ଦୂରଦ୍ରଷ୍ଟା ଓ କାଳଜୟୀ ସ୍ୱାତନ୍ତ୍ରବୀର ସାବରକର


ଇଂରେଜମାନଙ୍କର ଶାସନର ଆଧାରକୁ ଡ. ସମନ୍ୱୟ ନନ୍ଦ ୧୮୫୭ ମସିହାରେ ହୋଇଥିବା ଆନ୍ଦୋଳନ ଦୋହଲାଇ ଦେଇଥିଲା । ଏହି ଆନ୍ଦୋଳନକୁ ଇଂରେଜ ଐତିହାସିକମାନେ ସିପାହୀ ବିଦ୍ରୋହ ଓ ମ୍ୟୁଟିନି ଭଳି ସଂଜ୍ଞାମାନ ଦେଇ ଆସୁଥିଲେ । ଇଂରେଜ ତଥା ଅନ୍ୟାନ୍ୟ ପାଶ୍ଚାତ୍ୟ ଐତିହାସିକମାନେ ଏହି ସ୍ୱାଧୀନତା ଆନ୍ଦୋଳନକୁ ସେମାନେ ଉତର ଭାରତର ଏକ ଛୋଟ ଭାଗ ପର୍ଯନ୍ତ ସୀମିତ ଥିବା ଏକ ଆକସ୍ମିକ ଓ ନିରୁଦ୍ଦେଶ୍ୟ ସିପାହୀ ବିଦ୍ରୋହ ବୋଲି ପ୍ରମାଣିତ କରିବାକୁ ଚାହୁଁଥିଲୋ ଠିକ୍ ଏତିକିବେଳେ ଲଣ୍ଡନରେ ଏକ ୨୪ ବର୍ଷୀୟ ଭାରତୀୟ ଯୁବକ ବିନାୟକ ଦାମୋଦର ସାବରକର ଗବେଷଣାପୂର୍ବକ ଏକ ପୁସ୍ତକ ଲେଖି ଇଂରେଜ ଐତିହାସିକମାନଙ୍କ ଏପରି ଦାବିକୁ ମିଥ୍ୟା ବୋଲି ପ୍ରମାଣିତ କରିଥିଲେ । ସେ କହିଥିଲେ ଏହା କେବଳ କିଛି ଅଂଚଳରେ ସିପାହୀମାନଙ୍କ ଦ୍ୱାରା ବିଦ୍ରୋହ ନଥିଲା ବରଂ ସଂପୂର୍ଣ୍ଣ ଦେଶର ଇଂରେଜମାନଙ୍କ ବିରୁଦ୍ଧରେ ଥିବା ଆକ୍ରୋଶର ପୁଂଜିଭୂତ ପରିଣାମ ଥିଲା । ଏହା ଦେଶର ଅଳ୍ପକିଛି ଭାଗରେ ନ ହୋଇ ସମ୍ପୂର୍ଣ୍ଣ ଦେଶରେ ଯୋଜନାଞ୍ଚ ଭାବରେ ହୋଇଥିଲା । ଏହି ପୁସ୍ତକ ପ୍ରକାଶିତ ହେବା ଦ୍ୱାରା ଇଂରେଜ ସରକାର ଅତ୍ୟନ୍ତ ଭୀତତ୍ରସ୍ତ ହୋଇଯାଇଥିଲା । ଇଂରେଜ ସରକାର କେତେ ଭୀତତ୍ରସ୍ତ ହୋଇଯାଇଥିଲା ତାହା ଗୋଟିଏ କଥାରୁ ଅନୁମାନ କରାଯାଇପାରେ ଯେ ଏହି ପୁସ୍ତକ ପ୍ରକାଶିତ ହେବା ପୂର୍ବରୁ ଗୋଟିଏ ନୁହେଁ ଇଂଲଣ୍ଡ ଓ ଭାରତ, ଦୁଇ- ଦୁଇଟି ସରକାର ଏହି ପୁସ୍ତକର ପ୍ରକାଶନ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ । ଏପରି ଭାବରେ ସାବରକର ହେଉଛନ୍ତି ଜଣେ ଏପରି ବ୍ୟକ୍ତିତ୍ୱ ଯାହାଙ୍କର ପୁସ୍ତକ ପ୍ରକାଶିତ ହେବା ପୂର୍ବରୁ ଦୁଇ-ଦୁଇଟି