ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ଚେତନାରେ ଶ୍ରୀଗୁଣ୍ଡିଚା ଯାତ୍ରା



ଉମାଶଙ୍କର ପ୍ରସାଦ 

ପରମ ପାବନ ଶ୍ରୀକ୍ଷେତ୍ରରେ ବାରମାସରେ ଅନେକ ଯାନିଯାତ୍ରା ପର୍ବପର୍ବାଣି ଉତ୍ସବ ମହୋତ୍ସବ ପାଳିତ ହୋଇଥାଏ । ଉତ୍କଳର ନେତା ଚକ୍ରନାରାୟଣ ଦାରୁବ୍ରହ୍ମ ଜଗନ୍ନାଥ ତାଙ୍କର ଅନେକ ପର୍ବ ପର୍ବାଣି ମଧ୍ୟରୁ ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟ ତିଥିରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ପୃଥବୀ ପ୍ରସିଦ୍ଧ । ଏହି ରଥଯାତ୍ରାକୁ କାଳଜୟୀ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ ଲେଖନୀ ମୁନରେ ରସାଣିତ କରି ବାଖ୍ୟା କରିଛନ୍ତି । ଏହି ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଶ୍ରୀଗୁଣ୍ଡିଚାା ମନ୍ଦିରକୁ ଯାତ୍ରା କରନ୍ତି । ପ୍ରଥମରେ ବଡ଼ ଠାକୁର ଶ୍ରୀବଳଭଦ୍ର ତାଳଧ୍ୱଜ ରଥରେ ବିଜେ ହୁଅନ୍ତି, ତା’ପରେ ଦେବୀ ସୁଭଦ୍ରାଙ୍କୁ ସେବକ ପଣ୍ଡାମାନେ ଚିତ୍ କରି ଦର୍ବଦଳନ ରଥରେ ବିଜେ କରାନ୍ତି । ଏଭଳି ମନୋହର ଚିତାକର୍ଷକ ଦୃଶ୍ୟକୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଅତି ପ୍ରାଞ୍ଜଳ ଭାବରେ ତାଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଏବଂ ବୈଦେହିସ ବିଳାସ କାବ୍ୟରେ ବର୍ଣ୍ଣନା କରିଛନ୍ତି । କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ବିରହ ଯନ୍ତ୍ରଣା ବେଳେ ସହଚରୀମାନେ ଚିତ୍ କରି ଜଗତୀ ବା କୋଠା ଉପରକୁ ନେବା ପ୍ରସଙ୍ଗ ସହିତ ତୁଳନା କରି ଲେଖିଛନ୍ତି - ଜଗତୀ କି ଗଜମତୀକୁ ଟେକି ସଖୀ ନେବାରେ ଦିଶିଲା ଭଦ୍ରାକ୍ଷୀ ସୁଭଦ୍ରା ରଥ ବିଜେ ପ୍ରକାରେ (କୋ.ବ୍ର.ସୁ) ସର୍ବଶେଷରେ କାଳିଆ ଠାକୁର ମହାପ୍ରଭୁ ଜଗନ୍ନାଥ ଭକ୍ତମାନଙ୍କ ସହିତ ବିନୋଦ କରିବା ସହ ପହଣ୍ଡିରେ ଝୁଲି ଝୁଲି ନନ୍ଦିଘୋଷ ରଥରେ ବିଜେ କରନ୍ତି । ମହାପ୍ରଭୁ ଜଗନ୍ନାଥଙ୍କର ରଥାରୁଢ଼ ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୁଏ । ରଥରେ ଲାଗିଥିବା ଦୌଡ଼ିକୁ ଅଗଣିତ ଭକ୍ତ ଟାଣୁଥାନ୍ତି ଏବଂ ଉଭୟ ପାଶ୍ୱର୍ରେ ରଥକୁ ନରନାରୀ ସମସ୍ତେ ଦର୍ଶନ କରୁଥାନ୍ତି । ଉତ୍କଳର ଆରାଧ୍ୟ ନେତା ଓଡ଼ିଆମାନଙ୍କର ମୁରବୀ ଶ୍ରୀ ଜଗନ୍ନାଥ ରଥରେ ବସ୍ତ୍ର, ପତାକା, ଚାମର ପ୍ରଭୃତି ଦ୍ୱାରା ମଣ୍ଡନ ହୋଇ ଦର୍ଶକ ମାନଙ୍କର ନୟନ ମନକୁ ଆକର୍ଷଣ କରୁଥାନ୍ତି । ଉପେନ୍ଦ୍ର ଭଞ୍ଜଙ୍କ ତାହାର ଜ୍ୱଳନ୍ତ ନିଦର୍ଶନ । ସେ ଲେଖିଛନ୍ତି - ଚୀଚି ରଜୋମୀନ କୂର୍ମ ଝିଙ୍କାଜନ ଯୋଖେ, ବେନୀରୋଧେ ମୃଗ ମୃଗୀ ନରନାରୀ ଦେଖେ ଯେ, ବସ୍ତ୍ର କୁଂଚା ଚିରାଳ ଚାମରେ ସେ ମଣ୍ଡନ , ବିସ୍ତୃତ ରୂପକ “ରଥ୍ରଯାତ୍ରା”ର ସମାନ ଯେ । ମହାପ୍ରଭୁ ଶ୍ରୀଜଗନ୍ନାଥ ବଳଗଣ୍ଡି ଠାରେ ଅଟକି ଯାଇ ଲୋକମାନଙ୍କର ସନ୍ତୋଷ ବିଧାନ କରିବା ପରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ରଥ ଚଳିଥାଏ । ଏହାର ଏକ ନମୁନା କବି ଉପେନ୍ଦ୍ର ଭଞ୍ଜ ଭୃଗୂ ପର୍ଶୁଧର ପର୍ଶୁରାମଙ୍କ ଦର୍ପଦଳନ ପ୍ରସଙ୍ଗ କ୍ରମରେ ବର୍ଣ୍ଣନା କରାଇ ଲେଖିଚନ୍ତି - “ବଳଗଣ୍ଡି ଠାରେ ଯଥା ଜଗନ୍ନାଥ, ବିଜେ ପୁଣି ଜନକ ସନ୍ତୋଷେ ଚଳି ରଥଯେ ।” (ବୈ.ବି.) ବାହୁଡ଼ା ଦର୍ଶନ ଦିନ ଠାକୁରମାନେ ପୁନର୍ବାର ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିରକୁ ବାହୁଡ଼ା ଯାତ୍ରା କରିଥାନ୍ତି । ଯାହା ଶାସ୍ତ୍ର ମତରେ ୮୪ ନର୍କରୁ ସମଗ୍ର ମାନବ ସମାଜକୁ ମୁକ୍ତି ପ୍ରଦାନ କରିଥାଏ । ଫେରିବା ବାଟରେ ମାଉସୀମା’ ମନ୍ଦିର ଠାରେ ପୋଡ଼ପିଠା ଲାଗୁ କରାଯାଏ । ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ସବୁରଥ ପହଞ୍ôଚବା ପରେ ବଡ଼ ଏକାଦଶୀ ଦିନ ଠାକୁରମାନଙ୍କୁ ସୁନା ବେଶରେ ସୁସଜ୍ଜିତ କରାଯାଏ । ଅଧରପଣା ସରିବା ପରେ ଜୟ ଜୟ ଶବ୍ଦନାଦରେ ଦଶ ଦିଗ ପ୍ରକମ୍ପନ କରି ଠାକୁରମାନେ ବଡ଼ ଦେଉଳରେ ପ୍ରବେଶ କରିଥାନ୍ତି । ଏଭଳି ପ୍ରସଙ୍ଗକୁ କବି ଉପେନ୍ଦ୍ର ଭଞ୍ଜ ତାଙ୍କ ଲେଖନୀମୁନରେ ବର୍ଣ୍ଣନା କରି ଲେଖିଛନ୍ତି - ବିସ୍ତାରିତ ଜୟ ଶବ୍ଦ ହେଲା ଦଶ ଦିଶ, ବଡ଼ ଦେଉଳ ସାକେତେ ହେଲେ ପରବେଶ ଯେ ।” (ବୈ.ବି.) ଏହି ନବଦିନ ବ୍ୟାପି ଘୋଷ ଯାତ୍ରାରେ ପୁରୁଷୋତ୍ତମ କ୍ଷେତ୍ରରେ ସ୍ଥାନୀୟ ରାଜାମାନଙ୍କ ଦ୍ୱାରା ବହୁ ଉତ୍ସବ ଅନୁଷ୍ଠିତ ହୋଇଥାଏ । ବାହୁଡ଼ା ବିଜୟ ସମୟରେ ଲୋକମାନେ ଭାବବିନୋଦିଆ ଜଗନ୍ନାଥଙ୍କୁ ଦେଖିବା ପାଇଁ ଅଭିଳାଷ ପୋଷଣ କରିଥାନ୍ତି । ଯାହାକୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଶ୍ରୀ ରାମଚନ୍ଦ୍ରଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ କ୍ରମରେ ଉଲ୍ଲେଖ କରି ଲେଖିଛନ୍ତି - “ବଡ଼ ଦେଉଳ ଅଗ୍ରତରେ ଗୁଣ୍ଡିଚା ରଥ ଯେ ଦେଖିଚି ତରକ,ବିଲୋକଳେ ବିଳାସୀ ସର୍ବଲୋକ, ବିଦିତ ନରେଶେ ଉତ୍ସବ ସେଠାରେ, ଏନାନା ଦିନ ସଂଖ୍ୟକ ହେ, ବିଦୁତୋ ।” (ବୈ.ବି.), ଉପେନ୍ଦ୍ର ଭଞ୍ଜଙ୍କର ଏହି କାବ୍ୟଧାରାକୁ ବିଚାର କଲେ ରଥଯାତ୍ରାର ଯେଉଁ ବିଷଦ୍ ବିବରଣୀ ସେ ତାଙ୍କ କାବ୍ୟ ମାଧ୍ୟମରେ ପ୍ରଦାନ କରିଯାଇଛନ୍ତି, ତାହା ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ ହେବା ସହ ଓଡ଼ିଆ ଜାତିର ଗର୍ବ ଓ ଗୌରବର ବିଷୟ କହିଲେ ଅପଳାପ ହେବନାହିଁ । ଭଗତ୍ ଲେନ୍‌, ମେନ୍ ରୋଡ଼, ଖୋର୍ଦ୍ଧା ମୋ: ୮୮୯୫୫୪୭୪୯୦

Comments