ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ ଏକ ବିହଙ୍ଗାବଲୋକନ



-ଦେବେନ୍ଦ୍ର ନାଥ ରାଉତ-

ବହୁ ଆଶଙ୍କାର ଅବସାନ ଘଟାଇ ସମସ୍ତ ଭାରତୀୟ ଭାଷାକୁ ଗୁରୁତ୍ୱ ଦେଇ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦନ ଲାଭ କରିଛି ଜାତୀୟ ନୂତନ ଶିକ୍ଷା ନୀତି୨୦୨୦ । ଶିକ୍ଷା କ୍ଷେତ୍ରରେ ବହୁ ବଡ ପରିବର୍ତନ ଆଣିବାର ଲକ୍ଷ୍ୟରେ ଏହା ଉଦ୍ଦିଷ୍ଟ କହିଲେ ଭୁଲହେବ ନାହିଁ । ଏହି ଶିକ୍ଷା ନୀତି ଏକ ସମ୍ଭାବନା ସୃଷ୍ଟି କରିଛି । ହିନ୍ଦୀ ଭାଷାକୁ ଅଧିକ ଗୁରୁତ୍ୱ ଦିଆଯିବାର ସମ୍ଭାବନାର ଯଥେଷ୍ଟ ଅଧିକ ବୋଲି କେତେକ ବିଶିଷ୍ଟ ବ୍ୟକ୍ତିଙ୍କ ଭବିଷ୍ୟତ ବାଣୀକୁ ଭୁଲ ପ୍ରମାଣିତ କରି ଭାରତୀୟ ଭାଷାକୁ ପ୍ରାଥମିକ ସ୍ତରରେ ବାଧ୍ୟତାମୂଳକ ଓ ଶାସ୍ତ୍ରୀୟ ଭାଷା ଗୁଡିକୁ ସର୍ବ ଭାରତୀୟ ସ୍ତରରେ ପ୍ରୋତ୍ସାହିତ ଓ ପ୍ରଚଳନର ବ୍ୟବସ୍ଥା କରି ନୂତନ ଜାତୀୟ ଶିକ୍ଷା ନୀତି ଖାଲି ଭାରତୀୟତାକୁ ଶିକ୍ଷାର ଅଗ୍ରଭାଗରେ ରଖିନି ଏଥି ସହିତ ଶିଶୁର ପୂର୍ଣ୍ଣାଙ୍ଗ ବିକାଶରେ ଅନ୍ତରାୟ ସୃଷ୍ଟି କରୁଥିବା ବର୍ତମାନ ଶିକ୍ଷା ବ୍ୟବସ୍ଥାରେ ଭାଷାର ଭୂମିକାକୁ ଚିହ୍ନଟ କରି ତାର ପ୍ରତିକାର ବ୍ୟବସ୍ଥା କରିବାକୁ ପ୍ରୟାସ କରିଛି । ମାତୃଭାଷା ହିଁ ଶିଶୁ ପୂର୍ଣ୍ଣାଙ୍ଗ ବୌଦ୍ଧିକ ବିକାଶର ଶ୍ରେଷ୍ଠ ମାଧ୍ୟମ । ଏହି ସତ୍ୟକୁ ଅନୁଭବ କରି ତଦନୁଯାୟୀ ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ଆଣିବା ପାଇଁ ଯଥାସାଧ୍ୟ ପ୍ରୟାସ କରାଯାଇଛି ଏହି ଶିକ୍ଷା ନୀତିରେ । ଏହି ଶିକ୍ଷାନୀତିରେ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡିକୁ ଭାରତରେ କ୍ୟାମ୍ପସ୍ ସ୍ଥାପନ କରିବାକୁ ଅନୁମତି ଦିଆଯାଇଛି, ଅଧିକ ସଂଖ୍ୟାକ ଛାତ୍ର ଧନ୍ଦାମୂଳକ ଶିକ୍ଷା ଗ୍ରହଣ କଲେ ଦୀର୍ଘ ମିଆଦରେ ରୋଜଗାର ସମସ୍ୟାର ସ୍ଥାୟୀ ସମାଧାନ ହେବା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଔଦ୍ୟୋଗିକ ମନୋଭାବର