"ଭଗବାନଙ୍କୁ ତୁମର ପ୍ରଦୀପ କର, ତୁମେ ନିରାପଦରେ ଜୀବନ ସାରା ଗତି କରିପାରିବ । ଭଗବାନଙ୍କ ନାମକୁ ତୁଣ୍ଡରେ ରଖ; ସେ ରୂପଭାବରେ ନାମ ସହିତ ବନ୍ଧା । ଏହି ନାମ ସ୍ମରଣର ସାଧନ ଅନୁଶୀଳନ କରିବାକୁ, ରାମନାମ ସ୍ମରଣ କରିବାକୁ ଆଜି ସଂକଳ୍ପ କର । କାରଣ ରାମ ଅର୍ଥ ସେ ଆନନ୍ଦମୟ, ଆନନ୍ଦଦାତା'- "ରମତେ ରମତେ ଇତି ଇତି ରାମଃ' । ଆଧ୍ୟାତ୍ମ ରାମାୟଣ ପାଠ କର, ଯେଉଁଥିରେ ମହାକାବ୍ୟର ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ଉପରେ ମହତ୍ତ୍ୱ ଦିଆଯାଇଛି । ସମ୍ପୂର୍ଣ୍ଣ ମହାକାବ୍ୟଟି ଦୁଇ ଜଣ ନାରୀ ଓ ଦୁଇଟି ବାସନା ଉପରେ ଆଧାରିତ- କ୍ରୋଧର ପ୍ରତୀକ ମନ୍ତରା ଓ କାମର ପ୍ରତୀକ ଶୂର୍ପଣଖା । ମନ୍ଥରା ରାମଙ୍କୁ ବନକୁ ପଠାଇବାକୁ ଷଡ଼ଯନ୍ତ୍ର କରିଥିଲା ଏବଂ ଶୂର୍ପଣଖା ସୀତା ହରଣ ଓ ତାହା ଫଳରେ ରାକ୍ଷସ ମାନଙ୍କର ବିନାଶର କାରଣ ହୋଇଥିଲା । ଏହି ନାରୀ ଦୁଇଜଣ କାହାଣୀରେ ନଗଣ୍ୟ ଚରିତ୍ର, କିନ୍ତୁ ସେମାନେ ଅଭିନୟ କରିଥିବା ଭୂମିକା ଅତି ମହତ୍ତ୍ୱପୂର୍ଣ୍ଣ, କାରଣ ସେମାନେ ପ୍ରତିନିଧିତ୍ୱ କରୁଥିବା ବାସନା ଦ୍ୱାରା ଶୋକ ଓ ଦୁଃଖର ଦୀର୍ଘ ଅଧ୍ୟାୟ ସୃଷ୍ଟି କରିଥିଲେ । କ୍ରୋଧ ଓ କାମ ପରମାଣୁ ବୋମାଠାରୁ ଅଧିକ ଧ୍ୱଂସାତ୍ମକ, କିନ୍ତୁ ରାମଙ୍କୁ ହୃଦୟରେ ସ୍ଥାପନ କଲେ ସେଗୁଡ଼ିକ ଉଭେଇ ଯାଆନ୍ତି । ଏହି ମହାବାକ୍ୟଗୁଡ଼ିକୁ ଅବ୍ୟର୍ଥ ଔଷଧ ପରି ସ୍ୱାଗତ କରିବା ଉଚିତ । ସେଗୁଡ଼ିକ ମନର ଗଭୀର ରୋଗଗୁଡ଼ିକୁ ଆରୋଗ୍ୟ କରିପାରିବ । ମନ୍ତ୍ରଗୁଡ଼ିକୁ ମନର ଆତଙ୍କ, ଅନ୍ତଃକରଣର ଦୁର୍ବଳତା, ଅନ୍ତଶ୍ଚେତନାର ଦୋଷ ଦୂର କରିବା ପାଇଁ ଔଷଧ ଭାବରେ ଦେଖ । ସେଗୁଡ଼ିକ ଆମର ଦୃଷ୍ଟି ନିର୍ମଳ କରନ୍ତି ଏବଂ ଭଗବତ୍ ଅଭିମୁଖୀ ମାର୍ଗରେ ତୁମକୁ ଦୃଢ଼ ଓ ସ୍ଥିର କରନ୍ତି । ଭଗବତ୍ କୃପା ମେଘବର୍ଷା, ସୂର୍ଯ୍ୟାଲୋକ ପରି । ଏହା ଆହରଣ କରିବା ପାଇଁ ଆମ୍ଭମାନଙ୍କୁ କିଛି ସାଧନା କରିବାକୁ ହେବ- ବର୍ଷାଜଳ ଗ୍ରହଣ କରିବା ପାଇଁ ପାତ୍ରକୁ ସିଧା ରଖିବାର ସାଧନା, ସୂର୍ଯ୍ୟ ଆଲୋକିତ କରିବା ପାଇଁ ଆମ ହୃଦୟର କବାଟ ଖୋଲା ରଖିବାର ସାଧନା । ରେଡ଼ିଓରେ ପ୍ରସାରିତ ହେଉଥିବା ସଙ୍ଗୀତ ପରି ଏହା ଆମ ଚାରିପଟେ ରହିଛି, କିନ୍ତୁ ଆମ୍ଭମାନଙ୍କୁ ତୁମ ରେଡ଼ିଓ ସୁଇଚ ଟିପିବାକୁ ହେବ ଏବଂ ଉପଯୁକ୍ତ ତରଙ୍ଗରେ ଲଗାଇବାକୁ ହେବ, ତାହେଲେ ଆମ୍ଭେମାନେ ତାହା ଶୁଣି ପାରିବ ଓ ଉପଭୋଗ କରି ପାରିବ । କୃପା ପାଇଁ ପ୍ରାର୍ଥନା କରିବା ସହ ଅନ୍ତତଃ ଟିକିଏ ସାଧନା କର । କୃପା ସବୁ ଠିକ୍ କରି ଦେବ । ଏହାର ମୁଖ୍ୟ ପରିଣାମ ହେଲା ଆତ୍ମସାକ୍ଷାତକାର, କିନ୍ତୁ ଅନ୍ୟ ଆନୁଷଙ୍ଗିକ ଲାଭ ମଧ୍ୟ ଅଛି, ଯଥା: ଏଠାରେ ସୁଖୀ ସନ୍ତୁଷ୍ଟ ଜୀବନ ଏବଂ ଅବିଚଳିତ ଶାନ୍ତିରେ ପ୍ରତିଷ୍ଠିତ ଶୀତଳ ସାହାସୀ ମନୋଭାବ । ଅଳଙ୍କାରରୁ ମିଳୁଥିବା ମୁଖ୍ୟ ଲାଭ ହେଲା ବ୍ୟକ୍ତିଗତ ଆନନ୍ଦ କିନ୍ତୁ ଜଣଙ୍କର ପଇସା ଶେଷ ହୋଇଯିବା ବେଳେ ସେ ତାହା ବିକ୍ରି କରି ଜୀବନରେ ଲାଭ ଆରମ୍ଭ କରିପାରେ । ଏହା ଏକ ଆନୁସଙ୍ଗିକ ସୁବିଧା । କଦଳୀ ଗଛର କାନ୍ଧିଟି ମୁଖ୍ୟ ଉପହାର । କିନ୍ତୁ ପତ୍ର, ମଞ୍ଜା, ଭଣ୍ଡା- ଏଗୁଡ଼ିକ ଗୌଣ ବସ୍ତୁ, ଯାହାର ମଧ୍ୟ ଲାଭଜନକ ଉପଯୋଗ କରାଯାଇପାରିବ । ଏହା କୃପାର ସ୍ୱଭାବ । ଏହା ଅନେକ ପ୍ରକାର କାମନା ପୂରଣ କରେ । ଆମ୍ଭମାନଙ୍କର ଭଗବତ୍ ବିଶ୍ୱାସ ନରହିଲେ ଆମେ ଶ୍ରୀ ଶ୍ରୀ ଠାକୁରଙ୍କ କୃପାର କ୍ଷମତା ମାପି ପାରିବା ନାହିଁ । ଆମେ ରାମ ଓ କୃଷ୍ଣଙ୍କୁ ପ୍ରତ୍ୟାଖ୍ୟାନ କଲେ ସେମାନେ ଆମର ଆବଶ୍ୟକ ସମୟରେ ଆମ ପାଖରେ ଠିଆ ହୋଇ ପାରିବେ ନାହିଁ । ଆମ୍ଭେ ଯଦି ନିନ୍ଦା ଓ ସଂଶୟରୁ ଆରମ୍ଭ କର ଏବଂ ସମାଲୋଚନା କରିବାକୁ ଓ ଦୋଷ ଖୋଜିବାକୁ ଚେଷ୍ଟା କରିବା ତେବେ ପରିଣତି ଗଭୀର ଅଜ୍ଞାନତା ଓ ବିଶୃଙ୍ଖଳା ହେବ । ଅପବିତ୍ର ଚିନ୍ତା ମନକୁ ମିଳନ ଧୂଆଁରେ ଅନ୍ଧାରୁଆ କରି ପକାଏ । ତା'ହେଲେ ସ୍ପଷ୍ଟତା କିପରି ଦୃଷ୍ଟିକୁ ଆସିପାରିବ? ଜଣେ ମେଷପାଳକ ବାଳକ ଭୂମିରୁ ଗୋଟିଏ ବଡ଼ ହୀରା ପାଇଲା; ସେ ତାକୁ ଖଣ୍ଡେ କାଚ ବୋଲି ଭାବିଲା । ସେ ତାକୁ ଗୋଟିଏ ମେଣ୍ଢା ବେକରେ ବାନ୍ଧି ଦେଲା । ଏହା ସେଥିପାଇଁ ଉପଯୁକ୍ତ ନଥିଲା । ମନୁଷ୍ୟ ତାର ନିଜର ମୂଲ୍ୟ, ନିଜର ଦିବ୍ୟତ୍ୱକୁ ଉପେକ୍ଷା କରିଛି । ସେ ନିଜକୁ କାଚଖଣ୍ଡର ଅବସ୍ଥାକୁ ଖସାଇ ଦେଉଛି ଏବଂ ମେଣ୍ଢାର ବେକରେ ଝୁଲୁଛି । ସେ ଯେଉଁଠି ରହିବା କଥା ନୁହେଁ ସେଥିପ୍ରତି ଆସକ୍ତି ହେଉଛି । ଦେଶର ମଧ୍ୟ ଅବମୂଲ୍ୟାୟନ ହେଉଛି । ଦୀର୍ଘ ଦିନ ଧରି ଚିରନ୍ତନ ଆନନ୍ଦର ଅନ୍ୱେଷକ ମାନବ ଜାତିର ଗୁରୁ, ସବୁ ଦେଶର ଶିକ୍ଷକ ଭାବରେ ପରିଚିତ ଭାରତ ଆଜି ନିଜର ପ୍ରକୃତ ଭୂମିକା ଭୁଲିଯାଇଛି ଏବଂ ଭିକ୍ଷା ପାଇଁ ମୁଣ୍ଡ ନୁଆଇଁ ଓ ହାତ ପାତି ଅନ୍ୟ ଦେଶମାନଙ୍କର ଦ୍ୱାରସ୍ଥ ହେଉଛି । ବେଦ ବାକ୍ୟ "ମାତୃଦେବୋଭବ' ପ୍ରତ୍ୟେକ ଘରେ ଉପେକ୍ଷିତ ହୋଇଛି, ଫଳରେ ମାତୃଭୂମି ତା'ର ସନ୍ତାନମାନଙ୍କୁ ଶାନ୍ତି ଓ ସମୃଦ୍ଧିର ଆଶୀର୍ବାଦ ଦେଉନାହିଁ । ପିତାମାତାଙ୍କୁ ସମ୍ମାନ କର, ଗୁରୁମାନଙ୍କୁ ସମ୍ମାନ କର-ତାହା ହେଉଛି ସନାତନ ଧର୍ମର ନିର୍ଦ୍ଦେଶ । ଭାଇମାନେ ଭାଇମାନଙ୍କ ପାଇଁ ଯୋଗ୍ୟ ସ୍ନେହ ଲାଭ କରିବା ଉଚିତ । ଯେଉଁମାନେ ଭାଇମାନଙ୍କୁ ଘୃଣା କରନ୍ତି ସେମାନଙ୍କର ଭାଗ୍ୟ ପୂର୍ଣ୍ଣ ବିଧ୍ୱଂସ ହେବ ।
Comments
Post a Comment