ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଏକ ଅତୀତ ଆକଳନ



ଉମାଶଙ୍କର ପ୍ରସାଦ

 ହିନ୍ଦୁମାନଙ୍କର ଉତ୍ସବ ଭିତରେ ଏକ ପ୍ରଧାନ ଉତ୍ସବ । ରଥଯାତ୍ରାର ଉତ୍ପତି ଓ ଇତିହାସ ଯେଭଳି ପ୍ରାଚୀନ ସେଭଳି ସଂଶୟାଚ୍ଛନ୍ନ । ବିଭିନ୍ନ ସଂହିତା ପୁରାଣ ଓ ଧର୍ମଶାସ୍ତ୍ର ଏହାର ସାକ୍ଷ୍ୟ । ସ୍କନ୍ଧପୁରାଣ, ପଦ୍ମପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, ବାମଦେବ ସଂହିତା ଓ ସୁତ ସଂହିତାରେ ଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ରହିଛି । ‘ଶ୍ରୀ ମନ୍ଦିର ସମାଚାର’ରେ ରଥଯାତ୍ରାର ଉତ୍ପତି ସମ୍ପର୍କରେ ଆଲୋକପାତ କରାଯାଇଛି । ଯେତେବେଳେ ଜଗନ୍ନାଥ ଧର୍ମର ପ୍ରଥମ ପ୍ରବର୍ତକ ମହାରାଜ ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରକୁ ଆସିଲେ ସେତେବେଳେ ସେ ଶବରପୂଜିତ ମାଧବବିଗ୍ରହଙ୍କ ଦେଖା ପାଇପାରିଲେ ନାହିଁ । ଏହି ନୈରାଶ୍ୟ ମଧ୍ୟରେ ଦେବର୍ଷି ନାରଦଙ୍କ ସ୍ୱପ୍ନାଦେଶ ଅନୁସାରେ ଇନ୍ଦ୍ରଦ୍ୟୁମ୍ନ ପୁରୁଷୋତମ କ୍ଷେତ୍ରର ସର୍ବ ପ୍ରଥମ ଆଧ୍ୟାତ୍ମିକ କର୍ମ ଓ ଜଗନ୍ନାଥଙ୍କର ଏହି ଉନ୍ମୋଚନ କର୍ମକୁ ନେଇ ରଥଯାତ୍ରା ବା ଘୋଷଯାତ୍ରା ହୋଇଥିବା ହିଁ ସାରକଥା” । ରଥଯାତ୍ରାର ଅନ୍ୟ ନାମ ଗୁଣ୍ଡିଚା ଯାତ୍ରା ବା ଶ୍ରୀଗୁଣ୍ଡିଚା । ପୁରାଣବର୍ଣ୍ଣିତ ମାଳବରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଏହି ଯାତ୍ରା ପ୍ରଚଳନ କରିଥିବା ହେତୁ ତାଙ୍କ ନାମାନୁସାରେ ଗୁଣ୍ଡିଚାଯାତ୍ରା ହୋଇଅଛି । ଚୋଳଗଙ୍ଗଙ୍କ ରାଣୀ ‘ଗଣ୍ଡିରୋଡି’ଙ୍କ ପ୍ରବର୍ତିତ ଯାତ୍ରା କାଳକ୍ରମେ ଗୁଣ୍ଡିଚା ନାମରେ ଖ୍ୟାତ ବୋଲି କୁହାଯାଏ । ଅନ୍ୟ ଆଲୋଚକଙ୍କ ମତରେ ଗୁଡିସା(କାଠ) ଶବ୍ଦରୁ ‘ଗୁଣ୍ଡିଚା’ ଶବ୍ଦର ସୃଷ୍ଟି । ଦଶ ଅବତାରରୁ ବୁଦ୍ଧ ଅବତାର ଅନ୍ୟତମ । ଜନଶ୍ରୃତି କହେ, ବୁଦ୍ଧଙ୍କ ଦନ୍ତ ଜଗନ୍ନାଥଙ୍କ ମଧ୍ୟରେ ଅବସ୍ଥିତ । ସୁତରାଂ ବୁଦ୍ଧଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ରଥଯାତ୍ରା ପ୍ରବର୍ତିତ ହୋଇଥିବା କୁହାଯାଏ । ରଥଯାତ୍ରାର ପ୍ରାଚୀନତା ସମ୍ବନ୍ଧରେ ପୁରାଣ, ଇତିହାସରୁ ଜଣାଯାଏ ଯେ ଭାରତ ଓ ଭାରତ ବାହାରେ ରଥଯାତ୍ରାର ପ୍ରଚଳନ ମଧ୍ୟ ଥିଲା । ସୂର୍ଯ୍ୟ ଆକାଶ ପଥରେ ରଥରେ ଯାତ୍ରା କରିବା କଥା ପୁରାଣ କହେ । ଅତୀତରେ କୋଣାର୍କର ସୂର୍ଯ୍ୟ ମୂର୍ତିଙ୍କୁ ରଥରେ ବସାଇ ପରିକ୍ରମା କରାଯାଉଥିଲା । ଚୈତ୍ର ମାସରେ ବୈାଦ୍ଧମାନଙ୍କର ଅନୁଷ୍ଠିତ ରଥଯାତ୍ରାକୁ ‘ମତ୍ସ୍ୟେନ୍ଦ୍ର ଯାତ୍ରା’ କୁହାଯାଏ । ଜଗନ୍ନାଥଙ୍କ ରଥଯାତ୍ରା ସହ ଏହାର ସାମ୍ୟ ଥିବା ଜଣାଯାଏ । ନେପାଳରେ ବୈଶାଖ ମାସରେ ଅନୁଷ୍ଠିତ ‘ଭୈରବ ଯାତ୍ରା’ ହିଁ ରଥଯାତ୍ରା । କାରଣ ‘ବିମଳା ଭୈରବୀ ଯତ୍ର ଜଗନ୍ନାଥସ୍ତୁ ଭୈରବଃ’ । ପୁନଶ୍ଚ ନେପାଳରେ ଶିବଲିଙ୍ଗକୁ ରଥରେ ବସାଇ ରଥ ଟଣାଯାଏ । ଫାହିୟାନଙ୍କ ଭାରତ ଭ୍ରମଣ ବୃତାନ୍ତରେ ବୈାଦ୍ଧମାନଙ୍କ ରଥଯାତ୍ରାର ଉଲ୍ଲେଖ ଅଛି । ଏପରିକି ତାଙ୍କ ଭ୍ରମଣ ପଥରେ ମଧ୍ୟଏସିଆର ଖୋଟାନ ଅଂଚଳରେ ବୈାଦ୍ଧ ତ୍ରିରତ୍ନର ରଥଯାତ୍ରା ନିଜେ ଦେଖିଥିବା କଥା ଭ୍ରମଣ କାହାଣୀରେ ଲେଖିଛନ୍ତି । ବିଜୟ ନଗରର ହାମ୍ପିଠାରେ ରଥାକୃତି ମନ୍ଦିର ଓ ରଥଯାତ୍ରାର ବିବରଣୀ ଇତିହାସରୁ ମିଳେ । ଭୁବନେଶ୍ୱରରେ ପ୍ରତିବର୍ଷ ଲିଙ୍ଗରାଜଙ୍କର ରୁକୁଣା ରଥ ଚାଲେ । ଅତୀତରେ ସିସିଲି ଦ୍ୱୀପରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାର ପ୍ରମାଣ ମିଳେ । ରଥରେ ସୂର୍ଯ୍ୟ, ଚନ୍ଦ୍ର, ପ୍ରଭୃତି ଦେବତାମାନେ ପୂଜିତ ହେଉଥିଲେ । ରଥକୁ ମହିଷମାନେ ଟାଣୁଥିଲେ । ଏହିପରି ବିଭିନ୍ନ ଦେଶରେ ଓ ସ୍ଥାନରେ ବିଭିନ୍ନ କିମ୍ବଦନ୍ତୀ ଓ ପୈାରାଣିକ ତଥ୍ୟର ବର୍ଣ୍ଣନା ରହିଛି । ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବହୁପୂର୍ବରୁ ଆରମ୍ଭ ହୋଇଥାଏ । ମାଘମାସ ବସନ୍ତ ପଂଚମୀଠାରୁ ରଥ କାଠ ସଂଗ୍ରହ କରାଯାଇଥାଏ । ଏତଦ୍ ଉପଲକ୍ଷେ କାଠ ଯୋଗାଣ ଦାୟୀତ୍ୱ ବର୍ତମାନ ଓଡିଶା ସରକାରଙ୍କର । ବୈଶାଖ ମାସରେ ଅକ୍ଷୟ ତୃତୀୟା ରୋହିଣୀ ନକ୍ଷତ୍ରରେ ପୂଜାର୍ଚ୍ଚନାପୂର୍ବକ ରଥ ନିର୍ମାଣ ଆରମ୍ଭ ହୁଏ । ରଥଯାତ୍ରାରେ ତିନୋଟି ରଥ ବ୍ୟବହୃତ ହୁଏ । ରଥତ୍ରୟର ନିର୍ମାଣ ବୈଶିଷ୍ଟ୍ୟ ସାଜସଜ୍ଜା ଆକର୍ଷଣୀୟ । ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ । ବେଦୀ ଉପରୁ ଏହାର ଉଚ୍ଚତା ୨୩ ହାତ । ପାଂଚହାତ ପରିଧିର ଷୋହଳଟି ଚକ ଏଥିରେ ଲାଗିଥାଏ । ରଥର ସାରଥି ନାମ ମାତଳି । ରଥରେ ଶୁକ୍ଳ ବର୍ଣ୍ଣର ଚାରୋଟି ଅଶ୍ୱ ଲଗାଯାଇଥାଏ । ରଥ ସତ୍ୱଗୁଣଯୁକ୍ତ ଓ ପୀତବସ୍ତ୍ରାଚ୍ଛାଦିତ । ରଥର ଶିଖର ପ୍ରଦେଶରେ ଚକ୍ର ବା ଗରୁଡ ଅଧିଷ୍ଠିତ । ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ । ବେଦୀ ଉପରୁ ଏହି ରଥର ଉଚ୍ଚତା ୨୨ ହାତ । ଏଥିରେ ସାଢେ ଚାରିହାତ ପରିଧି ବିଶିଷ୍ଠ ଚଉଦଟି ଚକ ଲାଗିଥାଏ । ରଥର ସାରଥି ସୁଦ୍ୟୁମ୍ନ ବା ତାଳଧ୍ୱଜ । ଯୋଚାଯାଇଥିବା ଚାରି ଅଶ୍ୱଙ୍କର ରଙ୍ଗ କଳା । ତାଳଧ୍ୱଜ ରଥ ନୀଳଲୋହିତ ବସ୍ତ୍ରାବୃତ ଓ ରଜୋଗୁଣସମ୍ପନ୍ନ । ରଥର ଶୀର୍ଷଭାଗ ତାଳ ଚିହ୍ନିତ । ରଥର ଦ୍ୱାରାଦେଶରେ ଥିବା ପୂର୍ଣ୍ଣକୁମ୍ଭ ଓ ଶସ୍ୟଗୁଚ୍ଛ ବଳଭଦ୍ରଙ୍କ ସର୍ଜନଶୀଳତା