ଭାରତର ମୁକ୍ତି ସଂଗ୍ରାମରେ ଦ୍ୱିତୀୟ ମହାସମର - ୧୯୪୨
ବିପିନ ବିହାରୀ ମହାନ୍ତି ଅଧ୍ୟକ୍ଷ
୧୯୪୧ମସିହା ଡିସେମ୍ବର ୬ ତାରିଖ ଦିନ ଜାପାନ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯୋଗଦେଲା । ପରେ ପରେ ପାର୍ଲହାବାରରେ ଆମେରିକା ଯୁକ୍ତରାଷ୍ଟ୍ରର ଯୁଦ୍ଧ ଜାହାଜ ଭେଳା ଉପରେ ଆକ୍ରମଣ କରି ତାକୁ ଧ୍ୱଂସ କରିଦେଲା । ଏହାପରେ ପ୍ରାଚ୍ୟ ଜଗତକୁ ଯାତ୍ରାକରି ସିଂଙ୍ଗାପୁର, ମାଳୟ ଓ ବ୍ରହ୍ମଦେଶକୁ ନିଜ କରାୟତ କଲା । ଏ ଅଂଚଳରୁ ଇଂରେଜ ସୈନ୍ୟମାନେ ଭୟଭୀତ ହୋଇ ଛତ୍ରଭଙ୍ଗଦେଲେ । ୧୯୪୨ ମସିହା ଆରମ୍ଭ ବେଳକୁ ଭାରତ ପ୍ରତି ଯୁଦ୍ଧର ଭୟବହତା ନିକଟବର୍ତି ହୋଇଯାଇଥାଏ । ଜାପାନାର ଯୁଦ୍ଧତରୀମାନେ ଭାରତସୀମାର ତଟ୍ଟଦେଶରେ ଆସି ପଇଁତରା ମାରୁଥାନ୍ତି । ଉଦ୍ଦେଶ୍ୟ, ଭାରତ ଅର୍ଥାତ ଇଂରେଜକୁ ଆକ୍ରମଣ କରିବା । ଏଥକୁ ସୁସ୍ପଷ୍ଟଥିଲାଯେ ଭାରତ ମାଟି ହେବ ଇଂରେଜ ଓ ଜାପାନର ଯୁଦ୍ଧ କ୍ଷେତ୍ର । ଏପଟେ ଇଂରେଜଠାରୁ ଭାରତମୁକ୍ତି ଚାହୁଁଥିଲାବେଳେ, ସେପଟେ ଜାପାନର ଆକ୍ରମଣ । ଦ୍ୱନ୍ଦରେ ଭାରତ । ଜାପାନ ଭାରତର ପୂର୍ବରୁ ଶତ୍ରୁ ନଥିଲା, ତଥାପି ଯୁଦ୍ଧ କଥା ତ! ଏଥିକୁ ନେହୁରୁ ଘୋଷଣା କଲେ: ଆମେ କେବେହେଲେ ବ୍ରିଟିଶ୍ କିମ୍ଭା ଜାପାନ ଆଗରେ ନତମସ୍ତକ ହେବୁ ନାହିଁ । ଆମେ ସାହସର ସହିତ ବିପଦର ସମ୍ମୁଖୀନହେବୁ ଏବଂ ଜୀବନ ଦେବୁ । ଭାରତର ବିନା ସହାୟତାରେ ଇଂରେଜ ଜାପାନ ସହିତ ଲଢ଼ପାରିବ ନାହିଁ, ଏକଥା ଭାରତ ଓ ଇଂରେଜକୁ ଜଣାଥିଲା । ପୁନଶ୍ଚ ଏତିକିବେଳେ ଯଦି ଭାରତ ସ୍ୱାଧିନତାପାଇଁ ଅଡି ବସେ, ତେବେ ବ୍ରିଟିଶ ପାଇଁ ଭାରତ ବି ଖସିଯିବ ଏବଂ ସେ ଜାପାନଠାରୁ ପରାସ୍ତ ହେବ । ଏପରି ସ୍ଥଳେ ବର୍ତମାନପାଇଁ କିଛି ଗୋଟେ ଆଶ୍ୱାସନା ଦେଇ ଭାରତକୁ ଶାନ୍ତକରିବାକୁ ପଡିବବୋଲି ଇଂରେଜ ବିଚାରିଲା । ସେଥିପାଇଁ ଏକ ଆତ୍ମଘାତୀ ଯୋଜନା କରି ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ୍ ମଧ୍ୟସ୍ଥତାପାଇଁ ସାର ଷ୍ଟାଫୋର୍ଡ କ୍ରିପ୍ସଙ୍କୁ ଭାରତକୁ ପଠାଇଲେ । କ୍ରିପ୍ସ ବ୍ରିଟିଶ ମନ୍ତ୍ରିମଣ୍ଡଳଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ଏକ ଶାସନ ଖସଡାନେଇ ୧୯୪୨ ମାର୍ଚ୍ଚ ୨୨ ତାରିଖରେ ଭାରତରେ ପହଁଚିଲେ । ଏହି ପ୍ରସ୍ତାବ ଅନୁସାରେ ଯାହାଥିଲା, ତାହା ହେଉଛି ଦ୍ୱିତୀୟ ମହାସମରପରେ ଭାରତର ସ୍ୱତନ୍ତ୍ରତାନେଇ ବିଚାର କରାଯିବା ଏବଂ ଭାରତକୁ ଖଣ୍ଡ ଖଣ୍ଡକରି ଭାରତୀୟମାନଙ୍କର ଏକତା ଓ ଭାତୃତ୍ୱ ଭାବକୁ ବିଦ୍ୱେଷରେ ପରିଣତ କରାଇବା । ଏପ୍ରିଲ ୨ତାରିଖ ଦିନ କଂଗ୍ରେସର କାର୍ଯ୍ୟକାରି କମିଟି କ୍ରିପ୍ସଙ୍କର ଏହି ପ୍ରସ୍ତାବକୁ ଅଗ୍ରାହକଲା । ଏହା ଫଳରେ କ୍ରିପ୍ସ୍ ଫେରିଗଲେ ।
୧୯୪୨ ଏପ୍ରିଲ୍ ୨୨ରେ ଗାନ୍ଧି ହୋରେଶ୍ ଆଲେକ୍ଜାଣ୍ଡରଙ୍କ ପାଖକୁ ପତ୍ରଦ୍ୱାରା ଜଣାଇଦେଲେ: ସମୟ ଆସିଛି ଯେତେବେଳେ ଇଂରେଜ ଭାରତରୁ ସୁ ବିଦାୟନେବା ଉଚିତ୍ । ନଚେତ ସିଙ୍ଗାପୁର, ମାଳୟ ଓ ବ୍ରହ୍ମଦେଶରୁ ସେମାନେ ପଳାୟନ କଲାପରି ତାଙ୍କୁ ଭାରତ ଛାଡିବାକୁ ହେବ । ବ୍ରିଟିଶ ଦ୍ୱାରା ଭାରତର ରକ୍ଷା ଅସମ୍ଭବ । ପୁନଶ୍ଚ ଭାରତ ମାଟିରେ ହିଁ ଇଂରେଜ୍ମାନେ ନିଜକୁ ରକ୍ଷା କରିପାରିବାପାଇଁ ଅସମର୍ଥ । ଅତେଏବ ସେମାନେ ଭାରତକୁ ତା’ ନିଜ ଭାଗ୍ୟ ଉପରେ ଛାଡିଦେଇ ଚାଲିଯିବା ଉଚିତ । ଗାନ୍ଧିଜୀ ଜାଣିଥିଲେଯେ ଏତିକିବେଳେ ଲାଗିପଡ଼ି ଇଂରେଜକୁ ବିଦାକଲେ, ଦେଶ ସ୍ୱାଧୀନ ହୋଇଯିବ ଏବଂ ଜାପାନ ଅପସରି ଯିବ । ଏହାଥିଲା ଗାନ୍ଧିଙ୍କର ଦୃଢ଼ମତ । ସେଥିପାଇଁ ମଧ୍ୟ ସେ ଦେଶକୁ ପ୍ରସ୍ତୁତ କରୁଥାନ୍ତି ଏବଂ ଦେଶବାସୀ ତଥା କଂଗ୍ରେସ ଉଦ୍ଦେଶ୍ୟରେ ଘୋଷଣା କଲେ ଯେ : ଦେଶ ମୁକ୍ତି ସଂଗ୍ରାମ ପାଇଁ ଏବେ ପ୍ରସ୍ତୁତ ହୋଇଗଲାଣି । ଆଉ ବିଳମ୍ବ କରି ହେବନାହିଁ । ଯଦି କଂଗ୍ରେସ ତାଙ୍କ ସହିତ ନଆସେ, ତେବେ ସେ ନିଜେ ଏକାକୀ ଦେଶକୁ ଶେଷ ମୁକ୍ତି ସଂଗ୍ରାମରେ ଝାସ ଦେବାକୁ ପ୍ରସ୍ତୁତ କରିବେ । ଯଦିଓ ନେହେରୁ, ଶ୍ରୀରାଜ ଗୋପାଳଚାରୀ ଓ ଆଜାଦ୍ ସେ ସମୟରେ ପରିସ୍ଥିତିରେ ସରକାରଙ୍କ ବିରୁଦ୍ଧରେ ଯିବାକୁ ଚାହୁଁନଥିଲେ, ଗାନ୍ଧିଙ୍କର ଏ ପ୍ରକାର ଘୋଷଣାରେ ସମସ୍ତେ ରାଜିହୋଇଗଲେ । ଏକଥା ମଧ୍ୟ ତାଙ୍କ ହରିଜନ, ପତ୍ରିକାରେ ପ୍ରକାଶ କରାଇ ସଂଗ୍ରାମ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଇ ଦେଲେ । ୧୯୪୨ ମସିହା ଅଗଷ୍ଟ ୭ ତାରିଖରେ ମହାତ୍ମାଗାନ୍ଧି ବମ୍ବେଠାରେ ନିଖିଳ ଭାରତ କଂଗ୍ରେସ କମିଟି ଆଗରେ ନିଜର ଭାରତ ଛାଡ଼, ପ୍ରସ୍ତାବ ଉପସ୍ଥାପନ କଲେ ଏବଂ ଆହ୍ୱାନ ଦେଇ କହିଲେ: ବ୍ରିଟିଶ ଶକ୍ତିର ପ୍ରତ୍ୟାହାର ପାଇଁ ପ୍ରସ୍ତୁତ କ୍ରୋଧ ମଧ୍ୟରୁ ଉତ୍ପନ ହୋଇନାହିଁ । ବର୍ତମାନର ସଂକଟପୂର୍ଣ୍ଣ ସନ୍ଧିକ୍ଷଣରେ ଭାରତକୁ ନିଜର ଯଥାଯଥ ଭୂମିକା ଗ୍ରହଣ କରିବାକୁ ସୁଯୋଗ ଦେବାପାଇଁ ଏ ପ୍ରସ୍ତାବ ଆସିଛି । ଏ ଯୁଦ୍ଧକୁ ନିଜର ବୋଲି ନ ଭାବିବୁ, ଯେ ପର୍ଯ୍ୟନ୍ତ ଆମେ ସ୍ୱାଧୀନ ନହୋଇଛୁ, ସେ ପର୍ଯ୍ୟନ୍ତ ଆମେ ତ୍ୟାଗ ଓ ବୀରତ୍ୱର ମନୋଭାବ ଜାଗ୍ରତ କରିପାରିବୁ ନାହିଁ । ଅଗଷ୍ଟ ୮, ୧୯୪୨ ମସିହାରେ ଏ ପ୍ରସ୍ତାବଟି କଂଗ୍ରେସ ଦ୍ୱାରା ଅନୁମୋଦନ ହେଲା । ଏଥିରେ ଗାନ୍ଧୀଜି ଭାବ ବିହ୍ୱଳ ହୋଇ କହିଥିଲେ, “ନିଜର ବିବେକକୁ ସାକ୍ଷୀ ରଖି ଭଗବାନଙ୍କ ନିକଟରେ ଶପଥ ନିଅ ଯେ ସ୍ୱାଧୀନତା ହାସଲ ନ ହେବାଯାଏଁ ବିଶ୍ରାମ ନେବ ନାହିଁ ଏବଂ ସ୍ୱାଧୀନତା ହାସଲ କରିବାକୁ ନିଜର ଜୀବନ ଦେବାପାଇଁ ପ୍ରସ୍ତୁତ ରହିବ । ଯିଏ ଜୀବନ ଦିଅନ୍ତି, ସେ ତାହା ପାଆନ୍ତି । ଯିଏ ନିଜର ଜୀବନରକ୍ଷା ପାଇଁ ଇଛା କରିବେ, ସେ ତାହା ହରାଇ ବସିବେ । ସ୍ୱାଧୀନତା ଭୀରୁ କିମ୍ବା ଦୁର୍ବଳନେତାମାନଙ୍କ ପାଇଁ ନୁହେଁ ” ।