ପରିପ୍ରକାଶ ହେବ । ୨୦୩୫ ସୁଦ୍ଧା ଧନ୍ଦାମୂଳକ ଶିକ୍ଷା ସମେତ ଉଚ୍ଚଶିକ୍ଷାରେ ମୋଟ ନାମଲେଖା ଅନୁପାତ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି । “ଭାରତକୁ ପୁନର୍ବାର ବିଶ୍ୱସ୍ତରୀୟ ଜ୍ଞାନର ସୁପର ପାୱାର କରିବା ପାଇଁ ଏହି ନୀତିର ଲକ୍ଷ୍ୟ ବୋଲି ଉଲ୍ଲେ୍‌ଖ କରାଯାଇଛି । ଏହି ନୀତିର ଉଦ୍ଦେଶ୍ୟ କେବଳ ଭାବନାରେ ନୁହେଁ ବରଂ ଆତ୍ମ, ବୁଦ୍ଧି, କାର୍ଯ୍ୟ, ଜ୍ଞାନ, କୌଶଳ, ମୂଲ୍ୟବୋଧ ଏବଂ ସ୍ୱଭାବର ବିକାଶ ସହିତ ଭାରତୀୟ ହେବାର ଗର୍ବ କରିବାର ମାଧ୍ୟମ ସୃଷ୍ଟି କରିବ । ଏହା ମାନିକ ଅଧିକାର, ସ୍ଥାୟୀ ବିକାଶ, ଜୀବନଧାରା ଏବଂ ସାମାଜିକ କଲ୍ୟାଣ ପାଇଁ ପ୍ରତିବଦ୍ଧତାକୁ ସମର୍ଥନ କରୁଛି । ଉଚ୍ଚଶିକ୍ଷା ପାଇଁ “ହାଲୁକା କିନ୍ତୁ କଠିନ” ନିୟମାବଳୀକୁ ବୃଦ୍ଧି କରିବା ସହିତ ପ୍ରବେଶ, ସମାନତା ଏବଂ ଅନ୍ତର୍ଭୁକ୍ତିକୁ ମଧ୍ୟ ଏହି ନୀତି ନିଜର ପରିସର ଭୁକ୍ତ କରିଛି । ଜାତୀୟ ଶିକ୍ଷା ନୀତି କହିଛି ଯେ ୨୦୪୦ ସୁଦ୍ଧା ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ବହୁମୁଖୀ ଅନୁଷ୍ଠାନ ହେବାକୁ ଲକ୍ଷ୍ୟ ରଖିବେ, ଯେଉଁଥିରେ ୩୦୦୦ କିମ୍ବା ଅଧିକ ଛାତ୍ର ରହିବା ଲକ୍ଷ୍ୟ ରହିବ । ୨୦୩୦ ସୁଦ୍ଧା, ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ବୃହତ ବହୁମୁଖୀ ଅନୁଷ୍ଠାନ ରହିବ । ଉଚ୍ଚଶିକ୍ଷାରେ ମୋଟ ନାମଲେଖା ଅନୁପାତ ୨୦୩୫ ସୁଦ୍ଧା ୨୬.୩% ରୁ ୫୦% କୁ ବୃଦ୍ଧି କରାଯିବ । ଏକ ଷ୍ଟ୍ରିମ୍ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡିକ ସମୟ ସହିତ ପର୍ଯ୍ୟାକ୍ରମେ ବନ୍ଦ ହୋଇଯିବ ଏବଂ ସମସ୍ତେ ବହୁମୁଖୀ ହେବା ଦିଗରେ ଗତି କରିବେ । ୧୫ ବର୍ଷ ମଧ୍ୟରେ ‘ଅନୁବନ୍ଧିତ କଲେଜ’ର ବ୍ୟବସ୍ଥା ଧୀରେ ଧୀରେ ପର୍ଯ୍ୟାୟଭୁକ୍ତ ହେବ । ଦେଶରେ ଥିବା ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକର ବର୍ତମାନର ଜଟିଳ ନାମକରଣ ପ୍ରକ୍ରିୟା ସହଜ କରାଯିବା ପାଇଁ ବ୍ୟବସ୍ଥା