ଡ. ସମନ୍ୱୟ ନନ୍ଦ ଭୁବନେଶ୍ୱର
ଆଜିର ତାରିଖରେ ୧୯୪୭ ମସିହାରେ ଭାରତର ବିଭାଜନ ହୋଇଥିଲା । ଭାରତ ମାତାର ଶରୀରକୁ କାଟି ପାକିସ୍ତାନ ତିଆରି କରାଯାଇଥିଲା । ମାତୃଭୂମିର ବିଭାଜନର ଏହି ପୀଡା ଆଜି ବି ରହିଛି । ଅଥର୍ବ ବେଦର ପୃଥ୍ୱୀ ସୁକ୍ତରେ କୁହା ଯାଇଛି ଯେ ଏହି ଭୂମିରେ ଅନେକ ଭାଷା କହୁଥିବା ଓ ଅନେକ ଆଚାର ବିଚାରକୁ ମାନୁଥିବା ଲୋକ ମାନେ ରହନ୍ତି ହେଲେ ଏହି ଭୂମି ମାତା ନିଜର ସମସ୍ତ ପୁତ୍ର ମାନଙ୍କୁ ସମାନ ରୂପେ ଦୁଗ୍ଧ ପିଆଇଥାଏ । ସେ ମୋର ମାତା, ମୁଁ ତାର ପୁତ୍ର । କୃତଜ୍ଞତାରେ ଭରପୁର ଭାରତୀୟ ମନ ମାତା ଭୂମି ସମ୍ପର୍କ ଦ୍ୱାରା ନିଜକୁ ଏହି ଭୂମିର ମାନି ନେଲା । ବିଷ୍ଣୁ ପୁରାଣରେ ଉଲ୍ଲେଖ ରହିଛି – “ଉତରଂ ୟତ ସମୁଦ୍ରସ୍ୟ ହିମେଦ୍ରଶ୍ଚୈବ ଦକ୍ଷିଣମ । ବର୍ଷ ତଦ୍ ଭାରତଂ ନାମ ଭାରତୀ ୟତ୍ର ସନ୍ତତି । ।” ଅର୍ଥାତ ସମୁଦ୍ରର ଉତ୍ତରରେ ଓ ସାଗର ମଧ୍ୟରେ ଯେଉଁ ଭୂଭାଗ ରହିଛି ତାହା ହେଉଛି ଭାରତ ଓ ଏହାର ସନ୍ତାନ ମାନଙ୍କୁ ଭାରତୀ ବୋଲି କୁହାଯାଇଥାଏ । ବିଷ୍ଣୁପୁରାଣର ପୁରାଣକାର ଯଦି ଏହି ଭୂଭାଗକୁ କେବଳ ଭୌଗଳିକ ୟୁନିଟ ବୋଲି ମନେ କରି ଥାନ୍ତେ ତେବେ କହିଥାନ୍ତେ ହିମାଳୟ ଓ ସମୁଦ୍ର ମଧ୍ୟରେ ଥିବା କ୍ଷେତ୍ରର ଲୋକ ମାନଙ୍କୁ ଭାରତୀ ବା ଭାରତୀୟ କୁହାଯାଏ । କିନ୍ତୁ ପୁରାଣକାର ଏପରି କହି ନାହାନ୍ତି । ସେମାନେ କହିଛନ୍ତି ଯେ ଏହି କ୍ଷେତ୍ରର ସନ୍ତାନ ମାନଙ୍କୁ ଭାରତୀ ବା ଭାରତୀୟ କୁହାଯାଇଥାଏ । ଯଦି ଏହି ଭୂଭାଗରେ ରହୁଥିବା ନିବାସୀ ମାନଙ୍କୁ ନିବାସୀ ନ କୁହାଯାଇ ସନ୍ତାନ କୁହାଯାଉଛି ତେବେ ପୁରାଣକାର ଏହି ଭୂମିକୁ ନିର୍ଜୀବ ଭୂମି ବୋଲି ନ କହି ଜୀବନ୍ତ ବୋଲି ମନେ କରନ୍ତି । ତେଣୁ ଏହି ଭୂମି ଆଉ ନିର୍ଜୀବ ଭୂମି ଭାରତ ନ ହୋଇ ନ ରହି ଭାରତ ମାତାରେ ପରିବର୍ତିତ ହୋଇ ଯାଏ । ଏହି ସାଂସ୍କୃତିକ ଭାରତର ହଜାର ହଜାର ବର୍ଷର ଇତିହାସ ରହିଛି । ଏହି ଭାରତ ଉପରେ ଆଲେକଜାଣ୍ଡାର, ଶକ, ହୁଣ, କୁଶାଣ ପରି ଅନେକ ବାହ୍ୟ ଆକ୍ରମଣ ହୋଇଛି । ମାତ୍ର ପରବର୍ତୀ ସମୟରେ ସମସ୍ତେ ଭାରତୀୟ ସଂସ୍କୃତିରେ ମିଶି ଯାଇଛନ୍ତି । ସେମାନଙ୍କର ଚିହ୍ନ ବର୍ଣ ମଧ୍ୟ ଦେଖିବାକୁ ମିଳି ନାହିଁ । ପରବର୍ତୀ ସମୟରେ ବାହ୍ୟ ଇସଲାମୀ ଆକ୍ରମଣର ଭାରତର ବୀରପୁତ୍ର ମାନେ ଉପଯୁକ୍ତ ଜବାବ ଦେଇଥିଲେ । ପରବର୍ତୀ ସମୟରେ ଇଂରେଜ ମାନଙ୍କର ଶାସନ ଆସିଲା । ଇଂରେଜ ମାନେ ଭାଗ କର ଓ ଶାସନ କର ନୀତିରେ କାମ କରୁଥିଲେ । ପରବର୍ତୀ ସମୟର ମୁସଲମାନ ମାନଙ୍କ ନାମରେ ଭାରତ ମାତାର ବିଭାଜନ ପାଇଁ ଦାବି ହେଲା । ପ୍ରଥମେ ଏହି ଦାବିକୁ ସମସ୍ତେ ଅଗ୍ରାହ୍ୟ କଲେ । ମହାତ୍ମା ଗାନ୍ଧୀ ହରିଜନ ପତ୍ରିକାରେ ଏହି ଦାବି ସମ୍ପର୍କରେ ଲେଖିଲେ – “......ଦୁଇ ରାଷ୍ଟ୍ରର ସିଦ୍ଧାନ୍ତ ମୁର୍ଖତାପୂର୍ଣ ଅଟେ । ..... ଯାହାକୁ ଭଗବାନ ଗୋଟେ କରିଛନ୍ତି ମନୁଷ୍ୟ ତାକୁ କିପରି ଭାଙ୍ଗି ପାରିବ ? ” ଗାନ୍ଧୀଜୀ ଆହୁରି କହିଥିଲେ ଯେ - “.. ଭାରତକୁ ଦୁଇ ଭାଗରେ ବିଭାଜନ କରିବା ଅରାଜକତା ଠାରୁ ମଧ୍ୟ ଭୟଙ୍କର । ଏହି ଅଙ୍ଗ-ଭଙ୍ଗକୁ ସହନ କରା ଯାଇ ପାରିବ ନାହିଁ । ଭାରତକୁ ବିଭାଜନ କରିବା ପୂର୍ବରୁ ମୋ ଶରୀରକୁ ଭାଗ ଭାଗ କରି ଦିଅ । ଆପଣ ଏ ସବୁ କରିବେ ନାହିଁ ଯାହାକୁ ଭାରତରେ ଦୁଇ ଶତାବ୍ଦୀରୁ ଅଧିକ ଅତ୍ୟନ୍ତ ବିକଟାଳ ଶାସନକାଳରେ ମୋଗଲ ମାନେ ମଧ୍ୟ କରି ନ ଥିଲେ । ”– ଗାନ୍ଧୀଜୀ ଏହି ଦୁର୍ଭାଗ୍ୟପୂର୍ଣ ଦିବସ ଯାଏ ବିଭାଜନର ତୀବ୍ର ବିରୋଧ କରୁଥିଲେ । ତା ସତ୍ୱେ ତାଙ୍କ ଆଖି ଆଗରେ ବିଭାଜନର ଏହି ବିନାଶକାରୀ ଘଟଣା ଘଟିଲା । ପ୍ରଥମେ ଏହାକୁ ସମ୍ପୂର୍ଣ ରୁପେ ଅସ୍ୱୀକାର କରୁଥିବା ବେଳେ ଅଖିଳ ଭାରତୀୟ କଂଗ୍ରେସ କମିଟି ଜୁନ ୧୫ ତାରିଖ ଦିନ ଭାରତ ବିଭାଜନର ଯୋଜନାକୁ ଅନୁମୋଦନ ଦେଇ ଦେଲେ । କରାଚୀରେ ପ୍ରବେଶ କରୁଥିବା ସମୟରେ ମୋହମ୍ମଦ ଅଲି ଜିନ୍ନା ତାଙ୍କର ଏଡିସି (ସହଯୋଗୀ)ଙ୍କୁ କହିଥିଲେ – “ମୁଁ କଳ୍ପନା କରି ନ ଥିଲି ଯେଏପରି ହେବ । ମୁଁ କେବେ ଆଶା କରି ନ ଥିଲି ଯେ ବଂଚିଥିବା ଅବସ୍ଥାରେ ପାକିସ୍ତାନ ନିର୍ମାଣ ଦେଖି ପାରିବି । ” ଏହା ଫଳରେ ୧୪ ଓ ୧୫ ଅଗଷ୍ଟ ମଧ୍ୟ ରାତ୍ରୀରେ ଭାରତ ମାତାର ବିଭାଜନ କରି ଦିଆଗଲା । ଭାରତ ମାତାର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଦିଆଗଲା । ସେହି କାଳରାତ୍ରୀରେ ଯାହା ହେଲା ତାହା ଦେଶ ପ୍ରତି ଚରମ ବିଶ୍ୱାସଘାତକତା ଥିଲା । ଭାରତକୁ ସ୍ୱାଧୀନ କରିବାକୁ ପ୍ରାଣବଳୀ ଦେଇଥିବା ଶହୀଦ ମାନଙ୍କର ସ୍ପପ୍ନ ମାଟିରେ ମିଶି ଯାଇଥିଲା । କେତେ ଯେ କେତେ ଋଷି ମୁନି, କବି, ଦ୍ରଷ୍ଟା ବୈଦିକ କାଳରୁ ଆଜି ପର୍ଯନ୍ତ ରାଷ୍ଟ୍ରର ମାନସରେ ଦିବ୍ୟ ଭାରତ ମାତାର ସେହି ଅଖଣ୍ଡ ଓ ଅବିଭକ୍ତ ରୂପକୁ ପ୍ରତିସ୍ଥାପିତ କରି ଆସିଥିଲେ । ତାଙ୍କର ଦୃଷ୍ଟିରେ ଭାରତ କୌଣସି ମାଟିର ନିର୍ଜୀବ ବସ୍ତୁ ନ ଥିଲା । ଭାରତ ଥିଲା ତାଙ୍କ ପାଇଁ ମାତୃଭୂମି, ପୁଣ୍ୟଭୂମି, ଦେବ ଭୂମି, କର୍ମଭୂମି ଓ ଏହାର ଏକ ଉଦାତ୍ତ ରୂପ , ଏକ ବିରାଟ ଭାରତ ମାତା । ବଂକିମଚନ୍ଦ୍ରଙ୍କ ଦୃଷ୍ଟିରେ ଏହାର ତିନୋଟି ସ୍ୱରୁପ ଥିଲା, ମା ସରସ୍ୱତୀ, ଲକ୍ଷ୍ମୀ ଓ ମା ଦୁର୍ଗାଙ୍କର । ରବୀନ୍ଦ୍ରନାଥ ଠାକୁରଙ୍କ କଳ୍ପନାରେ ସେ ଥିଲେ ଦେବୀ ଭୁବନମନମୋହିନୀ । ସ୍ୱାମୀ ବିବେକାନନ୍ଦଙ୍କ ଦୃଷ୍ଟିରେ ସେ ୩୩ କୋଟି ଦେବୀ ଦେବତାଙ୍କ ମା’ ଥିଲେ । କିନ୍ତୁ ୧୪ ଓ ୧୫ ଅଗଷ୍ଟ ୧୯୪୭ର ଏହି କାଳ ରାତ୍ରୀରେ ଭାରତମାତାର ବିଭାଜନ ହୋଇଗଲା । ଭାରତ ବର୍ଷର କୋଟି କୋଟି ନିଷ୍ଠାବାନ ଲୋକ ହଠାତ ଧର୍ମାନ୍ଧ ହିନ୍ଦୁ ବିରୋଧୀ ରାଜ୍ୟର ଆଧିପତ୍ୟରେ ଚାଲିଗଲେ । ସିନ୍ଧୁ ନଦୀ ତାର ସନ୍ତାନ ମାନଙ୍କ ପାଇଁ ପର ହୋଇଗଲା । ଯେଉଁ ଠାରେ ମୁନି ଋଷି ମାନେ ବସି ବେଦ ରଚନା କରିଥିଲେ ସେହି ସ୍ଥାନ ତାଙ୍କର ଶତ୍ରୁ ମାନଙ୍କୁ ଦେଇ ଦିଆଗଲା । ବିଭାଜନ ପରେ ଯେଉଁ ନରସଂହାର ହେଲା ସେଥିରେ ଲକ୍ଷ ଲକ୍ଷ ନିର୍ଦୋଷ ଲୋକ ପ୍ରାଣ ହରାଇଲେ । ମନ୍ଦିର, ତୀର୍ଥ ସ୍ଥାନ ଆଦି ଅପବିତ୍ର କରି ଦିଆଗଲା । ଅଖଣ୍ଡ ଭାରତ କଣ କେବଳ ଏକ ସ୍ୱପ୍ନ ? ଏହା କେବଳ ସ୍ୱପ୍ନ ନୁହେଁ ଏକ ଶ୍ରଦ୍ଧା, ବିଶ୍ୱାସ । ଯେଉଁ ଆଖି ଭାରତକୁ ଭୂମି ଠାରୁ ଅଧିକ ମାତା ଭାବେ ଦେଖେ , ଯିଏ ସ୍ୱୟଂକୁ ଏହାର ସନ୍ତାନ ବୋଲି ମନେ କରେ, ଯିଏ ସକାଳୁ ଉଠି \"ସମୁଦ୍ରବସନେ ଦେବୀ ପର୍ବତସ୍ତନ ମଣ୍ଡଳେ, ବିଷ୍ଣୁପତ୍ନି ନମସ୍ତୁଭ୍ୟଂ ପାଦସ୍ପର୍ଶଂ କ୍ଷମସ୍ୱମେ ।’ ବୋଲି କହି ଏହାର ଧୁଳିକୁ ନିଜ ମସ୍ତକରେ ଲଗାଏ. ବନ୍ଦେ ମାତରମ ଯାହାର ରାଷ୍ଟ୍ର ଗାନ, ଏପରି ଅସଂଖ୍ୟ ଲୋକ ମାତୃଭୂମିର ବିଭାଜନକୁ କିପରି ଭୂଲି ପାରିବେ । ଆଜି ହେଉଛି ଭାରତକୁ ଅଖଣ୍ଡ କରିବାର ପାଇଁ ସଂକଳ୍ପ ନେବାର ଦିନ ।
Comments
Post a Comment