ସରକାର ଏହି ପୁସ୍ତକର ପ୍ରକାଶନ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ । ଏହାସତ୍ୱେ ଲାଲା ହରଦୟାଲ, ମ୍ୟାଡମ କାମାଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀମାନେ ନିଜ ମଧ୍ୟରେ ଧନ ସଂଗ୍ରହ କରି ଗୁପ୍ତ ଭାବରେ ଏହି ପୁସ୍ତକର ପ୍ରକାଶନ କରାଇଥିଲେ । ଏହି ପୁସ୍ତକ ପରେ ଭଗତ ସିଂହ ଓ ଅନ୍ୟ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥିଲା । ଏହି ଗ୍ରନ୍ଥ ଏତେ ଲୋକପ୍ରିୟ ହୋଇଥିଲା ଯେ ସ୍ୱାଧୀନତା ସଂଗ୍ରାମୀମାନେ ଏହାକୁ ପୁଣି ଗୁପ୍ତ ଭାବରେ ଛପାଇ ବାଂଟିବା ଆରମ୍ଭ କରିଥିଲେ । ଏହି ଗ୍ରନ୍ଥରୁ ପ୍ରେରଣା ଲାଭ କରି ଅନେକ ସ୍ୱାଧୀନତାର ବେଦୀରେ ନିଜକୁ ଆହୂତି ଦେଇଥିଲେ । ମହାରାଷ୍ଟ୍ରର ନାସିକ ଜିଲ୍ଲାର ଭାଙ୍ଗୁର ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସାବରକର ବାଲ୍ୟକାଳରୁ ହିଁ ପ୍ରଚଣ୍ଡ ଦେଶଭକ୍ତ ଥିଲେ । ବିଦ୍ୟାଳୟରେ ପଢୁଥିବା ସମୟରେ ସେ ନିଜର ଗୃହଦେବୀଙ୍କ ସମ୍ମୁଖରେ ପ୍ରତିଜ୍ଞା କରିଥିଲେ ଯେ ଜଂଜିରର ବେଡିରେ ଥିବା ଭାରତମାତାଙ୍କୁ ସେ ନିଶ୍ଚିତ ଭାବରେ ମୁକ୍ତ କରାଇବେ । ମାଟ୍ରିକ କରିବା ପରେ ୧୯୦୨ ମସିହାରେ ସେ ପୁଣେର ଫରଗୁସନ କଲେଜରେ ନାମ ଲେଖାଇଥିଲେ ଏବଂ ସେଠାରେ ସେ ଛାତ୍ରମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗୃତ କରି ଅଭିନବ ଭାରତ ନାମକ ଏକ ସଙ୍ଗଠନର ସ୍ଥାପନା କରିଥିଲେ । ସ୍ୱାତନ୍ତ୍ରବୀର ସାବରକରଙ୍କ ସମ୍ପର୍କରେ ଅନେକ ତଥ୍ୟ ରହିଛି ଯାହା ଆଜିର ଯୁବ ସମାଜକୁ ଜାଣିବା ଦରକାର । ସେ ଥିଲେ ଜଣେ ଇତିହାସ ପୁରୁଷ । ସେ ଅନେକ ମାମଲାରେ ପ୍ରଥମ ଭାରତୀୟ ଥିଲେ । ସାବରକର ବିଶ୍ୱର ରାଜନୈତିକ ଇତିହାସରେ ପ୍ରଥମ ରାଜନୈତିକ ନେତା ଥିଲେ ଯାହାଙ୍କୁ ଦୁଇ ଜନ୍ମ (୫୦ ବର୍ଷ)ର କାରାଦଣ୍ଡର ଆଦେଶ ହୋଇଥିଲା । ଇଂରେଜ ସରକାରଙ୍କ ବିରୁଞ୍ଚରେ ଷଡଯନ୍ତ୍ର କରିବା, ବିପ୍ଳବୀମାନଙ୍କୁ ସହଯୋଗ କରିବା ଭଳି ଅଭିଯୋଗରେ ସାବରକରଙ୍କୁ ୫୦ ବର୍ଷ କାରାବାସ ଘୋଷଣା କରାଯାଇଥିଲା । ଯେତେବେଳେ ଇଂରେଜ ବିଚାରପତି ନ୍ୟାୟାଳୟରେ ତାଙ୍କ ବିରୁଦ୍ଧରେ ଏହି ରାୟ ଶୁଣାଇଥିଲେ ସେତେବେଳେ ସାବରକର କହିଥିଲେ ଯେ ୫୦ ବର୍ଷର କାରାଦଣ୍ଡାଦେଶ ଦେଇ ଇଂରେଜ ସରକାର ହିନ୍ଦୁମାନଙ୍କର ପୁନର୍ଜନ୍ମର ସିଦ୍ଧାନ୍ତକୁ ସ୍ୱୀକାର କରିନେଇଛନ୍ତି । କଳାପାଣିର ନାମ ଶୁଣିଲା ମାତ୍ରେ ଏବେ ମଧ୍ୟ ଶରୀର ଶିହରି ଉଠେ । ସେତେବେଳେ ସାବରକରଙ୍କୁ ଆଣ୍ଡାମାନର ସେଲ୍ୟୁଲାର ଜେଲ (କଳାପାଣି)ରେ କୈଦୀମାନଙ୍କ ସହ ଅମାନବୀୟ ବ୍ୟବହାର କରାଯାଉଥିଲା । ସେତେବେଳେ ବୀର ସାବରକରଙ୍କୁ କଳାପାଣି ପଠାଯାଇଥିଲା । ବୀର ସାବରକର ହେଉଛନ୍ତି ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ରାଜନୈତିକ ନେତା ଯିଏ ସର୍ବପ୍ରଥମେ ବିଦେଶୀ ବସ୍ତ୍ରକୁ ଜଳାଇଥିଲେ । ସାବରକର ସେତେବେଳେ ସ୍ୱାଧୀନତାକୁ ନିଜର ଧ୍ୟେୟ ବୋଲି ଘୋଷଣା କରିଥିଲେ ଯେତେବେଳେ ସ୍ୱରାଜ ଶବ୍ଦର ଉଚ୍ଚାରଣ କରିବା ମହାବିନାଶକୁ ନିମନ୍ତ୍ରଣ ଦେବା ସହ ସମାନ ଥିଲା । ୧୯୦୫ ମସିହାରେ ବଙ୍ଗ ଭଙ୍ଗ ପରେ ସଂପୂର୍ଣ୍ଣ ଦେଶରେ ଯେଉଁ ଆନ୍ଦୋଳନ ବ୍ୟାପିଥିଲା ସେତେବେଳେ ପୁଣେଠାରେ ସାବରକର ସାର୍ବଜନିକ ଭାବରେ ବିଦେଶୀ ବସ୍ତ୍ରରେ ଅଗ୍ନିସଂଯୋଗ କରିଥିଲେ । ଏହାଫଳରେ ତାଙ୍କୁ ଇଂରେଜ ମାନଙ୍କ ବିରୁଦ୍ଧରେ ଚାଲିଥିବା କାର୍ଯ୍ୟକଳାପରେ ଭାଗ ନେବା ଅଭିଯୋଗରେ ତାଙ୍କୁ ମହାବିଦ୍ୟାଳୟରୁ ନିଲମ୍ବିତ କରାଯାଇଥିଲା । ଏହାଫଳରେ ଦେଶଭକ୍ତିର ପ୍ରଚଣ୍ଡାଗ୍ନି କାରଣରୁ ଭାରତୀୟ ବିଶ୍ୱବିଦ୍ୟାଳୟର କୌଣସି ଉପାଧିରୁ ବଂଚିତ କରାଯାଇଥିବା ପ୍ରଥମ ଗ୍ରାଜ୍ୟୁଏଟ ( ସ୍ନାତକ) ହୋଇଥିଲେ ବୀର ସାବରକର । କିନ୍ତୁ ପରେ ତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀକୃଷ୍ଣ ବର୍ମାଙ୍କ ସହଯୋଗରେ ଛାତ୍ରବୃତି ପ୍ରାପ୍ତ କରି ସାବରକର ବାରିଷ୍ଟରୀ ଅଧ୍ୟୟନ କରିବା ପାଇଁ ଲଣ୍ଡନ ପହଂଚିଥିଲେ । ସେ ସେଠାରେ ଇଣ୍ଡିଆ ହାଉସରେ ରହି ଭାରତୀୟମାନଙ୍କୁ ଏକାଠି କରିଥିଲେ । ଇଣ୍ଡିଆ ହାଉସ ଧୀରେ ଧୀରେ ଇଂରେଜ ବିରୋଧୀ କାର୍ଯ୍ୟକଳାପର କେନ୍ଦ୍ର ହେବାକୁ ଲାଗିଲା । ସେଠାରେ ସେ ଫ୍ରି ଇଣ୍ଡିଆ ସୋସାଇଟିର ସ୍ଥାପନା କରିଥିଲେ । ସାବରକର ସ୍ୱାଧୀନତା ସଂଗ୍ରାମୀ ମଦନଲାଲ ଢିଙ୍ଗରାଙ୍କର ପ୍ରେରଣାର ଉତ୍ସ ଥିଲେ । ଏକ ସାର୍ବଜନିକ କାର୍ଯ୍ୟକ୍ରମରେ ସେ ନିଷ୍ଠୁର ଇଂରେଜ ଅଧିକାରୀ କର୍ଜନ ୱାଇଲିଙ୍କୁ ଶ୍ରୀ ଢିଙ୍ଗରା ଗୁଳି ମାରି ହତ୍ୟା କରିଥିଲେ । ଇଂଲଣ୍ଡରେ ରହୁଥିବା ଇଂରେଜ ସମର୍ଥକ ଭାରତୀୟମାନଙ୍କ ଦ୍ୱାରା ଢିଙ୍ଗରାଙ୍କ କୃତ୍ୟର ନିନ୍ଦା କରିବା ପାଇଁ ଏକ ସଭା ଆୟୋଜିତ ହେଲା । ଏହି ସଭାରେ ବୀର ସାବରକର ଢିଙ୍ଗରାଙ୍କ କୃତ୍ୟର ନିନ୍ଦା କରିବା ପାଇଁ ମନା କରି ଦେଇଥିଲେ । କେବଳ ସେତିକି ନହେଁ ସେ ଢିଙ୍ଗରାଙ୍କ ସମର୍ଥନରେ ବ୍ରିଟେନରେ ଅନେକ ସମ୍ବାଦପତ୍ରରେ ଆଲେଖ୍ୟମାନ ଲେଖିଥିଲେ । ତେବେ ଇଂରେଜମାନେ ଢିଙ୍ଗରାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ । ପ୍ରଚଣ୍ଡ ଦେଶଭକ୍ତି କାରଣରୁ ଇଂରେଜ ପୋଲିସ ତାଙ୍କ ପଛରେ ଲାଗିଥିଲା । ଲଣ୍ଡନରେ ରହି ସେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ ଚଳାଇଥିଲେ । ଏହାଫଳରେ ବୀର ସାବରକରଙ୍କୁ ବାରିଷ୍ଟରୀର ଉପାଧି ଦେବାପାଇଁ ଅସ୍ୱୀକାର କରି ଦିଆଯାଇଥିଲା । ଏହାଫଳରେ ସ୍ୱାତନ୍ତ୍ରବୀର ବିନାୟକ ଦାମୋଦର ସାବରକର ପ୍ରଥମ ବାରିଷ୍ଟର ଥିଲେ ଯାହାଙ୍କୁ ରାଜନୈତିକ କାରଣରୁ ବାରିଷ୍ଟରର ଉପାଧି ଦେବା ପାଇଁ ମନା କରି ଦିଆଯାଇଥିଲା । ଏହାବ୍ୟତୀତ ସାବରକର ପ୍ରଥମ ରାଜନୈତିକ ବ୍ୟକ୍ତି ଥିଲେ ଯାହାଙ୍କର ମୋକଦ୍ଦମା ହେଗ୍ଠାରେ ଥିବା ଆନ୍ତଜାତିକ ନ୍ୟାୟାଳୟରେ ଚଳାଯାଇଥିଲା । କାରଣ ସେ ବ୍ରିଟିଶ ନ୍ୟୟାଳୟକୁ ମାନ୍ୟତା ପ୍ରଦାନ କରିବାକୁ ଅସ୍ୱୀକାର କରି ଦେଇଥିଲେ । ଏହାବ୍ୟତୀତ ବୀର ସାବରକର ବିଶ୍ୱର ପ୍ରଥମ କବି ଥିଲେ ଯାହାଙ୍କୁ ଆଣ୍ଡାମାନର ସେଲ୍ୟୁଲାର (କଳାପାଣି) ଜେଲରେ କାଗଜ କଲମରୁ ବଂଚିତ ରଖାଯାଇଥିଲେ ସୁଦ୍ଧା ସେ କାରାଗୃହର ପ୍ରାଚୀରରେ କଂଟା ଦ୍ୱାରା କବିତା ମାନ ଲେଖିଥିଲେ । ସେ ତାଙ୍କ ଦ୍ୱାରା ଲିଖିତ ଦଶ ହଜାର ପଦକୁ କଣ୍ଠସ୍ଥ କରି ବା ଅନ୍ୟଙ୍କ ଦ୍ୱାରା କଂଠସ୍ଥ କରାଇ ନିଜ ଦେଶ ପର୍ଯ୍ୟନ୍ତ ପହଂଚାଇ ଥିଲେ । ଏହାପୂର୍ବରୁ ଯେପରି ଉଲ୍ଲେଖ କରାଯାଇଛି ଯେ ସେ ବିଶ୍ୱର ପ୍ରଥମ ଲେଖକ ଥିଲେ ଯାହାଙ୍କ ପୁସ୍ତକର ପ୍ରକାଶନ ଓ ମୁଦ୍ରଣ ପୂର୍ବରୁ ହିଁ ଦୁଇଟି ଦେଶର ସରକାର ବ୍ୟାନ ଲଗାଇ ଦେଇଥିଲେ । ସ୍ୱାତନ୍ତ୍ରବୀର ସାବରକର କେତେ ସାହସୀ ଓ ଆତ୍ମବିଶ୍ୱାସୀ ଥିଲେ ତାହା ଜାଣିବା ପାଇଁ ତାଙ୍କ ଜୀବନର ଗୋଟିଏ ଘଟଣାର ଉଲ୍ଲେଖ କରିବା ଉଚିତ ହେବ । ଲଣ୍ଡନରେ ରହୁଥିବା ସମୟରେ ଇଂରେଜମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ତାଙ୍କୁ ୧୯୧୦ ମସିହା ମାର୍ଚ୍ଚ ମାସ ୧୩ ତାରିଖ ଦିନ ଗିରଫ କରାଯାଇଥିଲା । ତାଙ୍କୁ ପାଣି ଜାହାଜ ଜରିଆରେ ଭାରତ ଅଣାଯାଉଥିଲା । ଜୁଲାଇ ମାସ ୮ ତାରିଖର କଥା । ସାବରକର ଏହି ଦିନ ସମୁଦ୍ର ମଧ୍ୟରେ ପାଣି ଜାହାଜରୁ ଡିଆଁ ମାରିଦେଲେ । ତା' ପରେ ସମୁଦ୍ରରେ ପହଁରି-ପହଁରି ସମୁଦ୍ର ପାର କରି ସାରସେଲ୍ସର