କରିବା ନିମିତ ବର୍ତମାନର ‘ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ’, ‘ଅନୁବନ୍ଧିତ ବୈଷୟିକ ବିଶ୍ୱବିଦ୍ୟାଳୟ’, ‘ଏକତା ବିଶ୍ୱବିଦ୍ୟାଳୟ’ କେବଳ ‘ବିଶ୍ୱବିଦ୍ୟାଳୟ’ ରେ ରୂପାନ୍ତରିତ ହେବ । ଏକ ବିଶ୍ୱବିଦ୍ୟାଳୟର ଅର୍ଥ ହେଉଛି ବହୁମୁଖୀ ଅନୁଷ୍ଠାନ ଯାହା ଉଚ୍ଚମାନର ଶିକ୍ଷାଦାନ, ଅନୁସନ୍ଧାନ ଏବଂ ସମ୍ପ୍ରଦାୟର ଯୋଗଦାନ ସହିତ ସ୍ନାତକୋତର ଏବଂ ସ୍ନାତକ ପ୍ରୋଗ୍ରାମ ପ୍ରଦାନ କରେ । ଏହି ସଂଜ୍ଞା ଶିକ୍ଷାନୁଷ୍ଠାନ ଏବଂ ଅନୁସନ୍ଧାନ ଉପରେ ସମାନ ଗୁରୁତ୍ୱ ଦେଉଥିବା ଅନୁଷ୍ଠାନଗୁଡିକର ଏକ ବ୍ୟବସ୍ଥାକୁ ଅନୁମତି ଦେବ । ଏପରିକି ଆଇଆଇଟି ପରି ଇଞ୍ଜିନିୟରିଂ ପ୍ରତିଷ୍ଠାନଗୁଡିକ ଅଧିକ କଳା ଏବଂ ମାନବିକତା ସହିତ ଅଧିକ ସାମଗ୍ରିକ ଏବଂ ବହୁମୁଖୀ ଶିକ୍ଷା ଆଡକୁ ଗତି କରିବେ । କଳା ଏବଂ ମାନବିକତାର ଛାତ୍ରମାନେ ଅଧିକ ବିଜ୍ଞାନ ଶିଖିବାକୁ ଲକ୍ଷ୍ୟ ରଖିବେ । ଭାଷା, ସାହିତ୍ୟ, ସଙ୍ଗୀତ, ଦାର୍ଶନିକ, କଳା, ନୃତ୍ୟ, ଥିଏଟର, ଶିକ୍ଷା, ଗଣିତ, ପରିସଂଖ୍ୟାନ, ପ୍ରୟୋଗ ବିଜ୍ଞାନ, ସମାଜ ବିଜ୍ଞାନ, ଅର୍ଥନୀତି, କ୍ରୀଡା, ଅନୁମାଦ ଏବଂ ବ୍ୟାଖ୍ୟା ଇତ୍ୟାଦି ବିଭାଗଗୁଡିକ ସମସ୍ତ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ପ୍ରତିଷ୍ଠା ଏବଂ ମଜବୁତ ହେବ । ସ୍ନାତକ ଡିଗ୍ରୀ ୩ କିମ୍ବା ୪ ବର୍ଷର ଅବଧି ବିଶିଷ୍ଟ ହେବ ଯେଉଁଥିରେ ଏକାଧିକ ପ୍ରସ୍ଥାନର ବିକଳ୍ପ ରହିବ । ଏକ ବର୍ଷ ଅବଧି ପରେ ସାର୍ଟିଫିକେଟ ଦୁଇ ବର୍ଷ ଅବଧି ପରେ ଡିପ୍ଲୋମା ସାର୍ଟିଫିକେଟ, ୩ବର୍ଷ ଅବଧି ପରେ ସ୍ନାତକ ଡିଗ୍ରୀ ସାର୍ଟିଫିକେଟ ଓ ୪ ବର୍ଷ ପରେ ସ୍ନାତକ ଡିଗ୍ରୀ ସହିତ ବହୁମୁଖୀ ସ୍ନାତକ ଡିଗ୍ରୀ ପ୍ରଦାନ କରାଯିବାର ବ୍ୟବସ୍ଥା ରହିବ । ଏକ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ(ଏବିସି) ପ୍ରତିଷ୍ଠା ହେବ ଯାହା ଡିଜିଟାଲ ଏକାଡେମିକ କ୍ରେଡିଟ ବ୍ୟବସ୍ଥା କରିବ । ଯଦି ଛାତ୍ର ଏକ କଠୋର ଅନୁସନ୍ଧାନ ପ୍ରକଳ୍ପ ୪ ବର୍ଷର କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ କରେ ତେବେ ‘ଅନୁସନ୍ଧାନ ସହିତ’ ଏକ ଡିଗ୍ରୀ ମଧ୍ୟ ନେଇପାରିବାର ବ୍ୟବସ୍ଥା ରହିବ । ସାମଗ୍ରିକ ଏବଂ ବହୁମୁଖୀ ଶିକ୍ଷା ପାଇଁ ମଡେଲ୍ ପବ୍ଲିକ୍ ୟୁନିଭରସିଟି, ଆଇଆଇଟି, ଆଇଆଇଏମ୍ ଇତ୍ୟାଦି ସହିତ ସମାନ, ଯାହାକୁ ବହୁମୁଖୀ ଶିକ୍ଷା ଏବଂ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ମଲ୍ଟିଡିସିପ୍ଲିନାରୀ ଏଜୁକେସନ ଆଣ୍ଡ ରିସର୍ଚ୍ଚ ୟୁନିଭରସିଟି) କୁହାଯିବ । ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକ ଉଚ୍ଚସ୍ତରୀୟ ପରୀକ୍ଷଣରୁ ନିରନ୍ତର ଏବଂ ବ୍ୟାପକ ମୂଲ୍ୟାଙ୍କନ ଆଡକୁ ଯିବେ । ସୁଲଭ ମୂଲ୍ୟରେ ଉଚ୍ଚ ମାନର ଶିକ୍ଷା ପ୍ରଦାନ କରୁଥିବା ଏବ ବିଶ୍ୱସ୍ତରୀୟ ଅଧ୍ୟୟନ ସ୍ଥଳ ଭାବରେ ଭାରତକୂ ପ୍ରୋତ୍ସାହିତ କରାଯିବ । ବିଦେଶୀ ଛାତ୍ରମାନଙ୍କୁ ପ୍ରୋତ୍ସାହିତ କରୁଥିବା ପ୍ରତ୍ୟେକ ଅନୁଷ୍ଠାନରେ ଏକ ଆନ୍ତର୍ଜାତୀୟ ଛାତ୍ର କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ । ଉଚ୍ଚମାନ ପ୍ରଦର୍ଶନକାରୀ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକୁ ଅନ୍ୟ ଦେଶରେ କ୍ୟାମ୍ପସ୍ ସ୍ଥାପନ କରିବାକୁ ପ୍ରୋତ୍ସାହିତ କରାଯିବ । ଭାରତରେ କାର୍ଯ୍ୟ କରିବା ପାଇଁ ବିଶ୍ୱର ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ମଧ୍ୟରୁ ମନୋନୀତ ବିଶ୍ୱବିଦ୍ୟାଳୟଗୁଡିକ ସୁବିଧା ପ୍ରଦାନ କରାଯିବ । ଏହାର ପ୍ରବେଶକୁ ସୁଗମ କରିବା ପାଇଁ ଏକ ବୈଧାନିକ ବ୍ୟବସ୍ଥା କରାଯାଇ ଏହାର ପରିଚାଳନା ଢାଂଚା ସ୍ଥାପିତ କରାଯିବ ଏବଂ ଏହିପରି ବିଶ୍ୱବିଦ୍ୟାଳୟଗୁଡିକୁ ଭାରତର ଅନ୍ୟାନ୍ୟ ସ୍ୱୟଂଶାସିତ ଅନୁଷ୍ଠାନ ସହିତ ନୀତି, ପରିଚାଳନା ଓ ବିଷୟବସ୍ତୁ ନିୟମ ସମ୍ବନ୍ଧରେ ବିଶେଷ ବିବରଣୀ ପ୍ରଦାନ କରାଯିବ । ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଚାପ ଏବଂ ଭାବପ୍ରବଣତାକୁ ନିୟନ୍ତ୍ରଣ କରିବା ପାଇଁ ସହଯୋଗ ପ୍ରକୋଷ୍ଠ ଅବସ୍ଥାପିତ କରାଯିବ । ସାମାଜିକ ତଥା ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରମାନଙ୍କ ଯୋଗ୍ୟତାକୁ ଉତ୍ସାହିତ କରିବା ପାଇଁ ପ୍ରୟାସ କରାଯିବ । ଆଗାମୀ ଦଶନ୍ଧି ମଧ୍ୟରେ ଧନ୍ଦାମୂଳକ ଶିକ୍ଷା ସମସ୍ତ ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକରେ ପର୍ଯ୍ୟାକ୍ରମେ ବ୍ୟବସ୍ଥିତ ହେବ । ୨୦୨୫ ସୁଦ୍ଧା, ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ନୀତି ମାଧ୍ୟମରେ ଅତି କମରେ ୫୦% ଶିକ୍ଷାର୍ଥୀ ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରିବେ । ୪ ବର୍ଷର ବହୁମୁଖୀ ସ୍ନାତକ କାର୍ଯ୍ୟକ୍ରମ ସହିତ ବୃତିଗତ ସ୍ନାତକ ଡିଗ୍ରୀ କାର୍ଯ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରମାନଙ୍କ ପାଇଁ ବୃତିଗତ ପାଠ୍ୟକ୍ରମ ମଧ୍ୟ ଉପଲବ୍ଧ ହେବ । ‘ଲୋକ ବିଦ୍ୟା’ ଅର୍ଥାତ୍ ଭାରତରେ ବିକଶିତ ଗୁରୁତ୍ୱପୂର୍ଣ୍ଣ ଧନ୍ଦାମୂଳକ ଜ୍ଞାନ ଛାତ୍ରମାନଙ୍କୁ ଉପଳବ୍ଧ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ଏକ ଭୋକେସନାଲ୍ ଏଜୁକେସନ୍ ଜାତୀୟ କମିଟି ଗଠନ କରିବ । ଏକ ଜାତୀୟ ଅନୁସନ୍ଧାନ ଫାଉଣ୍ଡେସନ(ଏନ ଆର ଏଫ) ଗଠନ ପାଇଁ ମଧ୍ୟ ଏହି ନୀତି ଦିଶା ନିର୍ଦ୍ଦେଶ କରୁଛି । ଏହି ନୀତିରେ ଭାରତର ଏକ ଉଚ୍ଚଶିକ୍ଷା ଆୟୋଗ ଗଠନ ବିଷୟରେ ମଧ୍ୟ ଉଲ୍ଳେଖ କରାଯାଇଛି । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଭିତିଭୂମି ସାକ୍ଷରତା ଏବଂ ସଂଖ୍ୟା ଉପରେ ଏକ ଜାତୀୟ ମିଶନ୍ ପ୍ରତିଷ୍ଠା କରାଯିବ । ଏହି ଶିକ୍ଷାନୀତି ଯେତିକି ସମ୍ଭାବନା ବହନକାରୀ, ଏହାକୁ ପ୍ରୟୋଗରେ ଆଣିବା ପାଇଁ ସେତିକି ଆହ୍ୱାନ ସୃଷ୍ଟିକାରୀ । ଏହାର ସଫଳ ରୂପାୟନ ହିଁ ଦେଇ ପାରିବ ସାମାଜିକ, ଅର୍ଥନୈତିକ ଓ ବୌଦ୍ଧିକ ସ୍ତରରେ ଏକ ବୈପ୍ଲବିକ ପରିବର୍ତନ । 
ଶିକ୍ଷାବିତ୍ ଓ ସମାଜସେବୀ, ନୂଆଦିଲ୍ଲୀ

Comments