ଓ ଧନଧାନ୍ୟ ଏ÷୍ୟଶ୍ଚର୍ଯ୍ୟର ସୂଚକ । ଦେବୀ ସୁଭଦ୍ରା ଉପବେଶନ କରୁଥିବା ରଥର ନାମ ଦର୍ପଦଳନ । ଏହାକୁ ମଧ୍ୟ ଦେବଦଳନ,ପଦ୍ମଧ୍ୱଜ ବା ଦେବୀରଥ କୁହାଯାଏ । ବେଦୀ ଉପରୁ ରଥଟିର ଉଚ୍ଚତା ୨୧ ହାତ । ଚାରିହାତ ପରିଧିର ବାରଟି ଚକ ଲାଗିଥାଏ । ଏହା ତାମସିକ ଭାବାପନ୍ନ ହେତୁ କୃଷ୍ଣଲୋହିତ । ରଥର ସାରଥି ହେଉଛନ୍ତି ଅର୍ଜ୍ଜୁନ । ଚାରୋଟି ଅଶ୍ୱ ମଧ୍ୟ ଏହି ରଥରେ ସଂଯୁକ୍ତ । ଦ୍ୱାଦଶ ମାସ ଦ୍ୱାଦଶ ଚକ୍ରରୂପେ ପରିକଳ୍ପିତ । ବଳଭଦ୍ରଙ୍କ ସର୍ଜନଶୀଳତାରେ ଏମାନେ ସହାୟକ । ଜଗନ୍ନାଥଙ୍କର ଏହି ବିଶ୍ୱବିଖ୍ୟାତ ରଥଯାତ୍ରା ବା ଶ୍ରୀଗୁଣ୍ଡିଚାଯାତ୍ରା ପ୍ରତିବର୍ଷ ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହୁଏ । ‘ଯାତ୍ରା ଭାଗବତ’ରେ ଏ ସମ୍ପର୍କରେ ଉଲ୍ଲେଖ ଅଛି:- “ଆଷାଢସ୍ୟ ସିତେ ପକ୍ଷେ ଦ୍ୱିତୀୟାୟାଂ ଶୁଭଦିନେ ଶ୍ରୀ ଜଗନ୍ନାଥ ଦେବସ୍ୟ ଗୁଣ୍ଡିଚା ଭବତି ଧ୍ରୃବଂ । ରଥସ୍ଥଂ ଚ ଜଗନ୍ନାଥଂ ପ୍ରୟାତଂ ଗୁଣ୍ଡିଚା ଗୃହଂ ଯେ ପଶ୍ୟନ୍ତି ନରଶ୍ରେଷ୍ଠାସ୍ତେ ଧନ୍ୟାଭୁବନତ୍ରୟେ” । ଏହିଦିନ ସୁଦର୍ଶନଙ୍କ ସହ ତିନି ଠାକୁର ନୀଳଗିରି କନ୍ଦରରୁ ନ’ଅଦିନ ପର୍ଯ୍ୟନ୍ତ ଯାତ୍ରା କରିଥାନ୍ତି । ଗୁଣ୍ଡିଚା ମନ୍ଦିରସ୍ଥ ସ୍ୱଜନ୍ମସ୍ଥାନ ମହାବେଦୀରେ ସପ୍ତଦିବସ ଅବସ୍ଥାନ କରନ୍ତି । ଏହାକୁ ଗୁଣ୍ଡିଚା ଯାତ୍ରା କହନ୍ତି । ଏହି ଗୁଣ୍ଡିଚା ଯାତ୍ରାରେ ଠାକୁରମାନେ ରଥରେ ବିଜେ କରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରୁଥିବା ହେତୁ ଏହାକୁ ରଥଯାତ୍ରା କହନ୍ତି । ରଥଯାତ୍ରା ତିନିଭାଗରେ ବିଭକ୍ତ । ଯଥା- ପୂର୍ବଯାତ୍ରା,ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ ଓ ବାହୁଡା ଯାତ୍ରା । ରଥଯାତ୍ରା ଦିନ ରଥ ତିନୋଟି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଖାଯାଏ । ସେବକମାନେ ଠାକୁରମାନଙ୍କୁ ପହଣ୍ଡି କରି ରତ୍ନସିଂହାସନରୁ ରଥ ଉପରକୁ ଆଣନ୍ତି । ପ୍ରଥମେ ଭଗବାନ ସୁଦର୍ଶନ ଆସି ସୁଭଦ୍ରାଙ୍କ ରଥରେ ଅବସ୍ଥାନ କରନ୍ତି । ମନ୍ଦିରର ସାତଟି ପାହାଚ ସୁଦର୍ଶନ ପାରିହେବା ପରେ ବଳଭଦ୍ରଙ୍କ ମୂର୍ତିକୁ ରଥକୁ ଅଣାଯାଏ । ପୂର୍ବୋକ୍ତ ରୀତିରେ କ୍ରମାନ୍ୱୟରେ ସୁଭଦ୍ରା ଓ ଜଗନ୍ନାଥଙ୍କର ପହଣ୍ଡି ବିଜେ କରାଯାଏ । ଠାକୁରମାନଙ୍କ ରଥାରୋହଣ ପରେ ଠାକୁରଙ୍କର ପରମ ସେବକ ଉତ୍କଳର ଗଜପତି ରଥ ଉପରେ ଠାକୁରଙ୍କର ଚତୁଃପାଶ୍ୱର୍ ସୁନାଖଡିକାରେ ଓଳାଇ ଚନ୍ଦନ ପାଣି ଛିଚିଂଦିଅନ୍ତି । ଏହାକୁ ଛେରାପହଂରା କହନ୍ତି । ଏହାର ଦୃଶ୍ୟ ଉପଭୋଗ୍ୟ ଓ ପ୍ରାଣସ୍ପର୍ଶୀ । ଛେରାପଂହରା ଶେଷରେ ରଥଟଣା କାର୍ଯ୍ୟ ଆରମ୍ଭ ହୁଏ । ଶକ୍ତ ଓ ଲମ୍ବ ଦଉଡି ତିନିରଥରେ ବନ୍ଧାଯାଇଥାଏ । ଦର୍ଶନଲିପ୍‌ସୁ ଅଗଣିତ ନରନାରୀ ନିର୍ଦ୍ଦେଶ ପାଇବା ପରେ ରଥ ଦଉଡି ଟାଣନ୍ତି । କ୍ରମାନ୍ୱୟରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ ଟଣାହୁଏ । ରଥ ଦଉଡି ଟାଣିଲେ ବା ସ୍ପର୍ଶ କଲେ କୋଟି ଜନ୍ମର ଦୁଷ୍କୃତି ଦୂରହୁଏ ବୋଲି ଲୋକଙ୍କର ବିଶ୍ୱାସ । ସୁପ୍ରଶସ୍ତ ବଡଦାଣ୍ଡରେ ରଥ ଚାଲେ ନୀଳସାଗରରେ ପୋତଭଳି । ସେ ଦୃଶ୍ୟ ଦୁର୍ଲ୍ଲଭ । ଭାବବିଭୋର ହୋଇ କବି ଗାଇ ଉଠିଛନ୍ତି:- “ପ୍ରମୋଦଜଳଧୈା ନିମଜ୍ଜତିମନଃ ଜଳାର୍ଦ୍ରାଦୃଶଃ କଦମ୍ବକୁସୁମଶ୍ରିୟଂ ହରତି ବର୍ଷ୍ନ ବଦ୍ଧୋଞ୍ଜଳିଃ ପ୍ରଧାବତି ଜୟଧ୍ୱନିର୍ନିପତିତଃ ଶିରୋ ଭୂତଳେ ସ କୋପି ସମୟକ୍ରିୟାଅତି ବିଚିତ୍ରଚିତୟଂ ମହଃ” । ବଡଦାଣ୍ଡରେ ରଥରେ ଭକ୍ତମାନଙ୍କ ତରଫରୁ ନିଃସଙ୍ଖୁଡି ଭୋଗ କରାଯାଏ । ମାଉସୀ ମା’ ବା ଅର୍ଦ୍ଧାଶନୀ ମନ୍ଦିର ନିକଟରେ ଜଗନ୍ନାଥଙ୍କ ରଥ କିଛି ସମୟ ଅଟକେ । ସେଠାରେ ପୋଡପିଠା ଭୋଗ ହୁଏ । ଏହାପରେ ବଳଗଣ୍ଡି ବା ଶରଧାବାଲି ନିକଟରେ ଜଗନ୍ନାଥଙ୍କ ରଥ ଅପେକ୍ଷା କରେ । ରାଜା ବଳି ଜଗନ୍ନାଥଙ୍କୁ ଦର୍ଶନ କରିବାର ଜନଶ୍ରୃତି ଅଛି । ରଥତ୍ରୟ ସନ୍ଧ୍ୟାସୁଦ୍ଧା ଗୁଣ୍ଡିଚା ମନ୍ଦିର ନିକଟରେ ପଂହଚେ । ରାତିଟି ତିନି ଠାକୁର ରଥରେ କଟାଇବା ପରେ ପରଦିନ ପହଣ୍ଡି ହୋଇ ଗୁଣ୍ଡିଚା ମନ୍ଦିରସ୍ଥ ରତ୍ନସିଂହାସନରେ ବିଜେ ହୁଅନ୍ତି । ସାତଦିନ ସେଠାରେ ପ୍ରଭୁ ପୂଜା ପାଆନ୍ତି । ନବମ ଦିନ ତିନିଠାକୁରଙ୍କୁ ରଥରେ ବସାଇ ସିଂହଦ୍ୱାର ନିକଟକୁ ଅଣାଯାଏ । ଏହାକୁ ବାହୁଡାଯାତ୍ରା କହନ୍ତି । ଏକାଦଶୀ ଦିନ ରଥରେ ତିନି ଠାକୁରଙ୍କର ସୁନାବେଶ ହୁଏ । ତା’ପରଦିନ ରତ୍ନସିଂହାସନରେ ଠାକୁରମାନଙ୍କର ଅର୍ଚ୍ଚନା କରାଯାଏ । ହିନ୍ଦୁମାନଙ୍କର ଗର୍ବ ଓ ଗୈାରବର ଦେବତା ଜଗନ୍ନାଥଙ୍କର ରଥଯାତ୍ରାର ଆଦର୍ଶ ଓ ମହତ୍ୱ ଆକାଶ ପରି ଅନନ୍ତ ଓ ସାଗର ପରି ଗଭୀର । ବିଶ୍ୱକଲ୍ୟାଣ ଲାଗି ଜଗନ୍ନାଥ ଦାରୁ ଦେହରେ ଶ୍ରୀପୁରୁଷୋତମ ନାଁରେ ବିଜେ କରିଛନ୍ତି । ଜଗତର ହିତ,ପତିତ ଉଦ୍ଧାର ଓ ପାପୀଙ୍କର ପାପମୋଚନ ରଥଯାତ୍ରାର ବୈଶିଷ୍ଟ୍ୟ । ରଥରେ ରଥାରୋହୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବ୍ୟକ୍ତିର ନିର୍ବାଣ ପ୍ରାପ୍ତି ହୁଏ । ଶ୍ରୀହର୍ଷ କହିଛନ୍ତି:- “ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନଂ ରଥେ ତୁ ବାମନଂ ଦୃଷ୍ଟ୍‌ା ପୁନର୍ଜନ୍ମ ନ ବିଦ୍ୟତେ” । ଗୁଣ୍ଡିଚା ମନ୍ଦିରଗାମୀ ରଥସ୍ଥ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କୁ ଦର୍ଶନ କଲେ ବିଷ୍ଣୁଲୋକ ପ୍ରାପ୍ତି ହୁଏ ବୋଲି ବ୍ରହ୍ମପୁରାଣରେ ଉଲ୍ଲେଖ ଅଛି । ବ୍ୟକ୍ତି ଯେତେ ବଡ ହେଲେ ମଧ୍ୟ ଭଗବାନଙ୍କର ସେ ସେବକ ଓ ଦାସ । ରାଜଧର୍ମ ସେବାପାଇଁ ଉଦ୍ଦିଷ୍ଟ । ଉତ୍କଳ ଗଜପତିଙ୍କର ରଥ ଛେରାପଂହରା ଏହି ଆଦର୍ଶ ପ୍ରଚାର କରେ । ସବଧର୍ମର ସମନ୍ୱୟ ଓ ଜାତିଭେଦର ନିରାକରଣ ରଥଯାତ୍ରାର ଅନ୍ୟତମ ମହତ୍ୱ । ସାମ୍ୟ, ମୈତ୍ରୀ ଓ ପ୍ରୀତିର ଆଦର୍ଶ ରଥଯାତ୍ରାରେ ନିହିତ । ତିନିରଥର ଚକସଂଖ୍ୟା ମୋଟରେ ବୟାଳିଶ । ଗୁଣ୍ଡିଚା ଓ ବାହୁଡା ଉଭୟ ଦେଖିଲେ ଚଉରାଶୀ ଚକ ଦେଖିବାକୁ ହୁଏ । ଫଳରେ ଚଉରାଶୀ ନରକରୁ ଉଦ୍ଧାର ମିଳେ । ଓଡିଆ ଲିଖିତ ସାହିତ୍ୟ ସୃଷ୍ଟି ହେବା ପରଠାରୁ ପୁରାଣ, ଭଜନ, ଜଣାଣ ଓ ଚଉତିଶା ପ୍ରଭୃତିରେ ଜଗନ୍ନାଥ ଓ ତାଙ୍କର ରଥଯାତ୍ରା ପ୍ରସଙ୍ଗ ଉଲ୍ଲିଖିତ ହୋଇଛି । କବି ସାଲବେଗ ସ୍ୱୀୟ ରଚନାରେ ରଥଯାତ୍ରାର ଅବତାରଣା କରିଛନ୍ତି । “ରଥ ଚାରି ପାଶେ ଲମ୍ବେ ମୁକୁତାର ଝରା ଝଲମଲ ଦିଶୁଥାଇ ପ୍ରଭୁ ଚକାଡୋଳା । ଆଗେ ଚାଲେ ବଳଭଦ୍ର ମଧ୍ୟେ ଚାନ୍ଦମୁହୀଁ ପଛେ ଆସୁଛି କାଳିଆ ଗହଳ ଲଗାଇ” । ଭକ୍ତକବି ହାଡିଦାସ ରଥଯାତ୍ରା ଦର୍ଶନରୁ ବଂଚିତ ହୋଇ ଜଗନ୍ନାଥଙ୍କ ନିକଟରେ ଯେଭଳି ଆତ୍ମ ନିବେଦନ ପ୍ରଖ୍ୟାପନ କରିଛନ୍ତି ତାହା ଅନନ୍ୟ ସାଧାରଣ । “ହେ ପ୍ରଭୁ କଳାଶ୍ରୀମୁଖ, ତୁମ ରଥଯାତ ଦେଖି ନ ପାରିଲି ଦେବାରୁ ଦାରୁଣ ଦୁଃଖ” । ଦୀନକୃଷ୍ଣ, ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ, ସଦାନନ୍ଦ,ଗୈାରଚରଣ, ଯଦୁମଣି,ଆର୍ତଦାସ ଆଦି ପ୍ରାଚୀନ କବି ଓ ଆଧୁନିକ ଯୁଗର କବିମାନେ ମଧ୍ୟ ଜଗନ୍ନାଥଙ୍କ ରଥଯାତ୍ରା ବର୍ଣ୍ଣନାରେ ଶତଜିହ୍ୱ ହୋଇଛନ୍ତି । ରଥଯାତ୍ରା କେବଳ ଜଗନ୍ନାଥଙ୍କ ଘୋଷଯାତ୍ରା ନୁହେଁ, ଏହା