ଗୋଦରୀ କହୁଛି ଗୋଡକୁ ଅନା


-ଗୋଲଖ ଚନ୍ଦ୍ର  ଦାସ
ବନ୍ଦ ଯୋଗୁଁ ସବୁ ବନ୍ଦ ହୋଇଗଲା । ବିହାରର ଜାହାନାବାଗରେ ଆମ୍ବୁଲାନ୍ସ ନ ଆସି ପାରିବାରୁ ଜଣେ ଦୁଇ ବର୍ଷର ଶିଶୁ ଡାକ୍ତରଖାନାରେ ପହଂଚି ପାରିଲା ନାହିଁ । ଯାହା ଫଳରେ ତାର ପ୍ରାଣ ବାୟୁ ଉଡିଗଲା । ଏତ ବିହାରର କଥା । ଓଡିଶାରେ ମଧ୍ୟ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି ସାଧାରଣ ଜନତା । ରାୟଗଡାର ଉଷାରାଣୀ ଗୌଡ । ସ୍ୱାମୀ ସନ୍ତୋଷଙ୍କ କିଡ୍ନୀ ଅସ୍ତ୍ରୋପଚାର ପାଇଁ କଟକ ବଡ ଡାକ୍ତରଖାନାକୁ ଆସୁଥିଲେ । ସେମାନେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ପହଂଚିଲାବେଳକୁ ସକାଳ ସାଢେ ଛଅଟା ହୋଇ ଯାଇଥିଲା । ଭାରତ ବନ୍ଦ ଥିବାରୁ କଣ୍ଡକ୍ଟର ସେମାନଙ୍କୁ ବରମୁଣ୍ଡାରେ ଓହ୍ଲାଇ ଦେଇ ବାକି ତକ ପଇସା ଫେରାଇ ଦେଲା । ଗାଡି ମଟର ବନ୍ଦ ଥିବାରୁ ସେମାନେ ମେଡିକାଲରେ ପହଂଚି ପାରିଲେ ନାହିଁ କି ଅସ୍ତ୍ରୋପଚାର ହୋଇ ପାରିଲା ନାହିଁ ।
ଦାରିଙ୍ଗବାଡିର ନାଗେଶ୍ୱର ଉଠାଣ ସିଂହ । ବଡ ଡାକ୍ତରଖାନା କଟକରେ ଚିକିତ୍ସିତ ହେଉଥିଲେ । ଟିକେ ସୁସ୍ଥ ହେବାରୁ ଡାକ୍ତର ତାଙ୍କୁ ଡିସଚାର୍ଜ କରିଦେଲେ । ଟଙ୍କା ପଇସା ନଥିବାରୁ ସେ ହୋଟଲେ କିମ୍ବା ଲଜରେ ରହି ପାରିଲେ ନାହିଁ । ଘରକୁ ଯିବା ପାଇଁ ସେ ବରମୁଣ୍ଡା ଚାଲି ଆସିଥିଲେ । ସବୁ ବନ୍ଦ ଥିବାବେଳେ ଟଙ୍କା ପଇସା ନଥିବାରୁ ବିସ୍କୁଟ ଖାଇ ଜୀବନ ବିତାଇ ଦେଲେ । ଏମାନଙ୍କ ଠାରୁ ବେଶି ହଇରାଣ ହରକତ ହୋଇଛନ୍ତି ଦିନ ମଜୁରିଆ ମାନେ । ଆମେ ଭେଟିଥିଲୁ ଭୁବନେଶ୍ୱରର କଳ୍ପନା ଛକରେ ଠିଆ ହୋଇଥିବା  କିଛି ଲୋକଙ୍କୁ । ସେମାନେ କହିଲେ ଆମେ ଖଟିଲେ ଖାଇବୁ । ପ୍ରତିଦିନ ସକାଳେ କୋଦାଳ, ଝୁଡି ଧରି ବାହାରି ଆସୁ, ଆଜି  ବି ଆସିଛୁ । କିନ୍ତୁ ଚାରିଆଡେ ବନ୍ଦ ଥିବାରୁ କିଛି କାମ ମିଳିନାହିଁ । ଖଟିଖିଆ ମଜୁରିଆ ଲୋକ ଆମେ । ମଜୁରୀ ନେଇ ଗଲେ ଆମ ଘର ଚଳିବ । ଶେଷରେ ନିରାଶ ହୋଇ ଘରକୁ ଫେରି ଯାଉଛୁ । କେବଳ ସେତିକି ନୁହେଁ ଏହି ବନ୍ଦ ଯୋଗୁଁ କେତେକ ପରୀକ୍ଷା ବାତିଲ ହୋଇଛି ଆଉ କେଉଁଠି ପରୀକ୍ଷାର୍ଥୀମାନେ ଚାଲି ଚାଲି ଯାଇଛନ୍ତି । କେଉଁଠି  ପେଟ୍ରୋଲ କଳା ବଜାରି ହୋଇଛି, କେଉଁଠି ଟଙ୍କା ଲୋଭରେ ରୋଗୀ ବଦଳରେ ଆମ୍ବୁଲାନ୍ସରେ ଯାତ୍ରୀ ବୁହା ହୋଇଛନ୍ତି । ଏସବୁ ଘଟଣା ପାଇଁ ଦାୟୀ କିଏ ରହିବ ?  ଦେଶର ଯେଉଁ ସବୁ କ୍ଷୟକ୍ଷତି ହେଲା ତାର ଭରଣ କିଏ କରିବ ? ସବୁ ବିଷୟ ଜାଣିଲା ପରେ ଆପଣ କଣ ଭାବୁଛନ୍ତି ଏହା ଭାରତ ବନ୍ଦ ନା ଗୁଣ୍ଡାଗର୍ଦ୍ଦି । ଏସବୁ ଦେଖି ବନ୍ଦ ସମର୍ଥକମାନଙ୍କର ନାହିଁ ନଥିବା ଖୁସି । ଆମ ବନ୍ଦ ସଫଳ ହୋଇ ଯାଇଛି । ଆମେ ଭାରତକୁ ଠପ୍ କରି ଦେଇଛୁ ବୋଲି କହୁଛନ୍ତି ।
ସେପ୍ଟେମ୍ବର ୧୦ ତାରିଖ ଦିନ କଂଗ୍ରେସ ଭାରତ ବନ୍ଦ କରିଥିଲା । ଏହି ବନ୍ଦ ପରେ କଂଗ୍ରେସ ଦୃଢ ସ୍ୱରରେ କହିଲା ଭାରତ ବନ୍ଦ ଶତପ୍ରତିଶତ ସଫଳ ହୋଇଛି । ସେମାନେ ସାରା ଦେଶକୁ ଅଟକାଇ ଦେଇଥିଲେ । କଂଗ୍ରେସର ଏହି ଯୁକ୍ତି ଶୁଣିଲା ପରେ ଆପଣଙ୍କୁ କଣ ଲାଗୁଛି ? ପୁରା ଭାରତ ଆଜି ବନ୍ଦ ହୋଇଗଲା । କେହି ବି ଟଙ୍କାଟିଏ ରୋଜଗାର କରିବା ପାଇଁ କର୍ମ କ୍ଷେତ୍ରକୁ ଗଲେ ନାହିଁ । ସମସ୍ତେ ଘରେ ବସି ରହିଲେ । ବନ୍ଦ କରିବା ସମର୍ଥକମାନେ ଏହି ବନ୍ଦ ବାହାନାରେ ହିଂସାକାଣ୍ଡ ଓ ଗୁଣ୍ଡାଗର୍ଦ୍ଦି ସୃଷ୍ଟି କରିଚାଲିଲେ ।  କେତେ ସ୍ଥାନରେ ଟ୍ରେନ ଅଟକାଇଲେ, ବସ ଅଟକାଇଲେ, ଆମ୍ବୁଲାନ୍ସ ଅଟାକଇଲେ, ଔଷଧ ଦୋକାନକୁ ମଧ୍ୟ ବନ୍ଦ କରିଦେଲେ,ପୋଡା ଜଳା କଲେ ଇତ୍ୟାଦି ଇତ୍ୟାଦି ।  