ମହାପାତ୍ର ନୀଳମଣି ସାହୁ


ଡ଼ଃ.ଅରୁନ୍ଧତୀ ଦେବୀ
ଅଧ୍ୟାପନା ବୃତ୍ତିରେ ଥାଇ ସାହିତ୍ୟ ସାଧନା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ଓଡ଼ିଆ ସାରସ୍ୱତ ସାଧକଙ୍କ ମଧ୍ୟରୁ ମହାପାତ୍ର ନୀଳମଣି ସାହୁ ଅନ୍ୟତମ । ତାଙ୍କ ରଚିତ ଏକାଧିକ ଗଳ୍ପ, ଉପନ୍ୟାସ, ରମ୍ୟ ରଚନା, ପ୍ରବନ୍ଧ, ଅନୁବାଦ ଓ ଶିଶୁ ସାହିତ୍ୟ ଦ୍ୱାରା ଓଡ଼ିଆ ସାରସ୍ୱତ ଭଣ୍ଡାର ସମୃଦ୍ଧ ହୋଇଛି । ଅବିଭକ୍ତ କଟକ ଜିଲ୍ଲାର ନିଆଳି ଗ୍ରାମରେ ନୀଳମଣି ଜନ୍ମ ହୋଇଥିଲେ । ରେଭେନ୍ସା କଲେଜରୁ ଓଡ଼ିଆ ସାହିତ୍ୟରେ ସ୍ନାତକୋତ୍ତର ଉତୀର୍ଣ୍ଣ ପରେ ଅଧ୍ୟାପନାକୁ ବୃତ୍ତି ଭାବେ ଗ୍ରହଣ କରିଥିଲେ । ପ୍ରଥମ କ୍ଷୁଦ୍ର ଗଳ୍ପ ପ୍ରେମ ଓ ତ୍ରିଭୁଜ ୧୯୫୨ରେ ପ୍ରକାଶିତ ହୋଇଥିଲା । ନୀଳମଣିଙ୍କ ରଚିତ ଅଭିଶପ୍ତ ଗନ୍ଧର୍ବ ଓ ଆକାଶ ପାତାଳ ଯଥାକ୍ରମେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ପୁସ୍ତକ । ଅନ୍ଧ ରାତିର ସୂର୍ଯ୍ୟ, ସୁମିତ୍ରାର ହସ, ଧରା ଓ ଧାରା, ତାମସୀ ରାଧା, ମିଛ ବାଘ, ଶୃଣ୍ୱନ୍ତୁ ସର୍ବେ ଅମୃତସ୍ୟ ପୁତ୍ରା, ଅନ୍ୟ ରୂପ ରୂପାନ୍ତର, ରାନୁ ଅପା ଠାରୁ ପୁଷି ପର୍ଯ୍ୟନ୍ତ ଆଦି ତାଙ୍କର ପ୍ରସିଦ୍ଧ ସାହିତ୍ୟ କୃତୀ ମଧ୍ୟରୁ ଅନ୍ୟତମ । ଶିଶୁ ସାହିତ୍ୟ ବିହଙ୍ଗ ବିପ୍ଳବ ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ପାଠକୀୟ ଆଦୃତି ଲାଭ କରିଥିଲା । ସେ ଥିଲେ ଯୋଗୀ ଶ୍ରୀ ଅରବିନ୍ଦଙ୍କ ପରମ ଶ୍ରଦ୍ଧାଳୁ । ଭକ୍ତି ଯୋଗ, ଶ୍ରୀଅରବିନ୍ଦଙ୍କ ଯୋଗ, ଭବାନୀ ଭାରତୀ ଭଳି ପୁସ୍ତକର ସଫଳ ଅନୁବାଦ କରିଥିଲେ । ଷାଠିଏ ଦଶକର ସବୁଠାରୁ ଲୋକପ୍ରିୟ ପତ୍ରିକା ଝଙ୍କାରର ସଂପାଦକ ଥିଲେ । ତାଙ୍କ ସଂପାଦନାରେ ଉକ୍ରଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ପ୍ରକାଶିତ ହେଉଥିଲା । ୨୦୧୬ ଜୁନ ଆଜିର ଦିନରେ ବରେଣ୍ୟ ସାହିତ୍ୟ ସାଧକ ନୀଳମଣିଙ୍କ ପରଲୋକ ହୋଇଥିଲା ।
 

Comments

  1. ଅନ୍ଧରାତି ର ସୂର୍ଯ୍ୟ send

    ReplyDelete

Post a Comment