ଡ. ସମନ୍ୱୟ ନନ୍ଦ
କୌଣସି ଦେଶର ସେନାର ଏକ ନିଶ୍ଚିତ ପାରମ୍ପାରିକ ଭୂମିକା ରହିଥାଏ । ତାହା ହେଲା ଶତ୍ରୁ ଦେଶ ବିରୁଦ୍ଧରେ ଆବଶ୍ୟକ ହେଲେ ଲଢେଇ ଲଢିବା, ନିଜ ଦେଶର ସାର୍ବଭୌମତ୍ୱକୁ ରକ୍ଷା କରିବା ଆଦି । ତେବେ ନିଜର ବିସ୍ତାରବାଦୀ ନୀତି ପାଇଁ ବଦନାମ ହୋଇ ସାରିଥିବା ଚୀନର ସେନା ଅର୍ଥାତ ପିପୁଲ୍ସ ଲିବରେସନ ଆର୍ମୀ (ପିଏଲଏ) କେବଳ ପାରମ୍ପାରିକ ଭାବେ ସେନାର ଯାହା କାମ ରହିଛି ସେ କେବଳ ତାକୁ କେବଳ କରେ ନାହିଁ । ସେ ଶତ୍ରୁ ବିରୁଦ୍ଧରେ ପାରମ୍ପରିକ ଭାବେ କେବଳ ଯେ ଯୁଦ୍ଧ କରେ ନାହିଁ ବରଂ ବିଭିନ୍ନ ଉପାୟରେ ବିଭିନ୍ନ ଦେଶର ଘେରାବନ୍ଦୀ କାମ ମଧ୍ୟ କରିଥାଏ । ଏଥି ପାଇଁ ସେ ବିଭିନ୍ନ ମାଧ୍ୟମରେ ବିଭିନ୍ନ କମ୍ପାନୀ ଜରିଆରେ ପୁଂଜି ବିନିଯୋଗ କରିଥାଏ । ଏପରି କରିବା ଦ୍ୱାରା ଚୀନ ଉକ୍ତ ଦେଶର ଅର୍ଥନୀତିକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥାଏ । କେବଳ ସେତିକି ନୁହେଁ ଏହି କମ୍ପାନୀ ମାନଙ୍କ ଜରିଆରେ ପିଏଲଏ ଉକ୍ତ ଦେଶ ଗୁଡିକରେ ଗୁପ୍ତ ତଥ୍ୟ ସଂଗ୍ରହ କରିଥାଏ । ବିଭିନ୍ନ ଦେଶର ଗୁଇନ୍ଦା ତଥ୍ୟ ହାସଲ କରିବା ପାଇଁ ନିଜ ନିଜର ବ୍ୟବସ୍ଥା ରହିଥାଏ, ହେଲେ ବିଭ୍ିନ୍ନ କମ୍ପାନୀ ମାନଙ୍କ ଦ୍ୱାରା ଗୁଇନ୍ଦା ତଥ୍ୟ ସୁନିୟୋଜିତ ଷଡଯନ୍ତ୍ର ଭାବେ ହାସଲ କରା ଯିବାର ଉଦାହରଣ ଖୁବ କମ ମିଳେ । ପିପୁଲ୍ସ ଲିବରେସନ ଆର୍ମୀ (ପିଏଲଏ) ଚୀନର ଅନେକ ବଡ ବଡ କମ୍ପାନୀରେ ପ୍ରଚୁର ପୁଂଜି ଲଗାଇଥାଏ । ଏହି କମ୍ପାନୀ ମାନେ ବିଭିନ୍ନ ଦେଶରେ ପୁଂଜି ବିନିଯୋଗ କରିଥାନ୍ତି । ବିଶେଷ ଭାବେ ଟେଲିକମ ଓ ଅନ୍ୟ ଷ୍ଟ୍ରାଟେଜିକ କ୍ଷେତ୍ରରେ ଚୀନର ଏହି କମ୍ପାନୀ ମାନେ ବିଭିନ୍ନ ଦେଶରେ ପୁଂଜି ବିନିଯୋଗ କରିଥାନ୍ତି । ଏହି କମ୍ପାନା ମାନଙ୍କ ଜରିଆରେ ଚୀନ ଉକ୍ତ ଦେଶ ମାନଙ୍କ ଠାରୁ ଗୁପ୍ତଚରୀ କାମ କରିଥାଏ । ଉକ୍ତ ଦେଶ ମାନଙ୍କର ଡାଟା, ଗୁରୁତ୍ୱପୂର୍ଣ ତଥ୍ୟ ଆଦି ଚୋରୀ କରିବାରେ ଏହି କମ୍ପାନୀ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଏହାର ଅର୍ଥ ହେଲା ଯେ ଉକ୍ତ କମ୍ପାନୀ ମାନେ ପ୍ରକାରାନ୍ତରେ ବ୍ୟବସାୟ ନାମରେ ଚୀନର ପିପୁଲ୍ସ ଲିବରେସନ ଆର୍ମୀ ପାଇଁ କାମ କରିଥାନ୍ତି । ତେବେ ଯେଉଁ ଦେଶ ମାନଙ୍କରେ ଏହି କମ୍ପାନୀ ମାନେ କାମ କରିଥାନ୍ତି ସେ ଦେଶ ମାନେ ପିଏଲଏ ଓ ଚୀନର ଉକ୍ତ କମ୍ପାନୀ ମାନଙ୍କର ଭିତିରି ଉଦ୍ଦେଶ୍ୟ ସମ୍ପର୍କରେ ଅଜ୍ଞ ରହିଥାନ୍ତି । ଭିଏତନାମର ଫୁଲ ବ୍ରାଇଟ ବିଶ୍ୱବିଦ୍ୟାଳୟର ଜଣେ ଆସୋସିଏଟ ପ୍ରଫେସର କ୍ରଷ୍ଟୋଫର ବାଲ୍ଡିଂଗ ଓ ଲଣ୍ଡନର ଏକ ଥିଙ୍କ ଟ୍ୟାଙ୍କ ହେନରୀ ଜ୍ୟାକସନ ସୋସାଇଟି ପକ୍ଷରୁ ଏ ସମ୍ପର୍କରେ ଏକ ନୂତନ ଷ୍ଟଡି ସାମନାକୁ ଆସିଛି । ଏହି ଅଧ୍ୟୟନ ଅନୁସାରେ ଚୀନର ସବୁଠାରୁ ବଡ ଟେଲିକମ କ୍ଷେତ୍ରରେ କାମ କରୁଥିବା କମ୍ପାନୀ ହୁଆଇ କମ୍ପାନୀର ଅଧିକାରୀ ଓ କର୍ମଚାରୀ ମାନଙ୍କର ଚୀନର ସୈନିକ ଓ ଗୁଇନ୍ଦା ସଂସ୍ଥା ମାନଙ୍କ ସହିତ ଗଭୀର ସମ୍ପର୍କ ରହିଛି । ଏହି ଅଧ୍ୟୟନରେ ଆହୁରି କୁହା ଯାଇଛି ଯେ ହୁଆଇ କମ୍ପାନୀର କିଛି କର୍ମଚାରୀଙ୍କ ପୁରୁଣା ପୃଷ୍ଠଭୂମି ଚୀନର ସେନା ଓ ଗୁଇନ୍ଦା ସଂସ୍ଥା ସହ ରହିଛି । ଏହି କର୍ମଚାରୀ ମାନେ ଅନ୍ୟ ଦେଶର ଡାଟା ଚୋରି କରିବାର ପ୍ରବଳ ସମ୍ଭାବନା ରହିଛି ବୋଲି ଅଧ୍ୟୟନରେ ପ୍ରକାଶ କରା ଯାଇଛି । ଏହି ଅଧ୍ୟୟନ ବେଳେ ଅଧ୍ୟୟନକାରୀ ମାନଙ୍କୁ ଗୋଟିଏ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଖିବାକୁ ମିଳିଥିଲା । ହୁଆଇ କମ୍ପାନୀର ଜଣେ ବଡ ଅଧିକାରୀ ଚୀନର ମିଲିଟାରୀ ବିଶ୍ୱ ବିଦ୍ୟାଳୟରେ ଅନୁସନ୍ଧାନ କ୍ଷେତ୍ରରେ କାମ କରୁଥିଲେ । ଚୀନର ପିପୁଲ୍ସ ଲିବରେସନ ଆର୍ମୀ ତାଙ୍କୁ ଉକ୍ତ ପଦରେ ନିଯୁକ୍ତି ଦେଇଥିଲା । ସେହି ସମାନ ବ୍ୟକ୍ତି ପରବର୍ତୀ ସମୟରେ ହୁଆଇରେ ବଡ ପଦରେ ଥିବା ଅଧ୍ୟୟନରେ ପ୍ରକାଶ କରା ଯାଇଛି । ଉକ୍ତ ବ୍ୟକ୍ତି ଜଣଙ୍କ ପିଏଲଏର ସ୍ପେଶ, ସାଇବର, ଇଲେକ୍ଟ୍ରୋନିକ ବାର ଫେୟାର ସାମର୍ଥ୍ୟ ବିଷୟରେ କାମ କରୁଥିଲେ । ତେଣୁ ପରିସ୍ଥିତିଜନ୍ୟ ପ୍ରମାଣ ସ୍ପଷ୍ଟ କରୁଛି ଯେ ଚୀନ ଏହି ଭଳି କମ୍ପାନୀ ମାନଙ୍କ ଜରିଆରେ ଅନ୍ୟ ଦେଶ ମାନଙ୍କରେ ପ୍ରବେଶ କରି ଗୁଇନ୍ଦା ତଥ୍ୟ ଓ ଅନ୍ୟ ଡାଟା ହାସଲ କରୁଛି । ସେହିପରି ୟୁଏସ ସେକ୍ରେଟାରୀ ଅଫ ଡିଫେନ୍ସ ପକ୍ଷରୁ ମିଲିଟାରୀ ଏଣ୍ଡ ସିକ୍ୟୁରିଟି ଡେଭଲରମେଂଟ ଇନଭଲଭିଂ ଦି ପିପୁଲ୍ସ ରିପବ୍ଲିକ ଅଫ ଚାଇନା- ୨୦୧୯ ସମ୍ପର୍କିତ ବାର୍ଷିକ ରିପୋର୍ଟରେ ମଧ୍ୟ ଚୀନର କମ୍ପାନୀ ମାନଙ୍କ ପକ୍ଷରୁ ଥିବା ବିପଦ ସମ୍ପର୍କରେ ଅବଗତ କରା ଯାଇଛି । ଏହି ରିପୋର୍ଟରେ କୁହା ଯାଇଛି ଯେ ଚୀନର କମ୍ପାନୀ ମାନଙ୍କ ପାଇଁ ଚୀନରେ ଏକ ଆଇନ ପାରିତ କରା ଯାଇଛି ଯାହା ଦ୍ୱାରା ଚୀନର କମ୍ପାନୀ ମାନେ ଅନ୍ୟ ଦେଶରେ କାମ କରୁଥିଲେ ସେଠାକାର ଗୁଇନ୍ଦା ତଥ୍ୟ ଚୀନର ପିଏଲଏକୁ ଦେବାକୁ ପଡିବ । ତେଣୁ ଚୀନରୁ ଆସୁଥିବା ବିଦେଶୀ ନିବେଶର ନିରାପତା ସମ୍ପର୍କିତ ବିପଦ ରହିଥିବା ଏହି ରିପୋର୍ଟରେ ଉଲ୍ଲେଖ କରା ଯାଇଛି । ଉପରୋକ୍ତ କଥାରୁ ସ୍ପଷ୍ଟ ଯେ ଚୀନର ପିପୁଲ୍ସ ଲିବରେସନ ଆର୍ମୀ ଚୀନର କମ୍ପାନୀ ଓ ଆପ ଗୁଡିକୁ କେବଳ ଯେ ଆର୍ଥିକ ଲାଭ ପାଇଁ ବ୍ୟବହାର କରି ନ ଥାଏ ବରଂ ଅନ୍ୟ ଦେଶର ଗୁରୁତ୍ୱପୂର୍ଣ ତଥ୍ୟ ହାସଲ ମଧ୍ୟ କରିଥାଏ । ଆଉ ସବୁଠାରୁ ବଡ କଥା ହେଲେ ଯେ ଏହାକୁ ସେ ଅତ୍ୟନ୍ତ ଚତୁରତାର ସହ କରିଥାଏ, ଯାହା ଫଳରେ ଏହାକୁ ନେଇ କାହାକୁ ସନ୍ଦେହ ହେବାର ମଧ୍ୟ ଭୟ ନ ଥାଏ । ତେବେ ବର୍ତମାନ ପରିସ୍ଥିତି ବଦଳୁଛି । ଚୀନରୁ କରୋନା ଭାଇରସ ଉତ୍ପତି ହେବା ଓ ସମଗ୍ର ବିଶ୍ୱକୁ ଏହାର କବଳିତ ହେବା ପରେ ର ସମଗ୍ର ବିଶ୍ୱରେ ଚୀନ ପ୍ରତି ଦୃଷ୍ଟି ବଦଳିଛି । ଚୀନ ପ୍ରତି ବିଭିନ୍ନ ଦେଶ ମାନଙ୍କରେ ନକାରାତ୍ମକ ଦୃଷ୍ଟିଭଙ୍ଗି ସାମନାକୁ ଆସିଛି । ଏହା ପରେ ଚୀନ ଦ୍ୱାରା ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ଉତେଜନା ପର ଠାରୁ ଭାରତରେ ମଧ୍ୟ ମଧ୍ୟ ବଦଳିଛି । ନିକଟ ଅତୀତରେ ଭାରତ ସରକାର ଚୀନର ୫୯ଟି ଆପକୁ ପ୍ରତିବନ୍ଧିତ କରିଛନ୍ତି । ଗୁପ୍ତ ତଥ୍ୟ ଓ ଡାଟା ଚୋରୀ ହେଉଥିବା କାରଣରୁ ଭାରତ ସରକାର ଏହି ଆପ ଗୁଡିକୁ ପ୍ରତିବନ୍ଧିତ କରିଥିବା ପ୍ରକାଶ କରିଛନ୍ତି । ବର୍ତମାନ ମୋଦି ସରକାର ଚୀନର ପିପୁଲ୍ସ ଲିବରେସନ ଆର୍ମୀ ପାଇଁ କାମ କରୁଥିବା କମ୍ପାନୀ ଗୁଡିକୁ ସ୍କାନ କରିବା ଆରମ୍ଭ କରିଛନ୍ତି । ଏହାକୁ ପିଏଲଏ ସ୍କାନ ବୋଲି କୁହା ଯାଉଛି । ଭାରତରେ ଯେତେ ଚୀନର କମ୍ପାନୀ କାମ କରୁଛନ୍ତି ବା ଯେଉଁ କମ୍ପାନୀ ଗୁଡିକୁ ଚୀନରୁ ଫଣ୍ଡିଂ ମିଳୁଛି ଏପରି ସବୁ କମ୍ପାନୀ ଏବେ ଭାରତ ସରକାରଙ୍କ ରାଡାରରେ ଅଛନ୍ତି । ଭାରତର ଅର୍ଥନୀତିକୁ ଚୀନରୁ ଦଖଲରୁ ରୋକିବା ପାଇଁ ଏହି କମ୍ପାନୀ ମାନଙ୍କ ଉପରେ ଦୃଷ୍ଟି ଦେବା ଆବଶ୍ୟକ ରହିଥିବା ଦୃଷ୍ଟିରୁ ଭାରତ ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ସବୁ ମଧ୍ୟରେ ଚୀନର କମ୍ପାନୀ ମାନଙ୍କ ଦ୍ୱାରା ଭାରତରେ କରାଯାଇଥିବା ପୁଂଜି ନିବେଶ ସମ୍ପର୍କରେ ମଧ୍ୟ ସରକାର ଦୃଷ୍ଟି ଦେଉଛନ୍ତି । କାରଣ ଏହି ପୁଂଜି ବିନିଯୋଗ କରିଥିବା ପିଏଲଏ ପରବର୍ତୀ ସମୟରେ ଏହି କମ୍ପାନୀ ମାନଙ୍କ ଦ୍ୱାରା ଭାରତର ଅର୍ଥନୀତିକୁ ଦୁର୍ବଳ କରିବାକୁ ଚେଷ୍ଟା କରି ପାରେ ବୋଲି ସରକାରଙ୍କ ପକ୍ଷରୁ କୁହା ଯାଇଛି । ବର୍ତମାନ ଭାରତ ସରକାର ଏଭଳି କମ୍ପାନୀ ମାନଙ୍କର ତାଲିକା ପ୍ରସ୍ତୁତ କରୁଛନ୍ତି । ଭାରତ ସରକାର ଏଭଳି ସାତଟି କମ୍ପାନୀକୁ ଚିହ୍ନଟ କରି ସାରିଛନ୍ତି । ଏହି କମ୍ପାନୀ ମାନଙ୍କ ଜରିଆରେ ଚୀନ ହଜାର ହଜାର କୋଟି ଟଙ୍କା ପୁଂଜି ବିନିଯୋଗ କରିଛି ।ଏହି କମ୍ପାନୀ ଗୁଡିକ ମଧ୍ୟରେ ଆଲିବାବା, ହୁଆଇ ଭଳି କମ୍ପାନୀ ସାମିଲ ଅଛନ୍ତି । ଉପରୋକ୍ତ ବିଷୟରୁ ସ୍ପଷ୍ଟ ଯେ ଚୀନର ପିପୁଲ୍ସ ଲିବରେସନ ଆର୍ମୀ କେବଳ ଯେ ଯୁଦ୍ଧ କରି ଚୀନର ବିସ୍ତାରବାଦ ପାଇଁ କାମ କରେ ନାହିଁ, ବରଂ ବିଭିନ୍ନ ଦେଶରେ ପୁଂଜି ନିବେଶ କରି ଉକ୍ତ ଦେଶମାନଙ୍କରୁ ଆର୍ଥିକ ଲାଭ ହାସଲ କରେ ଓ ସେମାନଙ୍କର ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିଥାଏ । କେବଳ ସେତିକି ନୁହେଁ ଏହି ଅତ୍ୟନ୍ତ ଗୁପ୍ତ ଓ ରହସ୍ୟମୟ ପୁଂଜି ନିବେଶ ଜରିଆରେ ସେ ଉକ୍ତ ଦେଶ ମାନଙ୍କରୁ ଗୁଇନ୍ଦା ଓ ଗୁପ୍ତ ତଥ୍ୟ ମଧ୍ୟ ଚୋରୀ କରିବା କାମ ମଧ୍ୟ କରିଥାଏ । ତେଣୁ ଚୀନ କେତେ ଚତୁରତାର ସହ କାମ କରିଥାଏ ତାହା ସ୍ପଷ୍ଟ ହେଉଛି । ତେବେ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଯେ ଭାରତର ସାଧାରଣ ଲୋକ ମାନେ ଚୀନର ଏହି ଭୟଙ୍କର ଷଡଯନ୍ତ୍ର ବିଷୟରେ ସମ୍ପୂର୍ଣ ଅଜ୍ଞ । ଚୀନ ବିରୁଦ୍ଧରେ ବର୍ତମାନ ବାତାବରଣ ତିଆରି ହେଉଥିବା ବେଳେ ଭାରତ ସରକାର କିଛି କଠୋର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଭାରତୀୟ ମାନଙ୍କ ମଧ୍ୟରେ ଏହି ଅଜ୍ଞତା ଧୀରେ ଧୀରେ ଶେଷ ହେଉଛି । ଚୀନର ଏହି ଷଡଯନ୍ତ୍ର ସମ୍ପର୍କରେ ପ୍ରତ୍ୟେକ ଭାରତବାସୀ ଅବଗତ ହେବା ଆବଶ୍ୟକ ।
Comments
Post a Comment