ଦେଶକୁ ଜଳାଇ ଦେଶର ବାକଶରେ ଅନ୍ତରାୟ ସୃଷ୍ଟି କରାଗଲା । ପ୍ରତିଦିନ କାମ କରି ଯିଏ ପେଟ ପୋଷୁଥିଲା ସିଏ କର୍ମ କ୍ଷେତ୍ରକୁ ଯାଇ ପାରିଲା ନାହିଁ, ରୋଗୀମାନେ ମେଡିକାଲ ଯାଇ ପାରିଲେ ନାହିଁ, ଯାହା ଦ୍ୱାରା ସାଧାରଣ ଜନତା ନାହିଁ ନଥିବା ଅସୁବିଧା ଭୋଗିଲେ ।  ଭାରତ ବନ୍ଦ ଦ୍ୱାରା କଣ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ସମାଧାନ ହୋଇ ଗଲା ? ଆମେ ସମସ୍ତେ ଗୋଟିଏ ଦିନ ନିଜ କର୍ମ କ୍ଷେତ୍ରକୁ ଗଲୁ ନାହିଁ କି କାମ କରିଲୁ ନାହିଁ । ଏହା ଦ୍ୱାରା କଣ ପେଟ୍ରୋଲ ଓ ଡିଜେଲ ଦର ମୂଲ୍ୟ କମ୍ ହୋଇଗଲା । ରାସ୍ତାରେ ବସକୁ ନିଆଁ ଲଗାଇ ଜଳାଇ ଦେଲେ କଣ ପେଟ୍ରୋଲ ଦର ସମସ୍ୟାର ସମାଧାନ ହୋଇଗଲା । କାର ଅଟୋ ଭାଙ୍ଗିଦେଲେ କଣ ପେଟ୍ରୋଲ ଦର କମିଗଲା ?  ଏହା ଦ୍ୱାରା କଣ ପାଇଦା ମିଳିଲା ?
ବନ୍ଦ, ହରତାଳ ଓ ସତ୍ୟାଗ୍ରହ ଏହା ରାଜନୈତିକ ଅସ୍ତ୍ର ଅଟେ । ଯାହାର ପ୍ରୟୋଗ ସ୍ୱାଧୀନତା ଆନ୍ଦୋଳନ ସମୟରେ ଇଂରେଜମାନଙ୍କ ବିରୋଧରେ କରାଯାଇଥିଲା । ମହାତ୍ମାଗାନ୍ଧୀ ଏହି ଆନ୍ଦୋଳନରେ ଅହିଂସାର ଅସ୍ତ୍ର ବ୍ୟବହାର କରିଥିଲେ । ସେ ସମୟରେ ଭାରତରେ ବିଦେଶୀ ଇଂରେଜ ଶାସନ ଥିଲା । ବ୍ରିଟିଶ ଶାସନ ସମୟରେ ଏହି ଅସ୍ତ୍ର ପ୍ରୟୋଗ କରିବା ଠିକ୍ ଥିଲା କିନ୍ତୁ ଆଜି ରାଜନୈତିକ ସ୍ୱାର୍ଥ ସାଧନ ପାଇଁ  ବନ୍ଦକୁ ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି । ରାଜନୈତିକ ନେତାମାନେ ଏହି ଅସ୍ତ୍ରର ଦୁରୁପଯୋଗ କରୁଛନ୍ତି । ଏବେ ବନ୍ଦ ଓ ଆନ୍ଦୋଳନ ଦେଶ ବିରୋଧରେ ହେଉଛି । ଯାହା ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହେଉଛି । ଆଜି ଆମେ ସ୍ୱଧୀନ । ଆମ ଶାସନ ଆମେ ଚଳାଉଛୁ । ବନ୍ଦ ଓ ଆନ୍ଦୋଳନ ଦ୍ୱାରା ଦେଶର କୌଣସି ସମସ୍ୟାର ସମାଧାନ ହେଉ ନାହିଁ ବରଂ ଅଧିକ ସମସ୍ୟା ସୃଷ୍ଟି ହେଉଛି ।
