ଦିନକୁ ଦିନ ଖରାର ତେଜ ବଢ଼ି ବଢ଼ି ଚାଲିଛି । ସବୁଠାରୁ ଉଦ୍ବେଗଜନକ ପ୍ରସଙ୍ଗ ହେଉଛି ଓଡ଼ିଶା ଭାରତର ସବୁଠାରୁ ଉତ୍ତପ୍ତ ସହରର ମାନ୍ୟତା ବି ପାଇସାରିଲାଣି । କେବଳ ଓଡ଼ିଶାର ଭୁବନେଶ୍ୱର ନୁହେଁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ଚଉଦଟି ସହରର ତାପମାତ୍ରାର ପାରା ୪୨ରୁ ୪୩ ଡିଗ୍ରୀକୁ ଛୁଉଁଛି । ଅନେକ ହୁଏତ ଭାବୁଥିବେ ଯେ, ଖରାଦିନରେ ବା ରୌଦ୍ରତାପ ସହିତ କାନ ପରି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଆଉ ଆଭ୍ୟନ୍ତରୀଣ ଅଙ୍ଗର ପ୍ରଭାବିତ ସମ୍ପର୍କ କିପରି ବା ରହିଥାଇପାରେ? ଆମ ଶରୀରର ପଞ୍ଚ ଇନ୍ଦ୍ରିୟ ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଉ ମୂଲ୍ୟବାନ ହେଉଛି କାନ । ଆମ ଅଗୋଚରରେ ସାମାନ୍ୟ ସତର୍କତାର ଅବହେଳାର ସୁଯୋଗ ନେଇ କାନ ଯେଉଁପରି ଭାବରେ ବାହ୍ୟ ତାପମାତ୍ରା ହେଉ ବା ଧୂଳିକଣାର ସଂସ୍ପର୍ଶକୁ ସାମ୍ନା କରିଥାଏ ତାହା ଶରୀର ପାଇଁ କମ୍ କ୍ଷତିକାରକ ନୁହେଁ । ଖରାଦିନେ ପିଲାଠାରୁ ବଡ଼ ସମସ୍ତଙ୍କର ଅଧିକ ଆଗ୍ରହ ରହିଥାଏ ଥଣ୍ଡାପାଣି, ପାନୀୟ, ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ବା କିଛି ନ ହେଲେ ଖୋଲା ପାଣିରେ ମନଭରି ଗାଧୋଇବା । କିନ୍ତୁ ଏହାର ପରବର୍ତ୍ତୀ ସ୍ଥିତିକୁ ହୁଏତ ଆମ୍ଭେମାନେ କଳନା କରିନଥାଉ । ଶରୀରର ସୂକ୍ଷ୍ମ ଶରୀରତତ୍ତ୍ୱ ଉପାଦାନକୁ ନେଇ କାନଟି ତିଆରି ହୋଇଥାଏ । ଏହି ଉପାଦାନ ଗୁଡ଼ିକୁ ପ୍ରାୟ ଦୁଇଶହ ଜିନ୍ ସନ୍ତୁଳିତ କରିଥାନ୍ତି । ଉପରୋକ୍ତ ଥଣ୍ଡାପାନୀୟ ଏବଂ ଥଣ୍ଡା ପବନ ଆଦିର ଆସର ଶରୀର ଉପରେ ପଡ଼ିବା ଦ୍ୱାରା ଆଲର୍ଜି ଜନିତ କାନର ସମସ୍ୟା ସୃଷ୍ଟି ହୋଇଥାଏ । ଏହା ସାଧାରଣତଃ ମଧ୍ୟକର୍ଣ୍ଣକୁ ଅଧିକ ଭାବରେ ପ୍ରଭାବିତ କରିଥାଏ । ଅନ୍ତଃକର୍ଣ୍ଣ ମଧ୍ୟ କିଛିମାତ୍ରାରେ ପ୍ରଭାବିତ ହୋଇଥାନ୍ତି । ଆମେ ସମସ୍ତେ ଜାଣୁଯେ, ବର୍ଷାଦିନେ ଏବଂ ଶୀତ ଦିନେ ଆଲର୍ଜିର ମାତ୍ରା ଅଧିକ ଥିବାରୁ କାନ ସମ୍ବନ୍ଧୀୟ ଅସୁବିଧାରେ ଆମେ ପଡ଼ୁ । ମାତ୍ର ଖରାଦିନିଆ କାନ ସମସ୍ୟା ମଧ୍ୟ ଏକ ସାଧାରଣ ଘଟଣା ଯାହା ଲୋକଲୋଚନକୁ ଖୁବ୍ କମ୍ ଆସିଥାଏ । ଖରାଦିନେ ସାଧାରଣତଃ ବାୟୁମଣ୍ଡଳରେ ଧୂଳିକଣାର ଏବଂ ଜଳୀୟବାଷ୍ପର ପ୍ରଭାବ ରହିଥାଏ । ଧୂଳିକଣା ସହିତ ଜଳୀୟବାଷ୍ପର ଆର୍ଦ୍ରତାର ମିଶ୍ରଣ ହେଲେ ଏହା ସଂସ୍ପର୍ଶରେ ଆସିଥିବା କାନଟି ସ୍ୱାଭାବିକ ଭାବରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ଏଠାରେ ସୂଚିତ କରାଯାଇପାରେ କି କାନ ପୂର୍ବରୁ ସର୍ବପ୍ରଥମେ ଏହି ଆର୍ଦ୍ର ଧୂଳିକଣା ଓ ଜଳୀୟବାଷ୍ପର ସଂସ୍ପର୍ଶରେ ଆସି ନାକର ପ୍ରଦାହ ସୃଷ୍ଟି ହୋଇଥାଏ । କେତେକ କ୍ଷେତ୍ରରେ ନାକ ଭିତରର ଝିଲ୍ଲୀ କ୍ଷତିଗ୍ରସ୍ତ ମଧ୍ୟ ହୋଇଥାଏ । ପ୍ରାରମ୍ଭିକ ସମୟରୁ ଏହା ହାଲ୍କା ବା ସ୍ୱାଭାବିକ ଲାଗୁଥିଲେ ବି ପରବର୍ତ୍ତୀ ସମୟରେ ଏହା ଯନ୍ତ୍ରଣାର କାରଣ ପାଲଟିଥାଏ । ନାକର ଏହି ପ୍ରଦାହ ଦ୍ୱାରା ନାକରୁ ମଧ୍ୟକର୍ଣ୍ଣକୁ ଯାଇଥିବା ନଳୀଟି ମଧ୍ୟରେ ମଧ୍ୟ ପ୍ରଦାହ ସୃଷ୍ଟି ହୋଇଥାଏ । ଫଳରେ ମଧ୍ୟକର୍ଣ୍ଣର ପ୍ରଦାହ ହୋଇ କାନ ବିନ୍ଧିବା, କାନ କୁଣ୍ଡେଇ ହେବା, କାନରେ ଶବ୍ଦ ହେବା, କାନକୁ କମ ଶୁଭିବା ଏବଂ ପରିଶେଷରେ କେତେକ କ୍ଷେତ୍ରରେ କାନରୁ ପାଣି ବାହାରିଥାଏ ଏବଂ ଏହାର ଶେଷ ଅବସ୍ଥା ହୋଇଥାଏ ପୂଜରେ । ବେଳେ ବେଳେ ପୂଜରେ ରକ୍ତ ବି ଆସିଥାଏ । ଏହାର କାରଣରୁ କାନର ପରଦାରେ ବହୁତ ସମୟରେ କଣା ହୋଇଯାଇଥାଏ । ଏହାଛଡ଼ା ଖରାଦିନରେ ଅଧିକ ଖରାରୁ ରକ୍ଷା ପାଇବା ପାଇଁ ଅଧିକ ସ୍ନାନ ଓ ଅଧିକ ଥଣ୍ଡାପାନୀୟର ବ୍ୟବହାର ଦ୍ୱାରା କାନର ଅନ୍ତଃକର୍ଣ୍ଣରେ ମଧ୍ୟ ପ୍ରଦାହ ସୃଷ୍ଟି ହୋଇଥାଏ । ଏହାଦ୍ୱାରା ଅନ୍ତଃକର୍ଣ୍ଣରେ ଥିବା ସ୍ନାୟୁକୋଷ ଗୁଡ଼ିକ ପ୍ରଭାବିତ ହୋଇଥାନ୍ତି ଏବଂ ଶ୍ରବଣହାନୀ ହେବାର ସମ୍ଭାବନା ରହିଥାଏ । ଆଉ କେତେକ କ୍ଷେତ୍ରରେ ଯେଉଁମାନଙ୍କ ପୂର୍ବରୁ ମୁଣ୍ଡରେ ପାଣି ଜମି ଥାଏ ଖରାଦିନରେ ସେମାନେ କାନବିନ୍ଧାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏ କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅବିଳମ୍ବେ ବାକ୍ଶ୍ରବଣ ବିଶେଷଜ୍ଞଙ୍କ ପରାମର୍ଶ ନିହାତି ନେବା ଜରୁରୀ । ଖରାଦିନରେ କେତେକ କ୍ଷେତ୍ରରେ ଦେଖାଯାଏ ଏସି ବା କୁଲରର ଥଣ୍ଡା କମ୍ପ୍ରେସନ୍କୁ ସାମ୍ନା କରି କେତେକ ଲୋକ କାନ ଆଉ ମୁହଁକୁ ତାପରୁ ମୁକ୍ତି ପାଇବା ପାଇଁ କିଛି ସମୟ ରଖିଥାନ୍ତି କିନ୍ତୁ ଏହି ଦୁଇଟି ଅଙ୍ଗପାଇଁ ବହୁତ ବିପଦଜ୍ଜନକ । କାରଣ ଥଣ୍ଡାବାୟୁ କାନର ଅଭ୍ୟନ୍ତରୀଣ କୋଷକୁ ସିଧାସଳଖ ପ୍ରଭାବିତ କରିଥାଏ । ଖରାଦିନରେ ଖୋଲାପାଣି ଯଥା ନଦୀ ବା ପୋଖରୀରେ ସ୍ନାନ କଲାବେଳେ କାନ ବା ନାକ ଯେପରି ବୁଡ଼ା ପାଣିର ସଂସ୍ପର୍ଶରେ ନ ଆସେ ଯତ୍ନବାନ ହୁଅନ୍ତୁ । ସେହିପରି ଅତ୍ୟଧିକ କୌଣସି ଥଣ୍ଡାପାନୀୟ ବା ଖାଲି ପାଣି ତତ୍କାଳ ପିଅନ୍ତୁ ନାହିଁ କାରଣ ଏହା ଗଳା ପ୍ରଦାହ କରିବା ସହ ନାକ ଓ କାନର ଯନ୍ତ୍ରଣାର କାରଣ ପାଲଟିଥାଏ । ଧୂଳିକଣା ଥିବା ବା ବର୍ଯ୍ୟବସ୍ତୁ ବା ଯେ କୌଣସି ଧୂଆଁ ଠାରୁ ଆପଣଙ୍କ କାନ ଓ ନାକକୁ ଦୂରେଇ ରଖିବା ବହୁତ ଭଲ । ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ଶୋଉଥିଲେ ରାତିରେ ବିଶୋଦ୍ଧିତ ତୁଳାର ଏକ ଗୋଳା ଦୁଇ କାନରେ ଦିଅନ୍ତୁ । ଶୀତତାପ ନିୟନ୍ତ୍ରିତ କୋଠରୀରୁ ବାରମ୍ବାର ବାହାରକୁ ଆତଯାତ କରନ୍ତୁ ନାହିଁ । କୁଲର ବ୍ୟବହାର