ଅସୁର ପ୍ରକୃତି ଓ ପ୍ରବୃତ୍ତି ଉପରେ ସତ୍ୟର ବିଜୟ ହେଉଛି ଦଶହରା


ମାନବ ନିଜର ଶାନ୍ତି ପାଇଁ ତଥା ସତ୍ ଉପାୟରେ ଟିକିଏ ଆନନ୍ଦ ପାଇଁ ତିଥି-ବାରକୁ ନେଇ ପାଳନ କରେ ଅନେକ ପର୍ବପର୍ବାଣି  । ବର୍ଷର ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ପାଳିତ ହୁଏ ନିର୍ଦ୍ଦିଷ୍ଟପର୍ବ  । ସେହିପରି ଦୁର୍ଗାପୂଜାର ତିଥି  । କେଉଁ ପ୍ରାଚୀନକାଳରୁ ଅନୁଷ୍ଠିତ ହୋଇଆସୁଛି ଦୁର୍ଗାପୂଜା  । ଦୁର୍ଗାପୂଜା କେତେକ ସ୍ଥାନରେ ୧୬ଦିନ ଧରି ପାଳିତ ହେଉଥିବାବେଳେ କେତେକ ସ୍ଥାନରେ ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପି ପାଳିତହୁଏ  । ଏହି ପାଞ୍ଚ ଦିନିଆପୂଜାରେ ବହୁ ବିଧô୍ ଓ ନୀତିନିୟମ ଥିଲେ ହେଁ ସବୁରି ଭିତରେ ରହିଛି ଗୋଟିଏ ତାତ୍ତ୍ୱିକ ଓ ଗୂଢ଼ ରହସ୍ୟ  । ସେ ସବୁକୁ ଗୋଟିଗୋଟିକରି ଆଲୋଚନା କରାଗଲେ ଏହି ସ୍ପଷ୍ଟୀକରଣ ମିଳିବ ଯେ ଏହା ପ୍ରକୃତିର ପୂଜା  । ଦୁର୍ଗାଙ୍କ ନିକଟରେ ଥିବା ପାର୍ଶ୍ୱ ଦେବଦେବୀବୃନ୍ଦ ଆଉ କେହି ନୁହନ୍ତି; ସମସ୍ତେ ପ୍ରକୃତିର ଗୋଟିଏ ଗୋଟିଏ ଅଂଶ  । ଋତୁଚକ୍ରର ଆବର୍ତ୍ତନରେ ଧରଣିରେ ଦେଖାଦିଏ ବହୁ ପରିବର୍ତନ  । ବର୍ଷା ଋତୁ ପରେ ପୃଥିବୀରେ ପାଦଥାପେ ଶରତଋତୁ  । ଏହି ଋତୁରେ ଆଧ୍ୟାତ୍ମିକ ଭାବଧାରରେ ତନ୍ମୟ ହୋଇଯା\'ନ୍ତି ଭାରତୀୟମାନେ  । ସାମାଜିକ ଜୀବନରେ ପାଳନ କରନ୍ତି ଦଶହରା ପର୍ବକୁ  । ଏହି ଶାରଦୀୟ ଦୂର୍ଗାପୂଜା ହିଁ ସବୁଆଡେ ବ୍ୟାପକ ଭାବେ ପାଳିତ ହୁଏ  । ସକଳ କାର୍ଯ୍ୟ ସମ୍ପାଦନ ନିମିତ ଶକ୍ତିର ଆବଶ୍ୟକତା ଅପରିହାର୍ଯ୍ୟ  । ତେଣୁ ଶକ୍ତି ସ୍ୱରୂପିଣୀ ମା\' ଦୂର୍ଗାଙ୍କର ଆଶୀର୍ବାଦ ସମସ୍ତେ ହିଁ କାମନା କରନ୍ତି  । ଶରତର ସେହି ନିର୍ମଳ ଆକାଶ ବକ୍ଷରେ ପକ୍ଷ ମେଲିଦିଏ ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ୱନି ସହିତ ମାତୃ ବନ୍ଦନାର ମନ୍ତ୍ର ‘ଯାଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା\' ---- -- ଇତ୍ୟାଦି  ।  ଭାରତରେ ଦୁଇଟି ଦଶହରା ପାଳନ କରାଯାଏ  । ପ୍ରଥମଟି ହେଲା ଗଙ୍ଗା ଦଶହରା ଓ ଦ୍ୱିତୀୟଟି ହେଲା ଶାରଦୀୟ ଦଶହରା  । ଜ୍ୟେଷ୍ଠମାସ ଶୁକ୍ଳ ଦଶମୀରେ ଗଙ୍ଗାଦେବୀ ସ୍ୱର୍ଗରୁ ମର୍ତ୍ତ୍ୟକୁ ଅବତାରଣ କରିଥିଲେ  । ତେଣୁ ଏହାକୁ ଗଙ୍ଗା ଦଶହରା କୁହାଯାଏ  । ଶରତ ଋୁତୁର ଆଶ୍ୱିନ ଶୁକ୍ଳ ଦଶମୀରେ ଆଦ୍ୟାଶକ୍ତି ମା\' ଦୁର୍ଗାଙ୍କର ମର୍ତ୍ତ୍ୟରେ ଆବିର୍ଭାବ ଘଟିଥିଲା  । ତେଣୁ ଏହାକୁ ଶାରଦୀୟ ଦୁର୍ଗାପୂଜା କୁହାଯାଏ  । ଦଶହରା ଲୋକମାନଙ୍କର ଦଶବିଧ ପାପ ହରଣ କରେ  । ତେଣୁ ବ୍ରହ୍ମ ପୁରାଣ କୁହନ୍ତି:- ଜ୍ୟେଷ୍ଠମାସେ ଶତପକ୍ଷେ ଦଶମୀ ହସ୍ତ ସଂଯୁତା ହରତେ ଦଶ ପାପାନି ତସ୍ମା ଦଶହରା ସ୍ମୃତା  । କେହି କେହି କୁହନ୍ତି ମଣ୍ଡପରେ ମା\'ଙ୍କର ପୂଜାର୍ଚ୍ଚନା ଦଶଦିନ ବ୍ୟାପି କରାଯାଉଥିବାରୁ ଏହାର ନାମ ଦଶହରା  । ଆଉ କେହି କେହି କୁହନ୍ତି ଦଶଶିର ରାବଣର ବିନାଶ ଏହି ଦିବସରେ ହୋଇଥିବା ଯୋଗୁଁ ଏହାର ନାମ ଦଶହରା  । ଅଫୁରନ୍ତ ଆନନ୍ଦରେ ଲୋକମାନେ ଏହି ପର୍ବ ପାଳନ କରନ୍ତି  । କେହି କେହି କହନ୍ତି ଏହି ପର୍ବ ହିଁ ସୂଚାଇଦିଏ ଅସୁର ପ୍ରକୃତି ଓ ପ୍ରବୃତ୍ତି ଉପରେ ସତ୍ୟର ବିଜୟ  । ଠିକ୍ କଥା  ।
ମହିଷାସୁର ଅତ୍ୟାଚାରରେ ଦେବ ଦାନବ ସମସ୍ତେ ଅସ୍ତବ୍ୟସ୍ତ ହୋଇ ପଡିଲେ  । ଏହାର ପ୍ରତିକାର ପାଇଁ ଦେବତାମାନେ ବ୍ରହ୍ମାଙ୍କ ପାଖକୁ ଗଲେ ଓ ବ୍ରହ୍ମା ଶିବଙ୍କ ପାଖକୁ ଗଲେ କିଛି ସୁପରାମର୍ଶ ପାଇଁ  । ଏହି ସମୟରେ କ୍ରୋଧାନ୍ୱିତ ଦେବତାମାନଙ୍କ ମୁଖମଣ୍ଡଳରୁ ବାହାରିଲା ଏକ ଅପୂର୍ବ ତେଜ  । ସେହି ତେଜରୁ ଜନ୍ମନେଲେ ଏକ ଅପୂର୍ବ ଲାବଣ୍ୟମୟୀ ତେଜସ୍ୱିନୀ ନାରୀମୂର୍ତ୍ତି । ସେ ହେଲେ ଆଦ୍ୟଶକ୍ତି ମା\' ଦୂର୍ଗା  । ମା\' କହିଲେ ହେ ଦେବତାମାନେ ମୋତେ ଅସ୍ତ୍ରଦିଅ ମୁଁ ଏକାକିନୀ ମହିଷାସୁରକୁ ବଧ କରିବି  । ଦେବତାମାନେ ସାହାଯ୍ୟର ହାତ ବଢାଇଲେ  । ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ସିଂହ ଉପରେ ଆରୋହଣ କରି ଯୁଦ୍ଧ କଲେ ମହିଷାସୁର ସହିତ  । ଯୁଦ୍ଧରେ ନିହତ ହେଲେ ମହିଷାସୁର  । ଦେବତାମାନେ ଖୁସିରେ ଜୟ ଜୟ ଧ୍ୱନି କଲେ । ଏହି ବିଜୟର ସ୍ମାରକୀ ସ୍ୱରୂପ ପ୍ରତିବର୍ଷ ଶୁକ୍ଳପକ୍ଷ ଦଶମୀ ତିଥିକୁ ବିଜୟାଦଶମୀ ନାମରେ ପାଳନ କରାଯାଉଛି  । ଆଉ ପୌରାଣିକ ମତରେ ପ୍ରଭୁ ଶ୍ରୀରାମ ମା\' ଦୁର୍ଗାଙ୍କର ଆଶୀର୍ବାଦ ନେଇ ରାବଣବଧ କରିଥିଲେ  । ଭଗବାନ ଶ୍ରୀକୃଷ୍ଣ ଏହିଦିନ ଶତୃ ବିନାଶ କରିବା ପାଇଁ ଅର୍ଜୁନଙ୍କୁ ମା\' ଦୂର୍ଗାଙ୍କୁ ସ୍ତୁତି କରିବା ପାଇଁ କହିଥିଲେ  । ଏହି ପର୍ବର ମୁଖ୍ୟ ଆଭିମୁଖ୍ୟ ହେଲା ଶକ୍ତିପୂଜା ଓ ମାତୃ ଆରାଧନା  । ତାଙ୍କୁ ଆରାଧନା କଲେ ମନୁଷ୍ୟ ସୁଖ, ଶାନ୍ତି, ସମୃଦ୍ଧି ଓ ସୌଭାଗ୍ୟ ଲାଭ କରିଥାଏ  । ତେଣୁ ଆମ୍ଭେମାନେ ମା\'ଙ୍କ ଶରଣାପନ୍ନ ହୋଇ କଲ୍ୟାଣ ଭିକ୍ଷା କରୁ  । ହିନ୍ଦୁ ନରନାରୀମାନେ ମା\'ଙ୍କ ପାଦତଳେ ନୈବେଦ୍ୟ ଅର୍ପଣ କରି ତାଙ୍କ ଠାରୁ ସୁଖ, ଶାନ୍ତି, ଶ୍ରୀ, ସମ୍ପଦ ଓ ସୌଭାଗ୍ୟ ମାଗିନିଅନ୍ତି  । ଦୁର୍ଗତିନାଶିନୀ ମା\' ଭକ୍ତମାନଙ୍କର କଳ୍ପନାରେ କେବଳ ସୁଖ ଓ ଶାନ୍ତି ଦେଇନଥାନ୍ତି ସେ ଦେଇଥାନ୍ତି ଶକ୍ତି, ଶାନ୍ତି, ଧୈର୍ଯ୍ୟ, ଶୌର୍ଯ୍ୟ, ପରାକ୍ରମ ଓ ବିଜୟର ଟୀକା  । ଉତ୍କଳର ପୁରପଲ୍ଲୀ ମଧ୍ୟ ଗଗନ ପବନରେ ପ୍ରକମ୍ପିତ ହୋଇଯାଏ  । ବର୍ଷା ଋତୁ ପୂର୍ବରୁ ଉତ୍କଳୀୟମାନେ ସ୍ୱଦେଶ ପ୍ରତ୍ତ୍ୟାବର୍ତନ କରି କୃଷିକାର୍ଯ୍ୟ କରନ୍ତି  । ତା\'ପରେ ଦଶହରା ପୂଜାକୁ ଧୁମ୍ଧାମ୍ରେ ପାଳନ କରି ମା\'ଙ୍କ ଆଶିଷ ନେଇ ପୁଣି ବିଜୟ ଯାତ୍ରା ଆରମ୍ଭ କରନ୍ତି । ଦୁର୍ଗାମଣ୍ଡପ ମାନଙ୍କରେ ଆଶ୍ୱିନ ଶୁକ୍ଳ ଷଷ୍ଠୀ ଠାରୁ ପୂଜାର୍ଚ୍ଚନା ଆରମ୍ଭ ହୁଏ  । ଅଷ୍ଟମୀ ତିଥିଟି ମହାଷ୍ଟମୀ ନାମରେ କଥିତ ଅଛି  । ପାଂଚଦିନ ବ୍ୟାପୀ ପୁଜାର୍ଚ୍ଚନା ମଧ୍ୟରେ ଦଶମୀ ଦିନ ମଧ୍ୟରାତ୍ରରେ ଉଦ୍ଯାପନ କରାଯାଇଥାଏ  । ଏହା ଏକ ସାର୍ବଜନୀନ ପୂଜା ହୋଇଥିବାରୁ ଲୋକମାନେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଲାଭ କରିଥାନ୍ତି  ।
ଏହି ବିଜୟାଦଶମୀର ଶୁଭ ଅବସରରେ ପରମପୂଜନୀୟ ସରସଂଘଚାଳକ  ସ୍ୱର୍ଗୀୟ ଡକ୍ଟର କେଶବ ବଳିରାମ ହେଡଗେୱାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ଥାପନା କରି ହିନ୍ଦୁ ସମାଜକୁ ସଂଗଠିତ କରିବା କାର୍ଯ୍ୟ ଆରମ୍ଭ କରିଥିଲେ । ସମ୍ପୂର୍ଣ୍ଣ ହିନ୍ଦୁ ସମାଜକୁ ସଂଗଠିତ କରିବାର ଏହି କାର୍ଯ୍ୟକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗୁରୁ ଗୈରିକ ପତାକା ତଳେ ନିରନ୍ତର କରୁଅଛି । ଆତଙ୍କବାଦ, ଅନୁପ୍ରବେଶ, ମଠ ମନ୍ଦିର ଉପରେ ଆକ୍ରମଣ ଆଦି ଅନେକ ସମସ୍ୟା ଦେଶରେ ଲାଗିରହିଛି । ତେଣୁ ଏଭଳି ଅବସ୍ଥାରେ ସଂଗଠନ ବିନା ବଂଚିବା ସମ୍ଭବପର ନୁହେଁ । ହଜାର ବର୍ଷର ଅବନତି କ୍ଷଣମାତ୍ରକେ ପରିବର୍ତ୍ତନ ହୋଇ ପାରିବ ନାହିଁ । ଏହା ସଂଘ ଜାଣେ । ଆମର ସଂପୂର୍ଣ୍ଣ ବିଶ୍ୱାସ ଯେ ହିନ୍ଦୁମାନେ ସଂଗଠିତ ହୋଇ ନିଜର ପୂର୍ବ ଗୌରବକୁ ଅବଶ୍ୟ ପ୍ରାପ୍ତ କରିବେ ।
ଏହି ସଂସାରରେ ଶକ୍ତିଶାଳୀ ବ୍ୟକ୍ତି ଜୀବିତ ରହେ ଏବଂ ଦୁର୍ବଳର ବିନାଶ ଅପରିହାର୍ଯ୍ୟ । ଅତଃ ଶକ୍ତିର ଉପାସନା କରିବା ପ୍ରତ୍ୟେକ ସମାଜର ପ୍ରଥମ କର୍ତ୍ତବ୍ୟ ଅଟେ । ସଂଘ କାର୍ଯ୍ୟ ନିରନ୍ତର ପ୍ରଗତି ପଥରେ ଆଗେଇ ଚାଲୁଛି । ଏହାକୁ ଅଧିକ ତୀବ୍ରତର କରିବା ଆମର ଦାୟିତ୍ୱ । ଏହା ହେଲେ ଆମ ସମାଜ ପୁଣି ଥରେ ଚୈତନ୍ୟରେ ପରିପୂର୍ଣ୍ଣ ହୋଇ ଦୃଢତାର ସହିତ ସମ୍ମାନ ପ୍ରାପ୍ତ କରିବ ଏହା ମୋର ବିଶ୍ୱାସ । 

Comments