ଭାରତ ବନ୍ଦ ସମସ୍ତେ କରୁଛନ୍ତି । ଭ୍ରଷ୍ଟାଚାର ବନ୍ଦ, ବଳକ୍ରାର ବନ୍ଦ, ଦୁର୍ନିତି ବନ୍ଦ ପାଇଁ କେହି କେବେ ଆହ୍ୱାନ ଦେଇଛି କି? ନା କେବେ ଆମେ ଏପରି ଆହ୍ୱାନ ଶୁଣିଛୁ ।  ଭାରତ ବନ୍ଦ କରିବା ଲୋକ ନିଜ ଏଜେଣ୍ଡାରେ ଭାରତ ବନ୍ଦ କରନ୍ତି । ତାଙ୍କର ସମସ୍ତ  ଶକ୍ତି  ବନ୍ଦ ଉପରେ କେନ୍ଦ୍ରିଭୂତ ହୋଇଥାଏ, କୌଣସି ମୁଦା ଉପରେ ନୁହେଁ ।  ଯେଉଁମାନେ ଭାରତ ବନ୍ଦ କରିବାକୁ ଚାହୁଁଛନ୍ତି ସେମାନେ କେବେ ନିଜର ରାଜନୈତିକ ଦୋକାନ ବନ୍ଦ କରନ୍ତି ନାହିଁ ।  ଏମାନେ ଜନତାଙ୍କର ଅସୁବିଧା ଦର୍ଶାଇ ଜନତାଙ୍କୁ ହିଁ ହଇରାଣରେ ପକାଇଥାନ୍ତି । ଦେଶର ବ୍ୟବସ୍ଥାରେ ଓ ବିକାଶରେ ବାଧକ ସାଜିଥାନ୍ତି । ଏହି ପରମ୍ପରା ଠିକ୍ କି ?
କଂଗ୍ରେସ ଭାରତ ବନ୍ଦ କରିବା ବାହାନାରେ ଜାଣିବାକୁ ଚାହୁଁଥିଲା କେତେ ବିରୋଧୀ ଦଳ ତାଙ୍କ ଶିବିରରେ ଅଛନ୍ତି । ଏହାଥିଲା ବିପକ୍ଷ ଏକତା ଶକ୍ତି ପ୍ରଦର୍ଶନ । କଂଗ୍ରେସ ସହିତ ସମସ୍ତ ବିରୋଧୀ ଦଳ କିପରି ଆସୁଛନ୍ତି ଏବଂ ସରକାରକୁ କିପରେ କାଠ ଗଡାରେ ଠିଆ କରୁଛନ୍ତି ତାହା କଂଗ୍ରେସ ସମସ୍ତଙ୍କୁ ଦେଖାଇବାକୁ ଚାହୁଁଥିଲା କିନ୍ତୁ ଏହି ବନ୍ଦରେ ୫ଟି ବଡ ବିରୋଧୀ ଦଳ କଂଗ୍ରେସ ସହିତ ସାମିଲ ହୋଇ ନଥିଲେ । ସମାଜବାଦ ପାର୍ଟି ଓ ବିଏସ୍ପି କଂଗ୍ରେସ ସହିତ ଆସିନଥିଲେ । ସିପିଆଇ, ସିପିଏମ୍ ଓ ଟିଡିପି ଅଲଗା ବିରୋଧ ପ୍ରଦର୍ଶନ କରିଥିଲେ ।
କାହାର ଦରଦାମ ବୃଦ୍ଧି ସବୁଠାରୁ ବଢିଆ ୟୁପିଏ ର ନା ଏନ୍ଡିଏ ର । କଂଗ୍ରେସ କହୁଛି ତାଙ୍କ ଶାସନ କାଳରେ ପେଟ୍ରୋଲ ଓ ଡିଜେଲ ଦର କମ୍ ଥିଲା । ବିଜେପି କହୁଛି କଂଗ୍ରେସ କେବଳ ପେଟ୍ରୋଲ ଓ ଡିଜେଲ କଥା କହୁଛି କିନ୍ତୁ ଅନ୍ୟ ସାମଗ୍ରୀ କଥା କହୁ ନାହିଁ । କଂଗ୍ରେସ ଶାସନ ତୁଳନାରେ ବିଜେପି ଶାସନରେ ଦରଦାମ ବୃଦ୍ଧି କମ୍ ହୋଇଛି । କିଏ କଣ କହୁଛନ୍ତି ଓ କିଏ କଣ କରିଛନ୍ତି ତାର ଏକ ବିଶ୍ଲେଷଣ କରିବାକୁ ହେବ ।
