ଯୋଗାଭ୍ୟାସର ଆବଶ୍ୟକତା




ବିପିନ ବିହାରୀ ମହାନ୍ତି

ଯୋଗ ବା ଆସନ ଭାରତ ପାଇଁ କିଛି ନୂଆ କଥା ନୁହେଁ । ଏହା ଭାରତର ନିଜସ୍ୱ ସ୍ୱାସ୍ଥ୍ୟ ବିଜ୍ଞାନ । ପରବର୍ତ୍ତୀ ସମୟରେ ଏହାର ଗୁରୁତ୍ୱ ଉପଲବ୍ôଧ କରି ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରମାନେ ଭାରତରୁ ଏ ବିଦ୍ୟା ଗ୍ରହଣ କଲେ ଏବଂ ଉପକୃତ ହେଲେ । ‘ଆମରି ସ୍ୱାସ୍ଥ୍ୟ, ଆମ ଜୀବନ’ ଦୃଷ୍ଟିରୁ ଏହାକୁ ଆନ୍ତର୍ଜାତିକ ସ୍ତରରେ ବିଚାର କରି ‘ସର୍ବଜନ ଏବଂ ସର୍ବବିଶ୍ୱ’ ଗ୍ରହଣାର୍ଥେ ତଥା ଏ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଜାତିସଂଘର ବିଶ୍ୱ ସ୍ୱାସ୍ଥ୍ୟ ସଂଘ ତରଫରୁ ଗତ ୨୦୧୪ରେ ଜୁନ ୨୧ ତାରିଖକୁ ପ୍ରତିବର୍ଷ ଯୋଗ ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରିଛନ୍ତି ଏବଂ ସେହି ଅନୁସାରେ ଜୁନ୍ ୨୦୧୫ରେ ଏହା ବିଶ୍ୱରେ ପ୍ରଥମକରି ପାଳନ କରାଗଲା । ଏଥିରେ ଜାତିସଂଘ ଅନ୍ତର୍ଭୁକ୍ତ ୧୯୧ଟି ରାଷ୍ଟ୍ରରେ ୨୫୧ଟି ସ୍ଥାନର କିଛି ଝଲକ ଗଣମାଧ୍ୟମ ଏବଂ ସର୍ବୋପରି ଦୂରଦର୍ଶନ ଜରିଆରେ ପ୍ରସାରଣ କରାଯାଇଥିଲା । ଏଥିରେ ପାଖାପାଖି ୧୦କୋଟି ଲୋକ ଅଂଶଗ୍ରହଣ କରିଥିଲେ । ଏହା ମଧ୍ୟ ଗିନିସ୍ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନିତ ହୋଇଛି । ଯୋଗ ଏକ ଆସନ, ଏକ ବିଜ୍ଞାନ ଏବଂ ଏକ ଚିକିତ୍ସା ଯାହାର ଅଭ୍ୟାସ ଦ୍ୱାରା କେବଳ ରୋଗର ଚିକିତ୍ସା କରାଯାଏ ନାହିଁ ଅପରନ୍ତୁ ରୋଗକୁ ଶରୀର ମଧ୍ୟରେ ପ୍ରବେଶ କରିବାକୁ ଦିଏ ନାହିଁ । ରୋଗ ହେବା ପୂର୍ବରୁ ସେତାକୁ ନିବାରଣ କରିଥାଏ । ଏହା ଶାରୀରିକ, ମାନସିକ, ପ୍ରାବଣିକ ଏବଂ ଆତ୍ମିକ ସନ୍ତୁଳନ ରକ୍ଷା କରେ । ଏହା ଶିଶୁଠାରୁ ବୟସ୍କ ବା ବୃଦ୍ଧ ଯାଏଁ ସର୍ବ ସାଧାରଣ: ଯୋଗୀ, ରୋଗୀ ଏବଂ ଭୋଗୀଙ୍କ ପାଇଁ ଆବଶ୍ୟକ ଅଟେ । ବହୁ ପୁରାତନ କାଳରୁ ଆମର ଯୋଗୀ ୠଷିମାନେ ଯୋଗାସନ କରି ଆସୁଛନ୍ତି । ଏହି ଯୋଗାସନ ଶରୀରକୁ କେବଳ ସୁସ୍ଥ, ସବଳ, ନୀରୋଗ ଓ କର୍ମଠ କରେନାହିଁ, ତାହା ସହିତ ଦୀର୍ଘ ଜୀବନ ଯାପନ କରିବାରେ ସହାୟକ ହୁଏ । ଦେହ ଓ ମନକୁ ପ୍ରଫୁଲ ରଖେ, ନୂତନ ଶକ୍ତି ଓ କର୍ମକରିବାର ପ୍ରେରଣା ଦିଏ । ଯୋଗାସନ ନିୟମିତ ଅଭ୍ୟାସ କଲେ ରକ୍ତ ସଂଚାଳନ, ଶ୍ୱାସକ୍ରିୟା, ପରିପାକ ଓ ମଳ ନିଷ୍କାସନ ଇତ୍ୟାଦି ଅଧିକ କ୍ରିୟାଶୀଳ ହୁଏ । ଯୋଗାଭ୍ୟାସ ଦ୍ୱାରା ମଣିଷ ବିନା ଔଷଧ ସେବନ ଦ୍ୱାରା ନୀରୋଗ ଓ କାର୍ଯ୍ୟକ୍ଷମ ରୁହେ, ଦୀର୍ଘାୟୁ ହୁଏ ଓ ତାର ସ୍ମରଣ ଶକ୍ତି, ଶ୍ରବଣ ଶକ୍ତି ଏବଂ ଦୃଷ୍ଟିଶକ୍ତି ଇତ୍ୟାଦି ବୃଦ୍ଧି ପାଏ । ଯୋଗାଭ୍ୟାସ ପାଇଁ କେତେକ ସ୍ୱାସ୍ଥ୍ୟ ପ୍ରଦାୟକ ଆସନ ଅଛି, ପ୍ରତିଟି ଯୋଗ ବା ଆସନର ଶରୀର ପ୍ରତି ନିର୍ଦ୍ଧିଷ୍ଟ ଉପକାରିତା ଅଛି । ଏଠାରେ କେତୋଟିର ଉପସ୍ଥାପନା କଲୁ । ଭୁଜଙ୍ଗା ସନ : ଏହି ଆସନ ଦ୍ୱାରା ପେଟ, ଅଣ୍ଟା, ଛାତି ଓ ପେଟର ପେଶୀମାନଙ୍କ ଉପରେ ଚାପପଡ଼ିବା ଦ୍ୱାରା ସେମାନଙ୍କର ହଜମ ଶକ୍ତି ବୃଦ୍ଧିପାଏ । ଏ ଆସନ ବାଳକ ଓ ସ୍ତ୍ରୀମାନଙ୍କ ପାଇଁ ଜରୁରୀ । ଏଥିରେ ଜରାୟୁ ଜନିତ ଯେ କୌଣସି ବ୍ୟାଧି ଦୂର ହୁଏ । ଧନୁରାସନ : ଏହା ଆଜୀର୍ଣ୍ଣ, ବାତ ଓ ମଳମୂତ୍ର ଇତ୍ୟାଦି ରୋଗରୁ ରକ୍ଷାକରେ । ପେଟରେ ମେଦବୃଦ୍ଧି ଦୂରକରେ । ପ୍ଲୀହା ଓ ଯକୃତର ଦୋଷ ନଷ୍ଟ କରେ, କୋଷ୍ଠ କାଠିନ୍ୟ ଦୂରକରି ହଜମଶକ୍ତି ବଢ଼ାଏ ଏବଂ ଆଳସ୍ୟ ଦୂରକରେ । ପଦ୍ମାସନ : ପ୍ରାଣାୟମ, ଜପ, ଧ୍ୟାନ ଏବଂ ମନର ଏକାଗ୍ରତା ଆଣିବା ପାଇଁ ପଦ୍ମାସନ ସର୍ବଶ୍ରେଷ୍ଠ ଯୋଗାସନ । ଏହି ଆସନ ଦ୍ୱାରା ଫୁସ୍‌ଫୁସ୍ ଶୁଦ୍ଧହୁଏ, ଜ୍ଞାନ ତନ୍ତୁମାନଙ୍କୁ ଅଧିକ ଶକ୍ତିମିଳେ, ଛାତିର ଅଧିକାଂଶ ରୋଗରୁ ରକ୍ଷାମିଳେ । ଯୋଗ ମୁଦ୍ରା : ଏହି ଆସନ ଦ୍ୱାରା ଯେତେ ପୁରାତନ ହେଉନା କାହିଁକି କୋଷ୍ଠବଦ୍ଧତା, ଆମାଶୟ ଦୂରହୁଏ । ରୋଗୀଙ୍କ ପାଇଁ ଏ ଆସନ ଜରୁରୀ ଅଟେ । ବଜ୍ରାସନ : ଏହା ଏକ ବାତ ନାଶକାରୀ ଆସନ । ଏହାଦ୍ୱାରା ଶ୍ୱାସକ୍ରିୟା ମନ୍ଥର ହୁଏ; ମନର ଚଞ୍ଚଳତା ଦୂରହୁଏ, ଶରୀର ନୀରୋଗ ଓ ସୁନ୍ଦରହୁଏ । ଆଣ୍ଠୁ, ପାଦ, ଜଂଘ ଶକ୍ତିଶାଳୀ ହୁଏ, ଖାଦ୍ୟ ସହଜରେ ହଜମହୁଏ । ମତ୍ସ୍ୟାସନ :ଏଥିରେ ଫୁସ୍ ଫୁସ୍ ଦୋଷ ନଷ୍ଟ ହୁଏ, ଶ୍ୱାସରୋଗ ଆରୋଗ୍ୟ ହୁଏ; ମ୍ୟାଲେରିଆ ଦୂର ହୁଏ । ପ୍ଲୀହା ରୋଗ ଆରୋଗ୍ୟ ହୁଏ । ମୟୁରାସନ : ଏହି ଆସନଦ୍ୱାରା ଜୀଣ୍ଣ ଶକ୍ତି ଅତିମାତ୍ରାରେ ବୃଦ୍ଧିପାଏ । ପାକସ୍ଥଳୀ, ଯକୃତ ଓ ପ୍ଲୀହା ରୋଗ ଦୂରହୁଏ । ବହୁମୁତ୍ରୀଙ୍କ ପାଇଁ ଏ ଅଭ୍ୟାସ ଏକ ମହୋଷଧି । ଶୀର୍ଷାସନ : ଏହା ବ୍ରହ୍ମଚର୍ଯ୍ୟ ରକ୍ଷାରେ ସାହାଯ୍ୟ କରେ । ମସ୍ତିଷ୍କର ସ୍ମୃତି ଶକ୍ତି ଅଧିକ କରେ । ଏହି ଆସନଦ୍ୱାରା ଆଖି, କାନ, ନାକ, ମୁଣ୍ଡ, ଚକା, ପାକସ୍ଥଳୀ, ଫୁସ୍‌ଫୁସ୍‌, ପ୍ଲୀହା ଓ ଯକୃତ ଆଦିର ରୋଗ ଦୂର ହୁଏ । ସର୍ବାଙ୍ଗସନ : ଏହି ଆସନଦ୍ୱାରା ଶରୀରର ଅନାବଶ୍ୟକ ମେଦ ନଷ୍ଟହୁଏ । ଶରୀର ନୀରୋଗ ଓ କର୍ମଠ ହୁଏ । କୋଷ୍ଠ କାଠିନ୍ୟ ଦୂରହୁଏ । ମେରୁଦଣ୍ଡ ସତେଜ ଓ ନମନୀୟତା ରୁହେ ଏବଂ ଟନସିଲ୍ ଦୋଷ ନଷ୍ଟହୁଏ । ହଳାସନ : ଏହି ଆସନ ଟନସିଲ୍‌ର ଦୋଷ ନଷ୍ଟ କରେ, ପାକସ୍ଥଳୀ ଓ ଅଣ୍ଟାକୁ ଅଧିକ ଶକ୍ତିଶାଳୀ ଓ କାର୍ଯ୍ୟକ୍ଷକ କରେ, କୋଷ୍ଠକାଠିନ ଦୂରକରି କ୍ଷୁଧା ବଢ଼ାଏ । ଆଳସ୍ୟ ଦୂରକରେ । ସୂର୍ଯ୍ୟାସନ : ଏହା ଶରୀରରେ ଦୃଢ଼ତା ଓ ନମନୀୟତା ଆଣେ । ସଂପୂର୍ଣ୍ଣ ଶରୀର ଏହି ବ୍ୟାୟାମରେ ଅଂଶ ଗ୍ରହଣ କରେ । ଏହା ଶ୍ୱସନ ଓ ପାକ କ୍ରିୟାରେ ସୁପ୍ରଭାବ ପକାଏ । ଶରୀରର ଜ୍ୟୋତି ବୃଦ୍ଧିକରେ । ଏହା ବହୁ ସ୍ୱାସ୍ଥ୍ୟ ପ୍ରଦାୟକ । ଆସନ ପାଇଁ କିଛିଟା ସତର୍କତା ଅଛି । ସବୁ ଆସନ ସମସ୍ତଙ୍କ ପାଇଁ ସାଧାରଣ ନୁହେଁ । ବୟସ ନେଇ କେତେକ ଆସନ ଶିଶୁ ଓ ବୃଦ୍ଧଙ୍କ ପାଇଁ ମନା । ଅନ୍ୟାନ୍ୟ ଶାରୀରିକ ଅସୁବିଧା ଥିଲେ ଆସନ ମନା । ପୁନଶ୍ଚ ଆସନ ସବୁ ସମୟରେ କରାଯାଏ ନାହିଁ । ମୁଖ୍ୟତଃ ଅଧିକାଂଶ ଯୋଗ ବା ଆସନ ସକାଳେ ହେଲେ ହେଁ, କେତେକଙ୍କୁ ଅନ୍ୟାନ୍ୟ ସମୟରେ ନିର୍ଦ୍ଧିଷ୍ଟ କରାଯାଇଛି । ଏଥି ପାଇଁ ଯୋଗଗୁରୁଙ୍କ ପରାମର୍ଶ ନେଇ ଆସନ କରିବା ଭଲ । 
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ ବିକାଶ ନଗର, ଜଟଣୀ, ଖୋର୍ଦ୍ଧା, ମୋ୯୯୩୮୩୪୪୧୩୮

Comments