏହି କାରଣରୁ ଶାରୀରିକ ତଥା ମାନସିକ କଷ୍ଟ ସ୍ୱୀକାର କରି ମଧ୍ୟ ସମାଜ ପାଇଁ ହିତକର କାର୍ଯ୍ୟରେ ସେ ସଂଲଗ୍ନ ରହି ପାରୁଥିବ । ଏପରି ସବୁ ଲୋକଙ୍କର ଶକ୍ତି ସମାଜର ଆବଶ୍ୟକତା ଅନୁସାରେ ସୁତ୍ରବନ୍ଧ ଢଙ୍ଗରେ ସମ୍ପୂର୍ଣ୍ଣ ରାଷ୍ଟ୍ରରେ ପ୍ରଯୁକ୍ତ ହୋଇ ପାରିବ, ଏଥିପାଇଁ ଅନୁଶାସନ ଶିଖାଇବାର ବ୍ୟବସ୍ଥା କରିବା ଜରୁରୀ ଅଟେ । ସମାଜରେ ଏପରି କାର୍ଯ୍ୟକର୍ତ୍ତା ନିର୍ମାଣର ମୌଳିକ କାର୍ଯ୍ୟ ସଂଘ ତାହାର ଶାଖା ଦ୍ୱାରା କରୁଅଛି । ବ୍ୟକ୍ତିମାନଙ୍କ ମଧ୍ୟରେ ଯେତେ ସାମଞ୍ଜସ୍ୟ ଉତ୍ପନ୍ନ ହେବ, ସେତେ ପ୍ରଗତି ଆଡକୁ ଅଗ୍ରସହ ହେବା ସମ୍ଭବ ହେବ । ସ୍ୱୀକାରଯୋଗ୍ୟ ଯେ ଏହି କାର୍ଯ୍ୟରେ ସମୟ ଲାଗିବ, କିନ୍ତୁ କୌଣସି ତୁରନ୍ତ କଠୋରତାପୂର୍ଣ୍ଣ କାର୍ଯ୍ୟଦ୍ୱାରା ଲାଭ ହେବ ନାହିଁ । ମନୁଷ୍ୟକୁ ତାହାର ଅନ୍ତପ୍ରେରଣା ଦ୍ୱାରା ହିଁ ଏପରି କାର୍ଯ୍ୟପାଇଁ ପ୍ରେରିତ କରିବାକୁ ସଂଘ କାର୍ଯ୍ୟ ତିଆରି ହୋଇଛି । ଏହିପରି ଯୋଗ୍ୟ ବ୍ୟକ୍ତି ସମାଜରେ ସ୍ଥାନେ ସ୍ଥାନେ ଛିଡା କରିବାର କାର୍ଯ୍ୟ ସଂଘ ତାହାର ଦୈନିକ ଶାଖାକାର୍ଯ୍ୟ ପଦ୍ଧତିରେ କରୁଅଛି । ବିଚାର ଯାହା ହେଲେ ମଧ୍ୟ ଯେତେ ବ୍ୟାପକ ହେଲେ ମଧ୍ୟ, ଆଚରଣ କରିବା ଲୋକ ଯେପର୍ଯ୍ୟନ୍ତ  ପାଖରେ ନାହାଁନ୍ତି, ତାହା ବ୍ୟର୍ଥ ଅଟେ । ଏହି ନିଷ୍କର୍ଷ ଅନୁସାରେ ରାଷ୍ଟ୍ରର ପ୍ରଗତିର ମୁଳଦୁଆରେ ଭଲ ତଥା ସୁଦୃଢ କାର୍ଯ୍ୟକର୍ତ୍ତା ଛିଡା କରିବା ହିଁ ସମାଜ ସଂଗଠନର କାର୍ଯ୍ୟ ଅଟେ ।
୩୫,ଏନ୍ଏସି ଫ୍ଲାଟ, ୟୁନିଟ-୩, ଖାରବେଳନଗର, ଭୁବନେଶ୍ୱର
ମୋ-୯୮୬୧୦୨୮୫୫୩

Comments