ମେ ୨୦୦୪ରେ ଦେଶରେ କଂଗ୍ରେସ ସମର୍ଥିତ ଉପା ଶାସନ କରିଥିଲା । ସେ ସମୟରେ ଦିଲ୍ଲୀରେ ୧ ଲିଟର ପେଟ୍ରୋଲ ମୂଲ୍ୟ ୩୩ ଟଙ୍କା ୭୧ ପଇସା ଥିଲା । ମେ ୨୦୦୯ରେ ମଧ୍ୟ ପୁଣି ଥରେ କଂଗ୍ରେସ ଶାସନକୁ ଆସିଥିଲା । ଏ ସମୟରେ ମଧ୍ୟ ପେଟ୍ରୋଲ ଦାମ ୪୦ ଟଙ୍କା ୬୨ ପଇସା ଥିଲା । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ  ପେଟ୍ରୋଲ ଦାମ ସାଢେ ୨୦ ପ୍ରତିଶଦ ବୃଦ୍ଧି ପାଇଥିଲ।। ଯେତେବେଳେ ମେ ୨୦୧୪ରେ ଉପା ସରକାର ଶାସନରୁ ବିଦାୟ ନେଇଥିଲେ ସେ ସମୟରେ ଦିଲ୍ଲୀରେ ପେଟ୍ରୋଲ ଦର ୭୧ ଟଙ୍କା ୪୧ ପଇସା ଥିଲା । ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ପାଂଚ ବର୍ଷରେ ପେଟ୍ରୋଲ ଦର ୭୬% ବୃଦ୍ଧି ପାଇଥିଲା  ।  ଏବେ ଦିଲ୍ଲୀରେ ପେଟ୍ରୋଲ ଦର ୮୦ ଟଙ୍କା ୭୩ ପଇସା ଅଛି । ୨୦୧୪ରୁ ଆଜି ପର୍ଯ୍ୟନ୍ତ ଏନ୍ଡିଏ ସରକାର ସମୟରେ ପେଟ୍ରୋଲ ଦରରେ ମାତ୍ର ୧୩ %  ବୃଦ୍ଧି ପାଇଛି । ଏହି ବିଷ୍ଲେଷଣରୁ ଜଣା ପଡୁଛି ଯେ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ପେଟ୍ରୋଲ ଦର ୭୬% ବୃଦ୍ଧି ପାଇଥିବା ବେଳେ ୨୦୧୪ରୁ ଆଜି ପର୍ଯ୍ୟନ୍ତ ଏହି ଦାମରେ ୧୩ % ବୃଦ୍ଧି ପାଇଛି ।
ସେହିପରି ମେ ୨୦୦୪ରେ ଡିଜେଲ ମୂଲ୍ୟ ୨୧.୭୪ ଥିଲା । ୨୦୦୯ ବେଳକୁ ୪୨ % ବଢି ଏହାର ମୂଲ୍ୟ ୩୦.୮୬ ଥିଲା ।  ଏହାପରେ ଯେତେବେଳେ ଉପା ସରକାର  ୨୦୧୪ରେ କ୍ଷମତାରୁ ଗଲା ସେତେବେଳେ ଡିଜେଲର ମୂଲ୍ୟ ୮୪ % କୁ ବୃଦ୍ଧି କରି ଦେଇଥିଲା । ସେତେବେଳେ ଡିଜେଲର ମୂଲ୍ୟ ଥିଲା ୫୬.୭୧ । ଏବେ ୨୦୧୪ର ଦାମ ଠାରୁ ୨୮ % ବୃଦ୍ଧି ପାଇଛି ।  ଯାହାର ମୂଲ୍ୟ ୭୨.୮୩ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଉପା ସରକାରଙ୍କ ୧୦ ବର୍ଷ ସମୟ ମଧ୍ୟରେ ପେଟ୍ରୋଲ ମୂଲ୍ୟ ୧୧୨% ଏବଂ ଡିଜେଲର ମୂଲ୍ୟ ୧୬୦ % ବୃଦ୍ଧି ପାଇଥିବା ବେଳେ ଏନ୍ଡିଏ ସରକାର ସମୟରେ ମାତ୍ର ୪ ବର୍ଷ ମଧ୍ୟରେ ପେଟ୍ରୋଲ ଦର ୧୩ % ଓ ଡିଜେଲ ଦର ୨୮ % ବୃଦ୍ଧି ପାଇଛି ।
