ଆତଙ୍କବାଦର ଅନ୍ତୁଡିଶାଳ ପାକିସ୍ତାନ

ପାକିସ୍ତାନ ନିଜ ମାଟିରେ ଆତଙ୍କବାଦକୁ ସୁରକ୍ଷା ଏବଂ ପ୍ରୋତ୍ସାହନ ପ୍ରଦାନ କରିଥିବା ବେଳେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ନିମନ୍ତେ ପାକିସ୍ତାନ ହିଁ ଦାୟୀ ।  ପାକିସ୍ତାନ ଏହାର ସମସ୍ତ କଳବଳ କୋ÷ଶଳ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାରେ ବିନିଯୋଗ କରିଛି । ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିଛି । ୟୁରୋପୀୟ ରାଷ୍ଟ୍ର ସଂଘର ବହୁ ବରିଷ୍ଠ ସାଂସଦ ଓ ମନ୍ତ୍ରୀ ଏହି ମତବ୍ୟକ୍ତ କରିବା ସହିତ ଆତଙ୍କବାଦ ବିରୋଧି ଲଢ଼େଇରେ ଭାରତକୁ ସମର୍ଥନ କରିଛନ୍ତି । ଏବେ ଆତଙ୍କବାଦ ପ୍ରସଙ୍ଗରେ ହନୁ ମଲାବେଳେ ସତ କହିଲା ଭଳି ପାକିସ୍ତାନ ସତ ସ୍ୱୀକାର କରିଛି । ପାକିସ୍ତାନର ପୁରୁଣା ବନ୍ଧୁ ଆମେରିକା ଚାହିଁଲେ ମଧ୍ୟ ମୋଦିଙ୍କ ଦୃଢତା ଯୋଗୁ କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ଅବସର ସୃଷ୍ଟି କରିପାରୁ ନାହିଁ ଅଥବା ସୁଯୋଗ ପାଇ ନାହିଁ । ସେପଟେ ଦେବାଳିଆ ହୋଇଯାଇଥିବା ପାକିସ୍ତାନ ଉପରେ ଏବେ ଏଫଏଟିଏଫ କଟକଣା ଖଣ୍ଡା ଭଳି ଝୁଲୁଛି । ଏଭଳି ସମୟରେ ଆତଙ୍କବାଦକୁ ନେଇ ପାକିସ୍ତାନ ଏକ ନୂଆ ଗୋଟି ଚଳାଇଛି । ଏପରିକି ଆମେରିକା ଯୋଗୁ ହିଁ ପାକିସ୍ତାନ ଆଜି ଏଭଳି ଦୁର୍ଦ୍ଦଶା ଭୋଗୁଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଋଷିଆ ଟୁଡେକୁ ଏକ ସାକ୍ଷାତକାର ଦେଇ ଅଭିଯୋଗ କରିଛନ୍ତି । ସେ କହିଛନ୍ତିଯେ, ଆଜି ଯାହାକୁ ପୁରା ବିଶ୍ୱ ଆତଙ୍କବାଦ ବୋଲି କହୁଛି,ତାହାକୁ ଶୀତଳ ଯୁଦ୍ଧ ସମୟରେ ଆମେରିକା ସୃଷ୍ଟି କରିଥିଲା । ଇସଲାମର ରକ୍ଷା ପାଇଁ ଏହାକୁ ଜିହାଦ କୁହାଯାଉଥିଲା । ଆଫଗାନିସ୍ତାନରୁ ସୋଭିଏତ ୟୁନିୟନକୁ ବିତାଡିତ କରିବାପାଇଁ ଆମେରିକାର ପ୍ରରୋଚନାରେ ଜିହାଦୀମାନଙ୍କୁ ସୃଷ୍ଟି