ବିଶ୍ୱବିଜୟୀ ସ୍ୱାମୀ ବିବେକାନନ୍ଦ ଏବଂ ବିଶ୍ୱଗୁରୁ ଭାରତ

ଅଂଶୁମାନ ମହାରଣା
ଜଣେ ବିଶ୍ୱବନ୍ଦିତ ସନ୍ନ୍ୟାସୀ ତଥା ଯୁବ ସମାଜର ସର୍ବକାଳୀନ ଆଦର୍ଶ ସ୍ୱାମୀ ବିବେକାନନ୍ଦ ଊନବିଂଶ ଶତାବ୍ଦୀରେ ଭାରତବର୍ଷର ନବଜାଗରଣର ଅନ୍ୟତମ ପ୍ରାଣପୁରୁଷ । ଯେତେବେଳେ ଭାରତୀୟ ଜନଜୀବନ ପରାଧିନତା ସାଙ୍ଗକୁ ନାନା ଅନ୍ଧବିଶ୍ୱାସ ଓ କୁସଂସ୍କାର ମଧ୍ୟ ଦେଇ ଗତି କରୁଥିଲା ସେହି ସମୟରେ ସ୍ୱାମୀ ବିବେକାନନ୍ଦଙ୍କ ଆଧ୍ୟାତ୍ମିକ ମାର୍ଗଦର୍ଶନ ଦ୍ୱାରା ସମଗ୍ର ବିଶ୍ୱ ହିନ୍ଦୁଧର୍ମ ତଥା ଭାରତବର୍ଷର ମହାନତା ସମ୍ପର୍କରେ ଅବଗତ ହୋଇଥିଲା । ଆନ୍ତର୍ଜାତିକ ଖ୍ୟାତି ଓ ସ୍ୱୀକୃତି ଦୃଷ୍ଟିରୁ ସ୍ୱାମୀ ବିବେକାନନ୍ଦଙ୍କ ଜୀବନର ଏକ ମାଇଲ ଖୁଂଟ ଥିଲା ୧୮୯୩ ମସିହାର ସେପ୍ଟେମ୍ବର ୧୧ ତାରିଖ । ସେଦିନ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ସହରରେ ଅନୁଷ୍ଠିତ ହୋଇଥିବା ଧର୍ମସମ୍ମିଳନୀରେ ଯେଉଁ ମର୍ମସ୍ପର୍ଶୀ ଉଦବୋଧନ ଦେଇଥିଲେ, ସେଥିରେ ଭରି ରହିଥିଲା ଆଧ୍ୟାତ୍ମିକତାର ତରଙ୍ଗ । ଯାହାର କମ୍ପନ ପ୍ରତିଟି ଚେତନଯୁକ୍ତ ମନୁଷ୍ୟକୁ ଆଜି ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ପ୍ରେରଣା ପ୍ରଦାନ କରୁଛି । ପ୍ରାଚୀନ ମୁନି ଋଷିମାନଙ୍କର ମହାନ ସଭ୍ୟତାକୁ ପୁନର୍ବାର ପ୍ରତିଷ୍ଠିତ କରିବା ନିମନ୍ତେ ବିଶ୍ୱ ଭାତୃତ୍ୱର ସନ୍ଦେଶ ନେଇ ଦରିଆ ପାରି ହୋଇ ବିଦେଶରେ ପହଂଚିଥିବା ନରେନ୍ଦ୍ରନାଥଙ୍କ ପାଶ୍ଚାତ୍ୟ ପ୍ରତି ବାର୍ତା ଫଳରେ ବିଶ୍ୱଗୁରୁ ର ମର୍ଯ୍ୟାଦା ପାଇଥିଲା ଭାରତବର୍ଷ । ମାତୃଭୂମିର ସ୍ୱର୍ଣ୍ଣିମ ଅତୀତକୁ ଫେରାଇ ଆଣିବା ପାଇଁ ୧୮୯୧ ଖ୍ରୀଷ୍ଟାବ୍ଦରେ ସନ୍ନ୍ୟାସୀ ଭ୍ରାତାମାନଙ୍କ ସଙ୍ଗ ପରିତ୍ୟାଗ କରି ଏକାକୀ ଈଶ୍ୱରଙ୍କ ଶରଣାପନ୍ନ ହୋଇ ଭାରତର ବିଭିନ୍ନ ସ୍ଥାନ ପଦବ୍ରଜରେ ପରିଭ୍ରମଣ କରି ୧୮୯୨ ମସିହା ଡ଼ିସେମ୍ବର ୨୫ ତାରିଖ ଦିନ କନ୍ୟାକୁମାରୀ ଠାରେ ଭାରତ ମହାସାଗର ମଧ୍ୟରେ ଏକ ଶିଳାଖଣ୍ଡ ଉପରେ ବସି ଗଭୀର ଭାବରେ ଧ୍ୟାନମଗ୍ନ ହୋଇଥିଲେ । ‘ଭାରତମାତା’ଙ୍କୁ ଧ୍ୟାନ କରି ସ୍ୱାମୀ ବିବେକାନନ୍ଦ ଧ୍ୟାନଚକ୍ଷୁରେ ଦେଖିଥିଲେ ଭାରତର ବର୍ତମାନ ଓ ଅତୀତ । ସେହି ସମୟରେ ସତେ ଯେପରି ସାଗର ଉପରେ ବିଚରଣ କରି ଗୁରୁ ଶ୍ରୀରାମକୃଷ୍ଣ ତାଙ୍କୁ ଆହ୍ୱାନ ଦେଇ କହୁଛନ୍ତି “ ଯା ଲଙ୍ଘିଯା ଏ ସମୁଦ୍ର ଦୂର ଦେଶେ ଯାଇ ଭାରତର ବାର୍ତା ପହଂଚାଇ ଦେ “ । ଧ୍ୟାନଭଙ୍ଗ ହେବା ପରେ ସ୍ୱାମୀ ବିବେକାନନ୍ଦ ଭାରତର ପ୍ରତିନିଧି ହିସାବରେ ଯିବାକୁ ମନସ୍ଥ କରି କଲିକତାକୁ ଫେରିଆସିଥିଲେ । ତାଙ୍କର ଏହି ଇଚ୍ଛା ଦୈବନିର୍ଦ୍ଦିଷ୍ଟ ବୋଲି ଇଙ୍ଗିତ ପାଇବା ପରେ ସ୍ୱାମିଜୀ ବିଦେଶ ଯିବା ନିମନ୍ତେ ସ୍ଥିର କରି ଯୁବକ ଶିଷ୍ୟମାନଙ୍କ ଦ୍ୱାରା ଉପଲବ୍‌ଧି କିଛି ଅର୍ଥ ଏବଂ ମହୀଶୂର, ରାମନାଦ ଓ ଖେତଡ଼ିର ମହାରାଜଙ୍କ ଦିଆଯାଇଥିବା ଆର୍ଥିକ ସହାୟତା ନେଇ ସ୍ୱାମୀଜୀ ୧୮୯୩ ମସିହା ମେ\' ମାସର ୩୧ ତାରିଖ ଦିନ ବମ୍ବେଠାରୁ ପେନିନସୁଲାର ଜାହାଜ ସାହାଯ୍ୟରେ ଆମେରିକା ଅଭିମୁଖେ ଯାତ୍ରାର ଶୁଭାରମ୍ଭ କରିଥିଲେ । ଚିକାଗୋରେ ଅନୁଷ୍ଠିତ ଧର୍ମମହାସଭାର ପ୍ରଥମ ଅଧିବେଶନ ୧୮୯୩ ମସିହା ସେପ୍ଟେମ୍ବର ମାସ ୧୧ ତାରିଖ ସୋମବାର ଦିନ ଆର୍ଟ ଇନଷ୍ଟିଚ୍ୟୁଟର ପ୍ରଶସ୍ତ ସଭାଗୃହରେ ହୋଇଥିଲା । ଏକ ପ୍ରାର୍ଥନା ସଙ୍ଗୀତ ଦ୍ୱାରା ୪୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କର ସମବେତ ହୋଇଥିବା ମହାସଭାଟି ଉଦ୍‌ଘାଟିତ ହୋଇଥିଲା । ସେଦିନର ସଭା ଅଧ୍ୟକ୍ଷ ପ୍ରତିନିଧିମାନଙ୍କର ପରିଚୟ ପ୍ରଦାନ କରିବା ପରେ ଅନ୍ୟ ଧର୍ମର ପ୍ରତିନିଧିମାନେ ଲିଖିତ ଅଭିଭାଷଣ ପାଠ କରିଥିବା ବେଳେ ସ୍ୱାମୀ ବିବେକାନନ୍ଦ ତାଙ୍କର ଅଭିଭାଷଣ ନିଜ ମୁଖରେ କହିଥିଲେ । ଅଧିବେଶନରେ ଉଦ୍ଦିଷ୍ଟ ମଂଚ ଉପରେ ଠିଆ ହୋଇ ମନେମନେ ମା\' ସରସ୍ୱତୀଙ୍କୁ ପ୍ରଣାମ ଜଣାଇ ପ୍ରଥମେ ଜଣାଇଥିଲେ ସମ୍ବୋଧନ । ହେ ମୋର ଆମେରିକାବାସୀ ଭଗିନୀ ଓ ଭ୍ରାତୃଗଣ ଏତିକିରେ ସଭାଗୃହରେ ଏକ ଉତ୍ସାହର ଲହରୀ ଶ୍ରୋତାମାନଙ୍କ ମଧ୍ୟରେ ସଂଚାରିତ ହୋଇଥିଲା ଏବଂ ସମସ୍ତ ଜନଗଣ ଆନନ୍ଦରେ ଦୁଇ ମିନିଟ ପର୍ଯ୍ୟନ୍ତ କରତାଳି ପ୍ରଦାନ କରିଥିଲେ । ସ୍ୱାମିଜୀ ତାଙ୍କର ସମ୍ବୋଧନରେ ବିଶ୍ୱଭାତୃତ୍ୱ ର “ଆତ୍ମୀୟତାକୁ’’ ପ୍ରାଧାନ୍ୟ ଦେବାରୁ ଶ୍ରୋତାମାନଙ୍କ ହୃଦୟର ଗଭୀରତମ ସୂତ୍ରଟିକୁ ସ୍ପର୍ଶ କରିଥିଲା । କରତାଳି ସମାପ୍ତ ହେବା ପରେ ସ୍ୱାମିଜୀ ଏକ ସଂକ୍ଷିପ୍ତ ବକ୍ତୃତା ଦେଇଥିଲେ । ପ୍ରଥମ ଦିନ ସ୍ୱାମିଜୀ ନିଜ ଅଭିଭାଷଣରେ କହିଥିଲେ ଯେଉଁ ଧର୍ମ ଜଗତକୁ ଆବହମାନ କାଳରୁ ପରମ ସହିଷ୍ଣୁତା ଓ ସର୍ବବିଧିମତ ସ୍ୱୀକାର କରିବାକୁ ଶିକ୍ଷା ଦେଇଆସୁଛି, ମୁଁ ସେହି ଧର୍ମଭୁକ୍ତ ବୋଲି ନିଜକୁ ଗୌରବାନ୍ୱିତ ମନେକରେ ଆମେମାନେ ଯେ କେବଳ ସବୁ ଧର୍ମକୁ ସହ୍ୟ କରୁ ତାହା ନୁହେଁ; ବରଂ ସବୁ ଧର୍ମଗୁଡ଼ିକ ସତ୍ୟ ବୋଲି ମନେକରୁ । ହିନ୍ଦୁଧର୍ମ ତଥା ଭାରତବର୍ଷ ସମ୍ପର୍କରେ ସୂଚନା ଦେବାକୁ ଯାଇ କହିଥିଲେ – ମୁଁ ସେହି ଧର୍ମର ପ୍ରତିନିଧିତ୍ୱ କରୁଛି ଯେଉଁ ବିଶ୍ୱର ସବୁ ଧର୍ମକୁ ସମ୍ମାନ ଦିଏ । ମୁଁ ସେହି ଦେଶର ପ୍ରତିନିଧିତ୍ୱ କରୁଛି ଯେଉଁ ଦେଶ ଶରଣାର୍ଥୀ ମାନଙ୍କୁ ଆଶ୍ରୟ ଦିଏ । ତତସହିତ ବିଶ୍ୱଭାତୃତ୍ୱ ର ଭାବ ନେଇ ସମଗ୍ର ମାନବ ଜାତିକୁ ସହିଷ୍ଣୁତାର ମନ୍ତ୍ର ଶୁଣାଏ । ସେ କହିଥିଲେ ମୁଁ ଗର୍ବ ଅନୁଭବ କରେ ଯେ ମୁଁ ଜଣେ ଭାରତୀୟ, କାରଣ ଆମେ ଇହୁଦୀମାନଙ୍କର ବଂଶଧର ଗଣଙ୍କର ଅବଶିଷ୍ଟ ଅଂଶକୁ ଆଦର ସହକାରେ ହୃଦୟରେ ଧାରଣ କରିରଖିଅଛୁ । ସ୍ୱାମିଜୀ କହିଥିଲେ ବିଭିନ୍ନ ନଦୀର ଉତ୍ସ ବିଭିନ୍ନ ସ୍ଥାନରେ ହେଲେ ମଧ୍ୟ ମିଶନ୍ତି ସେହି ଏକ ସମୁଦ୍ରରେ, ସେହିପରି ହେଲେ ଭଗବାନ ଲୋକେ ବିଭିନ୍ନ ରୁଚିର, ବିଭିନ୍ନ ଧର୍ମର ବୈଚିତ୍ରତାରେ ସରଳ, ଜଟିଳ, କୁଟିଳ ହୋଇ ମଧ୍ୟ ସେହି ଏକ ଭଗବାନଙ୍କର ଶରଣାପନ୍ନ ହୁଅନ୍ତି । ଗୀତାରେ ମଧ୍ୟ ଏହା କୁହାଯାଇଛି ଯିଏ ଯେଉଁ ଭାବ ଆଶ୍ରୟ କରି ଆସୁନା କାହିଁକି, ମୁଁ ତାକୁ ସେହି ଭାବରେ ଅନୁଗ୍ରହ କରିଥାଏ । ହେ ଅର୍ଜ୍ଜୁନ! ମନୁଷ୍ୟମାନେ ସର୍ବତୋ ଭାବରେ ମୋ ଦିଗକୁ ହିଁ ଅନୁଗମନ କରିଥାଆନ୍ତି । ଧର୍ମୀୟ ବିଦ୍ୱେଷତାର ନକରାତ୍ମକ ପ୍ରଭାବ ସମ୍ପର୍କରେ ସୂଚନା ଦେବାକୁ ଯାଇ ସ୍ୱାମିଜୀ କହିଥିଲେ ଧର୍ମ ଓ ସମ୍ପ୍ରଦାୟର ଦୁଅହଂକାର କାରଣରୁ ପୃଥିବୀ ବାରମ୍ବାର ରକ୍ତରଞ୍ଜିତ ହୋଇଛି । ଖଣ୍ଡା ଓ ଲେଖନୀ ମୁନରେ ମନୁଷ୍ୟ ମନୁଷ୍ୟ ଉପରେ କରିଥିବା ସବୁ ପ୍ରକାର ଅତ୍ୟାଚାରର ଶେଷ ସମୟ ଆସି ଉପସ୍ଥିତ । ସେପ୍ଟେମ୍ବର ୧୫ ତାରିଖ ଦିନ “ଭ୍ରାତୃଭାବ’’ ପ୍ରସଙ୍ଗରେ କହିଥିଲେ ମୁଁ ଜଣେ ହିନ୍ଦୁ, ମୁଁ ଜଣେ ବୌଦ୍ଧ, ମୁଁ ଜଣେ ମୁସଲମାନ ଏପରି ନ ଭାବି ମୁଁ ଜଣେ ମନୁଷ୍ୟ ତାହା ଭାବିବା ଉଚିତ । ଏହିପରି ଧର୍ମମହାସଭାରେ ସେପ୍ଟେମ୍ବର ୧୧ ରୁ ୨୭ ତାରିଖ ମଧ୍ୟରେ ବିଭିନ୍ନ ବିଷୟରେ ସମୁଦାୟ ୧୭ ଦିନରେ ଅନେକ ଅଭିଭାଷଣ ପ୍ରଦାନ କରିଥିଲେ । ସେଥିମଧ୍ୟରୁ ସେପ୍ଟେମ୍ବର ୧୯ ଓ ୨୭ ତାରିଖର ଅଭିଭାଷଣ ବିଶେଷ ପ୍ରଣିଧାନଯୋଗ୍ୟ । ନବମ ଦିବସ ୧୯ ତାରିଖ ବକ୍ତୃତାର ସାରମର୍ମ ଥିଲା “ସନାତନ ହିନ୍ଦୁଧର୍ମ” । ବିଜ୍ଞାନର ଅତି ଆଧୁନିକ ଆବିଷ୍କାର ସମୂହଗୁଡ଼ିକ ହେଲା ବେଦାନ୍ତର ଉଚ୍ଚ ଆଧ୍ୟାତ୍ମିକ ଭାବର ପ୍ରତିଧ୍ୱନି ମାତ୍ର । ସେ ଯୁକ୍ତିର ସହ ପ୍ରମାଣିତ କରିଥିଲେ ଯେ ସର୍ବୋତ୍କୃଷ୍ଟ ବେଦାନ୍ତ ଜ୍ଞାନଠାରୁ ନିମ୍ନସ୍ତରର ମୂର୍ତିପୂଜା ଓ ଆନୁସଙ୍ଗିକ ପୌରାଣିକ ଗଳ୍ପ ତଥା ବୌଦ୍ଧମାନଙ୍କର ଅଜେ୍ଞୟବାଦ, ଜୈନମାନଙ୍କର ନିରୀଶ୍ୱରବାଦ ସବୁକିଛିରେ ହିନ୍ଦୁଧର୍ମରସ୍ଥାନ ଅଛି । ଆଧ୍ୟାତ୍ମିକ ସତ୍ୟ ଗୁଡ଼ିକର ଆବିଷ୍କାରକମାନଙ୍କର ନାମ ହେଲା ଋଷି ଏବଂ ଏହି ଋଷିମାନଙ୍କ ମଧ୍ୟରୁ ଶାକ୍ୟମୁନି ହିଁ ଆଧ୍ୟାତ୍ମିକ ସତ୍ୟଗୁଡ଼ିକ ବିଶେଷ ଭାବରେ ଉନ୍ମୋଚିତ କରିଥିଲେ । ସେ କହିଥିଲେ ହିନ୍ଦୁମାନେ ନିଜକୁ “ଆତ୍ମା” ବୋଲି ବିଶ୍ୱାସ କରନ୍ତି । ଆତ୍ମାକୁ ତରବାରି ଛେଦନ କରିପାରେ ନାହିଁ ଅଗ୍ନି ଦଗ୍ଧ କରିପାରେ ନାହିଁ । ହିନ୍ଦୁମାନେ ବିଶ୍ୱାସ କରନ୍ତି ଯେ, ସେହି “ଆତ୍ମା” ଏପରି ଗୋଟିଏ ବୃତ, ଯାହାର ପରିଧି କେଉଁଠାରେ ନାହିଁ; କିନ୍ତୁ ତାହାର କେନ୍ଦ୍ର ଦେହ ମଧ୍ୟରେ ଅବସ୍ଥିତ ଏବଂ ସେ କେନ୍ଦ୍ରର ଦେହଠାରୁ ଦେହାନ୍ତରକୁ ଗମନର ନାମ ହିଁ “ମୃତ୍ୟୁ” । ଆତ୍ମା ଜଡ଼ ନିୟମର ବଶୀଭୂତ ନୁହଁନ୍ତି । ଆତ୍ମାର ସ୍ୱଭାବ ନିତ୍ୟଶୁଦ୍ଧ- ବୁଦ୍ଧ ଓ ମୁକ୍ତ, କିନ୍ତୁ କୌଣସି କାରଣବଶତଃ ସେ ଜଡ଼ରେ ଆବଦ୍ଧ । ଏହି ଦେହ ମଧ୍ୟରୁ ପରିତ୍ରାଣର ଏକମାତ୍ର ଉପାୟ ହେଲା ଏହି ଦେହରେ ଭଗବାନଙ୍କୁ ଲାଭ କରିବା । ତେବେ ଯାଇ ମୃତ୍ୟୁକୁ ଅତିକ୍ରମ କରିହୁଏ । ଧର୍ମମହାସଭାରେ ସ୍ୱାମିଜୀଙ୍କର ବିଦାୟ ଭାଷଣ ଥିଲା ସେପ୍ଟେମ୍ବର ୨୭ ତାରିଖ ଦିନ । ସେହିଦିନର ବିଷୟବସ୍ତୁ ଥିଲା “ବୌଦ୍ଧଧର୍ମ ସହିତ ହିନ୍ଦୁଧର୍ମର ସମ୍ପର୍କ ” ସେ କହିଥିଲେ ହେ ବୌଦ୍ଧଗଣ, ବୌଦ୍ଧଧର୍ମ ବ୍ୟତୀତ ହିନ୍ଦୁଧର୍ମ ବଂଚିପାରେନା, ଠିକ୍‌ ସେହିପରି ହିନ୍ଦୁଧର୍ମକୁ ଛାଡ଼ି ବୌଦ୍ଧଧର୍ମ ମଧ୍ୟ ବଂଚିପାରେ ନାହିଁ । କାରଣ ବ୍ରାହ୍ମଣର ଧୀଶକ୍ତି ଓ ଦର୍ଶନଶାସ୍ତ୍ରର ସାହାଯ୍ୟ ନନେଇ ବୌଦ୍ଧମାନେ ଦୃଢ଼ତା ଲାଭ କରିପାରନ୍ତି ନାହିଁ । ଠିକ ସେହିପରି ବ୍ରାହ୍ମଣମାନେ ମଧ୍ୟ ବୌଦ୍ଧମାନଙ୍କର ହୃଦୟବତା ଛଡ଼ାତିଷ୍ଠି ପାରନ୍ତି ନାହିଁ । ବିଗତ ଦିନରେ ବୌଦ୍ଧ ଓ ବ୍ରାହ୍ମଣଙ୍କର ବିଚ୍ଛେଦ ହିଁ ଭାରତବର୍ଷର ଅବନତିର କାରଣ, ଆଗାମୀ ଦିନରେଆମର କର୍ତବ୍ୟ ହେବ ଆମେ ବ୍ରାହ୍ମଣର ଅପୂର୍ବ ଧୀଶକ୍ତି ସହତ ଲୋକଗୁରୁ ବୁଦ୍ଧଙ୍କର ହୃଦୟ ନେଇ ସମଗ୍ର ମାନବଜାତିର ଅସାଧାରଣ ଲୋକ କଲ୍ୟାଣକାରୀ କାର୍ଯ୍ୟରେ ନିଜର ଶକ୍ତିକୁ ଯୁକ୍ତ କରିଦେବା । ଏହିଦିନ ସ୍ୱାମୀଜୀ କହିଥିଲେଯେଉଁମାନଙ୍କର ପ୍ରଶସ୍ତ ହୃଦୟ ଓ ସତ୍ୟାନୁରାଗ ରହିଛି ସେମାନେ ଏଠାରେ ଉପସ୍ଥିତ ସେମାନଙ୍କୁ ଧନ୍ୟବାଦ । ସେମାନେ ଧର୍ମ ସମ୍ବନ୍ଧରେ ଗୋଟିଏ ସତ୍ୟ କଥା ଜାଣିରଖନ୍ତୁ ଯେ କୌଣସି ଖ୍ରୀଷ୍ଟିଆନ୍‌ଙ୍କୁ ହିନ୍ଦୁ ବା ବୌଦ୍ଧ ହେବାକୁ ପଡ଼ିବନାହିଁ; ଅଥବା ହିନ୍ଦୁ ଓ ବୌଦ୍ଧକୁ ଖ୍ରୀଷ୍ଟିଆନ ହେବାକୁ ପଡ଼ିବ ନାହିଁ; କିନ୍ତୁ ପ୍ରତ୍ୟେକ ଧର୍ମ ଅନ୍ୟାନ୍ୟ ଧର୍ମର ସାରଗୁଡ଼ିକ ଗ୍ରହଣ କରି ପୁଷ୍ଟି ଲାଭ କରିବ ଏବଂ ସ୍ୱୀୟ ବିଶେଷତ୍ୱ ବଜାୟ ରଖି ନିଜ ପ୍ରକୃତି ଅନୁସାରେ ବର୍ଦ୍ଧିତ ହେବ ଏବଂ ପ୍ରତ୍ୟେକ ଧର୍ମରପତାକା ଉପରେ ଲିଖିତ ହେବ; ବିବାଦ ନୁହେଁ ସହାୟତା; ବିନାଶ ନୁହେଁ ପରସ୍ପରର ଭାବଗ୍ରହଣ;ମତବିରୋଧ ନୁହେଁସମନ୍ୱୟ ଓ ଶାନ୍ତି । ତେବେ ଏହି ୧୭ ଦିନ ଧରି ସାମଗ୍ରିକ ଭାଷଣ ଦେଇ ସମସ୍ତଙ୍କ ହୃଦୟକୁ ଜୟ କରିଥିଲେ ସ୍ୱାମୀ ବିବେକାନନ୍ଦ । ତାଙ୍କର ସମସ୍ତ ବକ୍ତୃତା ଅଗ୍ନିଶିଖା ସଦୃଶ ଥିଲା, ଯାହାକି ଶ୍ରୋତାମାନଙ୍କ ଆତ୍ମାରେ ଅଗ୍ନିବର୍ଷଣ କରିଥିଲା । ସମଗ୍ର ମାନବଜାତିକୁ ସମ୍ମିଳିତ କରିବା ପାଇଁ ଆତ୍ମା ସହିତ ଆତ୍ମାର ମିଳନଭୂମିକୁ ଆହୁରି ପ୍ରଶସ୍ତ କରିବା ନିମନ୍ତେ ମନୁଷ୍ୟ ମଧ୍ୟରେ ଦିବ୍ୟଭାବ ଜାଗ୍ରତ କରାଇ ବିଶ୍ୱଭ୍ରାତୃତ୍ୱ ପ୍ରତିଷ୍ଠାର ବୀଜରୋପଣ କରିଥିଲେ । ଯେଉଁ ବିଶ୍ୱଭ୍ରାତୃତ୍ୱର ମନ୍ତ୍ର ଭାରତୀୟ ମାନଙ୍କ ମନରେ ଭରିଦେଇଥିଲା ଭାରତକୁ ଭଲପାଇବାର ଉତ୍ସାହ । ସେ କହିଥିଲେ ଯେତେବେଳେ ହଜାର ହଜାର ନରନାରୀ ପବିତ୍ର ହୃଦୟରେ, ଈଶ୍ୱରଙ୍କ ଠାରେ ଅବିଚଳ ବିଶ୍ୱାସଯୁକ୍ତ ହୋଇ ଏବଂ ହୃଦୟରେ ସିଂହର ସାହସ ନେଇ ଗରିବ ଏବଂ ପଦଦଳିତଙ୍କ ପ୍ରତି ସହାନୁଭୂତି ରଖି ଭାରତବର୍ଷର କୋଣ ଅନୁକୋଣରେ ମୁକ୍ତି, ସହଯୋଗ ସାମାଜିକ ଉତଥାନ ଏବଂ ସମାନତାର ସନ୍ଦେଶ ପ୍ରଚାର କରି ଭାରତ ଭ୍ରମଣ କରିବେ ସେତେବେଳେ ଭାରତ ବିଶ୍ୱଗୁରୁ ହେବ ।

Comments

  1. video poker video poker youtube
    video poker video poker youtube youtube youtube youtube youtube youtube youtube to mp3 converter reviews youtube youtube. youtube. youtube. youtube. youtube. youtube. youtube. youtube. youtube. youtube. youtube. youtube. youtube. youtube. youtube. youtube.

    ReplyDelete

Post a Comment