କରୁଥିଲେ ଝରକା କବାଟ ଖୋଲା ରଖନ୍ତୁ । କାନ କୁଣ୍ଡେଇ ହେଲେ ବିଶୋଦ୍ଧିତ ତୁଳାର ଷ୍ଟିକ ବ୍ୟବହାର କରନ୍ତୁ । ଅନାବଶ୍ୟକ ଭାବେ ନାକ ଭିତରକୁ ଅଙ୍ଗୁଳି ଦ୍ୱାରା କୁଣ୍ଡାନ୍ତୁ ନାହିଁ ଆପଣଙ୍କ ନଖ ମୂଳର ଜୀବାଣୁ ସିଧାସଳଖ ନାକର କୋଷ ମାନଙ୍କୁ ପ୍ରଭାବିତ କରିବେ । ନାକ ଭିତରେ କାଠି ପୁରାଇ ଛିଙ୍କିବା ବଦଭ୍ୟାସକୁ ଦୂରେଇ ଦିଅନ୍ତୁ । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଯେଉଁମାନେ ଶ୍ରବଣଯନ୍ତ୍ର ବ୍ୟବହାର କରୁଛନ୍ତି ଖରାର ସଂସ୍ପର୍ଶରେ ଯେଉଁ ଝାଳ ନିର୍ଗତ ହୋଇଥାଏ ସେମାନେ କିଛି ଘଣ୍ଟାର ବ୍ୟବଧାନ ଭିତରେ ଯନ୍ତ୍ରଟିକୁ ଭଲ ଭାବରେ ପୋଛି ବ୍ୟବହାର କରନ୍ତୁ । ବେଳେ ବେଳେ ଯନ୍ତ୍ରର ବ୍ୟାଟେରୀ କମ୍ପାଟମେଣ୍ଟ ଭିତରେ ଝାଳ ପସି ମେସିନ୍ଟିକୁ ଅଚଳ କରିଦେଇଥାଏ । ସେପରି ହେଲେ ମଝିରେ ମଝିରେ ବ୍ୟାଟେରୀ ବାହାର କରି ପୋଛି ଦେଇ ପୁଣି ଥରେ ଲଗାଇବା ଉଚିତ । ଖରାଦିନେ ସମସ୍ତଙ୍କର ଆଗ୍ରହ ରହୁଥିବା ସଜ ବା ବାଶୀ ପଖାଳର ତୋରାଣି ଅନ୍ତଃକର୍ଣ୍ଣର ପ୍ରଦାହ ମଧ୍ୟ କରିଥାଏ । ଏହାର କାରଣ ତୋରାଣି ମାଧ୍ୟମରେ ଆମ ଖରାଦିନେ ଅଧିକ ଲୁଣ ଖାଇଥାଉ । ଯାହାଦ୍ୱାରା ଶ୍ରବଣ ହାନୀ ହେବା ସଙ୍ଗେ ସଙ୍ଗେ ମୁଣ୍ଡ ବୁଲେଇବା, କାନ କୁଣ୍ଡେଇ ହେବା, କାନରେ ଶବ୍ଦ ହେବା ଆଦି ଲକ୍ଷଣ ଦେଖାଦେଇଥାଏ । ତେଣୁ ପଖାଲ ଖାଇବାକୁ ମନା ନାହିଁ ମାତ୍ର ପଖାଳ ତୋରାଣି ଠାରୁ ଦୂରେଇ ରୁହନ୍ତୁ । ଖରାଦିନେ କାନକୁ ନେଇ ସେପରି ଭୟଭୀତ ହେବାର କାରଣ ନାହିଁ, ଉପରୋକ୍ତ ପରାମର୍ଶକୁ ମାନି ଚଳିଲେ ଦେଖିବେ ଏହି ଗ୍ରୀଷ୍ମ ଋତୁଟି ଆପଣଙ୍କ ପାଇଁ କେବେ ବି ଦୁଃଖଦାୟକ ହେବନାହିଁ ।
ନାରାୟଣ ଚନ୍ଦ୍ର ବିଶ୍ୱାଳ ବାକ୍ଶ୍ରବଣ ବିଶେଷଜ୍ଞ, ଇଏନ୍ଟି ବିଭାଗ, ଭୁବନେଶ୍ୱର,
Comments
Post a Comment