ଭବିଷ୍ୟତର ଜଳ ସଙ୍କଟ


ସଂପ୍ରତି ଗୁରୁତର ମରୁଡ଼ି ସହ ଯୁଝୁଥିବା ରାଜ୍ୟ ଗୁଡ଼ିକର ସବୁଠାରୁ ବଡ଼ ସମସ୍ୟା ହେଲା ଉକ୍ରଟ ଜଳ ସଙ୍କଟ । ସରକାରୀ ରିପୋର୍ଟ ଅନୁଯାୟୀ ଅତି କମ୍ରେ ୨୫୨ ଜିଲ୍ଲାରେ ଲୋକେ ଜଳାଭାବ ଯୋଗୁଁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ଅନେକ ସ୍ଥାନରେ ପିଇବା ପାଣି ମୁନ୍ଦାଏ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ଗାଈଗୋରୁଙ୍କ ପାଇଁ ମଧ୍ୟ ପାଣି ନାହିଁ । ଜଳକ୍ଲିଷ୍ଟ ଅଞ୍ଚଳରେ କେଉଁଠି ମହିଳାମାନେ ଗରା ବାଲ୍ଟି ଧରି ଶୁଖିଲା ପାଇପ ଆଗରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ତ ଆଉ କେଉଁଠି ପାଇଁ ମହିଳା ମାନଙ୍କୁ ଘରୁ ପାଞ୍ଚ ଛଅ କିଲୋମିଟର ଦୂର ଯିବାକୁ ପଡ଼ୁଛି । ଜଳକ୍ଲିଷ୍ଟ ଅଞ୍ଚଳକୁ ରେଳରେ ପାଣି ବୁହା ହେଉଛି । ଟ୍ୟାଙ୍କରରେ ପାଳି ପାଳି କରି ପାଣି ଯୋଗାଣ ହେଉଛି । କିନ୍ତୁ ଏ ନିଦାଘ ଗ୍ରୀଷ୍ମରେ ଜଳାଭାବ ମେଣ୍ଟାଇବା ଲାଗି ଏସବୁ ସରକାରୀ ପଦକ୍ଷେପ ଆଦୌ ପର୍ଯ୍ୟାପ୍ତ ନୁହେଁ । ତେବେ ଆହୁରି ଅଧିକ ଚିନ୍ତାର ବିଷୟ ହେଲା, ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଆଗାମୀ ବର୍ଷ ମାନଙ୍କରେ ସ୍ଥିତି ଆହୁରି ଶୋଚନୀୟ ହେବା ଆଶଙ୍କା ରହିଛି । ଏପରିକି, ଚାହିଦା ତୁଳନାରେ ଜଳ ନିଅଣ୍ଟ ଏତେ ଉକ୍ରଟ ହେବ ଯେ ଭାରତକୁ ପାଣି ଆମଦାନି କରିବାକୁ ପଡ଼ିପାରେ । ଜଳାଭାବ ନେଇ ବିଶେଷଜ୍ଞଙ୍କ ଏ ଆକଳନ ପ୍ରକୃତରେ ଏକ ଚେତାବନୀ । ଭବିଷ୍ୟତ ଜଳସଙ୍କଟ ନେଇ ବିଶେଷଜ୍ଞଙ୍କ ଏ ପ୍ରକାର ଚେତାବନୀକୁ ଅନେକ ଅତିରଞ୍ଜନ ମନେ କରିପାରନ୍ତି । କିନ୍ତୁ ଯେଭଳି ଦ୍ରୁତ ହାରରେ ଭୂତଳ ଜଳ ହ୍ରାସ ପାଇ ଚାଲିଛି, ସେ ଦୃଷ୍ଟିରୁ ଚେତାବନୀ ସମ୍ପୂର୍ଣ୍ଣ ବାସ୍ତବବାଦୀ । ଗତ କିଛି ଦଶକ ଧରି ଦେଶର ଚାପଗ୍ରସ୍ତ ଭୂତଳ ଜଳଭଣ୍ଡାର ଯେଭଳି ଶୁଖି ଚାଲିଛି, ତାହା ଯଦି ବଳବତ୍ତର ରହେ, ତେବେ ୨୦୫୦ ସୁଦ୍ଧା ଭାରତ ପାଇଁ ପାଣି ଆମଦାନି କରିବା ସ୍ଥିତି ଉପୁଜିଲେ କେହି ବିସ୍ମିତ ହେବେନାହିଁ । ଗୋଟିଏ ପକ୍ଷରେ ଜନସଂଖ୍ୟା ବୃଦ୍ଧି ସହ ଅବିଚାରିତ ତଥା ଅନିୟନ୍ତ୍ରିତ ଭାବେ ଭୂତଳ ଜଳ ବ୍ୟବହାର ବଢ଼ି ଚାଲିଛି, ଅନ୍ୟପକ୍ଷରେ ଭୂତଳ ଜଳ ଭଣ୍ଡାର ଲଗାତାର ହ୍ରାସ ପାଇ ଚାଲିଛି, ଯାହା ସଙ୍କଟକୁ ଆମନ୍ତ୍ରଣ କରୁଛି । ବିଶ୍ୱରେ ସବୁଠାରୁ ଅଧିକ ଭୂତଳ ଜଳର ବ୍ୟବହାର ଭାରତରେ ହୁଏ । ୧୨୦ କୋଟିରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ଦେଶର ପାନୀୟ ଜଳ ଆବଶ୍ୟକତାର ୮୫ ପ୍ରତିଶତ ଭୂତଳ ଜଳ ମେଣ୍ଟାଏ । କୃଷି ପାଇଁ ଆବଶ୍ୟକ ୬୦ ପ୍ରତିଶତ ପାଣିର ଉତ୍ସ ଭୂତଳ ଜଳ । ଦେଶର ବାର୍ଷିକ ଜଳ ଆବଶ୍ୟକତା ୧,୧୨୩ ବିଲିୟନ ଘନ ମିଟର ଥିବାବେଳେ ଏଥିରୁ ୪୩୨ ବିଲିୟନ ଘନମିଟର ଭୂତଳ ଜଳ ଭଣ୍ଡାର ମେଣ୍ଟାଇଥାଏ । ଅବଶିଷ୍ଟ ଭୂପୃଷ୍ଠ ଓ ଜଳଉତ୍ସରୁ ଆସେ । ଏଥିରୁ ଭୂତଳ ଜଳ ଉପରେ ଚାପ କେତେ ଅଧିକ ଏବଂ ଏହା କେତେ ମୂଲ୍ୟବାନ ତାହା ସହଜରେ ଅନୁମାନ କରାଯାଇପାରେ । ତେବେ ଦୁର୍ଭାଗ୍ୟର ବିଷୟ ହେଲା, ଏହି ଗୁରୁତ୍ୱପୂର୍ଣ୍ଣ ତଥା ଅମୂଲ୍ୟ ଜଳଭଣ୍ଡାର ଲଗାତାର ଭାବେ ହ୍ରାସ ପାଇ ଚାଲିଛି । କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ଼ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ୧୯୫୧ରେ ଦେଶରେ ଦୈନିକ ମୁଣ୍ଡପିଛା ଉପଲବ୍ଧ ଭୂତଳ ଜଳର ପରିମାଣ ଥିଲା ୧୪,୧୮୦ ଲିଟର । ୨୦୦୧ ବେଳକୁ ଉପଲବ୍ଧ ଦୈନିକ ମୁଣ୍ଡପିଛା ଭୂତଳ ଜଳର ପରିମାଣ ୫,୧୨୦ ଲିଟରକୁ କମି ଆସିଛି । ଏହି ଧାରା ଜାରି ରହିଲେ ୨୦୨୫ ବେଳକୁ ଉପଲବ୍ଧ ଦୈନିକ ମୁଣ୍ଡପିଛା ଜଳର ପରିମାଣ ୩,୬୭୦ ଲିଟରକୁ ଏବଂ ୨୦୫୦ ବେଳକୁ ୩୧୨୦ ଲିଟରକୁ ହ୍ରାସ ପାଇବ । ଫଳରେ ଚାହିଦା ଓ ଯୋଗାଣ ମଧ୍ୟରେ ରହିଥିବା ପାର୍ଥକ୍ୟ ଆହୁରି ବୃଦ୍ଧି ପାଇ ଗୁରୁତର ସଂକଟ ସୃଷ୍ଟି ହେବାର ଆଶଙ୍କାକୁ ଅସ୍ୱୀକାର କରାଯାଇନପାରେ । ବର୍ତ୍ତମାନ ଦୈନିକ ମୁଣ୍ଡ ପିଛା ଉପଲବ୍ଧ ଭୂତଳ ଜଳର ପରିମାଣ ପ୍ରାୟ ୫ ହଜାର ଲିଟର ଥିବାବେଳେ ଅନେକ ସଂଖ୍ୟକ ନଳକୂପରୁ ପାଣି ବାହାରୁ ନାହିଁ । ଯଦି ଦୈନିକ ମୁଣ୍ଡ ପିଛା ଉପଲବ୍ଧ ଭୂତଳ ଜଳର ପରିମାଣ ୩ ହଜାର ଲିଟରକୁ କମିଯାଏ, ତେବେ ଅବସ୍ଥା କେତେ ଗମ୍ଭୀର ହେବ ତାର ଆକଳନ ଆଦୌ କଠିନ ନୁହେଁ । ଭୂତଳ ଜଳଭଣ୍ଡାର ହ୍ରାସର ଏକ ମୁଖ୍ୟ କାରଣ ହେଲା ଭୂତଳ ଜଳର ଅବିଚାରିତ ମାତ୍ରାତିରିକ୍ତ ବ୍ୟବହାର, ଯାହାକୁ ଅପବ୍ୟବହାର ବୋଲି ମଧ୍ୟ କୁହାଯାଇପାରେ । କୃଷିରେ ଭୂତଳ ଜଳର ବ୍ୟବହାର ନିଶ୍ଚିତ ଭାବେ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଛି । କିନ୍ତୁ ଏ କ୍ଷେତ୍ରରେ କୌଣସି ନିୟନ୍ତ୍ରଣ ନ ରହିବାରୁ ବିପୁଳ ଜଳ ଅପଚୟ ମଧ୍ୟ ହେଉଛି । କୃଷି ପାଇଁ ରିହାତି କିମ୍ବା ମାଗଣାରେ ବିଦ୍ୟୁତ ଯୋଗାଣ ଭୂତଳ ଜଳର ଏ ପ୍ରକାର ଅପବ୍ୟବହାରକୁ ଉତ୍ସାହିତ କରିଛି । କେତେକ ରାଜ୍ୟରେ ଭୂତଳ ଜଳ ଉତ୍ତୋଳନ ନିୟନ୍ତ୍ରଣ ଓ ପରିଚାଳନା ପାଇଁ ନିୟମ ରହିଥିଲେ ସୁଦ୍ଧା ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ । ବିଡ଼ମ୍ବନାର ବିଷୟ ହେଲା, ଦେଶର ଯେଉଁସବୁ ଅଞ୍ଚଳରେ ଭୂତଳ ଜଳର ବ୍ୟବହାର ଯୋଗୁଁ ସବୁଜ ବିପ୍ଳବ ସଫଳ ହୋଇଥିଲା, ସେ ସବୁ ଅଞ୍ଚଳରେ କୃଷି ପାଇଁ ତ ଦୂରେ ଥାଉ ପାନୀୟ ଜଳ ଚାହିଦା ମେଣ୍ଟାଇବା ଲାଗି ମଧ୍ୟ ଭୂତଳ ଜଳ ପର୍ଯ୍ୟାପ୍ତ ନୁହେଁ । ସହରୀକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ଫଳରେ ସହରାଞ୍ଚଳରେ ମଧ୍ୟ ଭୂତଳ ଜଳର ବ୍ୟବହାର ବହୁଗୁଣ ବଢ଼ିଛି । ଜଳ ଯୋଗାଣ କ୍ଷେତ୍ରରେ ପୌରସଂସ୍ଥା ଗୁଡ଼ିକର ବିଫଳତା ସହରାଞ୍ଚଳର ଭୂତଳ ଜଳ ଉପରେ ନିର୍ଭରଶୀଳତା ବଢ଼ାଇଛି । ଶିଳ୍ପ ସଂସ୍ଥାଗୁଡ଼ିକ ଦ୍ୱାରା ମଧ୍ୟ ଗଭୀର ନଳକୂପ ମାଧ୍ୟମରେ ଭୂତଳ ଜଳର ମାତ୍ରାତିରିକ୍ତ ଉତ୍ତୋଳନ ଭୂତଳ ଜଳ ଉପରେ ଅତିରିକ୍ତ ଚାପ ପକାଉଛି । ଭୂତଳ ଜଳ ପ୍ରସଙ୍ଗରେ ଆଉ ଏକ ସମସ୍ୟା ହେଲା ଦେଶର ଅନେକ ସ୍ଥାନରେ ଭୂତଳ ଜଳର ସ୍ତର ତଳକୁ ତଳକୁ ଖସୁଛି । ବିଭିନ୍ନ କାରଣ ଭିତରେ ଜଙ୍ଗଲ ଧ୍ୱଂସ, ଗଛକାଟ ଏଥିପାଇଁ ଦାୟୀ । ତେଣୁ ସାଂପ୍ରତିକ ଜଳ କଷ୍ଟ ଏବଂ ଭୂତଳ ଜଳ ହ୍ରାସ ନେଇ ବିଶେଷଜ୍ଞମାନଙ୍କ ଚେତାବନୀକୁ କେବଳ ସରକାର ନୁହେଁ, ଜନସାଧାରଣ ମଧ୍ୟ ଗୁରୁତ୍ୱର ସହ ବିଚାର କରି ଆଗାମୀ ଦିନରେ ସଙ୍କଟର ମୁକାବିଲା କରିବା ସକାଶେ ଯୋଜନାବଦ୍ଧ ପ୍ରୟାସ କରିବା ଉଚିତ । ଉଭୟ ଭୂତଳ ଜଳ ଓ ବର୍ଷା ଜଳ ସଂରକ୍ଷଣ ପାଇଁ ନୀତି ନିର୍ଦ୍ଧାରଣ ହୋଇ ଯାଜନା ପ୍ରସ୍ତୁତ ହେବା ଉଚିତ । ପ୍ରଥମ କଥା ହେଲା ଅମୂଲ୍ୟ ଭୂତଳ ଜଳ ସମ୍ପଦର ମାତ୍ରାତିରିକ୍ତ ବ୍ୟବହାର ଉପରେ ଆଇନଗତ ନିୟନ୍ତ୍ରଣ ରହିବା ଏକାନ୍ତ ଆବଶ୍ୟକ ।
 

Comments