ଡ଼ଃ.ଅରୁନ୍ଧତୀ ଦେବୀ
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ୧୯୦୧ ମସିହା ନଭେମ୍ବର ୨୩ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଚିନ୍ତା ନାୟକ ନବକୃଷ୍ଣ ବହୁବର୍ଷ କାରାବରଣ କରିଥିଲେ । ସେ ଥିଲେ ଓଡ଼ିଶାର ସମାଜବାଦୀ ଆନ୍ଦୋଳନର ପ୍ରତିଷ୍ଠାତା । କୃଷକ ତଥା ଗଡ଼ଜାତ ଆନ୍ଦୋଳନର ଦିଗଦର୍ଶକ ଓ ସେନାପତି ହେଲେ ନବକୃଷ୍ଣ । ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଦୀର୍ଘ ବର୍ଷର ଜମିଦାରୀ ପ୍ରଥା ଲୋପ ହୋଇଥିଲା । ଚାଷ ଜମି ଉପରେ ଚାଷୀର ଅଧିକାର ମଧ୍ୟ ସାବ୍ୟସ୍ତ ହେଲା । ନବକୃଷ୍ଣ ଛଅ ବର୍ଷ ଛଅ ମାସ କାଳ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାକୁ ଶାସନ କରିଥିଲେ । ତାଙ୍କ ଶାସନ କାଳରେ ଓଡ଼ିଶାରେ କୃଷି ମହାବିଦ୍ୟାଳୟ, ପଶୁ ଚିକିତ୍ସା ମହାବିଦ୍ୟାଳୟ ଓ ଇଞ୍ଜିନିୟରିଂ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ତାଙ୍କ ସମୟରେ ଆଉ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଘଟନା ହେଲା, ହୀରାକୁଦ ନଦୀବନ୍ଧ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା । ନିଶା ନିବାରଣ ଉପରେ ସେ ସବୁବେଳେ ଗୁରୁତ୍ୱ ଦେଉଥିଲେ । ଭାରତ ବର୍ଷର ଅନ୍ୟତମ ଆଞ୍ଚଳିକ ଭାଷା ଭାବେ ଓଡ଼ିଆ ଭାଷା ସ୍ୱୀକୃତି ପାଇବାର ବହୁ ପୂର୍ବରୁ ନବକୃଷ୍ଣ ଓଡ଼ିଆକୁ ରାଜ୍ୟର ସରକାରୀ ଭାଷା କରାଇଥିଲେ । ଏତେ ବର୍ଷ କାଳ କ୍ଷମତାରେ ଥିଲେ ମଧ୍ୟ ଶତ୍ରୁମାନେ ବି ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବାକୁ ସାହାସ କରିନଥିଲେ । ସ୍ୱଇଛାରେ ସେ କ୍ଷମତା ରାଜନୀତି ଛାଡ଼ି ଅତ୍ୟାଚାରିତ ଓ ଶୋଷିତ ଲୋକମାନଙ୍କ ସ୍ୱାର୍ଥରକ୍ଷା ଲାଗି ସଂଗ୍ରାମ କରିଥିଲେ । ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ସେ ଲୋକନୀତିର ବିକାଶ ଦିଗରେ ନିଜକୁ ନିୟୋଜିତ କରିଥିଲେ । ଭାରତ ବର୍ଷରେ ଗାନ୍ଧି ବିଚାରର ସେ ଥିଲେ ଜଣେ ପ୍ରମୁଖ ପ୍ରବକ୍ତା । ୧୯୮୪ ମସିହା ଜୁନ୍ ୨୪ ତାରିଖ ଦିନ ଏହି ମହାନ୍ ବ୍ୟକ୍ତିଙ୍କ ଦେହାନ୍ତ ହୋଇଥିଲା । ନବକୃଷ୍ଣଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଇ ପ୍ରସିଦ୍ଧ କବି ବିନୋଦ ଚନ୍ଦ୍ର ରାଉତରାୟ ଲେଖିଥିଲେ କିପରି ହେବାକୁ ହୁଏ ସଂଗ୍ରାମରେ ମରଣ ନିର୍ଭୟ । କେଉଁପରି କରାଯାଏ ଦୃଢ଼ ହୋଇ ହୃଦୟକୁ ଜୟ, ରାଜେନ୍ଦ୍ର ଆସନେ ବସି କେଉଁ ପରି କରାଯାଏ ଯୋଗ, ତ୍ୟାଗପୂତ ଜୀବନକୁ କେଉଁପରି କରାଯାଏ ଭୋଗ, ତାହାହିଁ ପ୍ରମାଣ କଲ ଗୋଟି ଗୋଟି ଯୁଗସ୍ରଷ୍ଟା ପରି, ଜାତି ଓ ଜନତା ଆଗେ ହେ ମହାନ୍ ନବଚୌଧୁରୀ । ଶୋଭନୀୟ ଆନ୍ଦୋଳନ, ଭୁବନେଶ୍ୱର, ଦୂରଭାଷ : ୯୯୩୭୧୭୨୮୧୦
Comments
Post a Comment