ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଭାରତୀୟ ସଂସ୍କୃତିର କର୍ତିମନ୍ତ ସ୍ଥମ୍ଭ ରୁପେ ପ୍ରତିଷ୍ଠା ହୋଇଥିବା ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠାତା ମଦନ ମୋହନ ମାଲବ୍ୟଙ୍କୁ ଗାନ୍ଧିଜୀ ସମ୍ମାନର ସହିତ ମହାମନା ବୋଲି କହୁଥିଲେ । ଭାରତର ଏହି କୃତି ସନ୍ତାନ ୨୫/୧୨/୧୮୬୧ ମସିହାରେ ପୁଣ୍ୟ ନଗରୀ ପ୍ରୟାଗ ରାଜ ଠାରେ ଜନ୍ମ ଗ୍ରହଣ କରିଥିଲେ । ଏମାନେ ବାସ୍ତବରେ ବ୍ରାହ୍ମଣ ଓ ଏମାନଙ୍କର ସଜ୍ଞା ଚର୍ତୁବେଦୀ ଥିଲା । ମାତ୍ର ଏମାନଙ୍କ ବଂଶ ଉଜ୍ୱୟିନି ବା ମାଳବ ଅଂଚଳରୁ ଆସିଥିବାରୁ ନିଜକୁ ମାଲବ୍ୟ ବୋଲି ପରିଚିତ କରୁଥିଲେ । ପଣ୍ଡିତ ମାଲବ୍ୟ ମାହତ୍ମା ଗାନ୍ଧିଙ୍କ ଦ୍ୱାରା ଆକର୍ଷିତ ହୋଇ କଂଗ୍ରେସ ଦଳରେ ଯୋଗ ଦେଇଥିଲେ ଓ ଜେଲ ମଧ୍ୟ ଯାଇଥିଲେ । ସେ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ସର୍ବୋଚ୍ଚ ଚାରି ଥର ୧୯୦୯, ୧୯୧୮, ୧୯୩୧ ଓ ୧୯୩୨ ମସିହାରେ କଂଗ୍ରେସର ସଭାପତି ପଦ ଅଳଂକୃତ କରିଥିଲେ । ସେ ଗାନ୍ଧିଙ୍କର ଅନ୍ଧ ସମର୍ଥକ ନଥିଲେ । ମୁସଲମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କଂଗ୍ରେସର ଖିଲାପତ ଆନ୍ଦୋଳନକୁ ସେ ନା ପସନ୍ଦ କରିଥିଲେ ଓ ୧୯୩୩ ମସିହାରେ ହୋଇଥିବା ଦଳିତ ମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷଣକୁ ମଧ୍ୟ ସେ ବିରୋଧ କରି କଂଗ୍ରେସ ପରିତ୍ୟାଗ କରିଥିଲେ । ୧୯୧୬ ମସିହାରେ ବନାରସ ଠାରେ ପଣ୍ଡିତଜୀ ବିଶ୍ୱ ପ୍ରସିଦ୍ଧ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ସ୍ଥାପନ କରିଥିଲେ । ଚାଳିଶ ହଜାର ଛାତ୍ର ବିଶିଷ୍ଟ ଏହା ହେଉଛି ଏସିଆର ବୃହତମ ବିଶ୍ୱ ବିଦ୍ୟାଳୟ । ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜରେ ଚୁକ୍ତି ଭିତିକ /ଭାରତୀୟ ଶ୍ରମିକ ପ୍ରଥାର ବିଲୋପ ପାଇଁ ସେ ଆନ୍ଦୋଳନ କରିଥିଲେ । ୧୯୧୯ ରୁ ୧୯୩୮ ପର୍ଯ୍ୟନ୍ତ ପଣ୍ଡିତଜୀ ବନାରସ ବିଶ୍ୱବିଦ୍ୟାଳୟର କୂଳପତି ଥିଲେ ଓ ତାଙ୍କ ପରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଏହି ପଦବୀ ଗ୍ରହଣ କରିଥିଲେ । ଭାରତୀୟ ସ୍କାଉଟ ସଂସ୍ଥାର ସେ ଥିଲେ ପ୍ରତିଷ୍ଠାତା । ପଣ୍ଡିତଜୀ ଇଂରାଜୀ ପତ୍ରିକା ଲିଡର, ହିନ୍ଦୁସ୍ଥାନ ଟାଇମସ ଓ ହିନ୍ଦୁସ୍ଥାନ ଦୈନିକ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ ଓ ନିଜେ ଚେଷ୍ଟା କରି ଚଉରି ଚଉରା ହତ୍ୟା କାଣ୍ଡରେ ଫାସି ଦଣ୍ଡ ପାଇଥିବା ୧୭୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ୧୫୬ ଜଣଙ୍କୁ ଖଲାସ କରାଇ ପାରିଥିଲେ । ଏହି ମହା ମାନବଙ୍କର ୧୨/୧୧/୧୯୪୬ ଦିନ ମହାପ୍ରୟାଣ ଘଟିଲା । ୧୯୬୧ ମସିହାରେ ଏହାଙ୍କ ସ୍ମୃତିରେ ଏକ ଡାକ ଟିକଟ ପ୍ରଚଳନ ହୋଇଥିଲା । ୨୦୧୪ ମସିହାରେ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଏହାଙ୍କୁ ଦିଆଗଲା । ବ୍ରିଟିଶ ଇମ୍ପେରିଆଲ କାଉନସିଲ ଓ ସେଂଟ୍ରାଲ କାଉସିଲର ସଭ୍ୟ ରୁପେ ସେ ୧୯୧୨ ରୁ ୧୯୨୬ ପର୍ଯ୍ୟନ୍ତ ରହିଥିଲେ ଓ ଗାନ୍ଧିଙ୍କ ସହ ଦ୍ୱିତୀୟ ଗୋଲ ଟେବୁଲ ବୈଠକରେ ଯୋଗ ଦେଇଥିଲେ । ୧୯୧୮ ମସିହାରେ ନିଜର ସଭାପତି ଅଭିଭାଷଣରେ କଂଗ୍ରେସ ଦଳକ ‘ସତ୍ୟମେବ ଜୟତେ’ ଉକ୍ତିଟି ପ୍ରଦାନ କରିଥିଲେ । ଯାହାକୁ ଭାରତୀୟ ସମ୍ବିଧାନ ଗ୍ରହଣ କରିଛି । ହରଦ୍ୱାରର ହରିକା ପଡି ଠାରେ ଗଙ୍ଗା ଆରତି ପଣ୍ଡିତଜୀ ଆରମ୍ଭ କରିଥିଲେ । ତାଙ୍କ ସ୍ମୃତିରେ ଏଠାରେ ଥିବା ଏକ ଛୋଟ ଦ୍ୱୀପକୁ ମାଲବ୍ୟ ଦ୍ୱିପ କୁହା ଯାଉଛି ଓ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ଆହ୍ଲାବାଦ, ଦିଲ୍ଲୀ, ଡେରାଡୁନ, ଭୋପାଳ, ଦୁର୍ଗ ଓ ଜୟପୁର ଠାରେ ତାଙ୍କ ନାଁରେ ମାଲବ୍ୟ ନଗର ପ୍ରତିଷ୍ଠା ହୋଇଛି । ଜବଲପୁର ଠାରେ ଏକ ଛକ ତାଙ୍କ ନାମ ଅନୁସାରେ ନାମିତ ହୋଇଛି । ଗୋରଖପୁର ଓ ଜୟପୁର ଆଇ.ଆଇ.ଟି ତାଙ୍କ ନାମରେ ନାମିତ ହୋଇଛି । ହାଇଦ୍ରାବାଦ, ଖଡଗ୍ପୁର, ରୁର୍କି ଓ ବିଟ୍ସପିଲାନି ଆଇ.ଆଇ.ଟିରେ ମାଲବ୍ୟ ଛାତ୍ରାବାସ ସ୍ଥାପିତ ହୋଇଛି । ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ଆଗରେ ମାଲବ୍ୟଙ୍କର ପୂର୍ଣ୍ଣାଙ୍ଗ ମର୍ତି ସ୍ଥାପିତ ହୋଇଛି ଓ ଦିଲ୍ଲୀ ଠାରେ ମାଲବ୍ୟ ସ୍ମୃତି ଭବନ ପ୍ରତିଷ୍ଠା ହୋଇଛି । ୧୯୬୧ ମସିହାରେ ପାର୍ଲାମେଂଟର କେନ୍ଦ୍ର ହଲରେ ପଣ୍ଡିତଜୀଙ୍କର ଏକ ପୂର୍ଣ୍ଣାଙ୍ଗ ଚିତ୍ର ପ୍ରତିଷ୍ଠା କରା ହୋଇଛି ।
୨୪/୦୬/୨୦୧୯
Comments
Post a Comment