ବିଶ୍ୱମାନବର ଜୟଯାତ୍ରା । ଏହା ଉତ୍କଳୀୟ ସଂସ୍କୃତିର ଗର୍ବଗୈାରବର ପ୍ରତୀକ । ଜଗନ୍ନାଥ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସଙ୍ଗରେ ନେଇ ଯାତ୍ରା କରିବା ପାରିବାରିକ ବନ୍ଧନ ତଥା ଭ୍ରାତୃତ୍ୱର ସୂଚନା ଦିଏ । ଏଥିରେ ବିଶ୍ୱ ସଂସ୍କୃତି ସମ୍ମିଳିତ ହୋଇଛି । ହିନ୍ଦୁ ସମାଜ ପ୍ରାଣଭରି ଏ ଉତ୍ସବକୁ ସ୍ୱାଗତ କରେ । ବିରାଟତା କେବଳ ରଥଯାତ୍ରାର ବୈଶିଷ୍ଟ୍ୟ ନୁହେଁ, ମହାନତା ଏହାର ନିର୍ଯ୍ୟାସ । ଅପୂର୍ବ ମାନବପ୍ରୀତିର ଏହା ଦୃଷ୍ଟାନ୍ତ । ମାତ୍ର ଚଳିତ ବର୍ଷର ରଥଯାତ୍ରା ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଯେଉଁ ଭକ୍ତମାନଙ୍କୁ ନେଇ ଭକ୍ତ ବିନୋଦିଆ ନୀଳ କନ୍ଦରରୁ ଓହ୍ଲାଇ ଆସି ବାମନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବା ସହ କୋଟି କୈବଲ୍ୟ ପ୍ରାପ୍ତି କରାଇ ଭକ୍ତମାନଙ୍କର ସକଳ ପାପ ଦାପକୁ ହରଣ କରିଥାନ୍ତି, ଆଜି ସେ ଭକ୍ତବାନ୍ଧବ ତାଙ୍କ ଭକ୍ତମାନଙ୍କର କାର୍ଯ୍ୟକଳାପରେ ଏଭଳି ବିତସ୍ପୃହ ହୋଇଯାଇଛନ୍ତି ଯେ, କରୋନା ଭଳି ମହାମରୀ କବଳରୁ ତାଙ୍କ ଓ ଭକ୍ତଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅବେଧ୍ୟ ପାଚେରୀକୁ ଲଂଘନ କରିବା ନା ଭଗବାନ ଚାହୁଁଛନ୍ତି, ନା ଭକ୍ତ ନିଜର ଅନ୍ତରାତ୍ମାରୁ ଏଭଳି ଆହ୍ୱାନ ଦେଇପାରୁନି, ଫଳରେ ଆଜିର ରଥଯାତ୍ରା ଭକ୍ତ ବିହୀନର ରଥଯାତ୍ରା ହୋଇ ଇତିହାସରେ ରହିବ । ତଥାପି ପ୍ରଭୁ କରୁଣାମୟ ନିଜ ଭକ୍ତମାନଙ୍କ ପ୍ରତି ଆଶିଷ ପ୍ରଦାନ କରି ଏହି ମହାମାରୀ ସଙ୍କଟରୁ ଉଦ୍ଧାର କରିବେ ବୋଲି ଏହି ନଗଣ୍ୟ ଲେଖକର ବିଶ୍ୱାସ । ସ୍ତମ୍ବକାର ତଥା ସାମ୍ବାଦିକ,ଖୋର୍ଦ୍ଧା ମୋ ନଂ-୬୩୭୦୬୭୫୫୬

Comments