ଏହି ଅଧିବେସନରେ ଯୋଗଦେଇଥିବା କଂଗ୍ରେସର ସଭ୍ୟମାନେ ଗାନ୍ଧୀଙ୍କର ଏ ବାର୍ତାସହ ମୁକ୍ତି ମଶାଲ ଧରି ନିଜ ନିଜ ଅଂଚଳକୁ ଚାଲିଲେ । ଏ ପ୍ରସ୍ତାବର ନିଷ୍ପତିକୁ ବଡ଼ଲାଟଙ୍କ ଅବଗତି ନିମନ୍ତେ ମଧ୍ୟ ଜଣାଇ ଦିଆଗଲା । ଏହାର କେଇ ଘଂଟା ପରେ ଅଗଷ୍ଟ ୯ ପ୍ରତ୍ୟୁଷରେ ହଠାତ୍ ସରକାର ଗାନ୍ଧିଜୀଙ୍କ ସହ କଂଗ୍ରେସର ଅନ୍ୟାନ୍ୟ ତୁଙ୍ଗ ନେତାମାନଙ୍କୁ ଗିରଫ କରିନେଲେ । ଜାତୀୟ କଂଗ୍ରେସକୁ ବେଆଇନ ଘୋଷଣା କରି ଦିଆଗଲା । ଗାନ୍ଧୀଙ୍କୁ ପୁନାଠାରେ ଅବସ୍ଥିତ ଆଗା ଖାଁ ପ୍ରାସାଦରେ ଓ ଅନ୍ୟମାନଙ୍କୁ ଅହମଦନଗର ଦୁର୍ଗ ମଧ୍ୟରେ ବନ୍ଦୀ କରାଗଲା । ଦେଶର ଅନ୍ୟାନ୍ୟ ପ୍ରାନ୍ତର କାର୍ଯ୍ୟକାରୀ ସଭ୍ୟମାନଙ୍କୁ ଗିରଫ କରି ନିଆଗଲା । ପରିସ୍ଥିତି ଏମିତି ହେଲା ଯେ ‘ଭାରତଛାଡ଼’ ଆନ୍ଦୋଳନ ଚଳାଇବା ପାଇଁ କେହି ନେତାଟିଏ ରହିଲେ ନାହିଁ । ଏହାଥିଲା ଏକ ନେତୃତ୍ୱ ବିହୀନ କ୍ରାନ୍ତିକାରୀ ବିପ୍ଲବ । ଏହି ବାର୍ତା ତ୍ୱରିତ ବେଗରେ ଦେଶସାରା ବ୍ୟାପିଗଲା । ବମ୍ବେ ସହିତ ବିଭିନ୍ନ ଯାଗାରେ ହଜାର ହଜାର ଲୋକ ଜମି ଯାଉଥାନ୍ତି । ଆନ୍ଦୋଳନକୁ ଦବାଇବା ପାଇଁ ସରକାରଙ୍କ ତରଫରୁ ଲାଠି ଚାଳନା, ଲୁହବୁହା ଗ୍ୟାସ ଏବଂ ଆଖି ବୁଜା ଗୁଳିଚାଳନା ଆରମ୍ଭ ହୋଇଗଲା । ଏ ନେଇ ଶ୍ରୀମତୀ ମୁଦୁଳା ସରାଭାଇ ଗାନ୍ଧିଜୀଙ୍କ ଠାରୁ ‘କର ବା ମର’ ବାର୍ତାଟି ଆଣି ବାହାରେ ପ୍ରଚାର କରିଦେଲେ । ଏତିକିରେ ସରକାରଙ୍କ ବିରୁଦ୍ଧରେ ଚାଲିଲା ଖୋଲା ବିଦ୍ରୋହ । ଏହି ସମୟରେ ଯୁଦ୍ଧଯୋଗୁଁ ଦେଶର ଅର୍ଥନୈତିକ ଦୁର୍ଗତିର ବ୍ୟବସ୍ଥା, ଜନସାଧାରଣଙ୍କ ଉପରେ ଚାପ ପକାଉଥାଏ । ଖାଦ୍ୟ ଦ୍ରବ୍ୟର ଉତ୍କଟ, ଅଭାବ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମାତ୍ରାଧିକ ମୂଲ୍ୟ, କଂଟ୍ରୋଲ ଓ କଳାବଜାରି ଗାଁର ସାମାଜିକ ସ୍ଥିତିକୁ ଅତିମାତ୍ରାରେ ବିପନ୍ନ କରିପକାଇଥାଏ । ଏହାର ପ୍ରତିକାର ପାଇଁ ଲୋକେ ସୁଯୋଗକୁ ଅପେକ୍ଷା କରିଥାଆନ୍ତି । ସେମାନେ ଭାବୁଥାନ୍ତି: ଯେ ଯାଏଁ ଇଂରେଜ ଏ ଦେଶରୁ ନ ହଟିଛି, ଯୁଦ୍ଧର ଦାଉ ଏ ଦେଶରୁ କମିବ ନାହିଁ କି ଯୁଦ୍ଧକାଳୀନ ବିପଦରୁ ଏ ଦେଶ ମୁକ୍ତି ପାଇପାରିବ ନାହିଁ । ଭାରତ ଛାଡ଼ ଆନ୍ଦୋଳନ ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ଏମୁକ୍ତି ସଂଗ୍ରାମ ସହିତ ସାମିଲ ହେବାର ସୁଯୋଗ ଯୋଗାଇଲା । ଏଣୁ ହଡ଼ା ମାତିଲେ ଗୁହାଳ ମାତିଲାପରି ନେତାଙ୍କଠାରୁ ଆରମ୍ଭ କରି ଗାଁ ଗହଳିର ସାଧାରଣ ପ୍ରଜା ଯାଏଁ ସମସ୍ତେ ମାତିଲେ ଆନ୍ଦୋଳନରେ । ଏହାକୁ ଦବାଇବାବା ପାଇଁ ଇଂରେଜ ସରକାର ଦମନଲୀଳା ନୀତି ପ୍ରୟୋଗ କଲେ । ପ୍ରଥମରୁ କଂଗ୍ରେସ ଗାନ୍ଧିଙ୍କ ନିର୍ଦ୍ଦେଶାନୁଯାୟୀ ନିରସ୍ତ୍ର ଆନ୍ଦୋଳନ କରିବାକୁ ସ୍ଥିର କରିଥିଲେ ହେଁ, ନେତାମାନଙ୍କ ଗିରଫଦାରୀ ତଥା ନେତୃତ୍ୱ ବିହୀନ ସଂଗ୍ରାମ, ଅପର ପକ୍ଷରେ ସରକାରଙ୍କର ଦମନଲୀଳା ଯୋଗୁଁ ସଂଗ୍ରାମୀମାନେ ହିଂସାକୁ ବି ଗ୍ରହଣ କରିନେଲେ । ସେମାନେ ଉତ୍ୟକ୍ତ ହୋଇ ଥାନା, ଡାକଘର, ସରକାରି ଅଫିସ, ରେଳପଥ, ସରକାରୀ ସମ୍ପତି ଏବଂ ଟେଲିଗ୍ରାଫ ଅଫିସ ଉପରେ ବ୍ୟାପକ ଆକ୍ରମଣକଲେ ସରକାରୀ ସମ୍ପତିର ବିପୁଳ କ୍ଷୟକ୍ଷତି କରାଗଲା । କେତେକ ସ୍ଥାନରେ ଯାତାୟତ ବ୍ୟବସ୍ଥା ଧ୍ୱସଂକରିଦିଆଗଲା । ରେଲ୍ ଲାଇନ ଓ ପୋଲ ଉଡାଇ ଦିଆଗଲା ଏବଂ ସୈନ୍ୟବାହିନୀ ଚଳା ଚଳ ଅସମ୍ଭବ କରିଦିଆଗଲା । କେତେକ ସ୍ଥାନରେ, ବିଶେଷତଃ ଦ୍ୱରବର୍ତି ଗ୍ରାମାଂଚଳରେ ଜନତାଦ୍ୱାରା ସରକାର ଗଠନ କରଗଲା । ଏଣେ ସରକାର ଦମନଲୀଳାରେ ହଜାର ହଜାର ଗିରଫହେଲେ, ଗୁଳି ଖାଇ ମଲେ, ଫାଶୀ ପାଇଲେ... ଇତ୍ୟାଦି । ଅବସ୍ଥାଅସମ୍ଭାଳ ଦେଖି ତତ୍କାଳିନ ଭାରତ ବଡ଼ଲାଟ ଲିନ୍ଲିଥ୍ଗୋଚାର୍ଚ୍ଚିଲଙ୍କ ପାଖକୁ ଅତୀବ ଗୋପନୀୟ ପତ୍ରରେ ଜଣାଇଲେ, “ମୁଏଠାରେ ଏପରି ଏକ ଭୟଙ୍କର ବିପ୍ଲବର ସମ୍ମୁଖୀନ ହୋଇଛି,ଯେପରି ବିପ୍ଲବ ୧୮୫୭ ମସିହା ପରେ ଦେଖାଯାଇ ନ ଥିଲା । ଏ ବିପ୍ଲବର ବ୍ୟାପକତା ଓ ଭୟାବହତା ସାମରିକ ନିରାପତାଦୃଷ୍ଟିରୁ ଆମେ ପୃଥିବୀ ପାଖରୁ ଏ ପର୍ଯ୍ୟନ୍ତ ଗୋପନ ରଖିଛୁଁ । ପୁନଶ୍ଚ ଏ ନେଇ ବ୍ରିଟିଶ୍ ପାର୍ଲାମେଂଟର ପ୍ରଶ୍ନର ଉତରରେ ପ୍ରଧାନମନ୍ତ୍ରୀ ଚର୍ଚିଲ୍ କହିଥିଲେ, ‘ଭାରତକୁ ବହୁ ସଂଖ୍ୟାରେ ସେନ୍ୟବାହିନୀ ପଠାଗଲାଣି ଏବଂ ସେଠାରେ ଇଂରେଜ ସେନ୍ୟମାନଙ୍କ ସଂଖ୍ୟାଏତେ ବେଶି ହେଲାଣି ଯେ ସମଗ୍ର ବ୍ରିଟିଶ ରାଜତ୍ୱ ମଧ୍ୟରେକେବେ ହେଲେ ସେତେ ସଂଖ୍ୟକ ଇଂରେଜ ସେନ୍ୟ ଭାରତରେନଥିଲେ । ଏଥିରୁ ଅନୁମିତ ହୁଏ ଯେ ଭାରତର ଅଗଷ୍ଟ ବିପ୍ଲବବ୍ରିଟିଶ ଶାସନକୁ ଦୋହୋଲାଇ ଦେଇଥିଲା । ଦିନକୁ ଦିନ ବ୍ରିଟିଶ ଶତୃର ନିଷ୍ଠୁରତା ଚରମ ସୀମାରେପହଞ୍ôଚଲା ସେମାନେ ନିରୀହ ଅସହାୟ ଗ୍ରାମବାସୀଙ୍କ ଉପରେ ଅକଥନୀ ଅତ୍ୟାଚାର ଚଳାଇଲେ । ସେମାନଙ୍କର ସାନ୍ତିପୂର୍ଣ୍ଣ ସଭାସମିତି ଉପରେ ଗୁଳି ଚାଳନା ପାଇଁ ପଶ୍ଚାତ୍ପଦ ହେଲେ ନାହିଁ । ଗୁଳି ମାଡରେ ଅନେକ ମୃତାହତ ହେଲେ । ଅଗଷ୍ଟ ବିପ୍ଲବର ସର୍ବବୃହତ ହତ୍ୟାକାଣ୍ଡ ଦେଖିବାକୁ ମିଳିଥିଲା ଓଡିଶାର ବାଲେଶ୍ୱର ଜିଲ୍ଲାର ଇରମ ନାମକ ଏକ ଦୂରବର୍ତି ଗ୍ରାମାଞ୍ଚଳରେ ଯେଉଁଠି ବିଦ୍ରୋହ ଦମନ ପାଇଁ ପୋଲିସ ପକ୍ଷରୁ ୧୩୦ଥର ଗୁଳି ଚାଳନା କରାଯାଇଥିଲା । ଏଥିରେ ଘଟଣା ସ୍ଥଳରେ ଜଣେ ସ୍ତ୍ରୀ ଲୋକ ସହ ୨୬ ଜଣ ସହୀଦ ହୋଇଥିଲେ ଏବଂ ୫୫ ଜଣ ଆହତ ହୋଇଥିଲେ । ଏହି ସଂଗ୍ରାମରେ ଓଡ଼ିଶାର କୋରାପୁଟର, ଲକ୍ଷ୍ମଣ ନାହକ ଫାଶୀ ପାଇଲେ । ବାସ୍ତବିକ ଏହି ଆନ୍ଦୋଳନରେ କେତେ ଲୋକ କି ପ୍ରକାର ଶିକାର ହେଲେ, ତାର ହିସାବ ଦେବା ଅସମ୍ଭବ । ତେବେ ସରକାରୀ ହିସାବ ଠାରୁ ଏହା ଅନେକ ଗୁଣରେ ବେଶୀ ବୋଲି