କରାଯାଇଥିଲା । ସିଆଇଏ ଅର୍ଥରେ ପାକିସ୍ତାନ ଆତଙ୍କବାଦୀ(ମୁଜାହିଦ୍ଦିନ)ଙ୍କୁ ପ୍ରଶିକ୍ଷଣ ଦେଇ ଆଫଗାନିସ୍ତାନ ପଠାଇଥିଲ।। ଏହା ଦ୍ୱାରା ପାକିସ୍ତାନ ପରିସ୍ଥ୍ିତିର ଶିକାର ହୋଇଥିବା ସେ କହିଛନ୍ତି । ୯/୧୧ ପରେ ଆମେରିକାର ଆଫଗାନ ଯୁଦ୍ଧରେ ପାକିସ୍ତାନ ସାମିଲ ହେବା ଉଚିତ ନଥିଲା । ଆସନ୍ତା ମାସ ମଧ୍ୟଭାଗରେ ପ୍ୟାରିସରେ ଅନୁଷ୍ଠିତ ହେବାକୁ ଯାଉଛି ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ) ବୈଠକ । ଏଥିରେ ପାକିସ୍ତାନକୁ କଳାତାଲିକା ଭୁକ୍ତ କରାଯାଇପାରେ । କାରଣ ଗତ ଜୁନ ମାସରେ ଆତଙ୍କବାଦ ବିରୋଧରେ ପାକିସ୍ତାନକୁ ୧୦ସୂତ୍ରୀ କାର୍ଯ୍ୟାନୁଷ୍ଠାନ କରିବାକୁ ଏଫଏଟିଏଫ ନିର୍ଦ୍ଦେଶ ଦେଇଥିଲା । ହେଲେ ପାକିସ୍ତାନକୌଣସି କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତ୍ତେ ଲୋକଦେଖାଣିଆ ଭାବେ ଯେଉଁ କିଛି ଆତଙ୍କବାଦୀଙ୍କୁ ଗିରଫ କରିଥିଲା ସେମାନଙ୍କୁ ମଧ୍ୟ ମୁକ୍ତ କରିଦେଇଛି । ଓଲଟି ସେମାନଙ୍କ ସହ ପାକିସ୍ତାନର ସେନା ଅଧିକାରୀମାନେ କିପରି ଭାରତ ଉପରେ ଆକ୍ରମଣ କରାଯାଇପାରିବ ସେଥିନେଇ ବିଚାରବିମର୍ଶ କରୁଥିବାର ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ଏବେ ଏଫଏଟିଏଫର ଅଧ୍ୟକ୍ଷ ଥିବା ଚୀନକୁ ହାତବାରିସି କରି ପାକିସ୍ତାନ ବିଶ୍ୱବାସୀଙ୍କୁ ଆତଙ୍କବାଦ ପ୍ରସଙ୍ଗରେ ବିଭ୍ରାନ୍ତ କରି ବ୍ଲାକଲିଷ୍ଟ ହେବାରୁ ବର୍ତ୍ତି ଯିବାକୁ ଅପଚେଷ୍ଟା କରୁଛି । ଏଫଏଟିଏଫରେ ଆମେରିକା ପାକିସ୍ତାନ ବିରୋଧରେ ମୁହଁ ଖୋଲିଲେ ୧୯୮୦ ଦଶକରେ ତାଲିବାନ ସୃଷ୍ଟିରେ ଆମେରିକାର ଭୂମିକା ସମ୍ପର୍କରେ କହି ପାକିସ୍ତାନ ଆମେରିକାର ମୁହଁ ଚୁପ କରିବାକୁ ଗୋଟି ଚଳାଇଛି । କିନ୍ତୁ ଏହାର ପ୍ରଭାବ ବାସ୍ତବତାରେ କିଭଳି ରହିବ ତାହା ଆସନ୍ତା ମାସ ଏଫଏଟିଏଫ ବୈଠକରେ ଜଣାପଡିବ । ପ୍ରକାଶ ଥାଉକି ଗତ ମାସ ୨୩ରେ ଏଫଏଟିଏଫର କ୍ଷେତ୍ରୀୟ ଶାଖା ଏସିଆ ପେସିଫିକ ଗ୍ରୁପ(ଏପିଜି) ପାକିସ୍ତାନକୁ କଳା ତାଲିକାଭୁକ୍ତ କରିସାରିଛି । ଯଦି ଏଫଏଟିଫ ମଧ୍ୟ ପାକିସ୍ତାନକୁ ବ୍ଲାକଲିଷ୍ଟ କରିଦିଏ ତେବେ କାଙ୍ଗାଳ ପାକିସ୍ତାନ ପାଇଁ ଏହା ଘାତକ ହେବ । ଏହି ଦେଶ କେବଳ ବିଦେଶୀ ଅନୁଦାନ ଉପରେ ନିର୍ଭର କରି ଚଳେ । ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ତେଣୁ ଇମ୍ରାନ ଖାନ ଏହି ଚାଲ ଦ୍ୱାରା ଆମେରିକାକୁ ବ୍ଲାକମେଲ କରୁଥିବା କୁହାଯାଉଛି ।
୧୯୪୭ ଯୁଦ୍ଧ ପରେ ପାକିସ୍ତାନ ଭାରତ ସାଙ୍ଗେ ଆଉ ତିନିଥର ଯୁଦ୍ଧ କରିଛି । ୧୯୬୫ ଯୁଦ୍ଧରେ ଅସଫଳ ହେଲା କାଶ୍ମୀର ଛଡ଼େଇ ନେବାରେ । ୧୯୭୧ ଯୁଦ୍ଧରେ ପୂର୍ବପାକିସ୍ତାନକୁ ହରେଇଲା ଓ ୧୯୯୯ ଯୁଦ୍ଧରେ କାରଗିଲରୁ ପାକିସ୍ତାନ ସୈନ୍ୟଙ୍କୁ ଆମ ସୈନ୍ୟବାହିନୀ ହଟେଇଦେଲେ । ୧୯୭୧ ଯୁଦ୍ଧରେ ଶୋଚନୀୟଭାବେ ହାରିବାରୁ ପାକିସ୍ତାନ ବଡ଼ ଅପମାନିତ ହେଲା । ଆମେରିକାରୁ ଆର୍ôଥକ, ସାମରିକ ସାହାଯ୍ୟ ଓ ଚୀନର ସମର୍ଥନ ପାଇ ମଧ୍ୟ ୧୯୬୫ ଓ ୧୯୭୧ରେ ଅନୁଷ୍ଠିତ ୨ଟି ପୂର୍ଣ୍ଣାଙ୍ଗ ଯୁଦ୍ଧରେ ପାକିସ୍ତାନ ଭାରତ ଠାରୁ ହାରିଯାଇଥିଲା । ଶୀତଳଯୁଦ୍ଧ ପରେ ପାକିସ୍ତାନ ନିଷ୍ପତି ନେଲା ଯେ ପ୍ରତ୍ୟକ୍ଷ ଯୁଦ୍ଧ ନକରି ଭାରତ ସହ ଛଦ୍ମଯୁଦ୍ଧ କରିବ । ଶୀତଳ ଯୁଦ୍ଧ ସମୟରେ ସୋଭିଏତ ୟୁନିୟନ ବିରୋଧି ଆମେରିକାର ଆର୍ଥିକ ସହାୟତାରେ ଏହି ଦେଶ ସୃଷ୍ଟି କରିଥିବା ଆତଙ୍କବାଦୀଙ୍କୁ ଭାରତକୁ ପଠେଇବ ।
କାଶ୍ମୀର ପ୍ରସଙ୍ଗ ନେଇ ଭାରତ ସହିତ ପରମାଣୁ ଯୁଦ୍ଧ ପାଇଁ ଧମକ ଦେଇଥିବା ପାକିସ୍ତାନର ଅର୍ଥନୀତି ଏବେ ଶୋଚନୀୟ । ଦେଶରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଘୋର ଅଭାବ ସହିତ ଏହାର ଦର ଏବେ ଆକାଶ ଛୁଆଁ । ଫଳରେ ସାଧାରଣ ଜନତା ପେଟପୁରା ଖାଇବାକୁ ସକ୍ଷମ ହେଉ ନାହାଁନ୍ତି । କ୍ଷୁଦ୍ର ବ୍ୟବସାୟୀ ଓ ଚାଷୀମାନେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ଲୋକଙ୍କ ନିକଟରେ ବିଭିନ୍ନ ସାମଗ୍ରୀ କ୍ରୟ କରିବାର ଶକ୍ତି ନାହିଁ । ଏକ ସୂଚନାରୁ ଜଣାପଡ଼ିଛି ଯେ, ପାକିସ୍ତାନରେ ଏବେ ଯେତିକି ପେଟ୍ରୋଲ ଓ ଡିଜେଲ୍ ରହିଛି ସେସବୁ ୨୬ ଦିନରେ ସରିଯିବ । ବିଦେଶରୁ ତୈଳ ଆମଦାନୀ ପାଇଁ ପାକିସ୍ତାନ ନିକଟରେ ପର୍ଯ୍ୟପ୍ତ ବୈଦେଶିକ ବିନିମୟ ମୁଦ୍ରା ନାହିଁ । ସେଥିପାଇଁ ଦେଶରେ ପେଟ୍ରୋଲ ଲିଟର ପିଛା ଦର ୧୧୩ ଟଙ୍କା ଓ ଡିଜେଲ ଦର ୯୧ଟଙ୍କାରେ ପହଂଚିଛି । ଏହା ଆଗକୁ ଆହୁରି ବଢ଼ିବାର ସମ୍ଭାବନା ରହିଛି । କରାଚୀରେ ଏବେ କ୍ଷିର ଲିଟର ପିଛା ଦର ୧୪୦ଟଙ୍କା ହୋଇଛି । ଅର୍ଥାତ୍ ପେଟ୍ରୋଲ୍ ଠାରୁ କ୍ଷୀର ଦର ଅଧିକ ହୋଇଛି । ଏଭଳି ପରିସ୍ଥିତିରେ ଚା’ ପିଇବା ମଧ୍ୟ କଷ୍ଟକର ହେଲାଣି । ଚା’ କପ୍ ପିଛା ଦର ମଧ୍ୟ ସେହି ଅନୁପାତରେ ବଢ଼ିଛି ଏବଂ ଏହା ୧୦ଟଙ୍କାରୁ ବଢ଼ି ବଢ଼ି ୩୦ ଟଙ୍କା ହେଲାଣି । ଲୋକେ ଚା’ ପିଇବା ବନ୍ଦ କରିଦେବା ଫଳରେ ଚା’ ବିକାଳିମାନେ ନିଜ ଦୋକାନ ବନ୍ଦ କରିବାକୁ ବାହାରିଲେଣି । ଗତ ଦୁଇ ଦିନ ଭିତରେ ଅର୍ଥାତ୍ ମହରମଠାରୁ ପରିସ୍ଥିତି ଅଧିକ ସଙ୍ଗୀନ ହୋଇପଡ଼ିଛି ।ଏଭଳି ପରିସ୍ଥିତିରେ ଦେଶର ପ୍ରମୁଖ ସହର ଓ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ପେଟ୍ରୋଲ ପମ୍ପ ସବୁ ଖାଲି ପଡ଼ିଛି । କାଁ ଭାଁ ଗାଡ଼ି ଲାଗୁଛି । ଯିଏ ବି ତେଲ ନେଉଛି ଖୁବ୍ କମ୍ ପରିମାଣର । ସରକାରୀ ଗାଡ଼ି ଚଳାଚଳ ଉପରେ କଟକଣା । ଧନୀ ବ୍ୟକ୍ତିଙ୍କୁ ଛାଡ଼ି ଦେଲେ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଗାଡ଼ି ଚଳାଇବା ଏପରିକି ଦୁଇଚକିଆ ଯାନ ଚଳାଇବା ଛାଡ଼ି ଦେଲେଣି । ତୈଳ ଦର ବୃଦ୍ଧି ହେତୁ ବସ୍ ଭଡ଼ା ମଧ୍ୟ ତିନିଗୁଣ ହୋଇଛି । \nଟ୍ରକ୍ରେ ମାଲ୍ ପରିବହନ ମଧ୍ୟ ବ୍ୟୟବହୁଳ ହୋଇଯାଇଛି । ଫଳରେ ପନିପରିବାଠାରୁ ଆରମ୍ଭ କରି ସବୁ ସାମଗ୍ରୀର ଦର ବଢ଼ିଛି । 

Comments