ଉପକୂଳରେ ପହଂଚିଥିଲେ । ସେ ଭାବିଥିଲେ ଯେ ପୂର୍ବବର୍ତୀ ଯୋଜନା ଅନୁସାରେ ତାଙ୍କର ମିତ୍ରମାନେ ସମୁଦ୍ର ତଟରେ ପହଂଚିଥିବେ । ତେବେ ତାଙ୍କର ମିତ୍ର ମାନଙ୍କ ସେଠାରେ ପହଂଚିବାରେ କିଛି ବିଳମ୍ବ ହୋଇଯାଇଥିଲା । ତେଣୁ ପୋଲିସ ତାଙ୍କୁ ପୁଣି ଗିରଫ କରିନେଇଥିଲା । ତାଙ୍କ ଜୀବନର ଏହି ଘଟଣା ତାଙ୍କର ଅଦମ୍ୟ ସାହସର ପରିଚୟ ଦିଏ । ବୀର ସାବରକର ଅନେକ ସ୍ୱାଧିନତା ସଂଗ୍ରାମୀ ଓ ବିପ୍ଳବୀମାନଙ୍କର ପ୍ରେରଣାର ଉତ୍ସ ଥିଲେ । ତେଣୁ ଇଂରେଜ ସରକାର ତାଙ୍କଠାରୁ ଖୁବ ଭୟଭୀତ ଥିଲେ । ଇଂରେଜ ସରକାର ସାବରକରଙ୍କଠାରୁ କେତେ ଭୟଭୀତ ଥିଲେ, ତାହା ତକ୍ରାଳୀନ ଇଂରେଜ ସରକାରଙ୍କ ପତ୍ରରୁ ସ୍ପଷ୍ଟ ହୋଇଯାଏ । କଳାପାଣିରେ କାରାବାସ ଭୋଗ କରୁଥିବା ସାବରକର ଓ ତାଙ୍କ ଭାଇଙ୍କୁ ଯେତେବେଳେ ମହାରାଷ୍ଟ୍ରର କୌଣସି ଜେଲକୁ ସ୍ଥାନାନ୍ତରିତ କରିବା ପାଇଁ ଦାବି କରାଯାଉଥିଲା, ସେତେବେଳେ ବମ୍ବେ ସରକାରଙ୍କର ଗୃହ ବିଭାଗ ପକ୍ଷରୁ ବିରୋଧ କରାଯାଇଥିଲା । ବମ୍ବେ ସରକାର ପକ୍ଷରୁ ଏକ ପତ୍ର ଲେଖି କୁହାଯାଇଥିଲା ଯେ ଏପରି କରିବା ଦ୍ୱାରା ଆନ୍ଦୋଳନ ପୁନର୍ବାର ଜୋରଦାର ହୋଇପାରେ । ବୀର ସାବରକରର ଜଣେ ଦୂରଦ୍ରଷ୍ଟା ଥିଲେ । ସେ କାଳଜୟୀ ଥିଲେ । ଇଂରେଜମାନଙ୍କ ଦ୍ୱାରା ପ୍ରଚାର କରାଯାଉଥିବା ମିଥ୍ୟାକୁ ସେ ମାତ୍ର ୨୪ ବର୍ଷ ବୟସରେ ଭୁଲ ବୋଲି ସାବ୍ୟସ୍ତ କରିଥିଲେ । ଏହାସହ ଲକ୍ଷ ଲକ୍ଷ ବିପ୍ଳବୀଙ୍କର ସେ ଥିଲେ ପ୍ରେରଣାର ଉତ୍ସ । ତେଣୁ ସ୍ୱାତନ୍ତ୍ରବୀର ସାବରକରଙ୍କ ଜୟନ୍ତୀ ଅବସରରେ ତାଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟଗୁଡିକର ମୂଲ୍ୟାଙ୍କନ କରାଯିବାର ଆବଶ୍ୟକତା ରହିଛି, ଯାହାଫଳରେ ଦେଶରେ ଆଗାମୀ ପୀଢି ଏହାଦ୍ୱାରା ପ୍ରେରଣା ଲାଭ କରି ପାରିବେ ।

Comments