ଧରିବାକୁ ହେବ । ତଥାପି ୧୯୪୨ ନଭେମ୍ଭର ମାସ ସୁଦ୍ଧା ସରକାରୀ ହିସାବ ଅନୁସାରେ ୧୦୨୮ ବ୍ୟକ୍ତି ପ୍ରାଣ ହରାଇଥିଲେ ଏବଂ ୩୧୨୫ ଜଣ ଗୁରୁତର ଆହାତ ହୋଇଥିଲେ । ତେବେ ଏହା ଏକ ଗ୍ରହଣ ଯୋଗ୍ୟ ହିସାବ ନୁହେଁ କାରଣ, ହିସାବ ଅନୁସାରେ ପୋଲିସର ସୈନ୍ୟ ବାହିନୀ ଦ୍ୱାରା ୫୩୮ଟି ସ୍ଥାନରେ ଗୁଳି କାଣ୍ଡ ଘଟିଥିଲା ଏବଂ ଆକଶ ମାର୍ଗରୁ ଅନେକ ସ୍ଥାନରେ ବିଶାଳ ଜନତାଙ୍କ ଉପରକୁ ଗୋଳା ବର୍ଷଣ କରାଯାଇଥିଲା । ନେହୁରୁଙ୍କ ମତରେ : କେବଳ ଅନୁମାନ କରି କୁହାଯାଇ ପାରେଯେ ଏ ସଂଗ୍ରାମରେ ସହିଦ ହୋଇଥିବା ସଂଖ୍ୟା ୪୦୦୦ରୁ ୧୦,୦୦୦ ମଧ୍ୟରେ ହୋଇପାରେ; ୧୯୪୨ ଶେଷଯାଏଁ ବନ୍ଦୀମାନଙ୍କ ସଂଖ୍ୟା ୬୦,୦୦୦ । ଦୋଷାଭିଯୁକ୍ତ ୨୬,୦୦୦ । ଅଟକମାନଙ୍କ ସଂଖ୍ୟା ୧୮,୦୦୦ ଏବଂ ସରକାରୀ ଭାବେ କ୍ଷତିର ପରିମାଣ ଟଙ୍କା ୧୦,୦୦୦,୦୦୦ । ‘ଭାରତ ଛାଡ଼ ଆନ୍ଦୋଳନ - ୧୯୪୨’ ଅହିଂସାରୁ ହିଂସାକୁ ଆଶ୍ରୟ କରିମଧ୍ୟ କୃତକାର୍ଯ୍ୟ ହୋଇପାରିଲା ନାହିଁ । ଏହି ଆନ୍ଦୋଳନର ସମାପ୍ତି ଘଟିଲା ୧୯୪୪ ମସିହା ମଇମାସ ୬ତାରିଖରେ ଗାନ୍ଧିଙ୍କ ମୁକ୍ତିରେ । ଏ ଆନ୍ଦୋଳନ କୃତକାର୍ଯ୍ୟ ନ ହେବାର କାରଣ ହେଲା : ବିନା ନେତୃତ୍ୱ ଏବଂ ବିନା ଯୋଜନାରେ ଯୁଦ୍ଧ, କର୍ମୀମାନଙ୍କର ହିଂସାଚରଣ ଯାହାକି ଗାନ୍ଧି ଓ କଂଗ୍ରେସ ନୀତିର ବିରୁଦ୍ଧଚରଣ ଥିଲା । ନେତାମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟର ଅଭାବ ଏବଂ ଗାନ୍ଧିଙ୍କ କଥାଥିଲା ଯେ ସଂଗ୍ରାମ ଅ।।ରମ୍ଭ ହେଲାମାତ୍ରେ ଭାରତବାସୀ ନିଜକୁ ସ୍ୱାଧୀନ ଭାରତର ଲୋକବୋଲି ମନେ କରିବେ ଓ ସରକାରଙ୍କ ଠାରୁ ସମସ୍ତ ସଂପର୍କ ତୁଟାଇ ଦେଶକୁ ବିଭିନ୍ନ ଅଂଚଳରେ ଭାଗଭାଗ କରି ପ୍ରତ୍ୟେକ ଅଂଚଳରେ ପଂଚାୟତ ଗଠନ କରି ତା’ ଜରିଆରେ ଶାସନର ସମସ୍ତ କାର୍ଯ୍ୟ ନିର୍ବାହ କରିବେ ଅଥଚ ଯେଉଁ ଅଂଚଳରେ ସେମାନେ କଛି କିଛି କୃତକାର୍ଯ୍ୟ ହେଲେ, ନେତାମାନଙ୍କ ପରାମର୍ଶ ବିନା କିପରି ଏହା ଆରମ୍ଭ କରିବେ, ଜାଣିପାରିଲେ ନାହିଁ । ଏ ଆନ୍ଦୋଳନ ଅକୃତକାର୍ଯ୍ୟ ସତ୍ୱେ ଅନ୍ତତଃ ଏତିକି ସୂଚାଇ ଦେଲା ଯେ ଅଖଣ୍ଡ ଭାରତର ଆବାଳବୃଦ୍ଧ ବନିତା ସ୍ୱାଧୀନତା ପ୍ରାପ୍ତିପାଇଁ ଯେ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ । ଅନ୍ୟପକ୍ଷରେ ବ୍ରିଟିଶ ସରକାର ଅନୁଭବ କଲେ ଯେ ତାଙ୍କ ପାଇଁ ଭାରତରେ ଆଉ ଅନୁରକ୍ତି ବା ପ୍ରଭାବ ନାହିଁ । ସେମାନେ ତାଙ୍କୁ ମାଲିକ ବୋଲି ଗ୍ରହଣ କରିବାରେ ବାଧ୍ୟ ନୁହଁନ୍ତି । ଅର୍ଥାତ୍ ବ୍ରିଟିଶ ସରକାର ଜାଣିଲେ ଯେ ଖୁବ୍ ଶୀଘ୍ର ତାଙ୍କୁ ଭାରତ ଛାଡ଼ିବାକୁ ହେବ । ଐତିହାସିକମାନେ ଭାରତଛାଡ ଆନ୍ଦୋଳନ, ୧୯୪୨କୁ ଭାରତର ମୁକ୍ତି ସଂଗ୍ରାମରେ ଦ୍ୱିତୀୟ ମହାସମର ବୋଲି କହିଛନ୍ତି । ଏହାର କାରଣ ଏହି ଯେ ବ୍ରିଟିଶ ବିରୁଦ୍ଧରେ ସ୍ୱାଧୀନତା ସଂଗ୍ରାମରେ ମାତ୍ର ଦୁଇଥର ସଶସ୍ତ୍ର ସଂଗ୍ରାମ ହୋଇଅଛି ଯେଉଁଥିରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭାରତର ପ୍ରତ୍ୟେକ ଅଂଶ ତଥା ଗଡଯାତ ଇତ୍ୟାଦି ସମସ୍ତେ ଅଂଶିଦାର ଅଛନ୍ତି । ପ୍ରଥମ ମୁକ୍ତି ସଂଗ୍ରାମର ମହାସମର ସଂଗଠିତ ହୋଇଥିଲା ୧୮୫୭ ମସିହାରେ ଯାହାର ନାମଥିଲା ସିପାହୀ ବିଦ୍ରୋହ ଏବଂ ଦ୍ୱିତୀୟ ମୁକ୍ତି ସଂଗ୍ରାମର ମହାସମର ଆରମ୍ଭହେଲା ୯ ଅଗଷ୍ଟ ୧୯୪୨ ମସିହାରେ ଏବଂ ଗାନ୍ଧିଙ୍କ ଜେଲ୍ ମୁକ୍ତିରେ ଅର୍ଥାତ୍ ୬ମେ ୧୯୪୪ ମସିହାରେ ପରିସମାପ୍ତି ହେଲା ଯାହାର ନାମ ଥିଲା ଭାରତଛାଡ ଆନ୍ଦୋଳନ । ଏତଦ୍ ଭିନ୍ନ ବାକି ଯେଉଁ ଆନ୍ଧୋଳନ କରାଯାଇଛି ତାହ ।ଥିଲା କେବଳ ସତ୍ୟ, ଅହିଂସା ଓ ଅସହଯୋଗର ଆନ୍ଦୋଳନ । ଭାରତଛାଡ଼ ଆନ୍ଦୋଳନ, ଥିଲା ବ୍ରିଟିଶରାଜ ବିରୁଦ୍ଧରେ ଭାରତର ଶେଷମୁକ୍ତି ସଂଗ୍ରାମ ।
Comments
Post a Comment