ସାଧାରଣ ଜନତାଙ୍କ ଘର କେବଳ ପେଟ୍ରୋଲ ଓ ଡିଜେଲ ଦ୍ୱାରା ଚଳୁନାହିଁ । ସେଥିପାଇଁ ବହୁତ ଦ୍ରବ୍ୟ ଦରକାର । କଂଗ୍ରେସ ତଥା ଅନ୍ୟ କେତେକ ରାଜନୈତିକ ଦଳ କହୁଛନ୍ତି ଜିଏସ୍ଟି ଦ୍ୱାରା ସାଧାରଣ ନାଗରୀକ ଅସୁବିଧାରେ ପଡିଛନ୍ତି । ଏହା କଣ ସତ ? ନା ରାଜନୈିତିକ ଦଳମାନେ ଏହା ନାମରେ ମିଥ୍ୟା ପ୍ରଚାର କରି ସାଧାରଣ ଜନତାଙ୍କୁ ଭୁଆଁ ବୁଲାଇ ଫାଇଦା ହାସଲ କରିବାକୁ ଚାହୁଁଛନ୍ତି ? ୨୦୧୪ରେ ଟୁଥ୍ପେଷ୍ଟ, ସାବୁନ, କେଶତୈଳର ଯେଉଁ ମୂଲ୍ୟ ଥିଲା ଏବେ ତାହା ଶସ୍ତା ହୋଇଛି । ସେ ସମୟରେ ଆମେ ଏହି ସବୁ ଦ୍ରବ୍ୟ ଉପରେ ୨୬ % ଟିକସ ଦେଉଥିଲେ ଏବେ ମାତ୍ର ୧୮ % ଜିଏସ୍ଟି ଦେଉଛୁ । ଘର କରିବା ପାଇଁ ଯେଉଁ ଋଣ ନେଉଛୁ ତାହା ମଧ୍ୟ ଶସ୍ତା ହୋଇଛି । ୨୦୧୪ରେ ୧୦.୧୫% ଟିକସ ଦେଉଥିବା ବେଳେ ଏବେ ଏହା କମ୍ ହୋଇ ୨୦୧୮ରେ ମାତ୍ର ୮.୮୦% ଜିଏସ୍ଟି ଦେଉଛୁ ।  ଗାଡିର ଲୋନ ମଧ୍ୟ ଆଗ ଅପେକ୍ଷା ବହୁତ ଶସ୍ତା ହୋଇଛି । ୨୦୧୪ରେ ୧୦.୯୫ ଟିକସ ଦେଉଥିବା ବେଳେ  ଏବେ ମାତ୍ର ୮.୯୦ ଜିଏସ୍ଟି ଦେଉଛୁ । ଛାତ୍ର ପଢିବା ପାଇଁ ନେଉଥିବା ଋଣରେ ମଧ୍ୟ ଶସ୍ତା ହୋଇଛି । ୨୦୧୪ରେ ଏଥିପାଇଁ  ୧୪.୨୫ % ଟିକସ ଦେଉଥିବା ବେଳେ ଏବେ ୧୦.୧୫ % ଜିଏସ୍ଟି ଦେଉଛୁ । ୨୦୧୪ରେ ୧ଜିବି ମୋବାଇଲ ଡାଟା ୨୭୦ଟଙ୍କାରେ ମିଳୁଥିଲା କିନ୍ତୁ ଏବେ ମାତ୍ର ୧୯ ଟାଙ୍କାରେ ଏହା ମିଳି ପାରୁଛି । ସାଧାରଣ ଜନତାଙ୍କ ପାଇଁ ରେଷ୍ଟୁରାଣ୍ଡରେ ଖାଇବା ମଧ୍ୟ ଶସ୍ତା ହୋଇଛି । ୨୦୧୪ରେ ଏଥିପାଇଁ ଆମକୁ ୧୪.୪୨% ଟିକସ ଦେବକୁ ପଡୁଥିଲା ଏବେ ମାତ୍ର ୫ % ଜିଏସ୍ଟି ଦେଉଛୁ । ହାଟ୍ ସର୍ଜରୀରେ ଲାଗୁଥିବା ଷ୍ଟେଂଟର ମୂଲ୍ୟ ୨୦୧୪ରେ ଥିଲା ୧.୯୮ ହଜାର ଥିଲା  କିନ୍ତୁ ବର୍ତମାନ ୨୯ ହଜାର ଟଙ୍କା । ୨୦୧୪ରେ ଏକ କି.ଗ୍ରା ମୁଗ ଡାଲିର ମୂଲ୍ୟ ୧୦୦ ଟଙ୍କା ଥିଲା ଏବେ ମାତ୍ର  ୭୦ ଟଙ୍କାରେ ମିଳୁଛି । ସେହିପରି ମସୁର ଡାଲି ୬୫  ଥିଲା ଏବେ ୬୦ ଟଙ୍କା । ୨୦୧୪ରେ ୪୦୪ ପ୍ରକାର ଔଷଧ ସରକାର ନିୟନ୍ତ୍ରଣରେ ଥିବା ବେଳେ ଏବେ ୯୫୮ ଔଷଧ ସରକାରୀ ନିୟନ୍ତ୍ରଣରେ ଅଛି । ସେତେବେଳେ ଦେଶରେ ମାତ୍ର ୯୯ଟି ଜନ ଔଷଧ କେନ୍ଦ୍ର ଦେଶରେ ଥିବା ବେଳେ  ୨୦୧୮ରେ ୩୬୨୩ଟି ଅଛି । ଏଲ୍ଇଡି ବଲର ମୂଲ୍ୟ ଉପା ସରକାରଙ୍କ ସମୟରେ ୩୧୦ଟଙ୍କା ଏନ୍ଡିଏ ସରକାରଙ୍କ ସମୟରେ ଏହାର ମୂଲ୍ୟ ମାତ୍ର ୭୦ ଟଙ୍କା । ଯଦି ଏସବୁ ହିସାବକୁ ଦେଖାଯିବ ତେବେ ଜଣେ ମଧ୍ୟମ ଶେଣୀର ଲୋକ ତାର ପରିବାର ପୋଷିବା ପାଇଁ ବହୁତ ରିହାତି ପାଇଛି । ଏବେ ତାର ପରିବାରକୁ ସହଜରେ ଚଳାଇ ପାରିବ । ଲୋକେ ୨୦୧୪ରେ ଥିବା କଷ୍ଟକର ସମୟକୁ ଏବେ ଭୁଲି ଯାଇଛନ୍ତି । ଭାରତ ବାସୀଙ୍କ ଉଦାର ହୃଦୟ । ପଛ କଥାକୁ କିଛି ମନେ ରଖନ୍ତି ନାହିଁ । ସେଥିପାଇଁ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଶାସନ ସମୟରେ ଯେଉଁ ଦରଦାମ ବୃଦ୍ଧି ପାଇଥିଲା ଦେଶର ଜନତା ଏହି ଦରବୃଦ୍ଧିକୁ ଭୁଲି ଯାଇଛନ୍ତି । କଂଗ୍ରେସକୁ କ୍ଷମା ଦେଇ ଦେଇଛନ୍ତି । କିନ୍ତୁ କଂଗ୍ରେସକୁ ୨୦୧୪ ପୂର୍ବର କଥାକୁ ମନେ ପକାଇବାକୁ ହେବ । ସେ ସମୟର ଦରଦାମ କଣ ଥିଲା ଏବେ କେତେ ଅଛି । ବନ୍ଦର ବାହାନା କରି ନିଜର ପ୍ରଚାର କରି କେବଳ ସାଧାରଣ ଜନତାଙ୍କୁ ଅସୁବିଧାରେ ପକାଉଛି କଂଗ୍ରେସ ଏକାଥା ଦେଶର ଜନତା ବୁଝି ସାରିଲେଣି ।
୩୫, ଏନ୍ଏସି ଫ୍ଲାଟ, ୟୁନିଟ-୩, ଖାରାବେଳ ନଗର, ଭୁବନେଶ୍ୱର,ମୋ-୯୮୬୧୦୨୮୫୫୩

Comments