ସେବା କରିବତ ଏମିତି


-ଗୋଲଖ ଚନ୍ଦ୍ର ଦାସ
ମାନସୀ ତିନି ଭଉଣୀ ମଧ୍ୟରେ ବଡ, ଗତବର୍ଷ ସେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଥିଲା । ତାର ବାପା କ୍ୟାନସର ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି । ତିନି ଭଉଣୀର  ଦାୟୀତ୍ୱ ମା ଉପରେ ନ୍ୟସ୍ତ । ଛୋଟ ମୋଟ କାମକରି ନିଜ ପରିବାର ଚଳାଇ ଥାଏ ତାର ମା । ମାନସୀ ଶ୍ରେଣୀରେ ଭଲ ପଢୁଥାଏ କିନ୍ତୁ ଏମିତି ସମୟ ଆସିଲା ପାଠ ପଢା ବନ୍ଦ କରିବା ଯାଏ କଥା ଗଲା । ପରିବାରରେ ଏପରି ସ୍ଥିତି ଉପୁଜିଲା ଯେ ବିଦ୍ୟାଳୟରେ ଫିସ୍ ଜମା କରିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା ତେଣୁ ସେ ସ୍ଥିରକଲେ ଆଉ ପାଠ ପଢିବେ ନାହିଁ । ସେଥିପାଇଁ ସେ ବିଦ୍ୟାଳୟ ଗଲେ ନାହିଁ । ପାଠ ପଢା ବନ୍ଦ କରିଦେଲେ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଅନ୍ୟ ବିଦ୍ୟାଳୟ ଠାରୁ ଭିନ୍ନ ଅଟେ । ମାନସୀ ବିଦ୍ୟାଳୟକୁ ନ ଆସିବାରୁ ତାଙ୍କର ଗୁରୁଜୀ ଗୁରୁମାମାନେ ବ୍ୟସ୍ତ ହୋଇ ପଡିଲେ । ଜଣେ ଗୁରୁଜୀ ତାଙ୍କ ଘରକୁ ଗଲେ । ମାନସୀ ବିଦ୍ୟାଳୟକୁ ନ ଆସିବାର କାରଣ ଜାଣି ପାରିଲେ । ତାପରେ ସେହି ଗୁରୁଜୀ ଜଣଙ୍କ ତାର ସମସ୍ତ ବ୍ୟବସ୍ଥା କରିବେ ବୋଲି କହିବାରୁ ମାନସୀ ପୁଣି ବିଦ୍ୟାଳୟକୁ ଗଲା । ଗୁରୁଜୀ ମାନସୀର ସମସ୍ତ ବାକିଥିବା ଫିସ୍ ଦେବା ସହ ଆଗାମୀ ଦିନର ସମସ୍ତ ବ୍ୟବସ୍ଥା କରିଦେଲେ । ଚଳିତ ବର୍ଷ ମାନସୀ ପରୀକ୍ଷାରେ ଉର୍ତ୍ତୀଣ୍ଣ  ହେଲା ।  ସେ ପ୍ରଥମ ୧୦ ଜଣଙ୍କରେ  ଥିବାରୁ ସରକାରଙ୍କ ତରଫରୁ ସମ୍ମାନୀତ ହୋଇଛନ୍ତି ।
ଯେଉଁ ଗୁରୁଜୀ ଏଭଳି କାମ କରିଛନ୍ତି ସେ କେବଳ ମାନସୀର ପାଢ ପଢାପାଇଁ କରିନାହାଁନ୍ତି । ଦୀର୍ଘ ୧୨ ବର୍ଷ ହେବ ସେ ଏହିପରି ସେବାକାମ କରିଚାଲିଛନ୍ତି । ସେ ହେଉଛନ୍ତି ମଧ୍ୟପ୍ରଦେଶ ନିଶାତପୁର ସରସ୍ୱତୀ ବିଦ୍ୟାମନ୍ଦିରର ସଂସ୍କୃତ ଶିକ୍ଷକ ୫୬ ବର୍ଷୀୟ କୃଷ୍ଣ କୁମାର ଦୁବେ । ସେ ଯେଉଁସବୁ ପିଲାମାନଙ୍କୁ   ପାଠ ପଢିବା ପାଇଁ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ ସେମାନଙ୍କ ମଧ୍ୟରୁ ଅନେକ ଏବେ ଆଇଏସ୍ଏସ୍ ଅଧିକାରୀ,ଜଜ୍, ଡାକ୍ତର, ଇଂଜିନିୟର ଓ ବ୍ୟାଙ୍କ ଅଫିସର ମଧ୍ୟ ଅଛନ୍ତି । ଏବେ ସେହି ପୂର୍ବଛାତ୍ରମାନେ ଗୁରୁଜୀଙ୍କୁ  ଏ ଦିଗରେ କାମ କରିବା ପାଇଁ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି । ସେମାନଙ୍କ ସହଯୋଗରେ ପିଲାଙ୍କ ବକେୟା ଫିସ୍ ଦିଆଯାଉଛି । ଏପର୍ଯ୍ୟନ୍ତ ସେ ଏକ ହଜାରରୁ ଉଦ୍ଧ୍ୱର୍ ପିଲାଙ୍କୁ ଏହି ପରି ସାହାଯ୍ୟ ସହଯୋଗ ଯୋଗାଇ ଦେଇ ଆସିଛନ୍ତି । ଏ ଦିଗରେ କୃଷ୍ଣ କୁମାରଙ୍କ ପଛରେ ନିଶାତପୁର ସରସ୍ୱତୀ ବିଦ୍ୟାମନ୍ଦିରର ମଧ୍ୟ ଭୂମିକା ରହିଛି ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାମକୁମାର ବ୍ୟାସ କୁହନ୍ତି ଯେ, ଆମେ ଯେତେବେଳେ ପିଲାଙ୍କ ଘରକୁ ସଂପର୍କ ଅଭିଯାନରେ ଯାଉ ସେତେବେଳେ ଲକ୍ଷ୍ୟକରୁ ତାଙ୍କର ଆର୍ଥୀକ ଅବସ୍ଥା କିପରି ଅଛି ? ଆମେ ଯେତେବେଳେ ଅନୁଭବ କରୁ ଯେ ପିଲାଟିର ପଢାରେ ଅର୍ଥ ପ୍ରତିବନ୍ଧକ ସୃଷ୍ଟି କରୁଛି ସେ ସମୟରେ ଆମେ ଆମର ସମ୍ପନ୍ନ ପୂର୍ବଛାତ୍ରମାନଙ୍କ ପାଖରେ ପହଁଞ୍ଚୁ ଏବଂ ସାମାଜିକ ସଂଗଠନ ଗୁଡିକ ନିକଟକୁ ଯାଉ । ସମସ୍ତ ଲୋକମାନେ ଆମକୁ ମୁକ୍ତ ହୃଦୟରେ ସାହାଯ୍ୟ କରନ୍ତି । ଏ ସମସ୍ତ କାମର କୃଷ୍ଣ ଗୁରୁଜୀ ଆଗରେ ଥାଆନ୍ତି । ଆମ ବିଦ୍ୟାଳୟରେ କୌଣସି ପିଲା ଦେୟ ନଦେଇ ପାରିବାରୁ ପାଠ ପଢା ବନ୍ଦ କରିଛି ଏପରି ଉଦାହରଣ ନାହିଁ ।  କାହାର ଗଣବେଷ ନାହିଁ, କାହାର ଶୀତବସ୍ତ୍ର  ନାହିଁ, କାହାର ବହି କିଣିବା ପାଇଁ ଅସୁବିଧା ଏହିପରି ଅନେକ ଅସୁବିଧାରେ ଥିବା ପିଲାମାନଙ୍କର ତାଲିକା କୃଷ୍ଣ ଗୁରୁଜୀଙ୍କ ନିକଟରେ ଅଛି । କୃଷ୍ଣ ଗୁରୁଜୀ ଯାହାର ଯାହା ଅସୁବିଧା ଥାଏ ତାହାକୁ ନିର୍ଦିଷ୍ଟ ସମୟରେ ପୁରଣ କରିଥାଆନ୍ତି । ପୁରାତନ ଛାତ୍ରମାନଙ୍କ ମଧ୍ୟରୁ ଯିଏ ଭଲ ଚାକିରୀ, ଭଲ ବ୍ୟବସାୟ କରୁଛନ୍ତି ସେମାନେ ତାଙ୍କ ପରିବାର ସହିତ ବିଦ୍ୟାଳୟକୁ ଆସନ୍ତି । କୃଷ୍ଣ ଗୁରୁଜୀ ଗୁରୁ ଦକ୍ଷିଣା ପାଇଁ ସେହି ତାଲିକାକୁ ସେମାନଙ୍କୁ ଦେଇ ଦିଅନ୍ତି । ପୁରାତନ ଛାତ୍ରମାନେ ଗୁରୁ ଦକ୍ଷିଣା ସ୍ୱରୂପ ଗୁରୁଜୀ ଦେଇଥିବା ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କର ଅଭାବକୁ ପୂର୍ଣ୍ଣ କରିଥାନ୍ତି ।  କୃଷ୍ଣ ଗୁରୁଜୀ ଜଣେ ଆଚାର୍ଯ୍ୟ ଓ ବ୍ରାହ୍ମଣ ହେଲେ ମଧ୍ୟ ସେ ସମାଜରେ ଥିବା ଉଚ୍ଚ-ନୀଚ୍ଚ ଜାତିଭେଦରୁ ଉଦ୍ଧ୍ୱର୍ରେ । ଦଳିତ, ହରିଜନ ଓ ବ୍ରାହ୍ମଣ ଏପିର ଜାତିଭେଦ ସେବାରେ ସ୍ଥାନ ନାହିଁ । ସମସ୍ତେ ସମାନ । ଗରୀବ କୌଣସି ଜାତି ଦେଖି ଆସେ ନାହିଁ । ଗରୀବ ସମାଜରେ ମଧ୍ୟ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି । ବଣ ମଲ୍ଲୀ ବଣରେ ଫୁଟି ଝଡି ନପଡୁ । ସେମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଲେ ସେମାନେ ସମାଜରେ ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇ ଛିଡା ହେବେ,ଏହା ହେଉଛି କୃଷ୍ଣକୁମାର ଦୁବେଙ୍କ ବିଚାର ।

୩୫,ଏନ୍ ଏ ସି ଫ୍ଲାଟ, ୟୁନିଟ-୩, ଭୁବନେଶ୍ୱର
ମୋ-୯୮୬୧୦୨୮୫୫୩

Comments